Unknown

 

 

 

 

 

 

 

 

 

 

 

 

ଆକାଶ ପାତାଳ

ମହାପାତ୍ର ନୀଳମଣି ସାହୁ

 

ଭୂମିକା କିଂଚିତ୍

 

ଆକାଶ ପାତାଳର ଗଳ୍ପଗୁଡ଼ିକ ମୋର ଅନ୍ୟ ସଂକଳନର ଗଳ୍ପଗୁଡ଼ିକ ଠାରୁ ବିଷୟବସ୍ତୁ, ଆଙ୍ଗିକ ଓ ରଚନାଶୈଳୀରେ ଆଖିଦୃଶିଆଭାବେ ସ୍ୱତନ୍ତ୍ର ଓ ଅନନ୍ୟ । ଏହି ସଂକଳନସ୍ଥ ପ୍ରତିଟି ଗଳ୍ପ ମଧ୍ୟ ଅନ୍ୟଟି ଠାରୁ ଭାବ ଓ ଭଙ୍ଗୀରେ ବେଶ୍ ପୃଥକ୍ । ଦୀର୍ଘ ପଚିଶବର୍ଷ ଧରି ଓଡ଼ିଆ ଗଦ୍ୟରେ ମୋର ଭାବ, ଚିନ୍ତା ଓ ଅନୁଭୂତିମାନ ପ୍ରକାଶ କରିବାର ଚେଷ୍ଟା ଭିତରେ ମୁଁ ଗୋଟିଏ କଥାରେ ନିଶ୍ଚିନ୍ତ ଯେ ନାନା ବିଚିତ୍ର ଭାବ, ଚିନ୍ତା ଓ ଅନୁଭୂତି ପ୍ରକାଶ ଲାଗି ଓଡ଼ିଆଭାଷା କେଡ଼େ ନମନୀୟ ଆଉ ବିସ୍ତାରସଙ୍କୋଚକ୍ଷମ ! ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଦ୍ୟ ସାହିତ୍ୟରେ ବହୁ ପ୍ରତିଭାବାନ କଥାକାର, ପ୍ରାବନ୍ଧିକ ଓ ନାଟ୍ୟକାରଙ୍କର ଆବିର୍ଭାବ ଘଟିଛି; ଏବଂ ଏଥିରେ ସନ୍ଦେହ ନାହିଁ ଯେ ସେମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ନୂତନ ଭାଷାଶୈଳୀର ସୃଷ୍ଟି କରିଛନ୍ତି । ଏହି ୨୫-୩୦ ବର୍ଷ ଭିତରେ ଓଡ଼ିଆ ଗଦ୍ୟ ସାହିତ୍ୟର ଭାବଗତ ଓ ଚିନ୍ତାଗତ ଐଶ୍ୱର୍ଯ୍ୟ ଯେପରି ଋଦ୍ଧିମନ୍ତ–ତଦ୍ରୂପ ମଧ୍ୟ ତା’ର ଅଭିବ୍ୟକ୍ତିରେ ଶବ୍ଦପ୍ରୟୋଗ ଓ ବାକ୍ୟବିନ୍ୟାସର ବୈଚିତ୍ର୍ୟ ଅତ୍ୟନ୍ତ ଲକ୍ଷଣୀୟ ।

 

ଏହି ପରିପ୍ରେକ୍ଷୀରେ ମୁଁ ଓଡ଼ିଆ ଭାଷାର କଦର ବୁଝିଛି । କାରଣ ସମାଜର ସବୁ ସ୍ତର ଭିତରେ ମୋର କିଛି କିଛି ଅନୁପ୍ରବେଶ ଅଛି, ଅନ୍ତରଙ୍ଗତା ମଧ୍ୟ ଅଛି । ମାତ୍ର ଖାଲି ସେତିକି ଲାଗି ନୁହେଁ–ପ୍ରାଚୀନ ଓଡ଼ିଆ ସାହିତ୍ୟର (ଗଦ୍ୟ ଓ ପଦ୍ୟ ଉଭୟ) ଭାଷା ବିଭବ ସଙ୍ଗେ ମୁଁ ଆନ୍ତରିକଭାବେ ପରିଚିତ । ଖାଲି ପରିଚିତ ନୁହେଁ–ଓଡ଼ିଆ ଭାଷାର ପରମ୍ପରାବାହିତ ଅନ୍ତରାତ୍ମା ସଙ୍ଗେ ମୋର ଯୋଗାଯୋଗ ଘନିଷ୍ଠ ଓ ଆତ୍ମିକ । ସେଥିଲାଗି ମୋର ପ୍ରତିଟି ଗଳ୍ପ ବିଭିନ୍ନ ବିଚିତ୍ର ବାକ୍‍ରୀତି ପ୍ରୟୋଗରେ ବର୍ଣ୍ଣାଢ଼୍ୟ । ମୋର କାବ୍ୟ-ମାନସଟି ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ କଥାବୃତ୍ତ, ସ୍ୱରବୃତ୍ତ ବା ରସବୃତ୍ତ ମଧ୍ୟରେ କେବେ ଆବଦ୍ଧ ହୋଇ ରହି ପାରି ନାହିଁ । ଏହା ସର୍ବଦା ବୃତ୍ତୋତ୍ତୀର୍ଣ୍ଣ ହୋଇ ଚାଲିଥାଏ । କଥାରୁ କଥାନ୍ତର, ସ୍ୱରରୁ ସ୍ୱରାନ୍ତର ଏବଂ ରସରୁ ରସାନ୍ତର ଘୂରିବୁଲିବା ମୋର ଶିଳ୍ପୀ-ମାନସର ସ୍ୱଭାବ । ମୋର ରସବୋଧ ପୁଣି ମୋର ମନର ବିଭିନ୍ନ ମୁଡ଼୍ (mood) ଭିତରୁ ରୂପ ଗ୍ରହଣ କରେ । ଗଳ୍ପର ବିଭିନ୍ନ ଚରିତ୍ର ବା ଘଟଣା ମଧ୍ୟ ମୋର ନିଜର ଏଇ ‘‘ମୁଡ଼୍’’ (mood) ଭିତରେ ମୋର ପ୍ରତ୍ୟକ୍ଷ ହୁଅନ୍ତି । କହିବା ବାହୁଲ୍ୟ–ମୋର ଏହି ସବୁ ବିଚିତ୍ର ମାନସିକ ‘‘ମୁଡ଼୍’’ (mood) ମାନ ମୋର ଅବଚେତନ ଭିତରୁ ପ୍ରାଚୀନ ଆଧୁନିକ ବିଭିନ୍ନ ଭାଷାଶୈଳୀକୁ ମହା ଆବେଗରେ ଡାକିଆଣନ୍ତି । ମତେ ଲାଗେ ପ୍ରତି ଗୀତି କବିତାର ବିଭିନ୍ନ ସୁରଭଳି ମୋର ପ୍ରତିଟି ଗଳ୍ପ ଏମିତି ବିଭିନ୍ନ ଗଦ୍ୟଶୈଳୀକୁ ମୋ ଭିତରୁ ଟାଣିଆଣି ଅଭିବ୍ୟକ୍ତ ହୋଇଯାଏ । ଆଉ ଏ କଥା ମଧ୍ୟ ପାଠକ ପାଠିକା ଓ ସମାଲୋଚକମାନେ ଜାଣିରଖିବା ଉଚିତ ଯେ–ପ୍ରତିଟି ସଙ୍ଗୀତ ଯେପରି ଗାଇବା ଲାଗି ଉଦ୍ଦିଷ୍ଟ–ପ୍ରତିଟି କବିତା ଯେପରି ଆବୃତ୍ତି କରିବା ଲାଗି ଉଦ୍ଦିଷ୍ଟ–ସେମିତି ପ୍ରତିଟି ଗଳ୍ପ କହିବା ଲାଗି ଉଦ୍ଦିଷ୍ଟ । କହି ଜାଣିଲେ ଯାଇ କଥା ସୁନ୍ଦର ହେବ । ପ୍ରତି ଗଳ୍ପର ଏହି କଥନ-ଶୈଳୀ ବା ଛନ୍ଦଟିକୁ ନ ଜାଣିଲେ ଗଳ୍ପର ବକ୍ତବ୍ୟ ପାଠକ ବା ଶ୍ରୋତା ପାଖେ ସ୍ପଷ୍ଟ ଓ ପ୍ରଭାବଶାଳୀ ହୋଇପାରିବ ନାହିଁ । କେଉଁ ଗଳ୍ପରେ ଚିଠିର ସୁର, କେଉଁ ଗଳ୍ପରେ ଯୁକ୍ତିର ସୁର, କେଉଁ ଗଳ୍ପରେ କବିତାର ସୁର, କେଉଁ ଗଳ୍ପରେ ନାଟକର ସୁର, କେଉଁ ଗଳ୍ପରେ ବକ୍ତୃତାର ସୁର–କେଉଁ ଗଳ୍ପରେ ଆଳାପର ସୁର ବା ବିଳାପର ସୁର–କେଉଁ ଗଳ୍ପରେ ବର୍ଣ୍ଣନାର ସୁର–ଏ ସବୁ ସୁର ବୈଚିତ୍ର୍ୟ ସଙ୍ଗେ ସହୃଦୟ ସାମାଜିକମାନଙ୍କର ପରିଚୟ ଥିବା ଉଚିତ-। ଏହା ଛଡ଼ା ପୁଣି ରହିଛି ଜାଗରଣର ସୁର, ନିଦ୍ରାର ସୁର, ସ୍ୱପ୍ନର ସୁର, ଅବଚେତନ ବା ମଗ୍ନ ଚେତନର ସୁର, ପୁଣି ଉପଦେଶର ସୁର, ଉପହାସର ସୁର, ତିରସ୍କାରର ସୁର–ଆଶୀର୍ବାଦର ସୁର–କୃତଜ୍ଞତାର ସୁର–ପ୍ରେମାବେଗର ସୁର–ଘୃଣାର ସୁର–କ୍ରୋଧର ସୁର–ଆତ୍ମଗ୍ଲାନିର ସୁର–ଅନୁତାପର ସୁର–ଅନୁଶୋଚନାର ସୁର–ଏମିତି ଦେଢ଼ଲକ୍ଷ ମୁଡ଼୍ (mood)ର ସୁର । ତା’ପରେ ପୁଣି ରହିଛି–ରାମାର ସୁର–ଦାମାର ସୁର–ରାଧୁଆର ସୁର–ଜୀବନବାବୁଙ୍କ ସୁର–ବଡ଼ ଦେଉଳର ଜଗନ୍ନାଥଙ୍କ ସୁର–ରମଜାନ୍ ଚଚ୍ଚାଙ୍କ ସୁର–ଏମିତି ଏମିତି ଅସଂଖ୍ୟ ଚରିତ୍ରଙ୍କ ସୁର–ପରିଶେଷରେ ପୁଣି ସ୍ୱୟଂ ଲେଖକ ମହାଶୟଙ୍କ ନିଜସ୍ୱ ସୁର । ଏହି ବିଭିନ୍ନ ସୁର-ଅଭିଜ୍ଞତା ଜଣାଥିବା ବା ଜାଣିଯାଇପାରୁଥିବା ପାଠକ ବା ସମାଲୋଚକ ନ ହେଲେ ଗଳ୍ପର ସମ୍ପୂର୍ଣ୍ଣ ସ୍ୱାଦ ପାଇ ପାରିବା ଅସମ୍ଭବ ।

 

ତେବେ ଏଇ ‘‘ଆକାଶ ପାତାଳ’’ ଗଳ୍ପଗୁଡ଼ିକର ଭାଷାରୀତି–ଅତିରିକ୍ତ ଅନ୍ୟ ଏକ ସମ୍ପଦ ମଧ୍ୟ ଅଛି । ତାହା ହେଉଛି–ଜାଗରଣ ଓ ସ୍ୱପ୍ନ, ବାସ୍ତବତା ଓ କଳ୍ପନା, ବିଦ୍ରୂପ ଓ ବିଷାଦ, କାଳ ଓ ଅକାଳ ଆଦି ବିରୋଧାତ୍ମକ ଅନୁଭୂତିଗୁଡ଼ିକୁ ଏକାଠି ଗୋଳାଇ ଫେଣ୍ଟି ପରିବେଷଣ କରିବାର ଏକ ଖିଆଲୀ କଳାତ୍ମକ ପ୍ରବଣତା । ଏଥିରେ ସନ୍ଦେହ ନାହିଁ ଯେ ଗଳ୍ପଗୁଡ଼ିକର ମୂଳସୁର ଶ୍ଳେଷାତ୍ମକ ଏବଂ ଏହି ଅନ୍ତର୍ନିହିତ ଶ୍ଳେଷ ଆମର ଜୀବନ ଓ ତା’ର ଅସଂଖ୍ୟ ଅଦୃଷ୍ଟମାନଙ୍କ ପ୍ରତି ଅଭିପ୍ରେତ ।

 

ବହିଟିର ପାଣ୍ଡୁଲିପି କଟକର ଜଣେ ବଡ଼ ଗ୍ରନ୍ଥ-ପ୍ରକାଶକଙ୍କ ଦ୍ୱାରା ପ୍ରକାଶ ଲାଗି ଗୃହୀତ ହୋଇ କିଛିମାସ ତାଙ୍କ ଅପ୍ରକାଶ୍ୟ କୋଠରିରେ ପଡ଼ିରହିବା ପରେ ହଠାତ ତାଙ୍କ ଦ୍ୱାରା ନିଗୃହୀତ ହୋଇ ବଡ଼ କରୁଣଭାବେ ମୋ ହାତକୁ ଦିନେ ଫେରିଆସିଲା । ଏହା ମୋ ଲେଖକ ଜୀବନରେ ପ୍ରଥମ ଦୁର୍ଘଟନା । ଘୋର ଅନୁଶୋଚିତ ମନରେ ତଳକୁ ମୁହଁପୋତି, କାଖରେ ବିଡ଼ାଟି ଜାକି ରାସ୍ତାରେ ଫେରିଲାବେଳେ ଓଡ଼ିଶା ବୁକ୍‍ଷ୍ଟୋରର ପ୍ରଖ୍ୟାତ ପ୍ରକାଶକ ଶ୍ରୀଯୁକ୍ତ ଗୋବିନ୍ଦଚରଣ ପାତ୍ର ପାଣ୍ଡୁଲିପିଟି ମୋଠାରୁ ଆଗ୍ରହରେ ନେଇ ମୋର ସମ୍ମାନ ରକ୍ଷା କଲେ । ମୁଁ ତାଙ୍କୁ ମୋର ଅନ୍ତରର ଶ୍ରଦ୍ଧା ଓ କୃତଜ୍ଞତା ଅର୍ପଣ କରୁଛି । ବହି ଲେଖି ପେଟ ପୋଷିବାର ଦୁର୍ଭାଗ୍ୟ ଈଶ୍ୱର ମତେ ଦେଇ ନାହାନ୍ତି । କିନ୍ତୁ ମୋ ବହି ପ୍ରକାଶ କରି ଯେପରି କାହାର ପେଟ ଅପୋଷା ନ ରହେ–ଏଥିଲାଗି ମୁଁ ଉତ୍କଳଭାରତୀଙ୍କୁ ପ୍ରାର୍ଥନା କରୁଛି ।

 

ରଜ ସଂକ୍ରାନ୍ତି

ମହାପାତ୍ର ନୀଳମଣି ସାହୁ

୧୯୭୬

ସମ୍ପାଦକ

 

ସ୍ୱରାଷ୍ଟ୍ର (ଲୋକସମ୍ପର୍କ) ବିଭାଗ

 

ଓଡ଼ିଶା ସରକାର

 

ଭୁବନେଶ୍ୱର

Image

 

ଉତ୍ସର୍ଗ

 

ଅଧ୍ୟାପକ ଶ୍ରୀଯୁକ୍ତ ଚିନ୍ତାମଣି ବେହେରା

 

ବନ୍ଧୁ ବରେଷୁ–

 

ବୁଦ୍ଧି ଉତ୍ତମ ସଙ୍ଗତ କାବ୍ୟ ଅଭିଧାନେ ନମ୍ର ଭଦ୍ର ପ୍ରୀତି ସ୍ନିଗ୍‍ଧ ହୃଦୟ ଉଦାର ଶାଳୀନ ସୁରମ୍ୟ କଳା-ବ୍ୟକ୍ତିତ୍ୱାଭିମାନେ କିଣି ନେଇଅଛ ମତେ ଆହେ ବନ୍ଧ ବର । ଉଦାସ ବିହ୍ୱଳ ମୂର୍ତ୍ତି, ହେ ବନ୍ଧୁବତ୍ସଳ ଅରପିଲି ତୁମ୍ଭ କରେ ‘‘ଆକାଶ ପାତାଳ’’ ।

 

ନୀଳମଣି

 

ରଜସଂକ୍ରାନ୍ତି

ଭୁବନେଶ୍ୱର

ତା ୧୪-୬-୧୯୭୬

Image

 

ଏଥିରେ ଅଛି

 

୧.

ମୁଁ, ତୁମେ ଓ ସେମାନେ

୨.

ଜୀବନବାବୁଙ୍କ ଜୀବନ-ଦର୍ଶନ

୩.

ଉତ୍ତୀର୍ଣ୍ଣ ସମୟ

୪.

ରାଧୁଆର ସ୍ୱରଲିପି

୫.

ମୀନକେତନବାବୁ ଓ ଜଳବାୟୁ

୬.

ମିସେସ୍ ଚକ୍ରବର୍ତ୍ତୀ

୭.

ଅବ୍ୟାପାରେଷୁ

୮.

ରାଜଯୋଗ

୯.

ଦାରୁଭୂତ୍ କି ହୈଁ ୟେ ବୃତ୍ତାନ୍ତ

୧୦.

‘ସତୀବର’ର ଇତିବୃତ୍ତ

୧୧.

ଭାର୍ଯ୍ୟା ଓ ଭଗାରି ଜନିତ

୧୨.

ଆକାଶ ପାତାଳ

୧୩.

ଗତଥର–ମୁଁ ମଲାପରେ

୧୪.

ପୁରୁଷାୟିତ

Image

 

ମୁଁ, ତୁମେ ଓ ସେମାନେ

 

ପ୍ରାଣପ୍ରତିମ ବନ୍ଧୁ ସୁତନୁ ! କାଲି ତୁମ ଘରେ ତୁମ ସହିତ ସମଗ୍ର ଦିନଟି କଟାଇ ଆଜି ଏ ପତ୍ର ଲେଖିବାର ଏମିତି କିଛି ଜରୁରି ନଥିଲା । ହୁଏତ ଏ ଚିଠିଟିକୁ ଯେ ଲେଖିସାରି ମୁଁ ଆଜି ଡାକରେ ଅବଶ୍ୟ ପକାଇବି, ଏମିତି କଳ୍ପନା ମଧ୍ୟ ମୋର ବର୍ତ୍ତମାନ ନାହିଁ । ସବୁ ଲେଖା ଚିଠି ଯେ ଡାକରେ ପଡ଼ିବାକୁ ଅଭିପ୍ରେତ, ତା’ ମଧ୍ୟ ନୁହ । ତା’ଛଡ଼ା ସୁଜ୍ଞଜନମାନେ ଏହାକୁ ପତ୍ର ନ ଭାବି ଗଳ୍ପ ବୋଲି ଭାବିପାରନ୍ତି । ରସିକମାନେ ଗଳ୍ପ ନ ଭାବି କବିତା ବୋଲି ମନେକରି ପାରନ୍ତି । ବହୁଦିନ ଧରି ତୁମ ସଙ୍ଗେ ଦେଖାହୋଇ ନ ଥିଲେବି ଖଣ୍ଡିଏ ସୁଦ୍ଧା ପତ୍ର ମୁଁ ତୁମ ପାଖକୁ ଦେଇନାହିଁ–ତୁମେ ମଧ୍ୟ ସେହିପରି ଦେଇନାହଁ । ଆମ ଭିତରେ ଚିଠିପତ୍ରର ଆଉ ହୁଏତ ଆବଶ୍ୟକ ନଥିଲା । ବହୁ ଚିଠି ଆମେ ପରସ୍ପରକୁ ଲେଖିଛେ ବର୍ଷ ବର୍ଷ ଧରି । ନିଜକୁ ଅପର ପାଖରେ ସ୍ପଷ୍ଟ କରିବାକୁ, ପୁଣି ଅପରକୁ ନିଜ ମନୋମତ କରି ପାଇବାକୁ ବା ନିଜର ସ୍ୱପ୍ନ ବା ଆଦର୍ଶର ସାଧକ ହିରୋଭାବେ ଦେଖି ଶ୍ରଦ୍ଧା ଓ ସମ୍ମାନ କରିବାକୁ ଯେଉଁ ଆବେଗ ବା ଉତ୍କଣ୍ଠା ଆମେ ଭୋଗୁଥିଲେ, ତାକୁଇ ତ ପ୍ରକାଶ କରିବାପାଇଁ ଏତେ ଚିଠି ଲେଖୁଥିଲେଁ !

 

ସୁତନୁ ! ଆମେ ଏଇ ଗତ ଦଶବର୍ଷ ଧରି କେତେ ବାକ୍ୟବ୍ୟୟ ନ କରିଛେ ପରସ୍ପର ପାଖେ ! ରାତି ରାତି ବିତିଯାଇଛି । ଆଖିକୁ ନିଦ ଆସିନାହିଁ–ଗପିଛେ–ହସି ହସି ଗଡ଼ିଛେ–ରଗାରଗି ହୋଇଛେ–ପୁଣି ମଧ୍ୟ କନ୍ଦାକଟା କରିଛେ । ଘରର ଘରଣୀମାନେ, ପିଲାମାନେ ପ୍ରମାଦ ଗଣିଛନ୍ତି–ସନ୍ଦେହ କରିଛନ୍ତି, ହୁଏତ ଆମେ ନିଶା ଖାଇଛୁ । ସତରେ କ’ଣ ଆମେ ନିଶାଗ୍ରସ୍ତ ନ ଥାଉ କି ! ଥାଉ ନିଶ୍ଚୟ । ଆମେ ସତେ କି ଭିନ୍ନ ଜଗତର ଲୋକ ! ଦୁଇଟି ଅତି ଅନ୍ତରଙ୍ଗ ଆତ୍ମା କିମ୍ୱା ଗୋଟିଏ ଚୈତ୍ତ୍ୟସତ୍ତାର ଦୁଇଟି ବିଭକ୍ତି ! କିନ୍ତୁ ତଥାପି ପ୍ରଥମ କେତେ ବର୍ଷ ଆମେ କ’ଣ ପରସ୍ପରକୁ କମ୍ ସନ୍ଦେହ କରିଛେ ! ଆମ ଅଜାଣତରେ କମ୍ ଈର୍ଷା କରିଛେ ପରସ୍ପରକୁ । କି ବିଚିତ୍ର ମଣିଷର ପ୍ରକୃତି ! ଯୋଉଠି ଏତେ ଆକର୍ଷଣ, ସେଇଠି ପୁଣି ଏତେ ଈର୍ଷା ?

 

କିନ୍ତୁ କାହିଁକି ଆମେ ପରସ୍ପର ପ୍ରତି ଏତେ ଆକର୍ଷିତ ହେଲେ ? ହେଉଥିଲେ ? ଏତେ ସନ୍ଦେହ ସତ୍ତ୍ୱେ, ଏତେ ଈର୍ଷା ସତ୍ତ୍ୱେ, ଏତେ କ୍ରୋଧ ଓ ଏତେ ବିରକ୍ତି ସତ୍ତ୍ୱେ ? କି ଭୟଙ୍କର ଆକର୍ଷଣ ସତେ ! ମୋର କେତେବାର ସନ୍ଦେହ ହୋଇଛି–ଆମର ଏ ଆକର୍ଷଣ ଚେତନାଗତ ନା ସମ୍ପୂର୍ଣ୍ଣ ଏକ ପ୍ରାକୃତିକ ଅନ୍ଧବ୍ୟାପାର ? ପରସ୍ପରକୁ ପାଖରେ ପାଇଲେ ଆମେ ସବୁ କିଛି ଓ ସମସ୍ତଙ୍କୁ ଭୁଲିଯାଉଥିଲୁ । ତୁମର ମନେଥିବ, ସେହି ସୁନ୍ଦରୀ ଭଦ୍ରମହିଳାଙ୍କ କଥା । ସେଥର ସେ ଆସିଥିଲେ ମୋ ଘରକୁ ରାତିଟିଏର ଆତିଥ୍ୟ ଆଶାରେ । ଗୋଟିଏ ରାତିର ମଧୁର ନିଶାଗ୍ରସ୍ତ ସ୍ୱପ୍ନ ସେ ମୋତେ ମାଗିଥିଲେ । ସେଦିନ ମୋ ଘରେ ମୋର ସ୍ତ୍ରୀ ବା ପିଲାମାନେ ନ ଥିଲେ । ତୁମେ ଜାଣ ଶ୍ରୀମତୀ ଛୋଟରାୟଙ୍କ ସଙ୍ଗେ ମୋର ରୋମାଣ୍ଟିକ ସମ୍ପର୍କର କାହାଣୀ । ମୁଁ ନିଶା ଫିସା ଖାଏ ନାହିଁ; ମାତ୍ର ଶ୍ରୀମତୀ ଛୋଟରାୟ ମୋ ପକ୍ଷରେ ସେତେବେଳେ ଥିଲେ ସମ୍ପୂର୍ଣ୍ଣ ସଂଜ୍ଞାହାରିଣୀ ଏକ ନିର୍ଭେଜାଲ ଆଲ୍‍କୋହଲ୍‍ର ପ୍ରତିମା । ସେଦିନ ପାଗଟାବି କେମିତି ଗୋଟେ ଗମ୍ଭୀର ଆଉ ନୈରାଶ୍ୟଜନକ ଥିଲା । ମୁଁ ଭିଏଟ୍‍ନାମ କଥା ଭୁଲି ପୂର୍ବବଙ୍ଗ ସମସ୍ୟାରେ ଉତ୍ତେଜିତ ଓ ବିରକ୍ତ ହୋଇପଡ଼ିଥାଏ । ମନୁଷ୍ୟ ସମ୍ପର୍କରେ–ସଭ୍ୟତା ସମ୍ପର୍କରେ–ସମାଜ ସମ୍ପର୍କରେ, ମୁଁ ଏତେ ନିରାଶ ହୋଇପଡ଼ିଥାଏ ଯେ, ଭାବୁଥାଏ ଆଜି ରାତିରେ ଯଦି କିଏ ମୋତେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ପାରନ୍ତା ! ବୋଧହୁଏ ଶ୍ରୀମତୀ ଛୋଟରାୟଙ୍କୁ ମୋର ନିୟତି ସେଥିଲାଗି ପଠାଇଥିଲା । ମୁଁ ଭାବିଥିଲି–ଆଜି ରାତି ମୋର ଆତ୍ମହତ୍ୟାର ରାତି ହେଉ । କାରଣ ମଣିଷର ଆଉ କିଛି ଉନ୍ନତି ହେବ ନାହିଁ–ମନୁଷ୍ୟ ଏଣିକି ତଳକୁ ଖସିବ, କ୍ରମାଗତ ତଳକୁ–ତଳକୁ । ବୁଦ୍ଧ, ଖ୍ରୀଷ୍ଟ, ଗାନ୍ଧି, ଅରବିନ୍ଦମାନେ ଏଣିକି ଡନ୍‍କୁଇକୋସୋତ୍ ଭଳି ଶେଷ-ଶଯ୍ୟାରେ ଶୋଇ ଶୋଇ କୁନ୍ଥା କଣ୍ଠରେ ସ୍ୱୀକାର କରିବେ–ସେମାନଙ୍କର ଏତେ ଲମ୍ପଝମ୍ପ ସବୁ ଅକାରଣ ହୋଇଛି । ମଣିଷ କେବଳ ଗୋଟାଏ ବୁଦ୍ଧିମାନ୍ ପଶୁ–ଗୋଟାଏ ସାମାଜିକ ଗୋଷ୍ଠୀବଦ୍ଧ ପଶୁ । ତଦୁର୍ଦ୍ଧ୍ୱ କିଛି ନୁହେଁ । ସୁତନୁ ! ଏତେକ ଭାବିବାମାତ୍ରେ ଏକ କ୍ରୁଦ୍ଧ ଅନୁଶୋଚନାରେ ଏକ ନିରୁପାୟ ବିଫଳତାରେ ମୁଁ ଆପଣାର ବାହାକୁ କାମୁଡ଼ି ପକାଉଥାଏ–ମୋର ମୁଣ୍ଡ ବାଳକୁ ଟାଣି ଛିଣ୍ଡାଇ ପକାଉଥାଏ; ମାତ୍ର ଆଃ !! ଶ୍ରୀମତୀ ଛୋଟରାୟ ଆସି ପହଞ୍ଚି ଯାଇଥିଲେ । ମୁଁ ଭାବିଥିଲି–ଆଜି ପୃଥିବୀର ମନୁଷ୍ୟର ଅବଶିଷ୍ଟ ପାପମାତ୍ରା ମୁଁ ଆଜି ରାତିରେ ଇ ପରିପୂର୍ଣ୍ଣ କରିଦେବି । ଆଜି ରାତି ହେବ ମୋର ଓ ସମସ୍ତ ମାନବସମାଜର ଆତ୍ମହତ୍ୟାର ରାତି ।

 

ମାତ୍ର ଅଦ୍ଭୁତ ତୁମେ ! କୁଆଡ଼ୁ ଛୁଟିଆସିଲ ଝଞ୍ଜା ଭଳି ଏବଂ ମୋର ବାହୁଧରି ଟାଣି ନେଇଗଲ–ଆସ ଯିବା ପୁରୀ । ତୁମକୁ ଦେଖି ମୁଁ ବିରକ୍ତ ହୋଇଯାଇଥିଲି । ଆତ୍ମହତ୍ୟା କରିବାକୁ ଯାଉଥିବା ବ୍ୟକ୍ତିଟି ତା’ ଆଗରେ ଆଶା ପୂରଣର ଶେଷ ଦୁର୍ବଳ ପ୍ରତିଶ୍ରୁତିଟିକୁ ଦେଖିଲେ ଯେମିତି ଚିଡ଼ି ଉଠେ ! ମାତ୍ର ତୁମ ଭଳି ଝଞ୍ଜା ଆଗରେ ମୁଁ ଶିମୁଳିତୂଳା । ଏଭଳି ପୁଣ୍ୟ ନାହିଁ, ଯାହାର ଫଳ ସ୍ୱରୂପ ତୁମେ ମୋ ଆଗରେ ଠିଆ ହୋଇ ନ ଯାଅ । ଏଭଳି ପାପ ନାହିଁ, ଯାହାଠାରୁ ବଳାତ୍କାରେ ତୁମେ ମୋତେ ଛଡ଼ାଇ ନ ନେଇପାର । ଶ୍ରୀମତୀ ଛୋଟରାୟଙ୍କୁ ମୋର ଚାକର ଜିମା ଦେଇ ମୁଁ ତୁମ ସଙ୍ଗେ ପୁରୀ ବାହାରି ଗଲି । ଶ୍ରୀମତୀ ଛୋଟରାୟ ଏହି ବ୍ୟାପାରରେ ଖୁବ୍ ଅପମାନିତ ବୋଧ କଲେ । ଜାଣିଛ ନା ? ସେହିଦିନୁଁ ସେ ଆଉ ମୋ ସଙ୍ଗେ ସୂତାଏ ମାତ୍ର ସମ୍ପର୍କ ରଖି ନାହାନ୍ତି । କେହି ଭଲା ଉପଯାଚିକା ଏଭଳି ନାରୀରତ୍ନଟିକୁ ଏକ ରାତିର ବନ୍ଧୁରୂପେ ପାଇ ଅବହେଳା କରେ ? ବିପତ୍ନୀକ କଷ୍ଟୀ ପ୍ରୌଢ଼ବାପଟିର ମନଟିକୁ ତା’ର ଦୁର୍ବିନୀତ ବ୍ୟକ୍ତିତ୍ୱବାନ୍ ବଡ଼ପୁଅ ଦ୍ୱିତୀୟଦାରର ଅନୁରକ୍ତିବେଢ଼ ଭିତରୁ ଓଟାରି ଆଣିଲା ଭଳି ତୁମେ ମୋତେ ସେମିତି ଓଟାରି ନେଲ ଶ୍ରୀମତୀ ଛୋଟରାୟଙ୍କ ବକଳରୁ । ମୁଁ ତୁମ ପାଖେ ଏତେ ବାଧ୍ୟ କେମିତି କାହିଁକି ହୋଇଯାଏ ? କାହିଁକି ତୁମ ଇଚ୍ଛା ପାଖେ ମୁଁ ମୋତେ ଏମିତି ସଅଁପି ଦିଏ ? ବୁଢ଼ାବାପ ତା’ର ବଳିଷ୍ଠ ପୁଅ ପାଖେ ନିଜକୁ ସଅଁପି ଦେଲା ଭଳି ? ଶତ ପ୍ରତିବାଦ ଭିତରେ ଥିଲେବି କାହିଁକି ମୁଁ ତୁମ ପାଖେ ଏତେ ଦୁର୍ବଳ ହୋଇଯାଏ ? ପ୍ରତିବାଦ କରୁ କରୁ ପୁଣି ସମର୍ଥନ କରିଯାଏ ? ତୁମେ କ’ଣ ମୋର ପୁଅ କି ?

 

ଯାଃ...ସତରେ ସୁତନୁ ତୁମେ ମଧ୍ୟ ଦିନେ ଭାବ-ବିହ୍ୱଳ ହୋଇ ଏକ ଘଟଣାରେ ମୋତେ ବାପା ବୋଲି ଡାକିଦେଇଥିଲ । ମୁଁ ଜାଣେ ରାମଚନ୍ଦ୍ରଙ୍କୁ ପୁତ୍ରରୂପେ ପାଇବାକୁ ଇଚ୍ଛା କରୁଥିବା–କୃଷ୍ଣଚନ୍ଦ୍ରଙ୍କୁ ପୁତ୍ରରୂପେ କୋଳେଇବାକୁ ଲାଳସା କରୁଥିବା–ଯୀଶୁଖ୍ରୀଷ୍ଟଙ୍କର ଅଦୃଶ୍ୟ ପିତା ହେବାର ଅଭିଳାଷ-ପୋଷର କରୁଥିବା ଗୋଟାଏ ପ୍ରଚଣ୍ଡ ପୈତୃକଏଷଣା ମୋର ଅନ୍ତଃଚୈତନ୍ୟରେ ଠାଏ ଖୁବ୍ ବଳବତୀ ରହିଛି । ତୁମେ ସେହି ଏଷଣାର ସୁଯୋଗ ନେଇଯାଅ ନାହିଁ ତ ? ସତରେ କ’ଣ ତୁମ ମୋ ଭିତରେ ଏମିତି କିଛି ଗୋଟାଏ ଗୋପ୍ୟ ସମ୍ପର୍କ ସୂକ୍ଷ୍ମସ୍ତରରେ କୋଉଠି ଲୁଚିରହିଛି ? ହଁ, ରହିଥାଇପାରେ ! ତା’ ନ ହେଲେ ଆମେ ଦୁଇ ବଳିଷ୍ଠ ପୁରୁଷ ପରସ୍ପରକୁ ସାଧାରଣ ମଣିଷ ଭଳି ଈର୍ଷା କରୁନଥାନ୍ତେ ? କିନ୍ତୁ ଆମ ଭିତରେ ସାଧାରଣ ଈର୍ଷା ସିନା ନଥିଲା–କିନ୍ତୁ ଅସାଧାରଣ ଈର୍ଷା ଖୁବ୍ ବଳବତୀ ଥିଲା । ମୁଁ ଜାଣେ ତୁମ ଅଜାଣତରେ ତୁମେ ମୋତେ ଈର୍ଷା କରୁଥିଲ–ସବୁ ସୁନା ପୁଅଙ୍କ ଭଳି, ସବୁ ଯୋଗ୍ୟପୁଅଙ୍କ ଭଳି, ସବୁ ଶକ୍ତିଶାଳୀ ପୁଅଙ୍କ ଭଳି । ତୁମେ ମଧ୍ୟ ମୋତେ ଘୃଣା କରୁଥିଲ, ମୋ ଉପରେ ରାଗୁଥିଲ । ତୁମେ ମୋର ବ୍ୟକ୍ତିତ୍ୱ ଭିତରେ ଏକ ଅପରିଣତ-ଅପୂର୍ଣ୍ଣ-ଅଭୀପ୍‍ସାକୁ ଦେଖି ଭୀଷଣ ଚଟିଯାଉଥିଲ । ଅସଲ କଥା–ଆମେ ଦୁହେଁ ଏ ପୃଥିବୀଟାକୁ ନୂଆକରି ଗଢ଼ିବାକୁ ପଣ କରିଥିଲେ । ତୁମେ କହୁଥିଲ, ଏ ପୃଥିବୀରେ ବହୁ ଫୁଲ ଫୁଟେଇବା–ମୁଁ କହୁଥିଲି–ବହୁ ଫଳ ଫଳେଇବା । ତୁମେ କହୁଥିଲ, ଏ ପୃଥିବୀକୁ ଗୋଟିଏ ସଙ୍ଗୀତରେ ପରିଣତ କରିବ–ମୁଁ କହୁଥିଲି–ସବୁ ସଙ୍ଗୀତ ଯେପରି ମୂଳ ତାଳକୁ ଅନୁସରଣ କରେ ! ବେଳେ ବେଳେ ଆମେ ଅଖାଡ଼ୁଆ ଓ ନିଜ ଅଜାଣତରେ ନିଜ ମତର ବିରୋଧ କରୁଥିବା ମତମାନ ମଧ୍ୟ ପ୍ରକାଶ କରୁ । ଏଇ ଯେମିତି–ତୁମେ କୁହ–ପୃଥିବୀ ପୂର୍ଣ୍ଣ ହେଉ । ମୁଁ ସଙ୍ଗେ ସଙ୍ଗେ କହେ–ଏ ପୃଥିବୀ ଯଥେଷ୍ଟ ପୂର୍ଣ୍ଣ ଅଛି–ଏହା ଆଗ ଯଥେଷ୍ଟଭାବେ ଶୂନ୍ୟ ହେଉ । ତୁମେ କହ, ଏ ପୃଥିବୀରେ ଆଗ ବହୁ କର୍ମର ଧାରା ଫିଟୁ । ମୁଁ କହେ–ଭାବହୀନ-କର୍ମରାଶିରେ ପୃଥିବୀ କ୍ଳାନ୍ତ–ଆଗ ବହୁ ଭାବର ଧାରା ଏଠି ଫୁଟିଉଠେ । ତୁମେ କୁହ ମନ, ସଂକଳ୍ପ–ମୁଁ କହେ ଆତ୍ମା, ଅଭୀପ୍‍ସା । ସେଇଠୁ ତୁମେ ମୋ ଉପରେ ଚଟିଯାଅ-। ମୋର ଭାଷାକୁ କୁହ–ମଲା ଲୋକଙ୍କ ଭାଷା, ମୋର ଚାଲିକୁ କୁହ ପଛଆଡ଼ିଆ ଚାଲି–ମୋର ଭାବକୁ କୁହ ନିଶ୍ଚିନ୍ତ ଆଚ୍ଛନ୍ନତା–ମୋର ଚିନ୍ତାକୁ କୁହ ପ୍ରେରଣାହୀନ ମନନତା ଓ ସିଦ୍ଧାନ୍ତକୁ କୁହ ବୈରାଗୀର ନୈଷ୍କର୍ମ୍ୟ । ସୁତନୁ ! ତୁମେ ଯେପରି ଲୋକ–ତୁମ ହାତରେ ଯଦି ବଳରାମଙ୍କ ହଳମୁଷଳ ଥାନ୍ତା, ତୁମେ ଏହାକୁ ତାଡ଼ି ସାରନ୍ତଣି । ଆଉ ମୋ ହାତରେ ଯଦି ସତରେ କୃଷ୍ଣଙ୍କ ବଂଶୀ ଖଣ୍ଡକ ଥାନ୍ତା–ମୁଁ ସମସ୍ତଙ୍କୁ ସଂସାର ଛଡ଼ା କରିଦିଅନ୍ତିଣି । ତୁମେ ଚାହଁ କ୍ଷେତ୍ର ପ୍ରସ୍ତୁତ କରିବ–ମାତ୍ର ମୋର ଇଚ୍ଛା କ୍ଷେତ୍ରଜ୍ଞଙ୍କୁ ପ୍ରତିଷ୍ଠା କରାଯାଉ । ଆଶ୍ଚର୍ଯ୍ୟ କଥା ! ଆମେ ଯେ ଦୁହେଁ ଦୁହିଁଙ୍କ ପରିପୂରକ ଏକଥା ନ ବୁଛି ପରସ୍ପରକୁ ଈର୍ଷା କରୁଥିଲୁ–ଆଉ ପରସ୍ପର ଚଟି ଯାଉଥିଲୁ ଓ ପୁଣି ଏକ ମାରାତ୍ମକ ଆକର୍ଷଣରେ ବାନ୍ଧିହୋଇ ଯାଉଥିଲୁ ।

 

ସୁତନୁ ! ତୁମର ବହୁ ଶତ୍ରୁ ତୁମ ଚାରିପାଖରେ ଘେରିଥିଲେ । ସେମାନେ ମଧ୍ୟ ତୁମକୁ ସନ୍ଦେହ ଆଉ ଈର୍ଷା କରୁଥିଲେ । ସେମାନେ ବୁଝି ନ ଥିଲେ ଯେ ତୁମେ ତାଙ୍କରି ପାଇଁ ଏତେ ଧାଁ ଧଉଡ଼ ଲଗାଇଛ । ସେମାନେ ତୁମର ସମସ୍ତ କର୍ମକୁ ଅପକର୍ମ ବୋଲି ଘୋଷଣା କରୁଥିଲେ । ତୁମେ ଥରେ ଗୋଟିଏ ରେକ୍‍ସାବାଲାକୁ ବାଡ଼େଇଲ–ଗୋଟିଏ ବ୍ରାହ୍ମଣର ହାତରୁ ଶ୍ରୁବ ଶ୍ରୁବ ଛଡ଼ାଇ ସେଥିରେ ତାକୁ ପିଟି ଦେଇଗଲ, ଗୋଟାଏ ଶୁଣ୍ଢୀ ମହାଜନର ମଦଶାଳାରେ ପାଟିରେ କୁଟା କାମୁଡ଼ି ଅଖିଆ ଅପିଆ ଧର୍ମଘଟ କଲ, ଗୋଟାଏ ଚୋରାକାରବାରୀ ସଙ୍ଗେ ଧସ୍ତାଧସ୍ତି ହେଲ, ଗୋଟିଏ ସରକାରୀ ବସ୍‍ରେ କଣ୍ଡକ୍ଟର ସଙ୍ଗେ ହାତାହାତି ହୋଇଗଲ, ଗୋଟିଏ ମନ୍ତ୍ରୀର କଛା ଭିଡ଼ିଧରିଲ, ରାଗରେ ଦିନେ ଗୋଟାଏ କଲେଜ ଟୋକାର ତଣ୍ଟି ଚିପିଧରି ଚିତ୍କାର କରିଉଠିଲ–ଆଜି ତୋତେ ମାରି ତୋ ବଂଶ ଲୋପ କରିବି । କ୍ରୋଧରେ ତୁମେ ନାଲି ପଡ଼ିଯାଇଥିଲ, ଭେଁ ଭେଁ ହୋଇ କାନ୍ଦୁଥିଲ । ଆଉ ଦିନେ ଗୋଟିଏ ଅଶ୍ଳୀଳ ପାଠ୍ୟପୁସ୍ତକ ବ୍ୟବସାୟୀର ବହି ଆଲମିରା ଭାଙ୍ଗିଦେଲ-। ସବୁଠାରୁ ବଳି ଯାଇଥିଲା ଯୋଉଦିନ ମୋ ଉପରେ ରାଗିଯାଇ ତୁମେ ସର୍ବସାଧାରଣଙ୍କ ଆଗରେ ମୋ ମୁହଁକୁ କ୍ରୋଧୋନ୍ମତ୍ତ ହୋଇ ଛେପ ପକାଇ ଲାଗିଲ, ପାଞ୍ଚ ମିନିଟ କାଳ । ମୁଁ ଧୀରସ୍ଥିର ହୋଇ ତୁମର ସେ ନିଷ୍ଠୀବନ କ୍ଷେପଣକୁ ସହ୍ୟ କରୁଥିଲି । ତୁମେ ମୋତେ ନୀଚ, ଛୋଟଲୋକ୍ ବୋଲି ଭର୍ତ୍ସନା କରୁଥିଲ । ଦୁଃଖରେ ମୋର ଛାତି ଫାଟିପଡ଼ୁଥିଲା । ମୁଁ ମୋର ନୀଚତା ଜାଣିଥିଲି; ମାତ୍ର ତୁମଭଳି ଯଦି ମୁଁ ମୋ ନୀଚତା ଉପରେ ରାଗିଥାନ୍ତି, ତେବେ ମୋର ନୀଚତା ସମେତ ମୋତେ ମଧ୍ୟ ଖୁନ୍ କରିଦେଇଥାନ୍ତି । ଲୋକେ ମୋ ଆଗରେ ଆସି ଗୁହାରି କଲେ, ସୁତନୁ ମିଶ୍ର ଗୋଟାଏ ବ୍ରହ୍ମଦୈତ୍ୟ । ତାକୁ ଛାଡ଼ିଦିଅ । ଆମେ ତାକୁ ସାବାଡ଼ କରିଦେବୁ । ସେଇଟା ଗୋଟାଏ ମହାଦୁର୍ଜନ, ପାପୀ ।

 

ମୁଁ ଲୋକମାନଙ୍କ କଥା ଶୁଣି ତାତି ଉଠିଲି । ମୁଁ ମଧ୍ୟ କ୍ରୋଧରେ ଉନ୍ମତ୍ତ ହୋଇ କହିଲି, ଭାଗ୍‍ଯାଓ ଶାଲେ, ଚୋର, ଡକାୟତ, ଛୋଟଲୋକ୍ ସବୁ ! ସୁତନୁକୁ ତୁମ୍ଭେମାନେ ଚିହ୍ନି ନାହିଁ । ତା’ ଦେହରେ ପାପ ରହିପାରିବ ନାହିଁ । ତା’ ଭିତରେ ନିଆଁ ଜଳୁଛି, ଯଜ୍ଞର ନିଆଁ । ସବୁ ପାପ ସେଠି ପୋଡ଼ିଯିବ । ତା’ ଦେହରେ କୋଉଠି କୁଜା ନାହିଁ, ବାଙ୍କ ନାହିଁ, ପାପସବୁ ସିଧା ଗଳିପଡ଼ିବ । ଅଟକିବ ନାହିଁ କେଉଁଠି । ସେ ପାପ ବା ପୁଣ୍ୟ କିଛି ଧରିରଖିବାକୁ ଚାହେଁନା ତୁମ୍ଭମାନଙ୍କ ଭଳି, ତୁମମାନଙ୍କ ସଦୃଶ ଛୋଟ ଲୋକଙ୍କ ଭଳି । ସେ କାହାକୁ ମାରେନା, ନିଜକୁ ଇ ମାରେ । ସେ କାହା ମୁହଁରେ ଛେପ ପକାଏନା । ନିଜ ମୁହଁରେ ନିଜେ ଛେପ ପକାଏ । ଏତେ ତା’ର ରାଗ । ତୁମେମାନେ କେହି ରାଗିପାର ନାହିଁ । ସେ କହେ ସେ ପୃଥିବୀକୁ ସାଧିବ । ସେ ଏଥିପାଇଁ ଜୀବନପଣ କରିଛି । ତୁମେମାନେ ଭଲା ଏଭଳି ପଣ ନେଇଛ ? ନେଇ ନାହଁ । ତାହାହେଲେ ପଣ ନେବାବାଲାଙ୍କ ଉପରେ ତୁମର କୌଣସି ମନ୍ତବ୍ୟ ଖଟିବ ନାହିଁ । ସାବଧାନ ! ଲୋକେ ମୋ କଥା ଶୁଣି ପ୍ରଥମେ ହଡ଼ବଡ଼େଇ ଯାନ୍ତି, ତା’ପରେ ମୋତେ ଥଟ୍ଟା କରନ୍ତି, କହନ୍ତି, ଏ ଶଳା ତା’ ତହୁଁ ବଳି ବ୍ରହ୍ମଦୈତ୍ୟ, ଭଲ କହିଲେ ଶଲ ବୁଝୁଛି ।

 

ମାତ୍ର ୟା’ମାନେ ନୁହେଁ ଯେ ମୁଁ ତୁମକୁ ଈର୍ଷା କରେ ନାହିଁ । ତୁମର ରାଗର କାରଣ ବୁଝିଛି ବୋଲି ଯେ ତୁମରି ରାଗକୁ କ୍ଷମା କରେ, ୟା ଜମା ନୁହେଁ; ବରଂ ମୋର ଆଶଙ୍କା ହୁଏ, ତୁମର ପୂର୍ବପୁରୁଷଙ୍କ ଭଳି ତୁମେ ମଧ୍ୟ ଖୁବ୍ ଶୀଘ୍ର ବ୍ୟର୍ଥ ହୋଇପଡ଼ିବ । ତୁମେ ଭାବିନେଇଥିଲ ଯେ ତୁମର ପୂର୍ବପୁରୁଷମାନେ ଖୁବ୍ ବୋକା, ତୁମେ ଭାରି ଚଲାଖ, ତୁମେ ଭାରି ବିପ୍ଳବୀ । ମନୁଷ୍ୟର ସମସ୍ୟା ତୁମେ ଭାରି ବୁଝିଛ । ତୁଚ୍ଛା କଥା ! ତୁମର ଏ ଗର୍ବକୁ ମୁଁ ସହ୍ୟ କରିପାରେ ନାହିଁ । ଗୋଟାଏ ଅନ୍ଧ ଏକବାଗିଆ ଅଜ୍ଞାନ ଗର୍ବ, ଅହମିକା । ଅତୀତକୁ ଛୋଟ ନ କଲେ ତୁମର ଦୁଃସାହସ ବଢ଼ିପାରେ ନାହିଁ । ନୁହେଁ ? ମୁଁ ମାନୁଛି, ଆମ ପୂର୍ବପୁରୁଷମାନେ ଚିତ୍କାର ଛାଡ଼ିଥିଲେ–ସଂ ଗଚ୍ଛଧ୍ୱଂ, ସଂବଦଧ୍ୱଂ–

 

ସମସ୍ତେ ଏକାଠି ଚାଲ, ସମସ୍ତେ ଏକାଠି କଥା କହ–

 

ମାତ୍ର ସେମାନେ ସମସ୍ତେ ଏକୁଟିଆ ଚାଲିଲେ ପରସ୍ପରକୁ ପେଲିପାଲି, ସମସ୍ତେ ଏକୁଟିଆ କହିଲେ ପରସ୍ପରର ପାଟି ଜବରଦସ୍ତୀ ବନ୍ଦ କରିଦେଇ ।

 

ତୁମର ମନେ ଅଛି ? କେତେ ବସନ୍ତ ଋତୁର ଶୀତଳ ଜହ୍ନରାତିରେ ତୁମ ବଗିଚାରେ ବସି ସରବତ ଖାଇଲାବେଳେ କିମ୍ୱା ଘୋର ବର୍ଷାମଧ୍ୟାହ୍ନରେ ତୁମ ବାରଣ୍ଡାରେ ବସି କଫି ପିଇଲାବେଳେ କେତେଥର ତୁମେ ମାତୃକୁଳରେ, ତୁମ ଅଜା ଓ ତାଙ୍କ ଭାଇମାନଙ୍କ କଥା ଗପିଛ ? ସେମାନେ ଖୁବ୍ ନୈଷ୍ଠିକ ଆଉ ବିଜ୍ଞ ବ୍ରାହ୍ମଣ ଥିଲେ । ତୁମ ଅଜାଙ୍କର ଶ୍ୱେତଶ୍ମଶ୍ରୁ, ଉନ୍ନତ ନାସା ଓ ଚନ୍ଦନଚର୍ଚ୍ଚିତ ଅଗ୍ନିବର୍ଣ୍ଣର ଦେହ ବର୍ଣ୍ଣନା ତୁମ ତୁଣ୍ଡରୁ ଶୁଣି ଶୁଣି ତାହା ମୋର ଚିତ୍ତରେ ଲାଖିରହିଛି । ବେଦବେଦାନ୍ତ, ଉପନିଷଦ, ଗୀତା, ନ୍ୟାୟ, ମୀମାଂସା ଓ ସାଂଖ୍ୟାଦି ଦର୍ଶନରେ ତୁମର ଅଜା ଓ ତାଙ୍କର ଭାଇମାନେ ଥିଲେ ଜଣେ ଜଣେ ଦିଗ୍‍ଗଜ । ସେମାନେ ପ୍ରଚୁର ଭୋଜନ କରୁଥିଲେ । ପ୍ରଚୁର ଘୃତ ଅଗ୍ନିଦେବଙ୍କୁ ସ୍ୱାହା କରୁଥିଲେ । ପ୍ରଚୁର ଦୁଗ୍ଧ ଓ ସୋମପାୟୀ ଥିଲେ ସେମାନେ । ସେମାନଙ୍କ ପାଟିରେ କେବଳ ଶବ୍ଦ ଓ ଅର୍ଥମାନଙ୍କର କୋଳାହଳ । ଯଜ୍ଞରେ ସେମାନେ ଜୀବନଧାରଣ କରୁଥିଲେ । କୁମ୍ଭକ ଓ ରେଚକଦ୍ୱାରା ପ୍ରାଣ ଉପରେ ନିୟନ୍ତ୍ରଣ ରଖିଥିଲେ; କିନ୍ତୁ ବେଳେ ବେଳେ କ’ଣ ସେମାନଙ୍କର ହୁଏ କେଜାଣି ? କେଜାଣି ? କାହାକୁ ସେମାନେ ହାବୁଡ଼ନ୍ତି କେଜାଣି ? ବ୍ରହ୍ମକୁ ନା ବ୍ରହ୍ମଦୈତ୍ୟକୁ ? କିଏ ସେମାନଙ୍କ ମୁଣ୍ଡରେ ପଶିଯାଏ କେଜାଣି ? ଦେବ ନା ଦୈତ୍ୟ ? ସେମାନେ ଏକତ୍ର ଭୋଜନରେ ବସନ୍ତି । କିନ୍ତୁ ହଠାତ ଦିନେ ଦିନେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଏ ଖଣ୍ଡପ୍ରଳୟ । ଖାଇବାଥାଳିମାନ ଅନ୍ତରୀକ୍ଷରେ ଗୁଡ଼ିଭଳି ଉଡ଼ି ମୁହୂର୍ତ୍ତକେ ତଳେ ଛିଣ୍ଡିପଡ଼ନ୍ତି ଝମ୍‍ଝମ୍ ହୋଇ । କଂସାମାନ କଂସାରେ ଝଣ୍‍ଝଣ୍ ବାଜେ ସାଞ୍ଜୁ ଦେହରେ ସାଞ୍ଜୁ ବାଜିଲାଭଳି । କାଦୁଆ ଘୃତାକ୍ତ ଖେଚୁଡ଼ି ଆଉ ହରଡ଼ ଡାଲି ସବୁ କାନ୍ଥଯାକ ଛାଟି ହୋଇଯାଏ । ଘରର ଆସବାବପତ୍ରମାନ ଭୌତିକକାଣ୍ଡଗ୍ରସ୍ତ ହୋଇ ଉଠନ୍ତି ପଡ଼ନ୍ତି । ଗାଁରେ ହାଲହୋଳି ପଡ଼ିଯାଏ ।

 

କାହିଁକି ସେମାନେ ଏମିତି ହୁଅନ୍ତି ? ବ୍ରହ୍ମ ଏକ ବା ଦୁଇ । –କିମ୍ୱା ଈଶାବାସ୍ୟ ମିଦଂ ଜଗତର ଅର୍ଥ, ଏହି ଜଗତରେ ବ୍ରହ୍ମ ବସ୍ତ୍ର ସ୍ୱରୂପ ନା ଆସ୍ଥାନ ସ୍ୱରୂପ-ଏହି ମତଦ୍ୱୈଧରେ ଏତେ କାଣ୍ଡ କାହିଁକି ଘଟିଯାଏ ? ରାମ ଲକ୍ଷ୍ମଣଙ୍କ ପରି ଭାଇମାନେ ହଠାତ ବାଳୀ ସୁଗ୍ରୀବ ପାଲଟି ଯାନ୍ତି କିପରି ଓ କାହିଁକି ? ‘‘ମାଙ୍କଡ଼-ମାଙ୍କଡ଼’’ । ଆମେ ଦୁହେଁ କଥା ଶେଷରେ ଏକାସ୍ୱରରେ ଚିତ୍କାର କରି ଉଠୁ ‘‘ମାଙ୍କଡ଼-ମାଙ୍କଡ଼ ।’’

 

ପୂର୍ବପୁରୁଷଙ୍କର ଏହି ଢଙ୍ଗ ବର୍ଣ୍ଣନା କଲାବେଳେ ତୁମେ ପ୍ରଥମରୁ ହସୁଥାଅ, ତା’ପରେ ହଠାତ ବିମର୍ଷ ହୋଇଯାଅ, ତା’ପରେ ପୁଣି ରାଗିଉଠ, ଆଉ ‘‘ମାଙ୍କଡ଼-ମାଙ୍କଡ଼’’ ବୋଲି ଚିତ୍କାର କରିଉଠ । ମୁଁ ମଧ୍ୟ ଗୋଟାଏ ବିମୂଢ଼ କ୍ରୁଦ୍ଧ ଉତ୍ତେଜନାରେ ଅର୍ଦ୍ଧଚେତନ ଅବସ୍ଥାରେ ରହି ତୁମ ସାଙ୍ଗେ ପାଳି ଦିଏ ଓ ଆମେ ଦୁହେଁ ଘର ଚାରିପଟ ବୁଲୁ ଉନ୍ମାଦଙ୍କ ଭଳି ମାଙ୍କଡ଼ ଅନ୍ୱେଷଣରେ । ମାଙ୍କଡ଼କୁ ଧରି ମାରିବୁ ବୋଲି । ତୁମେ କହୁଥାଅ-ମାଙ୍କଡ଼ ମାଙ୍କଡ଼–ମୁଁ ପାଟିକରୁଥାଏ ଚାରିଆଡ଼େ ନିଘାରଖି ଖୋଜି ଖୋଜିକା । କାଇଁ ? କାଇଁ ? ହେଇ-ହେଇ । ମାର ମାର, ଗଲା ଗଲା...। ସତେ କି ଆମେ ବାଳୀ ଆଉ ସୁଗ୍ରୀବ ଦୁଇଟା ମାଙ୍କଡ଼କୁ ଖୋଜି ବୁଲୁଥିଲୁ, ହାବୁଡ଼େ ପଡ଼ିଲେ ଦୁହିଁଙ୍କୁ ମାରିଦେବୁ...

 

ତା’ପରେ ଆମ୍ଭେମାନେ ପୁଣି ପ୍ରକୃତିସ୍ଥ ହେଉ । ତୁମେ କୁହ–ଥଣ୍ଡାମଥାରେ ଯେ ଏହାର କାରଣ ତୁମେ ଜାଣିସାରିଛ । ମୁଁ ପଚାରେ–କ’ଣ ତା’ର କାରଣ ? ତୁମେ କୁହ– କ୍ରୋଧ ଏକ ଘୋର ବିମୂଢ଼ ରକ୍ତମୟ କ୍ରୋଧ–ବିଚ୍ଛିନ୍ନ ଶ୍ଳାଘାମୟ ଘୋର ଏକ ତାମସ ଅହଂକାର ଅପ୍ରେମରାଜ୍ୟରୁ ଛୁଟିଆସି ସେମାନଙ୍କୁ ଅଧିକାର କରିଯାଉଥିଲା ଓ ସବୁ ଯଜ୍ଞକୁଣ୍ଡର ପବିତ୍ର ଅଗ୍ନିକୁ ଅମେଧ୍ୟ ବସ୍ତୁ ନିକ୍ଷେପଣରେ ଲିଭାଇ ଦେଉଥିଲା ।

 

ମୁଁ ତୁମ କଥା ବୁଝିପାରେ । ଏତେବେଳେ ତୁମେ ମୋତେ ଭାରି ସୁନ୍ଦର ଦେଖାଯାଅ । ମୁଁ ତୁମ ହାତ ଧରିପକାଏ ଓ ତୁମ ଆଖିକୁ ବାତ୍ସଲ୍ୟ-ରସରେ ଚାହିଁରହି କହେ–ସତକଥା ସୁତନୁ ! ମଣିଷମାନେ ମିଳିମିଶି ପ୍ରେମ ତିଆରି କରନ୍ତି । ପ୍ରେମରୁ ଜ୍ଞାନ ଉପୁଜାତ ହୁଏ ଓ ଜ୍ଞାନରୁ କର୍ମ ମେଲେ । ପୁଣି ମଣିଷମାନେ ବିଚ୍ଛିନ୍ନ ହୋଇଯାନ୍ତି–ଜଣଜଣିକିଆ ହୋଇ ଅପ୍ରେମ ଗଢ଼ନ୍ତି । ଅପ୍ରେମରୁ ଅଜ୍ଞାନ ଓ ଅଜ୍ଞାନରୁ ଅକର୍ମମାନ ବାହାରି ଆସନ୍ତି । ସବୁ ଗଢ଼ା ଇମାରତ୍‍କୁ ଗୋଟିକିଆ କଳାପାହାଡ଼ମାନେ ଇ ଭାଙ୍ଗି ପକାନ୍ତି ।

 

ସୁତନୁ ! ତୁମର ଦୋଷ–ତୁମେ ସବୁ ଦୋଷ ଅତୀତ ଉପରେ ଲଦିଦିଅ । କାହିଁକି ତୁମେ ଅତୀତ ଉପରେ ରାଗ ? ସେଇଠୁ ତୁମର ସବୁ ଘୃଣା ଓ କ୍ରୋଧର ପ୍ରତୀକରୂପେ ମୁଁଇ ତୁମ ଆଖିଆଗରେ ପଡ଼ିଯାଏ । ତୁମେ ମୋରି ଉପରେ ଝଡ଼ାଇ ହୁଅ । ତୁମେ କ’ଣ ଜାଣନା ଯେ ମଣିଷ ଜନ୍ମ ହେଲାଠୁଁ ଏହି ଅହଂକାରର ନାଗପାଶରୁ ମୁକୁଳିବା ଲାଗି ସଂଗ୍ରାମ କରି ଚାଲିଛି । ଅତୀତର ସବୁ ମରିଯାଏ, ମାତ୍ର ଏହି ସଂଗ୍ରାମର ବୀଜ ମରେ ନାହିଁ, ତା’ର ଆତ୍ମା ଭିତରେ ଲାଖିରହି ତା’ର ଉତ୍ତରାଧିକାରୀ ଆତ୍ମୀୟମାନଙ୍କ ରକ୍ତଭିତରକୁ ପଶିଯାଏ ଏବଂ ସେମାନଙ୍କୁ ମତାଏ । ମଣିଷ ସଂଗ୍ରାମ କରୁଛି, ସେହି ସଂଗ୍ରାମ ଯୋଗୁଁ ସେ ପୁଣି କ୍ରୁଦ୍ଧ ହୋଇଉଠୁଛି ନିଜ ଉପରେ, ସମସ୍ତଙ୍କ ଉପରେ । କ୍ରୋଧକୁ କ୍ରୋଧଦ୍ୱାରା କିପରି ଦୂର କରାଯାଇପାରେ ? ଅପ୍ରେମକୁ ଅପ୍ରେମଦ୍ୱାରା କିପରି ବଶୀଭୂତ କରାଯାଇ ପାରେ ? ଏ ଗୋଟାଏ ବିଷଚକ୍ର ।

 

ସେଥିପାଇଁ ତ ତୁମେ କ୍ରୁଦ୍ଧଚିତ୍ତରେ ଆଗକୁ ଏକୁଟିଆ ଦଉଡ଼ିଗଲାବେଳେ ମୁଁ ପଛରୁ ପାଟିକରି ଉଠେ, ହେ ହୁଣ୍ଡା ! ହେ ମନୁଆ ! ରହ ରହ, ସବୁକୁ ଧରିକରି ଚାଲ, ସବୁକିଛିକୁ ବୁଝିକରି ଚାଲ । ଗତି ପଛେ ତୁମର ମନ୍ଥର ହେଉ; ମାତ୍ର ଏକୁଟିଆ ସେମିତି ଅନ୍ଧଭାବେ ଛୁଟି ଯାଅନା । ବିପଦ ଅଛି, ବାଇଆ କୁକୁର ଅଛି । ତୁମେ କହ, ତୁମେ ଗତି ଚାହଁ, କାର୍‍ରେ ଯିବ । ମୁଁ କହେ, ଗତି ପଛେ ସାମାନ୍ୟ ମନ୍ଥର ହେଉ; କିନ୍ତୁ ବସ୍‍ରେ ଯାଅ । ସମସ୍ତଙ୍କୁ ଧରିକରି ଚାଲ । ତୁମେ ଚଟିଉଠି ମୋତେ ଧକ୍‍କା ମାର । ତୁମର ସନ୍ଦେହ ଯେ ମୁଁ ଗତି ଚାହେଁନା, ମୁଁ ତୁମକୁ ବୋଧହୁଏ ଈର୍ଷାରେ ପଛକୁ ଘୋଷାଡ଼ୁଛି, ଯୋଉଠି କୁଢ଼ କୁଢ଼ ହାଡ଼, ଭଙ୍ଗା ମାଠିଆ, ହାଣ୍ଡି ଖପରା, ଶିକା, କୁଲା, ଛାଞ୍ଚୁଣି ଆଉ କରୋଟିମାନ ପଡ଼ିଛି କିମ୍ୱା ସେଇସବୁ ଜାଗାକୁ ମୁଁ ତୁମଙ୍କୁ ଘୋଷାଡ଼ୁଛି, ଯୋଉଠି ହାତଭଙ୍ଗା ଓ ବେକଭଙ୍ଗା ମୂର୍ତ୍ତିମାନ ଚିତ୍‍ହୋଇ ପଡ଼ିଛନ୍ତି । ପାରା ଗୁହ ଓ ଚେମେଣିଆ ଗୁହ ଭର୍ତ୍ତି ଶିଉଳିଲଗା ଧସାଧସି ମୁଖୁଶିଆଳିର ଭଙ୍ଗା ପଥରକୁଦ ଉପରକୁ ମୁଁ ତୁମକୁ ଟାଣୁଛି ।

 

ସୁତନୁ ! ଏ ସନ୍ଦେହ ତୁମର ମିଥ୍ୟା । ତୁମେ ଅହଂକାର ଉପରେ ଚଟୁଥିଲ; ମାତ୍ର ସ୍ୱୟଂ ଅହଂକାରୀର ମତାନ୍ଧତା ଓ ଅସହିଷ୍ଣୁତା ନେଇ । ତୁମେ କ୍ରୋଧ ଓ ଈର୍ଷା ଉପରେ ଚଟୁଥିଲ, ସ୍ୱୟଂକ୍ରୁଦ୍ଧ ଓ ଈର୍ଷାଳୁ ହୋଇ । ଆଉ ଆମେ ଦୁହେଁ ଦୁହିଁଙ୍କ ଉପରେ ଚଟୁଥିଲେ, ସେଇ ଗୋଟାଏ କାରଣରୁ । ତୁମେ ରାଗିଯାଇ ଦୁଇ ହାତକୁ ବାଡ଼ି ବୁଲାଇବା ଢଙ୍ଗରେ ବୁଲାଇ ବୁଲାଇ–ପାଟିକରି ଗଗନ-ପବନ କମ୍ପାଉଥିଲ–

 

‘‘ଅନ୍ଧାର ଭିତରୁ ମୁଁ ଜନ୍ମିଛି; ଅନ୍ଧାର ଅନ୍ଧାର; ଘମାଘୋଟ ଅନ୍ଧାର ମୋତେ ଆବୃତ କରି ରଖିଛି–ଆଉ ମୋ ପିଛା ଧରିଛି । ତାହା ମତେ ଆଲୁଅକୁ ଛାଡ଼ିଦେବ ନାହିଁ ।’’ । ସେଇଠୁ ତୁମେ ସେ ଅନ୍ଧାର ଭିତରେ ଉନ୍ମତ୍ତ ହୋଇଯାଅ, ଆଉ ସେହି ଅନ୍ଧାରକୁ ଦେଖ, ମୋ ଭିତରେ–ତୁମର ସେହି ସୁନ୍ଦରିଆ, କଅଁଳିଆ ଝିଅ ତିନୋଟିଙ୍କ ଭିତରେ–ତୁମର ସେହି ଅର୍ଦ୍ଧଉନ୍ମାଦ ଭାଇମାନଙ୍କ ଭିତରେ–ପୁଣି ତୁମର ସେହି ମଧୁରିଆ ପତ୍ନୀଙ୍କ ଭିତରେ ଯାହାଙ୍କୁ ତୁମର ପିଲାମାନଙ୍କ ସଙ୍ଗେ ମୁଁ ଗେହ୍ଲାପଣରେ ‘‘ମମୀ’’ ବୋଲି ସମ୍ୱୋଧନ କରେ ଓ ସର-ଲବଣୀ ମାଗେ । ତା’ପରେ ତୁମେ ତୁମ ଘରେ ସମସ୍ତଙ୍କ ସାଙ୍ଗେ ଝଗଡ଼ା କରି ବସ, ସମସ୍ତଙ୍କୁ ଲହୁ ଲୁହାଣ କରି ପକାଅ–ଓ ନିଜେ ମଧ୍ୟ ଲହୁ ଲୁହାଣ ହୋଇଯାଅ । ଘଡ଼ିକ ଭିତରେ ତୁମର ଯଜ୍ଞ-ବିଧୃତ ପରିବାରଟିର ସମସ୍ତ ଅଗ୍ନି ତୁମର ଅମେଧ୍ୟ କ୍ଷେପଣରେ ଲିଭିଯାଏ–ଧୂଆଁ ଉଠେ । ଚାରିଆଡ଼େ ଧୂଆଁମୟ ଦିଶେ । ଅନ୍ତରୀକ୍ଷରୁ ତୁମରି କଣ୍ଠର ପ୍ରତିଧ୍ୱନି ଖତେଇ ହେଲାଭଳି ଶୁଭେ–ମାଙ୍କଡ଼, ମାଙ୍କଡ଼, ମାଙ୍କଡ଼ । ସେଇଠୁ ତୁମେ ସମାଜ ଉପରେ କ୍ରୁଦ୍ଧ ହୋଇଉଠ । ଘର ପୋଡ଼ିସାରି ଗ୍ରାମ ପୋଡ଼ିବାକୁ ବାହାରିଯାଅ । ନିଜ ଲାଙ୍ଗୁଳର ନିଆଁରେ ସ୍ୱର୍ଣ୍ଣପୁରୀ ଭସ୍ମ ହୋଇଯାଏ । ତା’ପରେ ତୁମେ ନିଜକୁ ଛିନ୍ନଭିନ୍ନ କରି ଆମ୍ପୁଡ଼ି ପକାଅ, ଲହୁ ଲୁହାଣ ହୋଇଯାଅ–କାନ୍ଥରୁ ଇଟାମାନ ଖସି ଗଗନେ ଉଡ଼ନ୍ତି ।

 

ସେଇଠୁ ଆସେ ମୋ ପାଳି । ମୋ ମୁଣ୍ଡକୁ ମଧ୍ୟ ପିତ୍ତ ଉଠେ । ମୁଁ ଗୋଟେ ଛାଟ ଧରି ତୁମକୁ ଗୋଡ଼ାଏ, ପିଟି ମାରି ସାବାଡ଼ କରିବି ବୋଲି–; କାରଣ ମୁଁ ଭାବେ ମୋର ଭବିଷ୍ୟତ୍ ଅନ୍ଧାର ହୋଇଗଲା । ସେଇଠୁ ମୁଁ ବି ସେ ଅନ୍ଧାରକୁ ତୁମ ଭିତରେ ଦେଖେ । ଦେଖି କ୍ଷେପି ଉଠେ । ସେଇଠୁ ଆମେ ଦୁହେଁ ପିଟାପିଟି ହେଉ । ତୁମେ ଅତୀତକୁ ପିଟିଲାଗ, ମୁଁ ପିଟି ଚାଲେ ଭବିଷ୍ୟତ୍‍କୁ-। ତୁମର ସେହି ଚିଲା ଚିଲା ଜଳନ୍ତ ଫସଫରସ୍‍ର ଆଖି ଦୁଇଟା, ଯାହାକୁ ଦେଖି ମୁଁ ବଶୀଭୂତ ହୋଇଯାଇଥିଲି, ଆଶାନ୍ୱିତ ହୋଇଯାଇଥିଲି, ଯୋଉ ଆଖି ଦୁଇଟା ମୋର ଆଗେ ଆଗେ ମୋର ଇଷ୍ଟପୁରୁଷଙ୍କ ଦିହୁଡ଼ି ଭଳି ଜଳୁଥାଏ, ଆଉ ଦଉଡ଼ୁଥାଏ, ସେ ଆଖି ଦୁଇଟାକୁ ସବୁ ଦୀପ୍ତି ଲିଭିଯାଇଥିବାର ଦେଖି ତା’ ଉପରେ ଧୂଆଁ ସଞ୍ଚରି ଯାଉଥିବା ଦେଖି ମୁଁ ନିରାଶରେ ଆହୁରି କ୍ରୁଦ୍ଧ ହୋଇଉଠେ । ସୁତନୁ ! ଆମେ ଉଭୟେ ନିରାଶ ହେଉ, ଆମେ ଉଭୟେ ଉତ୍‍କ୍ଷିପ୍ତ ହେଉ ଓ ଉଭୟେ ପୁଣି ନୀରବ ହୋଇ ଆଖିବୁଜି ବସୁ ତୁମ ବଗିଚାରେ ସେହି କୃଷ୍ଣଚୂଡ଼ା ଗଛ ତଳେ । ତୁମେ ଅତୀତକୁ ଆଖି ବୁଜିଦିଅ, ମୁଁ ଆଖି ବୁଜେ ଭବିଷ୍ୟତ୍‍କୁ ।

 

ସୁତନୁ ! ଏସବୁ ବ୍ୟାପାର ନିଶ୍ଚିତଭାବେ ଆମର ସଂସାରଛଡ଼ା ପାଗଳାମି; ମାତ୍ର ଏ ପାଗଳାମି କେଡ଼େ ବିଚିତ୍ର ଆଉ କେଡ଼େ ମହତ୍ କଥାର ସୂଚନା ଓ ପ୍ରେରଣା ଆମକୁ ଦେଉ ନଥିଲା-! ଏହି ଆପାତପାଗଳାମି ଭିତରେ ଆମେ କିନ୍ତୁ ନିଶ୍ଚିନ୍ତଭାବେ ଗୋଟାଏ ସତ୍ୟ ଏ ପୃଥିବୀରେ ପ୍ରତିଷ୍ଠା କରିବାକୁ ଚାହୁଁ ଥିଲୁ ଯେ, ଏ ପୃଥିବୀ ପ୍ରେମରୁ ଜାତ ହୋଇଛି ଓ ପରମ ପ୍ରେମ ଆଡ଼କୁ ଏହାର ଗତି । ଏହା ସୃଷ୍ଟି ହୋଇଛି ସହଯୋଗିତାରୁ, ମିଳନରୁ । ମଝିରେ ଅହଂକାରର ବିଚ୍ଛିନ୍ନତା ଏହାକୁ ଏପରି ନିଷ୍ଠୁର ପ୍ରତିଦ୍ୱନ୍ଦ୍ୱିତାମୟ କରିଦେଇଛି । ଆମକୁ ଆଗ ଆମ ମଝିରୁ ଏହି ବିରୋଧି ଶକ୍ତି, ହିଂସାମୟ ଅହଙ୍କାରକୁ ହଟାଇବାକୁ ପଡ଼ିବ । ଯେକୌଣସି ମୂଲ୍ୟ ଦେଇ ହଟାଇବାକୁ ପଡ଼ିବ-। ଏହି ଅହଂକାର ଇ ବାପକୁ ପୁଅଠାରୁ, ସ୍ୱାମୀକୁ ସ୍ତ୍ରୀଠାରୁ, ବନ୍ଧୁକୁ ବନ୍ଧୁଠାରୁ, ଦେଶକୁ ଦେଶଠାରୁ ପୃଥକ୍ କରି ରଖିଛି । ଅପ୍ରେମର ଦୁଃଖରେ ଯନ୍ତ୍ରଣାକାତର କରି ରଖିଛି । ଏହି ପ୍ରେମ ଆଗ ତୁମ-ମୋ ଭିତରେ ପୂର୍ଣ୍ଣ ପ୍ରତିଷ୍ଠା ପାଉ, ପ୍ରତିଷ୍ଠା ପାଉ ବାପ-ପୁଅଙ୍କ ଭିତରେ, ଦୁଇ ବନ୍ଧୁଙ୍କ ଭିତରେ । ଦୁଇ ଭାଇ ଭିତରେ । ଏକ ମୁଦ୍ରାର ଦୁଇ ବିପରୀତ ପାର୍ଶ୍ୱ ଭିତରେ । ସତେକି ଆମରି ଭିତରେ ଥରେ ଏ ସତ୍ୟ ପ୍ରତିଷ୍ଠିତ ହୋଇଗଲେ, ଅତଃପର ଏହା ପୃଥ୍ୱୀରେ ସ୍ୱୟଂ-ପ୍ରତିଷ୍ଠ ହୋଇଯିବ । ତୁମେ ଚାହଁ ଅତୀତ ଏହି ସାଧନାର ପ୍ରେରଣା ଦେଉ, ମୁଁ ଚାହେଁ ଭବିଷ୍ୟତ୍ ଏହି ସିଦ୍ଧିର ପ୍ରତିଶ୍ରୁତି ଦେଉ । ନିଜକୁ ଅପରପାଖେ ପ୍ରେମମୟ କରି ଗଢ଼ିବା ଲାଗି ଆମର ଯାବତୀୟ ଗଡ଼ାଗଡ଼ି, ଭିଡ଼ାଭିଡ଼ି ଓ ତଡ଼ାତଡ଼ି । ପୁଣି ମୁଁ ଚାହେଁ, ତୁମେ ଯେପରି ଏ ପ୍ରେମର ଫଳସ୍ୱରୂପ ମୋ ହାତରେ ଧରାପଡ଼ । ତୁମେ ଚାହଁ, ମୁଁ ଯେମିତି ଏ ପ୍ରେମର ମୂଳସ୍ୱରୂପ ହୋଇ ତୁମକୁ ଧରି ରଖେ । ଏଇଆ ନା ?

 

ସୁତନୁ ! ଆମେ ଏଥିପାଇଁ କେତେ ଜ୍ୱାଳା ନ ସହିଛେ ? ଏଇ ଅସାଧ୍ୟକୁ ସାଧ୍ୟ କରିବାପାଇଁ କେତେ କ୍ଷତ ବିକ୍ଷତ ନ ହୋଇଛେ ? ଆମ ଦୁହିଁଙ୍କ ଭିତରେ ଗୋଟାଏ ପୃଥିବୀର ପ୍ରେମ ପ୍ରତିଷ୍ଠା ହେବ । ଆମ ଦୁହିଁଙ୍କ ଭିତରୁ ଗୋଟାଏ ପୃଥିବୀର ହିଂସା ଦୂରୀଭୂତହେବ । ଆଚ୍ଛା ! ଏ କି ରହସ୍ୟାତ୍ମକ ବ୍ୟାପାର କହ ତ ! କିଏ ଆମକୁ ଏ କାର୍ଯ୍ୟରେ ଲଗାଇଛି ସୁତନୁ ? ଭଗବାନ୍-? ମୋ ପାଟିରୁ ଏ ଶବ୍ଦ ବାହାରିଲାମାତ୍ରେ ତୁମେ ଉତ୍ତ୍ୟକ୍ତ ହୋଇ ଉଠ । ତୁମେ ମୋ ପାଟି ପାଖରେ ଆଙ୍ଗୁଠି ଦେଖାଇ କହ–‘ଦେଖ, ସେ ନାମ ମୋ ଆଗେ କହନା !’ ମୁଁ କହେ, ‘ତା’ହେଲେ ଏକ ସମ୍ମିଳିତ ମାନନୀୟ ଇଚ୍ଛା-ଶକ୍ତିର ଅଦୃଷ୍ଟ ଅଶ୍ରୁତ ପ୍ରେରଣା ?’ ତୁମେ ଜୋର୍ ଦେଇ କହ–‘ନା, ନା, ନା ।’ ଜଣେ, ଜଣେ–ଜଣେ ମଣିଷର ତପଶକ୍ତି ବା ବ୍ୟକ୍ତିବାଦୀର ଦୃଢ଼ସଂକଳ୍ପ-। ଜଣେ ଜଣେ ଦୁଃସାହସୀ ସଂଗ୍ରାମୀ ବିଦ୍ରୋହୀ ବୀରପୁରୁଷର ପ୍ରଜ୍ୱଳନ ଇଚ୍ଛାଶକ୍ତି । ଜଣେ ଜଣେ ରାମର, କୃଷ୍ଣର, ବୁଦ୍ଧର, ଚୈତନ୍ୟର, ବିବେକାନନ୍ଦର, ମାର୍କସର, ରସେଲର, ଗାନ୍ଧିର, ଅରବିନ୍ଦର । ମଣିଷ-ସମ୍ମିଳନୀ ଗୋଟାଏ ଅଚେତନ ପରିଣାମ-ଭୋଗକାମୀ ନିଶ୍ଚିନ୍ତ ଦାୟିତ୍ୱହୀନ, ପ୍ରେମହୀନ ପଶୁମାନଙ୍କର ସମ୍ମିଳନୀ । ଜଣେ, ଜଣେ, ଆଉ ସେ ଜଣକ ଏହି ଉପସ୍ଥିତ କ୍ଷେତ୍ରରେ ମୁଁ, ମୁଁ, ମୁଁ ।

 

ସୁତନୁ ! ମୁଁ ତୁମର ଏହି ଗର୍ବ ଆଉ ଔଦ୍ଧତ୍ୟକୁ ସହିପାରେନା; ମାତ୍ର ତୁମେ ଯେତେବେଳେ କୁହ–‘‘ଦେଖ ମୁଁ ଅଟେ ନାରାୟଣ, ସେବରେ ମୋହର ଚରଣ । ... ମୁଁ ଆଜି ରଖିବି ଗୋକୁଳ, କି କରିପାରେ ଇନ୍ଦ୍ର ଛାର ?’’...ସେତେବେଳେ ତୁମର ଏହି କଥାଟି ମୋ ହୃଦୟ-ମେରୁରେ ବର୍ଷା ଭଳି ଝରିପଡ଼େ, ଶୀତଳାଇ ଦେଇ ଉଷୁମ କରିଦିଏ । ମୋ ହୃଦକ୍ଷେତ୍ର ପାଗିଯାଏ । ବହୁଦିନରୁ ଅପେକ୍ଷିତ ବୀଜମାନେ ଅଙ୍କୁରି ଉଠନ୍ତି; ମାତ୍ର କାହିଁକି କେଜାଣି, ମୋର ବାହ୍ୟସତ୍ତାରେ ମୁଁ ବିରକ୍ତ ହୋଇଉଠେ–ଆତଙ୍କିତ ଗଳାରେ କହେ–

 

‘ଚୋପ୍ ବେ ! ହୁଣ୍ଡା କାହାଁକା–ଏକବାଗିଆ ! ଗୋଡ଼ତଳେ ପଡ଼–ଲମ୍ୱ ହୋଇ ପଡ଼ିଯା–ମାଗ୍ ମାଗ୍ ପ୍ରେମ, ମାଗ୍ ସେହି ପରମ ପ୍ରେମିକଙ୍କ ପାଖେ–ଶକ୍ତି ମାଗ୍ ସେହି ପରମାଶକ୍ତିମୟୀଙ୍କ ପାଖେ– । ସତ୍ୟ ମାଗ୍ ସେହି ପରମ ସତ୍ୟଙ୍କ ପାଖେ । ଏ ବହକାଲିଆ ପଣରେ ତୁ ଖାଲି ଅପ୍ରେମ ପାଇବୁ, ଅପଶକ୍ତି ପାଇବୁ–ଆଉ ପାଇବୁ ଅସତ୍ୟ ।’

 

ସୁତନୁ ! ହୁଏତ ଆମେ ଦୁହେଁ ଭ୍ରାନ୍ତ; ମାତ୍ର ଦୁହେଁ ସତେ କି ସେହି ଭ୍ରାନ୍ତି ଲାଗି ଉତ୍‍କ୍ଷିପ୍ତ, ଉତ୍ପୀଡ଼ିତ, ଅପମାନିତ ଆଉ ପ୍ରଜ୍ୱଳିତ । ଆମର ସ୍ୱପ୍ନ କେଡ଼େ ବିରାଟ ! ମାତ୍ର ସେହି ସ୍ୱପ୍ନପାଇଁ ଆମେ ନିଜେ କେତେ ଛୋଟ, କେତେ ଅପରିଣତ ଆଉ କେତେ ସାମାନ୍ୟ ମାଧ୍ୟମ । ତା’ପରେ ଆମର ସନ୍ଦେହ ହେଉଥିଲା, ଆମ ଉପରେ, ପୃଥିବୀ ଉପରେ । ଆମ ଜୀବନରେ ଆଉ ସଫଳତାର ଆଶା ନାହିଁ–ଆମେ ଏମିତି ଭିତରେ ଭିତରେ ବିଳାପ କରୁଥିବା ଓ ବାହାରେ କ୍ରୁଦ୍ଧ ହୋଇ ମରୁଥିବା । ତୁମେ ତ ଥରେ ନୈରାଶ୍ୟ-କ୍ଷୋଭ ଓ ଭଗ୍ନଚିତ୍ତର ଘୋଷଣା କରିଦେଇଥିଲ ‘‘ନାଃ ଆଉ ହେବ ନାହିଁ–ତୁମେ ଏଥର ବିଦାୟ ନେଇପାର–ମନୁଷ୍ୟକୁ ନେଇ ପୃଥିବୀରେ କିଛି ଗୋଟାଏ କରିହେବ ନାହିଁ ।’’ ତା’ପରେ ତୁମର ଆଖି ଛଳ ଛଳ ହୋଇଉଠିଥିଲା । ତୁମେ ନିଜକୁ କିଞ୍ଚିତ୍ ସଂଶୋଧନ କରି କହିଲ–‘ନା-ନା ଆମକୁ ନେଇ ଆଉ ବିଶେଷ କିଛି କରି ହେବ ନାହିଁ–’ ତା’ପରେ ଗୋଟାଏ ଗଭୀର ଦୀର୍ଘଶ୍ୱାସ ଛାଡ଼ି ସମ୍ପୂର୍ଣ୍ଣ ସଂଶୋଧନ କଲାଭଳି କହିଲ, ଆଉ ଉଠିଗଲ–ମୋ ଦେହାତି ଆଉ କିଛି ହୋଇପାରିବ ନାହିଁ ବାପା !! ବିଦାୟ... । ବିଦାୟ...ଚିରଦିନ ଲାଗି ବିଦାୟ...

 

ସୁତନୁ ! ତୁମର ସେଦିନର ଘୋଷଣା ପରେ ମୁଁ ଛାଏଁ ଛାଏଁ ଗୋଟାଏ ଛତୁପରି ଭାଙ୍ଗିପଡ଼ି ଛିନ୍‍ଛତର ହୋଇଗଲି । କାରଣ–, କାରଣ ତୁମେ ବୋଧହୁଏ ଜାଣିନାହଁ–ମୋର ସମସ୍ତ ଆଶାନ୍ୱିତ ବ୍ୟକ୍ତିତ୍ୱର–, ମୋର ସମସ୍ତ ସ୍ୱପ୍ନବାଦୀତାର, ମୋର ସମସ୍ତ ପରୀକ୍ଷା ନିରୀକ୍ଷାର ତୁମେଇ ଥିଲ ଏକମାତ୍ର ମେରୁଦଣ୍ଡ ! ତା’ପରେ–ତା’ପରେ ମୁଁ ତୁମ ପାଖରୁ ଯେ ଉଠି ଆସିଥିଲି, ବାସ୍ ସେଇଦିନୁଁ ମୁଁ ପ୍ରାୟ ନିଦ୍ରାବସ୍ଥାରେ ଇ ଜୀବନ ବିତାଉଥିଲି । ମୋ ଆଖି ଆଗରେ ଏ ପୃଥିବୀ ଦିଶୁଥିଲା ଗୋଟାଏ ଭଗ୍ନମନୋରଥ ଗ୍ରହ ମାତ୍ର, ଯେ କି ଆପଣାକୁ ନେଇ ଆପଣା ପାଖେ ବ୍ୟର୍ଥ ପରାଜିତ ଆଉ ବିଫଳକାମ ହୋଇ ଆପଣା ଚାରିପଟେ ନିରୁପାୟଭାବେ ଘୂରି ବୁଲୁଛି...

 

କିନ୍ତୁ ସୁତନୁ ! ମୋର ଭାଗ୍ୟ ଭଲ, ଆମର ଭାଗ୍ୟ ଭଲ, ତୁମେ ଓ ମୁଁ ଯେଉଁ ସାମାନ୍ୟ ତପସ୍ୟାତକ କରିଥିଲେ, ତାହା ବିଫଳ ହେବାର ନୁହ । ସେମାନେ ଆସିଛନ୍ତି, ସେମାନେ...ଯେଉଁମାନଙ୍କୁ ଆମେ ଆମର ତପଫଳ ବୋଲି ବିଚାରିବା ଉଚିତ । ସେମାନେ ଆମକୁ ଆଗ ଠିକ୍ କରିବେ...ଆମକୁ ଆଗ ସଂଶୋଧନ କରିବେ ।

 

ଗତକାଲି ତୁମ ଘରେ ଯାହା ଦେଖିଲି, ଦେଖିସାରି ଯୋଉ ମନ ନେଇ ମୁଁ ଫେରି ଆସିଲି, ଆଉ ଆଜି ଏ ଚିଠି (ଚିଠି କ’ଣ ଗଳ୍ପ କହିପାର)–ଲେଖୁଛି, ସେଥିରେ ଯଥେଷ୍ଟ ଆଶା କରିବାକୁ ଅଛି, ପୁଣି ମଧ୍ୟ ଯଥେଷ୍ଟ ସ୍ୱପ୍ନ ଦେଖିବାର ଅଛି । ଏଣିକି ସବୁ ସନ୍ଦେହ, ଅବିଶ୍ୱାସ, ହିଂସା, ବ୍ୟର୍ଥତା ଓ ତଜ୍ଜନିତ କ୍ରୋଧକୁ ଆମେ ଯେ ବେଶ୍ ଶାନ୍ତଭାବେ ସମ୍ମୁଖୀନ ହୋଇପାରିବା, ଏଥିରେ ମୁଁ ନିଃସନ୍ଦେହ ହୋଇଗଲିଣି । ଆଶ୍ଚର୍ଯ୍ୟ କଥା, ତୁମେ ଇ ଏହାର ପ୍ରତିଶ୍ରୁତି ଦେଇଛ । ତୁମର ସେହି ବ୍ୟର୍ଥତାର ଘୋଷଣା–ସେହି ଆତ୍ମପରାଜୟର ସ୍ୱୀକୃତି ଏତଦ୍ଦ୍ୱାରା ବାତିଲ ହୋଇଗଲା ।

 

କାଲି ସତେ କ’ଣ ନ ଘଟିଲା ? ଏପର୍ଯ୍ୟନ୍ତ ଭାବିପାରୁ ନାହିଁ, ତାହା ବାସ୍ତବ ନା ସ୍ୱପ୍ନର ଗୋଟାଏ ମଧୁମୟ ସ୍ମୃତି ! ତୁମେ ତ ଜାଣ ତୁମର ସମଗ୍ର ପରିବାର, ତୁମର ସେଇ ମଧୁରିଆ ପତ୍ନୀ, ଯାହାଙ୍କୁ ମୁଁ ତୁମ ପିଲାଙ୍କ ସହିତ ଗେହ୍ଲାପଣରେ ମମୀ ବୋଲି ଡାକି ଚା’ ଖାଏ, ଚକୋଲଟ୍ ଖାଏ । ତୁମର ସେହି ବଡ଼ ଝିଅଟି, ଯାହାକୁ ଦେଖିଲେ ମୋର ଶକୁନ୍ତଳା ଆଉ ଦମୟନ୍ତୀମାନଙ୍କ କଥା ମନେପଡ଼ିଯାଏ । ମନେପଡ଼ିଯାଏ ସେହିସବୁ ପବିତ୍ର, ସୁନ୍ଦର, ସୁବାସିତ, କମନୀୟ ଲତାମାନ, ମାଧବୀ, ମାଳତୀ ଆଉ ରାଧାତମାଳ । ଆଉ ତୁମର ସେହି ଝିଅଟି ଯେ କଥା କଥାକେ ରାଗିଯାଏ, ଆମ୍ପୁଡ଼ିପକାଏ ନିଜକୁ ଆଉ ଅନ୍ୟମାନଙ୍କୁ, ପୁଣି ହସିଦିଏ, ହସାଇଦିଏ, ରାଗିଲୋକ ଆଉ ରାଗିପଶୁପକ୍ଷୀଙ୍କ ଦ୍ୱନ୍ଦ୍ୱ-ଯୁଦ୍ଧର ଛବି ନିଟୋଳଭାବେ ଆଙ୍କିଦେଇ ତାକୁ ରାଗରେ କ’ଣ ବିଚାରି ପୁଣି ଚିରି ପକାଏ, ଆଉ ସାଙ୍ଗେ ସାଙ୍ଗେ ଆଙ୍କିପକାଏ ସେହି ଛବିଟି, ଯାହାକୁ ପରମ ପୁରୁଷ ରାମକୃଷ୍ଣ କହନ୍ତି–ଚଢ଼େଇ ଡିମ୍ୱ ଉଷୁମେଇବା ଭଳି ଭାବ,–ସେହି ଝିଅଟି ତୁମର ସବୁରି ଚାରିପଟେ ଗାରକାଟି ଦିଏ, ନିଜେ ଗାର ଭିତରେ ପଶିଯାଏ, ପୁଣି କୋଉ ଛଟକରେ ସେ ଗାରକୁ ଡିଆଁମାରି ଚାଲିଯାଏ ବନର ହରିଣୀଟିଏ ଭଳି । ଆଉ ଶେଷରେ ତୁମର ସେହି ସବା ସାନ ସୁନ୍ଦୁରିଆ ସୁତୁରିଆ କୌତୁକିଆ ଝିଅଟି, ଛ’ ବର୍ଷର, ଯାହାକୁ ଦେଖିଲେ ମୋର ଏ ପୃଥିବୀର ସବୁ ସୁନ୍ଦର ଅରଣ୍ୟମାନଙ୍କର ସବୁ ସୁନ୍ଦର ଚଢ଼େଇମାନେ ମନେପଡ଼ନ୍ତି । ଆଖିରେ ଯେଉଁମାନଙ୍କର ଯମୁନାର ନେଳି, ନଇଲେ ଆକାଶର ନିଶା, ଛାତିରେ ଯାହାଙ୍କର ନାଲି ଛିଟା, ଆଉ ବେକରେ ଯେଉଁମାନଙ୍କର ନାଲି ରିବନ୍, ଯାହାର ଅନବରତ କଳରବ ଶୁଣିଲେ, ମତେ ଲାଗେ ‘‘ନାନା ତରୁବର ମୁକୁଳିଲେ ରେ ଗଗନ ତ ମେଲିଲା ଡାଳ,’’ ଆଉ ସେହି ପୃଥିବୀବ୍ୟାପୀ ଶାଖାମାନଙ୍କରୁ ଲକ୍ଷେ କୋଇଲି, ଦେଢ଼ଲକ୍ଷ ହଳଦିବସନ୍ତ ଆଉ ପାଞ୍ଚ ଲକ୍ଷ ବୁଲ୍‍ବୁଲ୍ ନାଇଟିଙ୍ଗେଲ କଳରବ କରୁଛନ୍ତି ।

 

ସୁତନୁ ! ତୁମକୁ ଜଣା ନ ଥିବ, ତୁମ ସଙ୍ଗେ ଏକୁଟିଆ ଥିଲାବେଳେ ମୁଁ ଭିନ୍ନେ–ଆଉ ତୁମ ପରିବାର ସଙ୍ଗେ ଥିବାବେଳେ ମୁଁ ଆଉ ଭିନ୍ନେ । ତୁମର ସେ ପରିବାରକୁ ମୁଁ କେତେ ସୁଖ ପାଏ ! ସେ ସତେ କି କୋଉ ଦୂର ଅରଣ୍ୟରେ ମୋର ପରିତ୍ୟକ୍ତ ଛୋଟ ନିବୁଜ ନୀଡ଼ଟିଏ । ଯାହା ଭିତରେ ପାଞ୍ଚଟି ଡିମ୍ୱ ପାରି ମୁଁ ବୁଲୁଛି ଆକାଶସାରା ! ପାଞ୍ଚଟି ଡିମ୍ୱ ଛୁଆ ଫୁଟିଛନ୍ତି, ମୁଁ ଆହାର ଖୋଜି ଯାଇ ବାଟବଣା ହୋଇଛି । ହଠାତ ଫେରିଆସି ପହଞ୍ଚିଯାଏ ଯେତେବେଳେ, ସାଇଁ କିନା ଉଡ଼ିଯାଇ ସେ ନୀଡ଼ଟି ଭିତରେ ବସି ସେହି ଗୁହୁଡ଼ିମ୍ୱ ଫାଟି ନ ଥିବା ପରଲାଗି ନ ଥିବା କଅଁଳ ଚିଆମାନଙ୍କୁ ମୁଁ ଭିତରେ ଯାକିଧରି ଉଷୁମାଇ ଲାଗେ । ସୁତନୁ ! ସେତେବେଳେ ମୋ ପକ୍ଷୀତଳେ ତୁମକୁବି ଗୋଟିଏ ଚିଆ ଭାବି ମୁଁ ଆଖିବୁଜି ଉଷୁମାଇ ଲାଗେ; ମାତ୍ର ତୁମେ ଯେତେବେଳେ ମୋ ପକ୍ଷତଳୁ ବହକାଲିଆ ପଣରେ ଫିଟି ବାହାରି ଆସ, ଆଉ ତୁମକୁ ପାରେ କିଏ ? ତୁମେ ହୋଇଉଠ ମୋ ପକ୍ଷରେ ଏକ ଜଞ୍ଜାଳ, ଆଉମଧ୍ୟ ଆଶା, ଆକାଶେ ଆଶା ! ତା’ ସଙ୍ଗେ ସଙ୍ଗେ ପୁଣି ଆକାଶେ ଆଶଙ୍କା ।

 

କାଲି ସତେ ସେଠି ସେହି ସୁନ୍ଦର ନୀଡ଼ଟିରେ କି କଥା ସବୁ ଘଟି ନ ଗଲା ? ଆହା ! ସେ ସେ ଘଟନା ଘଟିଗଲା ପରେ, ସେ ଘଟନାଟିକୁ ଏପରି ଉପଲବ୍‍ଧି କଲାପରେ ମୁଁ ଲକ୍ଷେ ଚିଠି ଲେଖନ୍ତି କି ! ଲେଖନ୍ତି କି ଏକ ଊଣା ଲକ୍ଷେଟି ଶ୍ଳୋକ–

 

ମୁଁ ଆଉ ତୁମେ ଖାଇବା ଟେବୁଲ ପାଖେ ବସିଲୁ । ମଧୁରିଆ ମମୀ ସର୍ବମୋଟ ଚାରୋଟି ତରକାରୀ ଭାତସହ ପରଷି ଦେଇଗଲେ । ଶେଷରେ ଛୋଟ ଷ୍ଟେନଲେସ୍ ଗିନାରେ ଗିନାଏ ମିଠା ବସାଦହି, ଶୁଭ୍ରସ୍ନିଗ୍‍ଧ-ଦେବଭୋଗ୍ୟ-ଅମୃତ ଭଳି । ତା’ ଉପରେ ରସଗୋଲାଟିଏ ଡୁବାଇ ଦେଇ ସେ ଆମକୁ ଦୁଇଟି ଚାମୁଚ ଧରାଇ ଦେଲେ । ତୁମେ ଗପି ଚାଲିଥାଅ, ସଦ୍ୟ ପଢ଼ିଥିବା ଦକ୍ଷଯଜ୍ଞ କଥା ଶିବପୁରାଣରୁ, ଅଜ୍ଞାନ ଦକ୍ଷଙ୍କର ଦମ୍ଭ ଆଉ ଅଭିମାନ, ସତୀଙ୍କର ଅପମାନ ଓ ରୁଦ୍ରଙ୍କର କ୍ରୋଧ-ତାଣ୍ଡବ ଓ ଦକ୍ଷଯଜ୍ଞ ଧ୍ୱଂସର କଥା । ତୁମେ ମଝିରେ ମଝିରେ ଖାଉଥାଅ । ମୁଁ କିନ୍ତୁ ତୁମ କଥାର ପ୍ରେରଣାରେ ଖାଇ ଚାଲିଥାଏ । ଶେଷରେ ମୁଁ ମିଠା ଦହିରେ ବୁଡ଼ାଇ ରସଗୋଲାଟିକୁ ଟିକି ଚାମୁଚରେ ଛିଣ୍ଡାଇ ଛିଣ୍ଡାଇ ଖାଉଥାଏ ଓ ଏ ପୃଥ୍ୱୀକି ମନେ ମନେ ପ୍ରଶଂସା ଏବଂ ଆଶୀର୍ବାଦ କରୁଥାଏ । ହେ ପୃଥ୍ୱୀ ! ସୁଜଳା ହୁଅ, ସୁଫଳା ହୁଅ, ଶସ୍ୟଶ୍ୟାମଳା ହୁଅ, ସୁରସା ହୁଅ, ସୋମବତୀ ହୁଅ । ଗାଭୀମାନେ ଦୁଗ୍ଧବତୀ ହୁଅନ୍ତୁ, ଦୁଗ୍ଧ ସବୁ ଅମ୍ଳମଧୁର-ସ୍ନିଗ୍‍ଧ-ଦଧିରେ ପରିଣତ ହୁଅନ୍ତୁ, କୋମଳ ଛେନାରେ ପରିଣତ ହୁଅନ୍ତୁ । ଶ୍ରୁବ ଓ ଶ୍ରୁବ ସବୁ ଘୃତ ପୂର୍ଣ୍ଣ ହୁଅନ୍ତୁ । ହେ ପୃଥ୍ୱୀ ! ସମସ୍ତଙ୍କୁ ସମାନଭାବେ ସୋମ ବିତରଣ କର, ସୁଗନ୍ଧି ବିତରଣ କର, ସୁପୁଷ୍ଟି ଦାନ କର । ହେ ପୃଥ୍ୱୀ ! ସମସ୍ତେ ସମାନଭାବେ ରସସ୍ୱାଦରେ ଅଧିକାରୀ ହୁଅନ୍ତୁ, ଅମୃତରେ ସମସ୍ତଙ୍କର ସମାନ ଭାଗ ରହୁ । ଚାମୁଚରେ ମିଠା ଓ ଚିକ୍‍କଣ ଦହି ସଙ୍ଗେ ରସଗୋଲାରୁ ଚେନାଏ ଚେନାଏ ମୋ ପାଟି ଭିତରେ ସ୍ୱାହା କରୁ କରୁ ମୁଁ ଏତେକ ମନ୍ତ୍ର ମନେ ମନେ ଆଉଡ଼ୁ ଥାଏ, ଜପ କରୁଥାଏ ।

 

ମାତ୍ର, ତୁମେ କ’ଣ କାହାକୁ ପ୍ରାର୍ଥନା କରାଇ ଦେବ ? ଧ୍ୟାନ କରାଇ ଦେବ ? ତୁମେ ତୁମ ମଝିଆ ଝିଅକୁ ଡାକିଲ । ତାକୁ ପାଣି ମାଗିଲ । ସେ ପାଣି ଗ୍ଲାସ ଟେବୁଲ ଉପରେ ଥୋଉ ଥୋଉ କେଜାଣି କୋଉ ପୂର୍ବ କ୍ରୋଧବଶତଃ କଚାଡ଼ି ଦେଲା । ପାଣି ଢାଳିଗଲା । ସେଇଠୁ ତୁମେ ହଠାତ କ୍ରୋଧରେ ଚଟିଗଲ; କାରଣ ସେ ତୁମ ଉପରେ ରାଗିଛି ବୋଲି ତୁମେ ଜାଣିଥିଲ । ମୁଁ ଜାଣେ, ତୁମେ କାହାଠାରେ କ୍ରୋଧର ଆଭାସ ଦେଖିଲାମାତ୍ରେ ନିଜେ କ୍ରୋଧରେ ଜଳିଉଠ; ମାତ୍ର ତୁମ ମଝିଆ ଝିଅର କ୍ରୋଧ ଅଯୌକ୍ତିକର ନୁହେଁ । ତା’ର ତୁମ ଉପରେ ବହୁତ ଅଭିଯୋଗ । ତୁମେ ତା’ର ପ୍ରତିଭାକୁ, ତା’ର କୃତିତ୍ୱକୁ ସ୍ୱୀକାର କର ନାହିଁ । ତୁମେ ତାକୁ ଚଣ୍ଡି ବୋଲି ଡାକ । ଅନ୍ୟମାନଙ୍କ ଆଗେ ତା’ର ଦୁର୍ଗୁଣ ଗାଇଥାଅ । ତା’ର ନିଜ ଉପରେ ଖୁବ୍ ଆସ୍ଥା ଓ ଖୁବ୍ ସମ୍ମାନବୋଧ । ସେ ଯେ ସବୁ ଗାର ଅକ୍ଳେଶରେ ଡେଇଁ ଯାଇପାରେ ଓ ସେଥିଯୋଗୁଁ ସେ ତା’ ସ୍କୁଲରେ ବହୁ କପ୍ ଓ ପ୍ରାଇଜ ପାଇଛି, ଏତେକୁ ତୁମେ ଖାତିରି କର ନାହିଁ । ତାକୁ ସନ୍ଦେହ ଆଖିରେ ଦେଖ । ସେ ଟୋକୀ ମଧ୍ୟ ଆତ୍ମ-ଅପମାନ-ବୋଧରେ ନିଆଁ ହୋଇଯାଏ । ତାକୁ କାଳିସୀ ଲାଗିଯାଏ ଯାତ୍ରା ମଝିରେ । ତା’ ମୁଣ୍ଡକୁ ରାଗ ଘୋଟିଗଲା, ସେହି ପୁରୁଣା ବ୍ରହ୍ମ-ଚାଣ୍ଡାଳ କୋଉଠିଥିଲା ଆସି ଖପ୍‍କିନା ତା’ ମୁଣ୍ଡରେ ଓହ୍ଲାଇଗଲା । ସେ ତୁମକୁ ବିଧା ଚାପୁଡ଼ା ମାରିବାକୁ ଚଞ୍ଚଳ ହୋଇପଡ଼ିଲା । ତୁମକୁ ଭିଣ୍ ଭିଣ୍ କରିଦେବାକୁ ତା’ର ଦାନ୍ତ ଓ ନଖରେ ମାଙ୍କଡ଼ମାନେ ଅବତରି ଗଲେ । ଏଇ ସମୟରେ ତା’ର ମଧୁରିଆ ମମୀ ମଧ୍ୟ ତା’ ସଙ୍ଗେ ଯୋଗଦେଲା । ତୁମ ଉପରେ ତା’ର ସଞ୍ଚିତ ରାଗମାନ ଝାଡ଼ିବାର ଏହାହିଁ ଉପଯୁକ୍ତ କାଳ ବୋଲି ତା’ର ଅବଚେତନ ତାକୁ ପ୍ରବର୍ତ୍ତାଇ ଲାଗିଲା । ମଧୁରିଆ ମମୀରବି ତୁମ ଉପରେ ବହୁ ଅଭିଯୋଗ । ତୁମେ କୁଆଡ଼େସବୁ ଅନର୍ଥର ମୂଳ । ତୁମ ରକ୍ତରେ ମାଙ୍କଡ଼ମାନେ ଅଛନ୍ତି । ତୁମ ଭିତରେ ବାଳୀ ସୁଗ୍ରୀବଙ୍କୁ ପୋଷିଛ । ତୁମକୁ ଦେଖିଲେ ଅନ୍ୟମାନଙ୍କ ରକ୍ତରେ ନିଆଁ ସଞ୍ଚରିଯାଏ । ସ୍ନାୟୁସବୁ ତାତି ଯାନ୍ତ । ମା ଝିଅ ମିଶି ତୁମ ବିରୁଦ୍ଧରେ ଅଭିଯୋଗମାନ ଶରଭଳି ବର୍ଷା କରିଗଲେ । ସେମାନେ କହିଗଲେ, ‘‘ତୁମେ କାହା କଥା ବୁଝ ନାହିଁ । କାହା ମୁହଁକୁ ଚାହଁ ନାହିଁ, ତୁମରି ଖିଆଲରେ ସମସ୍ତେ ଏ ଘରେ ମଲେଣି ।’’ ସେମାନେ ଖୁବ୍ ଚିଲାଉଥାନ୍ତି । ଶୁଭୁଥାଏ ଏହି ନିରାପଦ ସରଳ ନିର୍ଦ୍ୱନ୍ଦ୍ୱ ଚଢ଼େଇ ବସାଟିରେ କୁଆଡ଼ୁ ଗୋଟାଏ ଗୋଖର ପଶି ଆସିଲା ଭଳି ଆର୍ତ୍ତଚିତ୍କାର । ମମୀ ତୁମ ଉପରେ ତା’ର ସବୁ ବିଷ ଝାଡ଼ୁଥାଏ । ଝିଅ ମଧ୍ୟ ଚୋଟ ଉପରେ ଚୋଟ ବସାଇ ଚାଲିଥାଏ । ତୁମର ବଡ଼ ଝିଅଟି ବାରଣ୍ଡାରେ ବସି ଗେଣ୍ଡୁଫୁଲର ହାରଟିଏ ଗୁନ୍ଥୁଥାଏ, କାହାପାଇଁ କେଜାଣି ? ତା’ର ଆଖିରୁ ଝର ଝର ଲୁହ ବହୁଥାଏ, ସେ ତା’ର ସୁନ୍ଦର ନରମ ଓଠ ଦିଓଟିକୁ ବାରମ୍ୱାର କାମୁଡ଼ି ଥାଏ । ସତେ କି ସେ କହୁଥାଏ, ମୁଁ ଅର୍କ୍ଷିତ, ମୁଁ ଅର୍କ୍ଷିତ, ଏମାନେ ମୋତେ ମାରିଦେବେ ! ବାକି ଥିଲୁ ମୁଁ ଆଉ ତୁମର ସବୁଠାରୁ କୌତୁକିଆ, ସୁନ୍ଦରିଆ, ପୁଚୁପୁଚିକିଆ, କୁତୁକୁଲିଟିଆ, ଗୁବୁଲୁମୁଟିଆ, ଟୁକୁଲୁ କୁଲିଆ ସାନ ଝିଅଟି, ଛଅ ବର୍ଷର, ଯେ ନିଜକୁ ମିସ୍ ଜୁଲି ମିଶ୍ର ବୋଲି କହେ–ଯାହାକୁ ମୁଁ କେତେବେଳେ କ’ଣ ଡାକେ ମୋ ଖିଆଲ, ଖୁସିରେ, ଜୁଲୀ ଖୁଡ଼ୀ, ଜୁଲ୍‍କୁନ୍ ମାଉସୀ, ଜୁଲୁ ମାଇଁ । ସେ ତା’ର ଟେବୁଲର ଗୋଟିଏ ପାଖରେ ବସି ମମୀପ୍ରଦତ୍ତ ଖଣ୍ଡିଏ ମାଛଭଜା ଖାଉଥିଲା ଓ ସେହି ଦିନ ତା’ ସ୍କୁଲରେ ଉଠିଥିବା ଗ୍ରୁପ୍ ଫଟୋଟିକୁ ଧରି ତା’ ସାଙ୍ଗ ଝିଅମାନଙ୍କ ରୂପ ତୁଳନାରେ ନିଜକୁ ଖୁବ୍ ତାରିଫ ମନେକରି ଗର୍ବ କରୁଥିଲା । ସୌନ୍ଦର୍ଯ୍ୟ ଓ ଆହ୍ଲାଦରେ ସ୍ଫିତା ହୋଇ ତା’ର ପ୍ରତିଦ୍ୱନ୍ଦ୍ୱିନୀର ଫଟୋକୁ ଦେଖି ସେ କହୁଥିଲା–‘‘ଅସୀତାର ମୁହଁ ଦେଖି ମନେହେଉଛି, ସେ ସତେ କି କହୁଛି–ଇସ, ଜୁଲି ମିଶ୍ର ତୁଳନାରେ ମୁଁ କି ଗୁହ !!’’ ସେ ମନେ ମନେ ଫୁଲୁଥିଲା ଓ ଫୁଲଟିଏ ଭଳି ଫୁଟି ଉଠୁଥିଲା । ତା’ର ଫୁଟାଣି-ପବନରେ କଅଁଳ ପାଖୁଡ଼ାଗୁଡ଼ିକ ମେଲି ଯାଉଥିଲେ, ପୁଣି ବୁଜିହୋଇ ଯାଉଥିଲେ । ସେ ଚଢ଼େଇଟିଏ ଭଳି ତା’ର କୋମଳ ପରଗୁଡ଼ିକ ଫୁଲାଇଥିଲା, ପରନିର୍ମିତ ବଲ୍‍ଟିଏ ଭଳି କୌତୁକ ଦିଶୁଥିଲା । ସେ ଏପର୍ଯ୍ୟନ୍ତ ସୁଖୀ ଥିଲା; କାରଣ ଆମେ ତା’ର ଗର୍ବକୁ ସ୍ୱୀକାର କରୁଥିଲୁ । ସେ ଆହ୍ଲାଦିତା ହେଉଥିଲା । ଆମେ ତା’ ଗର୍ବକୁ ବେଶି ପସନ୍ଦ କରୁନାହୁଁ; କିନ୍ତୁ ଏପରି ଗର୍ବ ତା’ର କେବଳ ବ୍ୟକ୍ତିଗତ ଦୂଷଣ ନୁହେଁ, ଏହା ସମଗ୍ର ମାନବଜାତିର ଓ ଆମେ ବାପ, ମାଆ, ମଉସା, ମାଉସୀମାନେ ମଧ୍ୟ କେହି ଏ ପାପରୁ ମୁକ୍ତ ହୋଇପାରୁ ନାହୁଁ, ତଥାପି ସଂଗ୍ରାମ କରୁଛୁ, ଅତଏବ, ଆସ ଆମର ଏହି ଗରିଷ୍ଠ ସାଧାରଣ ଗୁଣନୀୟକ ଦୋଷଟିକୁ ନେଇ କିଛି ସମୟ କୌତୁକ କରିବା । ଆମଠାରେ ଏଭଳି ଏକ ମନୋଭାବ ସେ ଅତିବୁଦ୍ଧିଆ ମେଞ୍ଚଡ଼ ଟୋକୀ ନିଶ୍ଚିନ୍ତଭାବେ ଆମଠାରେ ଲକ୍ଷ୍ୟ କରି ସାରିଥିଲା; ତେଣୁ ସେ ମାନବୀୟ ସାର୍ବଜନୀନ ପାପ ବୋଧରୁ ନିଜକୁ ବିଚ୍ଛିନ୍ନ ବୋଲି ଭାବୁ ନ ଥିବାରୁ ନିଜକୁ ବେଶ୍ ନିରାପଦ ଓ ଗ୍ଳାନିହୀତ ମନେକରୁଥିଲା । ଏହି ସମୟରେ ମୁଁ ତୁମର କାଳିସୀ ଲାଗିଥିବା ମଝିଆ ଝିଅଟିକୁ କୁଣ୍ଢାଇ ଧରି ତା’ ରାଗ ଶାନ୍ତ କରିବାକୁ ବସିଲି; ମାତ୍ର ସେ ଅଭିମାନିନୀ ଟୋକୀ ନିଜକୁ ଆହୁରି ଅପମାନିତ ମନେକରି, ଆହୁରି ଚିତ୍କାରକରି ତୁମକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲାରୁ ତୁମେ ମଧ୍ୟ ହଠାତ ଚିତ୍କାର କରିଉଠିଲ । କାରଣ ତୁମେ ବୋଧହୁଏ ହଠାତ ଅପମାନିତ ବୋଧ କଲ ବା ଏହି ସାର୍ବଜନୀନ ବଂଶପରମ୍ପରାଗତ ମର୍କଟୀୟ ଅହଂ-ସଞ୍ଜାତ ଅଜ୍ଞାନ-କ୍ରୋଧ ଫେର୍ ତୁମ ଘରର ଶାନ୍ତି ଓ ମାଧୁର୍ଯ୍ୟକୁ ନଷ୍ଟ କଲା ବୋଲି ଭାବି ତୁମେ ସନ୍ତ୍ରସ୍ତ ହୋଇ ଚିଡ଼ି ଉଠିଲ-। ତୁମକୁ ରାଗିବାର ଉପକ୍ରମ ଦେଖି ତୁମର ସେହି ଫୁଲ ଭଳି ଫୁଲାଣିଆ ସାନ ଝିଅ ଜୁଲ୍‍କୁନ୍ ହଠାତ ଶଙ୍କିତ ହୋଇଉଠିଲା । ତ୍ରସ୍ତ ହୋଇଉଠିଲା । ତା’ର ସେହି ଚଢ଼େଇର ଆଖିଦୁଇଟି ଭୟରେ ଛଳ ଛଳ ଓ ଅପଲକ ହୋଇଉଠିଲେ ! ଗଙ୍ଗେଇ ଥଣ୍ଟରୁ ମାଛଟି ଖସିପଡ଼ିଲା ଭଳି ତା’ ହାତରୁ ମାଛଟି ଖସି ପଡ଼ିଲା । ସେ ଫଟୋଟିକୁ ତଳେ ଫୋପାଡ଼ି ଦେଲା । ତା’ର ଚଢ଼େଇ ଚିତ୍ତରେ ଭୟ ଘୋଟିଗଲା । ହଠାତ ଝଡ଼ ଓ ଝଞ୍ଜାର ଭୟ ।

 

ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ମୋର ମୁଣ୍ଡକୁବି ପିତ୍ତ ଉଠିଗଲା । ମୋର ମନ ଭିତରେ କିଏ ଯେମିତି ଆଦେଶ ଦେଲା, ଚାବୁକ ଧର, ସମସ୍ତଙ୍କୁ ପିଟି ସାବାଡ଼ କରି ଦେ–ତା’ପରେ ନିଜ ଛାତିରେ ଛୁରି ଭୁଷି ମରିଯା । ଏ ଶଳା ମଣିଷମାନେ ମରନ୍ତୁ । ଏମାନେ କେହି ନିଜକୁ ଅତିକ୍ରମ କରି ପାରିବେ ନାହିଁ କି ଆଉ କାହାକୁ କରେଇ ଦେବେ ନାହିଁ । ମାରି ଦେ...ମାରି ଦେ ବେ ଶଳା ସମସ୍ତଙ୍କୁ । ଶଳା, ଗୋଟାଏ ଅବତାର ଆସି ଚିଲେଇ ଚିଲେଇ ଗଳା-କାନ୍‍ସର ଭୋଗି ମଲା, ଆଉ ଗୋଟାଏ ଅବତାର ମୂତ୍ରନଳୀ ରୋଗରେ ମଲା । ଶଳା ଗୋଟାଏ ଗାନ୍ଧୀ ଗୁଳିମାଡ଼ରେ ହେ ରାମ ଚିତ୍କାର କରି ତଳେ ପଡ଼ି ମଲା । ଶଳା, କିଏ ତୁମକୁ ରଖିବ ବେ-?...ମାରିଦେବି, ସମସ୍ତଙ୍କୁ ମାରିଦେବି, କାହିଁ ? ଚାବୁକ କାହିଁ ? ଛୁରି କାହିଁ ? ଆରେ କିଏ ଅଛରେ-? ମୋର, ବନ୍ଧୁକ ଦିଅ, ଦିଅ ଚଞ୍ଚଳ ମୋ ରାଇଫେଲ । ସୁତନୁ ! ଭାବିଲି ଆଗ ତୁମକୁ ଲାଛିଦେବି-। ତା’ପରେ ମଧୁରିଆ ଭାବ ଛାଡ଼ି ପଦ୍ମ ନାଡ଼ର ଖୋଳ ପକାଇଦେଇ ଏଇ ଯେ ସରୁଆ କାଳୀ-ସାପ ଭଳି ବିଷ ଉଦ୍‍ଗାରୁଛି ମମୀ, ତାକୁ ମାରିଦେବି । ସେଇଠୁ ଏଇ ଟୋକୀଟା ଯେ ତୁମର ପୂର୍ବପୁରୁଷଙ୍କର ମାଙ୍କଡ଼ ଗୁଣକୁ ତା’ ରକ୍ତରେ ଧରିରଖି ଏତେ କାଣ୍ଡ ଘଟାଉଛି, ତାକୁବି ଖୁନ୍ କରିଦେବି । ସେଇଠୁ, ଖୁନ୍ କରିବି ତୁମର ସେହି ଓଠକାମୁଡ଼ି ଆଖୁରୁ ଲୁହ ଝରାଇ ନିଜକୁ ଅର୍କ୍ଷିତ ବୋଲି ଭାବି ନିଜକୁ ନିଜେ ସମ୍ପି ସମ୍ପିମାଳ ଗୁନ୍ଥୁଛି, ସେ ବସି ତୁମର ସେହି ବଡ଼ ଝିଅ, ତାକୁ ମଧ୍ୟ ମାରିବି । ଶେଷରେ, ଶେଷରେ...ସେଇଠୁ ମାରିବି, ସେଇଠୁ ମାରିବି, ସେଇ ସେଇ କାଇଁ ସେଇ ? ସେଇ ଫୁଲ ଭଳି, ଚଢ଼େଇ ଭଳି ମିସ୍ ଜୁଲି ମିଶ୍ର, ଜୁଲି ଖୁଡ଼ୀ, ଜୁଲ୍‍କୁନ୍ ମାଉସୀ, ଜୁଲୁ ମାଇଁକି, ସେଇ ଗୁଗୁଲୁଗୁଟିଆ, ଗୁମୁଜାମୁଟିଆ, ଟୁଟୁଲୁ ପିଟିଆ ଜୁଲୁକୁନ୍‍କୁ, ଜୁଲ୍‍କୁନ୍‍କୁ...

 

କକ୍ ଏ ଡୁଡ଼ୁଲୁଡ଼ୁ କକ୍ ଏ ଡୁଡ଼ୁଲୁଡ଼ୁ

ଡକୋରୀ ଡକୋରୀ ଡକ୍ ଡକୋରୀ

ଡକୋରୀ ଡକ୍

କୁହୁ କୁହୁ କୁହୁ ଟୁଇକ୍ ଟୁଇକ୍ ଟୁଇକ୍

କ୍ୟୁ କୁଳୁ କୌ, କ୍ୟୁ କୁଳୁ କୌ

କ୍ୟୁ କୁଳୁ କୌ ।

 

ଲକ୍ଷ ଲକ୍ଷ ଚଢ଼େଇ ମୋ ଅନ୍ତରାକାଶରେ ଏକାବେଳକେ ବୋବେଇ ଉଠିଲେ । ମୋ ହାତରୁ ଚାବୁକ ଖସିପଡ଼ିଲା, ଛୁରି ଖସିପଡ଼ିଲା, ବନ୍ଧୁକ ଖସିପଡ଼ିଲା । ସେଇଠୁ ମୁଁ କାନ୍ଦିପକାଇଲି । ମୁଁ ପାଟିକରି ଉଠିଲି, ନା ନା ମୁଁ ତାକୁ ମାରିବି ନାହିଁ, ମାରିବି ନାହିଁ; ମୁଁ ତାକୁ ପାଳିବି, ରକ୍ଷା କରିବି । ତାକୁ ଏ ନିଆଁ ଭିତରୁ ଉଠାଇ ନେବି, ମୋ ଦେହରେ ନିଆଁ ଲାଗିଗଲାଣି, ମୁଁ ତାକୁ ମୋ ଛାତି ଭିତରେ ଯାକି ଧରିବି ପ୍ରାଣପଣେ, ତାକୁ ପୋଡ଼ି ମରିବାକୁ ଦେବି ନାହିଁ । ମୋ ଚାରିପଟେ ନିଆଁ, ଏ ପୃଥିବୀ ଜଳୁଛି ହୁତୁହୁତୁ ହୋଇ, କିଏ ଅଛ ହେ, ରକ୍ଷା କର ! ଏ ଫୁଲଟିକୁ ରକ୍ଷା କର । ଏ ଚଢ଼େଇଟିକୁ ରକ୍ଷା କର, ରକ୍ଷା କର ଆମର ଏହି ଶେଷ ସମ୍ଭାବନାଟିକୁ, ଆମର ଏହି ଶେଷ ପ୍ରତିଶ୍ରୁତିଟୁକୁ, କିଏ ଅଛ ହେ ? ରକ୍ଷା କର, ରକ୍ଷା କର, ସେଇଠୁ ମୋ ଭିତରେ କୁଆଡ଼ୁ ଗୋଟେ ଉନ୍ମାଦନା ଆସିଗଲା । ଗୋଟାଏ ରକ୍ଷାକର୍ତ୍ତାର ବଳ ଓ ଉନ୍ମାଦନା । କିଏ ଯେମିତି ମୋତେ ପ୍ରବର୍ତ୍ତାଇ ଲାଗିଲା–

 

କୁଣ୍ଢାଇଧର, କୁଣ୍ଢାଇଧର, ସମସ୍ତଙ୍କୁ କୁଣ୍ଢାଇଧର; ବାପ, ମାଆ, ଝିଅ ସମସ୍ତଙ୍କୁ–ଏ ପୃଥିବୀକୁ ସମଗ୍ର ଏ ପୃଥିବୀକୁ...କୁଣ୍ଢାଇଧର ଆପଣା ବକ୍ଷତଳେ ଯାକିଧର, ଯାକିଧର ।

 

ମୁଁ କାନ୍ଦି ଉଠିଥାନ୍ତି । ନିଜର ସମସ୍ତ ପ୍ରତିକ୍ରିୟାକୁ ମୁଁ କିନ୍ତୁ ସମ୍ଭାଳି ରଖିଥାଏ; କିନ୍ତୁ ଏ କ’ଣ ଘଟିଲା ? ଏଁ ? ମୁଁ ଏ କ’ଣ ଦେଖିଲି ? ତୁମେ ହଠାତ ହାତ ବଢ଼ାଇ ଦେଲ, ତୁମର ସେହି ପବିତ୍ର ଗୋରା ତକତକ ଋଷିହାତ ଯାହାକୁ ଆଶ୍ରୟ କରି ନରମାନେ, କିନ୍ନରମାନେ, ନଚିକେତାମାନେ, ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ । ସେହି ହାତ ବଢ଼ାଇ ତୁମେ ଆଗ ତୁମର ମଝିଆ ଝିଅକୁ ଆପଣା ଛାତି ପାଖକୁ ଭିଡ଼ିନେଲ । ତୁମ ଆଖି ଧୈର୍ଯ୍ୟ ଏବଂ କ୍ଷମା ଓ କରୁଣାରେ ସୁନୀଳ ଓ ସଜଳ ଦିଶୁଥିଲା । ତୁମେ ଶିବ ଭଳି ଦିଶୁଥିଲ । ତୁମ କଣ୍ଠଦେଶ ହଳାହଳର ଜୀର୍ଣ୍ଣ-ପ୍ରତିକ୍ରିୟାକୁ ନୀଳବର୍ଣ୍ଣରେ ସୂଚାଇ ଦେଉଥିଲା । ତୁମର ଜଟାଜୂଟ ଆକାଶକୁ ସ୍ପର୍ଶ କରୁଥିଲା । ତୁମର ଜଟା-ଗହ୍ୱରରୁ କଳ କଳନାଦିନୀ, ତ୍ରିତାପହାରିଣୀ, ସୁଧାମୟୀ ଗଙ୍ଗା ପବିତ୍ର ଶାନ୍ତି ଭଳି ଝରିପଡ଼ୁଥିଲେ । ତା’ପରେ ତୁମେ ମମୀକୁ ସେହି ପବିତ୍ର ହାତ ବଢ଼ାଇ କୋଳକୁ ଟାଣି ନେଲ ।

 

ସୁତନୁ ! ତୁମେ କ’ଣ ସେହି ପ୍ରାଚୀନ ଯୁଗର ବଶିଷ୍ଠ, ବିଶ୍ୱାମିତ୍ର, ସନକ, ଶୌନକ ବା ସନତ କୁମାର ! ତୁମର ସେହି ବିଶାଳ ଶୁଭ୍ର-ସୁନ୍ଦର-ଚନ୍ଦନ-ଚର୍ଚ୍ଚିତ ଲମ୍ୱ ବାହୁରେ ତୁମେ କ’ଣ ଶ୍ରୁବ ଶ୍ରୁବ ଧରି ଯଜ୍ଞକୁଣ୍ଡରେ ହବି ପ୍ରଦାନ କରୁଥିଲ ? –ଓଁ ସ୍ୱସ୍ତି-ସ୍ୱସ୍ତି-ସ୍ୱସ୍ତି–ସର୍ବେ ଭବନ୍ତୁ ସୁଖୀନଃ- ଓଁ ଶାନ୍ତି-ଶାନ୍ତି-ଶାନ୍ତି... । ତୁମେ ସମସ୍ତଙ୍କୁ ଯାକି ଧରିଥାଅ । ତୁମର ବଡ଼ ଝିଅ ତା’ ମନକୁ ଭେଁ କିନା କାନ୍ଦିଉଠି ତୁମ ଆଲିଙ୍ଗନ ଭିତରେ ପଶିଯାଇଥାଏ । ଶେଷକୁ, ଶେଷକୁ ମୁଁ ମଧ୍ୟ ଅଭିଭୂତ ହୋଇ ତୁମର ଆଲିଙ୍ଗନ ଭିତରକୁ ମୁହାଇଁ ଗଲି । ବାକି ଥିଲା ତୁମରି ସାନ ଝିଅଟି–ଜୁଲୀ ମିଶ୍ର । ଡିକୋରୀ ଡିକୋରୀ ଡକ୍-କକ୍ କକ୍ ଏଡ଼ୁଡ଼ୁଲୁଡ଼ୁ । ସେ ବାଲୁ ବାଲୁ କରି ଚାହୁଁଥାଏ । ଏ ଦୃଶ୍ୟ ଦେଖି ସେ ହସିଦେଲା । ସତେ କି ମେଞ୍ଚାଏ ନାଲିଫଗୁ ସେ ତା’ ଓଠ ସନ୍ଧିରୁ ଫୁଙ୍କି ଉଡ଼ାଇଦେଲା । ପୁଣି ସେ ଫୁଟି ଉଠିଲା । ମୁଁ ତାକୁ କୋଳ କରିନେଲି । ତୁମର ସେହି ରୁମାଳିଆ ଛୋଟ କୋକୀ ଭଳି କୁତ୍ତିଟି–ସେ ମଧ୍ୟ କୁଆଡ଼େ ଥିଲା, ଦଉଡ଼ି ଆସି ତୁମ ଗୋଡ଼ ତଳେ ପରମ କୃତଜ୍ଞତା ଆଉ ଆହ୍ଲାଦରେ ଘଷିହୋଇ ତଳେ ଗଡ଼ି ଲାଗିଲା ।

ତୁମେ ଦେବାଧିଦେବ ଭଳି ଡାଇନିଙ୍ଗ୍ ଟେବୁଲ ପାଖେ ବସି ସମସ୍ତଙ୍କୁ କୋଳରେ ଯାକି ଧରିଥାଅ । ତା’ପରେ ହଠାତ ଜୁଲ୍‍କୁନ୍ (ତୁମ ସାନ ଝିଅ) ତୁମ ଆଡ଼କୁ ଉଡ଼ି ଆସିଲା ଚଢ଼େଇଟିଏ ଭଳି । ତୁମ ମୁଣ୍ଡ ଉପରେ ବସିଗଲା ଆଉ ବୋବେଇ ଲାଗିଲା–କକ୍ ଏ ଡ଼ୁଡ଼ୁଲୁଡ଼ୁ କକ୍ ଏଡ଼ୁଡ଼ୁଲୁଡ଼ୁ-। ମୁଁ ମଧ୍ୟ ସଙ୍ଗେ ସଙ୍ଗେ ବୋବଇ ଉଠିଲି

ଡିକୋରୀ ଡିକୋରୀ ଡକ୍

ଡିକୋରୀ ଡିକୋରୀ ଡକ୍

ସେଇଠୁ ଲକ୍ଷ ଲକ୍ଷ ଚଢ଼େଇ ଆମ ଚାରିପଟ ଶାଖା ପ୍ରଶାଖାରେ କାକଳି କରି ଉଠିଲେ–

କୁହୁ କୁହୁ କୁହୁ

ଟୁଇକ୍-ଏଟୁଇକ୍-ଏ ଟୁଇକ୍

କ୍ୟୁ କୁଳୁ କୌ–କ୍ୟୁ କୁଳୁ କୌ

ଚିରିଙ୍ଗ୍-ଚିରିଙ୍ଗ୍ ଚିରିଙ୍ଗ୍

ମୋ ଭିତରେ ବାଲ୍ୟକାଳର ଚଢ଼େଇ ସମ୍ପର୍କୀୟ କରୁଣ ଶିଶୁ-ସଙ୍ଗୀତଟିଏ ଅନୁରଣିତ ହୋଇ ଉଠିଲା । ମୁଁ କାନ୍ଦି କାନ୍ଦି ଗାଇ ଉଠିଲି–

ବିଚାରୀ କକ୍‍ରବିନ୍‍କୁ କିଏ ମାରିଲା ରେ ?

ସଙ୍ଗେ ସଙ୍ଗେ ତୁମ ମଝିଆ ଝିଅ ଚଢ଼େଇ ଭଳି ଉତ୍ତର ଦେଲା–

ମୁଇଁ ମଉସା ମୁଇଁ...

ଖଡ଼ିକା ଧନୁ–ଖଡ଼ିକା ଶର

ଜାଣି ନ ଥିଲି ଏଡ଼ିକି ଖର

ଅଜାଣତରେ ଛିଟିକିଗଲା ରବିନ୍ ଗଲା ପଡ଼ି

(ଆହା) କେମିତି ଗଲା ମରି !!

 

ମୁଁ ଗାଇଲି–

 

କିଏ ଢାଳିବ ତା’ ପାଇଁ ଲୁହ-

କାନ୍ଦିବ କିଏ କହ ?

 

ମମୀ ଗାଇ ଉଠିଲା–

 

ମୁଇଁ କାନ୍ଦିବି ମୁଇଁ ।

ଆଖିରୁ ମୋର ବହିବ ଝର

ଅସରା ଦୁଃଖ ବେଦନା ଘୋର–

ଛାତିଏ ମୋର କୋହ

ଶୁଖିବ ନାହିଁ ଲୁହ ।

 

ମୁଁ ଗାଇଲି–

 

କିଏ ସେ ତାକୁ କବର ଦେବ ?

ପକାଇବ କେ ମାଟି ?

 

ତୁମ ବଡ଼ ଝିଅ ଗାଇ ଉଠିଲା–

 

ମାଟିରେ ନୁହ–ଛାତିରେ ମୋର

ସଜାଇଦେବି କବର ତା’ର–

ଫୁଲର ଶେଯ ପାତି

ରବିନ୍ ଲାଗି ମରମେ ମୋର

ବାଜିବ ଶୋକ ଗୀତି ।

ନିତି ଜାଳିବି ଧୂପବତି ।

 

ଆମେ ସମସ୍ତେ ପ୍ରସ୍ତୁତ ହୋଇ ଯାଇଥିଲୁ । ଲକ୍ଷ ଲକ୍ଷ ଚଢ଼େଇ ଆମ ଚାରିପଟ ଶାଖାମାନଙ୍କରେ ମଉନ ହୋଇ ମୁହଁ ତଳକୁ କରି ବସି ରହିଥିଲେ; ମାତ୍ର ହଠାତ ତୁମର ସାନ ଝିଅ ଜୁଲୁକୁନ୍‍ର କ’ଣ ମନକୁ ଆସିଲା କେଜାଣି–ସେ ତୁମ ମୁଣ୍ଡ ଉପରେ ବୋବେଇ ଉଠିଲା–

 

କ୍ୟୁ କୁଳୁ କୌ-କୌ

କ୍ୟୁ କୁଳୁକୌ କୌ-କକ୍ ଏଡ଼ୁଡ଼ୁଲୁଡ଼ୁ

କକ୍ ଏ ଡ଼ୁଡ଼ୁଲ୍ଡ଼ୁ

ରହ ରହ ରହ

ମୋ ପାଖେ ଅଛି ମନ୍ତର ପାଣି

ଛିଞ୍ଚି ଦେବି ରହ

ଶୁଙ୍ଘାଇ ଦେବି ମନ୍ତର ଫୁଲ

ଉଠିବ ରବିନ୍ ଚେଇଁ

ମରିନି ସେ ତ-ଜିଇଁଚି ଦେଖ–

ମାରୁଛି ପରା ହାଇ ।

ଓଁ-ହ୍ଳିଂ କ୍ଳିଂ ଶ୍ଳୀଂ ହ୍ରୀଂ–

ଫଟ୍ ଫାଟ୍ ସ୍ୱାହା

ଆହା-ଆହା-ଆହା

ବାହା-ବାହା-ବାହା

ଉଠ୍‍ରେ ପୁତା ଉଠ୍

ଉଠ୍ ରବିନ୍ ଉଠ୍

ବହୁତ ବେଳୁ ପଡ଼ିଛୁ ଶୋଇ–

ଆଧାର ଦେବି ଉଠ୍ ।

 

ସୁତନୁ ! ଚଢ଼େଇମାନେ ସମସ୍ତେ ଆନନ୍ଦରେ କୋହାହଳ କରି ଉଠିଲେ । ରବିନ୍ ମରି ନଥିଲା । ଉଠି ବସିଲା । ସୁତନୁ ! କିଏ ରବିନ୍‍କୁ ମାରିପାରେ ? ଆଉ ଆମର ଶୋଚନା କରିବାର କ’ଣ ଅଛି ? ଏ ଜଗତକୁ ଏଣିକି ସାଧିହେବ । ପୃଥିବୀ ହେବ ଆମ ଭଳି ଚଢ଼େଇମାନଙ୍କର । ତୁମେ ଆଉ ମୁଁ କେବଳ ନୁହ–ସେମାନେ ମଧ୍ୟ ଆସି ଗଲେଣି । ଆଉ ଆମ୍ଭମାନଙ୍କ ଉପରେ କେବଳ ଏ ପୃଥିବୀ ନିର୍ଭର କରୁ ନାହିଁ । ସୁତନୁ ! ତୁମକୁ କିପରିଭାବେ ମୋର ଏ ଆନନ୍ଦ ଆଉ ନୂତନ ଆଶାର ବାର୍ତ୍ତା ଜଣାଇବି !

 

ରହିଲି !

Image

 

ଜୀବନବାବୁଙ୍କ ଜୀବନ-ଦର୍ଶନ

 

ଆଜିକୁ କିଛିଦିନ ହେଲା ଜୀବନବାବୁ ଜୀବନ ଉପରୁ ଆସ୍ଥା ହରାଇ ପାଗଳ ଭଳି ହୋଇଗଲେଣି । ତାଙ୍କର ଦିନୁଁଦିନ ଧାରଣା ଦୃଢ଼ ହେଉଛି ଯେ ଏ ଜୀବନ ବଡ଼ ଅନିଶ୍ଚିତ । ‘‘କେ ଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ !’’ ପ୍ରକୃତରେ କିଏ କହିପାରେ ? ଜୀବନଟା ପାଣିଫୋଟକା ନା କ’ଣ ? ଏଇନେ ଅଛି–ଠୋ କିନାଫାଟିଲା–ବାସ୍ ସବୁ ଶୂନ୍ୟ । ‘‘ଆରେ ମନୁଆ ଭାଇ ! ଏ ଦେହ କଞ୍ଚା ହାଣ୍ଡି ଯିବ ମିଳାଇ ।’’

 

ତା’ ଛଡ଼ାବି ଗୋଟାଏ ସୁନିଶ୍ଚିନ୍ତ ପରିଣତିର ଯୋଜନା ଉପରେ ମଧ୍ୟ ଏ ଜୀବନ କ୍ରମେ କ୍ରମେ ମୃତ୍ୟୁ ଆଡ଼କୁ ଆଗେଇ ଯାଉ ନାହିଁ । ଅଧା ବାଟରେ–ପାଏ ବାଟରେ–ବାହାରୁ ବାହାରୁ ମଧ୍ୟ କେତେ ନଈ ଶୁଖି ଯାଉଛନ୍ତି–ମରି ଯାଉଛନ୍ତି । ଗଛରେ ସବୁ ଆମ୍ୱ ଯେ ପାଚିଲେ ଯାଇ ଝଡ଼ିବେ–ଏମିତି କିଛି ଗ୍ୟାରେଣ୍ଟି ନାହିଁ । ବଉଳରୁ ଝଡ଼ିଯାଏ–କୁହୁଡ଼ିରେ ପୋଡ଼ିଯାଏ–ଚଣା ଗଳିପଡ଼େ–କଷିସବୁ କୋଇଲିପାରୁଡ଼ା ହୋଇ ଖସିପଡ଼େ–ଅଧାଟିଆ ଆମ୍ୱବି ଶୁଖିଲା ଡେମ୍ଫରୁ ଗଳିପଡ଼ନ୍ତି–ମୋଟ ଉପରେ–‘‘ସେଇ କାଳ ଯମ ବଡ଼ ଦାରୁଣରେ ଗଣନା କରଇ ଦିନ–ବାଛିନିଏ କଞ୍ଚା ରଖଇ ପାଚଲା ଅଟଇ କୁବୁଦ୍ଧିହୀନ !’’

 

ଚାଳିଶିବର୍ଷ ବୟସ୍କ ଜୀବନବାବୁ ଚାରିଆଡ଼େ କେବଳ ମୃତ୍ୟୁର କାଳଛାୟା ଦେଖିବାକୁ ପାଇଲେ । ମୃତ୍ୟୁ–ମୃତ୍ୟୁ–ମୃତ୍ୟୁ ଛଡ଼ା ମଣିଷର ଆଉ ଅନ୍ୟ ଗତି ନାହିଁ । ଅଦୃଶ୍ୟରେ ରହି–ଅଦୃଶ୍ୟ ଦଉଡ଼ି ଲଗାଇ ସେ ମଣିଷକୁ ଅଲକ୍ଷ୍ୟରେ ଟାଣୁଛି, ତା’ର ସେଇ ଅନ୍ଧାରିଆ ମହାଶୂନ୍ୟର ବିବର ଭିତରକୁ । ଜୀବନ ମିଥ୍ୟା । ମୃତ୍ୟୁର ଇ ଏକ ଛଳନା ଏଇ ଜୀବନ । ମରିବା ଛଡ଼ା ଆଉ ଉପାୟ ନାହିଁ ।

 

ଉପାୟ ନାହିଁ ? ଜୀବନବାବୁ ତ୍ରସ୍ତ ହୋଇଉଠନ୍ତି–ବିକଳ ହୋଇଉଠନ୍ତି । ମୃତ୍ୟୁ !! ହାୟ–ହାୟ ! ଓହୋ !! କି ଭୀଷଣ–କି ନାରକୀୟ–ଶ୍ୱାସରୋଧକାରୀ ମହାନୈରାଶ୍ୟମୟ–ଅସହାୟ ଯନ୍ତ୍ରଣାକର ପରିଣତି ! ତାଙ୍କ ଆଖି ଆଗରେ ଭାସିଯାଏ ତାଙ୍କର, ପିଲାଦିନେ ତାଙ୍କର ସେହି ମଫସଲ ଗାଁରେ ଦେଖିଥିବା ଗୋଟାଏ ଦୃଶ୍ୟ । ଗୋଟାଏ ଅନ୍ଧାରିଆ ସନ୍ତସନ୍ତିଆ କୁଟା-ମାଟିର ଘର–ଚାରିଆଡ଼େ ଝରକା ଦୁଆର ବନ୍ଦ–ମଳମୂତ୍ରର ଆବଦ୍ଧ ଦୁର୍ଗନ୍ଧ–ଗୋଟାଏ ଛିଣ୍ଡା ହେଁସ ଉପରେ ଗୁଡ଼ାଏ ମଇଳା ଛିଣ୍ଡାକନ୍ଥା–ତୂଳାଉଡ଼ା ତେଲଚିକିଟା ଗୋଟାଏ ତକିଆରେ ମୁଣ୍ଡ ରଖି ଗୋଟାଏ ମୁମୂର୍ଷୁ କଙ୍କାଳ ଚାରିକାତ ଲମ୍ୱାଇ ପଡ଼ିଯାଇଛି । ତା’ର ତଣ୍ଟି ଘଡ଼ ଘଡ଼ ଶୁଭୁଛି–ଅଣଚାଶ ପବନ ବହୁଛି ତା’ର ନାକ ଭିତରୁ–ଛାଟିପିଟି ହେଉଛି–ଗୋଡ଼ହାତ ହେମାଳ ଧରିଆସୁଛି । ଆଉ ତା’ ପାଖରେ କଙ୍କାଳସାର ମାଇପିଟିଏ ମଇଳା କନା ଖଣ୍ଡିଏ ପିନ୍ଧି ଅନ୍ଧାରର ମୂର୍ତ୍ତି ଧରି ସୁକୁ ସୁକୁ ହୋଇ ବସି କାନ୍ଦୁଛି । ପାଖରେ ଗୋଟାଏ ନିଆଁ ଉହ୍ମେଇ–ସେଇ ନିଆଁରେ ବିକଳ ହୋଇ ସେକିଲାଗିଛି ମୁମୂର୍ଷୁ ଲୋକଟିର ହେମାଳିଆ ହାତ ଆଉ ପାଦ ଦୁଇଟିକୁ । ଚାରିପାଖେ ଜମିଛନ୍ତି ଦେଖଣାହାରିଏ । ସେମାନେବି ଦିଶୁଛନ୍ତି ଯମଦୂତ ଭଳି–ଜୀବନ ଛାଡ଼ିଲେ କୋକେଇରେ ପକାଇ ବାନ୍ଧି ବୋହିନେବେ ମଶାଣିକି–ମୁର୍ଦାର ଉପରେ କାଠଗଡ଼ ଲଦି–କିରାସିନି ଢାଳି ଜାଳି ଦେଇ ଏକମୁହାଁ ଚାଲିଆସିବେ, ଆଉ ପଛକୁ ନ ଅନାଇଁ । ସେମାନେ ମାଲଭାଇ । କୋକେଇରେ ମୁର୍ଦାରକୁ ବାନ୍ଧି ତାଳେ ତାଳେ ପାଦ ପକାଇ ଚାଲିବେ ମଶାଣି ଆଡ଼କୁ ଗୀତ ଗାଇ ଗାଇ–‘‘ରାମ ନାମ ସତ୍ୟ ହୈ ।’’

 

ଜୀବନବାବୁ ମନେ ମନେ ବିରକ୍ତ ହୋଇଉଠନ୍ତି । ବାଜେ କଥା–ରାମ ନାମ କୈସେ ସତ୍ୟ ହୈ–ବୋଲୋ ‘‘ମରା ନାମ ସତ୍ୟ ହୈ !!’’

 

ମାଲଭାଇମାନେ ପ୍ରସ୍ତୁତ ହୋଇ ଠିଆ ହୋଇଥାନ୍ତି–କେତେବେଳେ ଜୀବନ ଛାଡ଼ିବ–ରାତି ବେଶି ହୋଇଯାଉଛି । ହଠାତ ବାଡ଼ିର ନିଘଞ୍ଚ ଅନ୍ଧାରିଆ ତେନ୍ତୁଳୀ ଗଛ ସନ୍ଧିରୁ ପେଚାଟାଏ ଡାକିଉଠେ । ପୋଖରୀ ଉପର ଯାଉଁଳି ତାଳଗଛ ଉପରେ ଶାଗୁଣାଙ୍କର ପକ୍ଷୀଝଡ଼ା ଶବ୍ଦ ଶୁଭେ । ନଡ଼ିଆ ଗଛ ଉପରୁ ହୁଁ ହାଁ ଚଢ଼େଇମାନେ ବୋବେଇ ଉଠନ୍ତି । ଆଉ ସବାଶେଷରେ ବାଡ଼ିପଟ ବିଲ ହୁଡ଼ା ଉପରୁ ଆକାଶ, ପାତାଳ ଆଉ ପୃଥିବୀକୁ ଡରାଇ ଦେଇ–ଥରାଇ ଦେଇ ନରକର ଶଙ୍ଖ ବଜାଇ ତିନି ଥର ଚିତ୍କାର କରିଉଠେ–ଖେଙ୍କାରି ଉଠେ ଗୋଟାଏ ଅଣ୍ଡିରା ବିଲୁଆ–ଭେଓଉ-ଉ-ଉ-ଉ-ଉ-ଉ-ଉ...

 

ଆଉ ଏଣେ ସଙ୍ଗେ ସଙ୍ଗେ କଙ୍କାଳସାର ମଳୁଟିର ଅଣଚାଶ ହଠାତ ସାଇଁକିନା ଥମ୍ୱିଯାଏ । ହେକ୍–ହେକ୍–ହେକ୍ କରି ହେକ୍‍କା ଉଠେ–ଅସହାୟ ଆତୁରତାରେ ତିନି ଥର ପାଟି ମେଲା ହୋଇଯାଏ ମାଛର ପାଟି ପରି । ତା’ପରେ ଏକ ଅସ୍ପଷ୍ଟ ‘‘କଅଁ ଅଁ ଅଁ’’ ଭଳି କ’ଣ ଗୋଟାଏ ଶବ୍ଦ ଶୁଭେ । ତା’ପରେ–ତା’ପରେ–ସବୁ ଶେଷ ହୋଇଯାଏ–ଜୀବନ ଉଡ଼ିଯାଏ–ଆଉ ଶେଷରେ ଗାଁର ଗୋହରି ଦାଣ୍ଡ ଉପରେ ମାଲଭାଇମାନଙ୍କର କଣ୍ଠରୁ କୋକେଇର ବୀଭତ୍ସ ସଙ୍ଗୀତ ଭାସିଆସି କ୍ରମେ ମିଳେଇ ଯାଉଥାଏ, ଗାଁ ଦାଣ୍ଡରେ ମୁମୂର୍ଷୁ-ଅସହାୟ ଭୀତିପ୍ରଦ ଅନ୍ଧାର ଭିତରେ–ରାମ ନାମ ସତ୍ୟ ହୈ–ଯାହା ଶୁଭୁଥାଏ ଜୀଅନ୍ତା ଲୋକଙ୍କ କାନକୁ–‘‘ମରା ନାମ ସତ୍ୟ ହୈ’’ ଭଳି ଆତଙ୍କମୟ-

 

ଇସ–ଏ ଦୃଶ୍ୟ ମନେ ପଡ଼ିଲେ ଇ ଜୀବନବାବୁଙ୍କ ଦେହ ଥରିଉଠେ–ଝାଳ ବହିଯାଏ–ମନେହୁଏ ସତେ କି ତାଙ୍କର ନିଃଶ୍ୱାସ ବନ୍ଦ ହୋଇଆସୁଛି !! ଏଇ ବୋଧହୁଏ–ଅଣଚାଶ ଆରମ୍ଭ ହୋଇଯିବ ...କିବା ସେ ପଡ଼ିଯିବେ– !!

 

ନାଃ, ଏ ଭୟରୁ ନିସ୍ତାର ପାଇବା ଉଚିତ । ଜୀବନବାବୁ ନାନା କାର୍ଯ୍ୟରେ ମନୋନିବେଶ କଲେ । ଅଫିସରେ ସବୁ କାର୍ଯ୍ୟକୁ ମନ ଦେଇ ସେ ଉତ୍ସାହର ସହିତ ଦେଖିଲେ । ଫାଇଲଗୁଡ଼ିକୁ ଖୁଣ୍ଟିନାଣ୍ଟି ପଢ଼ିଲେ–ଟିପ୍ପଣୀ ଦେଲେ; ମାତ୍ର ଫାଇଲ ଭିତରେବି ‘‘ମୃତ୍ୟୁ’’ ରହିଛି ଲୁଚିକରି । ଗୋଟାଏ ଫାଇଲ କାଢ଼ିଆଣି ସେ ଦେଖନ୍ତି ତ–ସେଥିରେ ଗତ ତିନି ମାସର ଏ ପ୍ରଦେଶର କେବଳ ଅକାଳମୃତ୍ୟୁ ଓ ଦୁର୍ଘଟନାଜନିତ ବା ସଂକ୍ରାମକ ରୋଗଜନିତ ମୃତ୍ୟୁର ହିସାବ ରହିଛି । ବନ୍ୟାଦୁର୍ଗତ ଅଞ୍ଚଳରେ ଉଡ଼ାଜାହାଜରୁ ଖାଦ୍ୟବସ୍ତା ପନି ଅଠର ଜଣ ଲୋକ ପ୍ରାଣ ହରାଇଛନ୍ତି–ବଲାଙ୍ଗୀର ଜିଲ୍ଲାରେ ବସନ୍ତ ଲାଗି ବାର ଜଣ–ବାଲେଶ୍ୱରରେ ହଇଜା ଯୋଗୁଁ ଛଅସ୍ତରି ଜଣ–ନାଃ...ମୃତ୍ୟୁର ହିସାବ ଇ ତାଙ୍କୁ ବରଂ ବେଶି ମୃତ୍ୟୁ-ସଚେତନ କରାଇ ଦେଉଛି !!

 

ଜୀବନବାବୁ ତା’ପରେ ଶସ୍ତା ପ୍ରେମ-ଉପନ୍ୟାସ ସିରିଜ୍‍ସବୁ କିଣି ପଢ଼ିବାକୁ ଲାଗିଲେ । ଏଇସବୁ ପ୍ରେମ ଫ୍ରେମ ବ୍ୟାପାରରେ ମୃତ୍ୟୁର ଛାୟା ନାହିଁ, ଯୌବନହିଁ ଜୀବନର ଉଦ୍ଦାମ-ଦୀପ୍ତିରେ ଜାଜ୍ୱଲ୍ୟମାନ । ପ୍ରେମ ଯୌବନର ଧର୍ମ, ଆଉ ପ୍ରେମ ଲାଗି ପ୍ରେମିକ-ପ୍ରେମିକାମାନେ ମୃତ୍ୟୁକୁ ଭୟ କରନ୍ତି ନାହିଁ । ମୃତ୍ୟୁ ସେମାନଙ୍କୁ ବାଟ ଛାଡ଼ିଦେଇ ଅପସରି ରହେ; ମାତ୍ର ଏ କ’ଣ ? ପ୍ରେମିକ ପ୍ରେମିକାକୁ ଧରି ମାଡ଼୍ରାସ୍ ମେଲ୍‍ରେ ଚମ୍ପଟ ଦେଇଛି ପ୍ରଥମ ଶ୍ରେଣୀର ଏକ ନିର୍ଜନ କାମେରାରେ–ଦୁଇ ପଟେ ପାହାଡ଼ ପର୍ବତ-ବନ-ନଦୀ-ଉଦ୍ୟାନ-ହ୍ରଦ-ଆକାଶରେ ଚନ୍ଦ୍ର ଆଉ ତାରାମାନେବି ଦଉଡ଼ିଛନ୍ତି–ଟ୍ରେନ୍ ଛୁଟିଛି–ପୃଥିବୀ ଛୁଟିଛି–ଛୁଟିଛି ମଧ୍ୟ ଦୁଇଟି ଯୌବନ-ମଦମତ୍ତ ପ୍ରଣୟତପ୍ତ ଉଚ୍ଛ୍ୱସିତ ପ୍ରେମିକ-ପ୍ରେମିକାଙ୍କର ଜୀବନଧର୍ମୀ ହୃଦୟ–ବେଶ୍ ବେଶ୍–ଚମତ୍କାର–ମାତ୍ର ଏ କ’ଣ ? ଏ କ’ଣ ? ଓହୋହୋ–ଆହା-ହା–ହେଇ ହେଇ–ହେଇ ଢୋଓ-ଓ-ଓ-ଓ...ହଠାତ୍ ଗୋଟାଏ ମାଲଗାଡ଼ି ସଙ୍ଗେ ସଂଘର୍ଷ ହୋଇ...ଇସ–ଓହୋ ହୋ–ମୃତ୍ୟୁ-ମୃତ୍ୟୁ–ଚାରିଆଡ଼େ ମୃତ୍ୟୁର କରାଳ ଆର୍ତ୍ତଚିତ୍କାର !

 

ନାଃ–ପଢ଼ାପଢ଼ିରେବି କିଛି ଲାଭ ନାହିଁ । ଏପରି କି ଖବରକାଗଜବି ନୁହ । ବେଶି ମୃତ୍ୟୁ-ସଚେତନ କରୁଛି ପୁଣି ଏଇ ଖବରକାଗଜ । କିଏସବୁ ଜନ୍ମ ହେଲେ ତା’ର ବିବରଣୀ ଦିଅନ୍ତି ନାହିଁ ସେମାନେ । ସବୁଖବର ମରଣର କେବଳ । ଆଜିକାଲି ଘଟୁଛିବି ସେଇଆ–କେତେ ଟ୍ରେନ୍-ବସ୍-ଟ୍ରକ୍-କାର୍ ଦୁର୍ଘଟନା । ମୃତ୍ୟୁକୁ ଆକସ୍ମିକ କରାଇଦେଉଛି ପୁଣି ଏଇ ଯନ୍ତ୍ର । ନା-ନା, ଯନ୍ତ୍ରକୁ ଦୋଷ ଦେଇ ଲାଭ କ’ଣ ? କୋରାପୁଟଠାରୁ ଆଫ୍ରିକା ଯାଏଁ ବାଘ, ସିଂହ, ଭାଲୁ, ସାପ ସମସ୍ତଙ୍କର ଆଖିବି ଏଇ ମଣିଷର ଜୀବନ ଉପରେ । ଶହ ଶହ ମରୁଛନ୍ତି ସାପ କାମୁଡ଼ାରେ–ବାଘ ମୁହଁରେ । ଚଡ଼ଚଡ଼ି ପଡ଼ି ମରୁଛନ୍ତି–ନିଆଁରେ ପୋଡ଼ି ମରୁଛନ୍ତି–ବିଜୁଳି-ସକ୍‍ରେ ମରୁଛନ୍ତି–ମରୁଛନ୍ତି ଖାଦ୍ୟଦ୍ରବ୍ୟରେ ଭେଜାଲ ମିଶା ଖାଇ । ଟି.ବି., କ୍ୟାନସର୍, ଟିଟାନସ–କିଛି ନ ହେଲେବି ଖାଲି ହାର୍ଟଫେଲରେ ମରୁଛନ୍ତି ଅଧେ ଲୋକ ।

 

ନାଃ–ମୃତ୍ୟୁ ଇ ଧ୍ରୁବ । ମୃତ୍ୟୁରେଽବ ନ ସଂଶୟଃ ।

 

ଜୀବନବାବୁ ହଠାତ ବିବ୍ରତ ହୋଇପଡ଼ନ୍ତି । ଆଖି ଆଗରେ ଭାସିଉଠେ ବାରମ୍ୱାର–ସେଇ ପିଲାଦିନେ ଗାଁରେ ଦେଖିଥିବା ମୃତ୍ୟୁର ସେହି କରାଳ ଛବି–ଅନ୍ଧାର ଘର–ଛିଣ୍ଡାହେଁସ–ତେଲଚିକିଟା ତକିଆ–ଛିଣ୍ଡା ମଇଳା କନ୍ଥା–ଆଉ ତାକୁ ଲାଗି ନାରକୀୟ ମୃତ୍ୟୁର ଏକ କରାଳ କଙ୍କାଳ–ଅଣଚାଶ ପବନ–ଘଡ଼ ଘଡ଼–ସଡ଼ ସଡ଼–ହାକ-ହାକ-ହାକ–ସେଇଠୁ କୁଉଁ-ଉଁ-ଉଁ-ଉଁ-ଉଁ–ଗୋଟାଏ କ’ଣ ବନ୍ଧା ବେଲୁନରୁ ପବନ ବାହାରିଯିବା ଭଳି ଶବ୍ଦ...ତା’ପରେ–ତା’ପରେ–ଗାଁ ଗୋହରିର ଅନ୍ଧାର ଭିତରୁ ଭାସିଆସୁଥିବା–ମରା ନାମ ସତ୍ୟ ହୈ–ମରା ନାମ ସତ୍ୟ ହୈ–ମରା ନାମ ସତ୍ୟ ହୈ ।

 

ମନେ ପଡ଼ୁ ପଡ଼ୁ ଜୀବନବାବୁଙ୍କ ଦେହରୁ ସତେ କି ଜୀବନ ଛାଡ଼ିଆସୁଛି–ଏମିତି ଲାଗେ-

 

ମାତ୍ର–ନାଃ !! ଏତେ ଚଞ୍ଚଳ ନୁହେଁ–ଏତେ ସହଜବି ନୁହେଁ ।

 

ଜୀବନବାବୁ ଶୋଇବା ଥାନରୁ ଫକ୍‍କିନା ଡିଆଁ ମାରନ୍ତି ତଳକୁ । ତା’ପରେ ଆଉ ଗୋଟିଏ ଡିଆଁରେ ଏକାବେଳେ ଯାଇ ଅଗଣା ଭିତରେ । ସେଇ ଅଗଣାରେ ଠିଆ ହୋଇ–ପିଲାଦିନେ ଶିଖିଥିବା ଦଣ୍ଡବୈଠକ କିଛି ମାରିଦିଅନ୍ତି–ନା-ନା–ଏତେ ସହଜ ନୁହେଁରେ ବାବା ! ଜୀବନବାବୁ ବାହୁ, ଛାତି ଓ ଜଙ୍ଘର ମାଂସପେଶୀ ଟଣକାନ୍ତି । ଠିକ୍ ଠିକ ଏତେ ସହଜ ନୁହେଁ–ଏ ଦେହରେ ଏବେବି ବଳ ଅଛି–ହାତୀର ବଳ–ଏ ମାଂସପେଶୀରେ ଜୀବନ ଖୁନ୍ଦିଖାନ୍ଦି ହୋଇ ଭର୍ତ୍ତି ରହିଛି ବାବୁ–ଏତେ ସହଜ ନୁହେଁ !! ଜୀବନବାବୁ ଉତ୍ସାହ ଆବେଗରେ ପିଲାମାନଙ୍କୁ ଡାକ ପକାନ୍ତି–ହେ ପିଲେ ! ଟୁଟୁ, ମୁଟୁ, ଫୁକୁନା ! ଆସ-ଆସ । ଆସ, ବାହାରିଆସ–କିଏ କୋଉଠି ଅଛ–ଆସ ରେ–ବସ ଆଜି ଖେଳିବା ମୂଷା ବିଲେଇ । ପିଲାମାନେ ଦୌଡ଼ିଆସନ୍ତି । ବଡ଼ ପୁଅଟା ଭାରି କୁହାଳିଆ । ବାପାଙ୍କର ଏଇ ଅସ୍ୱାଭାବିକ ଅଦିନିଆ ଶିଶୁସୁଲଭ-ଜୀବନ୍ତ-ଉତ୍ସାହରେ ସେ ମଧ୍ୟ ଉତ୍ସାହିତ ହୋଇ କହିଉଠେ–

 

ବାପା ! ତୁମେ କ’ଣ ଆମକୁ ପାରିବ ? କହିଦେଉଛି–ନିଶ୍ଚେ ତୁମେ ମରିବ ।

 

ଏଁ ! ମରିବି !!!

 

ଜୀବନବାବୁ ବଡ଼ ପୁଅର ଆଖିକୁ ଚାହିଁରହନ୍ତି କାତର ହୋଇ । ସତେ କି ସେ ଅଜଣାତରେ ଭବିଷ୍ୟତ୍ ବାଣୀ କହିଦେଉଛି । ତାଙ୍କ ଦେହ ହାତରୁ ଜୀବନ ଛାଡ଼ିଗଲା ଭଳି ଲାଗେ-

 

ତା’ ହେଲେ ଆଉ ଉପାୟ କ’ଣ ? କ’ଣ କଲେ–କେଉଁଠିକି ଗଲେ ଏଇ ମୃତ୍ୟୁ ହାରରୁ–ଅନ୍ତତଃ ତା’ର ଭୟ-ଜାଲରୁ ନିସ୍ତାର ମିଳିବ ?

 

ଜୀବନବାବୁ ବହୁପ୍ରକାର ଚେଷ୍ଟା କଲେ; ମାତ୍ର ନାଃ । ମୃତ୍ୟୁକୁ ଭୁଲି ହୁଏ ନାହିଁ । କେଉଁ ଛଟକରେ ହେଲେବି ଆସି ମୁହଁ ଦେଖାଇ ଯାଏଁ ମୃତ୍ୟୁ । ମୂଷା ଯନ୍ତା ଭିତରେ ଗୋଟାଏ ଖୁବ୍ ମୋଟା ମୂଷା କାଲି ରାତିରୁ ଚିପି ହୋଇ ମରି ଯାଇଛି । ମାତ୍ର ତା’ର ଡିମା ଡିମା ଛୋଟ କଳା ଆଖି ଦୁଇଟା ସେମିତି ଦପ୍ ଦପ୍ କରୁଛି । ତା’ ଭିତରୁ ଜୀବନର ଜ୍ୟୋତି ଲିଭିଯାଇ–ମରଣର ଜ୍ୱାଳା ଇ ତୀକ୍ଷ୍ଣ ଭାବରେ ବିଛୁରି ପଡ଼ୁଛି । ରାସ୍ତା ଉପରେ ମଟର ତଳେ ଚାପା ପଡ଼ି ମରିଯାଇଛି ଗୋଟାଏ ବୁଲା କୁକୁର–ତା’ର ଅନ୍ତବୁଜୁଳା ବାହାରି ପଡ଼ିଛି–ଆଉ ପାଟିଟା ମେଲା ହୋଇଯାଇ–ଦୁଇ ପଟର ଦାନ୍ତ ସ୍ପଷ୍ଟ ଦୁଇ ଧାଡ଼ି ହୋଇ ବାହାରି ପଡ଼ିଛି । ସେ ଦାନ୍ତରୁ ଜୀବନର ହସ ଲିଭିଯାଇ–ମୃତ୍ୟୁର ଅଟ୍ଟହାସ ଭୟଙ୍କରଭାବେ ଉଜଳି ଉଠୁଛି । ପାଣି ପାଇପ୍ ପାଖରେ ଚେପେଟାଇ ମରି ପଡ଼ିଛି ଗୋଟାଏ ବେଙ୍ଗ–ଚାରିକାଚ ମେଲା କରି ଉପରମୁହାଁ–ପେଟର ଧଳା ଅଂଶଟା ଆହୁରି ଶେତା ଦିଶୁଛି । ସେତିକ ଜଣେଇ ଦେଉଛି–ଏ ଜୀବନ କେଡ଼େ ଅସହାୟ–କେଡ଼େ ଅରକ୍ଷ–କେଡ଼େ ଦୁର୍ବଳ-। କେବଳ ବଳବାନ୍ ହେଉଛି–ମୃତ୍ୟୁ–ମୃତ୍ୟୁ । ପୃଥିବୀଟା ତ ବର୍ତ୍ତମାନ ମୃତ୍ୟୁ ହାତରେ ପଡ଼ିଗଲାଣି । ଗୋଟାଏ ପେଣ୍ଡୁ ଭଳି ମୃତ୍ୟୁ ପୃଥିବୀଟାକୁ ଉପରକୁ ଫିଙ୍ଗି ଦେଇ ପୁଣି ଧରିନେଉଛି...କେତେବେଳେ କୋଉ ମୁହୂର୍ତ୍ତରେ ଯେ ଏ ପେଣ୍ଡୁ ଫାଟିବ !

 

ଏହିଭଳି ଜୀବନବାବୁ ଦିନୁଁଦିନ ମୃତ୍ୟୁ ଉପରେ ବିଶେଷଭାବେ ସଚେତନ ହୋଇ ଉଠିଲେ । ମାତ୍ର ସଂସାରର ଏଇ କ୍ଷଣିକତା ବା ନଶ୍ୱରତାକୁ ବାରମ୍ୱାର ଅବଲୋକନ କରି ଓ ଅନୁଭବ କରି ଜୀବନବାବୁଙ୍କର ମୃତ୍ୟୁସ୍ପର୍ଶାତୁର ମନ ଯେ ସଂସାର ପ୍ରତି ମାୟାଚ୍ଛିନ୍ନ ହୋଇ ହିମାଳୟ ଆଡ଼କୁ ତପସ୍ୟା ଲାଗି ମୁହାଁଇଲା–ଏମନ୍ତ ନୁହେଁ କିମ୍ୱା ନିରଞ୍ଜନା ନଦୀତଟରେ ବସି ଅଥବା ବୋଧିଦ୍ରୁମ ତଳେ ନିର୍ବାଣସାଧନା ଆରମ୍ଭ କରିବାକୁ ସ୍ଥିର ନିଶ୍ଚୟ ହେଲା–ତା’ ମଧ୍ୟ ନୁହେଁ ।

 

ବରଂ ମୃତ୍ୟୁ ପ୍ରତି ଏଇ ତୀବ୍ର ସଚେତନା–ଜୀବନବାବୁଙ୍କ ଭଳି ଜଣେ ସାଧାରଣ ଭାବରେ ଧୀରସ୍ଥିର, ସଂଯମୀ ପ୍ରୌଢ଼ ଭଦ୍ରବ୍ୟକ୍ତିଙ୍କ ମନକୁ କିମ୍ଭୂତ ପ୍ରକାରେ ପ୍ରତିକ୍ରିୟାଶୀଳ କରାଇ ଦେଲା । ତାଙ୍କର ନୀତିଶାସିତ, ଧର୍ମଲାଳିତ, ଜ୍ଞାନପାଳିତ ମନ ଭିତରେ ସାଂସାରିକ ଭୋଗଲାଳସା ପ୍ରତି ଏକ ଆକସ୍ମିକ ଦୁର୍ବାର ପ୍ରମତ୍ତ ଲୋଭାତୁର ଆବେଗ ମାତିଉଠିଲା । ସେ ଆଉ ନିଜର ମନକୁ ସ୍ଥିର ରଖି ପାରିଲେ ନାହିଁ । ସଂସାରର ଦୁର୍ଲଭ ଓ ମନୋହର ପଦାର୍ଥମାନ ଭୋଗ କରିଯିବାକୁ ସେ ଦିନୁଁଦିନ ବେଶି ବ୍ୟାକୁଳ ହୋଇ ଉଠିଲେ । କୌଣସି କାର୍ଯ୍ୟରେ ଆଉ ତାଙ୍କର ମନ ଲାଗିଲା ନାହିଁ-। ସର୍ବଦା ମୃତ୍ୟୁଭୟ ଓ ଜୀବନକୁ ସବୁପ୍ରକାରେ ଭୋଗ କରିଯିବା ଲାଗି ଏକ ଦୁର୍ବାର ପ୍ରମତ୍ତ ଚଞ୍ଚଳ ଆକାଂକ୍ଷା ।

 

ସେଦିନ ରବିବାର । ଖାଇପିଇ ଖଟ ଉପରେ ଏକାକୀ ବିଛଣା ଉପରେ ଚିତ୍‍ ହୋଇ ପଡ଼ିରହି ଜୀବନବାବୁ ଦିବାନିଦ୍ରା ଲାଗି ପ୍ରସ୍ତୁତ ହେଉଥିଲେ । ପିଲାମାନେ ସମସ୍ତେ ପଡ଼ୋଶୀଙ୍କ ଘରେ ଖେଳୁଥାନ୍ତି । ସ୍ତ୍ରୀ ଅନଙ୍ଗମଞ୍ଜରୀ ଠାକୁରଘରେ ବସି ନାମରତ୍ନ ଗୀତା ବା ଅମରଜୁମର କିମ୍ୱା ମହୀମଣ୍ଡଳ ଗୀତା ବା ଅଣାକାର ସଂହିତା ଅଥବା ଛୟାଳିଶିପଟଳ କି ଗୁରୁ ବ୍ରହ୍ମଗୀତା ପଢ଼ୁଛନ୍ତି । ଅନଙ୍ଗମଞ୍ଜରୀ ଦେବୀ ଗୃହିଣୀ ହେଲେବି ସନ୍ନ୍ୟାସିନୀ । ବାୟା ଅବଧୂତ ବାବାଙ୍କର ଶିଷ୍ୟା । ଏଇ ଦୀକ୍ଷା ସେ ତାଙ୍କର ପିତୃ ମାତୃ ସୂତ୍ରେ ଲାଭ କରିଛନ୍ତି । ତାଙ୍କର ଧାରଣା ଯେ–ପୃଥିବୀର ଏ ବ୍ୟବସ୍ଥା ଆଉ ବେଶି ଦିନ ରହିବ ନାହିଁ । ଶୀଘ୍ର କଳିକାଳ ଶେଷ ହୋଇଯିବ । ଭଗବାନ୍ କଳ୍‍କି ଅବତାର ହୋଇ ମ୍ଳେଚ୍ଛ ସଂହାର କରିବେ । ବାର ହାତ ଖଣ୍ଡା ଧରି ଦଶଭୁଜା ସହସ୍ର ଯୋଗ୍ନୀମାନଙ୍କୁ ସଙ୍ଗେ ଧରି ମ୍ଳେଚ୍ଛାମାନଙ୍କୁ ଖାଇଯିବେ । ଘରେ ଘରେ ଡାକ ପଡ଼ିଯିବ । ଭୈରବୀ ରଡ଼ି ହେବ–କଲିକତାରେ ଯେଉଁ କାଳୀ–ସେଇ ଯେ ଦେବ ସିଂହ ରଡ଼ି । ସେ ରଡ଼ି ଚମତ୍କାର ହେବ–ଚଉଦିଗକୁ ସେ ଶୁଭିବ । ସେ ସମୟ ଆଉ ବେଶି ଦିନ ନାହିଁ । ତରକିଥିବୁ ତେରକୁ–ଚଉଦ ପନ୍ଦର କେହି ନ ରହିବେ ସତ ଉପୁଜିବ ସତରକୁ । ତେବେ ଯେଉଁମାନେ ‘‘ଛତିଆବଟ’’ କି ‘‘କାଳିଆବୋଦା’’ ପାଖେ ଶରଣ ପଶିବେ–ସେମାନେ ଏ ଯୁଗସଂହାର ପାର ହୋଇଯିବେ ।

 

ଅନଙ୍ଗମଞ୍ଜରୀ ଏହି ବିଶ୍ୱାସ ଧରି ବଞ୍ଚିଛନ୍ତି । ତାଙ୍କର ଧାରଣା ସେ ମରିବେ ନାହିଁ । ବାୟା ଅବଧୂତ ବାବାଙ୍କ ବାନା ଧରି ସେ ସଂହାର ଲୀଳାକୁ ପାରି ହୋଇଯିବେ । ଏଥିଲାଗି ଗୃହସଂସାର କାର୍ଯ୍ୟ ସାରି–ସେ ଠାକୁରଘରେ ପ୍ରତିଦିନ ଏହିସବୁ ସଂହିତା ଓ ଗୀତାଦି ଶାସ୍ତ୍ର ପାରାୟଣ କରନ୍ତି । ଠାକୁରଘରେ–ଦଶଭୁଜା–କଳ୍‍କି ଅବତାର–ଆଉ ବାୟା ଅବଧୂତ ବାବାଙ୍କ ଫଟୋକୁ ଘଣ୍ଟା ଘଣ୍ଟା ଧରି ଚାହିଁରହି ଅଶ୍ରୁପ୍ଳାବିତ କଣ୍ଠରେ ଗୁରୁନାମ ଭଜନ କରନ୍ତି ।

 

ଆଜି ରବିବାର । ଠାକୁରଘରେ ଅନଙ୍ଗମଞ୍ଜରୀ କବାଟ ଆଉଜାଇ ଗୁରୁପ୍ରେମରେ ଭୋଳ ହୋଇ ଶାସ୍ତ୍ର ଶୁଣୁଛନ୍ତି । ମାତ୍ର ଜୀବନବାବୁଙ୍କର ଆଉ ଠାକୁର ବା ଗୁରୁ ଇତ୍ୟାଦିଙ୍କ ଉପରେ ଆସ୍ଥା ନାହିଁ । ସେ ସ୍ଥିର କରି ସାରିଲେଣି–ମରଣ ହାତରୁ କେହି ଉଧୁରି ପାରିବେ ନାହିଁ–ଉଦ୍ଧାରବି କରିପାରିବେ ନାହିଁ । କି ଲାଭ ମିଛେ ମିଛେ ମାଳା ଜପିବାର–ସ୍ତୁତି କରିବାର ? ତା’ ଅପେକ୍ଷା–ବରଂ ତା’ ଅପେକ୍ଷା–ମୃତ୍ୟୁ ପୂର୍ବରୁ–ମାନେ–ମାନେ–ମରଣ ଆସି ପହଞ୍ଚିଯିବା ପୂର୍ବରୁ–ଅର୍ଥାତ୍–ମାନେ–ଜୀବନଟାକୁ–ଅନ୍ତତଃ–ଅର୍ଥାତ୍–କିନ୍ତୁ–ମାନେ–

 

ଆରେ ଚଲ୍ !!

 

ଜୀବନବାବୁ ଖଟ ଉପରେ ଉଠି ବସିଲେ–ସତେ କି କିଛି ଗୋଟେ ସ୍ଥିରପଥ ମିଳିଗଲା-!!! ଏଥର ଦ୍ୱନ୍ଦ୍ୱକୁ ପଛରେ ପକାଇ । ସେ ସେଇ ପଥରେ ଅଟଳ ହୋଇ ଚାଲିବେ-!!

 

ଆରେ ଚଲ୍–ଜାନେ ଦୋ ! ଆଉ ଗୁଡ଼ାଏ, କିନ୍ତୁ–ଅର୍ଥାତ୍–ମାନେ–ଇତ୍ୟାଦିର ପ୍ରଶ୍ନ ନାହିଁ-। ଆଉ ଦୋଦୋପାଞ୍ଚ ହେବା ଉଚିତ ନୁହେଁ । ଯାହା ପାଇବା–ମରିବା ପୂର୍ବରୁ ଆଗ ଭୋଗ କରିଯିବା । ଆଉ କେତେ ଦିନ ? କେତେ ଦିନକୁ ରେ ମନ ବାନ୍ଧିଛୁ ଆଣ୍ଟ ? ଏ ପୃଥ୍ୱୀ କାଆଲି ପ୍ରଳୟ ହେବ । ତା’ ପୂର୍ବରୁ ମଧ୍ୟ ଧୂଳିର ଏ ମରକଳେବରକୁ ଧୂଳିରେ ଗଡ଼ାଇ ଦେଇ–ପବନସ୍ୱରୂପୀ ଏଇ ଆତ୍ମାପୁରୁଷ ଉଡ଼ି ଚାଲିଯିବ ଅଦୃଶ୍ୟ ହୋଇ–ମିଶିଯିବ ମହାଶୂନ୍ୟରେ–ଫୁଃସଃ-!!! ଆଉ ମିଳିବ ନାହିଁ–ମିଳିବ ନାହିଁ–ଏଇ ଦୁର୍ଲଭ ମଣିଷ ଜନ୍ମ । ଏଇ ପ୍ରଚଣ୍ଡ ଜୀବନୀଶକ୍ତିର ମହାତେଜରେ ଉତ୍ତପ୍ତ କ୍ରିୟାକ୍ଷମ ବଳଶାଳୀ ପଞ୍ଚ କର୍ଣ୍ଣେନ୍ଦ୍ରିୟର ଓ ପଞ୍ଚ ଜ୍ଞାନେନ୍ଦ୍ରିୟର ବଳିଷ୍ଠ ମଧୁର ଆକର୍ଷଣ ଆଉ ମିଳିବ ନାହିଁ–ମିଳିବ ନାହିଁ ।

 

ତା’ହେଲେ ???

 

ତା’ହେଲେ–ସବୁ ଇନ୍ଦ୍ରିୟଦ୍ୱାରରେ ଭୋଗିଯିବାକୁ ପଡ଼ିବ ପ୍ରାଣଭରି ଏଇ ସୁଜଳା, ସୁଫଳା, ସୁରସା, ଧନଧାନ୍ୟଭରା ବିପୁଳ ପୃଥ୍ୱୀକି । ଆଖିତରାଟି ଦେଖିଯିବା–ଏ ପୃଥ୍ୱୀର କେତେ ଛଇ–କେତେ ଛଟକ–କେତେ ରଙ୍ଗ ! କାନ ଡେରି ଶୁଣିଯିବା–ଏ ପୃଥ୍ୱୀର କେତେ କୁଁ କୁଁ–ସୁଁ ସୁଁ–ଢାଉଁ ଢାଉଁ–ହାଉଁ ମାଉଁ । ଜିଭ ବୁଲାଇ ଚାଖିଯିବା–ଏ ପୃଥ୍ୱୀ କେତେ ରସୁଆଳ–କେତେ ବଢ଼ିଆଳ-!!

 

ଆଉ ସମୟ ନାହିଁ–ଆଉ ସମୟ ନାହିଁ । କର କର ନିରୀକ୍ଷଣ ନିଃଶବ୍ଦେ ଜୀବନ-ସ୍ରୋତ ଧାଉଁଛି କିପରି... । କେ ଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ !!

 

ଜୀବନବାବୁ ପୁଣି ଡେରି ହୋଇ ସ୍ଥିରଭାବରେ ବସିଲେ । ତେବେ କିପରି ଏ କାମନା ପୂରଣ କରିବାକୁ ହେବ ? କେଉଁ ଉପାୟରେ ଏ ପୃଥ୍ୱୀକି ଶୋଷି ନେଇ ହେବ ଏକା ଶୋଷଡ଼ାକେ-! ହାପୁଡ଼ି ନେଇ ଗର୍ଭକୁ କ୍ଷେପିଦେଇ ହେବ ଏକା ହାପୁଡ଼ାକେ !! ଜୀବନରେ ବହୁ ତୃଷା ଅଶାନ୍ତ ରହିଛି–ବହୁ ତୃଷ୍ଣା ଅମେଣ୍ଟା ହୋଇ ରହିଛି । ସବୁ ପ୍ରକାର ତୃଷ୍ଣା ଆଉ ତୃଷ୍ଣାକୁ କିନ୍ତୁ ଦୁଇଟି ମାତ୍ର ମାଧ୍ୟମରେ ଶାନ୍ତ କରାଯାଇ ପାରେ । ଏ ପୃଥ୍ୱୀରେ ଦୁଇଟି ମାତ୍ର ଜିନିଷ ତ ସବୁଠାରୁ ମନୋହର ଭୋଗ୍ୟ ପଦାର୍ଥ–ସୁରସ, ସୁଷମ ଖାଦ୍ୟ–ଆଉ ସୁରସା, ସୁନ୍ଦରୀ ନାରୀ ।

 

ଏହି ପୃଥିବୀରେ ସୁନ୍ଦରୀ ରସବତୀ ନାରୀଙ୍କର ଅଭାବ ନାହିଁ । ମାତ୍ର ପୂର୍ବ ଜନ୍ମର ତପସ୍ୟା ନ ଥିଲେ ସେ ଭୋଗ ସମସ୍ତଙ୍କୁ ମିଳେ ନାହିଁ । ବଡ଼ ମହର୍ଗ ସେ ପଦାର୍ଥ । ସେମାନଙ୍କ ପାଖକୁ ଗଲେ ପୁଣି ବେଶି ବଢ଼ିଯାଏ ତାଙ୍କର ଭାଉ । ସେ ବଡ଼ ହାଙ୍ଗାମା କଥା । ଏ ବୟସରେ ଦେହର ସେ ଜୋର୍ ଥିଲେ ମଧ୍ୟ ମନର ସେ ଆଗ୍ରହବି ମରିଗଲାଣି । ତା’ଛଡ଼ାବି ସେମାନେ ଯେତେ ନ ଦିଅନ୍ତି, ତା’ଠାରୁ ବହୁ ଗୁଣରେ ଟାଣି ନିଅନ୍ତି । ନ ଜାଣି କବି କହିଛନ୍ତି–ଦିନ୍‍ମେ ମୋହିନୀ ରାତ୍‍ମେ ବାଘିନୀ ପଲକ୍ ପଲକ୍ ଲହୁ ଚୁଷେ !! ...ଛାଡ଼–ସେସବୁ ବଡ଼ ପରିଶ୍ରମ କାମ !!

 

ନାଃ–ସେ କଥା ହେବ ନାହିଁ ଆଉ ହୋଇପାରିବ ନାହିଁ । ବରଂ–ବରଂ–

 

ବରଂ କିଛି ଖାଇଯିବା । ଖାଇଯିବା କିଛି ବଡ଼ ବଡ଼ ରସଗୋଲା–ରାଜଭୋଗ–ଛେନାତାଡ଼ିଆ–ଭାକୁର ମୁଣ୍ଡ–ଖାସି ମାଂସର କୁର୍ମା–ଚୁଙ୍ଗୁଡ଼ି କଟ୍‍ଲେଟ୍–ଫାଉଲ୍ ରୋଷ୍ଟ–ପ୍ଲେଟ୍ ପରେ ପ୍ଲେଟ୍ ବିରିଆନୀ–ମଲାଇ ଚପ୍......ଆଉ–ଆଉ–ଭୁବନେଶ୍ୱରୀ ରସକୋରା ଦୋପାଗୀ ଉଖୁଡ଼ା–କେନ୍ଦ୍ରାପଡ଼ା ରସାବଳୀ–ଧାମନଗରୀ ଚୁଡ଼ା–ପୁରୀ ବେଢ଼ାର ମଗଜଲଡ଼ୁ–ଖଣ୍ଡ ଖଣ୍ଡ ବସାଦହି–ମୁଣ୍ଡା ମୁଣ୍ଡା ଛେନା–

 

ଖାଇଯିବା–ଏସବୁ ପେଟ ପୂରାଇ ଖାଇନେବା । ମୃତ୍ୟୁ ପୂର୍ବରୁ ଅନ୍ତତଃ ଯେତେ ପାରେ ସେତେ ଖାଇନେବା । ଆଉସବୁ ଛାଡ଼ । ଏସବୁ ହାତ ପାଆନ୍ତର ଜିନିଷ–ଆଗ ଭୋଗିନେବା–ଖାଇଯିବା କିଛି ।

 

ଏତିକି ଠିକ୍ କରିଦେଇ ଜୀବନବାବୁ ଖଟ ଉପରୁ ତଳକୁ ଓହ୍ଲାଇ ଆସି ସ୍ତ୍ରୀଙ୍କୁ ଡାକିଲେ । ହଇଏ, ଶୁଣୁଛ ?

 

ଅନଙ୍ଗମଞ୍ଜରୀ ଠାକୁରଘରେ ତନ୍ମୟ ହୋଇ ଆଗତ ଭବିଷ୍ୟ ମାଳିକା ପଢ଼ୁଥିଲେ । ତାଙ୍କ କାନକୁ ସ୍ୱାମୀଙ୍କର ଡାକ ଶୁଭିଲା ନାହିଁ । ଜୀବନବାବୁ ଅତ୍ୟଧିକ ଆବେଗରେ ଠାକୁରଘର ଦ୍ୱାରକୁ ପେଲି ମେଲା କରିଦେଲେ–ମଞ୍ଜରୀ ! ଶୁଣ–ଶୁଣ–ରଖ ତୁମର ସେ ଶାସ୍ତ୍ର–ଶୁଣ !! ଜୀବନର ନୂତନ ଲକ୍ଷ୍ୟ ମୋର ଏଣିକି ସ୍ଥିର ହୋଇଗଲା–ଶୁଣ–ଆସ ବାହାରକୁ–

 

ଅନଙ୍ଗମଞ୍ଜରୀ ବିରକ୍ତ ହୋଇ ଠାକୁରଘରେ ଥାଇ ପଚାରିଲେ–କ’ଣ–କ’ଣ ଲକ୍ଷ୍ୟ ତୁମର ସ୍ଥିର ହେଲା ? ତୁମେ ଟିକିଏ ମୋତେ ଶାନ୍ତିରେ ପୂଜା କରିବାକୁ ଦେବ ନାହିଁ । ଘରେ ରହିଲେ ତ ତୁମର ସବୁ ବାହାରେ !!

 

ଜୀବନବାବୁ କହିଲେ–ବୁଝିଲ ? ଆଜିଠାରୁ ଗୋଟିଏ ଓଳି ମୋତେ ହୋଟେଲରେ ଖାଇବାକୁ ପଡ଼ିବ ।

 

କାହିଁକି ? ମୁଣ୍ଡ ଖରାପ ହେଲାଣି ନା କ’ଣ ? ହୋଟେଲରେ ଖାଇବ କାହିଁକି ? ଆଠ ଦିନ ଲାଗି ଛତିଆବଟ ଗଲି ଯେ–ହୋଟେଲରେ ଖାଇ ଦୁଇ ମାସ ଡିସେଣ୍ଟ୍ରି ଭୋଗିଲ । ଫେର୍ ଏ ଦୁର୍ବୁଦ୍ଧି କାହିଁକି ? ହୋଟେଲକୁ ଯିବ କିଆଁ ? ମୁଁ କ’ଣ ମଲିଣି କି ?

 

ମରି ନାହିଁ–କିନ୍ତୁ ମରିବ । ସେ ସମୟବି ଆଉ ଡେରି ନାହିଁ । ଆଉ କେତେ ଦିନକୁ ? ଏ ଜୀବନ ପାଣି ଫୋଟକା–କେତେବେଳେ ଯେ ଫାଟିବ ଠୋ କିନା–କିଛି ଥିର ନାହିଁ–ଦେଖୁନ–ପ୍ରଳୟର ସୂଚନା ? କାଆଲି ଏ ପୃଥ୍ୱୀ ପ୍ରଳୟ ହେବ । ପୃଥିବୀରବି ଅଣଚାଶ ବୋହିଲାଣି–ଧୁକୁ ଧୁକୁ ହେଲାଣି ପୃଥିବୀର ଜୀବନ । ଗଣ୍ଡା ଗଣ୍ଡା ରକେଟ କାଳ ଛଞ୍ଚାଣ ଭଳି ପୃଥିବୀ ଉପରେ ଉଡ଼ୁଛନ୍ତି । ମୁଣ୍ଡ ଉପରେ ରୁଷିଆ–ଗୋଡ଼ତଳେ ଆମେରିକା–ଆଉ ମଝିରେ ଚାଇନା–କଫ ବାତ ପିତ୍ତ–ହୋଇଲେ ସଂଯୁକ୍ତରେ–ହୋଇଲେ ସଂଯୁକ୍ତ–ତଣ୍ଟି ଶୁଭୁଥିବ ଘଡ଼ ଘଡ଼୍ ଘଡ଼୍ – । ଭାରତର ମକରଧ୍ୱଜ ଆଉ କାଟ କରିବ ନାହିଁ ମଞ୍ଜରୀ ! ଚାଇନା ମାଡ଼ରେ କୈଳାସ ପର୍ବତ ଦୋହଲିଲାଣି–ପ୍ରଳୟ ପାଖେଇ ଆସିଲା–ନେଫା ଆଉ ଲାଡ଼ାକ୍‍କୁ କେନ୍ଦ୍ର କରି ଲାଗିଯିବ–ଲାଗିଯିବ ମହାସମର ପୃଥିବୀ ଉପରେ–ବୁଝିଲ ? ପୃଥିବୀର ଗୋଡ଼ତଳୁ ଜୀବନ ଛାଡ଼ି ଛାଡ଼ି ଆସି–କଣ୍ଠ ପାଖେ ପହଞ୍ଚିବ–ସେଇଠି ଚାଲିବ ଯୁଦ୍ଧ–କଫ ବାତ ପିତ୍ତ–ରୁଷ, ଆମେରିକା ଆଉ ଚାଇନା–ବହିବ ଅଣଚାଶ ପବନ–ସେଇଠୁ ତିନି ଥର ହେକ୍‍କା ମାରି–ଶେଷରେ କୁଉଁଉଁଉଁ କିନା ଶବ୍ଦ କରି–ଏ ପୃଥିବୀରୁ ଜୀବନ ଛାଡ଼ିଯିବ–ଧୂଳିବି ଆଉ ରହିବ ନାହିଁ–ସବୁ ପାଉଁଶ ହୋଇ ମହାଶୂନ୍ୟରେ ଉଡ଼ିଯିବ ।

 

ବାୟା ବାବାଙ୍କ ଶିଷ୍ୟା ପତ୍ନୀ ଅନଙ୍ଗମଞ୍ଜରୀ ସବୁ କଥା ହାଁ କରି ଶୁଣୁଥିଲେ । ତାଙ୍କ ମାର୍ଗରେ ସେ ସ୍ୱାମୀଙ୍କର କଥାକୁ ବୁଝିନେଇ–ସ୍ୱାମୀ, ତାଙ୍କର ମତବାଦ ଆଡ଼କୁ କ୍ରମେ କ୍ରମେ ଢଳୁଛନ୍ତି ବୋଲି ଭାବି ବେଶ୍ ଆହ୍ଲାଦିତ ହୋଇ ସେ ‘‘ଆଗତ ଭବିଷ୍ୟ ମାଳିକା’’ ବହିଟିକୁ ହାତରେ ଧରି ଉଠି ଠିଆ ହେଲେ । ଆଉ ଉତ୍ସାହରେ କହିଲେ–

 

ସେ କଥା’ କ’ଣ ମୋତେ ଜଣାନାହିଁ ଭାବିଛ ? ବାବା ତ ବାରମ୍ୱାର ଏଇ କଥା କହନ୍ତି । ଆଉ ଏଇ ଯେଉଁ ଭବିଷ୍ୟ ମାଳିକା ବହିଖଣ୍ଡିକ ହେଇ ମୁଁ ଧରିଛି–ଯାହା ଉପରେ ଆଗରୁ ତୁମର ବିଶ୍ୱାସ ନଥିଲା–ସେଥିରେବି ସେଇ କଥା ଲେଖା ହୋଇଛି–

 

କ’ଣ ଲେଖା ହୋଇଛି ? ଜୀବନବାବୁ ପଚାରିଲେ ।

 

ସବୁ ଲେଖା ହୋଇଛି ! ତରକିଥିବୁ ତେରକୁ–ଚଉଦ ପନ୍ଦରେ କେହି ନ ରହିବେ ସତ ଉପୁଜିବ ସତରକୁ ! କଳ୍‍କି ଅବତାର ହେବ–ବାର ହାତ ଖଣ୍ଡା ବାହାରିବ–ବଉଳା କିମୀର ଉଠିବ–ଭୁବନେଶ୍ୱରଠୁଁ ଉଠିବ ବାସୁଆ ବଳଦ–ଭୈରବୀ ରଡ଼ି ହେବ–ସହସ୍ର ଯୋଗିନୀ ବୁଲିବେ ଗ୍ରାମେ ଗ୍ରାମେ–ମ୍ଳେଚ୍ଛ ସଂହାର ହେବ । କ’ଣ ନାହିଁ କହ ?

 

ଜୀବନବାବୁ କହିଲେ–ଜାଣୁଛ ତ ? ଚାଇନାର ଆକ୍ରମଣ କଥା ଶୁଣୁଛ ତ ? ଆମ ସୈନ୍ୟମାନେ ହଟିଆସିଲେ । ହିମାଳୟ ଯାକ ମାଡ଼ିଗଲେଣି ସେମାନେ । ହିମାଳୟ ହଳଦିଆ ଦିଶିଲାଣି । ଏଣେ ଇଂଲଣ୍ଡ, ଆମେରିକା, ଫ୍ରାନ୍‍ସ ଆଦି ଭାରତକୁ ଉସ୍କାଇଲେଣି । ଚାଇନା କୁଆଡ଼େ ପରମାଣୁ ବୋମା ତିଆରି କରିଛି । ବାଇଆ ହାତରେ ନିଆଁ ଖପରା ପଡ଼ିଛି । ମତୁଆଳ ହୋଇ ପକାଇଦେବ ଯଦି ନା ଗୋଟେ–ଖାଲି ଏଇ ଦେଶ ପାଉଁଶ ହେବ ନାହିଁ ବୁଝିଲ । ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ–ସବୁଆଡ଼େ ଲାଗିଯିବ ନିଆଁ !! ଏଇ ନିଆଁ ଭିତରକୁ ଡେଇଁବ ବୋଲି ବହୁଦିନୁ ପୃଥିବୀ ପ୍ରଜାପତି ଭଳି ଖଲ ଖଲ ହେଉଛି । ମାତ୍ର କୋଉ ଗୋଟେ ସୂତ୍ରରେ ପୁଣି ଅଟକି ଯାଉଛି । ମାତ୍ର ଏଥର ବାଇଆ ହାତରେ ପଡ଼ିଲାଣି ନିଆଁ ଖପରା - । ଏଥର ପୃଥିବୀ ନିଆଁ ଭିତରକୁ ଡେଉଁ ନ ଡେଉଁ–ନିଆଁ ଡେଇଁବ ପୃଥିବୀ ଉପରକୁ । ଜାଣିଥା–ନାଲି ହଳଦି ଦୁଇଟାଯାକହିଁ ନିଆଁର ରଙ୍ଗ । ଚାଇନା ବାଇଆ ହୋଇଛି । ତୁମ ମାଳିକା କଥା ଏଠି ଖାପିବ ନାହିଁ । ମାଓ-ସେ-ତୁଙ୍ଗ୍ ନାଁ ଶୁଣିଛ ?

 

ଅନଙ୍ଗମଞ୍ଜରୀ ତେଜିଉଠି କହିଲେ–ଖାପିବ ନାହିଁ ? ମାଳିକାରେ କୋଉ କଥା ଲେଖା ନ ହୋଇଛି ! ‘‘ଅମରଜୁମର’’ ଦେଖିବ ? ଶୁଣ ମାଳିକା କ’ଣ ଡାକୁଛି–‘‘ଉତ୍ତରେ ସାଜିବ, ଦକ୍ଷିଣେ ଗାଜିବ, ମଧ୍ୟେ ହେବ ଲୀଳାଭୂଇଁ–ଝାଡ଼ବାଡ଼ ଧରି ଯେତେକ ରହିବେ ବିହନ ହୋଇବେ ସେହି ।’’

 

‘‘ଝାଡ଼ବାଡ଼’’ଟି କ’ଣ ? ଜୀବନବାବୁ ପଚାରି ଦେଲେ ।

 

ଗୁରୁସେବା । ଗୁରୁସେବା କର । ସଂହାରରୁ ପାରି ହୋଇଯିବ–ଉଦ୍ଧାର ପାଇଯିବ । ଅଜପା ଜପିବ–ଅଲେଖା ଲେଖିବ–ଅଗୁଣା ଗୁଣିବ–ଅଫେଡ଼ା ଫେଡ଼ିବ–ତେବେ ଯାଇ ତ୍ରିକୁଟ ସନ୍ଧିରେ ଜ୍ୟୋତି ଦେଖିବ–ମୋକ୍ଷ ପାଇଯିବ । ତା’ ନ କରି ହୋଟେଲରେ ଖାଇବ କାହିଁକି ? ପେଟରେ ନିଆଁ ପୂରେଇବ କାହିଁକି ?

 

ଜୀବନବାବୁ ବିରକ୍ତ ହୋଇ ଉଠିଲେ–

 

ଅଃ !! ଛାଡ଼ ଛାଡ଼ ବାବୁ ! ତୁମେ ଭାବୁଛ ମଥାରେ ସିନ୍ଦୁର ଆଉ ହାତରେ ଚୁଡ଼ି ନାଇ ତୁମ ବାଇଆ ବାବାଙ୍କ ପାଦସେବା କରି–ଅଜାମ୍ର ହୋଇ ଯୁଗାବଧି ବଞ୍ଚିବ ବୋଲି ! ସେ ଆଶା ଛାଡ଼ ବାବୁ ! ଯାହା ପାରୁଛ ଖାଇନିଅ – ଦେଖିନିଅ – ଚାଖିନିଅ – ଭୋଗିନିଅ । ଆଉ କେତେ ଦିନକୁ ରେ ମନ ବାନ୍ଧିଛୁ ଆଣ୍ଟ ?

 

ଅନଙ୍ଗମଞ୍ଜରୀ ସବୁ ବୁଝିଲା ପରି କହିଲେ–

 

ଓ !! ଯଦି ମରଣ କଥା ଏତେ ଭାବୁଛ–ଯଦି ଭାବୁଛ ଯେ ଶେଷବେଳା ପହଞ୍ଚି ଗଲାଣି–ମରଣ ଆସି ମୁଣ୍ଡ ଉପରେ–ତା’ ହେଲେ ତ–‘‘ଥକ୍‍କା ମନ ଚାଲ ଯିବା – ଚକା ନୟନ ଦେଖିବା’’–ହୋଟେଲକୁ ଯିବ କାହିଁକି ?

 

ଜୀବନବାବୁ ବ୍ୟସ୍ତ ହୋଇପଡ଼ିଲେ ।

 

ଆରେ ବାବୁ ! ନାଇଁ – ସେ କଥା ନୁହ । ଆମେ କ’ଣ ଏକା ମରିବା ? ପୃଥିବୀ ଧ୍ୱଂସ ହେବ–ଚକାଡ଼ୋଳା କ’ଣ କରିବେ ? ଜଳେ ଦ୍ୱାରକା ଯିବ ନାଶ । ପୁରୀରେ କ’ଣ ଆଉ ଠାକୁର ଅଛନ୍ତି ବୋଲି ଭାବୁଛ ? ମାଓ-ସେ-ତୁଙ୍ଗ ଡରରେ ପଳାଇଲେଣି ରତ୍ନସିଂହାସନ ଛାଡ଼ି । ବଡ଼ ଦେଉଳ ଉପରେ ପରା ଶାଗୁଣା ବସିଲାଣି !! ନୀଳଚକ୍ର ବଙ୍କା ଦୁଶୁଛି ।

 

ଅନଙ୍ଗମଞ୍ଜରୀ ଧର୍ମଶାସ୍ତ୍ରରେ ବିଜ୍ଞା । ପୁଣି ବାୟା ବାବାଙ୍କ ଶିଷ୍ୟା । ସେ କହିଲେ–‘‘ତା’ହେଲେ ଯିବା ଚାଲ ଛତିଆବଟ–ନୀଳାଚଳୁଁ ହରି ଆସି ସେଠି ହୋଇଛି ଗୁପତ ।’’

 

ଜୀବନବାବୁ ଭାବିଲେ–ଏ ନାରୀ ମୂଢ଼ା । ଭାବିଛି–ଛତିଆବଟ ତଳେ ଠିଆ ହେଲେ ମୃତ୍ୟୁ ତାକୁ ଛାଡ଼ିଦେବ ! ଯଦି ବା ସେଠି ଜଗନ୍ନାଥ ଆସି ଗୋପ୍ୟ ହୋଇଥାନ୍ତି–କାଳ ଯୁଦ୍ଧର ରଡ଼ିରେ ସେଠୁ ତାଙ୍କୁ ଛାଟିପିଟି ହୋଇ ପଳାଇ ଯିବାକୁ ବାଟ ମିଳିବ ନାହିଁ । ହାତ ଛିଞ୍ଚାଡ଼ି କହିଲେ–

 

ବୁଝିଲ ମଞ୍ଜରୀ ! ସେସବୁ କଥାରେ ମୋର ଆଉ ବିଶ୍ୱାସ ନାହିଁ । ‘‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି–ଦେବତା ହେଲେହେଁ ମରଇ ।’’ ତୁମ ବାଇଆ ବାବାବି ମରିବେ–ପାଗଳା ବାବା ପୋଡ଼ା ହେବେ ।

 

ଅନଙ୍ଗମଞ୍ଜରୀ ଖପା ହୋଇ କହିଲେ–

 

ସେମିତି କଥା କୁହ ନାହିଁ । ବାବାମାନେ ଅଗ୍ନିରେ ଦଗ୍‍ଧ ହୁଅନ୍ତି ନାହିଁ ଜାଣିଛ ? ମାଟିତଳେ ସମାଧି ନିଅନ୍ତି ।

 

ହଃ ଓ ବାବୁ ! ଏକା କଥା । ମାଟି-ପାଉଁଶ-ଏକା କଥା । ତେମେ ସେସବୁ କଥା ଛାଡ଼ । ମାଓ-ସେ-ତୁଙ୍ଗ୍ ଆଉ ଚାଓ-ଏନ୍-ଲାଇ ଏଇ ଦୁଇଟା ମଇଁଷିଙ୍କି କାଳରଥରେ ଯୋଚି ଯମ ଆସୁଛି ପୃଥିବୀ ଉପରକୁ । ଆଉ ରକ୍ଷା ନାହିଁ । ଯୁଦ୍ଧରେ ନ ମଲେବି ଖାଲି ଯୁଦ୍ଧର ହାଉଆରେବି ଆମେ ସବୁ ଟଳିପଡ଼ିବା । ତା’ ପୂର୍ବରୁ ଖାଇନେବା କିଛି–ତେମେବି ଯଦି ଆସୁଛ – ଆସ । ପିଲାପିଲିଙ୍କ କଥା ଛାଡ଼–କି ପୁଅ-ଝିଅ କିଏ କାହାର ? ମାୟା ସଂସାର ଏ । କେତେ ଘଡ଼ିକିରେ ମନ ବାନ୍ଧୁଛୁ ଆଣ୍ଟ ? କେ ଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ ! ତା’ ପୂର୍ବରୁ ଆସ–କିଛି ଖାଇଯିବା ।

 

ଏତିକି କହି ଜୀବନବାବୁ ଏକମୁହାଁ ହୋଟେଲ ଉଦ୍ଦେଶ୍ୟରେ ଧାଇଁଲେ । ଅନଙ୍ଗମଞ୍ଜରୀଙ୍କ କଥା ଶୁଣିବାକୁ ଆଉ ବେଳ ନାହିଁ । ମରଣ କାଳ ଉପସ୍ଥିତ ହେଲେ–କି ଭାର୍ଯ୍ୟା–ପୁଅ କିଏ କାହାର ? କସ୍ତେ ଭାର୍ଯ୍ୟା ? କସ୍ତେ ପୁତ୍ରମ୍ ?

 

ଶଃ !! ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା–

 

ୟାଃପ ! ଘର ଘରଣୀ ଦେହ କିଳାଉ ଥିବେ । ଚଲ୍ ଚଲ୍–

 

–ଦୁଇ–

 

ମନୋରଞ୍ଜନ କାଫେ ନିକଟରେ ପହଞ୍ଚିବାମାତ୍ରେ ଇ ପ୍ରଥମେ ହୋଟେଲ ଭିତରୁ ଭାସିଆସୁଥିବା ଚିଙ୍ଗୁଡ଼ି କଟ୍‍ଲେଟ୍‍ର ତାଜା ବାସନା ହଠାତ ତାଙ୍କ ଭିତରେ ଏକ ପ୍ରବଳ ଲୋଭାଲୋଡ଼ନ ସୃଷ୍ଟି କଲା । ଭିତରକୁ ପଶିବାମାତ୍ରେ ଇ ମାଂସକୁର୍ମା ଆଉ ବିରିଆନୀର ଜିହ୍ୱାଲାଳସ୍ରାବୀ ଘ୍ରାଣରେ ଜୀବନବାବୁ ଅସ୍ଥିର ହୋଇଉଠିଲେ । ପକେଟରେ ଦଶଟଙ୍କିଆ ନୋଟଟିଏ ଅଛି । ହୋଟେଲ ଭିତରେ ସବୁ ସିଟ୍‍ଗୁଡ଼ିକ ପ୍ରାୟ ପୂର୍ଣ୍ଣ । ତେବେ ଗୋଟିଏ କୋଣକୁ ଏକାକୀ ବସି ଖାଉଛନ୍ତି ଜଣେ ରୁଗ୍‍ଣ ଦୁର୍ବଳ ପ୍ରୌଢ଼ ଭଦ୍ରବ୍ୟକ୍ତି । ବ୍ୟକ୍ତି ତ ନୁହ, ବ୍ୟକ୍ତିର ଗୋଟିଏ କଙ୍କାଳ । ଅଥଚ ଖୁବ୍ ଧଳା ମଲ୍‍ମଲ୍ ପଞ୍ଜାବି ଆଉ ଧୋତି ସଙ୍ଗେ ଗଳାରେ ଗୋଟିଏ ସ୍ୱର୍ଣ୍ଣହାରପରିହିତ ଭଦ୍ରବ୍ୟକ୍ତିଟିର ଗୋଟାଏ ଆକର୍ଷଣୀୟ ବ୍ୟକ୍ତିତ୍ୱବି ଅଛି । ଏକ ଲୟରେ ଗମ୍ଭୀର ହୋଇ ସେ ଖାଉଛନ୍ତି–ଆଗରେ ବିରିଆନୀର ପ୍ଲେଟ–କୁର୍ମା–ଆଉ କଟ୍‍ଲେଟ୍ ସଙ୍ଗେ କିଛି ଟମାଟୋ, ଉଲି ଆଉ କଞ୍ଚାଲଙ୍କାର ସାଲାଡ଼୍ । ତାଙ୍କ ଖାଇବାରବି ବିଶେଷତ୍ୱଟି ଲକ୍ଷଣୀୟ । ବେଶ୍ ସ୍ଥିର ଓ ଗମ୍ଭୀର ଭଙ୍ଗୀରେ ଦେହ-ଯଷ୍ଟିଟି ସିଧା ରହିଛି–ମାତ୍ର ମୁଖ ଭିତରର ସେହି ବିଶେଷ ଇନ୍ଦ୍ରିୟଟି–ଜିହ୍ୱା–ଏପରି ସଚପଳ, ସକ୍ରିୟ, ସରସ ଆଉ ସଲୀଳ ଜିହ୍ୱା ସେ କେବେ ଦେଖି ନ ଥିଲେ-। ତାଙ୍କର ଜିହ୍ୱାସଞ୍ଚାଳନଟିକୁ ଲକ୍ଷ୍ୟ କଲେ–ଖାଦ୍ୟ ପ୍ରତି ଅତି ବିରାଗୀ ଲୋକରବି–ଏପରି କି ଜଣ୍ଡିସ୍ ରୋଗିରବି ଖାଦ୍ୟ ପ୍ରତି ଅତି ଏକ ପ୍ରବଳ ଲୋଭାତୁର ଲାଳସା ଜାଗ୍ରତ ହୋଇଉଠିବ । ମନେହୁଏ–ଏଇ ଜିଭ ଭିତରେ ଇ ସତେ କି ଭଦ୍ରବ୍ୟକ୍ତିଙ୍କର ସମସ୍ତ ବ୍ୟକ୍ତିତ୍ୱଟି ଅଧୁନା କେନ୍ଦ୍ରୀଭୂତ ।

 

ସେଇ ଲୋକଟିର ପାଖ ସିଟ୍‍ରେ ବସି ଜୀବନବାବୁ ବୟକୁ ଡାକିଲେ ।

 

କ’ଣ ଦେବି ଆଜ୍ଞା ?

 

ଯାହା ସବୁ ଅଛି ଆଣ–ବିରିଆନୀ, କଟ୍‍ଲେଟ୍, କୁର୍ମା, ମଟନ୍ । –ଆଣ ।

 

ସବୁଯାକ ଆଣିବି ଆଜ୍ଞା ?

 

ଆରେ ହଁ । ଖାଇବାକୁ ଆସିଛି ନା ଦେଖିବାକୁ ଆସିଛି ?

 

ପାଖରେ ଭୋଜନରତ ଖାଦ୍ୟଲାଳସୀ ରୁଗ୍‍ଣ ପ୍ରୌଢ଼ ଭଦ୍ରବ୍ୟକ୍ତିଟି ତାଙ୍କର କୋଟରଗତ ଚକ୍ଷୁଟିକୁ ଉପରକୁ ଟେକି–ଜୀବନବାବୁଙ୍କ ଆଡ଼କୁ ଚାହିଁ–ଗୋଟାଏ ବଡ଼ ବାଗ୍‍ଦା ଚୁଙ୍ଗୁଡ଼ିକୁ ମଡ଼୍ ମଡ଼୍ କରି ଚୋବାଇ ତାକୁ ବାରମ୍ୱାର ଜିହ୍ୱା ଉପରେ ସଞ୍ଚାଳନ କରି ରସାନୁଭବ କଲେ ।

 

ଜୀବନବାବୁ ପଚାରିଲେ–ଚୁଙ୍ଗୁଡ଼ି କିପରି ଲାଗୁଛି ଆଜ୍ଞା ?

 

ପ୍ରୌଢ଼ ଭଦ୍ରବ୍ୟକ୍ତି ଗମ୍ଭୀର ହୋଇ କହିଲେ–ଚୁଙ୍ଗୁଡ଼ି କିପରି ଲାଗିବ–ତାହା ତ ଚିଙ୍ଗୁଡ଼ିର ଦୟା ଉପରେ ନିର୍ଭର କରେନା !! ଆପଣ କ’ଣ ଏ ହୋଟେଲକୁ ନୂଆ ଆସିଛନ୍ତି କି ?

 

ହଁ ଆଜ୍ଞା !! ବୁଝିବାକୁ ଗଲେ ନୂଆ ନୁହ କ’ଣ ?

 

ଜୀବନବାବୁଙ୍କ ଖାଦ୍ୟସାମଗ୍ରୀ ଆସିଗଲା । ପ୍ରୌଢ଼ ଭଦ୍ରବ୍ୟକ୍ତି ସଂକ୍ଷେପରେ କହିଲେ–

 

ବାସ୍ – ଚଲାନ୍ତୁ ଏଥର !!

 

ଜୀବନବାବୁ ମଧ୍ୟ ଆଉ କିଛି ଉଚ୍ଚବାଚ ନ କରି ଚଳେଇଲେ । ଏକା ନିଃଶ୍ୱାସକେ ସେ ବିରିଆନୀ ଓ କୁର୍ମାତକ ଶେଷ କରି ପାଖ ପ୍ଲେଟରୁ ଗୋଟିଏ ବିରାଟ ଚୁଙ୍ଗୁଡ଼ି ଧରି ଦାନ୍ତରେ ଚାପି ଲାଗିଲେ । ଆଃ !!! ଚୁଙ୍ଗୁଡ଼ିସଂଲଗ୍ନ ସୁପାଚ୍ୟ ମସଲା ଓ ତୈଳ ତାଙ୍କର ଜିହ୍ୱା ଉପରେ ଏକ ଅଲୌକିକ ଆନନ୍ଦର ଶିହରଣ ଖେଳାଇ ଦେଲା । ସମଗ୍ର ଦେହଟି ତାଙ୍କର ପରମ ତୃପ୍ତିରେ ଟାଙ୍କୁରି ଉଠିଲା । ସେ କ୍ଷଣକାଳ ଲାଗି ସଂସାରକୁ ଭୁଲିଗଲେ । ମୃତ୍ୟୁକୁବି ଭୁଲିଗଲେ ।

 

ଏଣେ ପ୍ରୌଢ଼ ରୁଗ୍‍ଣ ଭଦ୍ରବ୍ୟକ୍ତିଙ୍କ ପ୍ଲେଟ ଶୂନ୍ୟ ହୋଇ ଆସିଲା । ସେ ତାଙ୍କର ରୁଗ୍‍ଣ, ଶିରାଳ, କ୍ଷୀଣ ଅଥଚ ବକସୁଲଭ ଗ୍ରୀବାଟିକୁ ଟେକି ଡାକିଲେ–

 

ବୟ !!! ଆଉ ଦୁଇଟା ଆଣ ।

 

କ’ଣ ଆଣିବି ସା’ବ !

 

ବୁଡ଼୍‍ ବକ୍ ! ତୋର ମୁଣ୍ଡ !

 

ବୟ ବେଶ୍ ନରମ ଭାବରେ କିଞ୍ଚିତ୍ ସ୍ମିତହାସ୍ୟରେ ବିନୟ ଦେଖାଇ କହିଲା–ଆଜ୍ଞା ! ମୋର ତ ଗୋଟାଏ ମୁଣ୍ଡ !

 

ପ୍ରୌଢ଼ ଭଦ୍ରବ୍ୟକ୍ତି ଖିଙ୍କାରି ଉଠିଲେ–ଆବେ, ତୁ ଗୋଟେ ଦୋମୁଣ୍ଡିଆ ସାପ ! ତୋର ଗୋଟେ ମୁଣ୍ଡ ଏଠି ଆମ ପାଖରେ –ଆଉ ଆର ମୁଣ୍ଡଟା ଯାଇ ସେଠି ହୋଟେଲର ମାଲିକ ପାଖରେ । ଆଣ ବେ ଆଉ ଦୁଇଟି ଚୁଙ୍ଗୁଡ଼ି ।

 

ଜୀବନବାବୁ ମଧ୍ୟ ଆଉ ଦୁଇଟା ଚୁଙ୍ଗୁଡ଼ି ବରାଦ ଦେଲେ । ବୟ ହସି ହସି ଚାଲିଗଲା । ମାତ୍ର ପ୍ରୌଢ଼ ରୁଗ୍‍ଣ ଭଦ୍ରବ୍ୟକ୍ତିଟି ଜୀବନବାବୁଙ୍କ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଏବଂ କିଞ୍ଚିତ୍ ତାଚ୍ଛଲ୍ୟ ଭଙ୍ଗୀରେ ଚାହିଁ କହିଲେ–

 

ଜୀର୍ଣ୍ଣ କରିପାରିବେ ତ ?

 

ଜୀବନବାବୁ ଏ ପ୍ରଶ୍ନରେ କିଞ୍ଚିତ୍ କ୍ଷୁଣ୍ଣ ହୋଇ କହିଲେ–

 

କିନ୍ତୁ ଆପଣ ତ ଜୀର୍ଣ୍ଣ କଲା ପରି ଦିଶୁ ନାହାନ୍ତି !! ନିଶ୍ଚୟ ଆପଣ ପେଟରୋଗି ।

 

ରୁଗ୍‍ଣ ପ୍ରୌଢ଼ ଭଦ୍ରବ୍ୟକ୍ତି ଚାମୁଚରେ ପ୍ଲେଟଟିକୁ ବାଡ଼ାଇ ବାଡ଼ାଇ କହିଲେ–

 

ଠିକ୍ ଧରିଛନ୍ତି । ଗ୍ୟାଷ୍ଟ୍ରିକ୍ ଅଲସର୍–ଆମିବିକ୍ ଡିସେଣ୍ଟ୍ରୀ–କୋଲାଇଟିସ୍–ଆଉ ଡିଓଡ଼ୋନାଲ୍ ଅଲସର୍ ସଙ୍ଗେ ପେପ୍‍ଟିକ୍......

 

ହେ ଭଗବାନ୍ !! ଜୀବନବାବୁ ଚାମୁଚ୍‍ସବୁ ଟେବୁଲ୍‍ରେ ଥୋଇ ହାତ ଯୋଡ଼ିଲେ । ଆପଣ ତଥାପି ହୋଟେଲ୍‍ରେ ଖାଉଛନ୍ତି ? ହେ ଭଗବାନ୍ !!

 

ରୁଗ୍‍ଣ ପ୍ରୌଢ଼ ଭଦ୍ରବ୍ୟକ୍ତି ଗୋଟାଏ ଆଖିକୁ ନାଟକୀୟ ଛଟାରେ ବୁଜି କହିଲେ –ଭଗବାନ୍‍ଙ୍କୁ ଡାକନ୍ତୁ ନାହିଁ ।

 

ତା’ହେଲେ କାହାକୁ ଡାକିବି ?

 

ସୟତାନକୁ ଡାକିପାରନ୍ତି ।

 

ଆପଣ କ’ଣ ଭଗବତ୍ ବିଶ୍ୱାସ କରନ୍ତି ନାହିଁ ?

 

ନା, ମୁଁ ବିଶ୍ୱାସ କରି ନାହିଁ ବୋଲି–ଅନ୍ତତଃ ତାଙ୍କର ଅସ୍ତିତ୍ୱ ଅଛି ବୋଲି କେତେକ ବିଶ୍ୱାସ କରୁଛନ୍ତି । ତେବେ ମୋ ସ୍ତ୍ରୀ ବିଶ୍ୱାସ କରନ୍ତି । ମୁଁ କିନ୍ତୁ ସୟତାନର ଭକ୍ତ । ଭଗବାନ୍ ଖାଇବାକୁ ନ ଦେଇ ମାରନ୍ତି; ମାତ୍ର ସୟତାନ ଖୁଆଇ ଖୁଆଇ ମାରେ । ବାର ବ୍ରତ ଉପବାସ କରି ମୋ ସ୍ତ୍ରୀ ନାନାଦି ରୋଗରେ ଘାଣ୍ଟି ହେଉଛନ୍ତି । ଆଉ ମୁଁ ସବୁବେଳେ ଖାଇ ଖାଇ ସେଇ ଆଡ଼କୁ ଚାଲିଛି ।

 

କୋଉ ଆଡ଼କୁ ?

 

ସେଇ ମୃତ୍ୟୁ ଆଡ଼କୁ । ମୋଟ ଉପରେ ଆମେ ଦୁହେଁ ମୃତ୍ୟୁପଥରେ ଆଗେଇ ଚାଲିଛୁ । ତଫାତ ଏତିକି–ମୋ ସ୍ତ୍ରୀଙ୍କୁ ଆଗଆଡ଼ୁ ଭଗବାନ୍ ଟାଣୁଛନ୍ତି, ମୋତେ ପଛଆଡ଼ୁ ସୟତାନ ଠେଲୁଛି ।

 

ଜୀବନବାବୁ କ’ଣ କହୁଥିଲେ; ମାତ୍ର ଚୁଙ୍ଗୁଡ଼ି ଆସିଯାଇଥିଲା । ଭିନେଗାର ଓ କଞ୍ଚାଲଙ୍କାମିଶ୍ରିତ ପିଆଜ ସାଙ୍ଗେ ମିଶାଇ ସେମାନେ ଗୋଟିଏ ଚୁଙ୍ଗୁଡ଼ିକୁ ଚୋବାଇ ପାକୁଳାଇ ଲାଗିଲେ । ଇତ୍ୟବସରରେ ଜୀବନବାବୁ କହିଲେ –ଆପଣଙ୍କ ନାମଟି ଜାଣିପାରେ କି ? ମୋ ନାମ ହେଉଛି–ଶ୍ରୀ ଜୀବନାନନ୍ଦ ମହାପାତ୍ର ।

 

ମୋ ନାଁଟି କିନ୍ତୁ ଶ୍ରୀ ମରଣାନନ୍ଦ ସାହୁ ।

 

ଏମିତିବି କ’ଣ ନାମ ଅଛି ଆଜ୍ଞା ?

 

ହଁ–ଜୀବନବାବୁଙ୍କ ପାଖେ ପାଖେ ମରଣବାବୁଙ୍କ ଅବସ୍ଥାନ । ଆଉ ଉଭୟରେ ଆନନ୍ଦ ଅଛି ।

 

ମରଣାନନ୍ଦ ପୁଣି ଥରେ ବୟକୁ ଡାକିଲେ ।

 

ହେ ବୟ ! ଯୋଡ଼ାଏ ବମ୍ ଆଣ ।

 

କି ବମ୍ ଆଜ୍ଞା ?

 

ଆଟମ୍ ବମ୍ ।

 

ସେ କୋଉଠି ଏଠିକି ଆସିଲା ? ଭାରତ ତ ପରମାଣୁ ଶକ୍ତିକୁ ଶାନ୍ତି ଲାଗି ନିୟୋଜିତ କରିବ ବୋଲି ସିଦ୍ଧାନ୍ତ ଦେଇଛି ।

 

ଏଇଟା ଭାରତୀୟ ନୁହେଁ ଆଜ୍ଞା ! ସିଧା ଚାଇନାରୁ ଆସିଛି । ସବୁ ପ୍ରକାର ମସଲାର ପରମାଣୁ ମିଶ୍ରିତ ଏହି ପିଷ୍ଟକ୍ ବା ଚପ୍‍ଟି ଖାନ୍ତୁ ଦେଖି ! ପାକସ୍ଥଳୀରେ ପାରମାଣବିକ ମରଣାନନ୍ଦର ପ୍ରତିକ୍ରିୟା ସୃଷ୍ଟି କରୁଛି କି ନାହିଁ, ଦେଖନ୍ତୁ ତ !!

 

ବୟ ଦୁଇଟି ବମ୍ ଆଣି ଥୋଇଦେଲା । ସେମାନେ କେତେ ମିନିଟ ଧରି ନୀରବରେ ସମସ୍ତ ଏକାଗ୍ରତାର ସହିତ ବମ୍ ଦୁଇଟିକୁ ପେଷଣ, ଶୋଷଣ ଓ ଚାଳନ କରି ଜିହ୍ୱାଦ୍ୱାରା ବହୁବାର ଲାଳନ ଓ ପାଳନ କରି ଗର୍ଭ ଆଡ଼କୁ କ୍ଷେପିଦେଲେ । ତା’ପରେ ସବୁ ଖାଇସାରି ଓଠ ଉପରେ ବାରମ୍ୱାର ସଲାଳଜିହ୍ୱାଟିର ସଲୀଳ ସଞ୍ଚାଳନ କରି ମରଣବାବୁ ପଚାରିଲେ–

 

ଏ ହୋଟେଲରେ ମୁଁ ସବୁଦିନେ ଖାଏ । ଆପଣଙ୍କୁ ତ ମୁଁ ଏଠି କେବେ ଦେଖି ନାହିଁ । ଆପଣ ଆଜି ନୂଆ ବୋଧହୁଏ ।

 

ଜୀବନବାବୁ କହିଲେ–ହଁ, ନୂଆ । କିନ୍ତୁ ମୁଁ ଭାବିଛି–ଏଥର ପ୍ରତିଦିନ ଗୋଟେ ଓଳି ଅନ୍ତତଃ ଏଠି ହୋଟେଲରେ ଖାଇବି ।

 

କାହିଁକି ଏ ସିଦ୍ଧାନ୍ତ ନେଲେ ହଠାତ ?

 

ହଠାତ ନୁହେଁ ଆଜ୍ଞା ! ଏଇ କେତେଦିନ ହେଲା ମୁଁ ମୃତ୍ୟୁ ଭୟରେ ଅସ୍ଥିର ହୋଇଗଲିଣି-। ଆପଣ ଦେଖନ୍ତୁ, ବର୍ତ୍ତମାନ ଯୁଗରେ ମଣିଷ ଜୀବନର ଗୋଟାଏ ସ୍ଥିରତା ଆଉ କ’ଣ ? ନାନାଦି ରୋଗ, ଦୁର୍ଘଟଣା ଆଉ ଶେଷରେ ନେଫା, ଲାଦାକ୍ ଆଉ କାଶ୍ମୀରକୁ ଆଳ କରି ଏଇ ଯେଉଁ ପୃଥିବୀବ୍ୟାପୀ ମାରାତ୍ମକ ପରମାଣୁ ଯୁଦ୍ଧର ଆଶଙ୍କା ଦେଖାଦେଲାଣି, ସେଥିରେ ଆଉ ବଞ୍ଚିବାର ଗୋଟାଏ ସ୍ଥିରତା କ’ଣ ? ଭାବିଲି, ଯାହା ହେଉ ପଛେ, ମୃତ୍ୟୁ ଯଦି ଧ୍ରୁବ–ଯଦି ମୃତ୍ୟୁରେବି ନ ସଂଶୟ, ତେବେ ତା’ ପୂର୍ବରୁ କିଛି ଭୋଗିଯିବା–ଏଇ କେତୁଟା ସୁରସା ସୁନ୍ଦରୀ ନାରୀ ଆଉ କିଛି ସୁରସ ସୁଷମ ଖାଦ୍ୟ ।

 

ସୁରସା ସୁନ୍ଦରୀ ନାରୀ କେତୋଟି ଭୋଗ କରିଛନ୍ତି ? ଆଶା ମେଣ୍ଟିଲା କି !–ମରଣବାବୁ ଶ୍ଳେଷ କରି ପଚାରିଲେ ।

 

ଜୀବନବାବୁ ଟିକିଏ ପରାଜିତ, ଦୟନୀୟ, କରୁଣ ହସ ଦେଇ କହିଲେ–ସେସବୁ ବଡ଼ ଦୁର୍ଲଭ ପଦାର୍ଥ ଆଜ୍ଞା ! ଭାଗ୍ୟରେ ନ ଥିଲେ ମିଳେନା ! ତା’ ଛଡ଼ା କାମିନୀ କାଞ୍ଚନ । ସେମିତି ପଇସା ନ ଥିଲେ ସେ ଦ୍ରବ୍ୟ ପାଇବା ସହଜ ନୁହ । ଭାବିଲି କିଛି ଖାଇଯିବା, ଅଳ୍ପ ପଇସାରେ ଆଶା ମେଣ୍ଟିଯିବ ।

 

ମରଣବାବୁ ଦୁଇଟା ଚାମୁଚର ମୁଣ୍ଡକୁ ଏକାଠି ଯୋଡ଼ି ଠକ୍ ଠକ୍ କରି କହିଲେ–

 

ପଇସା ନୁହ ବାବୁ ! ପଇସା ଥିଲେବି ସେ ଜିନିଷ ମିଳେନା । ମୋର କ’ଣ ପଇସାର ଅଭାବ ଥିଲା ? ମୁଁ କ’ଣ କମ୍ ପଇସା ଖରଚ କରିଛି ? ପଇସା ଦେଲେ ନାରୀ ମିଳନ୍ତି, ତାଙ୍କର ରସ ମିଳେନା । କିନ୍ତୁ ପଇସା ଦେଲେ ଚୁଙ୍ଗୁଡ଼ି ମିଳେ ଏବଂ ତା’ର ରସ ମଧ୍ୟ ମିଳେ । ଶୁଣିବେ ମୋର ଇତିହାସ ?

 

କୁହନ୍ତୁ ଆଜ୍ଞା !–ଜୀବନବାବୁ ଇତିହାସ-ଛାତ୍ରସୁଲଭ ଉଦ୍‍ବେଗ ଦେଖାଇଲେ ।

 

ଶୁଣନ୍ତୁ ତାହାହେଲେ ! ଆପଣ ତ ମୃତ୍ୟୁକୁ ଡରି ଏ ହୋଟେଲର ଆଶ୍ରୟ ନେଇଛନ୍ତି, ମୁଁ କିନ୍ତୁ ଜୀବନକୁ ଡରି ଏଠି ଆଶ୍ରୟ ନେଇଛି ।

 

ଅର୍ଥାତ୍ ? –ଜୀବନାନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

ଅର୍ଥାତ୍ ମୁଁ ଜୀବନକୁ ନେଇ କ’ଣ କୁହନ୍ତୁ ! ଜୀବନ ମୋ ପକ୍ଷରେ ବଡ଼ ଅସହ୍ୟ ହୋଇଉଠିଲା । ଶୁଣନ୍ତୁ, ମୋର ବାପା ଥିଲେ ଜଣେ ମସ୍ତବଡ଼ ବ୍ୟବସାୟୀ–ଲକ୍ଷପତି । ମୁଁ ତାଙ୍କର ଏକମାତ୍ର ସନ୍ତାନ । ପାଠ ଶାଠ ମୋ ଦେହାତି ହେଲା ନାହିଁ । ଖୁବ୍ ଗେହ୍ଲା ପୁଅ ଥିଲି ତ ! ସାଙ୍ଗସାଥୀଙ୍କ ମେଳରେ ଖାଲି ଫୂର୍ତ୍ତି କରି ବୁଲିଲି । ବାପା ମୋତେ ତାଙ୍କ ବ୍ୟବସାୟରେ ଭର୍ତ୍ତି କରିବାକୁ ଚେଷ୍ଟା କଲେ । ମାତ୍ର ସେଥିରେବି ମୁଁ ତାଙ୍କୁ ନିରାଶ କଲି । ହିସାବପତ୍ର ରଖି ନ ପାରିବା, ମିଛ କହି ନ ପାରିବା, ଦରିଦ୍ର ଅଭାବୀ ଲୋକଙ୍କୁ ଦୟା ଦେଖାଇବା, ଗୁଡ଼ାଏ ସାଙ୍ଗସାଥୀ ଦୋସ୍ତଙ୍କ ମେଳରେ ରହିବା, ଜହ୍ନ ରାତିରେ ଚାନ୍ଦକୁ ଅନାଇବା, ସୀତାର, ବଇଁଶୀ ଆଉ ବେହେଲା ଆଦିରେ ମନ ଦେବା ଇତ୍ୟାଦି କେବେ ଉତ୍ତମ ବ୍ୟବସାୟୀ ବୁଦ୍ଧି ହୋଇପାରେନା । ବାପା ଖୁବ୍ ବୁଦ୍ଧିମାନ୍ ଥିଲେ, ଆଉ ସୟତାନରବି ଭକ୍ତ ଥିଲେ । ସେ ଦେଖିଲେ ତାଙ୍କର ଏକମାତ୍ର ଉତ୍ତରାଧିକାରୀଦ୍ୱାରା ଆଉ କିଛି ହୋଇପାରିବ ନାହିଁ । ତାଙ୍କ ଅନ୍ତେ ମୁଁ କିପରି ବଞ୍ଚିବି–ସେ ଉପାୟ ସ୍ଥିର କରିନେଲେ । ତାଙ୍କର ମୃତ୍ୟୁ ପୂର୍ବରୁ ସହରର ସେଇ ଛକ ଜାଗାଟାରେ ସେ ବହୁତଗୁଡ଼ାଏ ଘର ତିଆରି କରିଦେଲେ । ଆଉ ସେଇ ଘରଗୁଡ଼ିକରୁ କେତେକ ବ୍ୟବସାୟୀଙ୍କୁ ଓ କେତେକ ସରକାରଙ୍କୁ ଭଡ଼ା ଲଗାଇ ଦେଲେ । ଉଦ୍ଦେଶ୍ୟ, ଏଇ ଭଡ଼ାଘରମାନଙ୍କରୁ ପୁଅ ତାଙ୍କର ପ୍ରତି ମାସରେ ବହୁତ ଟଙ୍କା ଭଡ଼ା ବାବଦକୁ ପାଇବ । ଆଉ ତା’ର ନିଜର ବଳ ବା ବୁଦ୍ଧି ଖରଚ କରିବାକୁ ପଡ଼ିବ ନାହିଁ ।

 

ଜୀବନାନନ୍ଦ ପ୍ରଶଂସାମାନ ଗଳାରେ କହିଲେ–ବାଃ ! ସୌଭାଗ୍ୟ ୟାକୁ ଇ କହନ୍ତି ପ୍ରକୃତରେ !

 

ମରଣାନନ୍ଦ ଚାମୁଚଦ୍ୱାରା ପ୍ଲେଟକୁ ସଜୋରେ ଆଘାତ କରି କହିଲେ–

 

ସୌଭାଗ୍ୟ ନୁହ, ଦୁର୍ଭାଗ୍ୟ ! ଆପଣଙ୍କୁ ଯୋଉଟା ଖେଳ–ମୋତେ ସେଇଟା କାଳ ହୋଇଛି । ଘରଭଡ଼ାରୁ ମୁଁ ମାସକୁ କେତେ ପାଏ ଜାଣନ୍ତି ?

 

କେତେ ଆଜ୍ଞା ?

 

ହଜାର ହଜାର୍ !!

 

ଆଁ–ୟଁ ! ଜୀବନବାବୁଙ୍କ ପାଟିରୁ ମେଞ୍ଚାଏ ଆଟମ୍ ବମ୍ ଖସିପଡ଼ିଲା ପ୍ଲେଟ ଉପରେ । ମରଣାନନ୍ଦ ପୁଣି କହିଲେ–

 

ବିନା ପରିଶ୍ରମରେ ଆଜିକୁ ଦଶବର୍ଷ ଧରି ମାସକୁ ମାସ ହଜାର ହଜାର ଟଙ୍କା ଆପଣଙ୍କୁ ଭଗବାନ୍ କେବେ ଦେବେ ନାହିଁ । ଏସବୁ ସୟତାନର ଦାନ । ଅଥଚ ଏତେ ଟଙ୍କା ଭୋଗ କରିବାକୁ ମୋର ବା ଆଉ କିଏ ଅଛି ? ମୁଁ ଆଉ ମୋର ସ୍ତ୍ରୀ ! ମୋର ମଧ୍ୟ ପିଲାଝିଲା ନାହାନ୍ତି । ଦଶବର୍ଷ ଭିତରେ ଚାରି ଚାରିଟା ପିଲା ଜନ୍ମ ହେଲେ, ଆଉ ସେଇ ଏନ୍ତୁଡ଼ିଶାଳରେ ଇ ଜନ୍ମ ହେଉହେଉ ମଲେ । ସ୍ତ୍ରୀଙ୍କର ବ୍ରତ, ଉପାସ, ଦାନ, ଧ୍ୟାନ ବଢ଼ି ଚାଲିଲା । ଦୁଃଖ ଶୋକରେ ଉଦ୍‍ବିଗ୍ନ ହୋଇ ହୋଇ ସେ ମୋତେ ଛାଡ଼ି ତାଙ୍କ ଭଗବାନ୍‍ଙ୍କୁ ଧରି ଦିନ କାଟିଲେ । କହନ୍ତୁ, ମୁଁ ବିଚରା କରେ କ’ଣ-? ସ୍ୱାସ୍ଥ୍ୟ, ଯୌବନ, କର୍ମହୀନ ଆଉ ଦାୟିତ୍ୱହୀନ ଅବସର ଆଉ ତା’ ସାଙ୍ଗକୁ ବିନା ପରିଶ୍ରମରେ ଏତେ ଟଙ୍କା, ମୁଁ ବିଚରା କରେ କ’ଣ ? କିଛି କାର୍ଯ୍ୟ କରି ସମୟ କାଟିବାକୁ ଛୋଟ କାଟର ଚାକିରିଟାଏ ମଧ୍ୟ କଲି । ପକେଟରେ ହଜାର ହଜାର ଟଙ୍କା ଧରି କେଉଁ ବୀରପୁଙ୍ଗବ ଚାକିରି କରିପାରେ ? ରିକ୍‍ସା ବୋହିପାରେ ? କିରାଣି ହୋଇପାରେ ? ମାଷ୍ଟର ହୋଇପାରେ ? ହେଲା ନାହିଁ । ଚାକିରି ଛାଡ଼ି ଦେଶସେବା କଲି । ରାଜନୀତିରେ ପଶିଲି । ମୋ ଟଙ୍କା ବଳରେ ବହୁ ଅଧମ ନେତା ହୋଇ ଉତୁରିଲେ । ସେଠୁ ବୁଝିଲି କେବଳ ଟଙ୍କା ବଳରେ ରାଜନୀତି ଚଳେନା, ଅନ୍ୟାନ୍ୟ ବ୍ୟବସାୟ ଭଳି ଏଥିରେ ମଧ୍ୟ ବ୍ୟବସାୟୀ ବୁଦ୍ଧିର ଏକାନ୍ତ ଆବଶ୍ୟକ । ଭୂଦାନରେ ଶେଷକୁ ଆଶ୍ରୟ ନେଲି । ମାତ୍ର ତା’ କି ହୁଏ ? ମାହାଳିଆଟାରେ ହଜାର ହଜାର ଟଙ୍କା ମିଳିଯାଉଛି ବୋଲି ତାକୁ ମାହାଳିଆଟାରେ ବାଣ୍ଟିଦେବାକୁବି ଖୁବ୍ ଜୋର୍ ଦିଲ୍ ଦରକାର । ସ୍ତ୍ରୀ ଏଣେ ଦାନ, ଧ୍ୟାନ, ପୂଜା, ବ୍ରତ, ପାର୍ବଣ, ଓଷାରେ ଦିନ କାଟୁଥାନ୍ତି । ପିଲାପିଲି ଆଉ ହେଲେ ନାହିଁ । କ୍ରମେ ଦେଖାଗଲା, ସେ ତାଙ୍କର ଭଗବାନ୍‍ଙ୍କୁ ଧରି ଦିନ ରାତି ପଡ଼ିଛନ୍ତି । ଆଉ ସମୟ ବହି ଯାଉଛି ବେଶ୍ ନିର୍ଦ୍ୱନ୍ଦ୍ୱରେ ତାଙ୍କ ଉପର ଦେଇ । ମାତ୍ର ମୁଁ କ’ଣ କରିବି ? ଏ ଜୀବନ କଟିବ କିପରି ? ଜୀବନ ବଡ଼ ଅସହ୍ୟ ହୋଇଉଠିଲା । ମୁଁ କାହାକୁ ଧରି ତେବେ ଜୀବନ କାଟିବି ? ଚାରିଆଡ଼କୁ ନିରାଶରେ ଚାହିଁଲି । ଶେଷରେ ଦିନେ ତାଙ୍କର ଦେଖା ପାଇଲି–ସେ ହାତ ବଢ଼ାଇ ଦେଲେ ।

 

କିଏ ?

 

ସେଇ ! ସୟତାନ ! ସେଇ ଜୀବନ ପ୍ରତି ପରମ ବିତୃଷ୍ଣାର ଘୋର ନୈରାଶ୍ୟପୂର୍ଣ୍ଣ ଏକାକୀ ଅସହାୟ ଅନ୍ଧକାର ଭିତରେ ସୟତାନ ଇ ମୋ ଆଡ଼କୁ ହାତ ବଢ଼ାଇ ଦେଲା । ମୁଁ କ’ଣ କଲି ଜାଣନ୍ତି ?

 

କ’ଣ କଲେ ?

 

ରସବତୀ ନାରୀଙ୍କ ସନ୍ଧାନରେ ବାହାରି ଗଲି, ଆଉ ସୟତାନବି ମୋତେ ସେଇ ଆଡ଼କୁ ବାଟ କଢ଼େଇ ନେଲା । ପାଖରେ ପ୍ରଚୁର ପଇସା–ଦେହରେ ପ୍ରଚୁର ସ୍ୱାସ୍ଥ୍ୟ–ବଳ–ଶ୍ରୀ ଆଉ ଉତ୍ସାହ ଭରି ରହିଛି । ନା–ନା–ମହାଶୟ ! ବର୍ତ୍ତମାନର ଏଇ ଚେହେରା ଓ ସ୍ୱାସ୍ଥ୍ୟ ସଙ୍ଗେ ଦଶବର୍ଷ ତଳର ଚେହେରା ଓ ସ୍ୱାସ୍ଥ୍ୟର କିଛି ସମ୍ପର୍କ ଇ ନାହିଁ । କାର୍ତ୍ତିକ ପୂର୍ଣ୍ଣିମୀ ବାସି କାର୍ତ୍ତିକ ମେଢ଼କୁ ନେଇ ପାଣିରେ ପକାଇ ଦେଇ–ତିନି ଦିନ ପରେ ପାଣି ଭିତରୁ ମେଢ଼ ଉଠାଇଲେ–କେମିତି ଦେଖାଯାଏ ଦେଖିଛନ୍ତି ? ତାଙ୍କୁ ଦେଖି କ’ଣ ସହଜରେ ବିଶ୍ୱାସ କରି ହୁଏ ଯେ ଦିନେ ଏହିସବୁ କୁଟା କାଠିର ଛାଞ୍ଚ ଉପରେ ରଙ୍ଗ ଥିଲା–ରୂପ ଥିଲା–ଆଉ ସ୍ୱାସ୍ଥ୍ୟ ଥିଲା ? ଛାଡ଼ନ୍ତୁ–। ଶୁଣନ୍ତୁ–

 

ବହୁ ସ୍ତ୍ରୀଲୋକ ମୋ ପଛରେ ଧାଇଁଲେ । ସେମାନଙ୍କ ଲଜ୍ଜା ନିବାରଣ ଲାଗି ବହୁ ଶାଢ଼ି କିଣିଛି–ସେମାନେ ବସିବେ ବୋଲି ଗାଡ଼ି କିଣିଛି–ସେମାନଙ୍କର ହାତକୁ ମାନିବ ବୋଲି ବହୁ ଚୁଡ଼ି କିଣିଛି । ସେମାନଙ୍କ ଆଖିକୁ ଭଲ ଲାଗିବ ବୋଲି ସେମାନଙ୍କ ବରାଦ ଅନୁସାରେ ନିଜକୁବି ବହୁ ପୋଷାକରେ ସଜେଇଛି । ଘରେ ତେଣେ ସ୍ତ୍ରୀ ବହୁ ପୂଜା ପାର୍ବଣରେ ତାଙ୍କ ଭଗବାନ୍‍ଙ୍କୁ ନେଇ ମାତିଥାନ୍ତି । ଆଉ ମୁଁ ଏଣେ ‘‘ସୟତାନ୍ କୀ ବେଟୀ’’ମାନଙ୍କ ସାଙ୍ଗରେ ମାତିଥାଏଁ ।

 

ବହୁତ ମାତିଲି ଆଜ୍ଞା ! ଦୀର୍ଘ ପାଞ୍ଚବର୍ଷ କାଳ–ସେମାନଙ୍କୁ ଧରି ପର୍ବତରୁ ନଦୀ–ନଦୀରୁ ସମୁଦ୍ର–ସମୁଦ୍ରରୁ ଆକାଶ–ବହୁତ ଘୂରିଲି । ସେମାନେ ବସେଇଲେ–ଭସେଇଲେ–ହସେଇଲେ–ମିଶେଇଲେ–ରସେଇଲେ । କଲିକତାରୁ ବମ୍ୱେ – ଦିଲ୍ଲୀରୁ ଦୌଲତାବାଦ–ବହୁତ ଏପଟ ସେପଟ ହେଲି ଆଜ୍ଞା, ସେମାନଙ୍କୁ ନେଇ ଦୀର୍ଘ ପାଞ୍ଚବର୍ଷ କାଳ । ମାତ୍ର କ’ଣ ହେଲା ଜାଣନ୍ତି ?

 

କ’ଣ ହେଲା ?

 

କ୍ଳାନ୍ତି ଆସିଗଲା ।

 

ମାନେ ?

 

ମାନେ–ଆଉ ପାରିଲି ନାହିଁ । ସମୁଦ୍ରରେ ପହଁରିଲି –ମାତ୍ର ଶୋଷ ମେଣ୍ଟିଲା ନାହିଁ । ଆକାଶରେ ଉଡ଼ିଲି–ମାତ୍ର ବାୟୁ ଅଭାବରେ ଅଣନିଃଶ୍ୱାସୀ ହୋଇଉଠିଲି । ଏଡ଼େ ବଡ଼ ବସୁଧାରୁ ଏଡ଼େ ପୁଳାଏ ମାଟି କାମୁଡ଼ି ରହିଲି; ମାତ୍ର ରସ ପାଇଲି ନାହିଁ ।

 

ଏକ ଦୁର୍ବୋଧ୍ୟ ବିସ୍ମୟରେ ଜୀବନାନନ୍ଦ କହିଲେ–

 

ଏ ବଡ଼ ଅସୁବିଧା ଅବସ୍ଥା ଆଜ୍ଞା ! କ’ଣ ହେଲା ତା’ପରେ ?

 

ତା’ପରେ–ଷୋଳସହସ୍ର ଗୋପ ନାରୀଙ୍କର ସେଇ ରସ-ତୃଷାର୍ତ୍ତ ଭୀଷଣ ହଲ୍ଲୀଷକ ନୃତ୍ୟମଣ୍ଡଳୀ ଭିତରୁ ରସପାନର ଆତୁରତାରେ ଦିନେ ଜଣଙ୍କୁ ଧରି ଗୋପନରେ ମୁଁ ଅନ୍ତର୍ଦ୍ଧାନ ହୋଇଗଲି । ଉଦ୍ଦେଶ୍ୟ–ଏକ ନିଭୃତ ନିକାଞ୍ଚନ ପରିବେଶ ଭିତରେ ମୁଁ ତା’ର ହୃଦୟ ବିଦାରଣ କରି ତା’ର ରସ ପାନ କରିବି–ଆଉ ସେତିକିରେ ଯେମିତି ମୋର ଏଇ ବହୁ କାଳର ରସତୃଷ୍ଣା ନିର୍ବାପିତ ହୋଇଯିବ ଚିରଦିନ ଲାଗି ।

 

ଝିଅଟିର ଶ୍ରଦ୍ଧା ନାମ ଲାଇ । ଲାଇଟିନିଙ୍ଗ୍ (ବିଜୁଳି) ଶବ୍ଦରୁ କେବଳ ‘‘ଲାଇ’’ ଅକ୍ଷର ଦୁଇଟିଦ୍ୱାରା ସମସ୍ତେ ତାଙ୍କୁ ଡାକୁଥିଲେ । ବିଜୁଳି ଭଳି ତା’ର ରୂପ–ତା’ର ରଙ୍ଗ । ବିଜୁଳି ଭଳି ସେ ଚାଲେ–କଥା କହେ–ଅନ୍ୟକୁ ଝଲସାଏ–ଝଲକାଏ–ଜଳିଉଠେ–ଲିଭିଯାଏ ।

 

ଲାଇକୁ ଧରିପାରିଲେ ଜୀବନର ରସ-ତୃଷ୍ଣା ମେଣ୍ଟିଯିବ । ବହୁ ଲୋକଙ୍କର ଆଖିକୁ ଝଲସେଇ ଦେଇ–ଜଳକେଇ ଦେଇ ସେ ନିଜକୁ ଲୁଚେଇ ରଖିଥାଏ । ତାକୁ ସମ୍ପୂର୍ଣ୍ଣ ପାଇବା ଲାଗି ବହୁ ଲୋକ ଡହଳ ବିକଳ । ସମସ୍ତେ କହନ୍ତି–ଲାଇ ଧରାଦିଏ; ମାତ୍ର ଠିକଣା ବେଳକୁ କେଉଁ ସୁରାକରେ ସେ ଯେ କେମିତି ଖସିଯାଏ...!!

 

ମୁଁ ଭାବିଲି, ମୁଁ ଭାଗ୍ୟବାନ୍ । ଲାଇକୁ ଏକୁଟିଆ ଧରି ମୁଁ ଅନ୍ତର୍ଦ୍ଧାନ ହୋଇଗଲି । ସେ ଗୋଟାଏ ନିଘଞ୍ଚ ଜଙ୍ଗଲ । ଜଙ୍ଗଲ ପୂର୍ବରୁ ଗୋଟାଏ ବିରାଟ ନଈ । ନଈଟା ଶୁଖିଲା । ଡହ ଡହ ବାଲି–ପାଦ ଗଳି ପଡ଼ୁଥାଏ ବାଲି ଭିତରେ । ମୁଁ ଲାଇର ହାତ ଧରି ବାଲି ଉପରେ ଦଉଡ଼ିଥାଏ ନିକଟସ୍ଥ ଜଙ୍ଗଲ ଭିତରକୁ । ପ୍ରାଣବିକଳରେ ଲାଇ ମୋ ସଙ୍ଗରେ ଦଉଡ଼ୁଥାଏ । ତା’ର ମନା କରିବାକୁ ଆଉ ଚାରା ନ ଥାଏ । ଖୁବ୍ ଓସାରିଆ ନଈଟା – ନଈରେ ନଈଏ ବାଲି । ବିଜୁଳି ଲତାଟିଏ ଭଳି ବିଚାରୀ ମୋ ସଙ୍ଗରେ ଦଉଡ଼ିଥାଏ ସେ ବାଲି ଭିତରେ । ମୁଁ ବି ତା’ର ହାତଟାକୁ ଧରିଥାଏ କଷିକରି । ବିଜୁଳିକୁ ଧରିଛି, ଛାଡ଼ିଦେଲେ ଖସିଯିବ – ଆଉ ପାଇବି ନାହିଁ !! ସଁ ସଁ ହେଉଥାଏ ଲାଇ । ତା’ର ଗୋଡ଼କୁ ଗୋଡ଼ ବାଜୁଥାଏ, ସେ ଛନ୍ଦି ପଡ଼ୁଥାଏ । ମାତ୍ର ମୁଁ ତାକୁ ଛାଡ଼ୁ ନ ଥାଏ । ତା’ର ସରୁ କଅଁଳ ସୁନାର ହାତଟିକୁ କଷିକରି ଧରି ମୁଁ ଦଉଡ଼ୁଥାଏ ଅଣନିଃଶ୍ୱାସୀ ହୋଇ ଜଙ୍ଗଲ ଆଡ଼କୁ । କିଛିକ୍ଷଣ ପରେ –ଲାଇ ସେଇ ବାଲି ଉପରେ ଗଡ଼ିପଡ଼ିଲା । ଆଉ ଉଠିଲା ନାହିଁ । ମାତ୍ର ମୁଁ କି ଛାଡ଼େ ? ମୁଁ କହିଲି – ଉଠ ଉଠ ଲାଇ, ଜଙ୍ଗଲଟା ଆଉ ଅଳ୍ପ ବାଟ ।

 

ଲାଇ ଧକେଇ ଧକେଇ କହିଲା–ଓଃ, ଶୋଷରେ ମୋର ଛାତି ଫାଟିଯିବ ।

 

ମୁଁ କହିଲି–ଆଉ ଟିକିଏ ଲାଇ–ଆଉ ଟିକିଏ । ସେଇ ଜଙ୍ଗଲ ଯାଏଁ ଟିକିଏ ଚାଲ କଷ୍ଟ କରି । ସେଇଠି ତୁମକୁ ପିଆଇ ଦେବି ପାହାଡ଼ୀ ଝରଣାର କାଚକେନ୍ଦୁ ପାଣି, ପେନ୍ଥା ଅଙ୍ଗୁର ଚିପୁଡ଼ି ତୁମ ପାଟିରେ ଅଜାଡ଼ି ଦେବି । ସେଇ ବଣରେ ମହୁଫେଣା ଭାଙ୍ଗି ତୁମ ପାଟିରେ ଚିପୁଡ଼ି ଧରିବି – ଯେତେ ତୁମେ ପଇପାରିବ, ଚାଲ – ଚାଲ, ଆଉ ବସନା । ଖରା ମାଡ଼ିଆସୁଛି, ଏଇ ଧୁ ଧୁ ତତଲା ବାଲି ଭିତରେ ନ ହେଲେ ଆମେ ଦୁହେଁ ମରି ଶୁଖି ପଡ଼ିଯିବା ।

 

ଲାଇ କାତର ଆଖିରେ ମୋ ଆଡ଼କୁ ଅନାଇଲା । ଝାଳରେ ତା’ର ଫ୍ରକ୍ ତିନ୍ତି ଯାଇଥାଏ-। ତା’ର ସୁନା ପାତିଆ ଭଳି ମୁହଁ ଖରାରେ ସିଝି ଯାଇଥାଏ । ମୋତେ କିନ୍ତୁ ବେଶ୍ ଦିଶୁଥାଏ ସେ ସେତେବେଳେ । ଏଇ ବିଜୁଳି ଭଳି ଝିଅଟା – ରାତିର ନିଅନ୍ ଆଲୁଅରେ – ମନୋହାରୀ ଦୋକାନରେ–କ୍ଲବ ଘରେ – ସିନେମା ହଲ୍‍ରେ–ଇସ– କେମିତି ଡିଏଁ ! କେମିତି ନାଚେ ! କେମିତି ଜଳେ ! ଆଉ କେମିତି ପୁଣି ହଠାତ ଲିଭିଯାଏ !!

 

ତା’ର କଅଁଳିଆ ସୁନେଲି ଲତାଟି ଭଳି ହାତଟିକୁ କଷି କରି ଧରି ମୁଁ କହିଲି – ଉଠ ଉଠ ଲାଇ ! ଚାଲନା ! ଉଠ ଉଠ, ଜଙ୍ଗଲଟା ଖୁବ୍ ପାଖରେ ଯେ !

 

କାତର ଚାହାଣିରେ ଲାଇ କହିଲା–ମୁଁ ଆଉ ଚାଲିପାରିବିନି ମରଣବାବୁ ! ମୋତେ ତୁମେ କାନ୍ଧରେ ବସାଇ ଘେନି ଚାଲ !!

 

ଓ ! ଏଇ କଥା ? ଗୋଟାଏ ମାଳତୀ ଲତାକୁ ତଳୁ ଉଠାଇ ନେଲା ପରି ମୁଁ ତାକୁ ତଳୁ ଟେକି ନେଇ କାନ୍ଧରେ ବସାଇ ଦେଲି ।

 

ବାସ୍ ! ତା’ପରେ ମୁଁ ଗୋଟାଏ ଚମକ ଅନୁଭବ କଲି ମୋର ସ୍ନାୟୁମଣ୍ଡଳୀ ଭିତରେ । ସତେ କି ମୁଁ ଗୋଟାଏ ସକ୍ରିୟ ବିଜୁଳି ତାର ଗୁଡ଼େଇ ହୋଇଗଲି । ତା’ପରେ ମୁଁ ଧାଇଁଲି–ଧାଇଁଲି ମୁଁ ସେହି ଡହଡ଼ହ ତତଲା ନଈ ବାଲି ଉପରେ ଲାଇକୁ କାନ୍ଧରେ ବସାଇ । ମୁଁ କାଣ୍ଡଜ୍ଞାନଶୂନ୍ୟ ହୋଇ ଧାଇଁଲି । ମୁଁ ଦିଗ ଭୁଲିଗଲି, ବାଟ ଭୁଲିଗଲି । ଗୋଟାଏ ପ୍ରଚଣ୍ଡ ବିଦ୍ୟୁତ୍‍ର ଆବେଗରେ ମୁଁ ବାଟ ଅବାଟ ନ ମାନି ଧାଇଁଗଲି । ମୋର ଛାତି ପଡ଼ିଲା–ଉଠିଲା । ମୋର ଦୁଇ ଆଖିକୁ ଫିଟାଇ ଅଗ୍ନି ଝଲକ ବାହାରିଲା । ମୋର ନିଃଶ୍ୱାସ ବନ୍ଦ ହୋଇ ଆସିଲା । ମୋର ତଣ୍ଟି ଶୁଖି ଆସୁଥାଏ । ମୋର କାନ୍ଧ ଉପରେ ବସି ଲାଇ ଚିତ୍କାର କରୁଥାଏ । ମୁଁ ଶବ୍ଦ ଶୁଣୁଥାଏ; ମାତ୍ର କିଛି ବୁଝି ପାରୁ ନ ଥାଏ । ଲାଇକୁ କାନ୍ଧରେ ବସାଇ ମୁଁ ସତେ କି ନିଆଁ ପାଲଟି ଯାଇଛି । ନିଆଁର ଉନ୍ମତ୍ତତାରେ ମୁଁ ଛୁଟିଥାଏ । ଧାଇଁଥାଏ–ଧାଇଁଥାଏ ଜଙ୍ଗଲ ପଛରେ ପଡ଼ିଗଲାଣି କେତେବେଳୁ । ଆଗରେ ମୋର ମୃଗତୃଷ୍ଣା ନାଚୁଥାଏ । କାନ୍ଧ ଉପରେ ବିଜୁଳି ତାର ଭଳି ଗୁଡ଼େଇ ହୋଇଛି ଲାଇ । ନିଆଁ ଭଳି ମୁଁ ସଞ୍ଚରି ଯାଉଥାଏ । ହଠାତ ମୁଁ ଗୋଟାଏ ପ୍ରବଳ ଶୀତଳ ପ୍ରବାହର ଆଲୋଡ଼ନ ଅନୁଭବ କଲି । ଲାଇ ଚିତ୍କାର କରି ମୋର କାନ୍ଧରୁ ଖସିପଡ଼ିଲା ।

 

ମୁଁ ଅନ୍ଧ ଆବେଗରେ ଲାଇକୁ ତଳେ ମାଡ଼ିବସିଲି । ଲାଇ କହିଲା–ମରଣବାବୁ ! ତୁମେ କୁଆଡ଼େ ଆଣିଲ ଏଠିକି ? ଜଙ୍ଗଲ କାହିଁ ? ଏଇଟା ଯେ ଗୋଟାଏ ଗଭୀର ଗଣ୍ଡ ଆଗରେ । ଅମାପ ପାଣିର ଗଣ୍ଡ । ଓଃ ! ରୁହ–ରୁହ ସେଇଠି–ଆଉ ଆଗକୁ ପାଦ ବଢ଼ାଅ ନାହିଁ–

 

ମୋର ସମ୍ବିତ ଫେରିଆସିଲା–ମୁଁ ସ୍ପଷ୍ଟ ଦେଖିପାରିଲି ସବୁ କଥା । ଲାଇକୁ ଦୁଇ ହାତରେ ଧରି ମୁଁ ଖୁବ୍ ଜୋର୍‍ରେ ହସି ଉଠିଲି । ମୁଁ କହିଲି–ଲାଇ ! ତୁମକୁ କାହିଁକି ଏଠିକି ଧରିଆଣିଛି ଜାଣିଛ ? କାହିଁକି ଏଠିକି ମୁଣ୍ଡେଇ ଆଣିଛି ଜାଣିଛ ?

 

ଲାଇ କହିଲା–କାହିଁକି ?

 

ମୁଁ କହିଲି–ମୁଁ ତୁମର କଲିଜାଟା ଚାହେଁ । ଏଇଠି ତୁମର ଛାତିଟାକୁ ବିଦାରି ମୁଁ ତୁମର କଲିଜାଟାକୁ ଖାଇବାକୁ ଚାହେଁ । ବହୁ ଦିନରୁ ସେଇଟା ମୋର ଆଶା, ଲାଇ ! କେତେ ପୁରୁଷଙ୍କର ରକ୍ତ ଶୋଷି ଶୋଷି ତୁମର ସେଇ କଲିଜାଟା ତିଆରି ହୋଇଥିବ । ଆଉ କେତେ ସୁଆଦିଆ ହୋଇଥିବ ସେଇଟା ! ଏତେ କଷ୍ଟରେ ଏତେ ବାଗରେ ମୁଁ ଆଜି ତୁମକୁ ପାଇଛି । ତୁମର କଲିଜାଟାକୁ ନ ଖାଇଲେ ମୁଁ ଆଉ ତୁମକୁ ଛାଡ଼ୁ ନାହିଁ, ଜାଣିଥାଅ ।

 

ଲାଇ ମୋ ମୁହଁକୁ ଚାହିଁଲା । ଇସ, ତା’ର ସେଇ କେତେ ଚତୁର, କେଡ଼େ ଧୂର୍ତ୍ତ ଆଖି ଦିଇଟା ! ତା’ପରେ ମୋର ଦୁଇ ହାତକୁ ଧରି ସେ କ’ଣ କହିଲା ଜାଣିଛ ?

 

ଜୀବନାନନ୍ଦଙ୍କ ଆଖି ଦି’ଟାବି ଉଦ୍‍ବେଗରେ ଜଳି ଉଠିଲାଣି । ସେ କହିଲେ–କ’ଣ କହିଲା ?

 

ସେ କହିଲା–ଯାଃ–ଯାଃ ! ସେଇ କଥାଟି ମୋତେ ଆଗରୁ କହିପାରିଲ ନାହିଁ ? କଲିଜାଟାକୁ ମୋର ଯେ ଛାଡ଼ିଆସିଲି ଜଣଙ୍କ ପାଖରେ !! ମୁଁ କ’ଣ ଜାଣିଛି–ତୁମକୁ କଲିଜାଟା ଭଲ ଲାଗେ ବୋଲି ? ମୋତେ ଆଗରୁ କହିଲ ନାହିଁ ?

 

ମୁଁ କହିଲି–କାହା ପାଖରେ ଛାଡ଼ିଆସିଛ ଲାଇ ?

 

ଲାଇ ନିର୍ବିକାରଭାବେ କହିଲା–ମିଷ୍ଟର ଶତପଥୀଙ୍କ ପାଖରେ । ବହୁଦିନୁ ସେ ମୋର କଲିଜାକୁ ନେଇ ଚାଖୁଛନ୍ତି । ବହୁଥର ମାଗିଲିଣି ମୁଁ, ଫେରେଇ ନାହାନ୍ତି । ଯାଃ–ଯାଃ ଏଇ କଥାଟା-? ଆଗରୁ କହିଲେ ନାହିଁ ?

 

ଲାଇ ଏତିକି କହି ହସି ହସି ଆଣ୍ଠିଏ ପାଣି ଭିତରେ ବସିପଡ଼ିଲା । ବାସ୍ ! ବୁଝିଲେ ଜୀବନବାବୁ ! ଏଇ ହେଲା ମୋର ଜୀବନର ସମ୍ପୂର୍ଣ୍ଣ ଇତିହାସ । ଏହାପରେ ପଇସା ଖରଚ କରି ଆଉ ନାରୀମାନଙ୍କ ପଛରେ ଧାଇଁ ହୁଏ ? ସେମାନଙ୍କ କଲିଜା ଖାଇହୁଏ ?

 

ଜୀବନବାବୁ ପେଟ ଭିତରେ ଆଟମ୍ ବମ୍‍ର ପ୍ରତିକ୍ରିୟା ବିଷୟରେ ହଠାତ ସଚେତନ ହୋଇ ଉଠିଲେ । ମରଣାନନ୍ଦ କିନ୍ତୁ କହିଚାଲିଲେ–

 

ସେଇଦିନୁଁ କିନ୍ତୁ ମୁଁ ସେମାନଙ୍କୁ ଛାଡ଼ିଲି, ଆଉ ଏଇ ହୋଟେଲର ଆଶ୍ରା ନେଲି । ପାଞ୍ଚଟି ଟଙ୍କା ମାତ୍ର ଖରଚ କଲେ–ବୟ ଗୋଟାଏ ମଧ୍ୟମ ଧରଣର ଚିକେନ୍ ରୋଷ୍ଟ୍ ଆଣି ଟେବୁଲ ଉପରେ ଥୋଇଦେବ । ଆପଣ ତାକୁ କଣ୍ଟା ଚାମୁଚରେ ଫୋଡ଼ିଫୋଡ଼ି ପାଟିରେ ପୂରେଇଲେ । ପାକୁଳେଇଲେ । ଜିଭରେ ବାରମ୍ୱାର ବୁଲାଇଲେ–ଲାଳେଇଲେ–ବାସ୍–ଶେଷରେ ଗର୍ଭକୁ କ୍ଷେପିଦେଲେ । ବାସ୍ – ସରିଲା । ପୂର୍ଣ୍ଣ ତୃପ୍ତି–ପୂର୍ଣ୍ଣ ଆନନ୍ଦ । ମାତ୍ର ପାଞ୍ଚ ଟଙ୍କାର ଏଇ ମଧ୍ୟମ ଧରଣର ଗୋଲାପୀ ରୋଷ୍ଟେଡ଼୍ ଚିକେନ୍‍ଟି, ଆଉ କହିପାରିବ କି ଯେ ସେ ତା’ର କଲିଜାଟିକୁ ତେଣେ କିଚେନ୍‍ରେ ପାଚକ ପାଖରେ ଛାଡ଼ିଦେଇ ଆସିଛି ବୋଲି ? ଛାଡ଼ିଦେଇ ଆସିଥିଲେବି–ଆପଣ ଆଉ କିଛି ଟଙ୍କା ଖରଚ କରି ତା’ର ରୋଷ୍ଟେଡ଼୍ କଲିଜାତକ ମଧ୍ୟ ବୟ ହାତରେ ମଗାଇ ଚାଖିପାରନ୍ତି ଧୀରେ ସୁସ୍ଥେ । ଏଇ–ଏଇଥି ଲାଗି କହୁଥିଲି–ରସବତୀ ନାରୀ ଅପେକ୍ଷା ରସୁଆଳ ଖାଦ୍ୟ ଇ ଜୀବନର ଆନନ୍ଦ ବା ମରଣର ଆନନ୍ଦ ଲାଗି ଢେର୍ ବେଶି ନିର୍ଭରଜନକ ଆଉ ସହଜ । ଆପଣ ଚିକେନ୍ ଖାଉଛନ୍ତି ତ ତା’ର କଲିଜା ମଧ୍ୟ ଖାଉଛନ୍ତି । ଆଉ ଜାଣନ୍ତି ? ଲାଇ ମତେ ଦିଶୁଥିଲା–ଅବିକଳ ଗୋଟିଏ ମଧ୍ୟମ ଧରଣର ରୋଷ୍ଟେଡ଼୍ ଗୋଲାପୀ ଚିକେନ୍ ଭଳି । ଛାଡ଼ନ୍ତୁ...। ଆପଣ ବଞ୍ଚିବା ଲାଗି ବ୍ୟାକୁଳ–ମୁଁ କିନ୍ତୁ ମରିବା ଲାଗି ବ୍ୟାକୁଳ । ଉଭୟେ କିନ୍ତୁ ଖାଇକରି ବଞ୍ଚିବା–ଆଉ ଖାଇକରି ମରିବା । ଆଚ୍ଛା–ଥାଆନ୍ତୁ–ବିଦାୟ–ନମସ୍କାର । ଫେର୍ କାଲି ଦେଖାହେବ !!

 

ରୁଗ୍‍ଣ ଆଉ ପ୍ରୌଢ଼ ଭଦ୍ରବ୍ୟକ୍ତିଟି ବାହାରକୁ ଚାଲିଗଲେ । ଜୀବନବାବୁ ଭକୁଆଙ୍କ ଭଳି କେବଳ ଚାହିଁ ରହିଥାନ୍ତି । ସେ କିଛି ବୁଝି ପାରୁ ନ ଥାନ୍ତି । ଏ କ’ଣ ସତ୍ୟ ? ମରଣାନନ୍ଦଙ୍କର ଜୀବନ-ଦର୍ଶନ କ’ଣ ପ୍ରକୃତରେ ବିଶ୍ୱାସଯୋଗ୍ୟ ? ମରିବା ଲାଗି କ’ଣ ଜଣେ ମଣିଷ ଏମିତି ହସି ହସି ପ୍ରସ୍ତୁତ ହୋଇପାରେ ?

 

ବୟ ଆଣି ବିଲ୍ ଦେଇଗଲା । ଜୀବନବାବୁ ପାଞ୍ଚଟି ଟଙ୍କା ପ୍ଲେଟରେ ଥୋଇ ଆସନରୁ ଉଠିଲେ ।

 

–ତିନି–

 

ଜୀବନବାବୁ ହୋଟେଲରୁ ତଳକୁ ମୁହଁ ପୋତି ପଦାକୁ ବାହାରି ଆସୁଛନ୍ତି–ହଠାତ କେହି ଜଣେ ତାଙ୍କର କାନ୍ଧରେ ମୃଦୁଚାପ ଦେଇ ପାଟି କରିଉଠିଲେ–

 

ଏଇ ଯେ ଜୀବନବାବୁ ! ଆସନ୍ତୁ–ଆସନ୍ତୁ । ଆମେ ପଶିଲାବେଳକୁ ଆପଣ ବାହାରି ଆସୁଛନ୍ତି ।

 

ଜୀବନବାବୁ ମୁହଁ ଟେକି ଚାହିଁଲେ ।

 

ତାଙ୍କର ଅଫିସର ଉପରିସ୍ଥ କର୍ମଚାରୀ ଜୟଶଙ୍କରବାବୁ ସସ୍ତ୍ରୀକ ଠିଆ ହୋଇଛନ୍ତି ତାଙ୍କ ଆଗରେ । ଜୟଶଙ୍କରବାବୁ ସୁଶ୍ରୀ, ସ୍ୱାସ୍ଥ୍ୟବାନ । ବେଶ୍ କଞ୍ଚା ବୟସ । ମଧୁର ବ୍ୟବହାର । ବେଶ୍ ପରିଶ୍ରମୀ ଆଉ ଧୁରନ୍ଧର ବ୍ୟକ୍ତି । ନିଜର ବ୍ୟକ୍ତିତ୍ୱ ଆଉ ପ୍ରଚେଷ୍ଟା ବଳରେ ସେ ଏଇ ସ୍ୱଳ୍ପକାଳ ମଧ୍ୟରେ ଅଫିସ୍‍ଟିରେ ବେଶ୍ ଶୃଙ୍ଖଳା ଆଉ କର୍ମତତ୍ପରତା ଆଣି ପାରିଛନ୍ତି । ସମସ୍ତଙ୍କ ମୁହଁରେ ଜୟଶଙ୍କରବାବୁଙ୍କର ପ୍ରଶଂସା । ଅବଶ୍ୟ ଗୋଟିଏ କଥାରେ ମୂଳରୁ ସମସ୍ତେ କୁନ୍ଥୁ କୁନ୍ଥୁ ହେଉଥିଲେ-। ଅଫିସ୍‍ର ଜଣେ ସୁଶ୍ରୀ ତରୁଣୀ ଟାଇପିଷ୍ଟ–ଶ୍ରୀମତୀ ଲୀନା ରାୟଙ୍କ ପ୍ରେମରେ ପଡ଼ିଗଲେ ଆସୁ ଆସୁ ଜୟଶଙ୍କରବାବୁ । ସେଇ ସମୟରେ ଏଇ ଘଟଣାକୁ ନେଇ ଅନ୍ୟମାନେ ଯାହା ଟୁପ୍‍ଟାପ୍ ହେଉଥିଲେ; କିନ୍ତୁ ଯେଉଁଦିନ ସମସ୍ତେ ଜୟଶଙ୍କରବାବୁ ଆଉ ଲୀନା ରାୟଙ୍କର ମିଳିତ ଛବି ଥିବା ବିବାହ ନିମନ୍ତ୍ରର ପତ୍ର ପାଇଲେ–ସେଦିନୁଁ ସମସ୍ତଙ୍କ ମୁହଁ ପୁଣି ବନ୍ଦ ହୋଇଗଲା ।

 

ସେମାନେ ଏଇ ନିକଟରେ ବାହା ହୋଇଛନ୍ତି । ମାସେବି ପୂରା ପଡ଼ି ନାହିଁ । ବିବାହର ଠିକ୍ ଆଗରୁ ଜୟଶଙ୍କରବାବୁ ସୁନ୍ଦର ମୋଟର ଗାଡ଼ିଟିଏବି କିଣି ସାରିଥିଲେ ।

 

ଉପରିସ୍ଥ ହାକିମଙ୍କର ଏଇ ଅପ୍ରତ୍ୟାଶିତ ସମ୍ଭାଷଣରେ ଜୀବନବାବୁ ହତଭମ୍ୱ ହୋଇ ନମସ୍କାର କଲେ ।

 

ଆସନ୍ତୁ–ଆସନ୍ତୁ ଜୀବନବାବୁ ! ଆମକୁ ଆଜି ଦିନକ ଟିକିଏ ସଖ୍ୟ ଦିଅନ୍ତୁ ।

 

ସ୍ୱାମୀ ସ୍ତ୍ରୀ ଦୁହେଁ ହୋଟେଲରେ ପଶିଲେ । ଜୀବନବାବୁ ପୁନଶ୍ଚ ତାଙ୍କର ଅନୁସରଣ କଲେ । ଟେବୁଲ ପାଖେ ବସିବାମାତ୍ରେ ଇ ଜୟଶଙ୍କରବାବୁ କହିଲେ–

 

ଆଉ କିଛି ଖାଆନ୍ତୁ ।

 

ନାଇଁ ଆଜ୍ଞା ! କ୍ଷମା କରିବେ । ବହୁତ ଖାଇଦେଇଛି ।

 

ଆଚ୍ଛା, ତେବେ କଫି ଟିକିଏ ଖାଆନ୍ତୁ ।

 

ଆଉ ମନା କରି ନ ପାରି ଜୀବନବାବୁ କୃତକୃତ୍ୟ ହୋଇ ସମ୍ମତି ଜଣାଇଲେ ।

 

ଗୋଟାଏ ଭଜା ଚୁଙ୍ଗୁଡ଼ି ଚୋବାଉ ଚୋବାଉ ଜୟଶଙ୍କରବାବୁ ଜୀବନବାବୁଙ୍କ ଆଡ଼କୁ ଚାହିଁ କହିଲେ–

 

ଆମେ ଚାଲିଲୁ ଜୀବନବାବୁ !!

 

କୁଆଡ଼େ ଆଜ୍ଞା ?

 

ନେଫା............

 

ଜୀବନବାବୁ ପହିଲେ କିଛି ବୁଝିପାରିଲେ ନାହିଁ ।

 

ମାନେ ? ସାର୍ ?

 

ନେଫା–ନଇଲେ ଲାଡ଼ାଖ୍ ଜୀବନବାବୁ ! କଲେଜ N.C.Cରେ ସିନିଅର୍ ଅଣ୍ଡର୍ ଅଫିସର ହୋଇଥିଲି । ବହୁଦିନରୁ ଫ୍ରଣ୍ଟ୍‍କୁ ଯିବା ଲାଗି ଗୋଟାଏ ସ୍ୱପ୍ନବି ମୋର ଥିଲା । ଆଉ ସମ୍ଭାଳି ପାରିଲି ନାହିଁ । ଏ ସୁଯୋଗବି ଛାଡ଼ିବାର କଥା ନୁହେଁ । ପହିଲେ କିଛିଦିନ ଟ୍ରେନିଂରେ ଯିବାକୁ ହେବ । କାଲିଠାରୁ ଆପଣମାନଙ୍କଠୁ ବିଦାୟ ନେବାକୁ ହେବ । ଚାଲିଲୁ ଆମେ–

 

କିନ୍ତୁ ସାର୍–ଏତେ କମ୍ ବୟସ–ଏଇ ତ ସେଦିନ ବିବାହ କରିଛନ୍ତି–ମାନେ–ଅର୍ଥାତ୍–ସାର୍–କିନ୍ତୁ–

 

ନା–ନା, ଠିକ୍ ଅଛି । ଆଉ ଅର୍ଥାତ୍ କିନ୍ତୁ କିଛି ନାହିଁ । ଲୀନା ମଧ୍ୟ ଯାଉଛନ୍ତି ଯେ । ସେ ନର୍ସିଂବାହିନୀରେ ଯୋଗ ଦେଉଛନ୍ତି । ଆହତ ଯବାନମାନଙ୍କର ଶୁଶ୍ରୂଷା କରିବା ଲାଗି ସେ ବି ବହୁତ ଦିନ ଧରି ସ୍ୱପ୍ନ ଦେଖୁଥିଲେ ।

 

ଲୀନା ଦେବୀ ହସିଲେ ।

 

ଆଉ ଭାଗ୍ୟରେ ଥିଲେ – ହିମାଞ୍ଚଳର ଗୋଟାଏ ତୁଷାରାଚ୍ଛନ୍ନ ରାତିରେ ଗୋଟାଏ ସାମରିକ ହାସପାତାଳରେ–ମାନେ–ଆମେ ଦୁହେଁ ପରସ୍ପରକୁ ଶୁଶ୍ରୂଷା କରିବାର ଓ ପାଇବାର ସୌଭାଗ୍ୟ ଲାଭ କରିପାରୁ । ନା‘ କ’ଣ ଲୀନା ? ହାଃ ହାଃ ହାଃ ହାଃ ।

 

ଦୁହେଁଯାକ ହସି ହସି ମୁହଁ ନଚାଇ ଚୁଙ୍ଗୁଡ଼ି ଚୋବାଇ ଲାଗିଲେ । ଜୀବନବାବୁ ପରମ ବିସ୍ମୟରେ ସେ ଦୁହିଁଙ୍କୁ ଚାହିଁ ରହିଲେ । ସେ କ’ଣ ଦେଖୁଛନ୍ତି ? କ’ଣ ଶୁଣୁଛନ୍ତି ? ଏଇ ମାସେବି ପୂରି ନାହିଁ ବିବାହ– । ଏତେ ରୂପ–ଏତେ ସ୍ୱାସ୍ଥ୍ୟ– । ଜୀବନ ଆରମ୍ଭବି ହୋଇ ନାହିଁ । ନୂଆକରି ମୋଟର ଗାଡ଼ିଟିଏ କିଣିଛନ୍ତି ଏଇ ସେଦିନ । ତଥାପି ସେମାନେ ହସି ହସି ଛୁଟୁଛନ୍ତି ନେଫା ଆଉ ଲାଡ଼ାଖ୍ ଆଡ଼େ ? ହିମାଳୟର ବରଫାବୃତ ପାର୍ବତ୍ୟ ଭୂଇଁରେ କି ମଧୁଶଯ୍ୟା ହୁଏ ନା ହେବ ? ଜୀବନବାବୁ ଟିକିଏ କୁନ୍ଥୁ କୁନ୍ଥୁ ହୋଇ କହିଲେ–

 

ଜୀବନ ତ ଏଇ ଆରମ୍ଭ କରୁଛନ୍ତି ସାର୍ ! ଏତେ ହଠାତ ହିମାଳୟ ଆଡ଼କୁ ମୁହାଁଇଯିବା–ମାନେ–ମାନେ ସାର୍–ଜୀବନଟା ଏଇ–ଅର୍ଥାତ୍–

 

ଜୟଶଙ୍କରବାବୁ କ’ଣ କହି ଆସୁଥିଲେ–ମାତ୍ର ତାଙ୍କୁ କହିବାକୁ ନ ଦେଇ ଲୀନା ଦେବୀ କହିଲେ–

 

‘ଜୀବନ’ଟା କ’ଣ ଜାଣନ୍ତି ଜୀବନବାବୁ ?

 

ଆଏଁ ?? ଜୀବନବାବୁ ଆଁ କରି ଲୀନା ଦେବୀଙ୍କ ଆଡ଼କୁ ଚାହିଁଲେ । ଦିନେ ହୁଏତ ଏଇ ଲୀନା ରାୟ ତାଙ୍କ ଅଧୀନରେ ଗ୍ରେଡ଼୍‍ଟୁ ଟାଇପିଷ୍ଟ ଥିଲା । ମାତ୍ର ଆଜି ସେ ମିସେସ୍ ଜୟଶଙ୍କର–ମାନେ ତାଙ୍କ ଉପରିସ୍ଥଙ୍କ ଅର୍ଦ୍ଧାଙ୍ଗିନୀ । ସେଇଥି ଲାଗି ତ ସେ ଆଜି ପଚାରୁଛନ୍ତି ଜୀବନବାବୁଙ୍କୁ ଯେ ଜୀବନର ମାନେ କ’ଣ ? ଜୀବନବାବୁ ସ୍ମିତହାସ୍ୟ କରି କହିଲେ–

ଜୀବନବାବୁ କ’ଣ ଆଜ୍ଞା ! କବିମାନେ ଯାହା ବର୍ଣ୍ଣନା କରିଛନ୍ତି–ଜୀବନଟା ଗୋଟାଏ ପାଣିଫୋଟକା ବ୍ୟତୀତ ଆଉ କ’ଣ ହୋଇପାରେ ?

ଜୟଶଙ୍କରବାବୁ ଗୋଟାଏ ଅଟ୍ଟହାସ କରି କହିଲେ–

ହାଃ ହାଃ ହାଃ, ବାଜେ କଥା ଜୀବନବାବୁ–ସେସବୁ ବାଜେ କଥା । ‘ଜୀବନ’ଟା କ’ଣ–ସେ କଥା ଅଫିସ୍‍ରେ ପଙ୍ଖା ତଳେ ବସି ଢୁଳେଇ ଢୁଳେଇ ଫାଇଲ୍ ଉପରେ କେବଳ କଲମ ଚାଷ କଲେ ବୁଝା ପଡ଼େ ନାହିଁ । ଜୀବନକୁ ଅନୁଭବ କରିବାକୁ ହେଲେ ମୃତ୍ୟୁର ଇ ସମ୍ମୁଖୀନ ହେବାକୁ ପଡ଼ିବ । ମୃତ୍ୟୁ ଇ ଜୀବନକୁ ଚିହ୍ନେଇ ଦିଏ–ବୁଝେଇ ଦିଏ । ମରିବାକୁ ଡରିଲେ–ଜୀବନକୁ ଯାକିଯୁକି ସାରୁପତ୍ରରେ ବାନ୍ଧି କାଞ୍ଜିପାଣି ହାଣ୍ଡି ସନ୍ଧିରେ ଗୁଞ୍ଜିବାକୁ ପଡ଼େ । ଏ ଜାତି ମରିବାକୁ ଡରି ଡରି କେମିତି ବଞ୍ଚିବାକୁ ହୁଏ ସେକଥାବି ଭୁଲିଯାଇଛି । ଆଚ୍ଛା, ହେଉ–ଥାଆନ୍ତୁ–ମନେ ରଖିଥିବେ–ଆସ ଲୀନା–ଉଠ–ଆଚ୍ଛା !!

ଜୟଶଙ୍କରବାବୁ ଓ ଲୀନା ଦେବୀ ଦୃପ୍ତ ପଦକ୍ଷେପରେ ଭୂଇଁକୁ କୁଦି କୁଦି ଚାଲିଗଲେ । ଜୀବନବାବୁ ତାଙ୍କୁ ଚାହିଁ ଚାହିଁ ହୋଟେଲରୁ ଘର ଆଡ଼କୁ ମୁହାଁଇଲେ । ତାଙ୍କର ମନ ଭିତରେ ସେମାନେ ଏକ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଦେଇ ଗଲେ । ହାୟ ! ହାୟ ! ଜୀବନବାବୁ ପ୍ରକୃତରେ ଆଜିଯାଏ କ’ଣ ଧରି ବଞ୍ଚିଥିଲେ ? ଗୋଟାଏ ସାରୁପତ୍ରରେ ଜୀବନକୁ ପୂରେଇ ବାନ୍ଧି ତାକୁ କାଞ୍ଜିପାଣି ହାଣ୍ଡିସନ୍ଧିରେ ଥୋଇଦେଇ ସେ କେବଳ ମୃତ୍ୟୁ ଲାଗି ଅପେକ୍ଷା କରି କରି କମ୍ପୁଥିଲେ ସିନା !!

ମନ ଭିତରେ ଏଇ କଥା ଗୁଣି ଗୁଣି ଜୀବନବାବୁ ଛକ ପାନଦୋକାନ ପାଖରେ ଆସି ପହଞ୍ଚିଲେ । ଦୋକାନୀକୁ ଦୁଇ ଖଣ୍ଡି ପାନ ବରାଦ ଦେଇ ସେ ରାସ୍ତା ଉପରେ କାର୍ଯ୍ୟବ୍ୟସ୍ତ-ଚଞ୍ଚଳ-ଗତିଶୀଳ ଜନତା ଆଡ଼କୁ ଆଖି ପକାଇଲେ । ତାଙ୍କର ମନେ ହେଲା ସତେ କି ଏମାନେ ସମସ୍ତେ ପ୍ରଚୁର ଜୀବନୀଶକ୍ତିର ତାଡ଼ନାରେ ଉତ୍‍କ୍ଷିପ୍ତ ହୋଇ ଛୁଟିଛନ୍ତି ।

 

ଏପରି କି ଛିଣ୍ଡା ଅଖା ଆଉ କନାରେ ସର୍ବାଙ୍ଗ ଆବୃତ କରି ଭଙ୍ଗାଟିଣଟିଏ ଧରି ‘‘ବାବୁ ବାବୁ ! କିଛି ମିଳିଯାଉ’’ ବୋଲି ଆକୁତିରେ ଆଟୁପାଟୁ ହୋଇ ଘୁସୁରୁଥିବା ସେଇ ବୁଢ଼ା କୁଷ୍ଠରୋଗୀଟା, ସେ ବି ଯେମିତି ଗୋଟାଏ ପ୍ରଚଣ୍ଡ ଜୀବନୀଶକ୍ତିର ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇଉଠିଛି । ଗୋଟିକ ପଛରେ ଗୋଟିଏ କାର୍ ଛୁଟିଛି । ଘର୍ ଘର୍ କରି ଛୁଟିଛନ୍ତି ବସ୍ ଆଉ ଟ୍ରକ୍‍ମାନେ । ସେମାନେ ପଅଁ ପଅଁ କରୁଛନ୍ତି । ପାଡ଼େଲ ବୁଲାଇ କନ୍ଦି କାଟି କାଟି ଏଇସବୁ ଛୁଟିଛନ୍ତି ବେପରଓ୍ୱା ସାଇକେଲ ଚଢ଼ାଳୀମାନେ । କ୍ରିଂ କ୍ରିଂ କରି ଘଣ୍ଟି ବଜାଇ ସେମାନେ ଛୁଟିଛନ୍ତି । ଆଉ ଏଇସବୁ ସାନ ସାନ ପିଲାଗୁଡ଼ିକ–କାନ୍ଧରେ ବହି ବ୍ୟାଗ୍ ଓହଳାଇ–ଏମାନେବି ହସି ହସି ଚିନାବାଦାମ କିମ୍ୱା ଚକୋଲେଟ ଖାଇ ଖାଇ ଦଉଡ଼ିଛନ୍ତି । ଆଉ ରାସ୍ତା କଡ଼ରେ ଗୋଟାଏ ନେଉଳ ଛୁଆ, ଗୋଟାଏ ସାଗୁଆ ସାପ, ଆଉ ଗୋଟାଏ କୁକୁର ଧରି ଡିବି ଡିବି କରି ଡମ୍ୱରୁ ବଜାଇ ସେଇ ଯେଉଁ ମ୍ୟାଜିକ୍‍ବାଲା–ବାଃ–ବାଃ–

 

ଜୀବନବାବୁ ଦୂରକୁ ଆଖି ପକାଇଲେ । ଏତେ ବଡ଼ ରାସ୍ତାଟା ଉପରୁ ନଇଁଆସିଛି ସତେ କି ତଳକୁ–ଆଉ ତା’ ଉପରେ ଅସଂଖ୍ୟ ଜନସମୁଦ୍ରର ଲହଡ଼ି । ରାସ୍ତାପାଖ କୋଠାଘରର ଛାତ ଉପରେ ଦକ୍ଷିଣା ପବନ ମୁହଁରେ ସେମାନେ ଅଗଣିତ ନାଲି ନେଳୀ ଗୁଡ଼ି ଉଡ଼ାଉଛନ୍ତି । ବାଃ–ବାଃ–

 

ଜୀବନର ମୃତ୍ୟୁ ନାହିଁ । ଏମାନେ କେହି ମରିବେ ନାହିଁ । ଏମାନେ କେହି ମୃତ୍ୟୁ ଉପରେ ସଚେତନ ନୁହନ୍ତି । ମୃତ୍ୟୁବି ଯଦି ଆସେ–କୋଉ ଖଞ୍ଜରେ ଛପି ଛପି–ଲୁଚି ଲୁଚି–ଏମାନେ ତାକୁ ଅନ୍ଧାର ଭିତରେ ଗୁଡ଼ୁଗୁଡ଼ୁ ଭୂତକୁ ଦେଖି ଚମକିଲା ଭଳି ଚିରିଚିରେଇ ଉଠିବେ ନାହିଁ । ସେଇ ଅସତର୍କ ଅନ୍ଧାର ଭିତରେ ପକ୍କା ଖେଳୁଆଡ଼ ପରି ଏମାନେବି ମୃତ୍ୟୁକୁ ଧରି ପକାଇବେ କିମ୍ୱା ମୃତ୍ୟୁ ହାତରେ ଧରାଦେଇ ମରିବେ । ବାଃ–ବାଃ–

 

ଆଗ ପାର୍କରେ କୃଷ୍ଣଚୂଡ଼ା ଗଛମାନଙ୍କରେ ଫୁଲ ଫୁଟିଲାଣି । ପେନ୍ଥା ପେନ୍ଥା ନାଲ୍ ନାଲ୍ ଫୁଲ । ଗାର୍ଲସ୍କୁଲ ପାଖ ଶିମିଳି ଗଛଟାବି ସବୁ ପତର ଝାଡ଼ିଝୁଡ଼ି ଦେଇ ଖାଲି ରଙ୍ଗରେ ମତୁଆଳ ହେଉଛି ।

 

ଆଉ ପରିବା ଦୋକାନ ପାଖରେ ସେଇ ଯେଉଁ ବୁଲା ଷଣ୍ଢଟା–ବେଶ୍ ଆରାମରେ ଶୋଇ ଆଖି ମୁଦି ପାକୁଳି କରୁଛି । ସେ କ’ଣ ମୃତ୍ୟୁକୁ କେୟାର୍ କରୁଛି ?

 

ବାଃ ! ଜୀବନଟା ବେଶ୍ ନିଶ୍ଚିନ୍ତ ତା’ ହେଲେ !

 

ପାନଦୋକାନୀ କେତେବେଳୁ ପାନ ଭାଙ୍ଗିସାରି ଦୁଇ ଥର ଡାକିଲାଣି । ମାତ୍ର ଜୀବନବାବୁଙ୍କ ଧ୍ୟାନ ଭାଙ୍ଗୁନାହିଁ ହଠାତ ଗୋଟିଏ ଧୂସର ବର୍ଣ୍ଣର ସାମରିକ ପୋଷାକରେ କେହି ଜଣେ ମଚ୍ ମଚ୍ କରି ମାର୍ଚ୍ଚିଂ କରି ଆସି ତାଙ୍କ ଆଗରେ ସାଲ୍ୟୁଟ୍ କରି ସାମରିକ ଭଙ୍ଗୀରେ ଠିଆ ହୋଇଯିବାର ଦେଖି ତାଙ୍କର ଧ୍ୟାନ ଭାଙ୍ଗିଗଲା । ଚମକିପଡ଼ି ସେ ଦେଖିଲେ–ଆଗରେ ତାଙ୍କର ପୁରାତନ ସମବୟସ୍କ ବନ୍ଧୁ ବୈଷ୍ଣବଚରଣ । ଜୀବନବାବୁ ପ୍ରଥମେ କିଛି ବୁଝି ନ ପାରି ପଚାରିଲେ–

 

କିରେ ବୈଷ୍ଣବ ! ଏ କ’ଣ ? ଏମିତି କ’ଣ ପଲଟଣ ସାଜିଛୁ ରେ !

 

ଆରେ ଭାଇ ! ଅବି ପରେଡ଼୍‍ରୁ ଫେରୁଛି ।

 

ପରେଡ଼୍ ?

 

ହଁ ଭାଇ, ପରେଡ଼୍ । ସରକାରଙ୍କ ଜରୁରି ଡାକରାରେ ଏତେ ଲୋକ ସୈନ୍ୟବାହିନୀରେ ଯୋଗ ଦେଲେ । ମୁଁ ବି ଦରଖାସ୍ତ ପକେଇଲି । ଏ ଗୋଟାଏ ସୁଯୋଗରେ ଜୀବନ ! ଧର୍ମଯୁଦ୍ଧରେ ସୁଯୋଗ ସବୁବେଳେ ସମସ୍ତଙ୍କୁ ମିଳେ ନାହିଁ । ମାତ୍ର ସେମାନେ ମୋତେ ନେଲେ ନାହିଁ ।

 

କାହିଁକି ?

 

ସେମାନେ କହିଲେ–୩୫ ବର୍ଷ ଅତିକ୍ରମ କଲା ଲୋକର ନେଫା, ଲାଡ଼ାଖକୁ ଯିବାର ଛାତି ପାଇବ ନାହିଁ । ମୁଁ ବହୁତ ଯୁକ୍ତି କଲି, ଭାଇ ! ବାହୁ ଟାଙ୍କିଲି–ଛାତି ଫୁଲାଇଲି–ଗର୍ଦ୍ଦନ ଦେଖାଇଲି । ମାତ୍ର କିଏ ଦେଖେ ? କିଏ ଶୁଣେ ଭାଇ ? ଶେଷରେ କହିଲି–ଦେଖନ୍ତୁ ଆଜ୍ଞା ! ୪୦-୪୨ ବର୍ଷ ବୟସ ଏମିତି ଗୋଟାଏ କି ବୟସ ଯେ–ଦେଖନ୍ତୁ ଆଜ୍ଞା ! –ଆମେ ପିଲାଦିନେ ଖାଣ୍ଟି ଘିଅ ଦୁଧ ମହୁ ଖାଇ ମଣିଷ ହୋଇଛୁ । ଡାଲଡ଼ା ବା ଗ୍ଲାସ୍କୋ ଯୁଗର ଶିଶୁ ଆମେ ନୋହୁଁ । ଉତ୍କଳଭୀମ ପଦ୍ମଚରଣ ଆଖେଡ଼ାରୁ ତାଲିମ ନେଇଛୁ । ତା’ଛଡ଼ା–ଏ ବୟସରେବି ଆମେ ଦୁଇ ଚାରିଟା ଜାଗାରେ ମୋହବତ୍ ଫୋହବତ୍–ହେଁ–ହେଁ–ଚଲେଇ ପାରୁଛୁ । ବିଶ୍ୱାସ ନ ହେଉଛି ତ–ଆପଣ ଦୁଇ ଚାରିଟା ଆଜିକାଲିକାର ଟୋକାଙ୍କୁ ଡାକନ୍ତୁ–ଫୁଲ୍‍କା ଉପରେ–ଆମ ସାଙ୍ଗରେ ହାତ୍ ମିଳାଇବ । ଜଣାପଡ଼ିଯିବ କିଏ କମ୍ ଜୋର୍ !! ତେବେବି ସେମାନେ ଶୁଣିଲେ ନାହିଁ । କହିଲେ–‘‘ଗୃହରକ୍ଷୀ ବାହିନୀରେ ଯୋଗ ଦିଅ ।’’ ଅଗତ୍ୟା–ଆଉ କ’ଣ କରିବା ?

 

ଜୀବନବାବୁ ବୈଷ୍ଣବଚରଣଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । ଶେଷରେ ବୈଷ୍ଣବବି ତାଙ୍କୁ ତାଜୁବ କଲା !!! ସେ କହିଲେ–

 

ଏହି ଗୃହରକ୍ଷୀ ବାହିନୀଟି ପୁଣି କ’ଣ ?

 

ଆରେ ଯେଉଁମାନେ ସୀମା ଉପରକୁ ଗଲେ–ସେ ତ ଗଲେ । ଏଣେ ପୁଣି ଘର ଜଗିବ କିଏ ? ଯୁଦ୍ଧ ତ ଖାଲି ନେଫା, ଲାଡ଼ାଖରେ ଚାଲିବ ନାହିଁ !! ଘରେ ଘରେ ଏଣେ ଚାଲିବ ଯୁଦ୍ଧ । ଗୃହଶତ୍ରୁଙ୍କର ତ ବି ଏ ଦେଶରେ ଅଭାବ ନାହିଁ !! ତେଣେ ନେଫାକୁ ନେଇ ପିଟାପିଟି ହେବେ–ଆଉ ଏଣେ ଚାଲିବ ‘‘ନେଫେଡ଼ା’’କୁ ନେଇ ପିଟାପିଟି ।

 

‘‘ନେଫେଡ଼ା’’କୁ ନେଇ ପିଟାପିଟି ମାନେ କ’ଣ ?

 

ନେଫେଡ଼ା ଗୋଟେ ମୁଦ୍ରା-ଜୀବନ–ଯାହାର ଗୋଟେ ପାଖେ କ୍ଷମତା ଆଉ ଅନ୍ୟ ପଟେ ମୁନାଫା । ଯୁଦ୍ଧବେଳେ ଏଇ ମୁଦ୍ରାଟି ଉଡ଼ିବ ହାଉଆରେ । ଏଇ କ୍ଷମତା ଲାଗି ଲିପ୍‍ସା ଘରେ ଘରେ ନିଆଁ ଲଗେଇ ଦେବ । ଆଉ ମୁନାଫା ଲାଗି ଲୋଭ ବଢ଼ି ପରି ମାଡ଼ିଯିବ ଦେଶଯାକ-। ଏଇ ନିଆଁ ଆଉ ପାଣିରେ ଦେଶଟା ଜଳିଯିବ–ଭାସିଯିବ । ଏଇ ନିଆଁ ପାଣିରୁ ପୁଣି ଦେଶଟାକୁ ରକ୍ଷା କରିବେ କେଉଁମାନେ ?

 

ଆରେ ସେଠି ବୋମା ଫୁଟିଲେ–ତା’ର ଶବ୍ଦ ଆସି ବାଜିବ ଏଠି । ଏଠି ପୃଥ୍ୱୀ ଦୁଲୁକିବ । ସହସ୍ର ମ୍ଳେଚ୍ଛ ଏଠି ଜାଗିଉଠିବେ । ନାନା ଅନର୍ଥ ଭେଇବେ । ଦେଶଟାକୁ ଚଳୁ କରିଦେବେ ରେ ! ଏଇ ମ୍ଳେଚ୍ଛପଲଙ୍କୁ ଜବତ କରିବା ଲାଗି ଆମର ଏ ବାହିନୀ । ସହସ୍ର ଯୋଗିନୀ ସୃଷ୍ଟି ନ ହେଲେ ପୁଣି ଏ ମ୍ଳେଚ୍ଛଙ୍କୁ ସଂହାର କରିବେ କେଉଁମାନେ ? ଆମେବି ଯୁଦ୍ଧବିଦ୍ୟା ଶିଖୁଛୁ ।

 

ଜୀବନବାବୁ ବୈଷ୍ଣବଚରଣଙ୍କ ହାତ ଧରି ଗୁପ୍ତ କଥାଟିଏ ପଚାରିଲା ଭଳି କହିଲେ–

 

ଆଚ୍ଛା, ଭାଇ ବୈଷ୍ଣବ ! ଯୁଦ୍ଧ ମାନେ ମରିବା ଛଡ଼ା ଆଉ କ’ଣ ?

 

ବୈଷ୍ଣବଚରଣ ଖୁବ୍ ଗୋଟାଏ ପାଟି କରି ହସି ହସି କହିଲେ–

 

ଆରେ ଯାଃ ! ମରିବା ? ମରିବା ତ ଦିନେ ନିଶ୍ଚେ ! ତା’ ପୂର୍ବରୁ ପ୍ରତିଦିନ ମରିବା କାହିଁକି ? ଘରେ କତରା ଘୋଡ଼ିହୋଇ ମରିବା ଅପେକ୍ଷା ହାତରେ ବନ୍ଧୁକ ଧରି ଗୁଳି ମାରୁ ମାରୁ ଗୁଳି ଖାଇ ମରିବା ବରଂ ଢେର୍ ମଜା !

 

ଇସ ! ଜୀବନବାବୁଙ୍କ ଆଖି ଆଗରେ ସେଇ ପିଲାଦିନର ତାଙ୍କ ଗାଁରେ ଦେଖିଥିବା–ସେହି ଅସହାୟ, ଆର୍ତ୍ତ, ମୁମୂର୍ଷୁ, କଙ୍କାଳମାନଙ୍କର ମରଣକାଳୀନ ଦୃଶ୍ୟ ମନେ ପଡ଼ିଗଲା । ସେଇ ଅନ୍ଧାରିଆ ଦୁର୍ଗନ୍ଧପୂର୍ଣ୍ଣ ସନ୍ତସନ୍ତିଆ ଘର–ତେଲଚିକିଟା ଛିଣ୍ଡା କନ୍ଥା ଆଉ ତକିଆ–ଝାଡ଼ା–ବାନ୍ତି–ଅଣଚାଶ ପବନ–ତଣ୍ଟି ଘଡ଼ ଘଡ଼–ହେକ୍ ହେକ୍ ହେକ୍–ପେଚା–ହୁଁ ହାଁ ଚଢ଼େଇ–ଅଣ୍ଡିରା ବିଲୁଆ–ଆଉ କୁଉଁ ଉଁ ଉଁ ଉଁ କିନା ଗୋଟାଏ ପବନ ବାହାରି ଯିବାର ଶବ୍ଦ ସଙ୍ଗେ–ରାମ ନାମ ସତ୍ୟ ହୈ–ନା–ନା–ମରା ନାମ ସତ୍ୟ ହୈ–

 

ଇସ–ଇସ–ନା–ନା–ତା’ ଅପେକ୍ଷା–ତା’ ଅପେକ୍ଷା–ପ୍ରକୃତରେ ତା’ ଅପେକ୍ଷା–ଏମିତି ଏଇ ପୋଷାକରେ–ବନ୍ଧୁକରୁ ଗୁଳି ଛାଟୁ ଛାଟୁ–ଗୁଳି ଆଗରେ ମରି ପଡ଼ିବା–କି ଚମତ୍କାର ! କି ମହନୀୟ ! କି ବୀରୋଚିତ ! ଏମିତି ମରଣରେ ପ୍ରକୃତ ମୃତ୍ୟୁ ହାତରେ ନିଜକୁ ଅସହାୟ ସମର୍ପଣ କରାଯାଏନା ! ଏମିତି ମରଣରେ ଜୀବନ ଇ ମୃତ୍ୟୁକୁ ପ୍ରକୃତ ଦମ୍ଭ ଦେଖାଏ !

 

ଜୀବନବାବୁଙ୍କ ମନରେ ହଠାତ ଜୀବନର ତାତି ଲାଗିଲା । ସେ ଅନୁଭବ କଲେ–ତାଙ୍କର ଆଖି, କାନ, ମୁହଁ, ବେକମୁଣ୍ଡା ଆଦି ଏକ ନୂଆ ତାତିରେ ଉଷୁମେଇ ଉଠିଲାଣି । ବୈଷ୍ଣବଚରଣ ପୁଣି ଆରମ୍ଭ କଲେ–

 

ତୁ ଆ ନା ଭାଇ–ଚାଲ୍, ଆମର ଏଇ ଗୃହରକ୍ଷୀ ବାହିନୀରେ ତୋର ନାମ ଲେଖାଇ ଦେ ଆଜି । ପରଡ଼ରେ ଥରେ ଯୋଗ ଦେଇ ଆଗ ମାର୍ଚ୍ଚିଂ କର–ଦେଖିବୁ–ତୋର ମନେ ହେବ–ସତେ କି ମୁଁ ମରିପାରେନା–ସତେ କି ମୋର ବୟସ ଆହୁରି କୋଡ଼ିଏବର୍ଷ ପଛକୁ ଫେରିଗଲା ! କାନ୍ଧରେ ବନ୍ଧୁକ ପଡ଼ିଲେ–କ’ଣ ମନେ ହୁଏ ଜାଣୁ ? ମନେ ହୁଏ–ସତେ କି ବର୍ତ୍ତମାନ ମୁଁ ସ୍ୱୟଂ ଯମକୁବି ଗୁଳି କରି ମାରି ଦେଇ ପାରେ । ତୁ ବର୍ତ୍ତମାନ ଆ ଜୀବନ, ମୋ ସଙ୍ଗରେ ଆ–ଆ, ବର୍ତ୍ତମାନ ଆ–ଆଉ ଡେରି କରିବା ଭଲ ନୁହେଁ । କଲମ ଆଉ ବନ୍ଧୁକ ଦୁଇଟାରେ ହାତକୁ ପରୀକ୍ଷା କରିନେବାକୁ ହେବ । କଲମଟା ଜୀବିକାପାଇଁରେ–! ଆଉ ବନ୍ଧୁକଟା ପୂରା ଜୀବନ ଲାଗି । ତୁ ଆ–ଆ ଭାଇ–ଆ-। ରିକ୍ରୁଟିଂ ଅଫିସରେ ମୁଁ ତୋର ବର୍ତ୍ତମାନ ଇ ସବୁ ବନ୍ଦୋବସ୍ତ କରିଦେବି । ସେମାନେବି ଲୋକ ଚାହିଁ ବସିଛନ୍ତି ।

 

ବୈଷ୍ଣବଚରଣ ଜବରଦସ୍ତି ଜୀବନବାବୁଙ୍କ ହାତ ଧରି ଆଗକୁ ଘୋଷାରି ନେଲେ । ମାତ୍ର ଦୁଇ କଦମ୍ ଗଲା ପରେ ଆଉ ତାଙ୍କୁ ଜୀବନବାବୁଙ୍କୁ ଘୋଷାରି ନେବାକୁ ପଡ଼ିଲା ନାହିଁ । ଜୀବନବାବୁ ଛାତି ଫୁଲାଇ–ବାହୁ ଟାଙ୍କି–ଆଉ ଗର୍ଦ୍ଦନ ଟେକି ଭୂଇଁ ଉପରେ କୁଦି କୁଦି ଚାଲିଲେ... ।

 

ଆଗରେ ହୋମ୍-ଗାର୍ଡ଼ ରିକ୍ରୁଟିଂ ଅଫିସ ।

 

* ଭାରତ ଓ ଚାଇନା ଯୁଦ୍ଧ ସମୟରେ ଲିଖିତ ।

Image

 

Unknown

ଉତ୍ତୀର୍ଣ୍ଣ ସମୟ

 

ତିନୋଟି କୁଅଭ୍ୟାସ; ଯଥା :–ଖବରକାଗଜ ପଢ଼ିବା, ଦର୍ପଣରେ ମୁହଁ ଦେଖିବା ଓ ଘଣ୍ଟା ଦେଖି ସମୟ ଜାଣିବା–ମୁଁ ପ୍ରାୟ ଆଜିକୁ ତିନିବର୍ଷ ହେଲା ଛାଡ଼ି ଦେଲିଣି । ଅତଃପର ମୁଁ ସମ୍ପୂର୍ଣ୍ଣ ମୁକ୍ତ ମଣିଷର ଆନନ୍ଦ ପାଇବାକୁ ହକ୍‍ଦାର । ମାତ୍ର ସେତେକ ଏ ଦେଶରେ କେହି କରାଇ ଦେବେ ନାହିଁ ।

 

ଅବଶ୍ୟ ୟା ମାନେ ନୁହେଁ, ଯେ ଖବରକାଗଜ ମୋ ଘରକୁ ଆସେ ନାହିଁ–ବା ମୋ ଘରେ ଦର୍ପଣ ନାହିଁ ଓ ମୁଁ ହାତରେ ଘଣ୍ଟା ବାନ୍ଧେ ନାହିଁ । ଖବରକାଗଜ କିଣେ ପିଲାଙ୍କ ଖାତାରେ ମଲାଟ ମଡ଼ାଇବା ଲାଗି ଓ ଚୁଲି ଧରାଇବା ଲାଗି–ଦର୍ପଣ ରଖିଥାଏ ପତ୍ନୀ କ୍ରୁଦ୍ଧା ହେଲାବେଳେ ତାଙ୍କ ମୁହଁ ଆଗରେ ଟେକି ଧରିବି ବୋଲି ଓ ଘଣ୍ଟା ବାନ୍ଧିଥାଏ ମଣିବନ୍ଧର ଏକ ଅଳଙ୍କାର ସ୍ୱରୂପ ।

 

ମାତ୍ର ବେଶି ହଇରାଣରେ ପକାଇଛି ଏଇ ଘଣ୍ଟାଟି । ଘଣ୍ଟାଟି କେଉଁଦିନ ବନ୍ଦ ହୋଇ ଗଲାଣି । ମାତ୍ର ଏ ଦେଶରେ ଲୋକମାନେ ବର୍ତ୍ତମାନ ଖୁବ୍ ସମୟ-ସଚେତନ ହୋଇ ଉଠିଛନ୍ତି । ଘରୁ ବାହାରିବାମାତ୍ରେ ଫାଟକ ପାଖରୁ ଆରମ୍ଭ ହୋଇଯିବ ପଥଯାତ୍ରୀମାନଙ୍କର ସମୟ-ଜିଜ୍ଞାସା । ଆଜ୍ଞା, କେତେଟା ବାଜିଲାଣି ? ବେଳ କେତେ ହେଲା, ବାବୁ ? ଆଜ୍ଞା, ଟାଇମ୍ ? କେତେ ବାଜିଛି କହିବେ କି ? ସମୟ କେତେ ହେଲା, ସାର୍ ?

 

ମାର୍ ଗୁଲି ! ସମୟକୁ ଗୁଲି ମାରି ଯେ ସମୟ-ଚକ୍ରରୁ ଖସି କନ୍ଦିକାଟି ଘୁରୁଛି, ତାକୁ ସମୟ ଉପରେ ସଚେତନ କରିବାରେ ଏହି ବିରକ୍ତିକର ପ୍ରୟାସ ଏକ ଷଡ଼ଯନ୍ତ୍ର ନୁହେଁ କି ? ନିଶ୍ଚୟ ଷଡ଼ଯନ୍ତ୍ର । ମୁଁ କ’ଣ ସମୟ ରକ୍ଷକ ଗୋଟା ଦେଶଟାର ? ଗୋଟା ଜାତିଟାର ? ଏ ରାସ୍ତାଯାକର ପଥଯାତ୍ରୀଙ୍କର ? ଦୁତ୍‍ତେରୀ ! ମୁଁ କହିପାରିବି ନାହିଁ–ବତାଇ ପାରିବି ନାହିଁ–କହିବି ନାହିଁ କାହାକୁ ସମୟର କଥା; ମାତ୍ର କାହାରି ଭଦ୍ରତା ବା ଶିଷ୍ଟତା ତ ନାହିଁ–ଦୟା ମାୟାବି ନାହିଁ । ସେମାନେ ସମୟ କଥା ପଚାରିବେ ଓ ମୋତେ ମୋର ଘଡ଼ି ତିନିବର୍ଷ ହେଲା ବନ୍ଦ ହୋଇଥିଲେବି ଠାସୁକୁ ମାରି ଗୋଟାଏ ସମୟ କହିବାକୁ ପଡ଼ିବ–ଦଶଟା ପଚାଶ କିମ୍ୱା ବାରଟା ବାଜିଲାଣି–କିମ୍ୱା ଚାରି ବାଜିବାକୁ ତିନି ମିନିଟ୍ ବାକି ।

 

ସତକୁ ସତ ସେଦିନ ମୁଁ ଚିଡ଼ିଗଲି । ଲୋକଟା ବଡ଼ ଥେଣ୍ଟିଆ । ମୁଁ ଚାଲି ଚାଲି ଷ୍ଟେସନ୍ ଯାଉଛି । ସେ ମୋ ପିଛା ଧରିଲା । ଲୋକଟା ଅଧାବୁଢ଼ା, ପାତଳା ଓ କିଞ୍ଚିତ୍ କ୍ଷୀଣ ସ୍ୱାସ୍ଥ୍ୟ । ତା’ର ନାକଟାକୁ ଦେଖି ମୁଁ ଆଗ ବିରକ୍ତ ହୋଇଗଲି । ତା’ ନାକ କହି ଦେଉଥିଲା, ସେ ଅନ୍ୟ କଥାରେ ନାକ ପୂରାଏ ଓ ଅନ୍ୟକୁ ନାକେଦମ୍ ନ କରିବା ଯାଏଁ ଛାଡ଼େ ନାହିଁ । ୟା ଛଡ଼ାବି ବୋଧହୁଏ ତା’ର ଅନ୍ୟ ଉପରେ ନାକ ଛିଞ୍ଚାଡ଼ିବା ଗୁଣ ଅଛି । ସେ ନାକ ଟେକି ବେଳକାଳ ଉଣ୍ଡୁଥାଏ । ଏମିତି ଲୋକ ଦେଖିଲେ ମୋ ମୁଣ୍ଡକୁ ଖୁନ୍ ଉଠିଯାଏ । ସେ ପ୍ରାୟ ମୋର କଡ଼କୁ ଲାଗି ଆସି ମୋ ହାତଘଡ଼ିକୁ ନାକେଇଲା । ମୁଁ ଜାଣିପାରି ଚଞ୍ଚଳ ପାଦ ପକାଇଲି । ମାତ୍ର ସେ କମ୍ ଜନ୍ତୁ ନୁହେଁ । ମୋତେ ଲାଗୁଥାଏ, ତା’ର ନାକଟା ବଢ଼ିଯାଉଛି ଓ ମୋ ଅଚଳମାନ ଘଡ଼ିଟିକୁ ଆକ୍ରମଣ କରୁଛି । ମୁଁ ପ୍ରାୟ ଧପାଲିଲି ଓ ସେ ମଧ୍ୟ ଧପାଲିଲା । ସେ ଅଣନିଃଶ୍ୱାସୀ ହୋଇଯାଇ ହଠାତ ଅତରଛ ହେଲା ଭଳି ପଚାରି ଦେଲା–

 

ସମୟ କେତ୍‍ତେ ହେଲା ବାବୁ ?

 

ମୁଁ ଥମ୍ୱ ହୋଇ ଠିଆ ହୋଇ ତା’ର ସେଇ ଅବାନ୍ତର ନାକଟା ଉପରେ ଗୋଟାଏ ଘୁଷି ମାରିଲା ଭଳି କହିଲି–

 

ଆଖର ହୋଇଗଲାଣି ?

 

କ’ଣ୍ କହ୍‍ହିଲେ ?

 

ମୁଁ କହିଲି–ସମୟ ହୋଇଗଲା ବୋଲି ଜାଣ ।

 

ମାନ୍‍ନେ୍–କେତେ ସମୟ ହେହ୍‍ଲା ?

 

ବର୍ତ୍ତମାନ ଜାଣିଲି–ତା’ର ଜିଭ ଲାଗେ ।

 

କେତେ କ’ଣ ଆଉ ? ଆଉ ନାହିଁ ।

 

କ’ଣ ନାହିଁ ?

 

ସମୟ । ସମୟ ।

 

କ’ଣ କରିବା ତା’ହେଲେ ?

 

ଏଥର ଇଷ୍ଟ ସ୍ମରଣ କର ମଉସା ।

 

କୋଉ ଇଷ୍ଟ !

 

ଲୋକଟାବି କମ୍ ବଦମାସ ନୁହ; ମାତ୍ର ମୁଁ କ’ଣ ଊଣା ବଦମାସ ? ଶଃ ଛୋକ୍‍କାର–ଦଉଛି ଥଣ୍ଡା କରି ରଃ ।

 

ମୁଁ କହିଲି–କୋଉ ଇଷ୍ଟ କ’ଣ ? ଆପଣା ଇଷ୍ଟ ।

 

ଲୋକଟା ଏତେ ବଦମାସ ଯେ ମୋ କଥା ଶୁଣି ହସିଦେଲା–ବୋଧହୁଏ ମୋତେ ପାଗଳ ବା ଟିଙ୍ଗିଶୂଳା ବୋଲି ଠଉରାଇ ନେଇ ମୋତେ ଗେଲ କରିବା ଭଳି ଉଦାରତା ଦେଖାଇ ମୋ କଟିବନ୍ଧକୁ ଧରି ପକାଇଲା ଓ ଚାହୁଁ ନ ଚାହୁଁ ହସି ହସି କହିଲା–

 

ତୁମ ଘଣ୍ଟା ଚାଲୁନି କିଓ ବାବୁ ?

 

ମୁଁ ରାଗରେ କହିଲି–ନାଆଆ–

 

ତା’ ହେଲେ ହାତରେ କାହିଁକି ବାନ୍ଧିଛ ?

 

କେମିତି କେଜାଣି ତା’ର ଏତେକ କଥାରେ ଲୋକଟା ପ୍ରତି ହଠାତ ମୋର ମନୋଭାବ ବଦଳି ଗଲା । ତା’ ମୁହଁକୁ ଦେଖିଲାମାତ୍ରେ ମୋର କେମିତି ଗୋଟେ ବନ୍ଧୁ ବନ୍ଧୁ ଭାବ ଆସିଲା । ମୁଁ ମଧ୍ୟ ହସି ହସି ମୋର ମୁଣ୍ଡଟାକୁ ଦେଖାଇ କହିଲି–

 

ଏ ମୁଣ୍ଡଟା ଚାଲୁଛି ନା ନାଇଁ ମଉସା ?

 

ମଉସା କହିଲେ–ନାଁ, ମୁଣ୍ଡଟା ଚାଲିବ କେମିତି ? ପାଦ ଚାଲୁଛି ନା !

 

ମୁଁ କହିଲି–ତେବେ ଏ ମୁଣ୍ଡଟା ଏ ବେକରେ ବନ୍ଧା ହୋଇଛି କୋଉ ଯୁକ୍ତିରେ ?

 

ଏଥର ଲୋକଟି ଖୁବ୍ ଖୁସି ହେଲା ପରି ଜଣା ପଡ଼ିଲା ଏବଂ ମୋର ଅଣ୍ଟାରେ ହାତ ଜଡ଼ାଇ ଚାଲୁ ଚାଲୁ କହିଲା–

 

ସତରେ କ’ଣ ସମୟ ଚାଲୁନି ବାବୁ ?

 

ମୁଁ କହିଲି–ପାଦ ଚାଲିଲେ ଯେମିତି ମୁଣ୍ଡ ଚାଲୁଛି–ସେମିତି ଆମେ ଚାଲିଲେ ସମୟ ଚାଲୁଛି ।

 

ସେଉଠୁ ଲୋକଟି ମୋତେ କହିଲା–ଲୋକାଲ୍ ଟ୍ରେନ୍ ହେଇ ଛାଡ଼ିଦେଲା । ଆଉ ଧରିବାର ଆଶା ନାହିଁ । ଆସ ଏଇ ହୋଟେଲକୁ ଯିବା । ଚା’ ଖାଇବା । ମୁଁ କହିଲି–ଚାଲନ୍ତୁ; ମାତ୍ର ମୁଁ ଟ୍ରେନ୍ ଧରିବାକୁ ଆସି ନ ଥିଲି ।

 

ଆମେ ଦୁହେଁ ପାଖ ଦୋକାନରେ ଚା’ ଖାଇଲୁ ଓ ଖୁବ୍ ଖୁସି ହୋଇ ତା’ପର ଟ୍ରେନ୍ ପର୍ଯ୍ୟନ୍ତ ଗପିଲୁ । କେମିତି କେଜାଣି ଲୋକଟିକୁ ମୁଁ ଖୁବ୍ ଭଲ ପାଇଗଲି । ସେ ମଧ୍ୟ ମୋତେ ଏମିତି ବ୍ୟବହାର ଦେଖାଇଲା–ସତେ କି ମୁଁ ତା’ର ଝିଅକୁ ବାହା ହୋଇଥିଲି ଓ ବହୁଦିନ ହେଲା ତା’ ଝିଅ ମରିଯାଇଛି । ସେ ତା’ର ପୂର୍ବ ଜ୍ୱାଇଁକୁ ଅନେକ ଦିନ ହେଲା ଦେଖି ନଥିଲା । ଏବେ ଅକସ୍ମାତ୍ ଦେଖି ଓ ଚିହ୍ନିପାରି କେମିତି ଗୋଟେ କେମିତି ହୋଇ ଯାଉଛି । ମୁଁ ମଧ୍ୟ ସ୍ନେହବଶରେ ତାକୁ ପର ଟ୍ରେନ୍‍ରେ ଚଢ଼ାଇ ଦେଲି । ଟ୍ରେନ୍ ଛାଡ଼ିବା ଯାଏଁ ସେ ଦୁଆର ମୁହଁରେ ଠିଆ ହୋଇଥାଏ-। ଆମେ କେହି କାହାକୁ ଠିକଣା ଜଣାଇ ନ ଥିଲେବି ସେ ଟ୍ରେନ୍ ଭିତରୁ ପାଟିକରି ଉଠିଲେ–

 

ଚିଠି ଦେବ ଚଞ୍ଚଳ; ନିଶ୍ଚୟ ଚିଠି ଦେବ । ମୁଁ ମଧ୍ୟ–‘‘ନିଶ୍ଚୟ’’ ‘‘ନିଶ୍ଚୟ’’ କହି ସମ୍ମତି ଜଣାଇଲି ।

Image

 

ରାଧୁଆର ସ୍ୱରଲିପି

 

ସେଇ ବଇଁଶୀଟା ଯୋଗୁଁ ସିନା ଏତେ କଥା !

 

କିନ୍ତୁ ବଇଁଶୀ କ’ଣ ସବୁଦିନେ ମୋ ହାତରେ ଥାନ୍ତା ? ହାତରେ ଥିଲେ ମଧ୍ୟ ମୁଁ କ’ଣ ସବୁଦିନେ ଆଉ ଏ ଗାଁରେ ରହିଥାନ୍ତି ? ଜମା ନୁହ । ଗାଁରୁ ମୋର ମାୟା ତୁଟି ଯାଇଥିଲା । ଏ ଗାଁରେ ବା ମୋର ହେଇ ଆଉ କିଏ ଥିଲେ ? ଗାଁବାଲା ଶଳେ ସମସ୍ତେ ପଥର । ସବୁ ମରଦ ମାଈକିନା ଗୋଟେ ଗୋଟେ ଜନ୍ତୁ । ସମସ୍ତେ ଆପଣାସ୍ୱାର୍ଥୀ ! ଖାଲି କୋଇଲୀ ନାନୀକି ଛାଡ଼ିଦେଲେ; କିନ୍ତୁ କୋଇଲୀ ନାନୀ ବା କ’ଣ କରନ୍ତା ? ସେ ବି କ’ଣ ଏ ଗାଁରେ ରହିପାରିଲା ? ଆହା ! କୋଇଲୀ ନାନୀ ! ରୂପ ଯେମିତି ଚନ୍ଦ୍ରଉଦିଆ, ଗୁଣବି ସେମିତି କେଡ଼େ କଅଁଳ ! ପିଲାଦିନରୁ ବାପ-ମା ଗୋଟେ ବୁଢ଼ା ସାଙ୍ଗେ ବାହା ଦେଇଥିଲେ । ସେ ବେଧୁଆ କାଶ ବେମାରୀରେ ମଲା । କୋଇଲୀ ନାନୀ ରାଣ୍ଡ ହୋଇ ଗାଁରେ ଥାଏ । ନିଜର ବୋଲି ତା’ର ଆଉ କେହି ନ ଥିଲେ । ଗୋଟିଏ ବୋଲି ଭାଇ–ସେ ଥାଏ କଲିକତାରେ । ଭାଉଜ ତା’ ବାପଘରକୁ ପଳାଇଲା । କୋଇଲୀ ନାନୀ ଚାରିଟା ବିଲେଇ, ଚାରିଟା ଛେଳି, ଗୋଟାଏ କୁକୁର, ଗୋଟାଏ ଶାରି ପୋଷିଥାଏ । ସେଇମାନଙ୍କ ସାଙ୍ଗେ ଦିନ ରାତି ଲାଗିଥାଏ । ମୋ ଉପରେ କେମିତି କେଜାଣି ତା’ର ଭାରି ଶରଧା । ମତେ ଦେଖିଲେ ସେ ମତେ ଆଉଁଶି ପକାଇବ । କେତେ ସାକୁଲେଇ ହେବ । କୋଇଲୀ ନାନୀକି ଦେଖିଲେ ମୋରବି ତାକୁ ଆଉ ଛାଡ଼ିବାକୁ ଇଚ୍ଛା ହୁଏ ନାହିଁ ।

 

କିନ୍ତୁ କୋଇଲୀ ନାନୀକି କ’ଣ ସେ ଗାଁରେ ଶାନ୍ତିରେ ରଖେଇ ଦେଲେ ? ତା’ ପିଛା ଲାଗିଥାନ୍ତି ଜଗୁ ତିଆଡ଼ୀ, ଟେରା ମିଶର, ଗୋଲଖା ଜେନା, ଆଉ ଛଣୀ ମହାନ୍ତି । ଶଳେ ଏକାଠି ମିଶି କୋଇଲୀ ନାନୀକି ଖତମ କରି ଦେଇଥାନ୍ତେ । ମୁଁ ଥେଲି ବୋଲି–ଥେଲି କ’ଣ ? ମୁଁ ଷଣ୍ଢାମାର୍କା ଥେଲି ବୋଲି ତାକୁ ମୋ ବାହା ତଳେ ଆଶ୍ରା ଦେଇ ରଖିଥିଲି । ମୋ ରଡ଼ିରେ କେହି ତା’ ଦିହରେ ଟିପ ଲଗାଇ ପାରୁ ନ ଥିଲେ ।

 

ଆଉ ସେଇ ବୋକା ଖନା ଟୋକାଟା–ମୁକୁନ୍ଦା । ବାପ-ମା’ ଛେଉଣ୍ଡ । ଘର ବଖରାଏ–ଘରଢ଼ିଅ ଦି’ଗୁଣ୍ଠ । ମୁକୁନ୍ଦାକୁ ମାରି ଟିକି ଟିକି ସାଗୁଆତି କରି ଖାଇଥାନ୍ତେ, ଠାକୁରାଣୀ ପାଖେ ଜନ୍ତାଳ କରି ମୋ ଗାଁବାଲା ଶଳେ । ମୁଁ ଥେଲି ବୋଲି–ଥେଲି କ’ଣ ? ମୁଁ ସେମିତି ଷଣ୍ଢାମାର୍କା ଥେଲି ବୋଲି ତାକୁବି ମୁଁ ମୋ ଭୁଜ ତଳେ ଆଶ୍ରା ଦେଇ ରଖିଥିଲି । ହଁ-ହଁ, ମନେ ପଡ଼ିଲା–ପହଲା ପଧାନ, ଆଉ ସୋଇଁଘର ବୁଢ଼ୀକି ମଧ୍ୟ ଶଳାଙ୍କ ଘେର ଭିତରୁ ମୁକାଳି ମୁଁ ମୋ ବାହାତଳେ ଶରଣ ଦେଇଥିଲି ।

 

ପହଲା ପଧାନ ଆଉ ନାହିଁ । ସେପାରିକି ଚାଲିଗଲାଣି । ସୋଇଁଘର ବୁଢ଼ୀ ମଧ୍ୟ ବିରୂପା ବାଲିରେ କୋଉଦିନୁଁ ପାଉଁଶ ହୋଇ ମିଶି ଗଲାଣି । ଆହା ! କାହିଁ ସେ ପିଲାଦିନ ! କାହିଁ ଗଲା କୋଇଲୀ ନାନୀ ! କେଡ଼େ ମିଠା ତା’ର ରୂପ–କେଡ଼େ ମିଠା ତା’ର ଗୁଣ । ମତେ ଦେଖିଲେ ସେ ଉଛୁଳି ଉଠେ । ମତେ କହେ ରାଧୁଆରେ ! ତୁ ହେଲେ ମୋ ଭାଇ ହେଇ ଜନ୍ମ ହୋଇଥାନ୍ତୁ ! ଏତିକି କହି ସେ କାନ୍ଦି ଉଠେ । ମୁଁ ମଧ୍ୟ କାନ୍ଦି ପକାଏ । ମାତ୍ରକ କୋଇଲୀ ନାନୀକି ଭଉଣୀ ଭଳି ମୁଁ ଦେଖୁଥିଲେବି ତା’ ପାଇଁ ମୋ ମନ ଥରେ ଥରେ କେମିତି ଆଉ ପ୍ରକାରେ ହୋଇଯାଏ । ମୁଁ ଭାବେ–ଯଦି କୋଇଲୀ ନାନୀ ରାଣୀ ହୋଇଥାନ୍ତା, ମୁଁ ହୋଇଥାନ୍ତି ରଜା । କୋଇଲୀ ନାନୀ ସତକୁ ସତ ବେଳେବେଳେ ରାଣୀ ଭଳି ଦିଶେ । କେମିତି ଗୋଟେ ସେ ଆଉ ପ୍ରକାର ଦିଶେ ମୋ ଆଖିକି-। ସେ ଯେତେବେଳେ ଚାରିଟା ବିଲେଇ, କୁକୁର, ଛେଳି, ନେଉଳ ଆଉ ଶାରିମାନଙ୍କ ସାଙ୍ଗେ ଖେଳୁଥାଏ, ମୋତେ ଲାଗେ ସେ ଏ ପୃଥ୍ୱୀକି ତା’ ଅଧୀନରେ ରଖି ଖେଳଉ । ସାରା ପୃଥ୍ୱୀକି ସେ ସ୍ନେହରେ ବଶ କରିଦେବ । ଆଉଁଶି ପାଉଁସି ତା’ ପଣତ ତଳେ ଘୋଡ଼େଇ ରଖି ପାରିବ । କୋଇଲୀ ନାନୀ ମୁହଁକୁ ମୁଁ କ’ଣ ସିଧା ଚାହିଁ ପାରେ ? ମୋତେ ଲାଜ ଲାଗେ । ତା’ ଆଖିରେ କ’ଣ ଯାଦୁ ଅଛି–ବାଘ ପରା ଜନ୍ତୁ ବଶ୍ୟ ହୋଇଯିବ; କିନ୍ତୁ ତାକୁବି ଏ ଗାଁରେ ରଖେଇ ଦେଲେ ନାହିଁ । ମତେବି ଆଉ ଏ ଗାଁ ଭଲ ଲାଗୁନାହିଁ । ମୁଁ ବି ଏ ଗାଁ ଛାଡ଼ିଦେବି । ଅଥଚ କ’ଣ ଭଲା ମୁଁ ଏ ଗାଁରେ ନ କରିଛି ? କେଡ଼େ କେଡ଼େ କଥା ଭଲା ଘଟି ନ ଯାଇଛି ! ଗାଁ ଭିତରେ ଥରେ ପଶିଥେଲା ଗୋଟାଏ ପାଗଳା ବିଲୁଆ । ତିନି ଜଣଙ୍କୁ କାମୁଡ଼ିଲା । ଅଲେଖ ମିଶ୍ର ବିଲୁଆ ଭଳିଆ ବୋବେଇ ବୋବେଇ ମଲା । ସେ ଶଳାଟା ଜୀବନ୍ତରେ ବିଲୁଆ ଭଳିଆ ଭାରି ଧୂର୍ତ୍ତ ଥେଲା । ଆରତ ମହାପାତ୍ର ମାଈପ ଯେମିତି ପେଟଘା’ରେ ମଲା, ସେମିତି ଅଲେଖା କ’ଣ କଲାନା ଘୁଙ୍ଗା ଆର୍ତ୍ତିଆକୁ ଗୋପୀନାଥପୁରର ସେହି ଶଳା ବେଧୁଆ ବାବାଜି ପାଖକୁ ଡାକିନେଇ କ’ଣ ମନ୍ତ୍ର ଦୀକ୍ଷା ଦେଇଦେଲା । ଆର୍ତ୍ତିଆ ଖାଲି କୃଷ୍ଣ କୃଷ୍ଣ ହେଲା । ଆଉ କିଛି ତା’ ପାଟିରୁ ବାହାରିଲା ନାହିଁ । ସେଇଠୁ ବାଉଁଶବଣିଆରେ ଗୋଟାଏ ମଠ ବନେଇଲା । ଅଲେଖା କଥାରେ ପଡ଼ି ସବୁଦିନେ ମଠରେ କାନିକା ହରଡ଼ ଡାଲି ରାନ୍ଧି ମଉତ୍ସବ କଲା । ପଇସା ସରିଗଲା । ଅଲେଖା ତାକୁ ଟଙ୍କା କରଜ ଦେଇ ତା’ ଜମିତକ କଣ୍ଟକବଲା କରି ମାରିନେଲା । ଶଳା ବିଲୁଆ ଭଳିଆ ବୋବେଇ ବୋବେଇ ମଲା–ଭଲ ହୋଇଛି । ଆଚ୍ଛା ! ସେହି ପାଗଳା ବିଲୁଆଟାକୁ ଠେଙ୍ଗାରେ ପିଟି ପିଟି ମାରିଲା କିଏ ? ମୁଇଁ !!

 

ଆନ୍ଦିଆ ନାହାକ କୋଠି ତଳେ ହଳେ ନାଗ ନାଗୁଣୀ ପଇଥେଲେ–ଛ’ ହାତିଆ ନାଗ–ହଳଦିଗଣ୍ଠି ବର୍ଣ୍ଣ–ଖାଲି ଫଁ ଫଁ ହେଉଥାନ୍ତି–ଚମକି ଆସି ଲାଞ୍ଜରେ ଠିଆ ହୋଇ ଯାଉଥାନ୍ତି । ଗାଁବାଲା କାହାରି ସାହସ ହେଲା ନାହିଁ । ସେ ଯୋଡ଼ାଙ୍କ ଆଗକୁ ଚମକି ଯାଇ କିଏ ଠେଙ୍ଗାରେ ପିଟି ପିଟି ମାଇଲା ? ମୁଇଁ !! ଜନାର୍ଦ୍ଦନପୁରିଆଙ୍କ ସଙ୍ଗେ ଦୋଳ ମେଳନରେ ଯୋଉ ଫଉଜଦାରୀ ହେଲା ଆମ ଗାଁବାଲାଙ୍କର, ସେଥିରେ କିଏ ପିଟି ପିଟି ଜନାର୍ଦ୍ଦନପୁରିଆଙ୍କୁ ସାବାଡ଼ କଲା ? ମୁଇଁ !! ସେ ସାଲେ ମରୁଡ଼ିରେ ଯେତେବେଳେ ଆମ ଗାଁ ଗହୀର ଧାନ ସବୁ ଶୁଖି ପାଚିଗଲା କୁଟା ଭଳି, କିଏ ରାତାରାତି ଖଜୁରିଆ ଜୋଡ଼ର ହୟାନ୍ତ ବନ୍ଧମୁହଁ କାଟି ଆମ ଗାଁ ଗହୀରକୁ ପାଣି ବୁହାଇ ଦେଲା ? ମୁଁ ଆଉ ନାଥିଆ ଭୋଇ ନୁହ ? ମୋର ଯେମିତି ଗହୀରରେ ଗୁଣ୍ଠେ ଜମି ନ ଥେଲା–ନାଥିଆରବି ସେମିତି ବାଡ଼ି ଗେବରେ ଗୋବେ ଜମି ନଥିଲା ଏ ପୃଥ୍ୱୀରେ । ହେ ! ଭୁଲି ଯାଇଥେଲିରେ ! ନାଥିଆ ଭୋଇଟା ଭଲ ଲୋକ ! ଦେହରେ ହାତୀଏ ବଳ । ଟୋକେଇଏ ଗେଣ୍ଡା ଏକା ଖାଇ ଦେବ । ଭାରି ପରଉପୁଗାରୀ । ଏବେ ଅଲେଖଦୀକ୍ଷା ନେଲାଣି । କହୁଛି–ଆଗତ-ଭବିଷ୍ୟ ମାଳିକାରେ କୁଆଡ଼େ ଭୀମ ଭୋଇ କହିଛନ୍ତି ପୃଥ୍ୱୀ, ପ୍ରଳୟ ହବ – ନିରାକାର ଶୂନ୍ୟମଣ୍ଡଳରୁ ବାରହାତ ଖଣ୍ଡା ବାହାର କରି ଜଗତ୍ର ବୁଲିବେ । ଜଗନ୍ନାଥେ ବଡ଼ ଦେଉଳରୁ ଉଭାନ ହୋଇ ଯିବେ । ଯୋଗ୍ନୀମାନେ ସବୁ ମ୍ଳେଚ୍ଛଙ୍କ ତଣ୍ଟି କଣା କରି ରକ୍ତ ପିଇବେ–ହାଡ଼ ମାଉଁସ ଝୁଣି ଖାଇବେ । ତା’ପରେ ସତ୍ୟଯୁଗ ଆସିଯିବ । ନିରାକାର ଏ ନବଖଣ୍ଡ ମେଦିନୀର ରାଜ ହେବେ ।

 

ହୁଅନ୍ତା କି ସେଇଆ । ଶଳା ଆମ ଗାଁବାଲାଙ୍କୁ ଚଣ୍ଡୀ ଚାମଣ୍ଡା ଖାଇ ଯାନ୍ତେ କି ! ବେଧୁଆଗୁଡ଼ାକ ଶଳେ ସମସ୍ତେ ଗୋଟେ ଗୋଟେ ସୟତାନ । ଶଳାଙ୍କ ଲାଗି ମୁଁ କମ୍ ହଇରାଣ ହେଲିଣି ! ଶଳେ ସମସ୍ତେ ମତେ ମାରିଦେବେ ବୋଲି ବଇଥେଲେ । ଶଳେ ଜାଣି ନାହାନ୍ତି–ମୁଁ କେଡ଼େ ବଳିୟାର ଭୁଜ । ହେ ହେ–କ’ଣ ବୋଲି କ’ଣ କହି ଯାଉଛି ବେ ? ପାଟିରେ ବାଟୁଳି ବାଜୁ ନାଇଁ–ଚୁପ୍‍ଚାପ୍–ହେ ପ୍ରଭୁ ! ମୁଁ ଶଳାଟା କିଏ ବେ ? ଜଗନ୍ନାଥ ମାହାପ୍ରୁ ସିନା ବଳିୟାର ଭୁଜ । ମୁଁ ଛାର ଖୁବ୍ ବେଶି ହେଲେ ଷଣ୍ଢା ମାର୍କା ମଣିଷୁଟାଏ ନା ଆଉ କ’ଣ ?

 

ହଅ ହେଲା ! ସେମିତି ବୁଝିଲେ ମୁଁ କ’ଣ ଆମ ଗାଁରେ ସେଇଆ ନ ଥିଲି କି ? ସେଇଆ ନୁହ ତ ବାଘ ପରା ଜନ୍ତୁକୁ ସେତେବେଳେ ଭୁଆଁ ବୁଲେଇ ଦେଲି କେମିତି ? କୋଉ ଶଳା ଗାଁବାଲା ମୁଣ୍ଡକୁ ଏକଥା ଜୁଟିବ ? କରୁ ଦେଖି ସେମିତି !! ଫେର୍ ଅବିକା ବାଘଙ୍କୁ ଖେଳଉଛି କେମିତି ? ହାଁ ତୋ ବାଇଶ ବରଗଛ !! ବାଘ ପରା ଜନ୍ତୁ ‘‘ବସ୍’’ କହିଲେ ବସୁଛି, ‘‘ଉଠ୍’’ କହିଲେ ଉଠୁଛି ।

ଅସଲ କଥା ବଇଁଶୀଟା ମୋତେ ଦଗା ଦେଲା । ହଅ ! ଦଗା ଦେଲା କ’ଣ ? ବଇଁଶୀ କ’ଣ ସବୁବେଳେ କାହା ହାତରେ ରହେ ? ମୋତେ ଷୋଳବର୍ଷ ପଶିଛି କି ନାହିଁ–ବାପା ଆମକୁ ଛାଡ଼ି କୁଆଡ଼େ ଛୁ ମାରିଲା । ମୂଳରୁ ତ ଗଞ୍ଜଡ଼ିଆଙ୍କ ଦଳରେ ପଡ଼ି ତ୍ରିନାଥ ମେଳାରେ ମାତିଲା । ସେଇଠୁ କୁଟୁମ୍ୱ ପୋଷି ନ ପାରି କୁଆଡ଼େ ଦିନେ ମାରିଲା ଚମ୍ପଟ । ତା’ ଦିହବି ବିଗିଡ଼ି ଯାଇଥେଲା-। ହର୍‍ଦମ୍ ଗଞ୍ଜେଇ ଟାଣି କଲିଜା ପୋଡ଼ି ଯାଇଥେଲା । ଲୋକେ କହନ୍ତି–ସେ କୁଆଡ଼େ ସହରରେ ପଡ଼ି ମରିଗଲା । ମୁଁ ମଝିଆ । ମୋ ଉପର ଭାଇଟା ଦଶବର୍ଷର ହୋଇଥିଲା, ସାପକାମୁଡ଼ାରେ ମଲା । ନଈ ଅତଡ଼ାରୁ ଗଙ୍ଗେଇ ଛୁଆ ଧରିବ ବୋଲି ଗାତରେ ହାତ ପୂରାଉ ପୂରାଉ ନାଗସାପ ଆଙ୍ଗୁଠିକି କାମୁଡ଼ି ଦେଲା । ମୋ ତଳେ ଦି ଭାଇ । ମା ତ ଦିନରାତି ମୁଣ୍ଡରେ ହାତ ଦେଇ ବସିଲା । ବାପା ଆମ ଗାଁ ଦୀନା ବାରିକ ପାଖେ କଣ୍ଟକବଲା କରି ଟଙ୍କା ତିନିଶ କରଜ କରି ଗଞ୍ଜେଇ ଟାଣିଥିଲା, କୁକୁଡ଼ା ସୁରୁଆ ଖାଇଥିଲା–ଆମେ ଜାଣିନୁ । ଦୀନା ବାରିକ ସୁଧ ମୂଳ କରି ନଅଶ ଟଙ୍କା କଷି ଦେଲା । ଆମ ଜମି କେତେ ଗୁଣ୍ଠ ନେଇଗଲା । ଆମର ଘରଢ଼ିଅ ଛଡ଼ା ଆଉ କିଛି ରହିଲା ନାହିଁ । ଦୁଇଟା ଗାଈ ଥିଲେ । ଗୋଟେ ବୁଢ଼ା ହୋଇ ଯାଇଥିଲା । ଆଉ ଗୋଟେ ବିସିକି ଯାଇଥେଲା । ମୁଁ ଇସ୍କୁଲରେ ୭ମ ଶ୍ରେଣୀରେ ପଢ଼ୁଥେଲି । ଇସ୍କୁଲରୁ ଉଠି ଆଇଲି । ମୋ ମାଆକୁ କହିଲି–ମାଆ; କିଆଁ ଏତେ ଭାବୁଛୁ ? ଦେଖ୍ ମୁଁ କ’ଣ କରୁଛି ! ବାଞ୍ଛା ସେନାପତିର ଲୋଭ ଥାଏ ଆମ ଘରଢ଼ିଅ ଉପରେ । ଆମ ଢିଅକୁ ତା’ ଢିଅ ଲାଗିଛି । ଶଳାର ମତଲବ ଥାଏ, ଆମ ଢିଅ ନେଇ ଗୁହାଳ କରିବ । ସେଇ ମତଲବରେ ବୋଉକୁ ଶିଖାଇଲା–ରାଧୁଆକୁ ପାଠ ପଢ଼ା-। ବୋଉ କହିଲା–ଧନ କାହୁଁ ପାଇବି ଯେ ପଢ଼େଇବି ? ବାଞ୍ଛା ଶଳା ଫୁସୁଲେଇଲା–ଯାହା ଟଙ୍କା ଦରକାର ମୁଁ ଦେବି–ତୁ ଘରଢ଼ିଅତକ ମୋତେ କଣ୍ଟକବଲା କରିଦେ । ରାଧୁଆ ଚାକିରି କରି ସୁଝିଦେବ । ବୋଉ ରାଜି ହୋଇଯାଇ ଥେଲା । ମନା କରିଦେଲି–ଯାଃ ବେ ପାଠ ! କି ପାଠ ସେଠି ପଢ଼ା ହେଉଛି ? ଶଳା ଦଶଟାରେ ଯିବ, ଚାରିଟାରେ ଫେରିବ । ପଢ଼ିବ କ’ଣ ? ବାବର କ’ଣ କଲେ ? ନା ଗୋଟେ ଛେଳିକି ଖାସୁ କରିଦେଲେ । ଗହମ କେଉଁଠି ମିଳେ ? ନା ମୂଷା ଗାତରେ ମିଳେ । ହୀରାକୁଦରେ କ’ଣ ହେଲା ? ନା ବାବାରେ ଆଲୁଅ ହେଲା । ଅମ୍ଳଜାନ କ’ଣ ? ନା–ଧନ ସେହି ପହରୁ ଡାଙ୍ଗ । ପୃଥିବୀ ଘୂରୁଛି ନା ସୂର୍ଯ୍ୟ ଘୂରୁଛି ? ନା–ପଡ଼ିଯିବି କି ଆଉ ! ତ୍ରିଭୁଜର କେଇଟା ଗୋଡ଼ ? ନା – ଏ ବୁପା ! ଏଇଟା କେଡ଼େ ନାଲ୍ଲୀ !! ଶଳା ପାଠ ନା ଛେନା ଗୁଡ଼ । ମୁଁ କହିଲି–ମା ! ପଢ଼ିବିନିବେ ! ମା କହିଲା–ତା’ହେଲେ କ’ଣ କରିବୁ ? ଚଳିବା କେମିତି ? ମୁଁ କହିଲି, ଗାଈ ଜଗିବି । ସାନ ଭାଇ ଦିହିଁକି ପଢ଼େଇବି । ବାବା ତ କହୁଥେଲା, ମୁଁ କୁଆଡ଼େ ବୁଦ୍ଧିଆ ନୁହ । ମୋ ତଳ ଭାଇ ଦି’ଟା ବୁଦ୍ଧିଆ । ତା’ହେଲେ କାହିଁକି ସେତେରେ ମାତିବି ?

ସତକୁ ସତ ସେଇଆ କଲି । ଗାଁବାଲାଙ୍କ ଗାଈ ଜଗିଲି । ଘରକେ ପଚାଶ ପଇସା ମାସିକ । କୋଡ଼ିଏ ଘରକୁ ଦଶ ଟଙ୍କା । ସବୁରି ଘରେ ପାଳି କରି ବକତେ ଖାଇବି । ଆମ ଗାଈବି ଫଳ ଗଲା । ଆମେ ଚଳିଲୁ ଭଲ । ସାନ ଭାଇ ହରିଆ ଆଉ ମୁକୁନ୍ଦା । ହରିଆଟା ମନମୋଟୁଆ, ଖେଚଡ଼ା ହେଲା । ଖାଆଲି ବିଡ଼ି ଟାଣିଲା, ଯାତ୍ରା ତାମସା ଦେଖିଲା, ଆଉ ବଜାର ଉପରେ ଆଡ଼ଡ଼ାମାରି, ଲାଇନ ବସ୍ ପଛପଟ ନମ୍ୱରମାନ ମନେ ରଖିଲା । ହେଇ, ଚଉଦଶ ବାଉନ ଆସିଲା, ପନ୍ଦରଶ ଅଠର ଗଲା । ସେ ନବମ ଯାଏଁ ପଢ଼ିଲା । ଅବିକା ଗାଁ ବ୍ଲକରେ ପିଅନ କାମ କରୁଛି । ଭଲ ରୋଜଗାର କରୁଛି, ହେଲେ ବସ୍‍ବାଲାଙ୍କ ସାଙ୍ଗେ ପଡ଼ି ମାଲପାଣି ପିଉଛି । ଚୋରାରେ ତାଡ଼ି ତିଆରି କରି ବିକୁଛି । କୁଆଡ଼ୁ ଗୋଟେ ଦକ୍ଷିଣିଆଣୀ ଆଣି ବଜାର ଉପରେ ରଖିଚି । ଘର ସଙ୍ଗେ ସମ୍ପର୍କ ନାହିଁ, ତା’ ସଙ୍ଗେ ମୋର ଆଉ କଥା ନାହିଁ । ତା’ତଳ ଭାଇ ମୁକୁନ୍ଦା ମାଟ୍ରିକ ପାଶ୍ କରି ଟାଇପ୍ ପାସ୍ କଲା । ଭଲ ଟୋକାଟେ, ମାଛିକି ‘‘ମ’’ କହେ ନାହିଁ । ଏବଯାଏବି ମୋ ଗୋଡ଼ ଘସିଦିଏ । ଅବିକା ଭୋବନିସରରେ କ’ଣ ଚାକିରି କରୁଛି, କେନାଲ୍ ଡିଭିଜନ୍‍ରେ । ତାକୁ ବାହା କରିଦେଲି । ଭଲରେ ଚଳୁଛନ୍ତି । ମୁଁ ବାହା ହେଲି ନାହିଁ । ମାଆ ଯେତେ ଲଗାଇଲା–କାନ୍ଦିଲା, ଗଡ଼ିଲା, ମୁଁ ଏକା ନାହିଁ କରିଦେଲି ! କହିଲି, ମାଆ ! ସେଥିରୁ କି ମିଳିବ ଲୋ ? ମୁକୁନ୍ଦାର ପୁଅ ଝିଅ ହେବେ, ତୁ ଧରିବୁ, ଖେଳେଇବୁ ।

ଆହା ! ଯଦି କୋଇଲୀ ନାନୀ ଏ ଗାଁ’ରେ ଥାନ୍ତା !

ଛାଡ଼ ଛାଡ଼–ସେ ହତଭାଗୀ ଗୋଟେ ବେଧୁଆ ବାଆଜୀ ପାଲରେ ପଡ଼ିଗଲା । ସେ ବାଆଜୀ ତାକୁ ଧରି ଦିନେ ରାତିରେ ଚମ୍ପଟ ଦେଲା । ଆଚମ୍ୱିତ କଥା ! କେମିତି ସେ ଏ ଗାଁ’ରୁ ଗଲା, ଆମେ କେହି ଜାଣିପାରି ନ ଥିଲୁ । ସାଙ୍ଗରେବି ତା’ର ବିଲେଇ, କୁକୁର, ଛେଳି, ଶାରି ସବୁ ନେଇକରି ଗଲା । ଅଲେଖ ଦୀକ୍ଷାବାଲା ନାଥିଆ ଭୋଇ କହିଲା–ସେ ବାଆଜୀକୁ ଅଦୃଛ ବିଦ୍ୟା ଜଣାଥିଲା । ସେ ଦାଣ୍ଡରେ ତା’ ଲୋକ ଆଉ ଜନ୍ତୁଜୁନ୍ତା ଧରି ଚାଲି ଯାଉଥିବ–ତୁମେ କେହି କିଛି ଦେଖି ପାରିବ ନାହିଁ । ମୁଁ କହିଲି–ନାଥ ! ସେ ବାଆଜୀ କେଡ଼େ କୁକର୍ମ କଲା ଭଲା–ଶଳା ତୁମ ବାଆଜୀଗୁଡ଼ାକ ସମସ୍ତେ ଭଣ୍ଡ । ନାଥିଆ କହିଲା–ସେ କଥା କହ ନାହିଁ–

‘‘ସବୁ ଭଣ୍ଡଯାକ ହେବେ ଲଣ୍ଡଭଣ୍ଡ

ନିରାକାର ଆଗେ ଜାଣ

ନବଖଣ୍ଡ ପୃଥ୍ୱୀ ଟଳମଳ ହେବ

କାଠମାଳୀଆ ଖାଇବେ ହାଣ ।’’

ନାଥିଆ କଥା ମତେ ଭଲ ଲାଗେ । ହୁଅନ୍ତା କି ସେଇଆ ! କାହିଁ ହେଉଛି କୋଉଠି ? ପିଲାଦିନୁ ଆଜିଯାଏ ଗଲା–କାହିଁ ସତ୍ୟଯୁଗ ଆସିଲା କୋଉଠି ? ବରଂ ଚୋର ତସ୍କର ବେଶି ବଢ଼ିଲେଣି । କେହି କାହା ମୁହଁକୁ ଚାହୁଁ ନାହାନ୍ତି । ପୃଥ୍ୱୀରୁ ଦୟାମାୟା ଲୋପ ପାଇ ଗଲାଣି । ବରଞ୍ଚ ବାଘ ଭାଲୁଙ୍କ ମେଳରେ ରହିବା ଭଲ । ଏ ଗାଁ’ରେ ଆଉ ମୁଁ କେମିତି ଭଲା ରହିଥାନ୍ତି ?

ଆହା ! କୁଆଡ଼େ ଗଲା ସେ ପିଲାଦିନ ! ସେଇ ବଇଁଶୀଫୁଙ୍କା–ଗାଈଜଗା ଆଉ ବାଘ ସଙ୍ଗେ ମୁକାବିଲା ହେବାର ପିଲାଦିନ ! ଆଜିବି ମତେ ବାଘ ସଙ୍ଗେ ମୁକାବିଲା ହେବାକୁ ପଡ଼ୁଛି । ମାତ୍ର ସେଦିନ କଥା ଅଲଗା–ସେଦିନ ଭାବ ଅଲଗା । ଆଜି ସାଙ୍ଗେ ସେ କୋଉଠି ତୁଳନା ହେବ ? ସବୁ ମନେ ପଡ଼ୁଛି–ଆଜି ସାଙ୍ଗେ ସେ ଦିନରବି କିଛି ସମ୍ପର୍କ ଅଛି ।

ଗାଈ ତ ଜଗୁଥାଏ । ଗାଁ ଶେଷରେ ଛୋଟ ବଣଟିଏ । ଲମ୍ୱି ଯାଇଛି ସମୁଦ୍ର କୂଳ ଯାଏଁ-। ତା’ ଭିତରେ ଲଟା ବୁଦା ଭର୍ତ୍ତି । ଜଙ୍ଗଲୀ ଆମ୍ୱ, କଇଁଥ, କେନ୍ଦୁ, ବର, ଓଷତ୍‍ଥ, ଚାକୁଣ୍ଡା–ପୁଣି ବେତ, ଭଇଁଚି, ଶଗଡ଼ପାଟୁଆ, କଣ୍ଟେଇକୋଳି, କ୍ଷୀରୀକୋଳି, ବରକୋଳି, ଅରଖ । ଏମିତି ବୁଦାମାନ ଏଠି ସେଠି ସବୁଠେଇଁ । ସେ ବଣରେ ବାଲିହରିଣ, ହରିଣ, କୁଟ୍ରା, ବିଲୁଆ, ଗଧିଆ, ବେଳେବେଳେ ବାଘ ମଧ୍ୟ ଦୂର ଅରଣ୍ୟରୁ ପଳେଇ ଆସନ୍ତି । ରାଜ୍ୟଯାକର ଚଢ଼େଇ ମଧ୍ୟ ଗଛତଳେ, ଡାଳେ ଡାଳେ ମାଳ ମାଳ ହୋଇ କିଚିରି ମିଚିରି କରୁଥାନ୍ତି । ଦିନଯାକ ବଣ ଭିତରେ ଗାଈମାନଙ୍କୁ ଛାଡ଼ିଦିଏ । ଲଟାପତର ଆଉ ଘାସ, ଏଠୁ ପୁଳାଏ ସେଠୁ ପୁଳାଏ ଚରି ଚରିକା ଗାଈମାନେ ବଣ ଭିତରେ ବୁଲୁଥାନ୍ତି । ଆଉ ମୁଁ ଏଣେ କେନ୍ଦୁ କି ବରଗଛ ସନ୍ଧି ଡାଳରେ ବସି ବଇଁଶୀ ବଜାଉଥାଏ । ବଇଁଶୀବଜା ମୁଁ ଶିଖିଥାଏ ଆମ ଗାଁ କହ୍ନେଇ ବେହେରା ପୁଅ ଦାସିଆଠଉଁ । ସେ ପିଲାଦିନେ ଭଲ ଶିଙ୍ଗା ଆଉ ବଇଁଶୀ ବଜାଉଥିଲା–ଦୋଳପୁନିଅଁ ଆଉ ଫଗୁଣ ମାସରେ । ଆମେ ଦୁହେଁଯାକ ରତନପୁରର ସପନି ମାଷ୍ଟ୍ରଙ୍କଠଉଁ ଛାନ୍ଦରତ୍ନୀକର ବହି ଆଣି ଛାନ୍ଦ ଘୋଷିଥିଲୁ । ସଙ୍ଗୀତ ବହିରୁ ସଙ୍ଗୀତମାନ ଶିଖିଥିଲୁ । ଦାସିଆ ଅବିକା ଯାଇ କୋଉ ଅପେରା ପାର୍ଟିରେ ରହିଲାଣି । ମତେ ଡାକୁଥିଲା । ମୁଁ ମନା କରି ଦେଲି । ଯା’ବେ । ସେଥିରୁ ଗୁଡ଼ାଏ ପାଉଡ଼ର ମୁହଁରେ ବୋଳି ହୋଇ, ମୁଣ୍ଡରେ ପରଚୁଲା ଲଗାଇ ଅବଲୟ ଦେଖାଇବା ମୋ ଦେହାତି ହବ ନାହିଁ-। ମୁଁ ଭଲ, ମୋର ଗାଈ ଭଲ । ବଣ ଭଲ । ମୁଁ ମଧ୍ୟ ଭଲ ବଇଁଶୀ ବଜେଇଲିଣି । ମୋ ବଇଁଶୀକି ଗାଈମାନେ ମଧ୍ୟ କାନ ଡେରି ଶୁଣନ୍ତି ବୋଲି ମତେ ଲାଗେ । ମାତ୍ରକ ରାତିରେ ମୁଁ କଦାଶ୍ଚନ ବଇଁଶୀ ବଜାଏ ନାହିଁ ।

ସେଇ ଯୋଉଦିନ ସୋଇଁଘର ବୁଢ଼ୀ ମୋ ଓଠ ଧରି କାନ୍ଦି କାନ୍ଦି କହିଲା–ରାଧୁ ସୁନ୍ଦରରେ ! ‘‘ଆଉ ଦିନେ ରାତିରେ ବଇଁଶୀ ବଜେଇବୁ ନାହିଁଟି ! କାଲି ପରା ରାତିଯାକ ମୁଁ ଉପାସରେ ରହିଛି । କାନ୍ଦି କାନ୍ଦି ମୋ ଆଖି ଫୁଲିଛି ଦେଖୁନୁ !’’ ସୋଇଁଘର ବୁଢ଼ୀ ପୁଅ କାଶିଆ କୋଉକାଳୁ କଲିକତାରେ ଯାଇ ରହିଛି । ଆଉ ତା’ର କିଛି ବାତେନୀ ନାହିଁ । ସୋଇଁ ବୁଢ଼ୀ ସେଇ କଥା ପକାଇ କୋଇଲୀ ନାନୀର ଓଠକୁ ଧରି ବାହୁନା ପକାଏ–‘‘କୋଇଲୀ ଲୋ କେଶବ ଯେ ମଥୁରାକୁ ଗଲା–କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ କୋଇଲୀ ।’’ କୋଇଲୀ ନାନୀବି ତା’ ସଙ୍ଗେ କାନ୍ଦି ଉଠେ । ସେଇଠୁ ବୁଢ଼ୀ ମୋର ଚିବୁକଟି ଧରି ବିକଳ ହୋଇ କହେ–

ରାଧୁ ସୁନ୍ଦର ! ରାତିରେ ବଇଁଶୀ ବଜେଇଲେ ମା ଯଶୋଦାଙ୍କର କୃଷ୍ଣ କଥା ମନେ ପଡ଼ିଯାଏ । ସେ ବଣକୁ ପଳେଇଯାନ୍ତି । ଭୁଆସୁଣୀମାନେ ଘର ଛାଡ଼ି ବଣକୁ ଦୌଡ଼ନ୍ତି । ସେ କଥା ଆଉ କେବେ କରିବୁ ନାହିଁଟି ! ମୋ ଧନ !

ସେହିଦିନୁଁ ରାତିରେ ଆଉ କେବେ ବଇଁଶୀ ବଜାଏ ନାହିଁ; କିନ୍ତୁ ଥରେ ଥରେ ରାତିରେ ମନ ଭାରି ଉଚ୍ଚାଟ ହୁଏ । ମନ ହୁଏ ବଣକୁ ପଳାଇ ଯାଇ କେନ୍ଦୁ ଗଛରେ ବସି ବଇଁଶୀ ବଜାନ୍ତି ମନଇଚ୍ଛା । ଦେଖନ୍ତି–କେତେ ଯଶୋଦା କେତେ ଗୋପୀ ମୋ’ ପାଖକୁ ଦଉଡ଼ି ଆସନ୍ତେ ! ମୁଁ ସିନା ଷଣ୍ଢାମାର୍କା–ହେଲେ ଏକାମ କରିବାକୁ ମୋ ଛାତି ପାଏ ନାହିଁ । ଡର ଲାଗେ–ଛନକା ପଶିଯାଏ ଛାତିରେ ! ହେ–କାଳେ କ’ଣ ନାଇଁ କ’ଣ ହୋଇଯିବ । କାଳେ ସତକୁ ସତ କିଏ ସବୁ ଆସିଯିବେ ! ଆସିଗଲେ ଫେର୍ ମୁଁ କ’ଣ କରିବି ?

କିନ୍ତୁ ଦିନଯାକ ବଇଁଶୀ ବଜାଉ ଥାଏ ମନଇଚ୍ଛା । ମତେ ଏକୁଟିଆ ଲାଗେ ନାହିଁ । ବଇଁଶୀ ବଜେଇଲାବେଳେ ଲାଗେ–ସତେକି ମୁଁ ନିଜେ କୁଆଡ଼େ ନାଇଁ କୁଆଡ଼େ ମିଶିଯାଉଛି–ମିଳେଇ ଯାଉଛି !! ସତିକି ମୁଁ ରାଧୁଆ ନୁହ–ଖଣ୍ଡିଏ ବଇଁଶୀ ମାତ୍ର । ନା-ନା, ତା’ ଭିତରର ପବନ ମୁଁ । କେଜାଣି ମୁଁ କ’ଣ ?

ଶୀତ ଦିନ ଆସେ । ଗଛପତ୍ରରେ ହଳଦିଆ କଅଁଳ ଖରା ମାଖି ହୋଇଥାଏ । କଣ୍ଟେଇକୋଳି ଆଉ ବରକୋଳିରେ ବଣ ଭର୍ତ୍ତି । ମୁଁ କୋଳି ଖାଏ ମନ ଇଚ୍ଛା । ଶୀତୁଆ ପବନ କନ କନ ହୋଇ ବହୁଥାଏ । ମୁଁ ସୁର ଦିଏ

‘‘ଦୂତୀ ଗୋ ! ପ୍ରାଣବନ୍ଧୁଙ୍କୁ କହ ଯାଇ ଏତିକି ଇଇ

ପରାଣ ନେବାକୁ ଲଗାଇଛି ପାପପ୍ରୀତି କି !!’’

ବଇଁଶୀ ଗାଇଯାଏ ଛାନ୍ଦତକ । ମତେ ଭାରି ବଢ଼ିଆ ଲାଗେ ।

ତା’ପରେ ଆସେ ଦୋଳ ମାସ । ଫଗୁଣ, ଚଇତ । ଦକ୍ଷିଣା ପବନ ବଣ ଭିତରେ ପଶି ବଣକୁ ସୁଲୁ ସୁଲୁ କରି ଦେଉଥାଏ । ସାରାବଣ ଫୁଲରେ ଫୁଟି ଉଠିଥାଏ । ଶିମିଳି, ପାଟେଳୀ, ଆଉ ପଳାଶରେ ବଣ ହୋଇଥାଏ ଲାଲେ ଲାଲ । ନାଗେଶ୍ୱର, ବଣଚମ୍ପା, ବଣମଲ୍ଲୀ, କୋରୁହାଁ ଆଉ ନିମ୍ୱଫୁଲ ବାସନାରେ ବଣ ଫାଟି ପଡ଼ୁଥାଏ । ମହୁମାଛି ଆଉ ଭଅଁରମାନେ ଗୁଣୁ ଗୁଣୁ ହୋଇ ଉଡ଼ୁଥାନ୍ତି । କୋଇଲୀମାନେ ଗାଉଥାନ୍ତି କୁଉ କୁଉ । ହଳଦିବସନ୍ତ, ଚୁଳିଆ, ଆଉ ଗୁଣ୍ଡୁରୀ ଚଢ଼େଇମାନେ କୁଳୁରୁକୁଳୁ–ଟୁଇକ୍ ଟୁଇକ୍ ହେଉଥାନ୍ତି । ମୋ ମନ ଭାରି ଉଷତ ହୋଇଯାଏ । ବଇଁଶୀରେ ଲଗାଏ ଗୋଟାଏ ଲମ୍ୱା ସୁର–

ଆରେ–ଶ୍ରୀରାଧା ବାତୁଳୀ ପ୍ରେମ ରସା ତୁଳୀ

ଘେନ ଚିହ୍ନରା ଗ୍ରା – ହକମାନେ !

ଆସେ ପୁଣି ଖରାଦିନ । ବୈଶାଖ ଜ୍ୟେଷ୍ଠ । ଡହ ଡହ ଖରା–ଝାଞ୍ଜି ପିଟେ–ଶିମିଳି ତୁଳା ଗଗନେ ଉଡ଼େ–ଗଙ୍ଗେଇ ଆଉ ଚିଲମାନେ ଗଡ଼ ପୋଖରୀରେ ଚିଂଚାଙ୍ଗ ଚାଙ୍ଗ୍ ହେଉଥାନ୍ତି । ମୁଁ ଗଛମୂଳେ ଦୋଳି ଖେଳୁଥାଏ–ଆଉ ବଇଁଶୀରେ ସୁର ଲଗାଏ–

ଆରେ ମୁରଲୀ ! ହାଇ ହାଇ ମୁରଲୀ !

ତୋରେ ଶରଣ ଗଲି ।

ଦିନେ ନ ଡାକିବୁ ରାଧିକା ବୋଲି–ହେ ହେ

ମୁରଲୀ–ହାଇ ହାଇ ମୁରଲୀ ।

ବର୍ଷା ଦିନଟା ଟିକେ ଅସୁବିଧା ଲାଗେ । କିନ୍ତୁ ସେ ଅସୁବିଧାଟାବି ମଜା ଲାଗୁଥାଏ । ଝିପି ଝିପି ମେଘ ବରଷୁଥିବ । ବେଙ୍ଗମାନେ ରଡ଼ୁଥିବେ । ଝଡ଼ିପୋକ ଉଡ଼ୁଥିବେ । ଚାରିଆଡ଼େ ଫୁଟିଥିବ ବାଲିଛତୁ । ବଣ ଭିତରୁ ଡାହୁକ ଆଉ କୁମ୍ଭାଟୁଆମାନେ ଡାକୁଥେବେ । ମଝିରେ ମଝିରେ ଘଡ଼ଘଡ଼ି । ଚାରିଆଡ଼ୁ ପାଣିର ସୁଅ ଛୁଟୁଥିବ ଝୁରୁଝୁରୁ ହୋଇ । କାଦୁଅ ପାଣିରେ ପଚ ପଚ ହୋଇ ଗାଈଙ୍କ ପିଛା ଦଉଡ଼ୁ ଥେବି । ଟିକିଏ ପାଗ ଭଲ ହେଲେ ବଇଁଶୀକି ଫୁଙ୍କି କହିବି ଗାଆତାରେ ବଂଶୀ–

ଏକେତ କ୍ଷୀଣ ଦିନ, ହେଲା ଦୁର୍ଦ୍ଦିନ ଦିନ

ନ ଲଭୁ ବଲ୍ଲଭୀ ମେଳକୁ ରେ...ସହଚରୀ !!

 

ଶରତ ଋତୁ ଭାରି ମଜା । ଆକାଶ ଦିଶେ ସଫା ନେଳୀ । ଗଡ଼ ପୋଖରୀର ପାଣି ଦିଶେ କାଉ ଆଖି ଭଳି ନିରିମଳ । ସେଥିରେ କଇଁ ଆଉ ପଦ୍ମ ଭର୍ତ୍ତି ହୋଇଯାଏ । ଶଙ୍ଖଚିଲଟିଏ ଗଛ ଡାଳରେ ବସି ବୋବାଉ ଥାଏ କେଆଁଉଁ–କେଆଁଉଁ । ଚାରିଆଡ଼େ ଦିଶେ କେଡ଼େ ସାବ୍‍ଜା–ଆଖିକି ନିଦ ଘୋଟି ଆସେ–ଫେର୍ ମନ କେମିତି ଉଚ୍ଚାଟ ହୋଇଯାଏ । ମୁଁ ବଂଶୀରେ ସୁର ଦିଏ–

 

ଆରେ–ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି

ଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜି...

ଚାହିଁ କୁମର କାତର,

ଲେଖି ଆରମ୍ଭିଲା ବସି ବିନୟ ପତର ।

 

ଏମିତି ଏମିତି ଦିନସବୁ ସପନ ଭଳିଆ ବହି ଯାଉଥାଏ । ଆହା ! ସେଦିନ କ’ଣ ଆଉ ଅସିବ ? କି ସୁନ୍ଦର ଦିନ ନ ଯାଇଛି ଏ ଜୀବନରେ ? ଖାଲି ବଇଁଶୀଟି ଯୋଗୁଁ–ସେଇ ବଇଁଶୀ ଖଣ୍ଡକ ଯୋଗୁଁ । ଆଉ ଆଜି–ସେଇ ବଇଁଶୀଟି ଯୋଗୁଁ ମତେ ଏ ଗାଁ ଛାଡ଼ିବାକୁ ପଡ଼ୁଛି । ଶଃ ଦଗା ଦେଲା ସେ ବଇଁଶୀଟା ମତେ...ଦଗା ଦେଲା ସେ ପରାଣେରେ ମୁରଲୀ ।

 

ଏମିତି ଏମିତି ଦିନମାନ କାଟୁଥାନ୍ତି । ୟା’ ଭିତରେ ଭାଇ ଦି’ଟାଙ୍କୁ ମଣିଷ କଲି । ସେ ଦୁହେଁ ମୁଣ୍ଡରେ ହାତ ପାଇଲାରୁ ଯେଝା ଗୋଡ଼ରେ ଠିଆ ହେଲେ–ଚାଲିଲେ । ମାଆବି ଶଳା ମରିଗଲା–ଜଳଓଦରୀ ବେମାରୀରେ । ମତେ ଭାରି ଏକୁଟିଆ ଲାଗିଲା । ଏତେ ବଡ଼ ଗାଁ । ମୋର ହୋଇ କେହି ଜଣେ ସାଙ୍ଗ ନ ଥାନ୍ତି । ଯେଝା ଦୁଃଖରେ ଯେ । ବିପଦ ଆପଦ ପଡ଼ିଲେ ସମସ୍ତେ ଡାକନ୍ତି । ବିପଦ କଟିଗଲେ ଯା ଚାଲିଯା ! କିଏ କାହାକୁ ପଚାରେ ବେ !

 

ମଦନ ସେନାପତିର ପାଞ୍ଚୁଟା ଗାଈ । ସେତେବେଳକୁ ଗାଈ ଗୋଟାକ ମାସକୁ ଟଙ୍କେ ଚାରଜ୍ କଲିଣି । ଗାଁର ତିରିଶଟା ଗାଈ ମୁଇଁ ଜଗୁଥାଏ । ମାସକୁ ତିରିଶ ଟଙ୍କା । ମଦନ ସେନାପତି କୋଉଠି ଗୋଟାଏ ଗାଈ ଆଣିଲା । ମେଘ ଭଳିଆ ଏଡ଼େ ବଡ଼ ପହ୍ନା ଝୁଲୁଥାଏ । ଓଳିକେ ବାଲିଟିଏ ଦୁଧ । ହେଲେ କ’ଣ ହେଲା, ଭାରି ଓଲେଇ । ଭାରି ହୁରୁମା । ଦି’ଦିନ କାଳ ସେ ବେଧେଈ ଗାଈ ମତେ ଭାରି ହଇରାଣ କଲା । ସେଦିନ ତାକୁ ଗୋଡ଼ାଉ ଗୋଡ଼ାଉ ସେ ଚଉଧୁରୀ ଘର ବାଡ଼ ଡେଇଁ ତାଙ୍କ କୋବି ବଗିଚା ଭିତରକୁ ପଶିଗଲା । ଆଉ ପନିପରିବା ଗଛ ବୃଛ ସବୁ ଧଂସମଂସନ କରିଦେଲା । ଚଉଧୁରୀ ଘର ମେନେଜର ଆଉ ସେ ବୁଢ଼ୀ ଆସି ମତେ ବହୁତ ଗାଳି ଦେଲେ । ମୋ ମନ ବିଗିଡ଼ିଗଲା । ସେଦିନ ରାତିରେ ମନ ଖରାପ କରି ଶୋଇଲି । ଏଣୁତେଣୁ ଗୁଡ଼ାଏ ସ୍ୱପ୍ନ ଦେଖିଲି । ତା’ ଆରଦିନ ସକାଳେ ଗାଈଙ୍କି ଚରାଭୂଇଁକି ନେବା ଆଗରୁ ସେ ଛିଣ୍ଡାଳୀ ଗାଈ ବେକରେ ଗୋଟାଏ ଢିଙ୍କିଆ ପକେଇ ଦେଲି । ଆଉ ମନରେ ତ ଥିଲା ରାଗ । ତା’ ପିଠିରେ ଚାରି ଛଅପାହାର କଷି ଦେଲି । ମୁଁ ହାତରେ ପାଞ୍ଚଣ ଖଣ୍ଡେ ଧରିଥିଲେବି କେବେ ଗାଈଙ୍କୁ ମାରେ ନାହିଁ । ମୋ ବଇଁଶୀରେ ଟିକିଏ ଠୁଙ୍କି ଦେଲେ–ଗାଈମାନେ ସରି ଧରନ୍ତି । ମାତ୍ର ଭାଗ୍ୟତ ଖରାପ । ରାଗରେ ତ ଅନ୍ଧ ହୋଇ ଯାଇଥିଲି । ବୁଦ୍ଧିବି ହଜିଗଲା । ପାଞ୍ଚଣରେ ନ ପିଟି ମୁଁ ସେ କଂସେଇବିକା ଗାଈ ପିଠିରେ ମୋର ପ୍ରାଣର ବଇଁଶୀରେ ଚାରି ଛଅ ପାହାର କଷି ଦେଲି । ନରମ ବାଉଶର ତେଲପିଆ ନଳୀ ବଇଁଶୀଟି ଫାଟି କୁତୁକୁତା ହୋଇଗଲା । ମୋ ମନବି ଫାଟି କୁତୁକୁତା ହୋଇଗଲା । ଗାଈଟା ଉପରେ ରାଗ ବଢ଼ିଗଲା । ଭାବିଲି ସେ ଶାଳୀ ଗାଈକି ନେଇ ତେଣେ ସହରରେ ଗୋଟେ କଂସେଇକି ବିକିଦେବି । ରାଗ ମନରେ ଭାବିଲି ସିନା–ହେଲେ ଗାଈଙ୍କ ଉପରେ ମୋର ରାଗ ସେଇ ଘଡ଼ିକ ! ଶଳା ମଣିଷଙ୍କଠଉଁ ଗୋରୁମାନେ ଢେର୍ ଭଲ । ମୋ ସାଙ୍ଗରେ ପଢ଼ୁଥିଲା ଚଉଧୁରୀ ଘର ପୁଅ ସିଦ୍ଧାର୍ଥ । ସେ କୁଆଡ଼େ ଅବିକା ବଡ଼ ହାକିମ ହୋଇଛି । ମା କହୁଥିଲା–ସେ କୁଆଡ଼େ ମଣିଷ ଚରଉଛି । ଚରଉଥାଉ । ମୁଁ ଗାଈ ଚରାଏ । ବଇଁଶୀ ବଜାଏ । ସିଦ୍ଧାର୍ଥ ଚଉଧୁରୀ ମଣିଷ ଚରାଉଥିଲାବେଳେ ବଇଁଶୀ ବଜାଇ ପାରୁଥିବନା ?

 

ସେ ଓଲିଆ ଗାଈଟା ମଧ୍ୟ ତା’ ବାରରେ ସାଧ୍ୟ ହେଲା । ମାତ୍ର ମୋ ହାତରେ ଆଉ ବଇଁଶୀଟି ନାହିଁ । ସେଇ ଭଙ୍ଗା ବଇଁଶୀଟିକୁ ନେଇ କାନ୍ଦି କାନ୍ଦି ମୁଁ ଗଡ଼ ପୋଖରୀ ଗଣ୍ଡରେ ବୁଡ଼ି ପଙ୍କରେ ପୋତି ଦେଇଥିଲି । ଯା’ରେ ବଇଁଶୀ ଯା – ପାଣି ତଳକୁ ଯା’ ରସାତଳକୁ ଯା ।

 

ହେଲେ ସେଇଦିନୁ ମୋ ମୁଣ୍ଡ ବିଗିଡ଼ିଗଲା । ମୁଁ ଭାରି ଏକୁଟିଆ ହୋଇଗଲି । ଗାଈମାନଙ୍କୁ ବଣରେ ଛାଡ଼ି ଦେଇ ମୁଁ ଗଛ ଡାଳରେ ବା ମୂଳରେ ଏକୁଟିଆ ମନମାରି ବସିଥାଏ । କାହା ସାଙ୍ଗେ ଆଉ କଥା କାହିଁକି ? କିଏ ଭଲା ଆଉ ମୋ ମନର କଥା ଆପଣା ତୁଣ୍ଡରେ ପ୍ରକାଶିବ ? ଖାଲିଟାରେ ବସି ବସି ବଡ଼ ନିଛାଟିଆ ଲାଗେ । ମାଡ଼ି ମାଡ଼ି ପଡ଼େ ବଣ–ଆଉ ଆକାଶ । ସେଦିନ ଗୋଟାଏ ପତରଝଡ଼ା ଶିମିଳି ଗଛ ଡାଳରେ ବସି ଶଙ୍ଖଚିଲଟାଏ ଅନହୁତି ଡାକି ଉଠିଲା ।

 

କେଁ ୟଁ ୟଁ ଏ–କେଁ ୟଁ ୟଁ ଏ । ମତେ ଆହୁରି ନିଛାଟିଆ ଲାଗିଲା । ମଝିରେ ମଝିରେ ପୋଖରୀ କଡ଼କୁ ଲାଗି ବୁଦା ଭିତରୁ ଡାହୁକମାନେ ହଠାତ ବୋବେଇ ଉଠି ପୁଣି ଚୁପ୍ ହୋଇଗଲେ-। ମୋର ଛାତି ଛମ୍ ଛମ୍ କଲା । କେବେ କେବେ କୁମ୍ଭାଟୁଆଟିଏ କୁନ୍ଥା କଣ୍ଠରେ ବୋବେଇ ଉଠିଲା–ହୁହୁକ୍–ହୁକୁକ୍ ହୁହୁକ୍ । ଆଉ ସାଙ୍ଗେ ସାଙ୍ଗେ ଗୋଟାଏ ବୁଦାରୁ ଲମ୍ୱା ଡାଳଟିଏ ତଳକୁ ଲମ୍ୱି ଆସିଲା ବିନାକାରଣରେ । ଗଛର ପତ୍ରଗୁଡ଼ାକ ଥର ଥର ହୋଇ ଉଠିଲେ । ବୁଦା ଭିତରୁ କ’ଣ ଗୋଟାଏ ଶୁଭିଲା ମସ୍ ମସ୍ ହୋଇ । କିଏ ସତେକି କୁଆଡ଼ୁ ମାଡ଼ି ଆସୁଛି । କୁଦି ଆସୁଛି ! ଗଡ଼ ପୋଖରୀର କଳାଘୁମର ନିଥର ପାଣି ଉପରେ କୂଳେ କୂଳେ କାହାର ଗୋଟାଏ ଛାଇ ପହୁଁରି ଯିବା ଭଳି ଲାଗିଲା । ଥରି ଉଠିଲା ଗଡ଼ ପୋଖରୀର ନିଶ୍ଚଳ ପାଣି । ହଠାତ ବଣ ଭିତରୁ ଛଡ଼ା ବାଛୁରିଟାଏ ଲାଞ୍ଜ ଟେକି ଅଣନିଃଶ୍ୱାସୀ ହୋଇ ଧାଇଁ ଆସିଲା ମୋରି ଆଡ଼କୁ । କେତୁଟା ଗାଈ ମଧ୍ୟ କାନ ଠିଆ କରି ଚରକି ଉଠିଲେ । ହୁଉ କିନା ଗୋଟାଏ ଭୂତିଆ ପବନ ମୋ କାନ ବାଟେ ସାଇଁ କିନା ବହି ଚାଲିଗଲା । ମୋର ଛାତି ହେମାଳ ହୋଇଗଲା । ମୋର ଅଜଣାତରେ ମୋ’ପାଟିରୁ ଛାନିଆଁରେ ବାହାରି ପଡ଼ିଲା......ଧାଇଁ ପଡ଼ ହୋ !

 

ବାଘ ବାଘ–ବାଘ ।

 

ବେଣ୍ଟ ପୋଖରୀର କଡ଼ ପାହାଡ଼ରେ ମୋର କଣ୍ଠ ବାଜି ଫେରି ଆସିଲା–ଆଉ ଚାରି ଆଡ଼କୁ ଚତେରେଇ ଗଲା–ବାଘ–ବାଘ–ବାଘ ମୁଁ ଆହୁରି ଡରିଗଲି । ବିକଳରେ ଡାକ ପକାଇଲି–ଭାଇମାନେ ! ଦଉଡ଼ିଆସ ! ମୋତେ ବାଘ ଖାଇଗଲା ।

 

ପାଖ ଆଖ ବିଲ ଜମିରେ ଚାଷ କରୁଥାନ୍ତି ଗ୍ରାମବାସୀଏ । ବଣ ଭିତରେ କାଠ କାଟୁଥାନ୍ତି କାଠୁରିଆମାନେ । ଡାକ ଶୁଣି ଧାଇଁ ଆସିଲେ ।

 

କାଇଁରେ କୋଉଠି ବାଘ ?

 

ମୁଁ ଉତ୍ତର ଦେଇ ପାରିଲି ନାହିଁ । ମୋତେ ଭେଳିକି ଲାଗି ଯାଇଥିଲା । ଜଣେ ରାଗିଯାଇ କହିଲା, ହଇରେ ଶଳା ! ତୁ ଆମ ସାଙ୍ଗେ ଥଟ୍ଟା ଖେଳୁଛୁ ? ଆଉ ଜଣେ କହିଲା–ଶଳା ହୁରୁମା ଭାରି ମିଛୁଆ ।

 

ମୁଁ ସବୁ ଶୁଣିଲି । ମନରେ ଭାରି ଅନୁତାପ କଲି । ଲୋକଗୁଡ଼ାକ ଯେ ମିଛରେ ଠକି ହୋଇଗଲେ ଏଥିଲାଗି ମୋ ମନରେ ଭାରି ଦୁଃଖ ହେଲା । କିନ୍ତୁ ମୁଁ କ’ଣ ସତରେ ଜାଣି ଜାଣି ସେମାନଙ୍କୁ ଠକେଇଛି ? କେଜାଣି କାହିଁକି ମତେ ହଠାତ ନିଛାଟିଆ ଲାଗିଲା, ତା’ପରେ କେମିତି ଗୋଟେ ଭୟ । ସେଇଠୁ ମୋ ଅଜଣାତରେ ପାଟିରୁ ବାହାରି ପଡ଼ିଲା–ବାଘ–ବାଘ–ବାଘ ।

 

ଲୋକେ ଆହୁରି ଗାଳିଗୁଲଜ କରି ସେଦିନ ଫେରିଗଲେ । ମାତ୍ର ସାଙ୍ଗେ ସାଙ୍ଗେ ମୋ ମନରେ ଗୋଟେ କୌତୁକବି ଖେଳିଲା । ବାଃ ବାଃ–ଏମିତି ଏତ ଖୁବ୍ ଗୋଟେ ମଜା ଖେଳ । ବଣ ଭିତରେ ମିଛୁଟାରେ ଗୋଟାଏ ବାଘୁଆ ଭୟ ଖେଳିଗଲା । ମୋତେବି ମିଛୁଟାରେ ଭୟ ଲାଗିଲା । ମୋ ପାଟିରୁ ‘ବାଘ’ ‘ବାଘ’ ବୋଲି ବାହାରି ପଡ଼ିଲା । ସାଙ୍ଗେ ସାଙ୍ଗେ ପାହାଡ଼ ମଧ୍ୟ ମିଛୁଟାରେ ସମର୍ଥନ ଜଣାଇ ଉତ୍ତର ଦେଲା–‘ବାଘ–ବାଘ–ବାଘ ।’ ସେଇଠୁ ମୁଁ ମିଛୁଟାରେ ଅତର୍ଚ୍ଛ ହୋଇ ଡାକ ପକେଇଲି – ଧାଇଁପଡ଼ ହୋ ମୋତେ ବାଘ ଖାଇଗଲା । ଲୋକେ ମଧ୍ୟ ଧାଇଁ ଆସିଲେ ମିଛୁଟାରେ-! ଫେରିଗଲେ ମଧ୍ୟ ମିଛୁଟାରେ । ବାଃ ବାଃ ! ଗୋଟାସୁଦ୍ଧା ମିଛର ଗୋଟାଏ ମଜାଦାର ଖେଳ !

 

ମୁଁ ଖୁସୀ ହୋଇଗଲି ମନେ ମନେ । ଯାହାହେଉ–ଭଲ ଖେଳଟିଏ ଜୁଟିଗଲା ଏ ନିଛାଟିଆ ଜୀବନରେ । ଆଉ ଏଣିକି ଏକୁଟିଆ ଲାଗିବ ନାହିଁ । ଡର ଲାଗିବ ନାହିଁ । ଯେତେବେଳେ ସେମିତି ଲାଗିବ–ଏ ଶଳା ଗାଁବାଲାଙ୍କ ସାଙ୍ଗେ ମୁଁ ଏଇ ମିଛ ଖେଳ ଖେଳି ବସିବି । ବେଶ୍ ମଜା ହେବ ।

 

ସତକୁ ସତ ଆଉ ଦିନେ ମୁଁ ସେମିତି ବଣରେ ଡାକଛାଡ଼ିଲି–ବାଘ–ବାଘ–ଦଉଡ଼ି ଆସ–ମତେ ବାଘ ଖାଇଗଲା । ଅବଶ୍ୟ ସେଦିନ ମୋତେ ଏମିତି ଭୟ ଲାଗୁ ନଥିଲା । କିନ୍ତୁ ନିଛାଟିଆ ଲାଗୁଥିଲା । ଭାରି ଖରାପ ଲାଗୁଥିଲା । ଖେଳିବାକୁ ମନ ଉଚ୍ଛନ୍ନ ହେଉଥିଲା । ମଜା ଦେଖିବାକୁ ମନ ଖଲ ଖଲ ହେଉଥିଲା । ସେଇଥିପାଇଁ ଡାକ ଛାଡ଼ିଲି–ବାଘ–ବାଘ ।

 

ଲୋକେ ମଧ୍ୟ ପାଖ ଆଖରୁ ଠେଙ୍ଗା ବାଡ଼ି ଧରି ଦଉଡ଼ି ଆସିଲେ । ମାତ୍ର ବାଘ ନା ଫାଘ । ସେମାନେ ଏଥର ମୋ ଉପରେ କେବଳ ବିରକ୍ତ ହେଲେ ନାହିଁ । ମୋତେ ମନଇଚ୍ଛା ଶୋଧିଲେ । କେହି କେହି ମଧ୍ୟ ମୋ ପିଠି ଆଉ ଗାଲରେ ଉତ୍ତମ ମଧ୍ୟମ କରି ଦି’ଟା ବସାଇ ଦେଲେ । ମୁଁ ତ ଖେଳ ଖେଳୁଥିଲି । ଏ ଗାଳି ଆଉ ମାଡ଼ ମତେ ଚନ୍ଦନ ଦେରିକା ଲାଗୁଥାଇ । ମୁଁ ଖାଲି ଠୋ ଠୋ ମାରି ହସୁଥାଏ । ସେମାନେ ମୋତେ ବିଧା ଚଟକଣା ମାରିସାରି ଯେ ଯୁଆଡ଼େ ଫେରିଗଲେ ।

 

ଦୁଇ ତିନିମାସ ଏମିତି ଚାଲିଗଲା । ମନରେ ଭାବିଲି–ଆଉ ଖଣ୍ଡିଏ ବଇଁଶୀ ତିଆରି କରିବି । ପୂର୍ବଭଳି ବଜେଇବି । ନଳୀ ବାଉଁଶଟିଏ ମଧ୍ୟ ଯୋଗାଡ଼ କଲି । ମାତ୍ରକ ଆଉ କାହିଁକି ସେଥିରେ ମନ ଚାଲିଲା ନାହିଁ । ଆଉ ଥାଏ ? ବଇଁଶୀ ଗଲା ତ ଗଲା । ଫାଟିଲା ତ ଫାଟିଲା । ତା’ ଜାଗାରେ ଆଉ ଖଣ୍ଡିଏ ବଇଁଶୀ ନୂଆ ତିଆରି କଲେ ତାକୁ ସିନା ନୂଆ ଲୋକ ବଜାଇବ ! ମୋ ବଇଁଶୀ ଖଣ୍ଡିକ ଗଲା ତ ଗଲା ! ଗଲାପୁତ୍ର ବାହୁଡ଼ି ନଇଲା ଲୋ କୋଇଲୀ !

 

ଦିନେ ଗାଈଙ୍କି ବଣକୁ ଛାଡ଼ିଦେଇ ମୁଁ ଗୋଟାଏ ଗଛରେ ଦୋଳି ବାନ୍ଧି ବସି ଧୀରେ ଧୀରେ ଝୁଲୁଛି । ନିଦ ନିଦ ଲାଗୁଥାଏ । ଦୁଇପ୍ରହର ଗଡ଼ିଗଲାଣି କେତେବେଳୁ । ପାହାଡ଼ ଆରପଟକୁ ସୂର୍ଯ୍ୟମାହାପ୍ରୁ ଚାଲିଗଲେଣି । ଏପଟେ ଗଡ଼ ପୋଖରୀ ଉପରେ ଘୋଟି ଆଇଲାଣି ଛାଇ । ମୁଁ ଜାଣିନି–କେତେବେଳେ ମୋ ଆଖି ବୁଜି ହୋଇ ଆସିଲା । ...ହଠାତ ଗାଈସବୁ କାନଟେକି ଠିଆ ହୋଇଗଲେ । ନାକ ଉପରକୁ ଟେକି ଗନ୍ଧ ବାରିଲେ । ଚାରିଆଡ଼ କେମିତି ଗୋଟାଏ ଛମ୍ ଛମ୍ ହୋଇ ଉଠିଲା । ଦୁଇ ଚାରିଟା ହନୁ ଆମ୍ୱଗଛରେ ଖେଙ୍କି ଉଠିଲେ । କୁମ୍ଭାଟୁଆଟିଏ ବୋବେଇ ଉଠିଲା । ଆଉ କୋଉଠି ଥିଲା ଗୋଟାଏ ଭେରେଣ୍ଡା – ତିନିଥର ଲାଗେ ଲାଗେ ଡାକ ଛାଡ଼ିଲା, ଭେଏଉ ! ଭେଏଉ ! ଭେଏଉ !! ମୁଁ ଛନ ଛନ ହୋଇ ଏଣିକି ତେଣିକି ଚାହୁଁଛି–ହଠାତ ଆଗକୁ ଚାହିଁ ଦେଖେ ତ ଗୋଟାଏ ମସ୍ତ ମହାବଳ ବାଘ ମୋ ଆଗରେ ପଞ୍ଝାଟେକି ବୀରଦର୍ପରେ ବସିଛି । ତା’ ଲାଞ୍ଜରେ ଗୋଟାଏ ଫୁଲ ! ସେ ଲାଞ୍ଜଟାକୁ ଟେକି ତା’ ମୁଣ୍ଡପଛପଟେ ଲଗେଇଛି । ଆଉ ରଡ଼ନିଆଁ ଭଳି ଜଳନ୍ତା ଆଖିରେ ମୋତେ ଚାହିଁ ରହିଛି । ମୋ ଦେହ ପହିଲେ ଚାଉଁକିନା ହୋଇଗଲା । ମୋ ଛାତି ମୁହୂର୍ତ୍ତକ ଲାଗି ହେମାଳ ହୋଇଗଲା । ମାତ୍ର ମୁଁ ବୁଦ୍ଧି ହରାଇଲି ନାହିଁ । ଧୈର୍ଯ୍ୟଧରି ବାଡ଼ି ଟେକି ଠିଆହୋଇ ରହିଲି । ବାଘର ରଡ଼ନ୍ତା ନିଆଁ ଭଳି ଆଖି ଦୁଇଟା ସଙ୍ଗେ ଆଖି ମିଳେଇଲି । ବାଘ ତା’ର ଲମ୍ୱା ନାଲିଆ ଜିଭକୁ ଓଠରେ ବୁଲାଇ କୁଲାଇ ରାଗରେ ଗାଉଁ ଗାଉଁ ହୋଇ କହିଲା–

 

ହାଉଁ ମାଉଁ ଗାଉଁ

ରାଧୁଆର ମୁଣ୍ଡ ଗଣ୍ଡି ଖାଉଁ ।

ମୁଁ ସାହସ ଧରି କହିଲି–

କ’ଣ କହିଲୁରେ ବାଘ ?

 

ବାଘ ଏଥର କ୍ରୋଧରେ ଗୋଟାଏ ହେଣ୍ଟାଳ ଛାଡ଼ି କହିଲା–କିରେ ଶୁଣି ପାରୁନୁ ? ହାଉଁ ମାଉଁ ଗାଉଁ–ରାଧୁଆର ତଣ୍ଟି ଚିପି ଖାଉଁ ।

 

ମୁଁ ଏଥର ହୋ ହୋ ହୋଇ ହସି ଉଠିଲି । ମୋ ହସରେ ହସ ମିଶାଇ ପାହାଡ଼ବି ହସି ଉଠିଲା । ଗଡ଼ପୋଖରୀ ପାଣିରେ ଗୋଟାଏ ହସର ଲହଡ଼ି ଖେଳିଗଲା । ଗୋରୁମାନେ ମଧ୍ୟ ହମା ହମା ହୋଇ ହସି ଉଠିଲେ । ବାଘ ଆହୁରି ନିଆଁ ହୋଇଗଲା । ସେ କହିଲା–କିରେ ରାଧୁଆ ! ତୁ ହସୁଛୁ ? ଏହିକ୍ଷଣି ତୋ’ ତଣ୍ଟିଚିପି ରକ୍ତ ପିଇଯିବି । ମୁଁ ବାଘ ବୋଲି ଜାଣିଛୁ ତ ?

 

ମୁଁ ବାଘ ମୁହଁକୁ ଚାହିଁ ମୁଣ୍ଡହଲାଇ ତାକୁ ଥଟ୍ଟା କଲି–ସତେ ? ତୋର ଏଡ଼େ ପ୍ରାକ୍ରମ ? ଆଚ୍ଛା, ଯଦି ତୋର ଏଡ଼େ ପ୍ରତିଜ୍ଞା–ତେବେ ମୋର ଏହି ଛଅଟା ପ୍ରଶ୍ନର ଉତ୍ତର ଦେ । ଏଥିରୁ ଅନ୍ତତଃ ଚାରିଟା ପ୍ରଶ୍ନର ଉତ୍ତର ଦେଲେବି ତୁ ମତେ ଖାଇବୁ । ନ ଦେଇ ପାରିଲେ–କାନ ଆଉଁଶି ଅଜା ଘର ଯିବୁ–ଆଉ ରାଧୁକୁ ଖାଇ ନ ଆସିବୁ । ବାଘ ମୋ କଥାରେ ଭକୁଆ ହୋଇଗଲା ପ୍ରଥମେ । ତା’ପରେ ସାହସ ଧରି ବେକ ଟେକି କହିଲା–ହାଉଁ ମାଉଁ ଗାଉଁ–ଚଞ୍ଚଳ ପ୍ରଶ୍ନ ପଚାର–ନ ହେଲେ ତତେ ଖାଉଁ ।

 

ମୁଁ ସେଇଠୁ ସାଙ୍ଗେ ସାଙ୍ଗେ ପ୍ରଶ୍ନ ଛଅଟା ଏକ ଲହସରେ ମନରୁ ଫାନ୍ଦି ପଚାରି ଦେଲି–

 

ସୂର୍ଯ୍ୟ ନାହିଁ ଦିନ ହୁଏ କେଉଁଠି ?

ମଞ୍ଜିରୁ ଗଛ ନା ଗଛରୁ ମଞ୍ଜି ?

ଜୀବ ନ ଥାଇ କେ ବୋଲାଏ ଜୀବ ?

ନିଃଶ୍ୱାସ ନେଇଣ ନ ଛାଡ଼େ କେହୁ ?

ରାଜ୍ୟ ନାହିଁ କିଏ ବୋଲାଏ ରାଜା ?

କେଉଁ ମାମୁଁ ମାରି ଖାଏ ଭଣଜା ?

 

କହରେ ବାଘ କହ । ଯଦି ସତରେ ବାଘର ପିଲା ହୋଇଥାଉ, ତେବେ କହ । ଯଦି ମୋ ରକ୍ତ ପିଇବାକୁ ଆଶା, ଏହାର ଉତ୍ତର ଦେ । ନ ହେଲେ ଅବାଟବାଟେ ବଣକୁ ପଳା । ମୋ ସାଙ୍ଗେ ମିଛୁଟାରେ ଆଉ ଧକ୍‍ଚିକ୍ କରନା । ସାକ୍ଷୀ ଥାଅ ଦଶଦିଗପାଳେ । ସାକ୍ଷୀ ଥାଅ ଚନ୍ଦ୍ର ସୂର୍ଯ୍ୟ-। ସାକ୍ଷୀ ଥାଅ ବୃକ୍ଷଲତାଗଣ ! ସାକ୍ଷୀ ଥାଅ ଧେନୁ ବତ୍ସାବୃନ୍ଦ । ବାଘ କହିଛି–ଯଦି ୟାର ଉତ୍ତର ଦେବ ତେବେ ଯାଇ ମୋତେ ଖାଇବ ।

 

ବାଘ ତ ‘‘ଥ’’ ମାରି ବସି ଗଲା ଘଡ଼ିଏ କାଳ । ଗାଈମାନେ ଚାରିଆଡ଼େ ମୁହଁ ଟେକି ବାଘଠଉଁ ଉତ୍ତର ଶୁଣିବେ ବୋଲି ନୀରବରେ ଠିଆ ହୋଇଥାନ୍ତି । ଚାରିଆଡ଼ ନିସ୍ତବ୍ଧ । ଚଢ଼େଇମାନେ ଥଣ୍ଟବୁଜି ବାଘର ଉତ୍ତର ଶୁଣିବେ ବୋଲି ଗଛଡ଼ାଳରେ ମାଳ ମାଳ ହୋଇ ବସିଥାନ୍ତି ତଳକୁ ମୁହଁପୋତି । ବାଘ କ’ଣ ଜାଣିଛି ମୁଁ ତାକୁ ଏମିତି ଅଡ଼ୁଆରେ ପକାଇ ଦେବି ? ତା’ ମୁଣ୍ଡ ଘୂରିଗଲା । କିଛି ସମୟ ଗର ଗର ହୋଇ ମୁଣ୍ଡଟାକୁ ତଳକୁ ଉପରକୁ କଲା । ତା’ ଲାଞ୍ଜଟାକୁ ଦୁଇ ଚାରି ଥର ତଳେ ବାଡ଼େଇଲା । ସେଇଠୁ କ’ଣ ଭାବି କହିଲା–ରାଧୁଆ ? ମୁଁ କହିଲି–କ’ଣ ? ସେ କହିଲା–ତୋ ପ୍ରଶ୍ନର ଉତ୍ତର ମୁଁ ବର୍ତ୍ତମାନ ଦେଇପାରୁ ନାହିଁ । ମୋର ମୁଣ୍ଡ ବର୍ତ୍ତମାନ ବଥାଉଛି । ଆସନ୍ତା ଗୁରୁବାର ଦିନଯାଏ ଅପେକ୍ଷାକର । ଯଦି ମୋ ମନକୁ ଉତ୍ତର ପଇଟିବ ତେବେ ଆସିବି । ତତେ ଉତ୍ତର ଦେବି । ଖାଇବି । ନ ହେଲେ ମୁଁ ଆଉ ଆସିବି ନାହିଁ । ମୁଁ କହିଲି – ହଉ ଯା’ ଯା’ ଆଉ ଉତ୍ତର ପାଇବୁ ଯେ ଆସିବୁ ? ଯାରେ ଶିଆଳ ପିଲା ଯ...ଯା ।

 

ଗୋଟାଏ କୁଦାମାରି ଲାଜ ଅପମାନରେ ମହାବଳ ବାଘ ଭଳି ଜନ୍ତୁ ତଳକୁ ମୁହଁ କରି ଚାଲିଗଲା । ବାସ୍ ! ସେଇଦିନୁ ମଧ୍ୟ ମୋର ସାହସ ବଢ଼ିଗଲା । ବାଘପରା ଜନ୍ତୁକୁ ମୁଁ ଯାହା ଭୁଆଁ ବୁଲେଇ ଦେଲି । କିନ୍ତୁ ଆଶ୍ଚର୍ଯ୍ୟ କଥା–ଏହି ଘଟଣା ପରଠାରୁ ମୋର ମନ କେଜାଣି କାହିଁକି ଦିନୁଦିନ ଉଦାସ ହୋଇଗଲା । ଆଉ କୋଉ କଥାରେ ମନ ଲାଗିଲା ନାହିଁ । ବଇଁଶୀ ଖଣ୍ଡିକ ଭାଙ୍ଗିଯିବା ଦିନୁ ମୁଁ ବଡ଼ ଏକୁଟିଆ ହୋଇ ଯାଇଥିଲି । ମୋର ଆଉ କୋଉଥିରେ ମନ ଲାଗୁ ନଥିଲା । କୋଇଲୀ ନାନୀ ଗାଁ ଛାଡ଼ି ଯିବାଦିନଠାରୁ ଗାଁଟାବି ମତେ ବିଷ ଭଳିଆ ଲାଗୁଥାଏ । ଏବେ ଆଉ ଗାଈ ଜଗିବାକୁ ମଧ୍ୟ ଇଚ୍ଛା ହେଲା ନାହିଁ । ଗାଈଜଗା ଛାଡ଼ିଦେଲି । ସେଇଠୁ ଭାବିଲି–କ’ଣ କରିବି ? ଗୋଟାଏ ବୋଲି ପେଟ । ଦେହରେବି ବଳ ଅଛି । କାମ କଲେ ପେଟ ଅପୋଷା ଯିବ ନାହିଁ । ହେଲେବି କାମ କରିବି କୋଉଠି ? ଗାଁରେବି ଆଉ କେହି ମତେ ଦେଖି ସହି ପାରୁ ନ ଥାନ୍ତି । ଗାଁରେ ମୋର ବୋଲି ଆଉ କେହି ଜଣେ ନଥାଏ । ଭାବିଲି, ଏ ଗାଁରେ ଆଉ ରହିବା ଅପେକ୍ଷା ବଣରେ ବାଘଭାଲୁଙ୍କ ମେଳରେ ରହିବା କୋଟିଗୁଣେ ଭଲ ।

 

ଦୈବ ଯୋଗ ତ ! ଆମ ଗାଁଠାରୁ ପାଞ୍ଚମାଇଲ ଦୂରରେ ହରିପୁର ବଜାର । ସେଠିକି ଗୋଟେ ସରକ୍‍ସ୍‍ପାର୍ଟି ଆସିଥିଲା । ମାସେକାଳ ଖେଳ ଦେଖେଇଲା । ସେଥିରେ ଗଣ୍ଡାଏ ବାଘ, ଦୁଇଟା ଭାଲୁ, ବାରଟା ଘୋଡ଼ା, ଛଅଟା ପାତି ମାଙ୍କଡ଼, ଦୁଇଟା ହନୁ ଆଉ ଛଅଟା ଛୋଟ ବଡ଼ ହାତୀ ଥିଲେ । ଦଶପନ୍ଦରଟା ଖେଳବାଲୀ ମାଈକିନାବି ଥିଲେ । ମୁଁ ଦି’ ଚାରିଥର ସେ ସରକସ୍ ଦେଖିଲି । ବାଘ ଖେଳଟା ବେଶ୍ ଜମୁଥାଏ । ଗୋଟାଏ ମାଈକିନା ଚାବୁକ ଧରି ସେ ବାଘକୁ ମନଇଚ୍ଛା ଖେଳାଉଥାଏ । ସେ ତାଙ୍କ ଉପରେ ବସୁଥାଏ, ତାଙ୍କ ପାଟିରେ ବେକ ରଖୁଥାଏ । ତାଙ୍କୁ କୁଣ୍ଢାଇ ଧରୁଥାଏ । ତାଙ୍କୁ ଚଉକିରେ ବସାଉ ଥାଏ । ତାଙ୍କ ପିଠିରେ ଛେଳିଙ୍କୁ ମାଙ୍କଡ଼ଙ୍କୁ ବସାଉଥାଏ । ହେଲେ–ସେ ବାଘଙ୍କୁ ଜମା ମାରୁ ନଥାଏ ଚାବୁକରେ । ଆଉଁଶୁଥାଏ । ମୁହଁରେ ମୁହଁ ଲଗାଇ ଗେଲ କରୁଥାଏ । ସତେକି ବାଘ ନୁହ–ଚାରିଟା ବିଲେଇ । ମତେ ଏ ଖେଳ ଭାରି ଭଲ ଲାଗୁଥାଏ । ସେ ମାଈକିନାଟାକୁବି ମତେ ଭାରି ଭଲ ଲାଗୁଥାଏ । ମୁଁ ସବୁଦିନ ସେ ସରକସ୍ ପାଖେ ଲଙ୍ଗର ପଙ୍ଗର ହେଉଥାଏ । ଜନ୍ତା ଭିତରେ ବାଘକୁ ଦେଖୁଥାଏ । ମାତ୍ର ସେ ଖେଳବାଲୀ ଦିନଯାକ ପଦାକୁ ବାହାରେ ନାହିଁ । ତମ୍ୱୁ ଭିତରେ ଥାଏ ।

 

ଦିନେ ସେ ସରକସ୍ ମ୍ୟାନେଜର ମତେ ଦେଖିଲା । କ’ଣ ଭାବିଲା କେଜାଣି, ମୋ ପାଖରେ ଆସି ମୋ ଛାତିରେ ଥାପଡ଼େଇ ଥାପଡ଼େଇ ପଚାରିଲା–ସାବାସ୍‍ରେ ଯବାନ ! କ’ଣ ତୁ କରୁ ? ମୁଁ କହିଲି–କିଛି ନାହିଁ । ସେଇଠୁ ସେ ମତେ କିଛି ସମୟ ଅନାଇ ରହିଲା । ମୁଁ ବି ତା’ ଆଖି ସଙ୍ଗେ ଆଖି ମିଳେଇଲି । ସେ ମୋ ଆଖିରୁ କ’ଣ ବାରିଲା କେଜାଣି ସାଙ୍ଗେ ସାଙ୍ଗେ ପଚାରିଲା – ସରକ୍‍ସ ମେ ମିଶେଙ୍ଗା ? ମୁଁ ତ ଭାରି ଏକୁଟିଆ ଭୋଗୁଥିଲି । ଗାଁ ଛାଡ଼ି ପଳେଇବି ବୋଲି ବସିଥେଲି । ମୁଁ ବି ସାଙ୍ଗେ ସାଙ୍ଗେ କହିଲି–ହାମ୍ ସରକସ ମେଁ କ୍ୟା କରୁଙ୍ଗା ? ମାନେଜର କହିଲା–ଖେଲ୍ ଦେଖାଏଗା । ମୁଁ ପଚାରିଲି – କ୍ୟା ଖେଲ ? ସେ କହିଲା–ବାଘ ଚକ୍ରୀକା ଖେଲ । ମୁଁ କହିଲି–ବାଘ ଔର୍ ବକ୍ରୀ ଖେଲେଙ୍ଗେ–ମଗର୍ ହାମ୍ କ୍ୟା କରୁଙ୍ଗା ? ମ୍ୟାନେଜର ହସି ହସି କହିଲା–ତୁମ୍ ଉସ୍‍ଲୋଗୋଙ୍କୋ ଖେଲାଏଗା । ତୁମ୍‍କୋ ଟ୍ରେନିଂ ଦିଆଯାଏଗା । ପାରେଗା ? ମୁଁ ହସି ହସି କହିଲି–ଅଲବତ୍ ପାରୁଙ୍ଗା ।

 

ସେଇଠୁ ମୁଁ ପଚାରିଲି – ହାମରା ସାଥ୍‍ମେଁ ଔର୍ କୋଇ ରହେଗା–ନା ହାମ୍ ଏକ୍‍ଲା ଖେଲାଉଙ୍ଗା ? ମ୍ୟାନେଜର କହିଲା – ଏକ୍ ସୁରତ୍ ଲଡ଼୍‍କୀ ହେ । ଆଓ ! ତୁମକୋ ଉସକୀସାଥ୍ ମୁଲାକାତ୍ କରା ଦୁଙ୍ଗା । ଓ ଲଡ଼୍‍କୀ ହାମ୍‍କୁ ପଠାଥା – ତୁମ୍‍କୋ ବୁଲାନେକେ ଲିଏ । ଆଓ ହାମାରା ସାଥ ।

 

ମୁଁ ଅତି ଉଷତ ହୋଇ ମ୍ୟାନେଜର ସାଙ୍ଗରେ ତମ୍ୱୁ ଭିତରକୁ ଗଲି । ସତେ କି ଆକାଶର ଚାନ୍ଦ ମୋ ହାତରେ ପଡ଼ିଛି । ସେଇ ଛନ୍ ଛନ୍ ଲଡ଼୍‍କୀ, ବାଘ ଆଉ ମୁଁ । ବାଃ ବାଃ କେଡ଼େ ମଜା ! କେଡ଼େ ମଜା ! ତମ୍ୱୁ ଭିତରେ ପହୁଁଚି ଦେଖେ ତ – ଗୋଟେ ଚଉକିରେ ରାଣୀ ଭଳିଆ ଗୋଟିଏ ଅତି ସୁନ୍ଦର ଲଡ଼୍‍କୀ ବସିଛି । ମୁଣ୍ଡରେ ବାବୁରି ବାଳ । ପିନ୍ଧିଛି ଚକ୍ ଚକ୍ ଜରି କାମକରା ନାଲି ଜାମା ଆଉ ପ୍ୟାଣ୍ଟ । ଓଠରେ ନାଲି । ଆଖିର ଚାହାଣିରେ ସତେ କି ସେ ପୃଥ୍ୱୀକି ବଶ କରି ରଖିଛି । ହସ ହସ ମୁହଁ । ଇସ ସ୍ତ୍ରୀଲୋକଟାର କି ତେଜ ! କି ମାହାତ୍ମ୍ୟ ! ହାତରେ ଗୋଟାଏ ଚାବୁକ ଧରି ସେ ହଲାଉଛି । ମତେ ଦେଖି ଫିକ୍ କିନା ହସି ଦେଲା । ମୁଁ ତା’ ମୁହଁକୁ ଚାହିଁ ନ ପାରି ତଳକୁ ମୁହଁ କରି ଠିଆ ହେଲି । ମ୍ୟାଜେନର କହିଲା – କୋଏଲ୍ ! ଦେଖୋ ? ଇସ୍‍କୋ ବୋଲାଥା ନା ? କୋଏଲ୍ ଉଠି ଠିଆ ହେଲା । ମୁଁ ଏତେବେଳଯାଏ ତା’ ମୁହଁକୁ ଚାହିଁ ନ ଥିଲି । ବର୍ତ୍ତମାନ ଚାହିଁଲି । ଏଁ ? ଏ କିଏ ? ଏ ଯେ ଗୋଟାସୁଦ୍ଧା କୋଇଲୀ ନାନୀ ! କୋଇଲୀ ନାନୀ ରାଣୀ ହୋଇଛି ! ରାତିରେ ଏଇ ସେ ଚାରିଟା ବାଘଙ୍କୁ ଚାରିଟା ବିଲେଇ ଭଳି ଖେଳାଏ ? ମୋ ଛାତି ଆନନ୍ଦରେ କୁରୁଳି ଉଠିଲା । ମୁଁ ଚିତ୍କାର କରି ଉଠିଲି–କୋଇଲୀ ନାନୀ !

 

କୋଇଲୀ ନାନୀ ମୋତେ କୁଣ୍ଢାଇ ପକାଇଲା – ରାଧୁଆ !

 

କିଛି ସମୟ ଚୁପ୍‍ଚାପ୍ କଟିଗଲା । ମୁଁ କାନ୍ଦୁଥାଏ । କୋଇଲୀ ନାନୀ ମଧ୍ୟ ପୂର୍ବପରି ମୋତେ ଆଉଁଶି ଲାଗିଥାଏ, ଆଉ କାନ୍ଦୁଥାଏ । ମୁଁ ତା’ କୋଳରୁ ମୁହଁ ଟେକି କିଛି ବେଳକେ କହିଲି–କୋଇଲୀ ନାନୀ ! ଆଜିଠାରୁ ମଲାଯାଏ ତୁ ମୁଁ ଏକାଠି ରହିବା ଏହି ବାଘଙ୍କ ମେଳରେ ଲୋ ! ମୁଁ ତୋତେ ଛାଡ଼ି ଆଉ କୁଆଡ଼େ ଯିବି ନାହିଁ । କୋଇଲୀ ନାନୀ କହିଲା – ହଉ !

 

ତେଣେ ବାଘ ଜନ୍ତା ସବୁ ବଡ଼ ତମ୍ୱୁ ଭିତରକୁ ଅଣା ଗଲାଣି । ତା’ ଭିତରୁ ମହାବଳମାନେ ହେଣ୍ଟାଳ ଛାଡ଼ୁଛନ୍ତି । କୋଇଲୀ ନାନୀ ମୋ ହାତ ଧରିଥାଏ । ଆମେ ଦୁହେଁ ସେଇ ଆଡ଼କୁ ମୁହାଇଁ ଗଲୁ । କୋଇଲୀ ନାନୀ ତାଙ୍କୁ ଆଜି ଗୋଟେ ନୂଆ ଖେଳ ଶିଖେଇବ ।

 

ବାଟରେ ମୁଁ ପଚାରିଲି–କୋଇଲୀ ନାନୀ ! ତୁ ୟା ଭିତରେ ଏମିତି ହୋଇଗଲୁଣି ? ତୁ ରାଣୀ ଭଳି ମତେ ଲାଗୁଛୁ ଲୋ !! କୋଇଲୀ ନାନୀ ମତେ ଧୀର ଗଳାରେ କହିଲା – ହଁ ! ମୁଁ ଏ ସରକସ୍ ପାର୍ଟିର ରାଣୀ ! ତୁ ମୋ ଭାଇ । ମୁଁ ତା’ ଅଣ୍ଟାକୁ ଧରି କହିଲି – କୋଇଲୀ ନାନୀ ! ତୋ ପାଖରେ ଭାଇଟିଏ ହୋଇ ରହିବାଠାରୁ ସୁଖ ଆଉ ନାହିଁ ! ଆଚ୍ଛା, କୋଇଲୀ ନାନୀ ! ତତେ ବାଘମାନଙ୍କ ପାଖେ ଡର ମାଡ଼େ ନା ?

 

କୋଇଲୀ ନାନୀର କଣ୍ଠ ନରମି ଗଲା । ସେ କହିଲା–ବାଘମାନଙ୍କୁ ତୁ କ’ଣ ଭାବୁଛୁ କି-? ଭାରି ନରମ ସେମାନେ । ବିଲେଇଙ୍କଠାରୁ ସୁଧାର । ବାଘଙ୍କ ସାଙ୍ଗରେ ରହିଲେ ଆଉ ମଣିଷଙ୍କ ସାଙ୍ଗେ ରହିବାକୁ ମନ ବଳିବ ନାହିଁ ରାଧୁଆ ! ମୁଁ ବାଘମାନଙ୍କୁ ଭାଇଭଳି ଦେଖେ । ସେମାନେ ମୋ ଆଖିରୁ ସବୁ ବୁଝି ପାରନ୍ତି । ମୋ ଆଖିକି ଚାହିଁଲେ – ସେମାନେ ବିଲେଇ ଭଳି ମୁହଁ ତଳକୁ କରି ଦିଅନ୍ତି ଲାଜରେ । ଚାଲ୍ ଦେଖିବୁ ।

 

ମୋତେ ସବୁ ସ୍ୱପ୍ନ ଭଳି ଲାଗୁଥାଏ । କୋଇଲୀ ନାନୀ, ବାଘ, ଆଉ ମୁଁ । ବାଃ ବାଃ । ୟା’ଠାରୁ ସୁଖ ମୋର ଆଉ କ’ଣ ଅଛି ? କୋଇଲୀ ନାନୀ ରାଣୀ । ମୁଁ ଆଉ ବାଘମାନେ ତା’ର ଭାଇ । ବାଃ ବାଃ......

 

ଆସନ୍ତା କାଲିଠାରୁ ଏଠୁ ଖେଳ ଉଠିଯିବ । ବର୍ଷାଦିନ ଆସିଗଲାଣି । କୋଇଲୀ ନାନୀ କହୁଛି–ଆମେ ଏଇ ବର୍ଷା ଚାରିମାସ ଚାଲିଯିବୁ ଦକ୍ଷିଣକୁ । ମାଡ଼୍ରାସ୍ । ମୁଁ କହୁଛି...ଏଣିକି ଯୁଆଡ଼େ ଚାଲିବ ଚାଲ । ଦକ୍ଷିଣ, ଉତ୍ତର, ପୂର୍ବ, ପଶ୍ଚିମ । କୋଇଲୀ ନାନୀ ଅଛି–ସେ, ମୁଁ ଆଉ ବାଘମାନେ-!!

Image

 

ମୀନକେତନ ବାବୁ ଓ ଜଳବାୟୁ

 

ଆହାର, ନିଦ୍ରା, ଭୟ ଓ ମୈଥୁନ–ଏହି ଚାରୋଟି ପ୍ରବୃତ୍ତି ପଶୁମାନଙ୍କ ଭଳି ମନୁଷ୍ୟଙ୍କରବି ଊଣା ଅଧିକେ ଅଛି । ଅବଶ୍ୟ ଏହି ଚାରୋଟି ପାଶବିକ ପ୍ରବୃତ୍ତିକୁ ଯେ ଯେତେ ଜୟ କରିପାରିଛି, ସେ ସେତିକି ପରିମାଣରେ ମହତ୍ । ଏକଥା ନିଶ୍ଚୟ ଯେ ଏହି ଚାରୋଟି ପ୍ରବୃତ୍ତିର ସଂଯମ ଉପରେ ପ୍ରକୃତ ମନୁଷ୍ୟତା ପ୍ରତିଷ୍ଠିତ ।

 

ଅବସରପ୍ରାପ୍ତ ଜିଲ୍ଲା ଜଜ୍ ମୀନକେତନବାବୁ ମହାମାନବ ନ ହେଲେ ମଧ୍ୟ ଏହି ଚାରୋଟି ପ୍ରବୃତ୍ତିକୁ ବହୁ ପରିମାଣରେ ସଂଯତ କରିଥିଲେ । ବାଲ୍ୟକାଳରୁ ସେ ଆହାରରେ ଖୁବ୍ ସଂଯମୀ । ଦିନକୁ ମାତ୍ର ପାଞ୍ଚ ଘଣ୍ଟାରୁ ସେ ଅଧିକ ସମୟ ଶୟନ କରନ୍ତି ନାହିଁ । ମୈଥୁନ ବ୍ୟାପାରରେ ମଧ୍ୟ ସେ ଶାସ୍ତ୍ରାନୁମୋଦିତ ବିଧି ମାନି ଚଳି ଆସିଛନ୍ତି । ବାକି ରହିଲା ଭୟ । ମୀନକେତନବାବୁଙ୍କର ଦୈହିକ ବଳ ଓ ମନର ସାହସ ଖୁବ୍ ବେଶି ଥିଲା । ସେ ଜୀବନରେ ତିନି ଥର ବାଘ ହାବୁଡ଼ରୁ–ଚାରି ଥର ସାପ ମୁହଁରୁ–ଦୁଇ ଥର ଭାଲୁର ଆକ୍ରମଣରୁ ଓ ଥରେ ଦନ୍ତାହାତୀ ଦାଉରୁ ନିଜର ସାହସ ବଳରେ ରକ୍ଷା ପାଇଛନ୍ତି । ଚାକିରି କ୍ଷେତ୍ରରେ ତାଙ୍କର କର୍ତ୍ତବ୍ୟବୋଧ ଓ ନୈତିକଜ୍ଞାନ ଏତେ ବେଶି ଯେ ସେ ଅଯଥା ଉପରିସ୍ଥମାନଙ୍କୁ କେବେ ଭୟ କରି ନାହାନ୍ତି । ମୋଟ ଉପରେ ଆମ୍ଭେମାନେ ଯେଉଁସବୁ ବିଷୟରେ ସାହସ ହରାଇ ଭୟରେ ସର୍ବଦା କାତର ହୋଇପଡ଼ୁ...ମୀନକେତନବାବୁଙ୍କର ସେସବୁ କିଛି ନଥିଲା ।

 

କିନ୍ତୁ ମନୁଷ୍ୟ ତ କେବଳ ପାଶବିକ ପ୍ରବୃତ୍ତିଦ୍ୱାରା ଆକ୍ରାନ୍ତ ହୁଏ ନାହିଁ–ମନୁଷ୍ୟ ସଭ୍ୟ ହେବା ସଙ୍ଗେ ସଙ୍ଗେ କେତକ ମାନବିକ ପ୍ରବୃତ୍ତିର ମଧ୍ୟ ଦାସ ହୋଇପଡ଼େ । ଆମେ ଏହି ମାନବିକ ପ୍ରବୃତ୍ତିଗୁଡ଼ିକୁ କହୁ ‘ଖିଆଲ’ । ମୀନକେତନବାବୁ ପାଶବିକ ଭୟକୁ ଦମନ କରିଥିଲେ, ମାତ୍ର ଏକ ଖିଆଲୀ ଭୟରେ ସେ ବେଳେ ବେଳେ ଆତଙ୍କିତ ହୋଇ ଉଠୁଥିଲେ । ସାଧାରଣ ଲୋକଙ୍କୁ ମୀନକେତନବାବୁଙ୍କର ଏହି ବିଚିତ୍ର ଖିଆଲୀ ଭୟଟା ଅସଙ୍ଗତ ବା ଅହେତୁକ ହୋଇପାରେ ମାତ୍ର ମୀନକେତନବାବୁଙ୍କ ପାଖେ ଏହା ଅତି ଗୁରୁତ୍ୱପୂର୍ଣ୍ଣ । ଅସଙ୍ଗତ ବୋଲି ଭାବିବାରେବି ପ୍ରକୃତରେ କିଛି କାରଣ ନାହିଁ । କାରଣ ଆମେ ଅନେକ ଲୋକ ଦେଖିଛୁ, ଯେଉଁମାନେ କି ବାଘ ଭାଲୁଙ୍କୁ ଯେତେ ଭୟ ନ କରନ୍ତି–ବେଙ୍ଗଟିଏ ବା ଝିଟିପିଟିଟିଏ ଦେଖିଲେ ବା ନାମ ପର୍ଯ୍ୟନ୍ତବି ଶୁଣିଲେ–ସେମାନଙ୍କ ଦେହ ଓ ମନରେ ଭୟ ବୀଭତ୍ସତାର ଏକ ଅଦ୍ଭୁତ ପ୍ରତିକ୍ରିୟା କଣ୍ଟକିତ ହୋଇଉଠେ । ଭୟଟା ସେହେତୁ ନିତାନ୍ତ ବ୍ୟକ୍ତିଗତ ବ୍ୟାପାର ।

 

ତେଣୁ ମୀନକେତନବାବୁ ଯେତେବେଳେ ଜଳ ଓ ବାୟୁ ବିଷୟରେ ଅତି ମାତ୍ରାରେ ସତର୍କ ହୋଇଉଠନ୍ତି–ସେତେବେଳେ ତାଙ୍କ ଭଳି ଜଣେ ବିଶିଷ୍ଟ, ବିଜ୍ଞ ଓ ସଂଯତ ବ୍ୟକ୍ତିଙ୍କ ସମସ୍ୟାକୁ ବେଶ୍ ସହାନୁଭୂତିର ସହିତ ବିଚାର କରିବା ଉଚିତ । ‘ଜଳବାୟୁ’ କହିଲେ ଆମେ ଯାହା ବୁଝୁ, ମୀନକେତନବାବୁ ତାହା ବୁଝନ୍ତି ନାହିଁ । ସ୍ୱାସ୍ଥ୍ୟ ପକ୍ଷରେ ପୁରୀର ଜଳବାୟୁ ଭଲ ବା ପାରଳାଖେମୁଣ୍ଡିର ଜଳବାୟୁ ଖରାପ, ଏ ବିଚାର ତାଙ୍କ ପାଖେ ନାହିଁ । ଜୀବନରେ ସେ ବହୁବାର କୋରାପୁଟ ଓ ପାରଳାଖେମୁଣ୍ଡି ଭଳି ଜାଗାରେବି ରହିଛନ୍ତି – ପୁରୀ, ଭୁବନେଶ୍ୱର ଓ ସମ୍ୱଲପୁର ଆଦି ଜାଗାରେବି ରହିଛନ୍ତି । ସେପରିଭାବେ ସେ ଜଳବାୟୁକୁ ଖାତିର କରନ୍ତି ନାହିଁ ।

 

କିନ୍ତୁ ଜଳବାୟୁ ବିଷୟରେ ତାଙ୍କର ଗୋଟେ ଅଦ୍ଭୁତ ଭୟ ବା ଆଶଙ୍କା ରହିଛି । ସେ ‘ଜଳ’ ଓ ବାୟୁ ଶବ୍ଦକୁ ଏକାଠି ମିଶାଇ ବିଚାର କରନ୍ତି ନାହିଁ । ଦୁହିଁଙ୍କୁ ସ୍ୱତନ୍ତ୍ରଭାବେ ବିଚାର କରି ସେ ଏକ ପ୍ରଚଣ୍ଡ ଓ ବିଚିତ୍ର ଆଶଙ୍କା ଭିତରେ ରହିଥାନ୍ତି । ସେହି ବିଚିତ୍ର ଆଶଙ୍କାଟି ହେଉଛି–ତାଙ୍କର ଥରେ ଥରେ ମନେହୁଏ ଯେ, ଜଳ ଓ ବାୟୁ ହେଉଛି ପ୍ରାଣୀର ଜୀବନ । ଜଳ ବ୍ୟତୀତ ପ୍ରାଣୀ ବଞ୍ଚି ପାରିବ ନାହିଁ । ପୃଥିବୀରେ ଅବଶ୍ୟ ତିନି ଭାଗ ଜଳ ଅଛି । ସାତ ସାଗରରେ ଭରି ରହିଛି ଅଥଳ ଜଳ । ଆକାଶରେ ରହିଛି ଆକାଶେ ବାୟୁ । ମାତ୍ର ମୀନକେତନବାବୁ ଥରେ ଥରେ ଏକ ଅଦ୍ଭୁତ ଆଶଙ୍କା କରି ବସନ୍ତି–

 

ଧର, ଯଦି ପୃଥିବୀ କୌଣସି ଏକ ମୁହୂର୍ତ୍ତରେ କଳଶୂନ୍ୟ ହୋଇଯାଏ କିମ୍ୱା ଧର ଯଦି ଆକାଶ ହୋଇଉଠେ ବାୟୁଶୂନ୍ୟ–ତାହେଲେ ମଣିଷ ବଞ୍ଚିବ କେମିତି ? ତଣ୍ଟି ତ ଶୁଖିଯିବ–ନିଃଶ୍ୱାସ ଓ ବନ୍ଦ ହୋଇଯିବ । ଓଃ–

 

ଏତକ ଭାବିଦେଇ ସଙ୍ଗେ ସଙ୍ଗେ ମୀନକେତନବାବୁ ଅନୁଭବ କରନ୍ତି–ତାଙ୍କର ତଣ୍ଟି ଶୁଖିଯାଉଛି – ନିଃଶ୍ୱାସ ରୁନ୍ଧି ହୋଇଆସୁଛି । ଏଭଳି ଅବସ୍ଥାରେ ସେ ଯଦି ଅଫିସରେ ଥାନ୍ତି–ତେବେ ହଠାତ ଖୁବ୍ ଅସ୍ଥିର ହୋଇ ସେ ଚିତ୍କାର କରିଉଠନ୍ତି–

 

ଏଃ ପଙ୍ଖାବାଲା–ଜୋର୍ ସେ ଟାଣ୍–ଜୋର୍‍ସେ ।

 

ଏତ ଚପରାସୀ–ପାଣି ଦେ–ଚଞ୍ଚଳ ଗ୍ଲାସେ ପାଣି ।

 

ଏ ହୁକୁମ ସଙ୍ଗେ ଚପରାସୀ ଓ ପଙ୍ଖାବାଲା ପୂର୍ବରୁ ପରିଚିତ । ହୁକୁମ ଶୁଣୁ ଶୁଣୁ ପଙ୍ଖା ହଲେ–ଆଉ ପାଣିଗ୍ଲାସ ଟେବୁଲ ଉପରେ ଥୁଆଯାଏ । ମୀନକେତନବାବୁ ଗ୍ଲାସକ ଜଳ ପିଇଦେଇ–ସଁ ସଁ କରି ଥୋଡ଼ାଏ ବାୟୁ ଫୁସ୍‍ ଫୁସ୍ ଭିତରକୁ ଟାଣି ନିଅନ୍ତି ।

 

ଘରେ ଥିଲାବେଳେ ଯଦି ଅକସ୍ମାତ୍ ଏ ଖିଆଲୀ ଭୟ ତାଙ୍କ କଳ୍ପନାରେ ଜାଗିଉଠେ – ତେବେ ଗୃହିଣୀ ଅନ୍ନପୂର୍ଣ୍ଣା ସଙ୍ଗେ ସଙ୍ଗେ ପଙ୍ଖା କରନ୍ତି ଓ ଗ୍ଲାସେ ପାଣି ବଢ଼ାଇ ଦିଅନ୍ତି ।

 

ମୀନକେତନବାବୁ ସବୁ କଥାରେ ସଂଯମୀ ହୋଇଥିବାରୁ ତାଙ୍କୁ ପ୍ରାୟ ରୋଗ ହୁଏ ନାହିଁ-। ତେଣୁ ସେ ଥରେ ଥରେ କହନ୍ତି, ‘‘ମୁଁ ଯଦି ମରିବି ତ କେବଳ ଏଇ ଜଳ ଓ ବାୟୁ ଅଭାବରେ ମରିବି ।’’

 

ତାଙ୍କ ସ୍ତ୍ରୀ ସ୍ୱାମୀଙ୍କର ଏତିକି ସାମୟିକ ପାଗଳାମିକୁ ଆଜୀବନ ସହ୍ୟ କରି ଆସିଛନ୍ତି । ସେ ସମବେଦନାପୂର୍ଣ୍ଣ କଣ୍ଠରେ କାରୁଣିକ ହୋଇ କହନ୍ତି, ‘ଛି – ଏମିତି ଗୋଟେ କ’ଣ ବେଳେ ବେଳେ ଭାବୁଛ ? କି ଅସମ୍ଭବ କଥା ଏ ଭଲା ! ବୁଢ଼ା ହେଲଣି–ଏମିତି କି ଗୋଟେ ବିଚିତ୍ର ଧାରଣା-! ତୁମେ ଦେଖ – ପୃଥିବୀ କେବେ ଜଳଶୂନ୍ୟ ହେବ ନାହିଁ–ଆକାଶବି କେବେ ବାୟୁଶୂନ୍ୟ ହେବ ନାହିଁ ଏଗୁଡ଼ାକ ତୁମର ମିଛ ଭୟ–ଖିଆଲୀ ପାଗଳାମି । ବୁଢ଼ା ହେବାଯାଏ କ’ଣ ତୁମେ ଏମିତି ବେଳେ ବେଳେ ପିଲାଳିଆ ଧାରଣାରେ ବ୍ୟସ୍ତ ହେଉଥିବ ? ତୁମେ କାଇଁକି ଏପରି ଭାବୁଚ ? ତୁମେ ପାଗଳ ଭଳି କ’ଣ ଏଗୁଡ଼ାକ କହୁଚ ?’’

 

ମୀନକେତନବାବୁ ସ୍ତ୍ରୀଙ୍କ କଥାଶୁଣି ଖୁବ୍ ସଜାଗ ହୋଇ ପଡ଼ନ୍ତି । ସତେ ବା ସ୍ତ୍ରୀ ତାଙ୍କର ଭୟର ଗୁରୁତ୍ୱ ଆଦୌ ବୁଝିପାରୁ ନାହାନ୍ତି !

 

‘‘ଆଃ – ପାଗଳ ହୋଇଥିଲେ ଗୀତା ବୋଉ, ସରକାର ମୋତେ ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ନଥାନ୍ତେ, ବୁଝିଲ ? ତୁମେ ବର୍ତ୍ତମାନ ହୁଏତ ବୁଝିପାରୁ ନାହଁ–କିନ୍ତୁ ଦିନେ ବୁଝିବ । ଦିନେ ତୁମେ ଦେଖିବ ଗୀତାବୋଉ । ଗୋଟେ ଅସର୍କତ ମୁହୂର୍ତ୍ତରେ ମୁଁ ପାଣି ପାଣି ବୋଲି ଚିତ୍କାର କରୁଥିବି – ପାଣି ନ ଥିବ ବା ପାଣି ଥିଲେବି ମୁନ୍ଦେ ପାଟିକି ଦେବାକୁ କେହି ନ ଥିବେ । ମୁଁ ପାଣି ପାଣି ବୋଲି ଚିତ୍କାର କରି ମରିଯିବି । ନିଃଶ୍ୱାସ ମାରିବାକୁ ବାୟୁବି ଟିକିଏ ନ ଥିବ । ପବନ ପବନ ବୋଲି ଚିତ୍କାର କରି କରି ନିଃଶ୍ୱାସ ରୁନ୍ଧି ହୋଇ ମୁଁ ମରିଯିବି । ବିଶ୍ୱାସକର ଗୀତା ବୋଉ – ଏ ଭୟ ମୋର ଅମୂଳକ ନୁହ – କିଛି ଏ ସଂସାରରେ ଅସମ୍ଭବ ନୁହ – ଓଃ ମୋ ତୋଟି ଶୁଖିଯାଉଛି–ଗୀତା ବୋଉ – ମୁନ୍ଦାଏ ପାଣି ଦିଅ–ଓଃ ବିଞ୍ଚ–ବିଞ୍ଚ–ଟିକିଏ ପବନ ଦିଅ – ଓଃ – ପବନ ଦିଅ ହେ !!’’

 

ମୀନକେତନବାବୁ ଅସ୍ଥିର ହୋଇପଡ଼ନ୍ତି । ବ୍ୟସ୍ତ ହୋଇ ଅନ୍ନପୂର୍ଣ୍ଣା ଦେବୀ ପାଣି ଗ୍ଲାସ ବଢ଼ାଇ ଦିଅନ୍ତି, ଆଉ ପଙ୍ଖାରେ ବିଞ୍ଚିବସନ୍ତି । ପାଞ୍ଚ ମିନିଟ ପରେ ମୀନକେତନବାବୁ ପୁଣି ପ୍ରକୃତିସ୍ଥ ହୁଅନ୍ତି ଏବଂ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟରେ ଆଉ କୌଣସି ଅସାଧାରଣତ୍ୱ ବା ଖିଆଲୀ ପ୍ରବଣତା ପରିଦୃଷ୍ଟ ହୁଏ ନାହିଁ ।

 

ଏହିପରି ଗୋଟେ ଖିଆଲୀ ଭୟ ତାଙ୍କର ପ୍ରାୟ ବାଲ୍ୟକାଳରୁ ଥିଲା । ଛାତ୍ରଜୀବନରେ ସେ କୃତ୍ରୀ ଛାତ୍ର ଥିଲେ । ଭଲ ଟେନିସ୍ ଖେଳିବାରେବି ତାଙ୍କର ବେଶ୍ ସୁନାମ ଥିଲା । ତର୍କସଭା ଓ ସାହିତ୍ୟାଦି ସଭା ସମିତିରେ ମୀନକେତନବାବୁ ଥିଲେ ଜଣେ ଅସାଧାରଣ ଚିନ୍ତାଶୀଳ ବକ୍ତା । ଏହି ବୃଦ୍ଧ ବୟସରେବି ସାହିତ୍ୟ ଓ ଦର୍ଶନାଦି ସଭା ସମିତିରେ ସେ ବକ୍ତା ଓ ସଭାପତିର ନେତୃତ୍ୱ ନେଇଥାନ୍ତି । କଥାବାର୍ତ୍ତା ଓ ଚିନ୍ତାରେ ସେ ବେଶ୍ ମୌଳିକ, ପରିଚ୍ଛନ୍ନ ଓ ସଂଯତ । ଦୃଷ୍ଟିକୋଣବି ତାଙ୍କର ବେଶ୍ ବିଜ୍ଞାନସମ୍ମତ । ଅନ୍ଧ ଭାବରେ କୌରସି କଥା ସେ ମାନି ଯାଉ ନ ଥିଲେ; କିନ୍ତୁ ସବୁ କଥା ଭିତରେ ଏଇ ଜଳ ଓ ବାୟୁ ବିଷୟରେ ଅତି ମାତ୍ରାରେ ଅମୂଳକ ସତର୍କଶୀଳତା ଓ ଆଶଙ୍କାପ୍ରବଣତା କୋଉଠି କିପରି ଲୁଚି ରହିଥାଏ, ଏହାହିଁ ଆଶ୍ଚର୍ଯ୍ୟ । ଏ ଖିଆଲୀ ତାଙ୍କର ମୂଳରୁ ଟିକେ ଟିକେ ଥିଲା । ଏବେ କିନ୍ତୁ ସେ ବୟସରେ ଯେତିକି ପରିଣତ ହୋଇ ଉଠୁଛନ୍ତି–ଏଇ ଖିଆଲୀ ଭୟ ରୋଗଟାବି ସେତିକି ତାଙ୍କ ମନ ଭିତରେ ବଢ଼ି ବଢ଼ି ଯାଉଛି ।

 

ଶୋଇବାବେଳେ ସେ ସବୁବେଳେ ନଜର ରଖୁଥିଲେ–ବିଛଣା ପାଖେ ଢାଳେ ପାଣି ଓ ଗ୍ଲାସ ଥୁଆ ହୋଇ ରହିଛି କି ନାହିଁ ! କାଳେ ଶୋଇବା ଭିତରେ ସେ ମରିଯିବେ ଓ ମରିବା ପୂର୍ବରୁ ପାଣି ଟୋପାଏବି ପିଇପାରିବେ ନାହିଁ । କୁଆଡ଼େ ବାହାରିଲେ ତ ବରାବର ତାଙ୍କ ସଙ୍ଗେ ପାଣି ବୋତଲଟି ଅବଶ୍ୟ ଥିବ । ସଭା ସମିତିରେ ଭାଷଣ ଦେଲାବେଳେବି ଆଗ ସେ ଟେବୁଲ ଉପରେ ଗ୍ଲାସେ ପାଣି ରଖିବାକୁ ନିର୍ଦ୍ଦେଶ ଦେବେ । ଅତି ଶୀତ ରାତିରେବି ସେ ଘରର ସବୁ ଝରକା ମେଲା କରି ଶୁଅନ୍ତି । କାଳେ ରାତିରେ ହଠାତ ଘର ଭିତରୁ ସବୁ ଅକ୍‍ସିଜେନତକ ନିଃଶେଷ ହୋଇଯିବ – ଆଉ ପବନ ପବନ କହି ସେ ନିଶ୍ୱାସ ରୁନ୍ଧିହୋଇ ମରିଯିବେ । ଯଦି କେବେ ପବନର ଗତି ହଠାତ ବନ୍ଦ ହୋଇଯାଏ – ବାୟୁମଣ୍ଡଳ ଥମ୍ ଥମ୍ ହୋଇ ସ୍ଥିର ରହିଯାଏ, ତେବେ ମୀନକେତନବାବୁ ଭୟରେ ଅସ୍ଥିର ହୋଇପଡ଼ନ୍ତି...ହେୟ ! ବାୟୁ ବୋଧେ ଶେଷ ହୋଇ ଆସିଲା । ତା’ପରେ ସେ ହଠାତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି । ବହୁତ ବିଞ୍ଚାବିଞ୍ଚି ହେବା ପରେ–ପୁଣି ସେ ପ୍ରକୃତିସ୍ଥ ହୋଇଉଠନ୍ତି ।

 

ମନଚିକିତ୍ସକମାନେ ମୀନକେତନବାବୁ ପରୀକ୍ଷା କରି ନାନା ପ୍ରକାର ମତ ଦେଇଥିଲେ । ମୋଟ ଉପରେ ସେମାନେ କହିଲେ–ଏହା ଏକପ୍ରକାର ମାନସିକ ବିକୃତି । ଆଉ ଏ ବିକୃତି ପଛରେ ନିଶ୍ଚୟ ଗୋଟାଏ ଖୁବ୍ ବଡ଼ ନିଷ୍ଠୁର ଅବଦମନର ଇତିହାସ ରହିଛି । କିନ୍ତୁ ମୀନକେତନବାବୁଙ୍କର ମନର ଅନ୍ୟାନ୍ୟ ପ୍ରତିକ୍ରିୟାଗୁଡ଼ିକ ଅତି ସୁସ୍ଥ ଓ ସ୍ୱାଭାବିକ ହୋଇଥିବାରୁ ଏବଂ ଏଇ ବିଶେଷ ଖିଆଲଟି ବିଶେଷ କ୍ଷତିକର ହୋଇ ନ ଥିବାରୁ କେହି ଆଉ ଏ ବିଷୟରେ ବିଶେଷ ମୁଣ୍ଡ ଖେଳାଇଲେ ନାହିଁ ।

 

X X X

 

କିନ୍ତୁ ଦିନେ ସତକୁ ସତ ମୀନକେତନବାବୁଙ୍କ ଅମୂଳକ ଖିଆଲୀ ଭୟଟି ବାସ୍ତବରେ ପରିଣତ ହେଲା । ଜଳ ଓ ବାୟୁ ନ ପାଇ ମୀନକେତନବାବୁ ଛଟପଟ ହୋଇ ଏ ପୃଥିବୀରୁ ବିଦାୟ ନେଲେ । କିନ୍ତୁ ତାଙ୍କର ସେହି ଖିଆଲୀ ଆଶଙ୍କାଟି ଯେ ପ୍ରକୃତରେ ବାସ୍ତବରେ ଏପରି ସତ୍ୟରେ ପରିଣତ ହେଲା, ଏକଥା ସେ ଆଉ କାହାକୁ ବୁଝାଇ ଦେଇପାରିଲେ ନାହିଁ । ସେ ପାଣି ପାଣି ବୋଳି ଚିତ୍କାର କରି ତାଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇଗଲା ।

 

ଦୁର୍ଘଟଣାଟି ଏହିଭଳି ଘଟିଲା । ମୀନକେତନବାବୁ ସବୁପ୍ରକାର ସଂଯମ ମଧ୍ୟରେ ବଢ଼ି ଅଠସ୍ତରିବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥିଲେ । ସେତେଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଆଶଙ୍କା ସତ୍ତ୍ୱେ ପୃଥିବୀ ଜଳଶୂନ୍ୟ ହୋଇ ନଥିଲା ଏବଂ ଆକାଶ ବାୟୁପୂର୍ଣ୍ଣ ଥିଲା ।

 

ଦିନେ ମୀନକେତନବାବୁଙ୍କୁ ଜର ହେଲା ଏବଂ ଜରଟା ୫।୬ଦିନ ପର୍ଯ୍ୟନ୍ତ ତାଙ୍କ ଦେହରେ ରହିଲା । ସେ ସହଜରେ କିଛି ଔଷଧ ଖାଆନ୍ତି ନାହିଁ । ଖୁବ୍ ବେଶି କଷ୍ଟ ହେଲେ ହୋମିଓପାଥି ଔଷଧରୁ ପାନେ ଦୁଇ ପାନ ଖାଇଦିଅନ୍ତି । ଏଥରବି ସେଇଆ କଲେ; ମାତ୍ର ଜର ଛାଡ଼ିଲା ନାହିଁ । ମୀନକେତନବାବୁଙ୍କର ତିନି ପୁଅ ଓ ତିନି ଝିଅ । ନାତି ନାତୁଣୀ ମଧ୍ୟ ୫।୬ଟି । ପୁଅମାନେ ଉଚ୍ଚଶିକ୍ଷା ପାଇ ବିଭିନ୍ନ ବିଭାଗରେ ବଡ଼ ବଡ଼ ଚାକିରି କରିଛନ୍ତି । ଝିଅମାନେ ମଧ୍ୟ ଖୁବ୍ ଭଲ ବର ପାଇଛନ୍ତି । ପୁଅମାନେ କହିଲେ–‘‘ବାପା ! ଆପଣ ଡାକ୍ତରୀ ଔଷଧ ଖାଆନ୍ତୁ । ନ ହେଲେ ଏ ଜର ଛାଡ଼ିବ ନାହିଁ ।’’ ମାତ୍ର ମୀନକେତନବାବୁ କାହା କଥା ଶୁଣିଲେ ନାହିଁ । ସେଇ ହୋମିଓପାଥି ଔଷଧ ଖାଇଲେ । ଜର ସମ୍ପୂର୍ଣ୍ଣଭାବେ ଛାଡ଼ିଲା ନାହିଁ । ପଞ୍ଚମ ଦିନ ଜ୍ୱର ପ୍ରକୋପ ଊଣା ହୋଇଆସିଲା । ସମସ୍ତେ ଆଶ୍ୱସ୍ତ ହେଲେ ।

 

ସେଇ ଦିନ ରାତିରେ ପ୍ରତିଦିନର ଅଭ୍ୟାସ ଭଳି ମୀନକେତନବାବୁ ଖୁବ୍ ଭୋରରୁ ଉଠି ଝାଡ଼ା ଗଲେ । ଦାନ୍ତ ଘଷିଲେ । ଘରେ ସେତେବେଳକୁ ସମସ୍ତେ ଶୋଇଛନ୍ତି । ତା’ପରେ ସବୁ ଦିନର ଅଭ୍ୟାସ ଭଳି ସେ କେତେକ ଭଜନ ଓ ଅଷ୍ଟକ ଭାଇଲେ ପାଟିକରି । ଶେଷରେ ଠାକୁର ଘର ଦୁଆର ମୁହଁ ପାଖରେ ଆସନ ପକାଇ ବସି ସେ ମନବୋଧ ଚଉତିଶା ଗାନ କରିବାକୁ ଆରମ୍ଭ କଲେ । ‘‘କହଇ ମନ ଆରେ ମୋ ବୋଲ କର’’ ଠାରୁ ଆରମ୍ଭ କରି ସେ ଯେତେବେଳେ ଗାଇଲେ–

 

‘‘ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା–

ଛ’ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ାରେ ।’’

 

ସେତେବେଳେ ତାଙ୍କ ଆଖିରୁ ଲୁହଧାରା ଛୁଟିଲା–ଦେହରେ ରୋମାଞ୍ଚ ସୃଷ୍ଟି ହେଲା–ସେ ମୁଣ୍ଡ ଭିତରେ ଏକ ନିସ୍ତବ୍ଧତା ବୋଧ କଲେ–ତାଙ୍କର ଆଉ କିଛି ମନେ ପଡ଼ିଲା ନାହିଁ–ସେ କିଛି ଅନୁଭବ କରିପାରିଲେ ନାହିଁ – କେବଳ ସେହି ପଦକହିଁ ବାରମ୍ୱାର ପୁନରାବୃତ୍ତି କରିବାକୁ ଲାଗିଲେ–‘‘ଛୁଇଁବେ ନାହିଁ ତେତେ ବୋଲିବେ ମଡ଼ା’’–ତା’ ପର ପଦବି ଆଉ କ୍ରମେ ମନେ ପଡ଼ିଲା ନାହିଁ–ସେ ସେଇ ପଦଟିକି କେବଳ ଆଉଡ଼େଇଲେ–‘‘ଆରେ ଛୁଇଁବେ ନାହିଁ–ତୋତେ ବୋଲିବେ ମଡ଼ା’’–ତା’ପରେ ପାଟି ଖନି ବାଜିଗଲା–ସେଇ ପଦକବି ଆଉ ଭଲଭାବେ ଉଚ୍ଚାରଣ କରିପାରିଲେ ନାହିଁ–‘‘ଛୁ-ଇଁ-ବେ ନା-ହିଁ ତୋ-ତେ ବୋ-ଲିଁ-ବେଁ ମଁ-ଡ଼ାଁ-ଆଁ-ଆଁ ।’’ କ୍ରମେ ସେତକ ମଧ୍ୟ ତାଙ୍କର ପାସୋର ହୋଇଆସିଲା । ସେ ସେଇଠି ଢଳିପଡ଼ିଲେ । ଆଖି ଦରବୁଜା ହୋଇ ରହିଛି– ବେକ ଝୁଲି ପଡ଼ିଛି–ତାଙ୍କର ଚେତନା ଲୋପ ପାଇଗଲା ।

 

ରାତି ପାହି ସାରିଥିଲା । ମୀନକେତନବାବୁଙ୍କ ସ୍ତ୍ରୀ ଉଠି ଆସି ଏ ଦୃଶ୍ୟ ଦେଖି ପୁଅମାନଙ୍କୁ ଆତୁରରେ ଡାକ ପକାଇଲେ । ପୁଅମାନେ, ବୋହୂମାନେ, ନାତି ନାତୁଣୀ ସମସ୍ତେ ଆସି ବୁଢ଼ାଙ୍କୁ ଘେରିଗଲେ । ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଫୋନ ହେଲା । ଡାକ୍ତରବି ସଙ୍ଗେ ସଙ୍ଗେ ଆସି ପହଞ୍ଚିଲେ । ପରୀକ୍ଷା ହେଲା । ଡାକ୍ତର କହିଲେ–‘‘ଭୟ ନାହିଁ, ଜୀବନ ଅଛି, ନାଡ଼ି ଟିକିଏ ଶିଥିଳ ହୋଇଯାଇଛି–ଶ୍ୱାସକ୍ରିୟାରେ ଟିକିଏ ବ୍ୟତିକ୍ରମ ଦେଖାଦେଇଛି । ତେବେ ବିଶେଷ ଭୟ କରିବାର କିଛି ନାହିଁ–ଶୀଘ୍ର ହାସପାତାଳକୁ ନେଇଯିବାକୁ ହେବ ।’’ ତାହାହିଁ ହେଲା । ପୁଅମାନେ, ବୋହୂମାନେ, ନାତି ନାତୁଣୀ ଓ ନିଜେ ବୁଢ଼ୀ ସମସ୍ତେ ମିଶି ସଂଜ୍ଞାହୀନ ମୀନକେତନବାବୁଙ୍କୁ କାର୍‍ରେ ଶୁଆଇ ନର୍ସିଂହୋମକୁ ନେଇଗଲେ । ସେଠାରେ ରୀତିମତ ବୈଜ୍ଞାନିକ ପଦ୍ଧତିରେ ଚିକିତ୍ସା ଚାଲିଲା । ମୁଣ୍ଡରେ ବରଫ ଥଳି ଦିଆଗଲା । ନାନା ପ୍ରକାର ଇଞ୍ଜେକ୍‍ସନ ଫୋଡ଼ାଗଲା । ଦୀର୍ଘ ପାଞ୍ଚ ଘଣ୍ଟା ବିତିଗଲା । ମୀନକେତନବାବୁଙ୍କ ସଂଜ୍ଞା ଫେରିଲା ନାହିଁ । ଖଟକୁ ଘେରି ପୁଅ ବୋହୂ ଓ ନାତି ନାତୁଣୀ ସମସ୍ତେ ଠିଆ ହୋଇଛନ୍ତି । ବୁଢ଼ୀ ମଧ୍ୟ ଖଟ ପାଖେ ଷ୍ଟୁଲ୍ ପକାଇ ବୁଢ଼ା ମୁଣ୍ଡକୁ ଧରି ବସି ଏକା ଲୟରେ ଚାହିଁ ରହିଛନ୍ତି । ଆଖିରୁ ଗଳ ଗଳ ହୋଇ ଅଶ୍ରୁ ଗଳୁଛି । ବୋହୂମାନେ ତାଙ୍କର ପାଦ ଆଉଁଶୁଛନ୍ତି–ପାଦରେ ଗରମ ପାଣିର ସେକ ଦିଆଯାଉଛି । ପାଦ ଦୁଇଟା ହେମାଳ ହୋଇଉଠୁଛି ବେଳକୁ ବେଳ । ବଡ଼ ପୁଅ ଡାକିଲା–

 

‘‘ବାପା–ବାପା–ବାପା !’’

 

ସାନ ନାତୁଣୀ–ବୁଢ଼ାର ଭାରି ଗେହ୍ଲା ସେ–ଚିତ୍କାର କଲା–

 

‘‘ଜେଜେ–ଜେଜେ ମ–ଜେଜେ !’’

 

କାନ୍ଦି କାନ୍ଦି ବୁଢ଼ୀ ପାଟି କରିଉଠିଲେ–

 

‘‘ହଇଓ–ଶୁଣୁଛ–ଉଠିଲ–ହେଇଟି–ଶୁଣୁଛ–ଟୁପୁସୀ ପରା ଡାକୁଛି–ଶୁଣୁଚ–ହେଇଟି–ଆଖି ମେଲା କରିବଟି–’’

 

ମୀନକେତନବାବୁ ଆଖି ଖୋଲିଲେ । ପାଞ୍ଚ ଘଣ୍ଟା ଧରି ସମସ୍ତେ ଏଇ ଶୁଭ ମୁହୂର୍ତ୍ତଟିକୁ ଅପେକ୍ଷା କରିଥିଲେ । ସମସ୍ତଙ୍କ ମୁହଁରେ ଆଶାର ଉତ୍ସବ ଖେଳିଗଲା । ବୁଢ଼ୀ ଖୁବ୍ ଉତ୍ସାହିତ ଗଳାରେ କହିଲେ–‘‘ଶୁଣୁଚ–ହେଇଟି ! ଟୁପୁସୀ ପରା ଡାକୁଛି !’’

 

ସାନ ନାତୁଣୀ ଫେର୍ ଡାକିଲା– ‘‘ଜେଜେ, ଜେଜେ ମ–କହିଲ ମୁଁ କିଏ ?’’

 

ମୀନକେତନବାବୁଙ୍କର ଅଳ୍ପ ଅଳ୍ପ ଚେତନା ଫେରି ଆସିଥିଲା । ମାତ୍ର ତାଙ୍କୁ ଲାଗିଲା, ସତେ ବା ତାଙ୍କ ତଣ୍ଟି ଶୁଖିଯାଉଛି । ସେ ପାଣି ପିଇବାକୁ ବ୍ୟଗ୍ର ହୋଇ ଉଠିଲେ, ମାତ୍ର ପାଟି ଫିଟୁ ନାହିଁ । କିପରି ସେ ପାଟି ଖୋଲିବେ ? ସେ ହାତରେ ଠାରିବାକୁ ହାତ ଟେକିବାକୁ ଚେଷ୍ଟା କଲେ ମାତ୍ର ହାତ ଉଠୁ ନାହିଁ । ସେ ଅତି ବ୍ୟସ୍ତ ହୋଇପଡ଼ିଲେ । ତାଙ୍କ ଭିତରେ କିଏ ଯେପରି ଚିତ୍କାର କରୁଛି–ପାଣି–ପାଣି–ମୁନ୍ଦାଏ ପାଣି ଦିଅ – ମୁନ୍ଦାଏ ପାଣି–ଓଃ ପାଣି-ପାଣି-ପାଣି......କିନ୍ତୁ କିଏ କିପରି ବୁଝିବ ତାଙ୍କର ଇଚ୍ଛା କ’ଣ ? ସେ ତ ନିଜେ ନିଜର ଇଚ୍ଛା ଜଣାଇ ପାରୁ ନାହାନ୍ତି । ମୀନକେତନବାବୁ ଆହୁରି ବ୍ୟସ୍ତ ହୋଇ ଉଠିଲେ–ତାଙ୍କର ତଣ୍ଟି ଏକଦମ ଶୁଖିଗଲା । ତାଙ୍କର ଜୀବନ ଛାଡ଼ିଗଲା ଭଳି ତାଙ୍କୁ ଲାଗିଲା । ପାରୁପର୍ଯ୍ୟନ୍ତ ଚେଷ୍ଟା କଲେ ପାଣି ମୁନ୍ଦାଏ ଲାଗି ଜଣାଇବା ପାଇଁ, ମାତ୍ର ନାଃ–ସେ କହିପାରୁ ନାହାନ୍ତି–ଜିଭଟା ଶୁଖି ଯାଉଛି–ଜିଭଟା ପଶି ଯାଉଛି କ୍ରମେ ଭିତରକୁ ଭିତରକୁ । ସେ ଠାରି ମଧ୍ୟ ପାରୁ ନାହାନ୍ତି । ହାତ ଉଠାଇବାକୁ ଶକ୍ତି ପାଉନି । ହାତରେ ଜୋର୍ ନାଇଁ । ହାତ ଦୁଇଟାରୁ ଜୀବନ ଛାଡ଼ିଗଲା ଭଳି ଲାଗୁଛି । ଆଖିରୁ ସବୁ ଜାଲୁଜାଲୁଆ ଦିଶୁଛି । ସତେ ବା ଖୁବ୍ ଦୂରରୁ ସେ ଦେଖୁଛନ୍ତି ! ତାଙ୍କୁ ମନେ ହେଲା – ଗୀତା ବୋଉ ତାଙ୍କ ପାଖେ ବସିଛନ୍ତି–ସେ ଖୁବ୍ ଜୋର୍‍ରେ ଚିତ୍କାର କରି ଉଠିଲେ–‘‘ପାଣି ମୁନ୍ଦାଏ ଦିଅ–ଗୀତାବୋଉ, ଚଞ୍ଚଳ ଦିଅ–ଜୀବ ଛାଡ଼ିଗଲା – ଓଃ ଗୀତାବୋଉ–ପାଣି ଦିଅ–’’ ମାତ୍ର ଏତେ ପାଖରେ ଥାଇ ମଧ୍ୟ ବୁଢ଼ୀ କିମ୍ୱା ଅନ୍ୟମାନେ କେହି ତାଙ୍କ ଡାକ ଶୁଣିପାରିଲେ ନାହିଁ । ସେ ବାରମ୍ୱାର ଡାକିଲେ – ଚିତ୍କାର କଲେ – ପାଣି–ପାଣି । କେହି କିନ୍ତୁ କିଛି ଶୁଣିପାରିଲେ ନାହିଁ । ତାଙ୍କୁ ଲାଗିଲା ଗୀତାବୋଉ ତାଙ୍କ କଥା ଶୁଣୁ ନାହାନ୍ତି–ବିଶ୍ୱାସ କରୁ ନାହାନ୍ତି ପାଣି ମୁନ୍ଦାଏ ନ ଦେଲେ ତାଙ୍କ ଜୀବ ଛାଡ଼ିଯିବ ବୋଲି । ସେ କ୍ରୋଧରେ ଗର୍ଜନ କରିଉଠିଲେ ବିକଳ ହୋଇ–‘‘ଆରେ ପାଣି ମୁନ୍ଦାଏ ଦିଅ–ଓଃ ପାଣି ମୁନ୍ଦାଏ !!’’

 

କିନ୍ତୁ ତଥାପି ତାଙ୍କ କଥା କାହାକୁ ଶୁଭିଲା ନାହିଁ । ଏଣେ ଶୋଷ ସାଙ୍ଗକୁ ତାଙ୍କୁ ନିଃଶ୍ୱାସ ନେବାରେ ମଧ୍ୟ ଭାରି କଷ୍ଟ ହେଲା । ସେ ପୁଣି ଚିତ୍କାର କଲେ–‘‘ଓଃ ପବନ–ପବନ–ଟିକିଏ ପଙ୍ଖା କର ହେ ପଙ୍ଖାବାଲା ! ନାଇଁ-ନାଇଁ ହେ ଗୀତାବୋଉ–ଓଃ ଜୋର୍‍ସେ ପଙ୍ଖା କର–ଓଃ ପବନ ଦିଅ–ପବନ–’’

 

କିନ୍ତୁ କେହି କିଛି ଶୁଣିପାରିଲେ ନାହିଁ । ସାନ ନାତୁଣୀ ଚିତ୍କାର କରୁଛି–

 

‘‘ଜେଜେ–ଜେଜେ ମ–କହିଲ ମୁଁ କିଏ ? କହିଲ ମୁଁ କିଏ ?’’

 

ବୁଢ଼ୀ ପଚାରୁଛନ୍ତି–

 

‘‘ହଇଓ–କୁହ–କହିଲ–ଚିହ୍ନିପାରୁଛ ? ସେ କିଏ କହୁଛି ?’’

 

ବଡ଼ ପୁଅ ପଚାରୁଛି–

 

‘‘ବାପା ! ଟିକିଏ ଗ୍ଳୁକୋଜ ପାଣି ଦେବି ପିଇବେ ?’’

 

ମୀନକେତନବାବୁ ମଧ୍ୟ ଏସବୁ କିଛି ଶୁଣି ପାରୁ ନାହାନ୍ତି । ସେ କେବଳ ଆଖି ମେଲା କରିଛନ୍ତି । ଜାଲୁଜାଲୁଆ ହୋଇ – ଛାଇ ପରି ସବୁ ଦିଶୁଛି – ବେଳେ ବେଳେ ବହୁ ଦୂରରୁ ଶୁଣିଲା ଭଳି ଘୋ ଘୋ ଶବ୍ଦବି ଶୁଣୁଛନ୍ତି–କିନ୍ତୁ କିଛି ବୁଝି ହେଉନି । ତଣ୍ଟି ଶୁଖିଗଲାଣି–ସେ ଚିତ୍କାର କରୁଛନ୍ତି–ପାଣି–ପାଣି–‘‘ଆରେ ଟିକେ ପାଣି ଦିଅ । ...ଓଃ......’’

 

ନିଃଶ୍ୱାସ ରୁନ୍ଧି ହୋଇ ଆସିଲାଣି ।

 

‘‘ପବନ ଛାଡ଼–ଓଃ ଟିକିଏ ପବନ ଦିଅ ରେ......’’

 

ବଡ଼ ପୁଅ ଚିତ୍କାର କରୁଛି–

 

‘‘ବାପା ! ପାଣି ଟିକେ ଦେବି, ପିଇବେ ?’’

 

ବୁଢ଼ୀ ପଚାରୁଛି ପାଟି କରି–‘‘ହଇଓ ଟିକେ ପାଣି ପିଅ–ବୁନୁ ପରା ଦଉଛି !’’

 

ମୀନକେତନବାବୁ ଚିତ୍କାର କରୁଛନ୍ତି–‘‘ଓଃ ପାଣି ଦିଅ–ପାଣି ।’’

 

‘‘ପବନ–ଓଃ ପବନ–ପବନ ।’’

 

କେହି କାହା କଥା ଶୁଣି ପାରୁ ନାହାନ୍ତି । କେହି କାହା କଥା ବୁଝି ପାରୁ ନାହାନ୍ତି ।

 

ବଡ଼ବୋହୂ କହିଲେ ବଡ଼ପୁଅଙ୍କୁ–‘‘ତୁମେ ଏତେ ପଚାରୁଚ କାହିଁକି ? ବୁଢ଼ାଙ୍କ ପାଟିରେ ସେତକ ଢାଳିଦିଅ । ସେ କ’ଣ କିଛି କହି ପାରୁଛନ୍ତି ଯେ ଉତ୍ତର ଦେବେ ?’’

 

ବଡ଼ପୁଅ ଆଉନ୍‍ସ ଗ୍ଲାସରେ ଅଧଆଉନ୍‍ସ ଗ୍ଲୁକୋଜ ପାଣି ମୀନକେତନବାବୁଙ୍କ ପାଟିରେ ଢାଳିଦେଲେ ।

 

ମାତ୍ର ପାଣି ଆଉ ତଣ୍ଟି ଭିତରେ ଗଳିଲା ନାହିଁ । ସମସ୍ତେ ପୁଣି ବ୍ୟସ୍ତ ହୋଇଉଠିଲେ । ଡାକ୍ତର ଆସିଲେ । ସଙ୍ଗେ ସଙ୍ଗେ କ’ଣ ପରୀକ୍ଷା କରି କମ୍ପାଉଣ୍ଡରଙ୍କୁ କହିଲେ–ଦିଅ ଅକ୍‍ସିଜେନ–

 

ଅକ୍‍ସିଜେନ ବୋତଲ ଖୋଲାଗଲା । ମୀନକେତନବାବୁ ଜଳ ଓ ବାୟୁ ଲାଗି ଦୁଇ ଥର ହିକ୍‍କା ମାରିଲେ । ତୃତୀୟ ହିକ୍‍କାରେ ମୀନକେତନବାବୁଙ୍କ ଆତ୍ମା ଚରିଦିନ ଲାଗି ପୃଥିବୀର ଜଳ ଓ ଆକାଶର ବାୟୁ ପ୍ରତି ଲୋଭ ତ୍ୟାଗ କରି ମହାଶୂନ୍ୟରେ ମିଶିଗଲା । ସେଠି ଜଠ ନାହିଁ କି ବାୟୁ ନାହିଁ କିମ୍ୱା ସେଠାରେ ଜଳ ବାୟୁ ଥାଉ ନ ଥାଉ, ଜଳ ଓ ବାୟୁ ଲାଗି ସେଠାରେ ଆଉ ପାର୍ଥିବ ତୃଷା ବା ତୃଷ୍ଣା ନ ଥିବ ।

Image

 

ମିସେସ୍ ଚକ୍ରବର୍ତ୍ତୀ

 

ନୂଆ ଜାଗାକୁ ବଦଳି ହୋଇ ଆସିବାରେ ବହୁ ସୁବିଧା ଅଛି–ଅସୁବିଧାବି ଅଛି । କିନ୍ତୁ ଏ ବିଷୟରେ ସମସ୍ତେ ଅନ୍ତତଃ ଏକମତ ହେବେ ଯେ–ଯେ କୌଣସି ନୂଆ ଜାଗାରେ ପୁରୁଣା ବନ୍ଧୁ ନିଶ୍ଚୟ ଥିବେ । ଆଉ ପ୍ରତ୍ୟେକ ବିଦଗ୍‍ଧଚିତ୍ତ ବ୍ୟକ୍ତି ଜାଣନ୍ତି–ମଝିରେ ମଝିରେ ଏହି ପୁରାତନ ବନ୍ଧୁମାନଙ୍କ ସଙ୍ଗେ ମିଳନ ଯୋଗ ସଙ୍ଗଠିତ ହେଲେ– ହୃତ ତାରୁଣ୍ୟ ଓ ହତ ଉତ୍ସାହ ପୁନଶ୍ଚ ପ୍ରୌଢ଼ ସ୍ନାୟୁରେ ନବଜୀବନ ଓ ଉଦ୍ଦୀପନା ସଞ୍ଚାର କରିଦିଏ ।

 

ମୋ କ୍ଷେତ୍ରରେବି ସେହି ଅମୃତ ଯୋଗ ଘଟିଲା । ଏହି ନୂତନ ସ୍ଥାନରେ ମୋର ବହୁ ପୁରାତନ ବନ୍ଧୁ ମୋର ନଷ୍ଟ ତାରୁଣ୍ୟ ଓ ଉତ୍ସାହକୁ ଫେରାଇ ଆଣିବା ଲାଗି ପ୍ରତି ସନ୍ଧ୍ୟାରେ ମୋ ଘରେ ଆସି ନାନାଦି ଷଡ଼ଯନ୍ତ୍ରରେ ମାତିଗଲେ । କହିବାରେ ଦ୍ୱିଧା ନାହିଁ ଯେ–ମୋର ବନ୍ଧୁମାନେ ପ୍ରାୟ ବିଦଗ୍ଧ ଓ ରସଗ୍ରାହୀ ବ୍ୟକ୍ତି । ସାହିତ୍ୟ, ସଙ୍ଗୀତ, କଳା ଓ ଧର୍ମାଦି ବ୍ୟାପାରରେ ସମସ୍ତେ ଖୁବ୍ ଆଗ୍ରହୀ । ସେମାନେ ସମସ୍ତେ ସଂସାରୀ ବ୍ୟକ୍ତି । ସଂସାରର ସମସ୍ତ ଜ୍ୱଳାମୟ ସଂଗ୍ରାମ ମଧ୍ୟରେବି ସେମାନେ ଥିଲେ ବେଶ୍ ସତେଜ, ଚପଳ ଆଉ ଉତ୍ସାହି ଖେଳୁଆଡ଼ । ମୋ ଘରେ ପ୍ରାୟ ଅଧିକାଂଶ ରାତିରେ ସେମାନେ ଆଡ଼୍ଡ଼ା ମାରନ୍ତି । ଚାହା, ଜଳଖିଆ, ଧୂମପାନ, ତାମ୍ୱୁଳାଦି ସେବନ ପରେ ନାନାପ୍ରକାର ଗଳ୍ପ ଓ ଆଲୋଚନାବି ଚାଲେ । ରାଜନୀତି, ଧର୍ମସାହିତ୍ୟ ଓ ଦର୍ଶନ ଆଦି ଉପରେ କଥାବାର୍ତ୍ତା ପଡ଼ୁ ପଡ଼ୁ ହଠାତ କଥାର ଧାରା ଗୋଟାଏ ନିର୍ଦ୍ଦିଷ୍ଟ ଧାରାରେ ବହିଚାଲେ ଓ ଧାରାଟି ଯାଇ ଶେଷ ହୁଏ–ମିସେସ୍ ଚକ୍ରବର୍ତ୍ତୀଙ୍କ ପ୍ରସଙ୍ଗରେ ଏବଂ ସେଇ ପ୍ରସଙ୍ଗଟି ଉପରେ ଆଲୋଚନା ହେଉ ହେଉ ଆଡ଼୍ଡ଼ା ଭାଙ୍ଗେ । ପ୍ରଥମ ଦିନ କବିବନ୍ଧୁ ବେଣୁଧର କହିଲେ, ‘‘ଦେଖ ଗାଳ୍ପିକ ! ଏଠିକି ଆସିବାମାତ୍ରେହିଁ ତୁମର ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗେ ପରିଚୟ ହେବା ଉଚିତ । କେବଳ ଗଳ୍ପ ଲାଗି ନୁହେଁ–ଜୀବନ ଲାଗି ମଧ୍ୟ ଭଦ୍ରମହିଳା ଏକ ମୂଲ୍ୟବାନ ଓ ଉପଭୋଗ୍ୟ ଚରିତ୍ର ।’’

 

ବାସ୍–ମିସେସ୍ ଚକ୍ରବର୍ତ୍ତୀଙ୍କ ଉପରେ ଚାଲିଲା ଆଲୋଚନା ଘଣ୍ଟାଏ କାଳ । ପ୍ରାୟ ସବୁଦିନେ ଏହିଭଳି ଚାଲେ ଏବଂ ମୁଁ ଯେ ଆଜି ପର୍ଯ୍ୟନ୍ତ ଏତେ ରସମଧୁର ଗୌରଚନ୍ଦ୍ରିକା ଶୁଣିବା ପରେ ମଧ୍ୟ ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗେ କୌଣସି ସମ୍ପର୍କ ସ୍ଥାପନର ବିନ୍ଦୁଏବି ଉଦ୍ୟମ କରି ନାହିଁ–ଏଥିପାଇଁ ମୋ ଉପରେ ବହୁ କଟୁ ମନ୍ତବ୍ୟ ବୃଷ୍ଟି ହୋଇଯାଏ । କେତେକ ବନ୍ଧୁତ ସିଧା କୌଣସି ଉପ୍ରୋଧ ନ ରଖି କହିଦିଅନ୍ତି – ମହାପାତ୍ରେ ! ତୁମର ଏଣିକି ଖୁରୁଡ଼ ଅବସ୍ଥା ଆସିଗଲା । ସେଇଥିଲାଗି ତ ତୁମର ଗଳ୍ପଗୁଡ଼ାକ ଏଣିକି ଖୁବ୍ ଶୁଷ୍କ ଲାଗୁଛି ଆମକୁ । ଆରେ ଭାୟା, ଅନୁଭୂତି ହେଲା ଅସଲ । ଅନୁଭୂତି ଯୋଗାଡ଼ କର । ହାଣ୍ଡିଶାଳେ ହାତଗୋଡ଼ ଯୋଡ଼ି ବୁଢ଼ୀ ପାଖରେ ବସି ରହିଲେ ଜୀବନର ରସମାଧୁର୍ଯ୍ୟ ବୁଝିବ କୁଆଡ଼ୁ–ବୁଝାଇବ ବା କିପରି ? କିଛି ରସୁଆଳ ଅନୁଭୂତି ଯୋଗାଡ଼ କର !

 

ସତ କଥା, ବନ୍ଧୁ ଠିକ୍ କହିଛନ୍ତି । ମାତ୍ର ଅସଲ କଥାଟା ଶୁଣନ୍ତୁ । ମିସେସ୍ ଚକ୍ରବର୍ତ୍ତୀଙ୍କ ବିଷୟରେ ବହୁ ଲୋକଙ୍କଠାରୁ ବହୁ ମନ୍ତବ୍ୟ ଶୁଣିବା ପରେ ମୁଁ ଯେ ଭଦ୍ରମହିଳାଙ୍କ ସନ୍ନିଧ୍ୟ ଲାଗି ଖୁବ୍ ଲାଳାୟିତ ହୋଇ ଉଠିଥିଲି–ଏକଥା ଲୁଚାଇବାରେ ଲାଭ ନାହିଁ । ବହୁଦିନ ଧରି ମୁଁ ସେ ସୁଯୋଗ ଖୋଜୁଥିଲି । ଅବଶ୍ୟ ମିସେସ୍ ଚକ୍ରବର୍ତ୍ତୀଙ୍କର ବୃଦ୍ଧସ୍ୱାମୀ ଅବସରପ୍ରାପ୍ତ ପଶୁଚିକିତ୍ସାବିଶାରଦ ମିଷ୍ଟର ଅବିନାଶ ଚକ୍ରବର୍ତ୍ତୀଙ୍କ ସଙ୍ଗେ ମଧ୍ୟ ମୋର ସାମାନ୍ୟ ପରିଚୟ ଥିଲା । ସେ ମଧ୍ୟ ଦୁଇଥର ମୋର ପୋଷା କୁକୁରଟିର ରୋଗ ପରୀକ୍ଷା କରି ଔଷଧ ଦେଇଛନ୍ତି । ମାତ୍ର ସେତିକିର ସୁଯୋଗ ନେଇ ତାଙ୍କର ଅନିନ୍ଦ୍ୟ ସୁନ୍ଦରୀ, ପରମ ଗୁଣବତୀ, ମଧୁର ବୟସୀ ଗୃହିଣୀ ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗେ ରସମୟ ବନ୍ଧୁତ୍ୱ ସ୍ଥାପନ କରିବା ମୋର ସାଧ୍ୟତୀତ ବ୍ୟାପାର ନ ହେଲେବି ରୁଚିର ଅତୀତ ବ୍ୟାପାର ବୋଲି ମନେ ହେଲା । ଏହିପରି ଅବସ୍ଥାରେ ‘‘ପେଟେ ଭୋକ–ମୁହେଁ ଲାଜ’’ ଭଳି ଏକ ଯନ୍ତ୍ରଣାକର ଅବସ୍ଥା ମୋତେ ଭୋଗିବାକୁ ପଡ଼ୁଥିଲା । ରସିକ ବନ୍ଧୁମାନେ ତଥାପି ମଧ୍ୟ ମୋର ଅପାରଗତାକୁ ନେଇ ମୋତେ ଟିହାଇ ଉତ୍ତେଜିତ କରୁଥାନ୍ତି ଏବଂ ସବୁଥର ଆଡ଼୍ଡ଼ା ଶେଷରେ ମୁଁ ଏକପ୍ରକାର ଅପାରଗତାର ମ୍ରିୟମାଣତାରେ ଲଜ୍ଜିତ ଓ ସଙ୍କୁଚିତ ହୋଇଯାଏ-

 

ନାଃ–ବାଜେକଥା । ବହୁତ ଭାବି ଚିନ୍ତି ଦେଖିଲି–ଏସବୁ ମିସେସ୍ ଫିସେସ୍‍ଙ୍କ ସଙ୍ଗେ ମିଶିବାର ନିଶା ବଡ଼ ମାରାତ୍ମକ । ପରକୀୟା ରସ କାବ୍ୟରେହିଁ କେବଳ ମଧୁର ଓ ନିରାପଦ; ମାତ୍ର ବାସ୍ତବ କ୍ଷେତ୍ରରେ ଏହା ଏକ ମାରାତ୍ମକ ସମାଜବିରୋଧୀ କାର୍ଯ୍ୟ । ତେଣୁ ମିସେସ୍ ଚକ୍ରବର୍ତ୍ତୀଙ୍କ ଆଡ଼ୁ ମନ ଫେରାଇବାକୁ ପଡ଼ିବ ।

 

କିନ୍ତୁ ‘‘ତଥାପି’’.........କେବଳ ଯେ ‘‘ବ୍ୟାଘ୍ରଃ ମାନୁଷଂ ଖାଦତି’’ ଏଇ ‘‘ଲୋକାପବାଦ’’ଟା ଦୁର୍ନିବାର, ତାହା ନୁହେଁ–‘‘ବ୍ରାହ୍ମଣ’’ ମାତ୍ରେ ଇ ଯେ ‘‘କଙ୍କଣସ୍ୟ ତୁ ଲୋଭେନ ମଗ୍ନପଙ୍କେ ସୁଦୁସ୍ତରେ’’–ଏହି ଲୋକାପବାଦଟାବି ସେଥି ସଙ୍ଗେ ଅମର ହୋଇ ରହି ଯାଇଛି କାଳକାଳକୁ ।

 

କହିବାରେ ଦ୍ୱିଧା ନାହିଁ ଯେ, ମୁଁ ବ୍ରାହ୍ମଣ ସନ୍ତାନ । ଅବଶ୍ୟ କଙ୍କଣସ୍ୟ ଲୋଭରେ ନୁହେଁ, ମାତ୍ର ପଙ୍କଜର ଲୋଭରେ ଅନ୍ତତଃ ମୋତେ ବହୁବାର ପଙ୍କ ଭିତରେ ପଶିବାକୁ ହୋଇଛି । ସେମାନେ କହନ୍ତି, ମୁଁ ଗାଳ୍ପିକ । ଚରିତ୍ର ଅନ୍ୱେଷଣ ମୋର ପେଷା । ସେଥିଲାଗି ପଙ୍କକୁ ଡରିଲେ, ଗାଳ୍ପିକଦୁର୍ଲଭ କାପୁରୁଷତାର ଅପବାଦହିଁ ସହିବାକୁ ହେବ ।

 

ମିଷ୍ଟର ଅବିନାଶ ଚକ୍ରବର୍ତ୍ତୀଙ୍କ ସମ୍ୱନ୍ଧେ ମୁଁ ବିଶେଷ କିଛି ଜାଣି ନାହିଁ । ମାତ୍ର ଆମ ଆଡ଼୍ଡ଼ାରେ ମିସେସ୍ ଚକ୍ରବର୍ତ୍ତୀ ପ୍ରସଙ୍ଗ ପଡ଼ିବା ଭିତରେ ତାଙ୍କର ବୃଦ୍ଧସ୍ୱାମୀ ଅବିନାଶବାବୁଙ୍କ ସମ୍ୱନ୍ଧେ ମଧ୍ୟ ବହୁ ତିକ୍ତ ମଧୁର ଆଲୋଚନା ହୋଇଯାଏ । ମାତ୍ର ବିଚିତ୍ର କଥା ହେଉଛି–ମିଷ୍ଟର ଚକ୍ରବର୍ତ୍ତୀଙ୍କର ମିତ୍ର ଓ ଶତ୍ରୁପକ୍ଷର ବ୍ୟକ୍ତିମାନେ ମିଷ୍ଟର ଚକ୍ରବର୍ତ୍ତୀଙ୍କ ପ୍ରଶଂସା ଓ ନିନ୍ଦା କରୁ କରୁ ଯେତେବେଳେ ମିସେସ୍ ଚକ୍ରବର୍ତ୍ତୀଙ୍କ ପ୍ରସଙ୍ଗ ଆଡ଼କୁ ମାଡ଼ିଆସନ୍ତି, ସେତେବେଳେ ବହୁ ରସିକ ବନ୍ଧୁଙ୍କ ପ୍ରଶଂସାମାନ ବାକ୍ୟ-ବର୍ଣ୍ଣନା ମାଧ୍ୟମରେ ସିସେସ୍ ଚକ୍ରବର୍ତ୍ତୀଙ୍କର ଏପରି ଏକ ରସଘନ ଅପରୂପ ମୂର୍ତ୍ତି ମୋର ହୃଦୟରେ ରୂପ ପରିଗ୍ରହ କରେ–ଯାହା ସଙ୍ଗେ ତୁଳନା ଦିଆଯାଇପାରେ – ଏଇ ଏମିତି ଧରନ୍ତୁ–ବୈଷ୍ଣବ କବିମାନଙ୍କର କବିତା ଓ ପଦାବଳୀ ଭିତର ଦେଇ ବ୍ରଜସୁନ୍ଦରୀ ଶ୍ରୀରାଧାଙ୍କର ଆହ୍ଲାଦମୟୀ, ଚିନ୍ମୟୀ, ମହାଭାବମୟୀ ରସଘନ ରୂପ ।

 

କୁହନ୍ତୁ ଦେଖି, ଆପଣ ଲୋଭାତୁର ହେବେ କି ନାହିଁ ? ସହସ୍ର ତୁଣ୍ଡରେ ଛେଳି କେବଳ କୁକୁର ହୁଏ ନାହିଁ, କୁକୁର ମଧ୍ୟ ସହସ୍ର ତୁଣ୍ଡରେ ବେଶ୍ ଗୋଟିଏ ଚର୍ବିଳ ଛାଗଳର ମାଂସଳ ଲୋଭ ମନ ଭିତରେ ରସାୟିତ କରିଦିଏ ।

 

ଅବଶ୍ୟ ସେମାନେ ଏକ ତୁଣ୍ଡରେ କୁକୁରଟାକୁ ଛେଳି ବୋଲି ପ୍ରତିପାଦନ କରୁ ନ ଥିଲେ-। କାରଣ ଯେଉଁମାନେ କୁକୁରଟାକୁ ଛେଳି ବୋଲି ପ୍ରତିପାଦିତ କରିଥିଲେ–ସେମାନେ ପ୍ରାୟ ଛେଳିର ଏକମୁଖୀ ବର୍ଣ୍ଣନାଟା ଦେଇଥିଲେ ସେଇ ଆତ୍ମବିଶ୍ୱାସହୀନ ବିଚରା ମୂର୍ଖ ବ୍ରାହ୍ମଣଟିକୁ । (ଅବଶ୍ୟ ମୋର ଶତ୍ରୁମାନେ ମୋତେ କହନ୍ତି ବ୍ରାହ୍ମଣ ଓ ମିତ୍ରମାନଙ୍କ ତୁଣ୍ଡରେ ମୁଁ ନିପଟ ମୂର୍ଖ ।)

 

ମାତ୍ର ମିସେସ୍ ଚକ୍ରବର୍ତ୍ତୀଙ୍କ ପ୍ରସଙ୍ଗରେ ବର୍ଣ୍ଣନାଟା ପଞ୍ଚମୁଖରେ ଏକପ୍ରକାର ନୁହେଁ ଆଦୌ । ବହୁ ମୁଖରେ ବହୁ ରୂପ, ବହୁ ବର୍ଣ୍ଣ, ବହୁ ରସରେ ବିଚିତ୍ର ଓ ମଞ୍ଜଳ ରୂପରେ ସେ ମୋର ହୃଦୟକୁ ନିତ୍ୟ ଆଲୋଡ଼ିତ କରୁଥିଲେ । ଅବଶ୍ୟ ସମସ୍ତ ବର୍ଣ୍ଣନା-ବୈଚିତ୍ର୍ୟ ମଧ୍ୟରେବି ମିସେସ୍ ଚକ୍ରବର୍ତ୍ତୀଙ୍କର ଏକ ସ୍ୱକୀୟ ଏବଂ ଏକକ ବ୍ୟକ୍ତିତ୍ୱର ସତ୍ତାକୁ ମୁଁ ବେଶ୍ ଅନୁଭବ କରିପାରୁଥିଲି ।

 

ବନ୍ଧୁ ଖଂପତ୍ତିରାୟ କହନ୍ତି–ମିସେସ୍ ଚକ୍ରବର୍ତ୍ତୀଙ୍କ ବ୍ୟକ୍ତିତ୍ୱଟାହିଁ ସବୁଠାରୁ ବଡ଼ କଥା । ଆଉ ସେ ବ୍ୟକ୍ତିତ୍ୱଟା ବେଶି ପ୍ରକାଶିତ ହୋଇଥାଏ ତାଙ୍କ ଚାଲିରେ । କେମିତି ସେ ଚାଲନ୍ତି ? ଗର୍ଭାଳସୀ ରାଜହଂସୀର ଗତିବିଳାସର ମୃଦୁମଧୁର ଛନ୍ଦରେ ଯେପରି ଏକ ବିଶ୍ୱସାମ୍ରାଜ୍ଞୀଙ୍କର ଆତ୍ମମହିମାଦୀପ୍ତ ସ୍ୱରମୂର୍ଚ୍ଛନା ଅପୂର୍ବ ତାଳ ଲୟରେ ମିଶି ଏକାକାର ହୋଇଯାଏ ।

 

ସୁରଜିତବାବୁ କହନ୍ତି–ମିସେସ୍ ଚକ୍ରବର୍ତ୍ତୀଙ୍କର ଚେହେରାରେ ଏମିତି ଗୋଟାଏ ବଣ୍ୟ ପାଶବିକ ଆକର୍ଷଣ ଅଛି ଯେ, ଦେଖିଲେ ଇ ଉପଭୋଗର ପ୍ରମତ୍ତ ଲାଳସା ମନ ଭିତରେ ଦୁର୍ବାର ହୋଇଉଠେ ।

 

କାମପାଳବାବୁ ଉପର ଉକ୍ତିଟିକୁ ସମର୍ଥନ କରିବାକୁ ଯାଇ କହନ୍ତି–ସେ କଥା ଅବଶ୍ୟ ସତ୍ୟ । ସେ ଆକର୍ଷଣଟା ଏକାନ୍ତ ଭାବରେ ମାଂସର ଆଦିମ ଆକର୍ଷଣ । ମାତ୍ର କୌଣସି ପାଶବିକ ବଣ୍ୟ ହିଂସ, ବଳାତ୍କାର ଯେ ତାଙ୍କୁ ବଶୀଭୂତ କରିପାରିବ–ସେ କଥାରେ ମୋର ଆଉ ବିଶ୍ୱାସ ନାହିଁ-। ଦୀର୍ଘାଙ୍ଗୀ ବପୁବତୀ ସ୍ୱବଳଦୃପ୍ତା ବହୁସନ୍ତାନସମାବିଷ୍ଟା ଗୋଟାଏ ବଣ୍ୟ କୁକ୍‍କୁଟୀକୁ ଯଦି ଗୋଟାଏ ଲୁବ୍‍ଧ ବିଡ଼ାଳ ମାଂସ ଲୋଭରେ ଆକ୍ରମଣ କରେ–ତା’ର ଅବସ୍ଥା ଯାହା ହୁଏ, ତାହା ମୁଁ ମୋ ନିଜ ଆଖିରେ ଦେଖିଛି । ମିସେସ୍ ଚକ୍ରବର୍ତ୍ତୀଙ୍କ ରୂପ ଓ ମାଂସରେ ପ୍ରଲୁବ୍ଧ ହୋଇ ମୁଁ ତାଙ୍କର ଲୋଭନୀୟ ଅଙ୍ଗକୁ ଟିକିଏ କାମନା ତପ୍ତ ସ୍ପର୍ଶ ଦେବାକୁ ଚେଷ୍ଟା କରିଥିଲି । ମାତ୍ର ତାଙ୍କଠାରୁ ଯେଉଁ ଆଶାତୀତ ପ୍ରତିକ୍ରିୟା ସଙ୍ଗେ ସଙ୍ଗେ ଲାଭ କଲି–ତା’ର କ୍ଷତ-ସ୍ମୃତି ମୁଁ ମୋର ବିଦଗ୍ଧ ଅବୟବରେ ଏପର୍ଯ୍ୟନ୍ତବି ସାଇତି ରଖିଛି । ଆପଣମାନେ ଦେଖିପାରନ୍ତି ।

 

ଭଦ୍ରଲୋକ ତାଙ୍କର ମୁହଁ, ହାତ ଓ ବେକମୂଳ ଦେଖାଇଦେଲେ । ବିଦଗ୍ଧକବି ବିଭୁଦତ୍ତବାବୁ ପରମ ପୁଲକିତ ହୋଇ ବିସ୍ମୟ-ବିସ୍ଫାରିତ ନେତ୍ରରେ ପଚାରିଲେ–

 

ନଖ-କ୍ଷତ ନିଶ୍ଚୟ !

 

କାମପାଳବାବୁ ଗୌରବର ହସ ହସି କହିଲେ–କେବଳ ନଖକ୍ଷତ ନୁହେଁ–ଦନ୍ତ-କ୍ଷତ ମଧ୍ୟ । ଭଦ୍ରମହିଳାଙ୍କର ଉଭୟ ଅସ୍ତ୍ର ସର୍ବଦା ତୀକ୍ଷଣ ଆଉ ସଜାଗ । ଧରିଲାମାତ୍ରେଇ ଭଦ୍ରମହିଳା ହାତରୁ ଖସିଯିବା ଲାଗି ଚଞ୍ଚଳ ହୋଇଉଠିବେ । ଆଉ ସେହି ପାଶବିକ ବଣ୍ୟ ଚପଳତା ଭିତରେ ଆପଣଙ୍କ ଛାତି, ବେକ ଆଉ ହାତକୁ ନଖ ଓ ଦନ୍ତରେ ବିଦାରି ଦେଇଯିବେ ।

 

ପାଠକେ ! ଦୟାକରି କୁହନ୍ତୁ ନା ଦେଖି, ଏତକ ଶୁଣିଲା ପରେ ଆପଣବି ଏଇ ଦୁର୍ଲଭ ପରମ ରମଣୀୟ ନିତ୍ୟ କାମ୍ୟ କ୍ଷତର ସ୍ମୃତି ବହନ କରିବାକୁ ଲାଳାୟିତ ନୁହନ୍ତି କି ?

 

ଆଉଦିନେ ଗାଳ୍ପିକ ବନ୍ଧୁ ରାଜୁ ମହାନ୍ତିଙ୍କ ତୁଣ୍ଡରୁ ମିସେସ୍ ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ଯାହା ଶୁଣିଲି, ସେଥିରେ ମୁଁ ପ୍ରାୟ ଅସ୍ଥିର ହୋଇଉଠିଲି–ପାଗଳ ହୋଇଉଠିଲି । ରାଜୁବାବୁ ଗମ୍ଭୀର ହୋଇ କହିଲେ–

 

ଅସଲ କଥା କ’ଣ ଜାଣିଛ ମହାପାତ୍ରେ ? ମିସେସ୍ ଚକ୍ରବର୍ତ୍ତୀ ସ୍ୱାମୀବିରାଗିନୀ । ଅବିନାଶବାବୁ ବୁଢ଼ାଟାକୁ ସେ ଜମା ଖାତିରଇ କରେ ନାହିଁ । ବୁଢ଼ା ଯଦିଓ ଏପରି ବନଜନମ ନସ ବନବିହାରିଣୀ ଚପଳ ହରିଣୀ ତରୁଣୀ ସୁନ୍ଦରୀ ଗୁଣବତୀ ଭାର୍ଯ୍ୟାଟିକୁ ସବୁବେଳେ ମୁଣ୍ଡ ଉପରେ ବସାଇଥାଏ–ମିସେସ୍ ଚକ୍ରବର୍ତ୍ତୀ କିନ୍ତୁ ସେ ବୁଢ଼ାଟା ପ୍ରତି ସବୁବେଳେ ବିରକ୍ତ । ଫଳରେ ବୁଢ଼ା ଉପରେ ବାହନ ହୋଇ ସେ ବାରଦୁଆରେ ବୁଲି ଭୋଗ ଖାଏ । ଅବିନାଶବାବୁ କ’ଣ ପ୍ରକୃତରେ ଏମିତି ନାରୀର ସ୍ୱାମୀ ହେବାକୁ ଉପଯୁକ୍ତ ? ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା–ପୁଣି ସେ ତରୁଣୀ ଭାର୍ଯ୍ୟା ଯଦି ହୁଏ ମିସେସ୍ ଚକ୍ରବର୍ତ୍ତୀଙ୍କ ଭଳି ଗୋଟାଏ ଉଦ୍ଦାମଯୌବନା କାମ-ଲାଳସାଦୃପ୍ତା ରମଣୀ ? The old man is partetically a misfit. ଫଳରେ କ’ଣ ହୁଏ ଜାଣ ?

 

କ’ଣ ହୁଏ ? ପରକୀୟା ରସଭୋଗପ୍ରବଣ ମନ ମୋର ଉତ୍ସୁକତାରେ ପୁଲକିଉଠେ ।

 

କ’ଣ ହୁଏ ରାଜୁବାବୁ ?

 

ମାତ୍ର ରାଜୁବାବୁଙ୍କୁ କହିବାକୁ ନ ଦେଇ ରାଘବବାବୁ ଦେଲେ ମୋ ପ୍ରଶ୍ନର ଉତ୍ତର ।

 

ହେବ ଆଉ କ’ଣ ? ଯାହା ସଚରାଚର ହୋଇଥାଏ, ତାହାହିଁ ହୁଏ । ମିସେସ୍ ଚକ୍ରବର୍ତ୍ତୀ ମାତିଥାଏ ଦିନ ରାତି ଅନ୍ୟ ପୁରୁଷମାନଙ୍କୁ ନେଇ–ଆଉ କ’ଣ ? ବୁଢ଼ା କିନ୍ତୁ ବଡ଼ ନିରୀହ ଆଉ ହୃଦୟବାନ ଲୋକ । ଦିନ ରାତି ବିଚରା ପ୍ରାଣପ୍ରିୟାକୁ ଡାକୁଥିବ କେଡ଼େ ଆଦର ସୋହାଗଭରା କଣ୍ଠରେ–ମିସେସ୍ ଚକ୍ରବର୍ତ୍ତୀ !! ଓ ମିସେସ୍ ଚକ୍ରବର୍ତ୍ତୀ ! ଆଗୋ ଆସ ! ଆସ ଗୋ ଟିକିଏ ମୋ ପାଖକୁ କରୁଣାବତୀ ! ମୋର ହୃଦୟେଶ୍ୱରୀ ! ମୋର ନିଃସଙ୍ଗ ଜୀବନର ଆଶ୍ୱାସନା ! ମୋର ଅନ୍ଧାରୀ ଜୀବନର ବତି ! ମୋର ରାଣୀ ! ମୋର କଳ୍ପଲୋକର ଅପ୍‍ସରୀ ! ମୋର ଇହକାଳର ସର୍ବସ୍ୱ ! ମୋର ପରକାଳର ସହଚରୀ ! ଆସ ଗୋ !! ଆଗୋ ଡାର୍ଲିଙ୍ଗ୍ !! ମାଇଁ ଲିଟ୍‍ଲ ହାର୍ଟ ! ମାଇଁ ଡିପ୍ ସୋଲ୍ ! ମାଇଁ ଲିଟ୍‍ଲ ରବିନ୍ ରେଡ଼୍ ବେଷ୍ଟ ! ମାଇଁ ଅଲ୍ ହ୍ୱାଇଟ୍ ହେନ୍ ଲେଗ୍ ହଣ୍ଣ୍ ! ମୋର ପ୍ରିୟ ଛୋଟ, ମୋଟୀ, ଗେଧୀ, ରାଜହଂସୀଟି ! ଆସ ଗୋ ! ତୁମ ଲାଗି ଗହମଦାନା, ସରୁ ଚାଉଳ, ବୁଟ ଦାନା, ସବୁ ରଖିଛି – ଆସ ! ଆସ–ଆସ ଗୋ କରୁଣାବତୀ ହେ ନନ୍ଦନବାସିନୀ ଉର୍ବଶୀ !!

 

ମାତ୍ର ସେ କି ବୁଢ଼ାକୁ ଖାତିର କରେ ? ବୁଢ଼ାର ଡାକକୁ କାନ ଦିଏ ? ସେ ବୁଲୁଥାଏ ବଗିଚା ଭିତରେ–ତା’ର ପ୍ରେମିକମାନଙ୍କ ସଙ୍ଗରେ । ଯିଏ ଯେଉଁଦିନ ଆସିଲା–ଯାହାକୁ ଯେତେବେଳେ ପାଇଲା । ଅବଶ୍ୟ ମିସେସ୍ ଚକ୍ରବର୍ତ୍ତୀଙ୍କୁ ଏଥିଲାଗି ଦୋଷ ଦିଆଯାଇ ପାରେନା । ଆରେ ବାବୁ ! କେବଳ ଗହମ, ଚାଉଳ ଦେଇ ସିନା ହଂସ, କୁକୁଡ଼ା ପୋଷାଯାଏ–ହୃଦୟେଶ୍ୱରୀ ତ ପୋଷାଯାଇ ପାରେନା । ନାରୀର ମନ !! ପୁଣି ସେ ନାରୀ ଯଦି ଏପରି ଲକ୍ଷ ଲକ୍ଷ ମାନସହାରିଣୀ ପ୍ରେମାସ୍ପଦା ହୁଏ !! ଇସ, ତାକୁ ମନେଇବା ବଡ଼ କଷ୍ଟ । ତା’ ମନ ଜାଣିବା ବାବୁ ଏତେ ସହଜ ନୁହେଁ । ଅବିନାଶବାବୁର ଏତେ ଗେହ୍ଲାଭାବ ତା’ କାନରେ ପଶେ ନାହିଁ । ମାତ୍ର ଗୋଟାଏ ବାରବୁଲା ବଜାରୀ ଟାଇପ୍‍ର ଗଞ୍ଜାର ଡାକରେ ଅଥୟ ହୋଇ ଦଉଡ଼ିଯାଏ ପ୍ରେମୋନ୍ମାଦିନୀ !

 

ଗଞ୍ଜାର ଡାକ ? ମାନେ ?

 

ହଁ ବାବୁ, ଗଞ୍ଜାର ଡାକ । ଗଞ୍ଜା ନୁହେଁ ତ ଆଉ କ’ଣ ? ସମାଜରେ ଯେଉଁ ବ୍ୟଭିଚାରୀ ପୁରୁଷମାନେ ବିବାହ ନ କରି ବିନା ବିଚାରରେ ନାରୀ ନିର୍ବିଶେଷରେଇ ଭୋଗରତ ହୋଇଥାନ୍ତି–ପାଚେରି ଡେଇଁ–କାନ୍ଥ ଡେଇଁ–ଅନ୍ୟ ନାରୀର ସଙ୍ଗ ପାଇବାକୁ ଉନ୍ମାଦ ଭଳି ପଛେ ପଛେ ଗୋଡ଼ାଇଥାନ୍ତି–ସେଇ ଚରିତ୍ରହୀନ ନିତ୍ୟ ରତିବିଳାସୀ ପାଶବିକ ମନୋବୃତ୍ତିସମ୍ପନ୍ନ ନାରୀରଙ୍କ ପୁରୁଷମାନଙ୍କୁ ତୁମେ ଗଞ୍ଜା ନ କହି ଆଉ କହିବ ବା କ’ଣ ?

 

ଉପମାଟି ଶୁଣୁ ଖୁସି ହେଲି, ମାତ୍ର ମନରେ ସନ୍ଦେହ ହେଲା । ପଚାରିଲି–ଆଜ୍ଞା ! ମିସେସ୍ ଚକ୍ରବର୍ତ୍ତୀ ଯଦି ଏତେ ପରପୁରୁଷସଙ୍ଗ ବିଳାସିନୀ, ତେବେ ଗୋପାଳବାବୁଙ୍କ ବେକ, ହାତ ଓ ଛାତିରେ ମିସେସ୍ ଚକ୍ରବର୍ତ୍ତୀଙ୍କର ନଖ ଓ ଦନ୍ତକ୍ଷତ ରହିଲା କିପରି ? ସେ ଏତେ ଛାଟିପିଟି ହେଲେ କାହିଁକି ? ରାଘବବାବୁ ମୋର ଏବଂଭୂତ ବୋକାମିରେ ଓ ଅଭିଜ୍ଞତାରେ ଦୁଃଖ ପ୍ରକାଶ କରି କହିଲେ–

 

ମାଈ କୁକୁଡ଼ା ଭଲା କ’ଣ କରେ ? ଗଞ୍ଜାର ସଂଯମ ପ୍ରତି ଯେତେ ଲୋଭ ଥିଲେବି ଗଞ୍ଜାକୁ ସହଜରେ ସେ ପାଖ ପୂରାଇ ଦିଏ କି ? ମାତ୍ର ଏ ସ୍ଥଳେ ପ୍ରକୃତ ଗଞ୍ଜାମାନେ ଯଥାର୍ଥରେ ଯେ ଗଞ୍ଜାପୁଙ୍ଗବ–ସେ ନିଜର ଚଞ୍ଚୁ ଆଉ ନଖ ବ୍ୟବହାର କରି ତାକୁ ଜବତ କରେ । ଗୋପାଳବାବୁ ଅନ୍ୟ ବହୁ ଦିଗରୁ ପଶୁ ହୋଇପାରନ୍ତି–ମାତ୍ର ଚଞ୍ଚୁ ଓ ନଖଦନ୍ତାଦି ବ୍ୟବହାରରେ ନିଶ୍ଚୟ ଖୁବ୍ ଦୁର୍ବଳ-। ମିସେସ୍ ଚକ୍ରବର୍ତ୍ତୀଙ୍କୁ ଧରିବା ଲାଗି ଗଞ୍ଜାର ପରାକ୍ରମ, କୌଶଳ, ଚେଷ୍ଟା ଓ ପୌରୁଷ ଥିବା ଚାହି-। ଆପଣ ଥରେ ଚେଷ୍ଟାକରି ଦେଖନ୍ତୁ ନା ! It is worth trying. I am sure, you will win.

 

ସମସ୍ତେ ହସିଉଠିଲେ । ମାତ୍ର ମୋର ମନ ଏ କଥା ଶୁଣି ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗଲାଭ କରିବାକୁ ଅତି ବ୍ୟାକୁଳ ହୋଇଉଠିଲା । ତେବେ ତା’ ପୂର୍ବରୁ ମୁଁ ଆଉ ଗୋଟିଏ ତଥ୍ୟ ବୁଝିବାକୁ ଉଚିତ ମନେକରି ପଚାରିଲି ।

 

ଆଚ୍ଛା ! ଚକ୍ରବର୍ତ୍ତୀ ଦମ୍ପତିଙ୍କର କିଛି ଅଣ୍ଡାବଚା ନାହାନ୍ତି ନା କ’ଣ ? ମାନେ କେହି ପିଲାଛୁଆ–ଅର୍ଥାତ୍......

 

ରାଘବବାବୁ ଦିଆସିଲିଟାକୁ ବାରମ୍ୱାର ଉପରକୁ ଫୋପାଡ଼ି ପୁଣି ଧରୁଥିଲେ । ମୋ କଥା ଶୁଣି କହିଲେ–

 

ଠିକ୍ କଥା ଠିକଣାବେଳେ ପଚାରିଛ ବନ୍ଧୁ ! ଚକ୍ରବର୍ତ୍ତୀବାବୁଙ୍କର ଆଗ ପକ୍ଷର କିଛି ପିଲାପିଲି ନ ଥିଲେ ବା ନାହାନ୍ତି । ଆଉ ଏ ତ ସହଜେ ଦ୍ୱିତୀୟ ପକ୍ଷ । ଆଉ ତ ପିଲାପିଲି ହବାର ଚାନ୍‍ସ ନାହିଁ ବା ନଥିଲା । ଅବିନାଶବାବୁ ଭାସ୍‍କୋଟେମୀ କରି ଦେଇଥିଲେ ବହୁତ ପୂର୍ବରୁ । ସେ ତ ଆଉ ଜାଣି ନ ଥିଲେ ଯେ ତାଙ୍କର ଚାରିଟା ପିଲା ଏମିତି ଗୋଟାକ ପରେ ଗୋଟାଏ ଚାଲିଯିବେ-! ଆଉ ସେଇ ଦୁଃଖରେ ତାଙ୍କ ପ୍ରଥମ ପକ୍ଷ ସ୍ତ୍ରୀର ମୃତ୍ୟୁ ହେବ !!

 

ମୁଁ ଆହୁରି ବିସ୍ମିତ ହୋଇ ପଚାରିଲି–ତା’ହେଲେ ଅବିନାଶବାବୁ ଆଉଥରେ ଭଲା ବାହାହେଲେ କାହିଁକି ? କାହିଁକି ଭଲା ବିଚାରୀ ଗୋଟାଏ ନାରୀଜୀବନକୁ ଏପରି ପ୍ରତାରଣାର ବ୍ୟର୍ଥତା ଭିତରେ ପକାଇ ସେ ତାଙ୍କୁ ପଥଭ୍ରଷ୍ଟା ହେବାର କୁପ୍ରେରଣା ଯୋଗାଇଦେଲେ ? ଅବିନାଶବାବୁ ତେବେ କାପୁରୁଷ । ମୋର ଯାହା ମନେହୁଏ–ମିସେସ୍ ଚକ୍ରବର୍ତ୍ତୀଙ୍କର ଏହି ବହୁପୁରୁଷସଙ୍ଗ ଲୋଭପ୍ରବଣତା ପଛରେ ଏହି ଅପୂର୍ଣ୍ଣ ମାତୃତ୍ୱହିଁ କାମ କରୁଛି । ହାୟ ବିଚାରୀ ! କେହି ବିଚାରୀର ଅନ୍ତରର ଗୋପନ କଥାଟିକୁ ବୁଝିପାରି ନାହାନ୍ତି । ସମସ୍ତେ କେବଳ ବିଚାରୀକୁ ନିନ୍ଦା କରିବାରେଇ ବ୍ୟସ୍ତ ।

 

ମୋର ଏଇ ଭାବପ୍ରବଣ କାରୁଣ୍ୟକୁ ଲକ୍ଷ୍ୟକରି ଟିକିଏ ବାଙ୍କହସ ହସି ବନ୍ଧୁ ଉସମାନ୍ ଖାଁ କହିଲେ–

 

ଆରେ ଭାୟା–କାହିଁକି ଅବି ଏତେ ଦରଜ୍ ଦେଉଛି ଦିଲକୁ ! ଏଥିରେ ଆହୁରି ବହୁତ ଗୁମର୍ ଅଛି । ଏକରୋଜ୍ ଯାଓନା ଭାୟା, ବେବାକ୍ ସବ୍ ଗୁମର୍ ମାଲୁମ୍ ପଡ଼ଯାଏଗା ।

 

ସମସ୍ତେ ହସିଲେ । ମାତ୍ର ମୁଁ ମଧ୍ୟ ସେହିଦିନ ସ୍ଥିର କରିନେଲି–ଯେପରି ହେଲେ ମୋତେ ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗେ ମିଶିବାକୁ ହେବ ।

 

–ଦୁଇ–

 

କୌଣସି ଗୋଟାଏ ସୁଯୋଗରେ କିଛି ଗୋଟାଏ ବାହାନା ନେଇ ମୁଁ ଦିନେ ଅବିନାଶବାବୁଙ୍କ ଘରକୁ ଗଲି । ଅବଶ୍ୟ ଆଗରୁ ତାଙ୍କ ସଙ୍ଗେ କିଞ୍ଚିତ୍ ପରିଚୟ ଥିଲା । ରାସ୍ତାରେ ଗଲାବେଳେ ତାଙ୍କ ଘରଟା ପରିଷ୍କାର ଦେଖୁଛି । ଖୁବ୍ ଗୋଟାଏ ବିରାଟ ହତା ଚାରିପଟେ କଣ୍ଟାତାର ଓ କଣ୍ଟା ବୁଦାରେ ବେଶ୍ ଉଚ୍ଚା ବାଡ଼ । ବାହାରୁ ହତାଟି ବେଶ୍ ସୁନ୍ଦର ଦିଶେ । ବିରାଟ ହତାର ମଝିରେ ନୀଳରଙ୍ଗର କୋଠାଟି । ହତାର ଗୋଟିଏ ପଟେ ଆମ୍ୱ; ପଣସ, ଲିଚୁ, ସପେଟା ଓ ବେଲ ଜାତୀୟ ଫଳଗଛ । ଆଉ ଗୋଟାଏ ପଟେ କଖାରୁ, ଜହ୍ନି, ବାଇଗଣ ଓ ଶାଗ ଜାତୀୟ ପରିବା ଚାଷ । ଘରର ଠିକ୍ ଆଗରେ ସୁନ୍ଦର ଗୋଟାଏ ଫୁଲ ବଗିଚା । ବହୁ ପ୍ରକାର ଜ୍ୟାମିତିକ ଡିଜାଇନ୍‍ରେ ତିଆରି ଘାସର ଲନ୍ ଦେଶୀ ବିଦେଶୀ ଅସଂଖ୍ୟ ଫୁଲ ଆଉ କ୍ରୋଟେନ ଗଛ । ମାଟି କୁଣ୍ଡରେ ବହୁ ପ୍ରକାର ମୂଲ୍ୟବାନ୍ ଆଉ ଦୁଷ୍ପ୍ରାପ୍ୟ ବହୁ ସୁନ୍ଦର ବଣ୍ୟଜାତ କଣ୍ଟକଲତା । ଗୋଟାଏ କଡ଼କୁ ମଟର ଗ୍ୟାରେଜ ଭିତରେ ଗାଡ଼ି ଥିଲା । ଭାବିଲି ଭଦ୍ରଲୋକ ଅଛନ୍ତି ନିଶ୍ଚୟ ଘରେ । ଫାଟକ ଫିଟାଇ ହତା ଭିତରକୁ ପଶିଲି ।

 

ଚାରିଆଡ଼େ ଶୂନ୍‍ଶାନ, ନୀରବତା । ବର୍ଷାଋତୁ । ହତା ଭିତରେ ବଗିଚାଟି ଖୁବ୍ ଘଞ୍ଚ ଆଉ ଶ୍ୟାମଳ ସ୍ୱାସ୍ଥ୍ୟରେ ମନକୁ ଏକ ଶୀତଳ ପରିପୂର୍ଣ୍ଣ ଆହ୍ଲାଦରେ ମତେଇଦେଲା । ବେଳ ପ୍ରାୟ ଚାରିଟା ହେବ ।

 

ବାରଣ୍ଡାକୁ ଉଠିଲି । ଘର ଭିତରେ କେହି ଥିବା ଭଳି ମନେ ହେଲା ନାହିଁ । କଥା କ’ଣ-? ଅବିନାଶବାବୁ କାହାନ୍ତି ? କାହାନ୍ତି ବା ସେହି ବହୁବିଶ୍ରୁତା, କଳହାସ୍ୟମୁଖରା, ବହୁଜନବଲ୍ଲଭା, ପରପୁରୁଷ-ସଙ୍ଗବିଳାସିନୀ, ପ୍ରେମପ୍ରମତ୍ତା, ରସବତୀ ମିସେସ୍ ଚକ୍ରବର୍ତ୍ତୀ ? ଏ ଯେ ସବୁ ଶୂନ୍‍ଶାନ୍-! କ’ର କିଛି ଦୁର୍ଘଟଣା ଘଟିଯାଇଛି ଅଳ୍ପ ପୂର୍ବରୁ ନା କ’ଣ ? ଅସମ୍ଭବ ବା କ’ଣ-? ମିସେସ୍ ଚକ୍ରବର୍ତ୍ତୀ ଯେମିତି ପ୍ରେମୋନ୍ମାଦିନୀ ହୋଇ ଉଠିଥିଲେ–ସେଥିରେ ହୁଏତ–ଏମିତି କିଛି ଗୋଟେ–ପାରିବାରିକ ମାନେ ଦାମ୍ପତ୍ୟ-ଜୀବନରେ ବିଶ୍ୱାସଘାତକତାଜନିତ–ଅର୍ଥାତ୍–ମାନେ–ଯାହା ପ୍ରେମିକମାନଙ୍କ ମଧ୍ୟରେ – ଅଥବା–ମାନେ – କିନ୍ତୁ–ଅର୍ଥାତ୍–ଯଦି–ଇତ୍ୟାଦି.........

 

ହଠାତ୍ ଦୁଆର ପରଦା ଆଡ଼େଇ ଜଣେ ବୃଦ୍ଧ ବ୍ୟକ୍ତି ପଦାକୁ ବାହାରି ଆସିଲେ । ଭଦ୍ରଲୋକ ଯେମିତି ବୃଦ୍ଧ, ସେମିତି ତରୁଣୋଚିତ ଉତ୍ସାହ ଆଉ ଉତ୍ତାପ-ଉଦ୍ଦୀପ୍ତତାଙ୍କର ଚେହେରା-। ଏଇ ତ ! ଅବିନାଶବାବୁ–ମିଷ୍ଟର ଚକ୍ରବର୍ତ୍ତୀ–ମିସେସ୍ ଚକ୍ରବର୍ତ୍ତୀଙ୍କର ହତଭାଗ୍ୟ, ଅପାରଗ ବୃଦ୍ଧ ସ୍ୱାମୀ !

 

ନମସ୍କାର ।

 

ହଲୋ ?? ୟଙ୍ଗ୍‍ମ୍ୟାନ ! ଏଇ ସନ୍ଧ୍ୟାଟି ତା’ହେଲେ ବେଶ୍ ଜମି ଉଠିବ । ଆସନ୍ତୁ, ଆସନ୍ତୁ–ବସନ୍ତୁ ନା–ସମ୍ପୂର୍ଣ୍ଣ ନୂତନ ଅତିଥି–ମୁଁ ଜାଣେ, ଆପଣ କବି–ପଢ଼ିଛି ମୁଁ ଆପରଙ୍କୁ...ଏହି ସନ୍ଧ୍ୟା ସାର୍ଥକ ହେଲା ନିଶ୍ଚୟ ! ବସନ୍ତୁ !!

 

ମୋର ହାତ ଧରି ବସାଇଦେଲେ ଅବିନାଶବାବୁ । ତାଙ୍କ ହାତମୁଠାରେ ବେଶ୍ ଏକ ଜୀବନ୍ତ ଓ ବଳିଷ୍ଠ ଉତ୍ତାପର ସ୍ପର୍ଶ ଅନୁଭବ କଲି । କିଛି ସମୟ ପରେ ଜଣେ ଚାକର ଆସି ଚାହା ଦେଇଗଲା । ଆକାଶଟା ମେଘୁଆ ଥିଲା । ତଥାପି ବାୟୁମଣ୍ଡଳରେ ଏକପ୍ରକାର ଗମ୍‍ଗମ୍ ଭାବ ଥିଲା । କିଛି ସମୟ ଏଣୁତେଣୁ ଆଳାପ ଆଲୋଚନା ଚାଲିଲା । ପାଣିପାଗ, ବଜାରଦର, କିଛି ସମୟ ଆଧୁନିକ କବିତାର ଦୁର୍ବୋଧ୍ୟତା ଉପରେ–ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ କିଞ୍ଚିତ୍ ଉକ୍ତ ପ୍ରତ୍ୟୁକ୍ତି–ଗତ ସାଧାରଣ ନିର୍ବାଚନ ଆଉ ଗଣତନ୍ତ୍ର ଓ ସ୍ୱତନ୍ତ୍ରପାଟି ଉପରେ କିଞ୍ଚିତ୍ ଟୀକା ଟିପ୍ପଣୀ । ଅବିନାଶବାବୁ ବୃଦ୍ଧ ହେଲେବି ବେଶ୍ ରସିକ ବ୍ୟକ୍ତି । ସବୁ ପ୍ରସଙ୍ଗରେ ସେ ବେଶ୍ ରସମୟ ଟିପ୍ପଣୀ ଓ ମନ୍ତବ୍ୟ ଦେଉଥାନ୍ତି । ମୋଟ ଉପରେ ଆମର ଆଲୋଚନାରେ ସେ ହିଁ ବେଶି ଉତ୍ସାହ, ଆବେଗ ଓ ଉତ୍ତାପ ସୃଷ୍ଟି କରୁଥାନ୍ତି ।

 

ମାତ୍ର ମୋର କ୍ରମେ ବିରକ୍ତ ହୋଇଉଠିଲା । ଏମିତି ଗୋଟାଏ ଥମ୍ ଥମ୍ ବର୍ଷାର ଅପରାହ୍ନରେ ବହୁବାଞ୍ଛିତା ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗେ ପରିଚୟ ଓ ଆଳାପ ହେଲା ନାହିଁ । ତାଙ୍କ ସମ୍ପର୍କରେବି କିଛି ଜଣାଗଲା ନାହିଁ । ବୃଥା ଏଇ ମେଘଗମ୍ଭୀର ଅପରାହ୍ନର ଆଶାକାତର ଅପେକ୍ଷା ।

 

କିନ୍ତୁ ମିସେସ୍ ଚକ୍ରବର୍ତ୍ତୀ ପ୍ରସଙ୍ଗ କୌଣସି ପ୍ରକାରେ ଆମ କଥାବାର୍ତ୍ତା ଭିତରକୁ ଆସିଲା ନାହିଁ । କେଉଁ ଉପାୟରେ ତାଙ୍କ ବିଷୟରେ ଜିଜ୍ଞାସା କରିବି–ଚିନ୍ତା କରୁଛି–ହଠାତ ଅବିନାଶବାବୁ କହିଲେ–ଆସନ୍ତୁ ! ଆମର ବଗିଚା ଦେଖିଆସିବେ । ଏଇ ବଗିଚାଟି ବିଷୟରେ ନିଶ୍ଚୟ ଆପଣ ବହୁ କଥା ଶୁଣିଥିବେ ।

 

ମୁଁ କହିଲି–ନିଶ୍ଚୟ, ନିଶ୍ଚୟ । ବନ୍ଧୁମାନଙ୍କ ମୁହଁରୁ ଆପଣଙ୍କ ବଗିଚା ବିଷୟରେ ବହୁ ପ୍ରଶଂସା ଶୁଣିଛି । ସମଗ୍ର ସହରରେ ଏପରି ସଯତ୍ନ ରକ୍ଷିତ ରୁଚିସମ୍ପନ୍ନ ଉଦ୍ୟାନ ଆଉ ଦ୍ୱିତୀୟ ନାହିଁ-। ଦେଖିବାର ଆଗ୍ରହ ମଧ୍ୟ ମୋର ଥିଲା ।

 

ତେବେ ଆସନ୍ତୁ । ବଗିଚା ଦେଖିବା ସଙ୍ଗେ ସଙ୍ଗେ ଭଦ୍ରମହିଳାଙ୍କ ସଙ୍ଗେ ପରିଚୟ ହୋଇଯିବ ।

 

ମୁଁ ବଡ଼ ଆହ୍ଲାଦିତ ହୋଇ ଯଥେଷ୍ଟ ଆଗ୍ରହ ଆଉ ଉତ୍ତାପର ସହିତ ପଚାରିଲି–

 

ଭଦ୍ରମହିଳା...ମାନେ...କାହା...?

 

ମାନେ–ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗରେ–ଖୋଦ୍ ମାଲିକାଣୀଙ୍କ ସଙ୍ଗେ । ଶୁଣିଥିବେ ତ ଆପଣଙ୍କ ରସିକ ବନ୍ଧୁମାନଙ୍କ ମୁହଁରୁ । ଏଇ ବଗିଚା ସଙ୍ଗେ ତାଙ୍କର ପ୍ରଶଂସାବି ନିଶ୍ଚୟ ଶୁଣିଥିବେ । କାରଣ ଏ ବଗିଚା ଆଉ ସେ ଅବିଚ୍ଛେଦ୍ୟ । ଏତେବଡ଼ ବଗିଚାଟା ତ ମୁଁ ତାଙ୍କରି ଲାଗି ତିଆରି କରିଛି । କହିବାକୁ ଗଲେ ସେଇ କେବଳ ଏଇ ବିରାଟ ଫୁଲଫଳଭରା ଉଦ୍ୟାନଟିର ଏକମାତ୍ର କର୍ତ୍ତ୍ରୀ-। ମୁଁ ତ ନିମିତ୍ତ ମାତ୍ର ! ସେ ତ କେତେବେଳେ ଘରେ ରହନ୍ତି ନାହିଁ–ଏଇ ବଗିଚାଟିହିଁ ତାଙ୍କର ବିହାରସ୍ଥଳୀ ଓ ଲୀଳାଭୂମି ।

 

ମୁଁ କୃତ୍ୟକୃତ୍ୟ ହୋଇ କହିଲି–ବହୁତ ଖୁସି ହେବି ଆଜ୍ଞା ! ମିସେସ୍ ଚକ୍ରବର୍ତ୍ତୀଙ୍କ ସଙ୍ଗେ ଆଳାପ ମୋର ବହୁ ଭାଗ୍ୟର କଥା ।

 

ଅବିନାଶବାବୁ ହସି ହସି କହିଲେ–ତା’ହେଲେ ଆସନ୍ତୁ ବାରଣ୍ଡାକୁ । ବାରଣ୍ଡାରେ ବସିବାମାତ୍ରେ ମୁଁ ପୁଣି ପଚାରିଲି–କିନ୍ତୁ ଦିନଯାକ ଏଇ ବଗିଚାରେ ବୁଲିବାର ତାତ୍ପର୍ଯ୍ୟ – ମାନେ...

 

ମାନେ–ଏତେବଡ଼ ବଗିଚାର ତଦାରଖ କରିବା–ଆଉ କ’ଣ ? ମାଳୀଙ୍କ ହାତରେ ବଗିଚାଟାକୁ ଛାଡ଼ିଦେଇ ନିଶ୍ଚିନ୍ତ ହୋଇ ବସି ପାରିବେ କି ? ତଦାରଖ କରିବାକୁ ତ ନିଶ୍ଚେ ଦରକାର । ତା’ ଛଡ଼ା କାମ ବା ଆଉ କ’ଣ ଅଛି ? ଘରେ ତ ଆଉ କେହି ପିଲାପିଲି ନାହାନ୍ତି ଯେ...

 

ମୁଁ ଟିକେ ଅପ୍ରତିଭ ହୋଇ କହିଲି–ତା’ ଅବଶ୍ୟ ମୁଁ ଜାଣେ ମାତ୍ର ଆପଣତ ନିଜେ ଅଛନ୍ତି–ମାନେ ଆପଣଙ୍କର ଏଇ ପରିଣତ ବୟସରେ – ଅର୍ଥାତ୍ ଆପଣ ଯେତେବେଳେ ଏକ କୋମଳ ହସ୍ତର ମଧୁର ସ୍ପର୍ଶର ଆବଶ୍ୟକତା ସର୍ବଦା ଅନୁଭବ କରୁଛନ୍ତି–ସେତେବେଳେ ମିସେସ୍ ଚକ୍ରବର୍ତ୍ତୀଙ୍କ ପକ୍ଷରେ – ମାନେ...

 

ଅବିନାଶବାବୁ ଖୁବ୍ ଗୋଟାଏ ବ୍ୟର୍ଥ ପ୍ରେମିକର ଅଟହାସ୍ୟ ପ୍ରକାଶ କରି କହିଲେ – Fraility ! thy name is woman. ଜାଣିଛନ୍ତି ତ ? ତା’ ପୁଣି–ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା ! ଦିନଯାକ ବଗିଚା ଭିତରେ ସେ ତାଙ୍କର ଇୟାରମାନଙ୍କୁ ନେଇ ବ୍ୟସ୍ତ । କାହାର ଭଲା ମୁଣ୍ଡ ବଥାଏ-? ଗୋଟାଏ ବୁଢ଼ାମାଙ୍କଡ଼ ଯେ ବିନ୍ଦୁଏ ପାଣିର ଅଭାବରେ ଏଠି ହାହାକାର କରି ମରେ ? ଛାଡ଼ – ବନ୍ଧୁ, ଛାଡ଼ – ସେ ତାଙ୍କ ଲାଗି ଓ ଅନ୍ୟମାନଙ୍କ ଲାଗି ।

 

ମୁଁ ଏ କଥାର କି ଉତ୍ତର ବା ଦିଅନ୍ତି ? ମାତ୍ର କଥାଟିକୁ ଟିକିଏ ବାଗକୁ ଆଣିବା ଲାଗି ଖୁବ୍ ଧୀର ଗଳାରେ କହିଲି–

 

ଅବଶ୍ୟ ମିସେସ୍ ଚକ୍ରବର୍ତ୍ତୀଙ୍କ ସମ୍ୱନ୍ଧରେ ଆପଣଙ୍କର ଏହି ବିବୃତି ଖୁବ୍ ଦୁଃଖଦାୟକ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆପଣ ଯେ ଜଣେ ଖୁବ୍ ଉଦାର କ୍ଷମାଶୀଳ ଆଉ ଯଥାର୍ଥ ପ୍ରେମିକ – ଏଥିରେ କ୍ରମେ ମୋର ବିଶ୍ୱାସ ଦୃଢ଼ ହୋଇ ଚାଲିଛି ।

 

ଅବିନାଶବାବୁ ଏଥର ବେଶ୍ ପିଲାଙ୍କ ଭଳି ହସି ଉଠିଲେ । ତା’ପରେ ଛୋଟ ପିଲାଙ୍କୁ ଥାପୁଡ଼ାଇଲା ଭଳି ମୋର କାନ୍ଧରେ ଥାପୁଡ଼ାଇ କହିଲେ–

 

ସେ କ’ଣ ଏକଥା ବୁଝନ୍ତି ୟଙ୍ଗମ୍ୟାନ୍ ? ମୁଁ ଯେ ତାଙ୍କୁ ଆଜି ପର୍ଯ୍ୟନ୍ତ ରୋଷ୍ଟ କରି ଖାଇ ନ ଦେଇଛି......ଛାଡ଼ନ୍ତୁ । ବୁଝିଲେ ବନ୍ଧୁ ! ସେ ତ ଆଉ ଜାଣନ୍ତି ନାହିଁ ଯେ, ଏ ତାଙ୍କର କଅଁଳ ହାଡ଼କୁ ଚୋବାଇ ତା’ ଭିତରୁ ଶସ ଚୋଷିନେବା ଲାଗି ମୋର ଦାନ୍ତଗୁଡ଼ାକ ଏପର୍ଯ୍ୟନ୍ତବି ଟାଣ ଆଉ ମଜବୁତ୍ ଅଛି । ତାଙ୍କର କଅଁଳ ମାଂସକୁ ଝୋଳ ସହ ଚୋବାଇ ଗର୍ଭକୁ କ୍ଷେପିଦେବା ଲାଗି ମୋର ଜିଭ ଯେ ଏପର୍ଯ୍ୟନ୍ତ ସକ୍ରିୟ ଅଛି–ଏକଥା ତ ସେ ବୁଝି ନାହାନ୍ତି !! ହାଃ ହାଃ ହାଃ, ଛାଡ଼ନ୍ତୁ ବିଚାରୀ ମୂଢ଼ା ପ୍ରାଣୀ ! ଅନ୍ୟ ଲୋକର ମନ ବୁଝିବାରେ ସେ ସୟତାନ ଭଳି । ନିରୀହ ତାଙ୍କର ଯୁବକ ପ୍ରେମିକାମାନଙ୍କୁ ନେଇ ସେ ମାତିଛନ୍ତି । ନରକକୁ ଯାନ୍ତୁ ସେ......ଛାଡ଼ନ୍ତୁ ।

 

ଅବିନାଶବାବୁ ଖଣ୍ଡିଏ ସିଗ୍ରେଟ୍ ମୋ ହାତକୁ ବଢ଼ାଇଦେଇ ନିଜେ ଖଣ୍ଡେ ନିଆଁ ଧରାଇଲେ । ଆକାଶଟା ସେମିତି ଗୁମ୍‍ସୁମ୍ କରି ରଖିଛି । ଏତେବଡ଼ ହତା ଆଉ ଏତେବଡ଼ ବଗିଚାଟା ନିସ୍ତବ୍ଧ, ନିଶୂନ । ମୁଁ ଉତ୍କର୍ଣ୍ଣ ହୋଇ ବସିରହିଥିଲି । ହୁଏତ ଉଦ୍ୟାନର କେଉଁ ନିଭୃତ କୋଣରୁ ହଠାତ ସମ୍ଭୋଗଶୃଙ୍ଗାରର ପ୍ରେମୋନ୍ନତ୍ତ କଳକୋଳାହଳ ଭାସିଆସିବ ଏଇ ମେଘଗମ୍ଭୀର ଅପରାହ୍ନର ନିସ୍ତବ୍ଧତାକୁ ଥରାଇ ଦେଇ – ମତାଇ ଦେଇ ।

 

କିନ୍ତୁ ନାଃ ! କେହି ନାହିଁ, ସବୁ ଶବ୍ଦ ଏଠି ଶୂନଶାନ୍–ସବୁ ଦୃଶ୍ୟ ଏଠି ନିସ୍ତବ୍ଧ । ଏତେବଡ଼ ଉଦ୍ୟାନ ଏଠି ଆମ ଆଗରେ ଫଳ ଓ ଫୁଲରେ ପରିପୂର୍ଣ୍ଣ ହୋଇ ଶୋଇରହିଛି କେବଳ ।

 

କିଛି ସମୟ ଆମ୍ଭେମାନେ ନୀରବରେ ଧୂମପାନ କଲୁ । ମୁଁ ନିସ୍ତବ୍ଧତା ଭେଦ କରି ପଚାରିଲି–

 

ମିସେସ୍ ଚକ୍ରବର୍ତ୍ତୀ କ’ଣ ବାହାରକୁ ଯାଇଛନ୍ତି ଆଜ୍ଞା ?

 

ଅବିନାଶବାବୁ ହଠାତ ଚମକିପଡ଼ିଲା ଭଳି ଉତ୍ତର ଦେଲେ–

 

ନା ନା, ସେ ଡାହାଣୀ ବାହାରକୁ ଯାଇନାହିଁ । ଦେଖନ୍ତୁ–ହେଇଟି ଦେଖନ୍ତୁ – ସେଠି ବାଡ଼ କଡ଼ରେ ଠିଆ ହୋଇ...ନା ନା–ଶୁଭ୍ରବସନା ସୁନ୍ଦରୀ ଧୀରେ ଧୀରେ–ହେଇ ଦେଖନ୍ତୁ–ଏଣିକି ଆସୁଛନ୍ତି । ବୋଧହୁଏ ପ୍ରେମିକମାନଙ୍କ ସଙ୍ଗେ ବାହାରକୁ ଯାଇଥିଲେ । ବଜାରଆଡ଼େ ବୋଧହୁଏ । ହେଇ ଦେଖନ୍ତୁ–ଆସୁଛନ୍ତି ସେ ।

 

ମୁଁ ଚାହିଁଲି ବିସ୍ତୃତ ବଗିଚାଟା ଆଡ଼େ । କାହିଁ କିଏ ? କାହାନ୍ତି ସେଇ ଶୁଭ୍ରବାସନା ସୁନ୍ଦରୀ, ପ୍ରେମପାଗଳିନୀ ? କେହି ତ ନାହିଁ । କେବଳ ଅଦୂରରେ ଗୋଟିଏ ଶବ୍ଦ ଶୁଭୁଛି । ଗୋଟାଏ ଗଞ୍ଜା ଡାକ ଛାଡ଼ିଛି–କକ୍‍କ-ଅ-କଅଅ ।

 

ଦେଖନ୍ତୁ ଏଥର...ମୁଁ ଆସୁଛି ଟିକିଏ ଭିତରୁ । କିଛି ଉତ୍କୋଚ ସଂଗ୍ରହ ନ କଲେ ଭଦ୍ରମହିଳା.........

 

ଅବିନାଶବାବୁ ଘର ଭିତରକୁ ଚାଲିଗଲେ । ମୁଁ ସେହିଭଳି ନିର୍ନିମେଷ ନୟନରେ ଚାହିଁରହିଲି ।

 

କାହାନ୍ତି ସେ ? ବଗିଚାର ଚାରିଆଡ଼କୁ ଉତ୍କଣ୍ଠିତ ହୋଇ ଚାହିଁ ରହିଲି । ସନ୍ଧ୍ୟା ହେବାକୁ ଆଉ କିଛି ସମୟ ବାକି ଅଛି ତଥାପି । ଆକାଶ ପୂର୍ବବତ୍ ମେଘଗମ୍ଭୀର । ମୋର ଛାତି ଦପ୍‍ଦପ୍ ପଡ଼ୁଛି । ମିସେସ୍ ଚକ୍ରବର୍ତ୍ତୀ ତା’ ହେଲେ ଆସୁଛନ୍ତି । ଯୁବତୀ ପତ୍ନୀ-ପ୍ରତାରିତ ବୃଦ୍ଧ ଅବିନାଶବାବୁ ବିଚରା ଘର ଭିତରକୁ ଚାଲିଗଲେ କାହିଁକି ? ମୁଁ ଯେ ଏଠି ଏକା ପଡ଼ିଗଲି । କିପରିଭାବେ ମୁଁ ତାଙ୍କୁ ଏଠି ସମ୍ଭାଷଣ ଜଣାଇବି ? ହଠାତ ଯଦି ସେ ଏଠି ଆସି ପହଞ୍ଚିଯିବେ ! ମାନେ...ବାହାରେ ବହୁ ସ୍ତାବକ, ଲମ୍ପଟ ପ୍ରେମିକ, ପୁରୁଷବନ୍ଧୁମାନଙ୍କଠାରୁ ଯଥେଷ୍ଟ ସ୍ତୁତି, ସ୍ତବ, ତୋଷାମଦ ଆଉ ପ୍ରେମସମ୍ଭାଷଣ ପାଇ ପାଇ ଫୁଲି ଫୁଲି ନିଜ ଉପରେ ଯଥେଷ୍ଟ ଆତ୍ମବିଶ୍ୱାସ, ଆସ୍ଥା, ଅହଂକାର ଆଉସବୁ ବହୁବଲ୍ଲଭା ସୁଲଭା ପ୍ରମଦାର ଦୃପ୍ତଭଙ୍ଗୀ ନେଇ ଯେତେବେଳେ ସେ ହଠାତ ଆସି ଏଠି ପହଞ୍ଚିଯିବେ...ମାନେ–ମାନେ...କିପରିଭାବେ ମୁଁ ତାଙ୍କୁ ଏଠି ହଠାତ ଏମିତି...ମାନେ...ମାନେ । ଚାରିଆଡ଼କୁ ପରମ ଉତ୍କାଣ୍ଠାରେ ଚାହୁଁ ଚାହୁଁ ଆଖି ପଡ଼ିଗଲା ତାଙ୍କ ଉପରେ ।

 

ହେଇଟି ସେ ଆସୁଛନ୍ତି ।

 

ଏଇ ତାହାହେଲେ ମିସେସ୍ ଚକ୍ରବର୍ତ୍ତୀ !

 

ଫାଟକ ଫିଟାଇ ବଗିଚା ଭିତରକୁ ପଶୁ ପଶୁ ଗଛଲଟାଗୁଡ଼ାକ ଉପରେ ଟିକିଏ ଆଖି ପକାଇ ଦେଇ ଆସୁଛନ୍ତି । ଏତେବଡ଼ ଘରର କର୍ତ୍ତ୍ରୀ ସେ–ଏତେ ବଡ଼ ଉଦ୍ୟାନର ମାଲିକିଆଣୀ । ସେ ମିସେସ୍ ଚକ୍ରବର୍ତ୍ତୀ । ଅବିନାଶବାବୁ ତ ଖୁବ୍ ଛାର–ସମଗ୍ର ସହରଟାର ପୁରୁଷ ସମାଜ ଯାହାର ଦୃପ୍ତ ଅଭିଜାତ, ଚଣ୍ଡ ନାରୀତ୍ୱ ନିକଟରେ ମଥାନତ କରି ତାଙ୍କର ପ୍ରଣୟ ମାଧୁର୍ଯ୍ୟର କୃପା କଟାକ୍ଷରେ ଶରବିଦ୍ଧ ହେବାକୁ ଧାଡ଼ି ବାନ୍ଧି ଠିଆ ହୋଇଥାନ୍ତି–ସେଇ ଆସୁଛନ୍ତି ସେଇ–ମିସେସ୍ ଚକ୍ରବର୍ତ୍ତୀ–ବହୁବିଶ୍ରୁତା–ବହୁ ଆରାଧ୍ୟା ।

 

ପ୍ରକୃତରେ–ଏ ନାରୀ ଅନନ୍ୟା ! ଏତେ ବଡ଼ ଉଦ୍ୟାନରେ ସେ ବୁଲି ବୁଲି ଆସିଛନ୍ତି ଏକାକିନୀ–ଶୁଭ୍ରବସନା, ଗର୍ଭାଳସୀ ହଂସୀର ଗତିଛନ୍ଦରେ ନୁହେଁ–ଏକ ଦୃପ୍ତ ଅଭିଜାତକର୍ତ୍ତୃତ୍ୱ ସଜାଗ ଆତ୍ମସଚେତନ ଗତିବିଳାସର ବିଲୋଳ ପ୍ରମତ୍ତତାରେ–ଚତୁର୍ଦ୍ଦିଗକୁ ଆପଣାର କର୍ତ୍ତୃତ୍ୱପୂର୍ଣ୍ଣ କୃପା ଦୃଷ୍ଟିରେ ବଶୀଭୂତ କରି କରି–ଭୂଇଁ ଉପରେ ଆପଣାର ବ୍ୟକ୍ତିତ୍ୱର ସ୍ୱାକ୍ଷରକୁ ସ୍ପଷ୍ଟ କରିବା ଲାଗି କୁଦି କୁଦି ହେଇ ସେ ଆସୁଛନ୍ତି ।

 

ମିସେସ୍ ଚକ୍ରବର୍ତ୍ତୀ !!

 

ହେଇ, ସେଠି ସେଇ କାକୁଡ଼ି ଲଟାଟା ପାଖରେ କ୍ଷଣେକାଳ ସେ କାହିଁକି ଅଟକିଗଲେ-? କେତେଟି ମୁହୂର୍ତ୍ତ ମାତ୍ର ସେ ଲତାଟିର ରଞ୍ଜା ଉପରକୁ ଚାହିଁଲେ । ମନେ ହେଉଛି–ସେ ବୋଧେ ବିରକ୍ତ ହୋଇ ଉଠିଲେ ନା କ’ଣ ! ବୋଧେ ମାଳୀର କିଛି ତ୍ରୁଟି ରହିଯାଇଛି । ବୋଧେ ସେ ଏଇକ୍ଷଣି ମାଳୀକୁ ଡାକିବେ । ଆଉ ସେଇ କର୍ତ୍ତୃତ୍ୱପୂର୍ଣ୍ଣ ଚଣ୍ଡ କଣ୍ଠସ୍ୱରରେ ଥରି ଥରି ବିଚରା ମାଳୀଟି ଆସି ପହଞ୍ଚିଯିବ ।

 

କିନ୍ତୁ ନାଇଁ ତ–ସେ ଫେର୍ ଆଗକୁ ମୁହାଁଇଲେଣି । ସେହିଭଳି କର୍ତ୍ତୃତ୍ୱପୂର୍ଣ୍ଣ ଦୃପ୍ତ ଭଙ୍ଗୀ–ମାତ୍ର ବେଶ୍ ଲୋଭନୀୟ ଏଇ ଭଙ୍ଗୀଟି ଭଦ୍ରମହିଳାଙ୍କର । ଏହି ବିଶେଷ ଭଙ୍ଗୀଟି ପ୍ରକୃତରେ ମନ ଭିତରେ ଏକ ପାଶବିକ ଆକ୍ରମଣକାରୀ ପୌରୁଷକୁ ମତାଇ ଦେଇଛି ।

 

ହଠାତ ତାଙ୍କର ମୁହଁର ଭଙ୍ଗୀ ବଦଳି ଯାଉଛି, ବୋଧହୁଏ ସେ ଭାବୁଛନ୍ତି–ଟିକିଏ ଦୃଷ୍ଟି ଊଣା ହେଲେ ବଗିଚାଟାର ଅବସ୍ଥା ଏମିତି ହୁଏ ।

 

ହେଇ, ସେଠି ସେ କ’ଣ କରୁଛନ୍ତି ପୁଣି ? ଗୋଟାଏ ଛୋଟ ବୁଦା ଭଳି କି ଗୋଟାଏ ଗଛ–ସେଇ ବୁଦାଟାକୁ ଦୁଇ ଆଡ଼କୁ ବାଳ କୁଣ୍ଡାଇଲା ପରି ଦୁଇ ଭାଗ କରି ସତେ କି ସେ କ’ଣ ଖୋଜୁଛନ୍ତି । ଠିକ୍ ଯେମିତି କୁକୁଡ଼ା ଖୋଜନ୍ତି ।

 

କ’ଣ ଖୋଜୁଛନ୍ତି କେଜାଣି !!

 

କିନ୍ତୁ ନାଃ–ସେ ପୁଣି ଆଗକୁ ମାଡ଼ି ଆସିଲେଣି । ଛାତି ଫୁଲେଇ ଢଳି ଢଳି ପଣତ ଉଡ଼ାଇ –ଉପରକୁ ଲହରେଇ ହୋଇ ସେ ସୋଜା ଭାବରେ ପୁଣି ଆଗକୁ ମୁହାଁଇଲେଣି । ସତେ କି ତାଙ୍କର ବଗିଚା ଦେଖା ଏତିକିରେ ସରିଗଲା ।

 

ମାତ୍ର ଏ କ’ଣ ? ସେଠି ସେଇ ଛୋଟ ଗଛଟା ପାଖେ ସେ ଅଟକି ଗଲେ ଯେ ! କ’ଣ ସେଠି ସେ କରୁଛନ୍ତି ? ଗଛ ମୂଳଟାକୁ ନଖରେ ଖୋଜି କ’ଣ ପରୀକ୍ଷା କରୁଛନ୍ତି ନା କ’ଣ ? ଗଛଟା ବୋଧେ ନୂଆ ଲାଗିଛି କିମ୍ୱା ଉପୁଡ଼ି ପଡ଼ିଛି ଚାରା ଗଛଟା ! ହୁଏତ ଉଇ କିମ୍ୱା ଜିଆଙ୍କ ଯୋଗୁଁ ଗଛଟି ଉପୁଡ଼ି ଯାଇଛି । ସେଥିଲାଗି କିମ୍ୱା ଗଛ ମୂଳଟା ଓଦା ଅଛି କି ନାହିଁ, ସେ କଥା ପରୀକ୍ଷା କରୁଛନ୍ତି ମିସେସ୍ ଚକ୍ରବର୍ତ୍ତୀ ।

 

ନାଃ–ଏଥରକ ସେ ସତକୁ ସତ ରାଗିଗଲେ । ନଖରେ ମାଟି ଖୋଳି ପରୀକ୍ଷା କରୁ କରୁ ସେ ଏମିତି କ୍ରୁଦ୍ଧ ଭଙ୍ଗୀରେ ଚାରିଆଡ଼କୁ ବେକ ନଚାଇ ଚାହୁଁଛନ୍ତି କିଆଁ ? ବୋଧହୁଏ ମାଳୀଙ୍କୁ କିମ୍ୱା ଚାକରାଣୀମାନଙ୍କୁ ଡାକିବେ ।

 

ଏଇ ଭଙ୍ଗୀରେ କିନ୍ତୁ ଖୁବ୍ ସୁନ୍ଦର ଆଉ ଲୋଭନୀୟ ହୋଇ ଉଠିଛନ୍ତି ଭଦ୍ରମହିଳା । ଯଦି ଡାକନ୍ତେ ନା ସତକୁ ସତ–ନିଜେ ଯାଇ ଠିଆହୋଇ ଯିବାକୁ ମନ ହେଉଛି ।

 

କିନ୍ତୁ ସେ କାହାକୁ ଡାକିଲେ ନାହିଁ । ପୁଣି ସେ ଆଗକୁ ପାଦ ବଢ଼ାଇଲେଣି ! ଏଥର ବୋଧେ ସେ ଘରକୁ ଫେରୁଛନ୍ତି । ବଗିଚା ଦେଖା ସରିଗଲା ଏତିକିରେ । ଅନ୍ତତଃ ତାଙ୍କ ଭାବଭଙ୍ଗୀରୁ ସେଇଆ ମନେ ହେଉଛି ।

 

ସତକୁ ସତ ସେ ଘର ଆଡ଼କୁ ମାଡ଼ି ଆସୁଛନ୍ତି । ରାସ୍ତାର ଦୁଇକଡ଼େ ହରଗଉରା ଫୁଲର ଅରଣ୍ୟ । ନାନାଦି ବର୍ଣ୍ଣର ଉଚ୍ଛଳ ପରିପ୍ରକାଶ ମଧ୍ୟରେ ମିସେସ୍ ଚକ୍ରବର୍ତ୍ତୀ ଦୁଇ ପଟକୁ ଚାହିଁ ଚାହିଁ ଢଳି ଢଳି ଆଗକୁ ଆସୁଛନ୍ତି । ଏଥର ମୁହଁଟି ତାଙ୍କର ଖୁବ୍ ପ୍ରସନ୍ନ ଦେଖାଯାଉଛି । ହରେକ୍ ରଙ୍ଗର ହରେକ୍ ରକମର ଫୁଲ । ସବୁଆଡ଼େ ରଙ୍ଗ ଆଉ ରୂପର ମାତଲାମୀ । ସେଇ ମତୁଆଲ ରଙ୍ଗର ବାହାରକୁ ଦେଖି ଦେଖି ବୋଧହୁଏ ତାଙ୍କର ମନ ଭରିଉଠୁଛି ଆତ୍ମତୃପ୍ତିରେ ।

 

ସେ ଆସୁଛନ୍ତି । ଆକାଶଟା ସେମିତି ମେଘଗମ୍ଭୀର ହୋଇ ରହିଛି । ମୋର ଆଖି ଆଗରେ ମିସେସ୍ ଚକ୍ରବର୍ତ୍ତୀ ଏକ ମହା ମହିମାମୟୀ ପ୍ରେମ ଓ କର୍ତ୍ତୃତ୍ୱର ଅଧିଷ୍ଠାତ୍ରୀ ଦେବୀରୂପେ ଗତିକରି ଆସୁଛନ୍ତି । ଖୁବ୍ ନିକଟେଇ ଆସିଲେଣି ସେ । ଏଇ...ବର୍ତ୍ତମାନ ମୋ ବସିଥିବା ବାରଣ୍ଡା ଉପରକୁ ସେ ଉଠିଆସିବେ । ଆସୁଛନ୍ତି ସେ ଢଳି ଢଳି, ସତେ ବା କାହା ପ୍ରତି ତାଙ୍କର ଖାତିର ନାହିଁ-। ଦୁନିଆଟା ତାଙ୍କର ଖାତିରିରେ ବଞ୍ଚିଛି !! ସତେ ବା ତାଙ୍କର କାହାକୁ ଅପେକ୍ଷା ନାଇଁ, ତାଙ୍କୁ ସମସ୍ତେ ଅପେକ୍ଷା କରିବା କଥା । ମୁଁ ଯେମିତି ତାଙ୍କର ଦୁର୍ଲଭ ଅଥଚ ଲୋଭନୀୟ ଦର୍ଶନ ଲାଗି ଏଠି ଏମିତି ଅପେକ୍ଷା କରି ବସିଛି ଅନାଦି କାଳରୁ ! ଏମିତିଭାବେ ସେ ଆସୁଛନ୍ତି–ଯେମିତି ତାଙ୍କ ଲାଗି ଏଇ ବାରଣ୍ଡା ଉପରେ ପରମ ଉତ୍କଣ୍ଠାରେ ଅପେକ୍ଷା କରି ବସିଥିବା ଜଣେ ଦର୍ଶକପ୍ରାର୍ଥୀଙ୍କୁ ତାଙ୍କର ଦୁର୍ଲଭ କରୁଣା-କଟାକ୍ଷର ପ୍ରସାଦ ଦେଇ ସେ କୃତାର୍ଥ କରିବେ ।

 

କୃତାର୍ଥ ହେବାର କଥା ନିଶ୍ଚୟ !

ଏ ନାରୀ ବରଣୀୟା !!

 

ଏ ନାରୀର ପଦପଲ୍ଲବକୁ ଶିରରେ ଧାରଣ କରିପାରିଲେ ଯେ କୌଣସି ବ୍ୟକ୍ତିର ପୁରୁଷୋଚିତ ଶିର କୃତାର୍ଥ ହେବ–ସନ୍ଦେହ ନାହିଁ । ସେ ପ୍ରାୟ ବାରଣ୍ଡା ତଳକୁ ଆସି ଯାଇଥିଲେ । ଏଇ ଅବସରରେ ଆଉ ଦୁଇ ଜଣ ସଖୀ କିମ୍ୱା ଦାସୀ ସ୍ଥାନୀୟା ମହିଳା ମଧ୍ୟ ତାଙ୍କ ପଛେ ପଛେ କିମ୍ୱା କଡ଼େ କଡ଼େ ଲାଗି ଲାଗି ଆସୁଥିଲେ । ସତେ ବା ଏକ ବପୁବତୀ ଲେଡ଼ି ସର୍ଜନଙ୍କ ସଙ୍ଗେ ଦୁଇଟି କ୍ଷୀଣକାୟା ଅତି ବିନୀତା ନର୍ସ ରାଉଣ୍ଡରେ ବାହାରିଛନ୍ତି । ସେମାନଙ୍କ ଭାବଭଙ୍ଗୀରୁ ମନେ ହେଉଥିଲା ସତେ ବା ଚକ୍ରବର୍ତ୍ତୀଙ୍କର ଉପସ୍ଥିତିରେ ବଡ଼ ତ୍ରସ୍ତା ଓ ଯେ କୌଣସି ଆଦେଶ ଓ ତିରସ୍କାର ଶୁଣିବା ଲାଗି ସେମାନେ ବେଶ୍ ପ୍ରସ୍ତୁତା ! ମିସେସ୍ ଚକ୍ରବର୍ତ୍ତୀ ବାରଣ୍ଡା ତଳ ପର୍ଯ୍ୟନ୍ତ ଆସି ହଠାତ ଥମ୍ କରି ଛିଡ଼ାହେଲେ ଏବଂ କିଞ୍ଚିତ୍ ଗ୍ରୀବା ଉତ୍ତୋଳନ କରି ବାରଣ୍ଡା ଉପରକୁ ଚାହିଁଲେ ଉଦ୍ଦେଶ୍ୟ ବୋଧେ–

 

ଏ ପାପିଷ୍ଠ ନରାଧମ କିଏ ମୋ ବାରଣ୍ଡାରେ ବସିଛି ?

 

ମୁଁ ମହା ସଂତ୍ରସ୍ତ ସମ୍ଭ୍ରମରେ ଉଠି ଠିଆ ହେଲି । ମୋର ଛାତି ଧପ୍ ଧପ୍ ହୋଇ ପଡ଼ିଲା ଉଠିଲା । ଗମ୍ ଗମ୍ ହୋଇ ମୋ ଦେହରୁ ଝାଳ ବୋହିଗଲା । କ’ଣ ସେ ମୋତେ ପଚାରିଦେବେ–ଆଉ କ’ଣ ବା ମୁଁ ଉତ୍ତର ଦେବି ? କାହିଁକି ମୁଁ ଏଠିକି ଆସିଛି ଓ କାହା ସଙ୍ଗେ ଏ ଘରେ ମୋର କାମ ଅଛି–ପଚାରିଦେଲେ ମୁଁ କ’ଣ ଭଲା କହିବି ?

ମିସେସ୍ ଚକ୍ରବର୍ତ୍ତୀ ବାରଣ୍ଡାରୁ ମୁହଁ ଫେରାଇ ତଳକୁ ମୁହଁ କରି ଭୂଇଁ ଉପରୁ କ’ଣ ଖୋଜିବାକୁ ଲାଗିଲେ ଚଞ୍ଚଳ ଭାବରେ । ସତେ ବା ତାଙ୍କର ସରୁ ଅଙ୍ଗୁଳିଟିରୁ ମୁଦିଟି ଖସିପଡ଼ିଲା ହଠାତ ଭୂଇଁ ଉପରେ । ସଙ୍ଗେ ସଙ୍ଗେ ତାଙ୍କର ପାର୍ଶ୍ୱଚାରିଣୀ ଦୁହେଁ ଭୂଇଁ ଉପରେ ଖୋଜିବା କାମ ଆରମ୍ଭ କରିଦେଲେ ।

ମୋର ସେହି ମୁହୂର୍ତ୍ତରେ ଇଚ୍ଛା ହେଲା–ସଙ୍ଗେ ସଙ୍ଗେ ତଳକୁ ଡେଇଁପଡ଼ିବି, ଆଉ ଭୂଇଁ ଉପରୁ ହଜିଥିବା ମୁଦିଟା ଖୋଜି ବାହାର କରି ତାଙ୍କର ସେଇ ପରମସୁନ୍ଦର ଚମ୍ପକ କଳିର କୋମଳ ଅଙ୍ଗୁଳିରେ ପିନ୍ଧାଇଦେଇ ଅବନତ ଭଙ୍ଗୀରେ ତାଙ୍କ ଆଗରେ ଠିଆହୋଇ ରହିବି । ସେ ମୋର ମୁହଁକୁ ଚାହିଁ ଟିକିଏ ହସିଦେବେ । ମୁଁ ଏତିକିରେହିଁ କୃତକୃତ୍ୟ ହୋଇଯିବି । କିନ୍ତୁ ସେ ଯଦି ପଚାରନ୍ତି–

କ’ଣ ଚାହଁ ତୁମେ ?

ମୁଁ କ’ଣ ଜବାବ ଦେବି ? ବୋଧହୁଏ ସଙ୍ଗେ ସଙ୍ଗେ କହିଦେବି କବିଗୁରୁ ରବୀନ୍ଦ୍ରଙ୍କ ଭାଷାରେ–

.........ରାଣୀ !

ତବ ମାଳଞ୍ଚର ମୁହିଁ ହେବି ମାଳାକାର !

ସେମାନେ ତଥାପି ଭୂଇଁ ଉପରୁ ଖୋଜି ଲାଗିଛନ୍ତି । ମାଟି ଖେଳାଇ–ଧୂଳି ଉଡ଼ାଇ ପାର୍ଶ୍ୱଚାରିଣୀମାନଙ୍କର ବ୍ୟସ୍ତତାର ସୀମା ନାହିଁ । ଆଉ ସମ୍ଭାଳି ନ ପାରି ମୁଁ ତଳକୁ ଡେଇଁପଡ଼ିଲି ।

 

ଏଇ ବୋଧେ ପରମ ସୁଯୋଗ । ମୁଦିଟା ଯଦି ଭାଗ୍ୟକୁ ମଳିଯାଏ ! ପ୍ରଭୁ ହେ !!

 

କିନ୍ତୁ ହଠାତ ମୋର ପ୍ରକୃତ ଜ୍ଞାନ ଫେରିଆସିଲା । ଅବିନାଶବାବୁ ବାରଣ୍ଡା ଉପରୁ ଡାକ ଛାଡ଼ିଛନ୍ତି–

 

ହାଁ–ହାଁ–ସାବଧାନ–ସାବଧାନ–ଧରନ୍ତୁ ନାହିଁ–ଧରନ୍ତୁ ନାହିଁ–ପକ୍କା ବଦମାସ ସେଇଟା । କୁକୁଡ଼ା ତ ନୁହେଁ – ଗୋଟାଏ ମାଉଁସଖାଇ ହିଂସ୍ର ଶାଗୁଣୀ । ଦିଶୁଛି ସିନା ଆଖିକୁ ଏମିତି ସୁନ୍ଦର–କିନ୍ତୁ ମହା ଭୟଙ୍କର । ଆପଣ ଉପରକୁ ଉଠିଆସନ୍ତୁ । ଏଇ ଚାଉଳ ଓ ଗହମ ଦାନାତକ ବିଞ୍ଚିଦିଏ-!! ସେମାନଙ୍କର ଖାଇବା ବେଳ ଏଇଟା !!

 

ମୋର ପୂରା ସମ୍ବିତ ଫେରିଆସିଲା । ବାସ୍ତବ ଦୃଷ୍ଟି ନେଇ ମୁଁ ଆଖି ମେଲି ଚାହିଁଲି–ତିନୋଟି କୁକୁଡ଼ା । ଦୁଇଟି ତା’ ମଧ୍ୟରୁ ମଧ୍ୟମ ଧରଣର ଦେଶୀ ମାଈ କୁକୁଡ଼ା । ଆଉ ଗୋଟିଏ ବେଶ୍ ହୃଷ୍ଟପୁଷ୍ଟ ବିଦେଶୀ ବ୍ରିଡ଼୍ ମୁରୁଗୀ–ଲେଗ୍ ହର୍ଣ୍ଣ ଜାତୀୟ–ବେଶ୍ ଧଳା–ଠିକ୍ ହଂସ ଭଳି ।

 

ଅବିନାଶବାବୁ ଦାନା ବିଞ୍ଚିଦେଲେ । ସେମାନେ ଖୁଣ୍ଟିଖୁଣ୍ଟି ଖୁବ୍ ଚଞ୍ଚଳ ଖାଇବାକୁ ଲାଗିଲେ । ତା’ପରେ ଅବିନାଶବାବୁ ଖୁବ୍ ସୋଜା ଭାବରେ ହସି ହସି ମୋ ଉଦ୍ଦେଶ୍ୟରେ କହିଲେ–କ’ଣ ବନ୍ଧୁ ! ମିସେସ୍ ଚକ୍ରବର୍ତ୍ତୀ ଦେଖିଲେ ତ ? ହାଃ ହାଃ ହାଃ !

 

ଦେଖନ୍ତୁ ।

 

ସେ ଆଉ କିଛି ଦାନା ହାତ ମୁଠାରେ ଧରି ବାରଣ୍ଡା ଉପରୁ ଡାକିଲେ–

 

ହାଲୋ ଡାର୍ଲିଙ୍ଗ୍ ମାଇଁ ଲିଟିଲ୍ ପେଟ, ଆସତ–ଆସ–ଆସ...ହାଲୋ ମିସେସ୍...ହାଲୋ...କକ୍ କକ୍ କକ୍–ହାଲୋ !

 

ସେଇ ମୋଟୀ ଗେଧୀ ଧଳା ବିଦେଶୀ ମୁରୁଗୀଟି ଉପରକୁ ଉଠିଆସିଲା, ଆଉ ଅବିନାଶବାବୁଙ୍କ ହାତରୁ ଦାନାସବୁ ଖୁଣ୍ଟି ଖୁଣ୍ଟି ଖାଇ ଲାଗିଲା । କିନ୍ତୁ ଭଙ୍ଗୀ ତା’ର ସେହିଭଳି ଅଭିଜାତ, କର୍ତ୍ତୃତ୍ୱସଜାଗ, ସ୍ୱାଧିକାରପ୍ରମତ୍ତ ଆଉ ଦୃପ୍ତ ଅଥଚ ପାଶବିକ ଭାବରେ ଆକର୍ଷଣୀୟ ।

 

ମୁଁ ମୋର ଭ୍ରମ ବୁଝିପାରିଲି ଏବଂ ତା’ ସଙ୍ଗେ ସଙ୍ଗେ ମଧ୍ୟ ବୁଝିପାରିଲି ଯେ ଏଇ ମୋଟୀ, ଧଳା ଆଉ ଦୃପ୍ତା ଲେଗ୍‍ହର୍ଣ୍ଣ ମୁରୁଗୀଟିକୁ ମିସେସ୍ ଚକ୍ରବର୍ତ୍ତୀ କହିବାରେ ମଧ୍ୟ କିଛି ଭୁଲ୍ ନାହିଁ । କାରଣ ମିସେସ୍ ଚକ୍ରବର୍ତ୍ତୀଙ୍କର ସମସ୍ତ ରୂପ, ଗୁଣ ଓ ରସରେ ପରିପୂର୍ଣ୍ଣ ମୂର୍ତ୍ତି ତ ଏଇ ମୁରୁଗୀଟି !!!

Image

 

Unknown

ଅବ୍ୟାପାରେଷୁ

 

ଷ୍ଟେସନ ଗୋଟାଏ ଅସୁବିଧା ଜାଗା ଏଇ ଦୃଷ୍ଟିରୁ ଯେ ସେଠାରେ ଅବାଞ୍ଛିତ ଲୋକଙ୍କ ସଙ୍ଗେ ଦେଖା ହୋଇ ଯାଇପାରେ । ଦେଖା ହୋଇ ଯାଇପାରେ ଅର୍ଦ୍ଧ ଉନ୍ମାଦ ଲୋକଙ୍କ ସହିତ ଏବଂ ଆହୁରି କଷ୍ଟକର କଥା-ସେହିଭଳି ଜଣକ ସଙ୍ଗେ ଆଳାପ କରିବାକୁ ପଡ଼ିପାରେ ଓ କାଣ୍ଟିନ୍‍ରେ ଚାହା ଖାଇବାକୁ ପଡ଼ିପାରେ ଏବଂ ତା’ ସଙ୍ଗେ ଶେଷାଽବଧି ଜଡ଼ିତ ବା ସଂପୃକ୍ତ ହୋଇଯିବାକୁ ପଡ଼ିପାରେ ।

 

ତାହାହିଁ ଘଟିଲା । ମାଛ କିଣିବାକୁ ବଜାର ଆସି ବିନା କାରଣରେ ଷ୍ଟେସନରେ ଘୂରିବାର ଫଳ ପାଇଗଲି । ତ୍ରିଲୋଚନ ମହାନ୍ତିଙ୍କୁ ଦେଖିଲେ ମୁଁ କାନ୍ଦିକାଟି ଲୁଚେ । ମାତ୍ର ଷ୍ଟେସନରେ ଆଉ ଲୁଚିବାର ଉପାୟ ବା କ’ଣ ? ତା’ ମୁହଁ ଉପରେ ନଜର ପଡ଼ିବାମାତ୍ରେ ମୁଁ ମୁହଁ ବୁଲାଇ ନେଲି ଓ କଦଳୀ କମଳା ବାଲାର ପଛପଟେ ଲୁଚିଯିବି ବୋଲି ସେଣିକି ମୁହାଁଇଗଲି । ମାତ୍ର ତ୍ରିଲୋଚନର ବିଡ଼ାଳ ଦୃଷ୍ଟି ଆଗରୁ ଖସିଯିବ ଏମନ୍ତ ଚୁଟିଆମୂଷା ଏ ପୃଥିବୀରେ ନ ଥିବେ ।

 

ସେ ମୋତେ ସେହି ଫଳବାଲା ପଛପଟେଇ ମାଡ଼ି ବସିଲା । ମୋ କାନ୍ଧ ଉପରେ ଏମିତିଭାବେ ହାତ ପକାଇଲା ଯେମିତି ମୋ ବେକଟି ତା’ର ହାତ–ହରିକାଠରେ ରହିଗଲା । ଏଣିକି ମୁଁ ତା’ର ଦୟା ଉପରେ ଅଗତ୍ୟା ନିର୍ଭର କରିବି । ସେ କହିଲା–ଶୁଣ ! ତୁ ମତେ ଯେତେ ଆଡ଼େଇ ଦେଲେ ମଧ୍ୟ ମୁଁ ତୋତେ ଛାଡ଼ିପାରିବି ନାହିଁ । ତୋ ଭଳି ଦରଦୀ ବନ୍ଧୁ ମୁଁ ଜୀବନରେ ପାଇ ନାହିଁ । ତୋ ଭଳି ମରମୀ ସହାନୁଭୂତିଶୀଳ ବନ୍ଧୁ ପାଇଲେ ଜୀବନର ସମସ୍ତ ଗୁପ୍ତକଥା, ସମସ୍ତ ପାପ ଆଉ ଦୁଃଖ ବଳେ ବଳେ ପ୍ରକାଶ ପାଇଯାଏ ।

 

ତ୍ରିଲୋଚନର କଥା ଶୁଣିବାମାତ୍ରେ ମୋର ହଂସା ଉଡ଼ିଗଲା । ଏ ଆଉ ମତେ ବର୍ତ୍ତମାନ ଛାଡ଼ିଲା ଭଳି ଲାଗୁନାହିଁ । ଅଥଚ ମୋର ଷ୍ଟେସନ ବଜାରରୁ ମାଛ କିଣି ଘରକୁ ଫେରିବା କଥା । ଜୁଆଇଁବାବୁ ଆସି ପହୁଞ୍ଚିଛନ୍ତି । ଗୃହିଣୀଙ୍କର ଆଦେଶ–ନିଶ୍ଚୟ ରୋହିଟିଏ କିଣିନେବାକୁ ହେବ । ତେଣେ ମସଲାବଟା ସରିଯିବଣି । ଜୀବନଯାକ ପତ୍ନୀଙ୍କର ସୁବାଧ୍ୟ ସ୍ୱାମୀଟିଏ ଭଳି ସେବା କରି ଆସିଛି । ମାତ୍ର କେବେ ଦିନେ ପ୍ରଶଂସାପତ୍ର ପାଇନାହିଁ । ମୋ ପତ୍ନୀ କବିତା ଲେଖି ସୁନାମ ଅର୍ଜିଛନ୍ତି । ତାଙ୍କ ବିଚାରରେ ମୁଁ ଅଧ୍ୟାପକ ରତ୍ନାକର ପତିଙ୍କ ଲିଖିତ ‘‘ମନ୍ତବ୍ୟ ପ୍ରକାଶ’’ ଭଳି ପ୍ରବନ୍ଧଟାଏ । ସୂକ୍ଷ୍ମଭାବ ବା ଅନୁଭୂତିର ଧାର ଧାରେନା । ଏଥିଯୋଗୁ ମୁଁ ବିଚରା ତାଙ୍କ ପାଖେ ଚିରଦିନ ମ୍ଳାନମୁଖ ହୋଇ ରହିଛି । କବି ପତ୍ନୀଙ୍କ ନିଷ୍କାମ ସେବାକରି ଜୀବନ ଅତିବାହିତ କରୁଛି । ତାଙ୍କର ଚିରଦିନ ଧାରଣା ଯେ ମୁଁ ତାଙ୍କର ମନୋମତ କାର୍ଯ୍ୟ କରି ପାରେନା, ମନୋଗତ ଭାବ ବୁଝିପାରେନା । ଅଥଚ ତ୍ରିଲୋଚନ ମହାନ୍ତି ଭଳିଆ ବନ୍ଧୁମାନେ କହନ୍ତି–ମୁଁ କୁଆଡ଼େ ବଡ଼ ହୃଦୟବାନ୍–ଦରଦୀ । ସେ କଥା ଛାଡ଼ । ଜ୍ୱାଇଁ-ସୁହାଗିନୀ-ପତ୍ନୀଙ୍କ ଦାଉ ଆଜି ବଳିପଡ଼ିବ ଯଦି ଠିକ୍ ସମୟରେ ରୋହିତମତ୍ସ୍ୟ ସହ ମୁଁ ଘରେ ପ୍ରବେଶ ନ କରେ । ମୋର ଭାଗ୍ୟ ଖରାପ ! ଷ୍ଟେସନ ଆସିବା ଉଚିତ ନଥିଲା । ହେ ଭଗବାନ୍ ! ମୋତେ ତ୍ରିଲୋଚନ ହାତରୁ ରକ୍ଷାକର ।

 

ଭଗବାନ୍‍ଙ୍କୁ ଡାକିବା ବୃଥା । ତ୍ରିଲୋଚନ ମୋତେ କାଣ୍ଟିନ୍ ଆଡ଼କୁ ଭିଡ଼ିନେଲା । ମୁଁ କେବଳ ଏତିକି କହିଲି – ତ୍ରିଲୋଚନ ! ମୁଁ ଚଞ୍ଚଳ ଫେରିଯିବି । ଜୁଆଇଁବାବୁ ଆସିଛନ୍ତି–ମତେ ମାଛଟିଏ ନେଇ......

 

ତ୍ରିଲୋଚନ ସେ କଥାକୁ ଖାତିର ନ କରି କହିଲା–ମୁଁ ତତେ ବେଶି ସମୟ ରଖୁନାହିଁ । ତୋ ସଙ୍ଗେ ମୋର ଗୋଟାଏ ଗୁରୁତର କଥା ଅଛି । ମୁଁ ତୋର ଘରକୁ ମଧ୍ୟ ଯାଇଥାନ୍ତି । ଆରେ ତୋ ଭଳି ମରମୀ ବନ୍ଧୁ ଜୀବନରେ ମୁଁ ଆଉ ଦ୍ୱିତୀୟ ପାଇନାହିଁ । ତୋ ଛଡ଼ା ମୁଁ ଏକଥା ବା ଆଉ କାହାକୁ କହିବି ?

 

ଆମ୍ଭେମାନେ କାଣ୍ଟିନ୍‍ରେ ବସିଲୁ । ସେ ଦୁଇଟା କେକ୍, ଦୁଇଟା ଆମ୍‍ଲେଟ ଓ ଚାହା ବରାଦ ଦେଲା ।

 

ମୁଁ କହିଲି– ଦେ ଭାଇ ଜଲ୍‍ଦି କହ ।

 

ସେ କହିଲା – ଏସବୁ କଥା ଏମିତି ଜଲ୍‍ଦି କହି ହୁଏନା ମହେଶ ! ସବୁ କଥା ଜଲ୍‍ଦି କହି ହୁଏନା ।

 

ମୁଁ ବିରକ୍ତ ହୋଇ ଉଠିଲି । ସବୁକଥା ଜଲ୍‍ଦି କହି ହୁଏ । ଅଲବତ୍ କହିହୁଏ । ରାମାୟଣକୁ ସାତ ଧାଡ଼ିରେ ଓ ମହାଭାରତକୁ ଅଠର ଧାଡ଼ିରେ କହି ଦେଇ ହେବ । ତୁ ଚଞ୍ଚଳ କହ-

 

ତ୍ରିଲୋଚନ ମୋ ମୁହଁକୁ ବଲବଲ କରି କିଛି ସମୟ ଚାହିଁ ରହିଲା । ତା’ର ଆଖି ଭିତରେ କିଛି ଗୋଟାଏ ଆତଙ୍କ ଓ ବିବ୍ରତତା ଫୁଟି ଉଠୁଥିଲା । ତା’ ସଙ୍ଗେ ସଙ୍ଗେ କିଛି ଗୋଟାଏ ବିଜାତୀୟ ଘୃଣା ଓ ବିଦ୍ୱେଷର ଉନ୍ମତ୍ତତା ମଧ୍ୟ ଫୁଟି ଉଠୁଥିଲା । ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ସେ କହିଲା–

 

ତୋ ସଙ୍ଗେ ଏହା ମୋର ଶେଷ ଦେଖା ମଧ୍ୟ ହୋଇପାରେ ମହେଶ !

 

ମୁଁ ଚିଡ଼ି ଯାଇ କହିଲି–ଈଶ୍ୱର କରନ୍ତୁ–ତାହାହିଁ ହେଉ ତ୍ରିଲୋଚନ ! ତୁ ତୋର ଏହି ଶେଷ ଦେଖାରେ ଶେଷ କଥାଟା ଶେଷଥର ପାଇଁ ଚଞ୍ଚଳ କହିଦେ–ଏତିକି ମୋର ମାଗୁଣି ତୋ ପାଖରେ ।

 

ତ୍ରିଲୋଚନ ତା’ ବ୍ୟାଗ ଫିଟାଇଲା ଓ ତା’ ଭିତରୁ ଗୋଟାଏ ତାଡ଼ା କାଗଜ ବାହାର କଲା-। ମୁଁ ପ୍ରମାଦ ଗଣିଲି । ପଚାରିଲି ଏସବୁ କ’ଣ ତ୍ରିଲୋଚନ ?

 

ତ୍ରିଲୋଚନ ଗୋଟାଏ ହିଂସ୍ର ଭ୍ରୂକୁଟୀ କରି କହିଲା – ଚିଠି–ଚିଠି–

 

ମୁଁ କହିଲି–ଚିଠି ? ମାନେ ?

 

ମାନେ ଚିଠି–କୃତଘ୍ନତାର–ବିଶ୍ୱାସଘାତକତାର ।

 

ଏସବୁ ବୃଥା ନାଟକୀୟତା ଲାଗି ମୁଁ ପ୍ରସ୍ତୁତ ନ ଥିଲି । ତେଣୁ କଥାଟାକୁ ସହଜ କରିବାକୁ ଯାଇ ମୁଁ ପଚାରିଲି ଅତି ସହଜ ଗଳାରେ

 

ତୋ ପୁଅ ଦେଇଛି ! ବଡ଼ପୁଅ ସଙ୍ଗେ ପରା ତୋର ତିନିବର୍ଷ ହେଲା କଥା ବନ୍ଦ ? ପୁଅବୋହୂ ବର୍ତ୍ତମାନ କୋଉଠି ?

 

ତ୍ରିଲୋଚନର ଆଖିରେ କିଞ୍ଚିତ୍ ବିରକ୍ତି ଓ ଘୃଣାର ଆଭାସ ପାଇ ମୁଁ କଥାଟିକୁ ବାଆଁରେଇ ଦେବାକୁ ଯାଉଛି–ତ୍ରିଲୋଚନ କହିଲା–ପୁଅ ବୋହୂ କିଏ କାହାର ? ସେମାନେ ଯଦି ସତରେ ମୋ ପୁଅ ହୋଇଥାନ୍ତେ........

 

ମୁଁ ତ୍ରିଲୋଚନର ସେହି ପୁରୁଣା କଥା ଜାଣେ । ସେ କଥା ପଡ଼ିଲେ ମୋର ମଧ୍ୟ ମୁଣ୍ଡ ବିଗିଡ଼ିଯାଏ । ଆଜିକୁ ପଚିଶବର୍ଷ ହେଲାଣି ତ୍ରିଲୋଚନର ବିବାହ । ବଡ଼ ପୁଅ ବଡ଼ ଚାକିରି କରିଛି । ବୋହୂ ମଧ୍ୟ ତା’ ପାଖରେ । ଆଉ ଦୁଇଟା ପୁଅ ଓ ଗୋଟିଏ ଝିଅ କଲେଜରେ ପାଠ ପଢ଼ୁଛନ୍ତି । ତ୍ରିଲୋଚନର ସ୍ତ୍ରୀ ରଂଜିତା ଦେବୀ ପରମା ସୁନ୍ଦରୀ –ଏପରି ସୁନ୍ଦରୀ ଯେ ଖାସ୍ ସେହି କାରଣରୁ ଆମ୍ଭେମାନେ ତ୍ରିଲୋଚନକୁ ଈର୍ଷା କରିଥାଉଁ । ଆଜି ପର୍ଯ୍ୟନ୍ତବି ତ୍ରିଲୋଚନର ସ୍ତ୍ରୀ ତାଙ୍କର ଯୌବନ ଓ ସୌନ୍ଦର୍ଯ୍ୟ ଯୋଗୁଁ ବହୁ ନାରୀଙ୍କର ଈର୍ଷାର ପାତ୍ରୀ ହୋଇ ପଡ଼ନ୍ତି । ଖାଲି ସୌନ୍ଦର୍ଯ୍ୟ ଯୋଗୁଁ ନୁହେଁ ତ୍ରିଲୋଚନର ସ୍ତ୍ରୀ ଭଳି ବନ୍ଧୁବତ୍ସଳା ମଧୁର ସ୍ୱଭାବ ପତ୍ନୀ ଖୁବ୍ କମ୍ ଦେଖାଯାନ୍ତି । ଭଦ୍ରମହିଳା ଏତେ ମଧୁର ଭାଷିଣୀ ଆଉ ଏତେ ରସମୟୀ ଯେ ଯେ କୌଣସି ଅନାଡ଼ି ପୁରୁଷ ସେତିକି ମାତ୍ର ବ୍ୟବହାର ପାଇଁ ହୁଏତ ତାକୁ ପ୍ରେମରେ ପଡ଼ିବା ଭାବି ଚଞ୍ଚଳ ହୋଇ ପଡ଼ିବ ଓ କିଛି ଅବିମୃଷ୍ୟକାରୀତା ମଧ୍ୟ ଦେଖାଇ ଦେଇ ପାରିବ । ଏଭଳି ଦୁର୍ଘଟନା ମଧ୍ୟ ତାଙ୍କ ପାଖରେ ବହୁତ ଘଟିଛି ଏହି ପଚିଶବର୍ଷ ମଧ୍ୟରେ । ତ୍ରିଲୋଚନ ଗୋଟାଏ ଘୁଷୁରି । ଗୋଟାଏ ଘୁଷୁରି ହାତରେ ଏଭଳି ଗୋଟାଏ ଆଂଜେଲ୍ ପଡ଼ିବା ଭାଗ୍ୟର ବିଡ଼ମ୍ୱନା ବୋଲି ମୁଁ ମନେକରେ । ତ୍ରିଲୋଚନ ସେହି ବିବାହ ଦିନଠାରୁ ପତ୍ନୀଙ୍କୁ ସନ୍ଦେହ କରି ଆସିଛି । ଆଉ ସେ ସନ୍ଦେହ ଶତବାର ଅଗ୍ନି ପରୀକ୍ଷା ପରେ ମଧ୍ୟ ମୋଚନ ହୋଇନାହିଁ ତା’ ମନରୁ । ବହୁବାର ତା’ର ସନ୍ଦେହୀ ମନର ଅତ୍ୟାଚାରରେ ରଂଜିତା ଦେବୀ ଆକ୍ରାନ୍ତ ହୋଇ ପଡ଼ିଛନ୍ତି । ବହୁବାର ସେହି ସନ୍ଦେହର କାଳିମା ଘୁଞ୍ଚାଇବାକୁ ଯାଇ ମୁଁ ମଧ୍ୟ ପ୍ରାଣାନ୍ତକ ହୋଇଛି । ଆଗେ ପ୍ରତି ମାସରେ ତ୍ରିଲୋଚନ ଗୋଟାଏ ନୂତନ ସମସ୍ୟା ନେଇ ମୋ ପାଖକୁ ଆସୁଥିଲା । ବର୍ଷ ବର୍ଷ ଧରି ବହୁ ଚେଷ୍ଟା ସତ୍ତ୍ୱେବି ମୁଁ କିଛି ସମାଧାନ କରିପାରି ନାହିଁ-। ତେଣୁ ସେମାନଙ୍କୁ ସେମାନଙ୍କ ଭାଗ୍ୟର ସମ୍ମୁଖୀନ ହେବାକୁ ଛାଡ଼ି ଦେଇ ମୁଁ ମୋ ସଂସାର ଭିତରେ ବୁଡ଼ି ରହିଥିଲି ଏବଂ ତ୍ରିଲୋଚନକୁ ଗତ ପାଞ୍ଚବର୍ଷ ହେଲା ବରାବର ଆଡ଼େଇ ହୋଇ ଚାଲୁଥିଲି । ମାତ୍ର ଆଜି ମୋର ଦୁର୍ଯୋଗ–ତ୍ରିଲୋଚନର ହାବୁଡ଼େ ପଡ଼ିଯାଇଛି । କ’ଣ ଏ ସମସ୍ୟା ପୁଣି କେଜାଣି । ଭଗବାନ୍ ! ଏଇଟା ଏହି ପାଷାଣ୍ଡ ରାସ୍କେଲଟାର ଶେଷ ସମସ୍ୟା ହୁଅନ୍ତା କି !

 

ତ୍ରିଲୋଚନ ଖୁବ୍ ଗମ୍ଭୀର ହୋଇ ଚିଠି ବିଡ଼ାଟିକୁ ଫିଟାଇଲା । ତା’ର ମୁହଁରେ ଗୋଟାଏ ନରହନ୍ତାର ବିଭୀଷିକା ଫୁଟି ଉଠୁଥିଲା । ଗୋଟାଏ ହିଂସ୍ର-ଉତ୍ତେଜନାରେ ସେ ନାଲି ପଡ଼ିଯାଇଥିଲା-। ମୁଁ ରାଗିଗଲି । କହିଲି–

 

କ’ଣ ବେ ! ସେ ନଥି ସବୁ କାଢ଼ୁଛୁ ? ସଫା କଥା ସଂକ୍ଷେପରେ କହିଦେ । କ’ଣ ସେ ଚିଠି ସବୁ ? କ’ଣ ସେଥିରେ ସବୁ ଅଛି ?

 

ତ୍ରିଲୋଚନ ହଠାତ ଅଟ୍ଟହାସ୍ୟ କରି ଉଠିଲା ସ୍ଥାନ କାଳ ପାତ୍ର ଭୁଲିଯାଇ । ତା’ପରେ କହିଲା–ଏଥର ? ଏଥର ସେ ବଜାତ୍ ମାଈକିନା ଯିବ କୁଆଡ଼େ !

 

ମୁଁ ଚିଡ଼ିଯାଇ କହିଲି–ଯିବ ଆଉ କୁଆଡ଼େ ? ତୋ ମଶାଣିକି ।

 

ତ୍ରିଲୋଚନ ନାଟକୀୟଭାବେ କହିଲା–ଫ୍ରେଲିଟି ! ଦାଇ ନେମ୍ ଇଜ୍ ଉମାନ !

 

ମୁଁ ମଧ୍ୟ ତଦ୍ରୂପ ନାଟକୀୟ ସଂଳାପଟିଏ ଯୋଡ଼ି ଦେଇ ବସିଲି–‘‘ଅବିଶ୍ୱାସ ! ତୋର ନାମ ତ୍ରିଲୋଚନ ମହାନ୍ତି ।’’

 

ତ୍ରିଲୋଚନ ଖତେଇ ହେବା ଭଳି କହିଲା–‘‘ଅବିଶ୍ୱାସ ! ହାଃ ହାଃ ହାଃ ଅବିଶ୍ୱାସ ପଚିଶବର୍ଷ ଧରି ସେ ମାଈକିନା ମୋତେ ଭଣ୍ଡେଇ ଆସିଛି । ନିଜକୁ ସତୀ ସାବିତ୍ରୀ ବୋଲି ତୁମ୍ଭମାନଙ୍କ ଆଗରେ ଡିଣ୍ଡିମ ପିଟି ମୋତେ ସର୍ବଦା ସାନ କରି ରଖିଛି । ତୁମ୍ଭେମାନେ ତା’ର ସେଇ ମୋହିନୀମାୟାରେ ଭୁଲିଯାଅ । ମାତ୍ର ମୁଁ ରଖିଛି–ସେଇଦିନୁଁ–ସାଇତି ରଖିଛି–ରେକର୍ଡ଼, ଓରିଜିନାଲ୍ ରେକର୍ଡ଼–ତା’ରି ନିଜ ହାତ ଲେଖା–ଶ୍ରୀମନ୍ତ ଦାସ ପାଖକୁ ପଚିଶି ଖଣ୍ଡ ପ୍ରେମ ଚିଠି । ଶ୍ରୀମନ୍ତ ଦାସ କିଏ ଜାଣୁ ?

 

ମୁଁ ବିସ୍ମୟରେ ହାଁ କରି ଅନେଇ ରହିଲି ! କିଏ ?

 

ସେଇ ଯୋଉ ଟୋକା ଆମବେଳେ କଲେଜରେ କ୍ରିକେଟ୍ ଖେଳୁ ନଥିଲା ? ସେଇ ଶଳା ।

 

ହାଁ ହାଁ ସେ ବର୍ତ୍ତମାନ କୋଉଠି ? ଅନେକ ଦିନୁଁ ତା’ କଥା ଭାବିନାଇଁ ।

 

ସେ ଶଳା ମଟର ଆକ୍‍ସିଡ଼େଣ୍ଟରେ ମଲାଣି ପାଞ୍ଚବର୍ଷ ହେଲା । ଶଳା ନରକରେ ସଢ଼ୁଥିବ ।

 

ତୁ ତା’ହେଲେ ଆଉ ଏତେ ବ୍ୟସ୍ତ କାହିଁକି ? ତା’ଛଡ଼ା ପଚିଶବର୍ଷ ତଳର ରଂଜିତା ଦେବୀଙ୍କ ହାତଲେଖା ଚିଠି ତୁ ପାଇଲୁ କୋଉଠୁ ? ତା’ ମଧ୍ୟ ତୁ ଆଜିଯାଏ ସାଇତି ରଖିଥିଲୁ କାହିଁକି ? ତୋର କ’ଣ ମୁଣ୍ଡ ବିଗିଡ଼ି ଗଲାଣି ତ୍ରିଲୋଚନ ?

 

ତ୍ରିଲୋଚନ କିଛି ସମୟ ଗୁମ୍ ମାରି ବସିଲା । ତା’ପରେ କହିଲା–ସେ ଚିଠିସବୁ ନିଜେ ଶ୍ରୀମନ୍ତ ମୋ ପାଖକୁ ସେହି ବିବାହ ସମୟରେ ରେଜିଷ୍ଟ୍ରି କରି ପଠାଇ ଦେଇଥିଲା । ସେଇଦିନୁଁ ତାକୁ ସବୁ ମୁଁ ସାଇତି ରଖିଥିଲି ମୋ ଟ୍ରଙ୍କରେ । ଆଜି ସେ ବଜାତ୍ ମାଈକିନା ମୋ ଟ୍ରଙ୍କ ଖୋଲି ସେ ସବୁ ଚିଠି ମାରି ନେଇ ନଷ୍ଟ କରିଦେବ ବୋଲି ବସିଥିଲା ମାତ୍ର ମୁଁ ହଠାତ ପହୁଁଚି ଯାଇ ତାକୁ ମାଡ଼ି ବସି ତା’ ହାତରୁ ଏତେକ ଛଡ଼େଇ ଆଣିଛି । ଦେଖ୍, ଛଡ଼ା ଛଡ଼ିରେ କେମିତି ସେ ମୋ ହାତକୁ କାମୁଡ଼ି ଦେଇଛି ଦେଖ୍ ।

 

ସତକୁସତ ତ୍ରିଲୋଚନର ପାପୁଲିରେ କାମୁଡ଼ା ଦାଗ ରହିଥିଲା । ମୁଁ କହିଲି–ଆବେ ବୁଡ଼୍‍ କକ୍, ସେମିତି କଲେଜ ଜୀବନରେ ଟୋକା ଟୋକୀଙ୍କ ଭିତରେ ଲକ୍ଷେ ଚିଠି ଦିଆନିଆ ଚାଲେ । ମୋ ସ୍ତ୍ରୀଙ୍କ ପାଖକୁ ମଧ୍ୟ ଶ୍ୟାମଳ ଦାସ ବୋଲି ଗୋଟେ ଟୋକା ବହୁ ଚିଠି ଲେଖିଥିଲା । ମୋ ସ୍ତ୍ରୀ ମଧ୍ୟ ତା’ ପାଖକୁ ବହୁତ ପ୍ରେମ ଚିଠି ଲେଖିଥିଲା । ମୋର ବିବାହ ପରେ ପ୍ରତିଶୋଧ ନେବା ଲାଗି ସେ ଟୋକା ସେ ଚିଠିତକ ଗୋଟାଏ ବହି କରି ଛପାଇ ଦେଇଥିଲା । ଆଉ ଜାଣୁ ! ସେ ବହି ପ୍ରାୟ ପାଞ୍ଚ ହଜାର ଯାଏଁ ବିକ୍ରି ହୋଇଥିଲା । ତା’ର ବୋଧେ ୨ୟ ସଂସ୍କରଣ ହୋଇଥିଲା ନା କ’ଣ ! ମୁଁ ସେ ସବୁ ପଢ଼ିଛି । ଭାରି ସୁନ୍ଦର ସାହିତ୍ୟ ଚିଠି ସବୁ । ତାକୁ ପଢ଼ିସାରି ମୁଁ ଥରେ ମୋ ସ୍ତ୍ରୀଙ୍କୁ ପଚାରିଦେଲି–ହଇଓ ! ଏଡ଼େ ସୁନ୍ଦର ଚିଠି ସବୁ ସେ ଟୋକା ପାଖକୁ ଲେଖିଥିଲଟି ? କାହିଁ ମୋ ବେଳକୁ ତ ଏ ଭାବ, ଏ ଭାଷା ପଦେବି ବାହାରୁ ନାହିଁ । ମୋ ସ୍ତ୍ରୀ ଖୁବ୍ ବିରକ୍ତ ହୋଇ କହିଲେ–ଶ୍ୟାମଳ ଦାସ ଆଉ ତୁମେ ? ତାକୁ ଦେଖିଲେ ଗପିବାକୁ ଇଚ୍ଛା ହେବ–ପୃଷ୍ଠା ପରେ ପୃଷ୍ଠା ଚିଠି ଲେଖିବାପାଇଁ ପ୍ରେରଣା ଆସିଯିବ, ଆଉ ତୁମେ ? ତୁମକୁ ଦେଖିଲାମାତ୍ରେ କବିତାର ଉତ୍ସ ଶୁଖିଯିବ-। ଶ୍ୟାମଳ ଆଉ ତୁମେ ? ବୁଝିଲୁ ତ୍ରିଲୋଚନ ! ସେ ଚିଠି ସବୁ କବିତା ଭଳିଆ ଜିନିଷ । ତୁ ଶଳା ତାକୁ ଏତେ ଗୁରୁତ୍ୱ ଦେଇ ପଚିଶିବର୍ଷ ହେଲା ସାଇତି ରଖିଛୁ–ହଇବେ ?

 

ତ୍ରିଲୋଚନ ମୋର ପାପୁଲିକୁ ଦୃଢ଼ଭାବେ ଜାବୁଡ଼ି ଧରି କହିଲା–ମତେ ଏତେ ବୋକା ବୋଲି ଭାବିବୁନି ମହେଶ ! ତୋ ସ୍ତ୍ରୀ କଥା ଅଲଗା ।

 

ମୁଁ ଚିଡ଼ିଗଲି–। କାହିଁକି ମୋ ସ୍ତ୍ରୀ କ’ଣ ସୁନ୍ଦରୀ ନୁହ ? ବାଃ ତୁଇ ଖାଲି ଗୋଟାଏ ଅପ୍‍ସରା ବାହା ହୋଇଛୁ ।

 

ତ୍ରିଲୋଚନ ସେ କଥାକୁ କାନ ନ ଦେଇ କହିଲା–

 

ମୁଁ ଏତେ ବୋକା ନୁହ ମହେଶ ! ସେ ଚିଠି ସବୁ ପଚିଶିବର୍ଷ ତଳର ହେଲେବି ସେ କେବଳ ଖିଆଲି କବିତା ନୁହ । ତୁ ଜାଣୁନା–କେବେ ମଧ୍ୟ ବିଶ୍ୱାସ କରିନାହୁଁ–ଆଜିକୁ ପଚିଶବର୍ଷ ଧରି ରଂଜିତା ସେହି ଶ୍ରୀମନ୍ତ ଦାସ ପାଖକୁ ପଳାଇଯିବ ବୋଲି ବହୁତ ଥର ମୋ ଘରୁ ଗୋଡ଼ ଟେକିଛି । ମାତ୍ର ମୁଁ ତାକୁ ଅଟକାଇ ଦେଇଛି ସବୁଥର । ସେହି କଥା ନେଇ ଆମ ଭିତରେ ବହୁ ସଂଘର୍ଷ ହୋଇଛି । ତୁମ୍ଭେମାନେ ସାମୟିକ ସମାଧାନ କରି ଆସିଛ–ମାତ୍ର ସଂଘର୍ଷର ମୂଳ କାରଣ କେବେ ବୁଝି ପାରିନାହଁ । ରଂଜିତା ମୋ କୋଳରେ ପଚିଶବର୍ଷ ଶୋଇଛି–ଆଉ ସବୁ ରାତିରେ ଶ୍ରୀମନ୍ତ ଦାସକୁଇ ସ୍ୱପ୍ନ ଦେଖିଛି । ରଂଜିତାର ସବୁ ପିଲା ମଧ୍ୟ ତା’ର ଶ୍ରୀମନ୍ତ ଦାସ ସଙ୍ଗେ ସ୍ୱପ୍ନ-ମିଳନରୁ ଜନ୍ମ ହୋଇଛନ୍ତି । ଆଜି ଆଉ ଶେଷ ମୁହୂର୍ତ୍ତରେ ରଂଜିତା ମୋତେ ଫାଙ୍କି ଦେଇ ପାରିଲା ନାହିଁ । ମୁଁ ମଧ୍ୟ ଆଜି ଆଉ ରଂଜିତାକୁ ଅଟକାଇ ପାରିଲି ନାହିଁ । ପାରିଲି ନାହିଁ ନୁହ–ତାକୁ ଯିବାକୁ ଛାଡ଼ିଦେଲି । କହିଲି – ଯା’ ରଂଜିତା–ଆଉ ନୁହେଁ, ଆଉ ନୁହେଁ । ତୋର ପ୍ରକୃତ ପ୍ରେମିକ ପାଖକୁ ଚାଲିଯା । ମୁଁ ବିସ୍ମିତ ହୋଇ ପଚାରିଲି–କୁଆଡ଼ିକି ଛାଡ଼ିଦେଲୁ ?

 

ଶ୍ରୀମନ୍ତ ଦାସ ପାଖକୁ–

 

ମାତ୍ର ଶ୍ରୀମନ୍ତ ଦାସ ଯେ ବର୍ତ୍ତମାନ ସ୍ୱର୍ଗରେ !

 

ସ୍ୱର୍ଗରେ ସେ ଶଳା ରାସ୍କେଲକୁ ସ୍ଥାନ ମିଳିବ ? ଶଳା ପଡ଼ିଛି ଯାଇ କୁମ୍ଭୀପାକ ନରକରେ ।

 

କିନ୍ତୁ ସେଠିକି ରଂଜିତା ଦେବୀ ଯିବେ କିପରି ! ପଥ ବଡ଼ ଦୁର୍ଗମ । ତା’ଛଡ଼ା ଏକୁଟିଆ–ଅବଳା ଦୁର୍ବଳା ।

 

ନା’ ମୁଁ ମଧ୍ୟ ଯାଉଛି ତା’ ପଛେ ପଛେ । ତାକୁ ନେଇ ଶ୍ରୀମନ୍ତ ଦାସର କୋଳରେ ପକାଇ ଦେଇ କହିବି–ନେ ଶ୍ରୀମନ୍ତ ନେ ! ତୋର ଏହି ପ୍ରେମିକାକୁ କୁଣ୍ଢାଇ ଧରି ତତଲା ତେଲ କଡ଼େଇରେ ଭାଜି ହେଉଥା...‘‘ତୁ ଜାଣୁ ମହେଶ !’’ ତ୍ରିଲୋଚନର କଣ୍ଠ ଖୁବ୍ ରୁଦ୍ଧ ଓ ଶ୍ୱାସ ତାଡ଼ିତ ହୋଇ ଉଠିଲା । ‘‘ସେଇ ଚିଠି ଛଡ଼ାଛଡ଼ି ବ୍ୟାପାରବେଳେ ସେ ମୋର ହାତକୁ କାମୁଡ଼ି ଧରିଲା । ମୁଁ–ମୁଁ ତା’ର ତଣ୍ଟି ଚିପି ଧରିଲି । ସେ ଗଁଗଁ ହୋଇ ତଳେ ପଡ଼ିଗଲା । ତା’ପରେ ସବୁ ଶେଷ । ମୁଁ ତାକୁ ଘରେ କୋଲପ ପକାଇ ଦେଇ ଆସିଛି । ଆଉ ହେଇ ଦେଖ ! ମୋ ହାତରେ ବିଷ ! ଯିବା ପୂର୍ବରୁ ଭାବିଲି ଏ ଖବର ମୋର ଜଣେ ସର୍ବଶ୍ରେଷ୍ଠ ମରମୀ ବନ୍ଧୁକୁ କହି ଦେଇଯିବି । ଅନ୍ତତଃ ଜଣେ ଜାଣୁ-ତ୍ରିଲୋଚନ ମହାନ୍ତି ଚିରଦିନ ଗୋଟାଏ ବ୍ୟଭିଚାରିଣୀ ଛଳନାମୟୀ ମାଈକିନା ପାଖେ ଛଳିତ ହୋଇ ରହିନାହିଁ । ତା’ର ଆଖି ଖୋଲି ଯାଇଛି । ଏଇ ଦେଖ ! ମୋ ହାତରେ ବିଷ ! ମୁଁ ଚାଲିଲି ଭାଇ ! ଚାଲିଲି–

 

ତ୍ରିଲୋଚନ ଉଠି ଠିଆହେଲା । ମୁଁ ତା’ର ହାତ ଧରି ପକାଇଲି । ମୋର ସର୍ବାଙ୍ଗ ଥରୁଥିଲା । ଗୋଟାଏ ପାଗଳ ନାରୀହନ୍ତା ସାଙ୍ଗେ ମୁଁ ବର୍ତ୍ତମାନ ଏତେ ସମୟ କାଟିଲିଣି । ତା’ର ସମସ୍ତ ଅପକର୍ମର ପ୍ରଭାବ ମୋ ଭିତରେ ସଞ୍ଚରି ଗଲାଣି । ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲି । ମାତ୍ର ତ୍ରିଲୋଚନ ମୋ ଠାରୁ ହାତ ଛଡ଼ାଇ ନେଇ ଦ୍ରୁତ ପଦକ୍ଷେପରେ ହୋଟେଲରୁ ବାହାରିଗଲା । କ୍ଷଣକ ଲାଗି ମୋର ମନେହେଲା–ମରୁ ସେ ମରୁ–ମୋର କି ଯାଏଁ ? ମୋ ଜୋଇଁ ଆସିଛନ୍ତି । ମୋର ସୁଖର ସଂସାର–ନିର୍ମଳ ସଂସାର–ମୁଁ ମାଛଟିଏ ପାଇଁ ଆସିଛି । ମୁଁ ଯାଏଁ–ମୋର ପତ୍ନୀ ଅପେକ୍ଷା କରିଥିବେ । ମୋର ଏ ସବୁ ବ୍ୟାପାର ସଙ୍ଗେ ଆଉ ବେଶ୍ ଜଡ଼ିତ ହେବା ଭଲ ନୁହେଁ । ମାତ୍ର ଏତେକ ସମ୍ଭବ ହେଲାନାହିଁ । ତ୍ରିଲୋଚନକୁ ବର୍ତ୍ତମାନ ଛାଡ଼ି ଦେଇ ମୁଁ ନିଶ୍ଚିନ୍ତ ହୋଇ ପାରିବି ନାହିଁ । ଏହି ଉନ୍ମାଦ ପୃଥିବୀରେ କେହି ଶାନ୍ତିରେ ରହି ପାରିବେନି । ଓ !!

 

ତ୍ରିଲୋଚନ ପଛେ ପଛେ ମୁଁ ଛୁଟିଲି । ସେ ବେଶି ଦୂର ଯାଇ ନଥିଲା । ମୁଁ ତାକୁ ପଛଆଡ଼ିଆ ପକଡ଼ି ନେଲି । ସେ ତା’ର ହାତ ମୁଠାରେ ସେହି ବିଷ ପୁଡ଼ିଆଟିକୁ ତଥାପି ଧରିଥିଲା । ମୁଁ ଜବରଦସ୍ତି ପୁଡ଼ିଆଟିକୁ ତା’ହାତରୁ ଛଡ଼ାଇ ନେଲି । ସେ କ’ଣ କହିବ ବୋଲି ଯାଉଥିଲା, ମାତ୍ର କେମିତି କେଜାଣି ଚୁପ୍ ହୋଇଗଲା । ନିଶ୍ଚିଳ ଓ ନିସ୍ତବ୍ଧ ହୋଇଗଲା । ମୁଁ ତାକୁ ଯନ୍ତ୍ର ଭଳି ଗୋଟାଏ ରିକ୍‍ସାରେ ଉଠାଇ ନେଲି ଓ ତା’ ଘରେ ଦଶ ମିନିଟ୍ ମଧ୍ୟରେ ପହୁଞ୍ଚିଗଲି ।

 

ତ୍ରିଲୋଚନର କଲେଜ ପଢ଼ୁଆ ଝିଅ କବାଟ ଖୋଲିଲା । ତା’ ମୁହଁ ହସ ହସ ଓ ସତେଜ ଦିଶୁଥିଲା । ମା ଭଳି ସେ ମଧ୍ୟ ଖୁବ୍ ସୁନ୍ଦରୀ ଥିଲା । ମାତ୍ର ତା’ର ଉଜ୍ଜ୍ୱଳ ମୁହଁ ଦେଖି ମୁଁ ଭାବିଲି ସେ ବୋଧେ ମା’ର ମୃତ୍ୟୁ ଖବର ଜାଣେନାହିଁ । ମୁଁ ସଙ୍ଗେ ସଙ୍ଗେ ପଚାରି ଦେଲି – ମଞ୍ଜୁ ! ତୋର ମାଆ ଅଛି ନା’ରେ ଘରେ ?

 

ମଞ୍ଜୁ ହସି ହସି କହିଲା– ନା, ମା ଚାଲିଯାଇଛି ।

 

ମୁଁ ଆତଙ୍କିତ ହୋଇ ପଚାରି ଦେଲି–ମାନେ–ମାନେ–କୁଆଡ଼ିକି ? ହସ୍‍ପିଟାଲ ? ମଞ୍ଜୁ ଫେର୍ ହସିଲା । ହସ୍‍ପିଟାଲ କାହିଁକି ଯିବ ? ମା ଯାଇଛି ମାମୁଁ ଘରକୁ ।

 

ତ୍ରିଲୋଚନ ନିଶା ଖାଇଲା ଭଳି ଠିଆ ହୋଇଥାଏ । କିଛି କହୁ ନ ଥାଏ । ମୁଁ କହିଲି–କାହା ସଙ୍ଗେ ଗଲା ।

 

ମଞ୍ଜୁ କହିଲା–ଶ୍ରୀମନ୍ତ ବାବୁଙ୍କ ସଙ୍ଗେ ।

 

କୋଉ ଶ୍ରୀମନ୍ତ ?

 

ମା’ର ପୁରୁଣା ବନ୍ଧୁ ! କ୍ଲାସମେଟ୍ । ସେଇମ ଶ୍ରୀମନ୍ତ ଦାସ କ୍ରିକେଟିଅର ! ଆମେ ଡାକୁ ଶ୍ରୀମନ୍ତ କାକା !

 

ମୁଁ ଖୁବ୍ ଖୁସି ହୋଇଗଲି । ତା’ପରେ ତ୍ରିଲୋଚନକୁ ପଚାରିଲି–କିରେ ! ତୁ କହୁଥିଲୁ ନା ଶ୍ରୀମନ୍ତ ପାଞ୍ଚବର୍ଷ ହେଲାଣି ମଟର ଆକ୍‍ସିଡ଼େଣ୍ଟରେ ମରିଚି ବୋଲି ।

 

ତ୍ରିଲୋଚନ ହଠାତ ମାତାଲ ଭଳି ହସି ଉଠିଲା । ହାଃ ହାଃ ହାଃ–ତା’ହେଲେ ଶ୍ରୀମନ୍ତ ! ତୁ ପ୍ରେତ ରୂପରେ ଆସି ରଂଜିତା ସାଙ୍ଗେ ପୁଣି ଏଠି ମୋ ଘରେ ଏ ପାଲା ଆରମ୍ଭ କରି ଦେଇଛୁ–ନାହିଁ ? ଆଚ୍ଛା ଦେଖିବି–ଦେଖିବି ମୁଁ–ହାଃ ହାଃ ହାଃ.........

 

ତା’ପରେ ମଞ୍ଜୁ ତା’ ବାପାକୁ ଧରିନେଲା । ତ୍ରିଲୋଚନ ସେହିପରି ଅଟ୍ଟହାସ୍ୟ କରି ଚାଲିଥାଏ । ମଞ୍ଜୁ ମୋ ଉଦ୍ଦେଶ୍ୟରେ କହିଲା–

 

ଆପଣ ଯା’ନ୍ତୁ ମଉସା ! ବାପାଙ୍କ କଥା ଉପରେ ଗୁରୁତ୍ୱ ଦିଅନ୍ତୁ ନାହିଁ । ମା ଯାଇଛି ମାମୁଁ ଘରକୁ–କେହି ଜଣେ ବାବାଜି କୁଆଡ଼େ ସେଠି ଆସି ପହଁଚିଛନ୍ତି । ବଡ଼ ତାନ୍ତ୍ରିକ । ଶ୍ରୀମନ୍ତବାବୁଙ୍କ ହାତରେ ମାମୁଁ ଖବର ଦେଇଥିଲେ । ମା ଯାଇଛି । ଆଜି ରାତି ସୁଦ୍ଧା ଫେରି ଆସିବ......

 

ଝିଅ ହାତରେ ବାପକୁ ଧରାଇ ଦେଇ ମୁଁ ଖସି ଆସିଲି ଖୁବ୍ ଧୀରେ–ନୀରବରେ–ନିଶ୍ଚିନ୍ତରେ–ମୋର ନିଜଞ୍ଜାଳୀ ସଂସାରର ସେବା କରିବା ଉଦ୍ଦେଶ୍ୟରେ–

 

ମାତ୍ର ବଜାରରେ ବର୍ତ୍ତମାନ ଆଉ ମାଛ ମିଳିବ ତ ? ବଡ଼ କଟା ରୋହି ଅଥବା ଭାକୁର-?

Image

 

ରାଜଯୋଗ

 

ବାଇଧରବାବୁ ଅଫିସରୁ ଫେରିଲେ ସେଦିନ ପାଞ୍ଚଟା ବେଳକୁ । ଅଧ ଘଣ୍ଟାଏ ଡେରି ହେବାର କାରଣ ହେଉଛି ତାଙ୍କର ଏକ ବର୍ଷର ଇନକ୍ରିମେଣ୍ଟ ଟଙ୍କା ଏକାଠି ଶହେ ଅଶୀ ଟଙ୍କା ଓ ଏକ୍‍ସଟ୍ରା ଡିଉଟି ବାବତକୁ ଶହେ ତିରିଶ ଟଙ୍କା–ଏମନ୍ତେ ଗାଏ ମୋଟ ଟ୩୧୦ଙ୍କା କାସିଅରଙ୍କ ଠାରୁ ପାଉ ପାଉ ପାଞ୍ଚଟା ବାଜିଗଲା । ରକ୍ଷା–ଆଜି ପନ୍ଦର ତାରିଖ । ପହିଲା ତିନିଦିନ ଆଗରୁ ଓ ପର ପର ସାତ ତାରିଖ ପର୍ଯ୍ୟନ୍ତ କାସିଅରଙ୍କ ପାଖରେ ଧାଡ଼ି ଲାଗିଥାଏ । ପାଞ୍ଚୁଟା ଟଙ୍କା ପାଇବାକୁ ଘଣ୍ଟାଏ ଦୁଇଘଣ୍ଟା ଠିଆ ହେବାକୁ ପଡ଼ିପାରେ । ତିନିଶ ଦଶ ଟଙ୍କା ଏକାବେଳକେ ପାଇବା ବାଇଧରବାବୁଙ୍କ ଭଳି ସ୍ୱଳ୍ପ ବେତନ ଭୋଗୀ ନିମ୍ନବିତ୍ତ କର୍ମଚାରୀଙ୍କ ପକ୍ଷେ ଲକ୍ଷେ ଟଙ୍କା ଲଟେରୀ ପାଇପାର ସ୍ୱପ୍ନ ଦେଖିବା ଭଳି ବ୍ୟାପାର । ବାଇଧରବାବୁ ମନ ଭିତରେ ଢେର୍ ଢେର୍ ଆନନ୍ଦ, ତୃପ୍ତି, ସନ୍ତୋଷ ଓ କୃତଜ୍ଞତା ଅନୁଭବ କଲେ । ତା’ଛଡ଼ା ଆଜି ଉପରିସ୍ଥ ମଧ୍ୟ ହସିକରି ପଦେ କଥା କହିଥିଲେ । ବଡ଼ ଝୁଅ ଲାଗି ଯୋଉ ବାହାଘର ପ୍ରସ୍ତାବ ରାଧାଶ୍ୟାମବାବୁଙ୍କ ମଧ୍ୟସ୍ଥିରେ ଜନାର୍ଦ୍ଦନ ଚୌଧୁରୀଙ୍କ ବଡ଼ପୁଅ ଅଧ୍ୟାପକ ଚନ୍ଦ୍ରକାନ୍ତ ଚୌଧୁରୀଙ୍କ ସଙ୍ଗେ ପଡ଼ିଥିଲା ତାହା ପ୍ରାୟ ବାରଣା ଅଂଶରେ ଅଗ୍ରଗତି କରିଥିବା ସମ୍ୱାଦ ମଧ୍ୟ ସେ ଆଜି ପାଇଲେ । ଆଜି ଦିନଟା ଖୁବ୍ ଭଲ । ସାପ୍ତାହିକ ରାଶିଫଳରେ ଆଜି ଶନିବାରଟା ତାଙ୍କ ଲାଗି ଯାହା ବାହାରିଥିଲା–ସବୁ ମିଳିଯାଉଛି । ରାଶିଫଳ ଠିକ୍ । ଗ୍ରହମାନେ ଏ ପୃଥିବୀକୁ ସତରେ ଚଳାଉଛନ୍ତି । ଗଲା ମାସରେ ଲେଖିଥିଲା ଘାତ ଯୋଗ । ପ୍ରକୃତରେ ସାନ ପୁଅର ପେନସିଲଟା କାଟୁ କାଟୁ ତାଙ୍କ ଆଙ୍ଗୁଠି ଧନ୍ତରା ବ୍ଲେଡ଼ରେ ଟିକେ କଟି ଯାଇଥିଲା । ତେବେ ଆଷ୍ଟ୍ରୋଲୋଜିକାଲ୍ ମାଗାଜିନରେ ତାଙ୍କ ରାଶିରେ ଏ ମାସଟା ଖୁବ୍ ଶୁଭ ଲେଖିଛି । ସବୁ ଭଲ ଗ୍ରହ ଏକାଠି ମିଳିଛନ୍ତି । ରାଜଯୋଗ ପଡ଼ିପାରେ ସତ କଥା ଏକା ।

 

ବାଇଧରବାବୁ ପାଖ ଦୋକାନରେ ସାଇକେଲ ଚକାରେ ହାର୍ଡ଼ପମ୍ପ ଦେଲେ । ମାଡ଼୍ରାସ ହୋଟେଲରେ ଦୁଇଟା ମସଲା ଦୋଷା, ଗୋଟାଏ ହାଲୁଆ ଓ ଗ୍ଲାସେ କଫି ଖାଇଲେ । ମନରେ ଭାରି ତୃପ୍ତି ଓ ଗର୍ବରେ ଭାବିଲେ–ଭଲକଲି, ଖାଇଲି । ଟଙ୍କା ମୁଁ କମାଇଛି । କୋଉ ଶଳାଶାଳୀ ଶ୍ୱଶୁର ଶାଶୂ ମୋତେ ଟଙ୍କା ଦେଇ ନାହାନ୍ତି । କାହା ସାହାଯ୍ୟ ମୁଁ ପାଇନି । ମୋ ଗୋଡ଼ରେ ମୁଁ ଠିଆ ହୋଇଛି । ସର୍ବଦା କଟକଟ ହେଉଥିବା ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏତକ ମନ ଭିତରେ ସ୍ୱାଗତ ଉକ୍ତି କରି ସାରି ସେ ପାଖ ପାନ ଦୋକାନରୁ ଦୁଇଖଣ୍ଡି ୧୨୦ ନମ୍ୱର ବାବା ପତି ଦିଆ ଦଶପଇସିକିଆ ପାନ ଖାଇଲେ ଓ ଖଣ୍ଡେ ସିଗ୍ରେଟ୍ ମଧ୍ୟ ପିଇଲେ । କଳେ ଧୂଆଁ ଛାଡ଼ି ପୁଣି ଥରେ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମନେ ମନେ କହିଲେ–ଭଲକରି ବଜାରକିଣା ପାନ ଖାଇଲି–ଧୂଆଁ ପିଇଲି । କୋଉ ଶଳାଶାଳୀ ଶ୍ୱଶୁର ଶାଶୂଙ୍କ ପଇସାରେ ମୁଁ ଧୂଆଁ ପିଉନି । ତା’ପରେ ସେ ପେଟ ଭିତରେ ପାଇଖାନାର ତଲବ ଅନୁଭବ କଲେ । ଏହା ମଧ୍ୟ ତାଙ୍କୁ ଭଲ ଲାଗିଲା । ଘର ଆଉ ଅଳ୍ପ ବାଟ । ସେଠି ପହୁଁଚି ଗୁଡ଼ାଖୁ ଘଷିବେ ଓ ପାଇଖାନା ଯିବେ । –ଆରାମରେ ଝାଡ଼ା ଫେରିବେ । ତା’ପରେ ଟିକେ ସୁଜି ବା ରୋଟୀ ଜଳଖିଆ ଖାଇବେ । କପେ ଚାହା ପିଇବେ । ବଡ଼ଝିଅ ଓ ପୁଅ ମଗାଉଥିବା ଇଲଷ୍ଟ୍ରେଟେଡ଼୍ ଉଇକଲି ଧରି ସେ ଘର ଆଗ ସାନ ବଗିଚାରେ ଇଜି ଚଉକିରେ ବସି ପୃଷ୍ଠା ଓଲଟାଇବେ ଓ ଚାରିଦିନ ହେଲା ଆସିଥିବା ବଡ଼ ଝିଆରୀର ତିନିବର୍ଷର ଝିଅ ସଙ୍ଗେ ଅଜା ନାତୁଣୀ ରହସ୍ୟ ଖେଳିବେ । ତା’ପାଇଁ ସେ ମଧ୍ୟ କିଛି ଚକୋଲେଟ କିଣି ଆଣିଛନ୍ତି । ମନରେ ଭାବିଲେ–ଭଲ କଲି କିଣିଲି । କୋଉ ଶଳାଶାଳୀ ଶ୍ୱଶୁର ଶାଶୂ ପଇସାରେ ମୁଁ ମୋ ନାତୁଣୀକି ଚକୋଲେଟ୍ ଖୁଆଉ ନାହିଁ । ତା’ପରେ ବାଇଧରବାବୁ ସାଇକେଲରେ ବସିଲେ ଓ ପୁଣିଥରେ ଛାତି ପକେଟକୁ ଚାହିଁଲେ ଓ ହାତମାରିଲେ । ନାଁ–ଟଙ୍କାତକ ଠିକ୍ ଅଛି । ପାନ ଦୋକାନରେ ପକେଟମାରୁ ହୋଇନାହିଁ । ସେଇଠି ତାଙ୍କର ମନେ ପଡ଼ିଲା ତାଙ୍କର କଟକଟିଆ ସ୍ତ୍ରୀ ଜିଲୀ ବୋଉଙ୍କ କଥା । କିନ୍ତୁ ହଠାତ ତାଙ୍କ ପ୍ରତି ମନ ଭିତରଟା କୃତଜ୍ଞତାରେ ପୂରି ଉଠିଲା, ପ୍ରେମରେ ଉଛୁଳି ଉଠିଲା । ବିଚାରୀ ଏତେଟଙ୍କା ଏକାଠି ହଠାତ ଦେଖି ଭାରି ଖୁସୀ ହୋଇଯିବ । କ’ଣ କରିବ ହତଭାଗୀ । ଏତେବଡ଼ ପରିବାରକୁ ହନ୍ତ ସନ୍ତ ହୋଇ, ଝାଳନାଳ ହୋଇ, ସକାଳ ଛଅରୁ ରାତି ବାରଯାଏ ଚକ୍ରୀଭଳି ଚଳାଉଛି । ଖିଆ ନାହିଁ, ପିନ୍ଧା ନାହିଁ, ନିଦ୍ରା ନାହିଁ । ତା’ର ବା କି ଦୋଷ । ଟଙ୍କେ ମଷେ ବାହାର ଖର୍ଚ୍ଚ ହୋଇଗଲେ ଚିଡ଼େ ସିନା କିନ୍ତୁ ସ୍ୱାମୀ ନିଜେ ଖାଇଲେ କି ଭଲ ପିନ୍ଧିଲେ ଚିଡ଼େ ନାହିଁ । ଦୁଇଟା ଝିଅଙ୍କ ବାହାଘର ଲାଗି ଟଙ୍କା ସଞ୍ଚୁଛି । ଜିନିଷପତ୍ର ଗହଣା କିଣି ରଖୁଛି । ଗୁଣ୍ଡୁଚିମୂଷା ଭଳି, ଘରଚଟିଆ ଭଳି ଯାହା ଯେତେବେଳେ ଯୋଉଠୁ ପାଉଛି କିଣି ପକାଉଛି । ସାଇତି ରଖୁଛି । ଆହା ! କି ସୁଖ ପାଇଛିଟି ମୋ ଭଳି ହତଭାଗା ଲୋକର ହାତଧରି !!

 

ବାଇଧରବାବୁଙ୍କ ମନ ସ୍ତ୍ରୀ ଲାଗି ବିକଳ ହେଲା । ଆଖି ଜକେଇ ଆସିଲା । ସେ ମନେ ମନେ ତାଙ୍କର ସେହି ରୋଗିଣା ଧେଙ୍କେଡ଼ୀ ସ୍ତ୍ରୀର ସର୍ବାଙ୍ଗରେ ଚୁମା ଦେଇଗଲେ ଓ ମନରେ ସ୍ଥିର କଲେ କିଛି ମଲ୍ଲୀମାଳ ଓ ବଉଳମାଳ ଆଜି ତା’ ପାଇଁ କିଣିନେବେ । ଜିଲୀବୋଉ ଆଗେ ଭାରି ଫୁଲ-ରଙ୍କୁଣୀ ଥିଲା । ଗହଣାଠଉଁ ଫୁଲରେ ତା’ର ବେଶ୍ ଲୋଭ । ଦୁଇଟି ଫୁଲମାଳ କିଣି ସେ ପୁଣି ସାଇକେଲରେ ବସି ଭାବିଲେ । ଏତକ ମାଳ ଆଜି ତା’ର ଖୋସାରେ ଗୁଡ଼ାଇ ଦେଇ ସେ ତା’ର ପିଲାମାନଙ୍କ ଆଗରେ ତାକୁ ଚୁମା ଦେବେ । ଏବଂ ପିଲାମାନଙ୍କୁ ପରୋକ୍ଷରେ ଜଣାଇ ଦେବେ–ଦେଖ ବାବା ମା ମାନେ ! ତୁମ୍ଭମାନଙ୍କ ମାଆଠାରୁ ଆଉ ମୋର କେହି ପ୍ରିୟ ନାହିଁ । ସେ ମୋର ଜୀବନର ସର୍ବସ୍ୱ । ତାକୁ ପାଇ ମୁଁ ଧନ୍ୟ । ସେଇ ତୁମମାନଙ୍କ ଭଳି ରତ୍ନ ମୋତେ ଦେଇଛି-। ସତକୁ ସତ ତାଙ୍କର ପିଲାମାନେ ଭାରି ଭଲ । ବଡ଼ ଝୁଅ ତ ରୂପ ଓ ଗୁଣରେ ସୁଲକ୍ଷଣୀ-। ଏମ୍. ଏ ପଢ଼ୁଛି । ସାନ ଝିଅ ଓ ବଡ଼ ପୁଅ ବୃତ୍ତି ପାଉଛନ୍ତି । ସାନ ପୁଅଟା ତ ସବୁଙ୍କୁ ବଳିଯିବ ଯାହା ଜଣା ପଡ଼ିଲାଣି ।

 

ବାଇଧରବାବୁ ସବୁକଥା ଭୁଲି ପତ୍ନୀଙ୍କ ପ୍ରେମରେ ବିଭୋଳ ହୋଇ ଭାବିଲେ–ଏ ଜୀବନ ଧନ୍ୟ, ଏ ସଂସାର ସୁନ୍ଦର, ଏଠି କିଛି ଦୁଃଖ ନାହିଁ । ହେ ଭଗବାନ୍ ! ମୋର ଆଉ କିଛି ଦରକାର ନାହିଁ, ଜୀବନରେ ମୋର କିଛି ଉଚ୍ଚାକାଂକ୍ଷା ନଥିଲା – ନାହିଁ ମଧ୍ୟ । ପିଲାମାନଙ୍କୁ ଘଣ୍ଟ ଘୋଡ଼ାଇ ରଖ । ତାଙ୍କ ଭାଗ୍ୟ ଧରି ସେମାନେ ଗତି କରନ୍ତୁ । ଶାଗ ଖାନ୍ତୁ କି ପଲାଉ ଖାନ୍ତୁ–କେବଳ ସୁସ୍ଥ ହୋଇ ବଞ୍ଚି ରହନ୍ତୁ । କାହାକୁ ତଣ୍ଡନ୍ତୁ ନାହିଁ–କାହାକୁ ଦଣ୍ଡନ୍ତୁ ନାହିଁ । କାହାଠୁଁ ଛଡ଼େଇ ନିଅନ୍ତୁ ନାହିଁ । ବଡ଼ମଣିଷ ହେଲେ ଜଗତର ଉପକାର କରନ୍ତୁ । ସାଧାରଣ ମଣିଷ ହେଲେ କାହାର ଅପକାର ନ କରି ଜଗତର ସେବାକାରୀ ହୋଇ ରହନ୍ତୁ । ଭଗବାନ୍ ! ମୋର ଖାଲି ଏତିକି ପ୍ରାର୍ଥନା–ଥରେ କେବଳ ମୃତ୍ୟୁ ପୂର୍ବରୁ ଜିଲୀବୋଉକୁ ଓ ମୋତେ ଦର୍ଶନ ଦିଅ ଓ ଆମର ଯୁଗଳ ଆତ୍ମାକୁ ମୃତ୍ୟୁ ପରେ ତୁମ ପାଦ ତଳେ ଏକତ୍ର ଆଶ୍ରା ଦିଅ ।

ବାଇଧରବାବୁଙ୍କ ଆଖି ଭକ୍ତି, ତୃପ୍ତି, ଶାନ୍ତି, କୃତଜ୍ଞତା ଓ ଉଦାରତା ବୋଧରେ ସଜଳ ହୋଇ ଉଠିଲା । ସେ ଚତୁର୍ଦ୍ଦିଗକୁ ଚାହିଁ ଦେଖିଲେ ଓ ପ୍ରାର୍ଥନା କଲେ–ପ୍ରଭୁ ! ସମସ୍ତଙ୍କୁ ସୁଖରେ ରଖ ।

ଇତିମଧ୍ୟରେ ସାଇକେଲଟି ତାଙ୍କ ବସା ପାଖରେ ପହୁଁଚି ଯାଇଥିଲା । ଆଜି ପାଗଟି ମଧ୍ୟ ବେଶ୍ ଭଲ ଅଛି । ଗତକାଲି ବର୍ଷା ହୋଇଥିଲା । ଆଜି ‘‘ଖଣ୍ଡ ଖଣ୍ଡ ଧଳାମେଘ ଭାସଇ ଅମ୍ୱରେ–ବୋଇତ ଭାସଇ ଯଥା ନୀଳ ସମୁଦ୍ରରେ ।’’

ଦକ୍ଷିଣ ଦିଗରୁ ମୃଦୁ ମନ୍ଦ ମଳୟ ବହୁଅଛି । ଉଦ୍ୟାନମାନଙ୍କରୁ ପୁଷ୍ପରାଶିର ସୌରଭ ଚତୁର୍ଦ୍ଦିଗକୁ ଆମୋଦିତ କରୁଅଛି । ଆଜି ରାତିରେ ତାଙ୍କ ସାହିରେ ରାମଲୀଳା ହେବ । ତୁଳସୀରାମାୟଣ ପାଠ କରିବେ ଓ ବ୍ୟାଖ୍ୟା କରିବେ ପଣ୍ଡିତ ସଦାଶିବ ବାହିନୀପତି । ଆହା ! କି ସୁନ୍ଦର ସୁଲଳିତ କଣ୍ଠ ଓ ରସପୂର୍ଣ୍ଣ ବ୍ୟାଖ୍ୟାର ଭଙ୍ଗୀ ! ଅଧ୍ୟାପକ ହୃଦାନନ୍ଦ ରାୟ ଶ୍ରୀରାମଙ୍କ ଚରିତ୍ର ଉପରେ ଭାଷଣ ଦେବେ । ଆହା କି ସୁନ୍ଦର ପାଣ୍ଡିତ୍ୱପୂର୍ଣ୍ଣ ବିଶ୍ଳେଷଣ ଓ ଆଧ୍ୟାତ୍ମିକ ଭାବ ତାଙ୍କର ! ଚେହେରାଟି ମଧ୍ୟ ମନେହୁଏ ସେହିପରି ପବିତ୍ର ଓ ଅନୁପମ । ଦେଖିଲେ ରାମାନୁଜ ଭରତଙ୍କ କଥା ମନେପଡ଼େ ।

ବାଇଧରବାବୁ ଭାବିଲେ–ଚଞ୍ଚଳ ଖାଇସାରି ସେ ଜିଲୀବୋଉଙ୍କୁ ଧରି ମାରୁତି ମଣ୍ଡପ ପାଖକୁ ଆସିବେ ଓ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ଶ୍ରୀ ରାମଚନ୍ଦ୍ରଙ୍କର ଅପୂର୍ବ ଅମିୟ ଚରିତ କର୍ଣ୍ଣଦ୍ୱାରରେ ପାନ କରି ଧନ୍ୟ ହେବେ । ଆହା ! ଦାଶରଥି ସୀତାପତି ରଘୁକୁଳତିଳକ ଭଗବାନ୍ ଶ୍ରୀ ରାମଚନ୍ଦ୍ରଙ୍କର ରୂପ କି ମନୋହର ! କି ପବିତ୍ର ! ନବଦୁର୍ବ ଦଳ ଶ୍ୟାମ ଅଙ୍ଗକାନ୍ତି-ପଦ୍ମ ପଳାଶଲୋଚନ ଧନୁର୍ବାଣଧାରୀ ରାମଚନ୍ଦ୍ରଙ୍କର କି ଅପୂର୍ବ ପିତୃ ଭକ୍ତି–ଭ୍ରାତୃପ୍ରେମ-ସଖ୍ୟଭାବ-ପତ୍ନୀ-ପ୍ରେମ ଓ ପ୍ରଜାନୁରଞ୍ଜନ ! ଆହା ! ଶ୍ରୀରାମ-ଦାସ ହନୁମାନଜୀଙ୍କର କି ଭଗବତ୍ ଦାସ୍ୟ ଭାବ-! ସୁଗ୍ରୀବ ଓ ଶବରରାଜଙ୍କର କି ଅପୂର୍ବ ସଖ୍ୟଭକ୍ତି !! ଆହାରେ ଭାଇ ଲକ୍ଷ୍ମଣ ! ଆହାରେ ଭାଇ ଭରତ ! ତୁମ୍ଭମାନଙ୍କ ପାଦପଦ୍ମ ତଳେ ମୋ ଭଳି ଅଧମର ମୁଣ୍ଡ ଚିରଦିନ ନଇଁଥାଉ । ପ୍ରଭୁ ! ଏହି ଅମୃତୋପମ ଚରିତ୍ରମାନଙ୍କ କଥା ଶୁଣି ଶୁଣି ଯେପରି ଏ ଜୀବନ ଯାଏଁ ।

ତା’ପରେ ବାଇଧରବାବୁଙ୍କ ମନଭିତରେ ନିଜ ଭାଇମାନଙ୍କ ଚିନ୍ତା ଆସିଲା । ବଡ଼ଭାଇ ଗ୍ରାମରେ ଜଣେ ଶିକ୍ଷକ । ବୟାଳିଶୀ ଆନ୍ଦୋଳନରେ ଜେଲ୍ ଯାଇଥିଲେ । ଆଜିପର୍ଯ୍ୟନ୍ତ ଖଦଡ଼ ପିନ୍ଧନ୍ତି, ସୂତା କାଟନ୍ତି । ରାଜନୀତିରେ ପଶିଥିଲେ ମନ୍ତ୍ରୀ ହୋଇଥାନ୍ତେ । ମାତ୍ର ଶିକ୍ଷକ ହୋଇ ରହିଲେ । ନିର୍ମଳ ଆତ୍ମା । ତାଙ୍କୁ ସେ ଦେବତୁଲ୍ୟ ଭକ୍ତି କରନ୍ତି । ତାଙ୍କରି ଯୋଗୁଁ ସେ ପାଠପଢ଼ି ମଣିଷ ହୋଇଛନ୍ତି । ସାନଭାଇ ଗ୍ରାମରେ ଡାଲି ଚାଉଳର ଛୋଟ ଦୋକାନଟିଏ ଖୋଲିଛି । ତାକୁ ସେ ଖୁବ୍ ଭଲ ପାନ୍ତି । ବାଇଧରବାବୁ ଭାବିଲେ ଝିଆରୀ ହାତରେ ବଡ଼ ଭାଇଙ୍କ ଲାଗି ଖଦଡ଼ ମଠା ସାର୍ଟଟିଏ କିଣି ପଠାଇବେ । ବର୍ତ୍ତମାନ ଖଦିରେ କୋଡ଼ିଏ ପରସେଣ୍ଟ ରିହାତି ମିଳୁଛି ।

ମନ ଭିତରେ ‘‘ସବୁ ପାଇଛି–ଆଉ କିଛି କାମନା ନାହିଁ-ଏଣିକି ହରିପାଦପଦ୍ମ ଭରସା ଓ ହେ ଭଗବାନ୍ ! ଜଗତର ମଙ୍ଗଳ ହେଉ’’ ଏହି ଭାବ ରଖି ବାଇଧରବାବୁ ସାଇକେଲରୁ ଓହ୍ଲାଇ ଫାଟକ ଖୋଲି ଘର ଭିତରକୁ ପଶିଲେ । ପିଲାମାନେ ଦଉଡ଼ି ଆସି ପାଛୋଟି ନେଲେ । ବଡ଼ଝିଆରୀ ତା’ର ତିନିବର୍ଷର ଝୁଅକୁ କାଖେଇ ଆସି ତାଙ୍କ ହାତରୁ ବ୍ୟାଗ୍ ନେଲା । ଏଥିରେ ଆମ୍ୱ, କଦଳୀ ଓ ଜରୀ କାଗଜରେ କଟାରୋହି ମାଛ ଥିଲା । ବଡ଼ଝିଆରୀ ଭାରି ମାଛରଙ୍କୁଣୀ । ବାଇଧରବାବୁ ନାତୁଣୀ ଗାଲରେ ହାତମାରି କହିଲେ–ଆଲୋ ଶାଳୀ । ଆଜି ତତେ ବାହାହେବି । ରହ ପାଇଖାନା କାମଟା ଆଗ ସାରି ଦେଇ ଆସେ ।

ସେଇଠୁ ସେ ସିଧା ଜିଲୀବୋଉ ପାଖକୁ ଗଲେ । ଜିଲୀ ବୋଉ ରୋଷଘରେ ଥିଲେ । ସେ ଦହିବରା ସଜାଡ଼ୁ ଥିଲେ । ବାଇଧରବାବୁ ଗୋଟେ ହାତରେ ଟଙ୍କାତକ ଓ ଆରହାତରେ ମଲ୍ଲୀ-ବଉଳ-ମାଳାତକ ଧରି ଅର୍ଘ୍ୟ ଦେବା ଭଙ୍ଗୀରେ ଠିଆ ହେଲେ । ଜିଲୀବୋଉ କୃତ୍ରିମ କ୍ରୋଧ ଦେଖାଇ କହିଲେ–‘‘ଲାଜ ନାହିଁ, ବୁଢ଼ାକାଳେ ଘୋଡ଼ା ରୋଗ ବାହାରୁଛି । ଯାଅ ତେଣେ ନାତୁଣୀକି ଦେବ ।’’ ବାଇଧରବାବୁ ପତ୍ନୀଙ୍କର ସ୍ୱେଦ ଚର୍ଚ୍ଚିତ ଗାଲରେ ଗୋଟାଏ ପୂର୍ଣ୍ଣ ଚୁମ୍ୱନ ଦେଇ ତାଙ୍କ ଚିବୁକ ଧରି ବେହଲ ହୋଇ ନାଚି ନାଚି ଗାଇଲେ–

 

ତୁ ପରା ମୋର ନାତୁଣୀ ଟୋକୀ

ତୋ’ ସଙ୍ଗେ ପୀରତି ସବୁଦିନେ କି !

 

ଜିଲୀ ବୋଉ କହିଲେ–ହଉ ପୋଷାକ ଓହ୍ଲାଅ । ମୁହଁ ହାତ ଧୁଅ, ଦହିବରା ଖାଇବ । ବାଇଧରବାବୁ କହିଲେ–ଆଜି ମାଡ଼୍ରାସୀ ହୋଟେଲରେ ଚଉକଷିଆ ଜଳଖିଆ ପଡ଼ିଛି । ଜିଲୀ ବୋଉ ଆନୁନାସିକ ସ୍ୱରରେ ଖତାଇ ହେଲା ଭଳି କହିଲେ – ହଅ ! ପଡ଼ିବନି କାହିଁକି ! ଟଙ୍କା ପାଇଛନା ! ହଉ–ଯୋଉ ଚାରିଶ ଟଙ୍କା ମୋଠାରୁ ଝିଆରୀ ବାହାଘରବେଳକୁ ନେଇଥିଲ, ତାକୁ ଆଗ ମତେ ଦେଇଦିଅ ।

 

ବାଇଧରବାବୁ ନବୀନ ପ୍ରେମିକର ଶୈଳୀରେ କହିଲେ–ସଖୀ ଏ ଜୀବନ ତୁମ ପାଦତଳେ ବନ୍ଧା ପଡ଼ିଛି । ବୁଝିଲ ! ଆଜି ମାରୁତିମଣ୍ଡପକୁ ରାମଲୀଳା ଦେଖିଯିବା । ପଣ୍ଡିତ ସଦାଶିବ ବାହିନୀପତି ଓ ଅଧ୍ୟାପକ ହୃଦାନନ୍ଦ ରାୟ ତୁଳସୀରାମାୟଣ ଉପରେ ଆଲୋଚନା କରିବେ । ଆଜି ପୁଣି ତୁଳସୀପୁରିଆ ରାମଲୀଳା ପାର୍ଟି ‘‘ରାମ ବନବାସ’’ ଓ ‘‘ଭରତ ମିଳନ’’ ଦୃଶ୍ୟ ଦେଖାଇବେ ।

 

ରାମଲୀଳା କଥାଶୁଣି ଜିଲୀବୋଉ ଆନନ୍ଦରେ କୁରୁଳି ଗଲେ । ସବୁ କଥା ଭୁଲିଯାଇ ସେ କହିଲେ–ହଉ ! ଚଞ୍ଚଳ କାମ ସାର । ମୋରବି ରନ୍ଧା ପ୍ରାୟ ଶେଷ ହେଲାଣି । ଖାଲି ଡାଲିଟା ବାକି ଅଛି । ଲୁସୀ ଆଉ ନୀନୀ ଅଛନ୍ତି । କରିଦେବେ ।

 

ଅତଃପର ବାଇଧରବାବୁ ପୋଷାକ ଖୋଲି ପାଇଖାନା ଯିବାଲାଗି ପ୍ରସ୍ତୁତ ହେଉ ହେଉ ଦେଖିଲେ–ଡିବାରେ ଗୁଡ଼ାଖୁ ନାହିଁ । ଅଫିସରୁ ଫେରି ପାଇଖାନା ଯିବା ପୂର୍ବରୁ ପନ୍ଦର ମିନିଟ ଆକବରୀ ଗୁଡ଼ାଖୁ ଘଷିବା ତାଙ୍କର ଏକ ବିଳାସ । ପାନ ଓ ଗୁଡ଼ାଖୁ ବ୍ୟତୀତ ଅନ୍ୟ ମନ୍ଦ ଅଭ୍ୟାସ ତାଙ୍କର ନାହିଁ । ବାଇଧରବାବୁଙ୍କ ମିଜାଜ ଖରାପ ହୋଇଗଲା । ସେ ଟିକିଏ ବିରକ୍ତି ପ୍ରକାଶ କରି ବଡ଼ ପୁଅକୁ ଡାକିଲେ–ମଣ୍ଟୁବାବୁ । ଆଜି ଗୁଡ଼ାଖୁ ଆଣିବାକୁ ଭୁଲିଗଲ ଯେ । ବଡ଼ପୁଅ କହିଲା ଆଜି କଲେଜରେ ମ୍ୟାଚ୍ ଥିଲା... ଜିଲୀ ବୋଉ କହିଲେ ତୁମେ ନିଜେ ବର୍ତ୍ତମାନ ଯାଅ ଏଇ ଛକଉପରୁ ଅଳ୍ପ ଗୁଡ଼ାଖୁ କିଣି ଆଣିଥାଅ ।

 

ବାଇଧରବାବୁ ଭାବିଲେ–ବର୍ତ୍ତମାନର ଏଇ ଆନନ୍ଦଘନ ମୁହୂର୍ତ୍ତରେ ଗୁଡ଼ାଖୁ ନହେଲେ ସବୁ ମାଟି ହୋଇଯିବ । ନାତୁଣୀ ସଙ୍ଗେ ଗେଲ–ସ୍ତ୍ରୀଙ୍କ ସଙ୍ଗେ ପ୍ରେମ ଓ ଶ୍ରୀ ରାମଲୀଳା ଦର୍ଶନ ସବୁ ବୃଥା ହୋଇଯିବ । ତିନିଶ ଷାଠିଏ ଟଙ୍କା ଉପାର୍ଜନ ମଧ୍ୟ ନିରର୍ଥକ ମନେ ହେବ ।

 

ସେ ସଙ୍ଗେ ସଙ୍ଗେ ସେଇ ଲୁଙ୍ଗିପିନ୍ଧି କେବଳ ସାର୍ଟଟିଏ ଦେହରେ ଗଳାଇ ଛକ ଉପରକୁ ଗଲେ । ଛକଟା ମୋଟେ ଘରଠାରୁ ତିନିଶ ଗଜ ଦୂର ହେବ । ସେଠାରୁ ଗୁଡ଼ାଖୁ କିଣି ସେ ଫେରୁଛନ୍ତି ହଠାତ ଏକ କୋଳାହଳ ତାଙ୍କର ଶ୍ରୁତିପଥାରୂଢ଼ ହେଲା । ତା’ ମଧ୍ୟରେ ଶଙ୍ଖ, ତୁରି, କାହାଳୀ, ଡ୍ରମ, ଓ ବିଗୁଲର ଶବ୍ଦ ନିନାଦିତ ହେଉଥିଲା । ସେ କାନ ଡେରିଲେ । ବୋଧହୁଏ ଏକ ବିବାହ ପ୍ରୋସେସନ । ନିକଟବର୍ତ୍ତୀ ଏକ ଗଳି ଭିତରୁ କୋଳାହଳ ଆସୁଥିଲା । କ୍ରମେ ବହୁ ଲୋକ ଦୌଡ଼ା ଦୌଡ଼ି ହୋଇ ସେହି ଗଳି ଆଡ଼କୁ ଦୌଡ଼ିଲେ । ବାଇଧରବାବୁ ଘଟନା କ’ଣ ବୋଲି ଯାହାକୁ ପଚାରିଲେ ସେ କିଛି ଉତ୍ତର ନଦେଇ ବାଇବିଛ ହୋଇ ସେହି ଗଳି ଆଡ଼କୁ ଛୁଟୁଥାଏ । କ୍ରମେ ତାଙ୍କ ଭିତରେ କୌତୁହଳ ବଢ଼ିଗଲା । ସେ ମଧ୍ୟ ସେଇ ଆଡ଼କୁ ଦ୍ରୁତପଦକ୍ଷେପରେ ମୁହାଁଇଲେ । ମାତ୍ର କେଇ କଦମ ଯାଇଛନ୍ତି କି ନାହିଁ–ହଠାତ ପ୍ରୋସେସ୍‍ନଟି ଗଳି ଭିତରୁ ବାହାରି ତାଙ୍କରି ଆଡ଼କୁ ମାଡ଼ି ଆସିଲା । ଆଗରେ ଗୋଟାଏ ମସ୍ତ ହାତୀ ପେଲି ଆସୁଛି । ତା’ର ବେକରେ ଘଣ୍ଟି ଘାଗୁଡ଼ି ବାଜୁଥାଏ । ତା’ର ଦେହ ନାନାଦି ଅଳଙ୍କାର ଓ ବହୁମୂଲ୍ୟ ବସ୍ତ୍ରରେ ସୁସଜ୍ଜିତ ହୋଇଥାଏ । ତା’ର ଶୁଣ୍ଢରେ ମଣି ମାଣିକ୍ୟର ମାଳା । ମସ୍ତକରେ ନାନା ରଙ୍ଗର ଚିତ୍ର ଓ କମକୂଟ । ମଝିରେ ସିନ୍ଦୁରର ଏକ ଘନ ଦୀର୍ଘରେଖା । ପିଠି ଉପରେ ବିରାଟ ଗଦିଯୁକ୍ତ ହାଉଦ, ତା’ ଉପରେ ବିମାନଟିଏ । ଆଗରେ ଓ ଦୁଇ ପାର୍ଶ୍ୱରେ ମୂଲ୍ୟବାନ୍ ପୋଷାକ ପରିହିତ ତିନିଜଣ ପ୍ରହରୀ । ଚୋଗା ଚପକନ୍ ପିନ୍ଧା ମାହୁନ୍ତର ମୁଣ୍ଡରେ ଜରିଦିଆ କପଡ଼ା ପଗଡ଼ି । ହାତୀର ପଛେ ପଛେ ଚାଲିଛନ୍ତି ଘୋଡ଼ା ସବାରଗଣ । ହାତୀଟି ତା’ ଶୁଣ୍ଢରେ ଗୋଟିଏ ମସ୍ତ କଳସ ଟେକି ରାଜକୀୟ ଠାଣିରେ ଚାଲିଛି । ବାଇଧରବାବୁ ରୀତିମତ ହାତୀଟିକୁ ପ୍ରଣାମ କଲେ ଓ ଭାବିଲେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କୌଣସି ପବିତ୍ର କାର୍ଯ୍ୟ ଉପଲକ୍ଷେ ଏହି ଶୋଭାଯାତ୍ରା ଗଜପତିଙ୍କ ତରଫରୁ ଚାଲିଛି । ମାତ୍ର ଦେଖ –ଏକ’ଣ–ଏ କି ବିଚିତ୍ର କାଣ୍ଡ ! ହାତୀଟି ତାଙ୍କ ଆଡ଼କୁ ପହଣ୍ଡି ଆସିଲା ଓ ତାଙ୍କ ଉପରେ କଳସୀକଯାକ ପାଣି ଢାଳିଦେଲା । ବାଇଧରବାବୁ ସର୍ବାଙ୍ଗ ଓଦା ହୋଇ ହସିବାକୁ ଲାଗିଲେ ଓ ଦେଖଣାହାରୀମାନେ ମଧ୍ୟ ହୋ ହୋ ହୋଇ ତାଳି ମାରି ହସିବାକୁ ଲାଗିଲେ-। ବାଇଧରବାବୁ ନିଜେ ଅନ୍ୟମାନଙ୍କର କୌତୁକର ପାତ୍ର ହୋଇଛନ୍ତି ବୋଲି ଜାଣିପାରି ଖୁସୀ ହୋଇ ଟିକିଏ ନାଚି ପକାଇଲେ ।

 

ତା’ପରେ କିନ୍ତୁ ଅଭୂତପୂର୍ବ ଘଟନା ଘଟିଗଲା । ସମଗ୍ର ଶୋଭାଯାତ୍ରା ସେଇଠାରେ ଅଟକି ଗଲା । ବାଜାବାଲାମାନେ ଉନ୍ମତ୍ତ ପ୍ରାୟ ବାଦ୍ୟ ଓ ନୃତ୍ୟ ଆରମ୍ଭ କରିଦେଲେ । ଗଗନ ପବନକୁ କମ୍ପାଇ ଦେଇ ତୁରି, କାହାଳୀ, ସିଙ୍ଗା ଓ ବୀରବାଜା ବାଜି ଉଠିଲା । ଡ୍ରମ ଓ ବିଗୁଲମାନ ଏକା ସାଙ୍ଗରେ ବାଜି ଉଠିଲେ । ଅନ୍ୟୂନ ଶହେଟି ବଂବାଜି ବାଣ ଏକାବେଳକେ ଫୁଟି ଉଠିବାରୁ ବାଇଧରବାବୁ ଚମକିପଡ଼ି ସେ ସ୍ଥାନରୁ ପଳାଇ ଯିବାକୁ ବସିଛନ୍ତି-ହଠାତ କେତେଜଣ ବ୍ୟକ୍ତି ତାଙ୍କ ଚାରି ପାଖରେ ଘେରିଗଲେ ଓ କେତେକ ଫୁଲମାଳ ତାଙ୍କ ବେକରେ ପଡ଼ିଗଲା । ସଙ୍ଗେ ସଙ୍ଗେ ହାତୀ ସଙ୍ଗେ ଆସିଥିବା ଜଣେ ପୁରୋହିତ ଉଚ୍ଚ ସ୍ୱରରେ ବେଦଗାନ କରି ସ୍ୱସ୍ତ୍ୟାୟନ ଆରମ୍ଭ କରିଦେଲେ । ଶଙ୍ଖମାନ ଭୋଁ ଭୋଁ କରି ବାଜି ଉଠିଲେ । ହାତୀଟି ସେଇଠାରେ ପଛ ଦୁଇଗୋଡ଼ ବଙ୍କାଇ ଶୋଇଗଲା । ଏବଂ ମନ୍ତ୍ରୀ ସେନାପତି କଟୁଆଳ ଭଳି ଦିଶୁଥିବା କେତେଜଣ ବାଇଧରବାବୁଙ୍କୁ ଟେକି ନେଇ ହାତୀ ଉପରେ ଚମତ୍କାର ଗଦି ପଡ଼ିଥିବା ବିମାନରେ ବସାଇ ଦେଲେ ।

 

ବାଇଧରବାବୁ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲେ । ତାଙ୍କ ପାଟି ଖନୀ ବାଜିଗଲା । ସେ ତଥାପି ହାତ ଯୋଡ଼ି ଖନେଇ ଖନେଇ କହିଲେ–‘‘ଆଜ୍ଞାମାନେ ! ହଜୁର ମାନେ ! ମୋର କି ଦୋଷ-? ମୋ ନାମ ବାଇଧର ଦାସ । ମୁଁ ଶିକ୍ଷା ବିଭାଗର ଜଣେ ସିନିୟର ଆସିଷ୍ଟାଣ୍ଟ । ନିରୁପଦ୍ରବ ସାଧୁ ଜୀବନଯାପନ କରେ । ଜାଣତରେ ମୁଁ କାହାରି କିଛି ଦୋଷ କରିନାହିଁ । ମୋର ସ୍ତ୍ରୀ ଓ ପିଲାମାନେ ବଡ଼ ନିରୀହ । ସେମାନେ ମରିଯିବେ । ମୁଁ ଗୁଡ଼ାଖୁ କିଣିବାକୁ ଆସିଥିଲି । ମୋତେ ଅନୁଗ୍ରହ କରି ଛାଡ଼ି ଦିଅନ୍ତୁ । ଓଃ–ହେ ଭଗବାନ୍ !

 

ପାଟମନ୍ତ୍ରୀ ମହାଶୟ ଯଥା ସମ୍ଭବ ନମ୍ର ହୋଇ, ସେନାପତି ତରବାର ସହ କୁର୍ଣ୍ଣିସ୍ ଜଣାଇ ଓ ପୁରୋହିତ ତାଙ୍କ ମୁଣ୍ଡରେ ଦୁର୍ବାକ୍ଷତ ଦେଇ କହିଲେ–ମଣିମା ! ଏଠାରୁ ସହସ୍ର ଯୋଜନ ଦୂରରେ ‘ଅଜାଗ୍ରତ ପୁର’ ବୋଲି ରାଜ୍ୟ । ସେ ରାଜ୍ୟର ରାଜା ନିଃସନ୍ତାନ ହୋଇ ମଲେ । ରାଜ୍ୟର ଏହି ନିୟମ । ହାତୀ ଯାହା ମୁଣ୍ଡରେ ସୁନା କଳସ ଢାଳିବ ସେ ହେବ ରାଜା । ଉତ୍ତରପ୍ରଦେଶ, ବିହାର, ମଣିପୁର, ନାଗାଲାଣ୍ଡ, ଆସାମ ଓ ପଶ୍ଚିମବଙ୍ଗ ଆଦି ଦେଶ ବୁଲି ବୁଲି ଆସିଲୁ । ହାତୀର ଗୋଡ଼ ଦେଖନ୍ତୁ ଆଜ୍ଞା–ଠାଆକୁ ଠାଆ ବିଣ୍ଡି ହୋଇଗଲାଣି । ଆମମାନଙ୍କ ମୁଣ୍ଡ ବାତଚକ୍ର ଖାଇଲାଣି । ଈଶ୍ୱର ବଡ଼ଲୋକ । କଳିଙ୍ଗ ଦେଶରେହିଁ ଅନ୍ୱେଷଣ ସଫଳ ହେଲା । କିମ୍ୱଦନ୍ତୀ କହେ–କଳିଙ୍ଗର ବର୍ତ୍ତମାନ ଗଜପତିଙ୍କ ନବମ ପୂର୍ବପୁରୁଷ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଆମ ନଗ୍ରର ମାଲ୍ୟାଣୀକୁ ହାତକରି ରାଜକୁମାରୀଙ୍କୁ ରାତି ଅଧରେ ଚୋରାଇ ଆଣି ବିବାହ କରିଥିଲେ । ଏ ରାଜ୍ୟ ସଙ୍ଗେ ଆମ ରାଜ୍ୟର ରକ୍ତ ସମ୍ପର୍କ ତଦବଧି ରହିଅଛି । ଏ ପୁଣି ଜଗନ୍ନାଥଙ୍କ ଦେଶ । ଆପଣ ଅଜାଗ୍ରତପୁରର ମହିପାଳ ହୋଇ ଆମ୍ଭମାନଙ୍କୁ ପିତୃତୁଲ୍ୟ ପାଳନ କରନ୍ତୁ । ଆମ୍ଭେମାନେ ଆପଣଙ୍କର ଚିର ଅନୁଗତ ହୋଇ ରହିବୁ । ପ୍ରକାଶଥାଉକି ଅଜାଗ୍ରତପୁରର ପ୍ରଜାମାନେ ନିରୀହ, ସହଣିକ ଓ ଶାନ୍ତିକାମୀ । ସେଠାରେ ଅନାବୃଷ୍ଟି, ବାତ୍ୟାପ୍ରକୋପ ବା ବନ୍ୟାଭୂକମ୍ପାଦି କେବେ ଦେଖାଦେଇ ନାହିଁ । ହିନ୍ଦୁ ମୁସଲମାନ ଗଣ୍ଡଗୋଳ ନାହିଁ । ନକ୍‍ସାଲପନ୍ଥୀ ନାହାନ୍ତି । ସ୍କୁଲ କଲେଜ ନଥିବାରୁ ପିଲାମାନେ ସୁବୋଧ ବାଳକ ବାଳିକା–କୁମୁଦ କୁସୁମ ମାଳିକା । ପ୍ରଜାମାନେ ନିରୁପଦ୍ରବ ଜୀବନଯାପନ କରନ୍ତି । ପୁଞ୍ଜିପତିମାନେ ନ ଥିବାରୁ ସେଠାରେ ଚୋରୀ ନାହିଁ । ନାରୀମାନେ ରୂପବତୀ ଓ ପୁରୁଷମାନଙ୍କ ମନୋହାରିଣୀ । ଜମି ସବୁ ଚାରିଫସଲୀ । ଭୂ ଗର୍ଭରେ ବହୁ ଖଣିଜ ସମ୍ପଦ ରହିଅଛି । ଆପଣ ଗଲେ ସ୍ୱୟଂ ସବୁ ଦେଖିବା ହେବେ । ଆଉ କୁନ୍ତୁପୁନ୍ତୁ ହୁଅନ୍ତୁ ନାହିଁ । ଉଠ ହେ ମାହୁନ୍ତପ୍ରବର ! ମାର ଅଙ୍କୁଶ–ଉଠାଅ ହାତୀକୁ । ବଜାଅରେ ବାଜାବାଲା ! ବାଣୁଆମାନେ ! ଫୁଟାଅ ତୋପ ।

 

ଏକଥା ଶୁଣୁ ଶୁଣୁ ବାଇଧରବାବୁଙ୍କ ମୁଣ୍ଡ ବାତଚକ୍ର ଖାଇଲା । ତାଙ୍କୁ ଲାଗିଲା, ଯମଦୂତମାନେ ତାଙ୍କୁ ଆରପୁରକୁ ବାନ୍ଧି ନେଉଛନ୍ତି । ତାଙ୍କର ମୁହୂର୍ତ୍ତକ ମଧ୍ୟରେ ସବୁ ମନେ ପଡ଼ିଗଲା । ଜିଲୀବୋଉ, ଭାଇମାନେ ତାଙ୍କର ପିଲାମାନେ, ନାତୁଣୀ, ତିନିଶ ଷାଠିଏ ଟଙ୍କା, ରାମଲୀଳା, ଦହିବରା... । ତା’ପରେ ସେ ଥରେ ଆର୍ତ୍ତ ସ୍ୱରରେ ଚିତ୍କାର କରି ଉଠିଲେ–ଜିଲୀବୋଉ ଉ ଉ ଉ !! ତା’ପରେ ସେ ମୂର୍ଚ୍ଛା ହୋଇ ପଡ଼ିଗଲେ ସେଇ ହାତୀ ଉପରେ । ତାଙ୍କ ହାତରୁ ଆକବରୀ ଗୁଡ଼ାଖୁ ପୁଡ଼ିଆଟି ତା’ରି ଭିତରେ ଖସିପଡ଼ିଲା ।

 

* * *

 

ସେହି ଘଟନାର ଆଠଦିନ ପରେ । ଅଜାଗ୍ରତପୁର ରାଜ୍ୟରେ ନୂତନ ରାଜାଙ୍କର ଅଭିଷେକୋତ୍ସବର ମହା ଆୟୋଜନ । ଦ୍ୱାରେ ଦ୍ୱାରେ ପୂର୍ଣ୍ଣ କୁମ୍ଭ ଓ ତୋରଣମାନ । ନଗରର ଚତୁର୍ଦ୍ଦିଗରେ ଉଡ଼ଇ ପତାକା ଶ୍ରେଣୀ ଅମ୍ୱରେ–ବିବିଧ ବାଜଣା ବାଝେ ସୁସ୍ୱରେ–ଶୁଭଇ ଚୌଦିଗେ ଶୁଭ ସଙ୍ଗୀତ–ଧୂପ ପୁଷ୍ପ ଗନ୍ଧେ ପୂରି ପୂରିତ ସେ–ମହାନନ୍ଦେ ପୁରବାସୀ ...ଇତ୍ୟାଦି ଇତ୍ୟାଦି ଆଡ଼ମ୍ୱର ମାନ ହେଉଅଛି ।

 

ଏଣେ ସିଂହାସନରେ ମୂଳପ୍ରାୟ ବସିଥାନ୍ତି ବାଇଧରବାବୁ । ହାତୀ ସୁନାକଳସ ଢାଳିବା ଦିନଠାରୁ ତିନିଦିନ ପର୍ଯ୍ୟନ୍ତ ସେ ଅଚେତପ୍ରାୟ ଥିଲେ । ରାଜ ବୈଦ୍ୟଙ୍କର ସାମାନ୍ୟ ମାତ୍ର ମୁଷ୍ଟିଯୋଗରେ ଚେତା ଫେରିଲା । ମାତ୍ର ମସ୍ତିଷ୍କ ସଙ୍ଗେ ବାକ୍ ଯନ୍ତ୍ରୀ ସଂଯୋଗ ଏ ଯାବତ୍ ଘଟି ନାହିଁ । ତେଣୁ ସେ କିଛି କଥା କହିପାରୁ ନଥାନ୍ତି । ରାଜବୈଦ୍ୟ ଓ ଅନ୍ୟମାନେ ସେଥିଲାଗି ଅବଶ୍ୟ ବହୁ ଚେଷ୍ଟା ଚଳାଇଥାନ୍ତି । ଚାରିପଟେ ପାଞ୍ଜିଆ, ପାତ୍ର ମିତ୍ର ଓ ସାମନ୍ତମାନେ, ଭାଟ ଓ ଭଟ୍ଟ ମିଶ୍ରମାନେ, ମହାପାତ୍ର ଓ ମହାମାତ୍ରମାନେ, ଭାଟ ଓ ମାଗଧମାନେ ଘେରି ବସିଥାନ୍ତି–କେହି କେହି ଠିଆ ହୋଇଥାନ୍ତି । ପୁରୋହିତ ବେଦଗାନ ଓ ସ୍ୱସ୍ତ୍ୟାୟନ କରି ସାରିବା ପରେ ଢାଳେ ଢାଳେ ପାଣି ବାଇଧରବାବୁଙ୍କ ମୁଣ୍ଡରେ ଭୁଷ୍‍ଭୁଷ୍ ଢାଳି ଦେଲେ । ସେନାପତି ଖଡ଼୍‍ଗଟି ସଙ୍ଗେ ସଙ୍ଗେ ଖୋଳରୁ ପଟାସ୍ କିନା କାଢ଼ି ହାତରେ ଟେକିଧରି ସାମାନ୍ୟ ମାର୍ଚ୍ଚିଂ କରି ଠକ୍‍କିନା ଠିଆ ହୋଇଗଲେ । ତା’ପରେ ପାଟମନ୍ତ୍ରୀ ମହୋଦୟ ସୁନ୍ଦର ଶୁଭ୍ର ପାଇଜାମା, ମିହି ପଞ୍ଚାବି ଓ ଉତ୍ତରୀୟ ସଙ୍ଗେ ଶୁଭ୍ର ଉଷ୍ଣିଶ ପିନ୍ଧି ସଭାସଦ ଓ ପ୍ରଜାମାନଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ବିବରଣୀ ଗୁରୁଗମ୍ଭୀର କଣ୍ଠରେ ଆରମ୍ଭ କଲେ ।

 

ଅଜାଗ୍ରତପୁରର ସମ୍ମାନନୀୟ ସଭାସଦବର୍ଗ, ପାତ୍ରମିତ୍ର ମହୋଦୟଗଣ ! ଓ ପ୍ରିୟ ନିରୀହ ନିରୁପଦ୍ରବ ପ୍ରଜାମଣ୍ଡଳୀ ! ଆଜି ଅଦ୍ୟ ଅମୁକ ମାସ ଅମୁକ ଦିନ–ବିଛା କକଡ଼ା ଇତ୍ୟାଦି...ଏତେ ଶକାବ୍ଦ–ଏତେ ହିଜିରାବ୍ଦ ଏତେ ଦିଲ୍ଲୀଶ୍ୱରାବ୍ଦ ସ୍ନାଇଁ ଏତେ ମସିହାରେ ଅମୁକ ବାର–ଅମୁକ କରଣେ-ଶୁଭ ମୁହୂର୍ତ୍ତେ–ଆମ୍ଭମାନଙ୍କର ମହାମହିମା ମହାମାନ୍ୟ ମହୀପାଳରୂପେ ଶ୍ରୀ ଶ୍ରୀ ବିରାଧିବୀରବର ଭ୍ରମରବର, ମର୍ଦ୍ଦାଗାଜୀ, ମାନଧାତା, ମହାପାତ୍ର, ନବକୋଟି ବିହାର ମଣିପୁର, ଆସାମ, ବଙ୍ଗଳା, ନାଗାଲାଣ୍ଡ ଉତ୍କଳ କୁଳବର୍ଗେଶ୍ୱର ବାୟୁଗଞ୍ଜନ ଦାସ ପାଳନ ଏହି ଅତି ପ୍ରାଚୀନ ଅଜାଗ୍ରତପୁର ରାଜ୍ୟର ଅର୍ବାଚୀନ ମାହାର୍ଜା ହୋଇ ବିଜେ କରିଅଛନ୍ତି । ଏଥକୁ ସର୍ବଦିଗପାଳ ସାକ୍ଷୀ–ଭାଟ, ବିଭାଟ, ସାମନ୍ତ, ନାଗାନ୍ତ, ଯୋଗୀ, କପାଳୀ, ବ୍ରାହ୍ମଣ ବୈଷ୍ଣବଙ୍କ ପାଳନେ–ଦେବ-ଗନ୍ଧର୍ବ କିନ୍ନରଙ୍କ ପ୍ରତି ସେବାନ୍ତେ–ଦୀନ, ଦୁଃଖୀ, ରୋଗୀ, ରାଣ୍ଡ, ଖଣ୍ଡି, ଛୋଟା, ଅନ୍ଧ, ଅସମର୍ଥ ସମ୍ଭାଳେ–ଝଡ଼ଝଞ୍ଜା, ଭୂମିକମ୍ପ, ଅଗ୍ନୀ, ବତାଶ, ବନ୍ୟା, ପ୍ରକୋପ ରୋଧ କରଣେ, ଚଉଷଠି ପାଟକ ସମାର୍ଜନେ, ପରରାଜ୍ୟ ବିଜୟେ, ସ୍ୱରାଜ୍ୟରକ୍ଷଣେ, ପ୍ରଭୁ ପ୍ରମେଶ୍ୱର ତାଙ୍କୁ ସହାୟ ହୁଅନ୍ତୁ ।

 

ସଙ୍ଗେ ସଙ୍ଗେ ସଭାରେ ଘନଘନ କରତାଳି ଓ ଜୟନାଦ ଉଠିଲା । ବୀରତୁରି କାହାଳୀ ଓ ସିଂହଳାଦି ବାଜି ଉଠିଲେ । ଭାଟ ମାଗଧମାନେ ଉଚ୍ଚସ୍ୱରରେ ସ୍ତୁତି ପଠନ କଲେ । ବ୍ରାହ୍ମଣମାନେ ବଡ଼ ପାଟିରେ ବେଦମାନ ରଡ଼ିଲେ । ସାନବଡ଼ ସେନାପତିମାନେ ଖଣ୍ଡା ହଲାଇ ଝଣ ଝଣ ଶବ୍ଦ କଲେ । ପବନ ଦକ୍ଷିଣ ଦିଗରୁ ବହମାନ ହେଲା । ପୁରନାରୀମାନେ ହୁଳହୁଳି ପକାଇ ଆକାଶ କମ୍ପାଇଲେ । ପକ୍ଷୀମାନେ ଗଛଡ଼ାଳରେ ଆନନ୍ଦରେ କୂଜନ କଲେ । ଏକ ସହସ୍ର ଶଙ୍ଖ ଏକାଥରକେ ନିନାଦିତ ହେଲା । ଏକସଙ୍ଗେ ଏକଶତ ଆଠଟି ତୋପ ଗର୍ଜି ଉଠିଲେ । ଛାତମାନଙ୍କ ଉପରୁ ପୁଷ୍ପ ବୃଷ୍ଟି ହେଲା ।

 

ମାତ୍ର ବାଇଧରବାବୁ ଚୁପ୍‍ଚାପ୍ ବସିଥାନ୍ତି । ତାଙ୍କ ଦେହ ମୁଣ୍ଡ ସ୍ତବ୍ଧ ଓ ନିଶ୍ଚଳ ହୋଇ ଯାଇଥାଏ । ଏହି ସମୟରେ ସଖୀ ଗହଣରେ ପାଟରାଣୀ, ରାଜକନ୍ୟା ଦ୍ୱୟ, ଯୁବରାଜ ଓ ତସ୍ୟକନିଷ୍ଠ ଭ୍ରାତା, ଏବଂ ବିରାଦରମାନେ ମହାର୍ଘଭୂଷଣ ପରିହିତ ହୋଇ ରାଜସଭାରେ ପ୍ରବେଶ କଲେ । ସେମାନଙ୍କୁ ଦେଖି ଓ ଦେଖିବା ଲାଗି ଉତ୍ସୁକ ହୋଇ ଆନନ୍ଦ ବିହ୍ୱଳତାରେ ପୁଣି ସଭାସ୍ଥଳି ମହା କୋଳାହଳରେ ପ୍ରକମ୍ପିତ ହେଲା । (ପ୍ରକାଶ ଥାଉକି, ବାଇଧରବାବୁଙ୍କର ତିନିଦିନ ଅଚେତ ଅବସ୍ଥାବେଳେ ତାଙ୍କ କଟକ ଛତ୍ରାବଜାର ବସାରୁ ତାଙ୍କ ସ୍ତ୍ରୀ ଓ ପରିବାରକୁ ହାତୀରେ ବସାଇ ଅଜାଗ୍ରତପୁରର ସେନାପତି ଓ କଟୁଆଳମାନେ ମହା ସମାରୋହରେ ନେଇ ଆସିଥିଲେ । ମାତ୍ର ବାଇଧରବାବୁଙ୍କ ମସ୍ତିଷ୍କ କାର୍ଯ୍ୟ କରୁ ନ ଥିବାରୁ ତାହା ସେ ଜାଣିପାରି ନଥିଲେ ।)

 

ମାତ୍ର ତଥାପି ବାଇଧରବାବୁଙ୍କ ମସ୍ତିଷ୍କ ସକ୍ରିୟ ହୋଉନାହିଁ ଦେଖି ସ୍ୱୟଂ ମହାରାଣୀ (ଜିଲୀବୋଉ) ମହାରାଜା ବାଇଧରଙ୍କ ମସ୍ତକରେ ହାତମାରି ତାଙ୍କ ଚିବୁକକୁ ଧରି କିଞ୍ଚିତ୍ ଟେକି ଦେଲେ ଏବଂ ମୃଦୁ ଭର୍ତ୍ସନାରେ ସମ୍ଭାଷଣ କଲେ–ହେ ! ହଇଓ ଶୁଭୁଛି ? ସମସ୍ତଙ୍କୁ ଚାହଁ ସେମିତି କିରାଣିଙ୍କ ଭଳି କ’ଣ ତଳକୁ ମୁହଁପୋତି ବସିଛ ? ରାଜା ହେଲିଣି ପରା ?

 

ଠିକ୍ ବେଳକାଳ ଉଣ୍ଡି ପ୍ରଧାନ ସେନାପତି ରାଜଦଣ୍ଡଟି ଆଣି ବାଇଧରଙ୍କ ହାତରେ ଧରାଇ ଦେଇ ତିନି ଥର କୁର୍ଣ୍ଣିସ୍ କଲେ । ବାଇଧରଙ୍କ ହାତରେ ରାଜଦଣ୍ଡଟି ପଡ଼ିବାମାତ୍ରେ ହଠାତ ତାଙ୍କ ଦେହରେ ଏକ ଅଦ୍ଭୁତପୂର୍ବ ବିଦ୍ୟୁତ୍ ତରଙ୍ଗ ଖେଳିଗଲା । ସେ ଶକ୍ତି, ସାମର୍ଥ୍ୟ, ବୁଦ୍ଧି ଓ ବ୍ୟକ୍ତିତ୍ୱରେ ପରିପୂର୍ଣ୍ଣ ହୋଇ ଝାଡ଼ିଝୁଡ଼ି ହୋଇ ଉଠିଲେ । ସଙ୍ଗେ ସଙ୍ଗେ ତାଙ୍କ ମସ୍ତିଷ୍କର ସବୁ ତନ୍ତ୍ରୀ ଓ ବିଭାଗମାନ ସତେଜ ଓ ସକ୍ରିୟ ହୋଇଗଲେ । ସେ ନିଜକୁ ହିମାଳୟ ପର୍ବତ ତୁଲ୍ୟ ସୁସ୍ଥିତ ଓ ସୁଉଚ୍ଚ ମନେ କଲେ । ପୁଣି ସାଗର ଭଳି ଗଭୀର ମନେ କଲେ । ସେ ଭାବିଲେ ଏଥର ମୁଁ ‘‘ବିଧାଘାତେ ଚିକ୍ରକଟ ପର୍ବତକୁ କରି ପାରଇଟି ଚୁନା–ଅଇରି ଉରସଲ-ବାନା ବହଇ, ଶରଣକୁ ବଜ୍ରସେହ୍ନା ।’’ ମୋର ପ୍ରତାପରେ ପବନ ପ୍ରଚଣ୍ଡ ହୋଇ ବହିବ ନାହିଁ । ଅଗ୍ନିର ଶିଖାମାନ ନ୍ୟୂନ ହେବ । ମୁଁ ବର୍ତ୍ତମାନ ସମସ୍ତଙ୍କୁ ମାରିପାରେ ବା ତାରିପାରେ । ମୋର ଚାହାଣିରେ ନିଆଁ ଜଳି ଉଠିବ । ମୋର ରଡ଼ିରେ ତ୍ରିପୁର କମ୍ପିଯିବ । ତା’ପରେ ସେ ନିଶରେ ହାତମାରି ଓ ରାଜଦଣ୍ଡକୁ ଉପରକୁ ଟେକି ଦୁଇଥର ତଳେ କଚାଡ଼ି ଦେଲେ ଓ କଟ ମଟ କରି ଚାରି ଆଡ଼କୁ ବହେ ଚାହିଁଲେ । ଏ ଚାହାଣିରେ ସଭାସଦବର୍ଗଙ୍କ ଛାତିମାନ ପଡ଼ିଲା ଉଠିଲା । ସମସ୍ତେ ପ୍ରମାଦ ଗଣିଲେ । ତା’ପରେ ମହାରାଜା ଗର୍ଜନ କରି ଉଠିଲେ–

କିଏ ଅଛରେ ?

ମଣିମା ! ଦୂତ ସଲାମ ଠୁଙ୍କି ଠିଆ ହେଲା ।

ପୁରୋହିତଙ୍କୁ ପ୍ରଣାମ ଦିଅ–

ପୁରୋହିତ ଦୁଇହାତ ଟେକି ଆଶୀର୍ବାଦ କଲେ ।

ମନ୍ତ୍ରୀଙ୍କୁ ଡାକ–

ମନ୍ତ୍ରୀ ବିନୀତ ନମସ୍କାର ଜଣାଇଲେ ।

ସେନାପତିଙ୍କୁ ତଲବ କର–

ସେନାପତି ଖଣ୍ଡା ଉପରେ ହାତରଖି ତିନିଥର କୁର୍ଣ୍ଣିସ୍ କଲେ ।

ତା’ପରେ ବୀରାଧିବୀରବର ମହାରାଜା ବାୟୁଗଞ୍ଜନ ଗର୍ଜନ କରି ପ୍ରଜାମାନଙ୍କ ଉଦ୍ଦେଶ୍ୟରେ କହିଲେ–

ପ୍ରିୟ ପ୍ରଜାଗଣ ! ଆଜିଠାରୁ ଏ ରାଜ୍ୟ ମୁଁ ପ୍ରଜାମାନଙ୍କ ହାତକୁ ଟେକିଦେଲି । ମୁଁ ଆଜିଠାରୁ ମାତ୍ର ଏକସପ୍ତାହ ଓ ପ୍ରଜାମାନଙ୍କର ଏକ ଭର୍ତ୍ତା-ସେବୀ ପରିଚାଳକ-ମୁଖ୍ୟ ମାତ୍ର ହୋଇ ରହିବି । ଇତିମଧ୍ୟରେ ଏକ ଶାସନ-ସମ୍ବିଧାନ ପ୍ରସ୍ତୁତ କରାଯିବ । ଏବଂ ରାଜ୍ୟରେ ଗଣତନ୍ତ୍ର ଓ ସମାଜବାଦର ପରୀକ୍ଷା ଚାଲିବ । ରାଜତନ୍ତ୍ର ଓ ଧନତନ୍ତ୍ର ଜାଣ ଆଜିଠାରୁ ଲୋପ ହେଲା । ଶୋଷଣା ଓ ଶାସନହୀନ ରାମରାଜ୍ୟ ପ୍ରତିଷ୍ଠା ଆଜିଠାରୁ ଆପଣମାନଙ୍କର ଲକ୍ଷ୍ୟ ହେଉ ।

ମହାମନ୍ତ୍ରୀ ଓ ଅନ୍ୟ ଅନ୍ୟ ସାନ ସାନ ମନ୍ତ୍ରୀ ଓ ପାତ୍ର ମହାପାତ୍ରମାନେ ଚମକିଉଠି କୁନ୍ତୁପୁନ୍ତୁ ହୋଇ ଜଣାଇଲେ ।

ମଣିବା । ଆମ୍ଭେମାନେ ତେବେ କ’ଣ କରିବୁ ?

ଗଣତନ୍ତ୍ର ଶାସନରେ ନିର୍ବାଚନ ଲଢ଼ିବ ଓ ତୁମମାନଙ୍କର ଭାଗ୍ୟ ପରୀକ୍ଷା କରିବ ।

ସେନାପତି ଦୁଇଥର କାନ୍ଧ ଝାଙ୍କି ଓ ବାହୁ ଥରାଇ କହିଲେ–ମଣିମା ରାଜ୍ୟ ବିଦେଶୀଙ୍କ ହାତକୁ ଚାଲିଯିବ–କାରଣ ରାଜତନ୍ତ୍ର ଉଠିଗଲେ ଗୃହବିପ୍ଳବ ଅନିବାର୍ଯ୍ୟ । ଆମେ ତେବେ କ’ଣ କରିବୁ ?

ସବୁ ସୈନ୍ୟ ପୋଲ ଓ ରାସ୍ତା ତିଆରି କାର୍ଯ୍ୟରେ ଲାଗିବେ ।

ପୁରୋହିତ ଧୀର ଗଳାରେ ଜଣାଇଲେ–

ରାଜ୍ୟରୁ ଧର୍ମ ଚାଲିଯିବ ମହାରାଜ ! ଆମ୍ଭେମାନେ କ’ଣ କରିବୁ ?

ଦେଶରେ ସ୍କୁଲ କଲେଜ ବସିବ । ଯେଉଁମାନେ ପାରିବ ସେଠାରେ କର୍ମକାଣ୍ଡ ଓ ଧର୍ମଶାସ୍ତ୍ରରେ ଶିକ୍ଷକତା କରିପାର । ଅନ୍ୟମାନେ ଚାଷବାସରେ ମନ ଦେବ ।

ସାମନ୍ତମାନେ ନିଶ ଆଉଁଶି ଆଉଁଶି କହିଲେ–

ମହାରାଜ ! ଆମ୍ଭମାନଙ୍କ କର୍ତ୍ତବ୍ୟ କ’ଣ ?

ଆପଣମାନେ ସ୍ୱତନ୍ତ୍ର ଏକ ପାର୍ଟି ଗଢ଼ିବେ । ମାତ୍ର ଆପଣମାନଙ୍କ ପାର୍ଟି କେବେ ସରକାର ଗଢ଼ି ପାରିବେ ନାହିଁ । କେବଳ ବିରୋଧୀ ଦଳରେ ରହି ଗଣତାନ୍ତ୍ରିକ ସମାଜବାଦୀ ସରକାରକୁ ସମାଲୋଚନା କରିବେ । ଫଳରେ ଗଣତନ୍ତ୍ର ଓ ସମାଜବାଦ ସଚେତନଭାବେ ଅଗ୍ରସର ହେବ ।

 

ତୋଷାକାରୀମାନେ କାନ୍ଦି କାନ୍ଦି ଜଣାଇଲେ–

 

ମହାରାଜ ! ଛାମୁ ! ମଣିମା ! ଆଜିଠାରୁ ଭଲା ଆମ୍ଭେମାନେ କାହା ଅଙ୍ଗେ ମର୍ଦ୍ଦିବୁ ତଇଳ ?

 

ବାଇଧରବାବୁ ହସି ହସି କହିଲେ–ଉଦ୍ଭିଦଜ, ଭୂମିଜ ଓ ରାସାୟନିକ ହରେକ ରକମର ତୈଳ, ତୈଳମର୍ଦ୍ଦନକାରୀ ଓ ତୈଳ ମର୍ଦ୍ଦାନ୍ତଙ୍କ ଉପରେ ଏଣିକି ଉଚ୍ଚହାରରେ ଟିକସ ଓ କଟକଣା ଜାରି ହେବ । ତୁମ୍ଭେମାନେ ସହରର ନର୍ଦ୍ଦମା ଓ ଗ୍ରାମ ପୁଷ୍କରିଣୀର ଦଳ ସଫା କରିବାରେ ନିଯୁକ୍ତି ପାଇବ । କେହି କେହି ନର୍ଦ୍ଦମାରେ ବିଶୋଧିନୀ ତେଲ ପକାଇବ ।

 

ଏହି ସମୟରେ ପ୍ରଜାମାନଙ୍କ ମଧ୍ୟରେ ହଠାତ ଏକ ତୁମୁଳ କୋଳାହଳ ସୃଷ୍ଟି ହେଲା । କେତକ ଅପରିଣତ ଓ ଅର୍ଦ୍ଧପରିଣତ ଯୁବକଶ୍ରେଣୀର ପ୍ରଜା ଦରବାର-ମଞ୍ଚ ଉପରକୁ ଉଠିଆସି ଚିତ୍କାର କଲେ – ଦିଅନ୍ତୁ ! ଦିଅନ୍ତୁ ! ଏବେ ରାଜଦଣ୍ଡଟି ଆମ ହାତକୁ ଦେଇ ଦିଅନ୍ତୁ ।

 

ସେମାନଙ୍କର ସାହସ ଦେଖି ବହୁ ବୃଦ୍ଧ ମଧ୍ୟ ପାଟିକରି କହିଲେ ଆଜ୍ଞା ! ସେ ଛୋକରାମାନେ ସବୁ ବିଗାଡ଼ି ଦେବେ । ତାଙ୍କ ଦିନ କାଳ ଆଉଛି । ଆମର ଯାଉଛି । ଆମ ହାତକୁ ଆଗ ସେଇଟି ବଢ଼ାଇ ଦିଅନ୍ତୁ ।

 

ଏହା ଦେଖି କେତେକ ମହିଳା ମଧ୍ୟ ତା’ର ସ୍ୱରରେ ଚିଲାଇ ମାଗିଲେ–‘‘ରାଜଦଣ୍ଡ ଆମ ହାତକୁ ଦିଅନ୍ତୁ । ଆମେ ଆଉ ଡଙ୍କା କରଚୁଲି ଧରିବୁ ନାହିଁ ।’’ ସେମାନଙ୍କ ଦେଖାଦେଖି ଛୋଟ ପିଲାମାନେ କ’ଣ ଗୋଟେ ମିଳିବ ବୋଲି ରାହାଧରି କାନ୍ଦି ଉଠିଲେ–‘‘ଆମକୁ ଦିଅ ଆମକୁ ଦିଅ ।’’

 

ବାଇଧରବାବୁ ପ୍ରଶାନ୍ତ ଓ ଗମ୍ଭୀର କଣ୍ଠରେ ରାଜଦଣ୍ଡ-ଲୋଭୀ ଆବାଳ ବୃଦ୍ଧବନିତାଙ୍କୁ କହିଲେ–

 

ନା–ରାଜଦଣ୍ଡ ପ୍ରେସିଡ଼େଣ୍ଟଙ୍କ ହାତରେ ରହିବ । ତୁମ ହାତରେ ରହିବ କେବଳ ଭୋଟ ଅଧିକାର । ପିଲାମାନଙ୍କୁ ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପ୍ରଚୁର ମିଠେଇ ଓ ଚକୋଲେଟ୍ ବଣ୍ଟାଯିବ ।

 

ଏସବୁ ଶୁଣି ପ୍ରଜାମାନେ ବାହୁଡ଼ିଗଲେ । ଏହି ସମୟରେ ମହାରାଣୀ ଜିଲୀବୋଉ କପାଳରେ ହାତମାରି କାନ୍ଦ କାନ୍ଦ ହୋଇ ପଚାରିଲେ–ହଇଓ ମଣିମା ! ତୁମ ମୁଣ୍ଡରେ ଏଇଆ ଥିଲାଟି ! ଏଇଆ କରିବ ବୋଲି ଏତେ ଦିନ ହେଲା ଏମିତି ମୂକ ହୋଇ ବସିଥିଲ ? ମୁଁ ବର୍ତ୍ତମାନ କ’ଣ କରିବିଟି !

 

ବାଇଧରବାବୁ ଜିଲୀବୋଉଙ୍କ ପିଠିରେ ହାତମାରି ଖୁବ୍ ହାଲୁକା ଗଳାରେ କହିଲେ–

 

ଶୀଘ୍ର ରୋଷେଇଶାଳକୁ ଯାଅ ସଖୀ ! ଆଜି ମହୁରାଳି ମାଛରେ ଆମ୍ୱୁଲ ବେସର ଦେଇ ରାଇ କର । ଖାଇବା ।

 

+ + +

 

ସମସ୍ତ ସିଦ୍ଧାନ୍ତକୁ ବହୁ ଅଂଶରେ କାର୍ଯ୍ୟକାରୀ କରିବାଲାଗି ଅନ୍ୟୂନ ପନ୍ଦରଟି ଦିନ ଲାଗିଲା । ତା’ପରେ ବାଇଧରବାବୁ ଦିଲ୍ଲୀ ଉତ୍କଳ ଏକ୍‍ସ୍‍ପ୍ରେସରେ ସପରିବାର ବସି ତାଙ୍କର ଛତ୍ରା ବଜାର ବସାକୁ ବାହୁଡ଼ି ଆସିଲେ ।

 

ଏହାପରେ ସେ ବେଶ୍ ନିଶ୍ଚିନ୍ତ ମନରେ ପୂର୍ବଭଳି ଜୀବନଯାପନ କଲେ । ଅଫିସକୁ ନିୟମିତ ଯିବା, ଫାଇଲି କାର୍ଯ୍ୟ ମନଯୋଗ ଦେଇ କରିବା, ଧାର କରିବା, ଧାର ସୁଝିବା, ଦହିବରା ଖାଇବା, ଗୁଡ଼ାଖୁ ଘଷିବା–ନାତୁଣୀ ସାଙ୍ଗେ ଗେଲ ହେବା-ରାମଲୀଳା ଦେଖିବା ଓ ଜିଲୀବୋଉଙ୍କ ସଙ୍ଗେ ନିରୀହ ଦାମ୍ପତ୍ୟ ଜୀବନଯାପନ କରିବାଦି କ୍ରିୟାମାନ ଯଥାରୀତି ଚାଲିଲା । କିନ୍ତୁ ବାଇଧରବାବୁଙ୍କର ଗୋଟିଏ ମହାର୍ଘ ଅଭିଜ୍ଞତା ହେଲା । ସେ ବୁଝିଲେ–ଘଟନାମାନ କିପରି ସାଧାରଣ ବ୍ୟକ୍ତିଟିକୁ ଆକ୍ରମଣ କରେ ଓ ସାଧାରଣ ବ୍ୟକ୍ତିଟି ମଧ୍ୟ କିପରି ଅସାଧାରଣ ରୀତିରେ ଘଟନାମାନଙ୍କୁ ନିୟନ୍ତ୍ରଣ କରିସାରି ପୁଣି ସାଧାରଣ ଅବସ୍ଥାକୁ ଫେରି ଆସିପାରେ ।

Image

 

ଦାରୁଭୂତ୍ କି ହୈ ୟେ ବୃତ୍ତାନ୍ତ

 

ସେମାନଙ୍କୁ ଜଣା ନାହିଁ ଆମ୍ଭେ କିଏ ! କେମନ୍ତେ ବା ସେମାନେ ଆମ୍ଭଙ୍କୁ ଜ୍ଞାତବ୍ୟ ହେବେ ? ଆମ୍ଭେ ଯେ ଛଦ୍ମ ବେଶରେ ଭ୍ରମଣି କରୁଅଛୁ । ପୃଥ୍ୱୀର ହାଲହଇକତମାନ ଆପଣା ଆଖିରେ ଦେଖିବୁ–ଆପଣା କାନରେ ଶୁଣିବୁ । ଆମ୍ଭେ ଜାଣିବା ନା ଆମ୍ଭର ଭକ୍ତମାନେ କିପରି ଦୁଃଖରେ ଅଛନ୍ତି–ପୁଣି ଆମ୍ଭର ନିନ୍ଦାକାରୀମାନେ କେମନ୍ତ ପ୍ରକାର ସୁଖରେ କାଳାତିପାତ କରୁଅଛନ୍ତି । ତେବେ ସିନା ସମସ୍ତ ପରମାଣିବା । ଆମ୍ଭେ ଜାଣିବା ଆମ୍ଭ ସ୍ଥାପିତ ପର୍ବତମାନ ସବୁନ୍ତି ଢେଲାମାଡ଼ ସହ୍ୟ କରି ନିଶ୍ଚଳ ପ୍ରାଏ ଅଛନ୍ତି ନା ଚିହିଁକି ଉଠି ଗ୍ରାମ ନଗର ଉପରେ ପଡ଼ି ସମସ୍ତ ଧୂଳିସାତ୍ କରୁଅଛନ୍ତି ! ଆମ୍ଭତହୁଁ ନିଃସୃତ ନଦନଦୀମାନ ପୁଣି ସପ୍ତ ସୋମୋଦ୍ରମାନ କୂଳ ବେଳାଦି ରକ୍ଷାକରିଛନ୍ତି ନା କୂଳ ବେଳ ଦି ଲଙ୍ଘନ କରି ଅପାରକାଳ କରୁଛନ୍ତି । ଆମ୍ଭର ରଞ୍ଚିତ ସୂର୍ଯ୍ୟ ଠିକ୍ ବେଳାରେ ଉଦେ ଅସ୍ତ ହେଉଛନ୍ତି କି ନାହିଁ, ଆମ୍ଭର ଖଚିତ ଚନ୍ଦ୍ର ପକ୍ଷ ମାନି ଆତଜାତ ହେଉଛନ୍ତି କି ନାହିଁ, ଆମ୍ଭ ପ୍ରୋଥିତ ଓ ବର୍ଦ୍ଧିତ ବୃକ୍ଷମାନ ଫଳ ପୁଷ୍ପ ଛାୟାଦାନ କରୁଛନ୍ତି କି ନାହିଁ । ପୁଣି ଆମ୍ଭ ସୃଷ୍ଟ ମାନବାଗଣ କିପରି ଏହି ସସାଗରା ଧରାକୁ ଚଳାଉଅଛନ୍ତି ତାହା ଆମ୍ଭେ ଦେଖିବୁନି ? ଆମ୍ଭେ ଦୁଷ୍କୃତ ବିନାଶିବୁ–ଧର୍ମ ଥାପିବୁ–ପାପୀ ତାରିବୁ । ତେବେ ସିନା ପତିତପାବନ ବାନା ଉଡ଼ାଇବୁ ? ଆମ୍ଭ ବ୍ୟତିରେକେ ଆନ କିଏ ଅଛି କି ? ଆମ୍ଭେ ଯେ ଜଗତରନାଥ ଜଗନ୍ନାଥ । ଆମ୍ଭେ ଯେ କରି କରାଉ ଥାଏ ମୁହିଁ–ମୋ ବିନୁ ଆନ କେହି ନାହିଁ । ଆଉ କେହି ନାହିଁରେ ବାବା ! ଶିବ ? ସେ ଭୋଳାନାଥ ତ ଶେଷଦେବ ହୋଇ ଆମ୍ଭର ଶେଷ କୋଉଠି ନ ଜାଣନ୍ତି । ବ୍ରହ୍ମା ? ସେ ତ ବାଳୁତ ଅଜ୍ଞାନ । ଆମ୍ଭ ନାଭିରୁ ଜନ୍ମ ଲଭି ବେଦଶିକ୍ଷା କରୁଛନ୍ତି–ଚାରି କ୍ଲାସରୁ ବେଶି ଉଠି ନାହାନ୍ତି । ତାଙ୍କୁ ବା କିସ ଗୋଚର ଅଛି ।

 

ଆଉ କେହି ଦେଖିବେନି–ଆମ୍ଭେ ଦେଖିବୁ । ଆମ୍ଭର ଭକ୍ତ ହୋଇ ଜଣେକ ଏହି ଜମ୍ୱୁଦ୍ୱୀପ ଭ୍ରତଖଣ୍ଡ ଓଡ଼ରାଷ୍ଟ୍ର ମଣ୍ଡଳେ ଅଛି । ତା’ ନାମ ମହାପାତ୍ର ନୀଳମଣି । ସେ ନୀତି ପ୍ରତି ଆମ୍ଭର ଭଜନା କରୁଥାଇ । ଆମ୍ଭ ବିନା ଆଉ କିଛି କାହାକୁ ନ ଭଜଇ । ତା’ର ଆମ୍ଭ ତୁଲେ ବଡ଼ ଅଚଳା ଭକ୍ତି । ଆମ୍ଭ ପାଦପଦ୍ମରେ ସେ ସର୍ବସ୍ୱ ସମର୍ପି ଦେଇଥାଇ । ସେ ଗତକାଲି ଆମ୍ଭ ଗରୁଡ଼ ଖୁମ୍ୱ ସନ୍ନିଧାନେ ଠିଆ ହୋଇ କାନ୍ଦି କାନ୍ଦି ଆମ୍ଭଙ୍କୁ ବିଶେଷ ପ୍ରକାର ବହୁ ସ୍ତୁତିକଲା । କହିଲା–ଭୋ ଭୋ ମଣିମା । ତୁମ୍ଭେ ଥାଉଁ ଥାଉଁ ଓଡ଼ରାଷ୍ଟ୍ରମଣ୍ଡଳ ଉଡ଼ି ଯାଉଅଛି–ବୁଡ଼ି ଯାଉଅଛି । ପ୍ରଜାମାନେ ନେତାଙ୍କର ଓ ନେତାମାନେ ପ୍ରଜାଙ୍କର ନାମରେ ଦଉଡ଼ି ଲଗାଇ ଘୋଷାରୁଛନ୍ତି । ରାଜ୍ୟରେ ବହୁ ଅନୀତି ଅନାଚାର ବ୍ୟାପୀଲାଣି । କେମନ୍ତେ ଏ ପୃଥ୍ୱୀ ରହିବଟି ! ଆପଣ ତେମେ ଏମନ୍ତ ଦାରୁଭୂତ ହୋଇ କେମନ୍ତେ ଏଠି ବସିଅଛ ?

 

ଭକ୍ତର ଆକୁଳ ଡାକରେ ଆମ୍ଭର ଦାରୁବିଗ୍ରହ ଓ ତସ୍ୟସ୍ଥିତ ଶାଳଗ୍ରାମ ବ୍ରହ୍ମ ତରଳିଗଲେ-। ଆମ୍ଭେ ତାଙ୍କୁ କଥାଦେଲୁ–ଆଚ୍ଛା ତୁମ୍ଭେ ନିଶ୍ଚିନ୍ତ ରୁହ । ଆମ୍ଭେ ନିଜେ ଯାଇ ସବୁ ଦେଖିବୁ । ବୁଝିବୁ-। କିନ୍ତୁ ମନେରଖ ବତ୍ସ ! ଆମ୍ଭେ କେବଳ ନୀଳାଚଳନାଥ ନୋହୁ–ଜଗତର ନାଥ–ତେବେ ଆମ୍ଭେ ଅଗ୍ରେ ଓଡ଼ିଶାର ଯେ ରାଜଧାନୀ ଯହିଁ ଲିଙ୍ଗରାଜ ବିରାଜମାନ କରୁଛନ୍ତି–ସେହି ଭୁବନେଶ୍ୱରକୁ ଯିବା–ସବୁ ଦେଖିବା ।

 

ସେଥିପାଇଁ ଆଜି ଅପରାହ୍ନ ଚାରିଟାବେଳେ କିଞ୍ଚିତ୍ ବଗଡ଼ାନ୍ନ ଓ ସାରୁବ୍ୟଞ୍ଜନ ଭୋଜନ କରି ପଦଯାତ୍ରା କଲୁଁ । ଆମ୍ଭେ ସନାତନ ବିଷ୍ଣୁ । ଇଚ୍ଛାମୟ । ଇଚ୍ଛା କରିଥିଲେ ଆମ୍ଭେ ବିଦ୍ୟୁତ୍ ଗତିରେ ବା ଆଲୋକ ଗତିରେ ଏଠି ଆସି ପହୁଁଚି ଥାନ୍ତୁ । ମାତ୍ର ଆମ୍ଭେ ଇଚ୍ଛାକଲୁ ନାହିଁ । ଚାଲି ଚାଲି ଆସିଲୁ । ପଦଯାତ୍ରାର ଆନନ୍ଦ ଇତିପୂର୍ବେ ଭୋଗୀନାହୁଁ । ଦେବତା ରୂପରେ ଆସିଲୁ ନାହିଁ । ମାନବା ରୂପରେ ଆସିଲୁ । ନଳୀ ପେଣ୍ଟ ପିନ୍ଧୁଲୁ । ହରେକୃଷ୍ଣ ଛାପା ଗେରୁଆ ଗୁରୁପଞ୍ଜାବି ଦେହରେ ଗଳେଇଲୁ । ବାବୁରିବାଳ ଛାଡ଼ିଲୁ – ଦାଢ଼ି ରଖିଲୁ । ବଣ୍ଡୁଲିଏ ବିଡ଼ି ଧରିଲୁ । ଆସିଲୁ । ଆସିଲାବେଳେ ଆମ୍ଭର ଜ୍ୟେଷ୍ଠଭ୍ରାତା ବଳଦେବ ଠାକୁରଙ୍କୁ ଡାକିଲୁ । ସେ କାଦମ୍ୱରୀ ପାନକରି ଘୁମାଉଥିଲେ । ନାସ୍ତି କରିଦେଲେ । ବିରକ୍ତହୋଇ କହିଲେ–ଶୀଘ୍ର ପ୍ରଳୟ କରିଦେ ଜଗା । ଏ ପୃଥ୍ୱୀ ରସାତଳକୁ ଗଲାଣି । ଆଉଥରେ ନୂଆ ସର୍ଜନାକର । ଆଉ ଆଶା ନାହିଁରେ ଜଗା । ଆଶାଥିଲା ଏ ଟୋକାମାନେ କିଛି ଗୋଟାଏ କରିବେ । ବାପ ଅଜାଙ୍କ କଳଙ୍କ ପୋଛି ଦେବେ । ମାତ୍ରକେ ଯାହା ଦେଖୁଛି–ଏମାନେ ବେଶିଭାଗ ଅପମିଶ୍ରିତ । ଏମାନଙ୍କ ଦେହାତି କିଛି ହେବନି । ବାପାମାନେ ଆଙ୍ଗୁଠି ଚୁଚୁମୁ ଥିଲେ–ଏମାନେ ବାହା ଗିଳିବାର ଉପକ୍ରମ କଲେଣି ।

 

ବଡ଼ ଭାଇନା ଫେର୍ କହିଲେ–ଆରେ ଏଠି ଗଲୁ ସାରୁ ଖାଇ ଖାଇ ମୋ ଜିଭ ଆଉ ତଣ୍ଟିରେ ଘା ହୋଇଗଲାଣି । କାଦମ୍ୱରୀରେ ଆଜିକାଲି ଅମୋନିଆ ସଲଫେଟ କ’ଣ ଗୋଟାଏ ମିଶାଇ ଦେଉଛନ୍ତି । ମୋ ପେଟରେ ଘା ହେଲାଣି ନା କ’ଣ ! ମଧ୍ୟେ ମଧ୍ୟେ ପେଟ ପୋଡ଼ୁଛି । କହୁଛି–ଚାଲ ଛତିଆ ପଳେଇବା–ତୁ କଥା ଶୁଣୁନୁ । ଆରେ–ଥର ଥର କରି ଏତେଥର ନୀଳଚକ୍ରରୁ ପଥର ଖସିଲା – ବଡ଼ଦେଉଳରେ ଚାରି ଚାରିଟା ଗ୍ରିଧିନୀ ବସିଲେ । ତଥାଚ ତୋର ଚେତା ପଶୁନି-। ଆରେ ପୂରାଦସ୍ତୁର ପ୍ରଳୟ କରିଦେ । ଏମିତି ଖଣ୍ଡେ ଅଧେ ବାତ୍ୟା ବନ୍ୟାରେ କାମ ଚଳିବନି ବାବୁ । ଏ ଚୋରମାନଙ୍କୁ ବରଂ ଭଲ ସୁହାଉଛି । ମନ୍ତ୍ରୀଙ୍କଠାରୁ ସରପଞ୍ଚ ଯାଏଁ ବାତ୍ୟା ବନ୍ୟା ନାମରେ ହରିଲୁଟ କରୁଛନ୍ତି । ଏ ଚଳିବନି ବାବୁ ! ପୂରା ପ୍ରଳୟ କରିଦେ ।

 

ଆମ୍ଭେ କହିଲୁ–ଭାଇନା ! ଟିକିଏ ସବୁର କର । ଆମ୍ଭେ ଯେ ଜଗତରନାଥ । ଆମ୍ଭର ହୋଇ ସିନା ଏ ସର୍ଜନା ! ଆମ୍ଭେ କୋପ କଲେ ଚଳିବ କି ? ଆମ୍ଭତହୁଁ ଆଉ କିଏ ଅଛି କି ? ସତ୍ୟ ଆମ୍ଭତହୁଁ ଜାତ । ମିଥ୍ୟାବି ଆମ୍ଭତହୁଁ ଜାତ । ଆମ୍ଭେ ଦେବାସୁରଙ୍କୁ ନିଜ ଔରସରୁ ଜାତ କରିଛୁ । ଆମ୍ଭେ ତ ତ୍ରିଗୁଣରଜ୍ଜୁ କରେ ଧରି ମୃଗୀମାନଙ୍କୁ ନଚାଉଛୁ । ତାଙ୍କର କି ଦୋଷ ? ଆଳୁ କନ୍ଦମୂଳ ଆମ୍ଭେ ସୃଜିଛୁ । ସାରୁ ଓଲୁଓବି ଆମ୍ଭେ ସୃଜିଛୁ । ତେଣୁ ଆମ୍ଭେ ଉଭୟେ ଭୁଞ୍ଜିବୁ ।

 

ଭାଇନା ରାଗିଗଲେ । କହିଲେ–ତୁ ଭାରି ଜାଲମ । ତୋ ତହୁଁ ନଟଖୁଟିଆ ହୋଇ ଏମନ୍ତ ଜଣେ କେହି ନଥିବ ଏ ପୃଥ୍ୱୀରେ । ଯା–ଯା–ତୋ ସର୍ଜନା କଥା ତୁ ସମ୍ଭାଳ । ମୋର ଭାସି ଯାଉଛି । ସୁଭଦ୍ରାକୁ କହ – ଭାଙ୍ଗ ଟିକିଏ ଘୋଟିଆଣୁ । ଏ ଅପମିଶ୍ରିତ କାଦମ୍ୱରୀ ଆଉ ଚଳିବନି । ସାନବୋହୂଙ୍କୁ କହ–ଆଜି ଖଣ୍ଡିଏ ଛେନା ପୋଡ଼ପିଠା କରିଦେବେ । ସେ ତୋ ସଙ୍ଗେ ଯାଉ ନାହାନ୍ତି ତ ? ସେ ଗଲେ–ଆମ୍ଭେ ଉପବାସରେ ମରିବୁ ।

 

ଆମ୍ଭେ କହିଲୁ–ନା ଭାଇନା ! ତାଙ୍କ ରାସ୍ତା ଭିନ୍ନେ–ତାଙ୍କ ବାଗ ଭିନ୍ନେ । ସେ କେତେବେଳେ କାହାଘରେ ପଶନ୍ତି–ପୁଣି କେତେବେଳେ କାହା ଘରୁ ବାହାରନ୍ତି ସେକଥା କେ ଜାଣିପାରଇ ?

 

ଭାଇନା ପଚାରିଲେ–ସେ ଏବେ ତାଙ୍କ ମନ୍ଦିରରେ ଅଛନ୍ତି ତ ?

 

ଆମ୍ଭେ କହିଲୁ–କେଜାଣି ? ଆମ୍ଭେ ଜ୍ଞାତବ୍ୟ ନୋହୁଁ ।

 

ଭାଇନା କହିଲେ–ତୁ ତାକୁ ଯୋଉ ହଇରାଣ କରୁ–ତୋତେ ଠିକ୍ ଶାସ୍ତି । ଯା । କୁଆଡ଼େ ଯିବୁ ଯା । ମୁଁ ଟିକିଏ ଘୁମାଏ ।

 

ଆମ୍ଭେ ତଦୁତ୍ତାରୁ କିଛି ନ କହି ନିରୁତ୍ତର ହେଲୁ । ସେ ତ ସର୍ବଦା ଭାଇବୋହୂ ପକ୍ଷ ହୋଇ କଥା କହନ୍ତି ।

 

ଆମ୍ଭେ ତହୁଁ ଏକା ବାହାରିଲୁ ।

 

ଆମ୍ଭ ମନକୁ କ’ଣ ଆସିଲା କେଜାଣି ଆମ୍ଭେ ସ୍ୱର୍ଗଦ୍ୱାରକୁ ଗଲୁ କିଛି ପାନ କରିବା ଆଶାରେ । ସେଠାରେ ଉତ୍କୃଷ୍ଟ ଦେଶୀମାଲ ପ୍ରସ୍ତୁତ ହୁଏ ଶୁଣିଥିଲୁ । ଶୁଣ୍ଢୀ ଶାଳାରେ ପହୁଁଚି–କହିଲୁ–ଶୁଣ୍ଢୀ ! କିଛି ପାନ କରିବାକୁ ଦିଅ । ସେ ପଚାରିଲା–ସ୍ପେଶାଲ ନା ଚାଲୁ ଦେବି ? ଆମ୍ଭେ ସ୍ପେସାଲ୍‍ର ଅର୍ଥ କିସ ବୋଲି ପ୍ରଶ୍ନ କରନ୍ତେ ସେ କହିଲା–ଖାଣ୍ଟି ମହାପ୍ରସାଦରେ ତୟାରି ପବିତ୍ର ସାତ୍ତ୍ୱିକମାଲ । କେବଳ ସାଧୁ ବୈଷ୍ଣବ ଓ ବିଦେଶୀ ହିପ୍‍ପୀମାନଙ୍କ ସକାଶେ ପ୍ରସ୍ତୁତ କରିଥାଉଁ । ବୋତଲ ପିଛା ୫୦ ପଇସା ଅଧିକା ନେଉ ।

 

ଆମ୍ଭେ ପଚାରିଲୁ–ମହାପ୍ରସାଦ ଅତି ମହାର୍ଘ ପଦାର୍ଥ । ତାହା ଏ ସକାଶୁ କେମନ୍ତ ପ୍ରାପ୍ତ ହେଉଛି ?

 

ଶୁଣ୍ଢୀବର ହସି ହସି କହିଲେ–ଆମ୍ଭେ କେତେକ ଭିକ୍ଷୁକ ପିଲା ଏସକାଶେ ନିଯୁକ୍ତ କରିଛୁ । ସେମାନେ କୋଇଲୀ ବୈକୁଣ୍ଠ ଓ ଭୋଗ ମଣ୍ଡପରୁ ଭଙ୍ଗା ଖପରାରୁ କୋରାକୋରି କରି ଓ ତଳୁ ଗୋଟାଇ ଦୈନିକ ଦୁଇ ତିନି ହାଣ୍ଡି ଅନ୍ନ ପ୍ରସାଦ କଣିକା ସାଉଁଟି ଆଣି ଦିଅନ୍ତି ।

 

ଆମ୍ଭେ ସେହିଥିରୁ ବୋତଲେ ପିଇ ତାଜା ହେଲୁ ଓ ଭାବିଲୁ ଏହାହିଁ ଯଥାର୍ଥ ବ୍ୟବସାୟତ୍ମିକା ବୁଦ୍ଧି । ତାକୁ ଧନ୍ୟ ଧନ୍ୟ କରି ଆମ୍ଭେ ସିଧା ସଡ଼କରେ ଚାଲି ଚାଲି ଯାଇ ପହଞ୍ଚିଲୁ ପିପିଲିରେ । ସେଠାରେ ଛେନା ପୋଡ଼ପିଠା ଖଣ୍ଡିଏ କିଣି ପାଟିରେ ପକାଇଲୁ । ସ୍ପେସାଲ ଚାହା ଗିଲାସେ ପିଇଲୁ । ଜଣକ ବାରଣ୍ଡାରେ ବସିଲୁ-ପାନ ଚୋବାଇଲୁ–ବିଡ଼ିଟିଏ ଶୋଷିଲୁ । ଏମନ୍ତ ସମୟେ ଦେଖିଲୁ ବୃଦ୍ଧ ହୋଇ ଜଣେ ଦୋକାନ ପିଣ୍ଡାକୁ ଆଉଜି ବସିଅଛି । ଚାରୋଟି ସାରୁ ପତ୍ରରେ ଭାଗ ଭାଗ କରି ମହୁରାଳି ମାଛ ରଖିଛି । ବିକୁଛି । ଗୁମ୍‍ସୁମ୍ ହୋଇ ବସିଅଛି ନିଦକ ନିଶ୍ଚିନ୍ତ ପ୍ରାଏ । ଏପରି ଶାନ୍ତ ପୁରୁଷ କୁତ୍ରାପି ଦେଖି ନ ଥିଲୁ । ଫେର୍ ଦେଖିଲୁ । ଏହି ସମୟରେ ଆଉ ବୃଦ୍ଧେକ ସେଠାରେ ପହୁଁଚି ବସିଲା । ସେ ଯେପରି ଗୋରୁବଧ କରିଛି ଏମନ୍ତ ଦିଶୁଥାଇ । ସେ କହିଲା–ନନ୍ଦ ଭାଇ ! ତୁ କହିଲୁ–ଆପଣା ମାଈଁକି ହରିବା ପାପ ନା ପୁଣ୍ୟ ! ମାଛ ବିକୁଥିବା ବୁଢ଼ା କହିଲା–କାଇଁ ତୁ ହରିଛୁ କି ? ସେ କହିଲା–ହଁ–ଏବେ କି କରିବି କହ । ଏ ପାପକୁ କିପରି ସମ୍ଭାଳିବି ?

 

ମାଛବିକା ବୃଦ୍ଧି ଖଣ୍ଡିଏ ପାନ ଟିପରେ ମଳି ମଳି ତା’ ପାକୁଆ ପାଟିରେ ପକେଇ ଦେଇ କହିଲା – ଆରେ ଯା’ରେ ପାପ ପାପ । ଏ ମାୟା ସଂସାରରେ କିଏ କାହା ମାଈଁ–କିଏ କାହା ମାଉସୀ । ସର୍ବେ ହୋଇବେ ଏକାକାର–ନ ଥିବ ବେଦର ବିଚାର । ମନର ମୂଳେ ଏ ଜଗତ – ଭାବିଲେ ପାପ ନ ଭାବିଲେ ପୁଣ୍ୟ । କୃଷ୍ଣ ତ ଫେର୍ ମାଈଁ ସଙ୍ଗେ କେଳି କରିଥିଲେ ! ଆର ବୁଦ୍ଧିଟି ଏଥର ଆନନ୍ଦ ହେଲା । ବିଡ଼ିଟିଏ ଲଗାଇ ସେଠି ବସିଲା ନିଦକ ନିଶ୍ଚିନ୍ତ ପ୍ରାଏ ।

 

ଆମ୍ଭେ ଏହା ଦେଖି ଶୁଣି ବଡ଼ ଆଶ୍ୱସ୍ତ ହେଲୁ । ଆହା ! କି ସୁନ୍ଦର ବେଦାନ୍ତ ଆଉ ବୈଷ୍ଣବ ଭାବରେ ସିଦ୍ଧ ହୋଇଛନ୍ତି ଏମାନେ । ଏମାନଙ୍କର ଆଉ ଦୁଃଖ ବା କ’ଣ ? ଏମନ୍ତ ଭାବି ଆମ୍ଭେ ଆମ୍ଭ ନାମରେ ନାମିତ ସଡ଼କରେ ଧୀରେ ଧୀରେ ଯାତ୍ରାକଲୁ ।

 

ଭୁବନେଶ୍ୱରରେ ପହୁଁଚିଲା ବେଳକୁ ରାତ୍ର ବାର ବାଜିଗଲାଣି । ଆଉ ଏଠି ଆଜି ଦେଖିବୁ ବା କ’ଣ ? ସେକ୍ରେଟାରୀଏଟ୍, ମନ୍ତ୍ରୀ ସଦନମାନ–ବିପଣୀମାନ–ମଣ୍ଡପଭବନମାନ ସବୁ ଶୋଇଗଲେଣି । ଆମ୍ଭେ ଭାବିଲୁ ପୁରୁଣା ଭୁବନେଶ୍ୱର ଷ୍ଟେସନ ପ୍ଲାଟଫର୍ମରେ ବିଶ୍ରାମ ନେବୁ । ଅନ୍ଧାର ସ୍ଥଳେ ଭଲ ସୁନିଦ୍ରା ହେବ । କିନ୍ତୁ ପଥମଧ୍ୟେ ବିପଣୀ ଏକ ସମ୍ମୁଖେ ଆଲୋକ ଓ ଲୋକ ସମାଗମ ଦେଖି ସେ ଦିଗକୁ ମୁହାଁଇଲୁ । ସେଠାରେ ଲୀଳା ହେଉଥିଲା । ଆମ୍ଭେ କୌତୁକ ଦେଖିବା ମାନସେ ତହିଁ ଉଭା ହେଲୁ । ଆମ୍ଭ ପୂର୍ବଜନ୍ମର ଦ୍ୱାପର ଲୀଳା ହେଉଥାଇଁ । ଆହାରେ ସେ ଦୃଶ୍ୟ କେମନ୍ତ ! ଆମ୍ଭେ କାହାକୁ ସବୁ ମାରିଅଛୁ–କାହାକୁ ସବୁ ତାରିଅଛୁ–କେଉଁମାନଙ୍କୁ ସବୁ ହିରଅଛୁ, ସେ ଲୀଳା ସାମଗ୍ରୀମାନ ଗୀତବାଦ୍ୟ ନୃତ୍ୟ ସଂଯୋଗେ ସଂଘଟିତ ହେଉଥାଇ । ଆମ୍ଭେ ତାହା ଦେଖି ଅତୀବ ସନ୍ତୋଷ୍ଟ ହୋଇଲୁ । ସଭିଙ୍କି ଆଶୀର୍ବାଦ କଲୁ । ଅଦୂରରେ ଲୀଳା ଆୟୋଜକମାନଙ୍କ ତରଫରୁ ଠାଏ ଠାଏ ବହୁ ଠାଆ ଜୁଆଖେଳ ହେଉଥାଇ । ଆମ୍ଭେ ପ୍ରୀତ ହେଲୁ-। ଏକ ସ୍ଥଳରେ ଲକ୍ଷ୍ମୀପ୍ରଦତ୍ତ ମୋହରଟିଏ ଲଢ଼ାଇଲୁ । ଖେଳରେ ଜିତିଲୁ ତୁରି ହୁଲାସ ହୋଇ ପୁନଶ୍ଚ ଖେଳିଲୁ । ସବୁ ହାରିଗଲୁ । ଆହୁରି ଉଷତମନରେ ସେଠୁ ଫେରିଲୁ । ଆମ୍ଭେ କ୍ରୀଡ଼ାମାନଙ୍କ ମଧ୍ୟରେ ଦ୍ୟୂତ ଅଟୁଁ । ଏହାତ ଆମ୍ଭର ବିଭୂତି । ଆମ୍ଭ ତହୁଁତ ଅନ୍ୟ କାହାର ନୁହଁଇ । ସେ ଠାବରେ ମଣ୍ଡପେକ ଥିଲା । ସେଠାରେ ପୂଜା ହେଉଥିଲା । ଆମ୍ଭେ ସେଠାବକୁ ଯାଇ ପଚାରିଲୁ–ଏ ତୁମ୍ଭେମାନେ କାହାର ପୂଜା କରୁଅଛ ।

 

ସେମାନେ କହିଲେ–ଗଣପତିଙ୍କର

 

ଆମ୍ଭେ କହିଲୁ–ଭଲ ଭଲ ତୁମ୍ଭମାନଙ୍କର ଅଶେଷ ବିଦ୍ୟା ଲାଭ ହେବ ।

 

ସେମାନେ ଏହା ଶୁଣି କ୍ଷେପିଉଠିଲେ । କହିଲେ–ବିଦ୍ୟା କ’ଣ ହେବ ହେ ? ବହୁ ବିଦ୍ୟା ହେଲାଣି । ଆମ୍ଭେମାନେ ଧନ ଚାହୁଁଛୁ । ଲାଭ ଶୁଭ ଚାହୁଁଛୁ । ତ୍ୱରାନ୍ୱିତ ହୋଇ ଯେ ସିଦ୍ଧି ତାହା ଚାହୁଁଛୁ ।

 

ଆମ୍ଭେ ପୁଚ୍ଛାକଲୁ–ସେ କେମନ୍ତ ? ତାଙ୍କୁ ତ ଆମ୍ଭେ ଧନପଦରେ ରଖିନାହୁଁ । ସେ କାହୁଁ ଧନ ଦେବେ ।

 

ଜଣେ ଆମ୍ଭ ମୁହଁକୁ ଚାହିଁଲା – ପରିହାସ କରି କହିଲା – ତୁମ୍ଭେ କିଏ ହୋ ? ତୁମ୍ଭେ କ’ଣ ଭଗବାନ୍ ? ନା ତାଙ୍କର ବୁକୁଚାବୁହା ।

 

ଆମ୍ଭେ ଆଉ ନିଜକୁ ସମ୍ଭାଳି ନ ପାରି କହିଲୁ–କ’ଣ ଚିହ୍ନି ପାରୁନାହଁ ? ଆମ୍ଭେ ସ୍ୱୟଂ ଭଗବାନ୍ ! ଆମ୍ଭେ ଆଉ କାହା ବୋକଚା ବୋହୁ ନାହିଁ । ନିଜ ବୋକଚା ନିଜେ ବୋହୁ ।

 

ସେମାନଙ୍କ ଭିତରୁ ଜଣେ ଛୋକରା କହିଲା–କାହିଁ ତୁମ ବୋକଚା ଦେଖା ।

 

ଆମ୍ଭେ ଆମ୍ଭର ବୋକଚା ଦେଖାଇଲୁ । ସେମାନେ ତା’ ଭିତରେ କୌତୁକରେ ହାତ ପୂରାଇଲେ । ଆମ୍ଭେ କହିଲୁ–ହାଁ ହାଁ ସାବଧାନ ! ତନ୍ମଧ୍ୟରେ କୋଟି ସୂର୍ଯ୍ୟ କୋଟିଚନ୍ଦ୍ର କୋଟିତାରା ଅଛନ୍ତି । ହାତ ପୁରାଅ ନାହିଁ କହୁଛି ।

 

ମାତ୍ର ସେମାନେ ଅମରାମତ୍ତା ହୋଇ ତା’ ଭିତରେ ହାତ ପୁରାଇଲେ ଓ ଆମ୍ଭ ସଞ୍ଚିତ ଚନ୍ଦ୍ର ସୂର୍ଯ୍ୟମାନଙ୍କୁ ମଗଜଲଡ଼ୁ ମନେ କରି ଖାଇଗଲେ । ଅତଃପର ଆମ୍ଭେ ଦେବାଳିଆ ହୋଇଗଲୁ-। ତହୁଁ ଖୁବ୍ କ୍ରୁଦ୍ଧ ହେଲୁ । କହିଲୁ–ଆମ୍ଭଙ୍କୁ ଦେଖି ଭଗବାନ୍ ବୋଲି ପ୍ରତ୍ୟକ୍ଷ ହେଉନାହିଁ-। ଦେଖିବ ବର୍ତ୍ତମାନ ? ସଙ୍ଗେ ସଙ୍ଗେ ବର୍ତ୍ତମାନ ଚତୁର୍ଦ୍ଧା ମୂରତି ଧରି – ଶଙ୍ଖ ଚକ୍ର ଗଦା ପଦ୍ମ ଦେଖାଇ ଦେବୁରେ ବେହିପୁଅମାନଙ୍କୁ ! ବେହିପୁଅଙ୍କୁ ଗେଲ ଲାଗିଛି ନାରେ ।

 

ସେମାନେ ପୁନଶ୍ଚ କୌତୁକ କରି କହିଲେ ହଇଓ ! ରାଂଚୀ ଆଡ଼ୁ କେବେ ଫେରିଲ ?

 

ଆମ୍ଭେ କ୍ରୁଦ୍ଧ ହୋଇ କହିଲୁ–ଏ ତ୍ରିଭୁବନ ଆମ୍ଭର ରାଂଚୀ ଅଟେ । ଆମ୍ଭେ ନିଜେ ରାଂଚୀ ଅଟୁ ।

 

ସେମାନଙ୍କ ମଧ୍ୟରୁ ଜଣେ ଆମ୍ଭ ପାଖକୁ ଚିହିଁକି ଆସିଲା ଓ ଆମ୍ଭ ଓଠରେ ହାତ ମାରି କହିଲା–ହଇଓ ! ଭଗବାନ୍ ବାବୁ ! ଭୋଗ ଖାଇବ ?

 

ତା’ ପାଟିରୁ ଭକ୍‍ଭକ୍ ଦେଶୀ ମଦ ଗନ୍ଧର ବାସ୍ନା ଆସୁଥାଏ । ଆମ୍ଭେ ଆଉ ସମଳା ପଡ଼ିଲୁ ନାହିଁ । କ’ଣ ! ଆମ୍ଭପରା ପ୍ରମେଶ୍ୱରଙ୍କୁ ଉପହାସ୍ୟ ? ତତ୍‍କ୍ଷଣାତ ଦାରୁବ୍ରହ୍ମ ଜଗନ୍ନାଥ ରୂପ ଧରି ସେମାନଙ୍କ ଆଗେ ଉଭା ହେଲୁ । ଆମ୍ଭର ଦୁଇ ଚକ୍ଷୁରେ ସୂର୍ଯ୍ୟ ଚନ୍ଦ୍ର ଉଭା ହେଲେ । ନାସିକାରୁ ବାୟୁଦେବ ନିର୍ଗତ ହେଲେ । ମୁଖ ବିବରରୁ ଅଗ୍ନିଦେବ ବହିର୍ଗତ ହେଲେ । ମାତ୍ର ତଥାଚ ସେମାନେ ଆମ୍ଭକୁ ଚିହ୍ନି ନ ପାରିଲେ । ଦେଶୀ ମଦ୍ୟପାନ କରି ସେମାନେ ଉନ୍ମତ୍ତ ହୋଇଥିଲେ । ଆମ୍ଭର କୌତୁକିଆ ବାମନ ରୂପ ଦେଖି ସେମାନଙ୍କ ଚିତ୍ତରେ ମର୍କଟୀୟ କୌତୁକ ଉଲ୍ଲାସ ଜାଗ୍ରତ ହେଲା । ସେମାନେ ଆମ୍ଭ ଦାରୁବିଗ୍ରହକୁ ତଳ ଉପର କରି ନଚାଇଲେ । ଆମ୍ଭ ଗାଲରେ ଓ ପିଠିରେ ଖୁନ୍ଦା ଓ ବିଧା ମାରିଲେ । ଆମ୍ଭେ ତହୁଁ ପଳାୟନ କଲୁ । ସେମାନେ ଆମ୍ଭଙ୍କୁ ଗୋଡ଼ାଇଲେ । ଆମ୍ଭେ ପ୍ରାଣ-ପବନ ବେଗରେ ଧାବିତ ହେଲୁ । ନିକଟରେ ଏକ ବିରାଟ ଗର୍ତ୍ତ ଥିଲା ରେଲରାସ୍ତା ଧାରରେ-। ଆମ୍ଭେ ତକ୍ଷଣାତ୍ ମୂଷିକ ରୂପ ଧରି ତନ୍ମଧ୍ୟରେ ପାତାଳି ହୋଇଗଲୁ । ସେମାନେ ଫେରିଗଲା ଉତ୍ତାରୁ ଆମ୍ଭେ ପୁନଶ୍ଚ ପୂର୍ବ ମାନବ ରୂପ ଧରି ବାହାରିଲୁ । ଅଦୂରରେ ପ୍ଲାଟଫର୍ମ । ଆମ୍ଭେ ଭାବିଲୁ–ହରି ଗୋଡ଼ାଇଲେ, ହରି ପଳାଇଲେ, ହରି ହରି ଗଲେ ହରିରେ । ଏହା କହି ଆମ୍ଭେ ଉଚ୍ଚହାସ୍ୟ କଲୁ ।

 

ଏମନ୍ତ ସମୟେ ଏକ ଟ୍ରକ୍ ଆମ୍ଭର ଦୃଷ୍ଟି ଗୋଚର ହେଲା । ତାକୁ କେତେକ କଟୁଆଳ ଘେରିଥିଲେ । ସେମାନେ ଉଚ୍ଚବାଚ କରୁଥିଲେ । ଆମ୍ଭେ ଭାବିଲୁ – ମଧ୍ୟସ୍ଥ କରିବା – ଏମାନଙ୍କ ହରକତ ବୁଝିବା; କେହ୍ନେ ଏମାନେ ଗୋଳ କରୁଅଛନ୍ତି ! ଆମ୍ଭେ ପୁଚ୍ଛା କଲୁ–

 

ଏ ଟ୍ରକ୍‍ରେ କ’ଣ ଲଦନ ହୋଇଛି ?

 

ଟ୍ରକ୍‍ବାଲାଏ କହିଲେ–ମାଲ ଲଦା ହୋଇଅଛି ।

 

ଆମ୍ଭେ କହିଲୁ–କେବଣ ମାଲ ?

 

ସେମାନେ କହିଲେ–ଚୋରାମାଲ ।

 

ଆମ୍ଭେ ସୋତ୍ସାହେ ପୁଚ୍ଛିଲୁ–ତ ସେ କେବଣ କେବଣ ?

 

ସେମାନେ କହିଲେ–ଚାଉଳଠାରୁ ତେଲ ପରିଯନ୍ତେ । ଯେବଣ ଯେବଣ । ପୁଣି ତମ୍ୱାତାରଠାରୁ ପ୍ରାଚୀନ ମୂର୍ତ୍ତି ପର୍ଯ୍ୟନ୍ତ ଯେବଣ ଯେବଣ ।

 

ଆମ୍ଭେ ହାସ୍ୟ କଲୁ । କହିଲୁ–ଏଥିରେ କିବା ଦୋଷ ଅଛି ? ଆମ୍ଭେ ତ୍ରୈଲୋକନାଥ ନିଜେ ଚୌରଚିନ୍ତାମଣି । ଆମ୍ଭେ ମଧ୍ୟ ସରଲବଣୀଠାରୁ ସ୍ୟମନ୍ତକ ମଣି ଯାଏଁ ଏ କାର୍ଯ୍ୟ ନେଇଆଣି ଥୋଇ ପାରିଅଛୁ । ଆମ୍ଭେ ଚୌରର ବୁଦ୍ଧି ସ୍ୱରୂପ ସତର୍କତା ଅଟୁଁ । ତ ସେ କଟୁଆଳମାନେ ! କେମନ୍ତ ଗୋଳ କରୁଅଛନ୍ତି ? ଆମ୍ଭେ ଆଜ୍ଞାକଲୁ–ଆହୋ କଟୁଆଳମାନେ ତୁମ୍ଭେମାନେ କି ସକାଶୁଁ ଗୋଳ କରୁଅଛ ? ନେଇଆଣି ଥୋଇ ପାରିଲେ ଯେ ବିଦ୍ୟା ଭଲ ବୋଲି କଥିତ ଅଛି ତାହା ତ ଚୋରି ବିଦ୍ୟା ବୋଲି ପ୍ରସିଦ୍ଧ । ଏ ପ୍ରପଞ୍ଚ ଚୋରାରେ ଚାଲିଅଛି । ଆମ୍ଭେ ମଧ୍ୟ ଚୋରାରେ ଭ୍ରମୁଅଛୁଁ-

 

କଟୁଆଳମାନେ ଆମ୍ଭଙ୍କୁ କାହୁଁ ଚିହ୍ନିବେ ? ସେମାନେ କହିଲେ–ଆମ୍ଭେ କିମ୍ପାଇଁ ଗୋଳ କରିବୁ ? ଆମ୍ଭେମାନେ ଆମ୍ଭର ଭାଗ ମାଗୁଣି କରୁଅଛୁ । ସେମାନେ ଉଶ୍ଚିତ ଭାଗ ଦେଉ ନ ଥିବାରୁ ଯାହା ଗୋଳ । ଆମ୍ଭେ ତହୁଁ ଟ୍ରକ୍‍ବାଲାଙ୍କୁ ଝିଙ୍ଗାସି କହିଲୁ–

 

କିହୋ ଟ୍ରକ୍‍ବାଲାମାନେ ! ଏହାର ତଥ୍ୟ କ’ଣ ?

 

ସେମାନେ କହିଲେ–ଆମ୍ଭର ଯେ ମାଲିକ, ସେ ତ ଦିନବେଳା ସରକାରୀ ପାର୍ଟିକି ଚାନ୍ଦା ଦେଇ ଅଛନ୍ତି । ଆମ୍ଭେ ପୁଣି ତୁମ୍ଭଙ୍କୁ କିପାଇଁ ରାତ୍ରବେଳା ଦେବା ? ଏ ଆଜ୍ଞା ପତ୍ରିକା ପ୍ରମାଣ–ଏହାକୁ ଦେଖ ।

 

ଆମ୍ଭେ ସମସ୍ତ ବୁଝିଲୁ । ମଧ୍ୟସ୍ଥିଭାବେ କହିଲୁ–ଆହେ ଗୌରମାନ‌େ । ତଥାଶ୍ଚ କଟୁଆଳମାନଙ୍କୁ କିଛି ଭାଗ ଦିଅ । ସେମାନଙ୍କ ପିଲାଛୁଆ ଅଣ୍ଡାବଚା ପୁଣି କି ପ୍ରକାରେ ବଞ୍ଚିବେ । ମିଥ୍ୟାକୁ ସମବଣ୍ଟନ କରି ଭୋଗ କଲେ ପୁଣ୍ୟ ହୁଏ–ଏକଥା କି ତୁମ୍ଭଙ୍କୁ ଜ୍ଞାତବ୍ୟ ନାହିଁ ? ସେମାନେ କହିଲେ–ଜ୍ଞାତବ୍ୟ ଅଛି ।

 

ତଦୁତ୍ତାରେ ସେମାନେ କଟୁଆଳମାନଙ୍କୁ ଯଥା ଉଶ୍ଚିତ ଦେଲେ । ଯେଝା ବାଟ ଯେ ଧରିଲେ । ତହୁଁ ଆମ୍ଭେ ଆଗକୁ ଚଳିଲୁ । ଆମ୍ଭେ ଯେ ଜଗନ୍ନାଥ–ତ୍ରୈଲୋକେଶ୍ୱର – ଆମ୍ଭେ ଯେ ଏ ପ୍ରପଞ୍ଚର ହର୍ତ୍ତା କର୍ତ୍ତା ଦୈବ ବିଧାତା – ତାହା ଏମାନେ କେମନ୍ତେ ଜାଣିବେ ? ପ୍ଲାଟଫର୍ମରେ ପ୍ରବେଶି ଆମ୍ଭେ ଅନ୍ଧାର ଆଡ଼କୁ ଚାଲିଲୁ । ସେଠାରେ ବହୁ ଦୂର ଦୂରାନ୍ତ ଯାତ୍ରୀ ଶୟନ କରିଥିଲେ । ଆହୁରି ଦୂରରେ କଳା କଳା କୋଚଟିଆ ରୋଗିଣାମାନେ ଶୋଇଥିଲେ । ଗୃହହୀନ, ଖାଦ୍ୟହୀନ, କର୍ମହୀନ, କାଙ୍ଗାଳ ଭିକ୍ଷାଶୀମାନେ ଊର୍ଦ୍ଧ୍ୱମୁଖ କେହିବା ପାର୍ଶ୍ୱମାଡ଼ି ଶୋଇଥିଲେ । ଏମାନେ ଖରା ବର୍ଷା, ଗ୍ରୀଷ୍ମ, ଶୀତ, ଅଶନ ଅନଶନ ସମସ୍ତକୁ ସମ ମଣିଛନ୍ତି । ସ୍ଥିତପ୍ରଜ୍ଞ ହୋଇଛନ୍ତି । ପାଟିତୁଣ୍ଡ ଗୋଳ କରୁନାହାନ୍ତି । ପୁନଶ୍ଚ ପ୍ରୀତ ହେଲୁ । ଆମ୍ଭ ପ୍ରଦତ୍ତ ଦୁଃଖ ଏମାନେ ନୀରବରେ ସହ୍ୟ କରୁଛନ୍ତି । ଦୁଃଖ କ’ଣ ? ଆମ୍ଭେ ନିଜେ ଦୁଃଖ ଅଟୁ । ତହିଁ ଉତ୍ତାରେ ଆମ୍ଭେ ଗୋଟିଏ ଝଙ୍କାଳିଆ ବରଗଛ ମୂଳକୁ ଗଲୁ । ସେ ବୃକ୍ଷରେ ବହୁ ଜାତିର ପକ୍ଷୀ ଅସଂଖ୍ୟ ହୋଇ ବସା ବାନ୍ଧୁଥାନ୍ତି । ରାତ୍ରି ଦିବସ କଳ କୋଳାହଳ କରୁଥାନ୍ତି । ସେମାନଙ୍କ ବିଷ୍ଠାରେ ଚତୁର୍ଦ୍ଦିଗ ପୂରିଥାଏ ଗନ୍ଧ ସଞ୍ଚରୁଥାଏ । ଆମ୍ଭେ ସେ ଗନ୍ଧକୁ ଗ୍ରହଣ କଲୁ । ଆମ୍ଭେ ଯେ ସ୍ୱୟଂ ଗନ୍ଧବହ ।

 

କିୟତ୍‍ ଦୂରରେ ଆହୁରି ଅନ୍ଧାରରେ କେତେକ ଲୋକ କାହାକୁ ଘେରି ଗୋଲକଲା ପ୍ରାଏ ଲାଗିବାରୁ ଆମ୍ଭେ ସେ ଦିଗକୁ ଧାବିତ ହେଲୁ । କ’ଣ ଦେଖିଲୁ ?

 

ନାରୀ ଗୋଟିଏ ତହିଁ ଉଭା ହୋଇଅଛି । ଭୂମିପରେ ହେଠମାଥ କରି ବସିଅଛି । ସେ ଅନ୍ଧାରକୁ ଓ ଅନ୍ଧାର ତାକୁ ଆବୋରି ଧରାଧରି ହେଲାପ୍ରାଏ ଶୋଭାବନ୍ତ ଦିଶୁଅଛି । ତା’ଦେହରୁ ସୁଗନ୍ଧ ବାହାରୁଛି, ସେ କେଶରେ ଫୁଲମାଳ ଗୁଡ଼ାଇ ଅଛି । ତା’ ଚଉପାଶରେ ନାନା ବୟସର ଓ ନାନା ଶ୍ରେଣୀର କେତେକ ବ୍ୟକ୍ତି ବେଢ଼ି ତାକୁ ପୁଚ୍ଛା କରୁଛନ୍ତି–କେହି କେହି କଅଁଳେଇ ଚାଟୁବାକ୍ୟ–କେହିବା ପୌରୁଷ ବାକ୍ୟରେ ଧମକ ଦେଇ କହୁଛନ୍ତି–

 

ଆଲୋ କୁତି ! ତୁ ସତରେ କିଏସେ କହିଦେ । ତୁ ସତ କଥା ମାନିଯା । ତୁ ମାନିଯା–ତୋର ବାପ ନାହିଁ ? ମାଆ ନାହିଁ–ଭାଇ ନାହିଁ–କକେଇ ନାହିଁ–ରକ୍ଷକ କେହି ନାହିଁ । ତୁ କହିଦେ–ତୋର ପେଟ ପୋଡ଼ିଯାଉଛି ବୋଲି ତୁ ଏକାମ କରୁଅଛୁ । ତୋର ବା ଦୋଷ କିସ ? ପେଟପାଇଁ ଆମେ ସଭିଏଁ ଯାହା କରୁଛୁ ତୁ ତା’ କରୁଛୁ । କହିଦେ–ଏତକ ଚଞ୍ଚଳ କହିଦେ । ଆମକୁ କିମ୍ପାଇ ଏତେ କଦର୍ଥନା ଦେଉଛୁ ?

 

ସେ ବିଟାଳୀନାରୀ କିଛି କହୁ ନ ଥାଇ । ଖାଲି ହସୁଥାଇ ବାଙ୍କ ଚାହାଣିରେ ତେରଛା ଚାହୁଁଥାଇ । ମୁଣ୍ଡରୁ ଛାତିରୁ ଶାଢ଼ି ଖସାଉ ଥାଇ । ପୁଣି ଯାକିଯୁକି ବସୁଥାଇ ।

 

ଲୋକମାନେ ଅଥୟ ହେଉଥାନ୍ତି । ସେମାନେ ତା’ଠାରୁ ସତ୍ୟ ଆଦାୟ କରୁଥାନ୍ତି । ଜଣେ ଆଉ ସମ୍ଭାଳି ନପାରି ତା ଶାଢ଼ିକି ଝିଙ୍କିଲା । ଆଉ ଜଣେ ତା’ ବାହାକୁ ଚିପିଦେଲା । କହିଦେ–ସତ କହିଦେ କେତେରେ ତୋ’ ପେଟ ପୂରିବ–କହିଦେ–ଆମ୍ଭେ ଏତେଜଣ ଅଛୁ ରାତି ଆଉ ବେଶି ନାହିଁ । ପୁଣି ନଗ୍ର କଟୁଆଳମାନେ ବୁଲୁଚନ୍ତି । ତୋଠାରୁ ଭାଗ ଲାଗି କଟାଳ କରିବେ । କହ, କହିଦେ–କେତେରେ ରାଜି ? ଗାଏମୋଟ କହିଦେ । ଆମେ ସବୁ ସମାନ ଭାଗ କରି ଦେବୁ ।

 

ଏ ଦୃଶ୍ୟ ଦେଖି ଓ ଶୁଣି ଆମ୍ଭେ ଯେ ଜଗତରନାଥ ବଡ଼ ଆହ୍ଲାଦ ହୋଇଲୁ । ଆମ୍ଭର ବଡ଼ସିଂହାର କଥା ମନେ ପଡ଼ିଗଲା । ଆମ୍ଭର ବ୍ରହ୍ମ ତରକିଲା । ଆମ୍ଭେ ଭାବିଲୁ ଏତ ଆମ୍ଭରି ଲୀଳା-। ଆମ୍ଭେ ଜୀବଭିତରେ ରଜବୀର୍ଯ୍ୟ ସର୍ଜନାକରି ତହିଁ ଭିତରେ କାମ ହୋଇ ଅବସ୍ଥାନ କରିଥାଉଁ-। ଜୀବକୁ ଉଚ୍ଚାଟ କରୁଥାଉଁ । କାମଭୋଳେ ଜୀବ ଭ୍ରମୁଥାଇ । ବେଳାରେ ଅଣଆୟତ୍ତ ହୁଅଇ । ତ ସେ କେମନ୍ତ ସମ୍ଭାଳା ହେବ କି ? ଆମ୍ଭେ ତ ଉଚ୍ଚାଟ ପୁରୁଷ । ପ୍ରକୃତି ଆମ୍ଭ ତହୁଁ ଜାତ-। ମାୟା ମୋହିନୀ ରୂପ ଧରି ଆମ୍ଭକୁ ମୋହିତ କରି ବିଚଳିତ କରୁଥାଇ । ଆମ୍ଭେ କରିବାକଥାରେ କାହାର ବା ଚାରା ଅଛି ? ବ୍ରହ୍ମା ଶିବ ତ ଅଣାୟତ୍ତ ହେଲେ । ଆଉମାନଙ୍କ କଥା କିବା ଛାର-!

 

ଆମ୍ଭେ ସ୍ୱୟଂ କାମଦେବ । ଧନ୍ୟରେ ଆମ୍ଭେ ! ଆମ୍ଭେ ଆମ୍ଭକୁ ରମୁଅଛୁ । ଆମ୍ଭେ ଏ ଦୃଶ୍ୟକୁ ଦେଖି ବସିଲୁ । ଆମ୍ଭ ମନରେ ଉଦେହେଲା କି ଆମ୍ଭେ ରମିବା । ଆମ୍ଭେ ପୂର୍ବେ ଷୋଳ ସସ୍ର ଗୋପନାରୀଙ୍କି ବୃନ୍ଦାବନରେ ରମୁଥିଲୁ । ମଥୁରାରେ କୁବୁଜାଦିଙ୍କୁ ରମିଥିଲୁ । ଦ୍ୱାରକାରେ ରମିଥିଲୁ ଅଷ୍ଟପାଟବଂଶୀକି । ଆମ୍ଭେ ସର୍ବନ୍ତ ରମଣପୁରୁଷ । ପୁଣି ରତିରେ ବଳବନ୍ତା ଅଟୁ । ଏକ୍ଷଣେ ଆମ୍ଭେ ଏହାକୁ ରମିବା । ଏହାର ଆତ୍ମାକୁ ଶଙ୍ଗାରରେ ତୋଷିବା । ଏ ଅବା ଆମ୍ଭଙ୍କୁ ଚିହ୍ନିବ କାହୁଁ ? ତେବେ ଆମ୍ଭସକାଶେ – ପୂର୍ବେ ଏ ଅଛି ତପ କରି–ଏ ଜନ୍ମେ ହୋଇଛୁ ଦୋଚାରୀ । ଆମ୍ଭେ ତା’ ତୁଲେ କଲେ ରତି – ଏ ଆତ୍ମା ପାଇବ ସଦ୍‍ଗତି ।

 

ଏମନ୍ତ ଭାବି ଆମ୍ଭେ ସେ ବିଟାଳୀକି କୋଳ କଲୁ । କହିଲୁ ଆମ୍ଭେ ତ୍ରିଭୁବନେଶ୍ୱର–ଜଗନ୍ନାଥ । ଆମ୍ଭକୁ ଭଜନା କର । ଆମ୍ଭେ ତୁମ୍ଭଙ୍କୁ ଥୋଡ଼ାଏ ରତ୍ନ ଦେବା । ଚଣ୍ଡରତିରେ ତୁମ୍ଭ ମନ ତୋଷିବା ।

 

ସେ ବିଟପୀ ଆମ୍ଭ କଥା ଶୁଣି ଆମ୍ଭଙ୍କୁ ଚାହିଁଲା । ଆମ୍ଭେ ତାକୁ ଚାହିଁ ବଶ୍ୟ କଲୁ । ସେ ହସି ହସି ହାତ ବଢ଼ାଇଲା । ଆମ୍ଭେ ତାକୁ ଲକ୍ଷ୍ମୀ-ପ୍ରଦତ୍ତ ବାଟ ଖର୍ଚ୍ଚରୁ କିଛି ରତ୍ନମୁଦ୍ରା ଦେଲୁ । ସେ ତତ୍ପରେ ଆମ୍ଭ ଶ୍ରୀହସ୍ତକୁ ଧରି ତା’ର ବକ୍ଷରେ ଲଗାଇଲା । ଆମ୍ଭେ ହସି ହସି ତାତୁଲେ ରଙ୍ଗରହସ୍ୟ କଲୁ ।

ଏହା ଦେଖି ଅନ୍ୟ ଲୋକମାନେ ଗୋଳ କଲେ । ସେମାନେ କ୍ଷେପିଉଠି ପଚାରିଲେ–ତୁମେ କିଏ ହୋ ? ଆମ ଖାଇବା ପତରରେ ଧୂଳିଦେଉଛ ? ଆମ୍ଭେ ତା’ ପିଛା ଦି’ଘଣ୍ଟା ହେଲା ଲାଗିଅଛୁ । ତାଙ୍କୁ ଛାଡ଼ ! ନହେଲେ ଆମେ ତୁମଙ୍କୁ ମାରି ସିଧା କରିଦେବୁ ।

ଆମ୍ଭେ ସବୁ ଶୁଣି ହସିଲୁ । ଆମ୍ଭେ କହିଲୁ–ଆହେ ଭଗତେ ! ଆମ୍ଭଙ୍କୁ ତୁମ୍ଭେ ଚିହ୍ନି ନପାରିବ । ଆମ୍ଭେ ଜଗତର ନାଥ ଜଗନ୍ନାଥ । ଆମ୍ଭଙ୍କୁ ବା କିସ ଅପ୍ରାପତ ଅଛି ? ଆମ୍ଭେ ସର୍ବଭୂତରେ ରହି ସର୍ବପ୍ରକାର ଭୋଗ କରୁଅଛୁ । ତୁମ୍ଭେମାନେ ଏବେ ଏହି ବିଟପୀ ତୁଲେ ରତିରଙ୍ଗରେ ମାତ । ତଦ୍ଦ୍ୱାରା ଆମ୍ଭେ ସାର୍ଥକାମ ହେବୁ ।

ସେମାନେ ଖୁସୀ ହୋଇ ଆମ୍ଭର ଗୋଡ଼ତଳେ ଭୂମିଷ୍ଠ ହେଲେ । ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କଲୁ–କହିଲୁଁ, ଦେଖ୍ ! ଏହାର ଉଚିତ ପ୍ରାପ୍ୟ ତାକୁ ଦେବ । ନଚେତ ପାପରେ ଭାଗୀହେବ । ଏ ତ ପେଟଦାୟରେ ଏହାକୁ ଜୀବିକା କରିଅଛି ଓ ସେ କିପରି ବଞ୍ଚିବ ?

ଏତେକ କହି ଆମ୍ଭେ ବିଦାୟ ନେଲୁଁ । ରାତ୍ରି ଆଉ ଅଳ୍ପ ଥିଲା । ଆମ୍ଭେ ଭାବିଲୁ – ଆଉ ଏଥି କିପାଇଁ ଶୋଇବା ? ପୁରସ୍ତମକୁ ବାହୁଡ଼ି ଯିବା । ଏ ପୃଥ୍ୱୀ ଯାହା ଯେମନ୍ତ ଚାଲିବାର କଥା ଚାଲିଅଛି । କାହାରି କିଛି ଅଭିଯୋଗ ନାହିଁ । ସମସ୍ତ ନିଜ ବାଟରେ ଚାଲିଅଛି । ଆମ୍ଭେ ଫେରିବାକୁ ବସିଛୁ–ଏମନ୍ତ ସମୟେ ଆମ୍ଭ ଆଗରେ ଯେ ଉଭାହେଲେ ସେ ଆମ୍ଭ ଜ୍ୟେଷ୍ଠଭ୍ରାତା ବଳରାମ ଠାକୁର । ଆମ୍ଭେ ସର୍ବଜ୍ଞାତା । ତେଣୁ ବିସ୍ମିତ ନ ହେଲେବି ମାନୁଷୀ ରାତିରେ ବିସ୍ମୟ ପ୍ରକାଶି କହିଲୁ–

ତୁମ୍ଭେ କିପରି ଓ କେମନ୍ତ ଶ୍ରୀମନ୍ଦିର ଛାଡ଼ି ଆସିଲ ?

ଭାଇନା କହିଲେ–ମହାବିପଦ ଉପସ୍ଥିତ ।

ମୁଁ କହିଲି–କି ବିପଦ ?

ଲକ୍ଷ୍ମୀକୁ ଦେଖିଛୁ ? ସେ ତ ରାତିସାରା ମନ୍ଦିରକୁ ଫେରିନାହାନ୍ତି । କଥା କ’ଣ ? ତୋର ଜମା ଘରଆଡ଼େ ନିଘା ନାହିଁ । ତୋର ସ୍ୱଭାବ ସବୁଦିନେ ପରଙ୍କୁ ନେଇ ମାତିବୁ । ଏବେ ସମ୍ଭାଳ । ଲକ୍ଷ୍ମୀ କୁଆଡ଼େ ଗଲେ ?

ମୁଁ ହସି ହସି କହିଲି–

ଭାଇନା । ମା ଶୋଚ–ମା ଶୋଚ । ଲକ୍ଷ୍ମୀ ବର୍ତ୍ତମାନ ରାତ୍ରିଚାରିଣୀ-ନିଶାଚରୀ । ଆଜିକାଲି ସମସ୍ତ ବେପାର ବାଣିଜ୍ୟ ରାତିରେ ଚଳୁଅଛି । ଚାଲ ଆମ୍ଭେମାନେ ଶ୍ରୀମନ୍ଦିରକୁ ଫେରିଯିବା । ସୂର୍ଯ୍ୟୋଦୟ ପୂର୍ବରୁ ସେ ମଧ୍ୟ ମନ୍ଦିରକୁ ଫେରିବେଣି । ମୁଁ ତେର ଦିନ ହେଲା ଲକ୍ଷ୍ୟ କରୁଛି–ତାଙ୍କର ଚନ୍ଦ୍ରମୁଖ କିଞ୍ଚିତ୍ କଳା ପଡ଼ିଆସୁଛି । ସେ କିଛି ନୁହ । କଳାବଜାରର ପ୍ରତିକ୍ରିୟା । ଚାଲ, ଚାଲ । ଶୀଘ୍ର ଚାଲ ।

ଆମ୍ଭେ ଦୁଇଭାଇ ଫେରିଲୁ । ଲିଙ୍ଗରାଜଙ୍କୁ ବାହାରୁ ଅଭିବାଦନ ଜଣାଇ ସିଧା ସଡ଼କରେ ଚାଲିଛୁ–ହଠାତ ଗୋଟିଏ କାର୍ ଆମ୍ଭ ପଛ ପଟେ ବ୍ରେକ୍ ଦେଲା ଓ ଡ୍ରାଇଭର ତତ୍‍କ୍ଷଣାତ କାର୍‍ରୁ ଓହ୍ଲାଇ ଫାଟକ ଖୋଲି ଆମ୍ଭକୁ ପ୍ରଣିପାତ କରି ଗାଡ଼ି ଭିତରକୁ ଡାକିଲା । ଆମ୍ଭେ ଗାଡ଼ି ଭିତରକୁ ଚାହିଁଲୁ । ସ୍ୱୟଂ ଲକ୍ଷ୍ମୀ ଦେବୀ ବସିଛନ୍ତି–ଆଉ ହସୁଛନ୍ତି ।

 

ଆମେ ଉଚ୍ଚବାଚ ନ କରି କାର୍ ଭିତରେ ପଶିଲୁ । ତା’ ଭିତରେ ଲକ୍ଷ୍ମୀ ଆମକୁ କହିଲେ–କାଲି ରାତିରେ ଯୋଉ ଟ୍ରକ୍‍ବାଲାଙ୍କ ସାଙ୍ଗେ ତୁମେ କଥା ହେଉଥିଲ–ମୁଁ ପରା ସେଇ ଟ୍ରକ୍‍ରେ ବସିଥିଲି । ତୁମ ରଙ୍ଗ ଦେଖି ମନେ ହସୁଥିଲି ।

 

ଆମ୍ଭେ ଲକ୍ଷ୍ମୀଙ୍କୁ ଟିକିଏ ଚିମୁଟି ଦେଲୁ – ବେଶି ଗେଲ କରିପାରିଲୁ ନାହିଁ । କାରଣ ସାଙ୍ଗରେ ବଡ଼ ଭାଇ ଅଛନ୍ତି । ହସି ହସି କହିଲୁ–ତୁମ୍ଭେ ବା କାହୁଁ ଜାଣିବ ଯେ ଆମ୍ଭେ ସବୁ ଜାଣୁ ବୋଲି ? ଆମ୍ଭେ ମଧ୍ୟ ଗତକାଲି ତାହା ଜ୍ଞାତବ୍ୟ ଥିଲୁ । ଆମ୍ଭେ ଯେ ସର୍ବଜ୍ଞ । ସର୍ବଭୂତ ଓ ସର୍ବ ସ୍ଥାନରେ ବ୍ୟାପୀ ରହିଛୁ ।

 

ଶ୍ରୀମନ୍ଦିର ସିଂହଦୁଆର ଆଗରେ ଗାଡ଼ି ଅଟକିଲା । ତଥାଚ–ରାତି ପାହି ନାହିଁ । ଦେବାଦେବୀମାନେ ଆମ୍ଭ ଦର୍ଶନକୁ ତଥାଚ ଆସି ନାହାନ୍ତି । ଆମ୍ଭେ ଚଟାପଟ ମନ୍ଦିରାଭ୍ୟନ୍ତରେ ପ୍ରବେଶ କରି ଯେଝା କକ୍ଷକୁ ପଶିଗଲୁ ଓ ଶୋଇ ପଡ଼ିଲୁ । ଆମ ପହଡ଼ ଭାଙ୍ଗିବ ଯାଇ ସକାଳ ନଅଟାରେ ଓ ଆମର ସକାଳ ଧୂପ ବଢ଼ା ହେବ ସନ୍ଧ୍ୟା ନଅଟାରେ । ତେଣୁ ନିଶ୍ଚିନ୍ତ ନିଦକ ନିଦରେ ଶୋଇଗଲୁ ।

 

କିନ୍ତୁ ଆମ୍ଭେ ଗୋଟିଏ କଥା ଭୁଲି ଯାଇଥିଲୁ । ଆମ୍ଭର ଭକ୍ତ ଶିରୋମଣି ମହାପାତ୍ର ନୀଳମଣିଙ୍କୁ ଏ ସମ୍ୱାଦ ତୁରନ୍ତି ଜଣାଇବା ଆବଶ୍ୟକ । ଆମ୍ଭେ ଯୋଗ ନିଦ୍ରାରେ ମଗ୍ନ ହେଲୁ ଓ ମହାପାତ୍ର ନୀଳମଣିଙ୍କୁ ସ୍ୱପ୍ନରେ ଦେଖା ଦେଇ କହିଲୁ–

 

ବତ୍ସ ! ଶ୍ରବଣ କର । ତୁମ୍ଭ ଦେଶ ଯଥାରୀତି ଚାଲିଅଛି । ଆମ୍ଭର ହସ୍ତକ୍ଷେପ ଆବଶ୍ୟକ ନାହିଁ । ତୁମ୍ଭେ ବୃଥା ଚିନ୍ତା କର ନାହିଁ । ସମସ୍ତ ବୃତ୍ତାନ୍ତ ତା’ ଆଗରେ ବୟାନ କରି ଆମ୍ଭେ ଶେଷରେ କହିଲୁ ଦେଖ ! ଏ ସମସ୍ତ ଆମ୍ଭକୃତ ଅଟେ । ଏଥିରେ କାହାରି ଦୋଷ ନାହିଁ । କାହାର ଦାୟିତ୍ୱ ନାହିଁ-। ଉତ୍କଳବାସୀ ତଥା ଭାରତବାସୀ ସେମାନଙ୍କର ସମସ୍ତ ଆମ୍ଭ ପାଦ ପଦ୍ମରେ ସଅଁପି ଦେଇଛନ୍ତି । କେବଳ ଅଜ୍ଞାନବଶରୁ ତାହା ଜାଣିପାରୁ ନାହାନ୍ତି । ତୁମ୍ଭେ ଜାଣି ପାରୁଅଛ–ଏତିକି ଯାହା ପାର୍ଥକ୍ୟ-। ଏବେ ଶାନ୍ତିରେ ଶୟନ କର ।

 

କିନ୍ତୁ ଭକ୍ତ ଶିରୋମଣି ହଠାତ ଆମ୍ଭ କଥାରେ କ୍ରୁଦ୍ଧ ହୋଇ ଉଠିଲେ । ଏବଂ ଆମ୍ଭକୁ କାଠୁଆ ବଜ୍ଜାତ ଭୂତ ବୋଲି ଭର୍ତ୍ସନା କରି ଆମ୍ଭ ବକ୍ଷରେ ଦୁଇ ଚାରି ଗୋଇଠା କଷିଦେଲେ । ଆମ୍ଭେ ତ ଭକ୍ତର ଅଧୀନ । ଆମ୍ଭେ କି କ୍ରୁଦ୍ଧ ହେବୁ ? ଆମେ ହସିଉଠିଲୁ । କହିଲୁ–ବତ୍ସ ! ତୁମ୍ଭର ଏ ଗୋଇଠା ପ୍ରହାର ଆମ୍ଭ ବକ୍ଷରେ କୌସ୍ତୁଭଠାରୁ ଅଧିକ ମୂଲ୍ୟବାନ୍ ଭୂଷଣ ହୋଇ ରହିଲା ।...ମାତ୍ର ତୁମ୍ଭେ ଏ କଥା କାହା ଆଗେ ପ୍ରକାଶ କରିବ ନାହିଁ ।

 

ଅତଃପର ଆମ୍ଭେ ପୁନଶ୍ଚ ଦାରୁଭୂତ ହୋଇ ଶ୍ରୀମନ୍ଦିରର ଶୋଭା ବର୍ଦ୍ଧନ କଲୁ ।

Image

 

ସତୀବର’ର ଇତିବୃତ୍ତ

 

ଅବଶେଷରେ ସେହି ବରଗଛଟାକୁ କାଟି ଦିଆଗଲା । ଅସଂଖ୍ୟ କୁରାଢ଼ି ଓ କଟୁରି ଚୋଟରେ ତା’ର ମୋଟା ମୋଟା ଡାଳଗୁଡ଼ାକୁ ସହସ୍ର ଖଣ୍ଡରେ କାଟି ଛିନ୍‍ଛତର କରି ଦିଆଗଲା । ଗ୍ରାମଯାକର ଲୋକେ ମହା ଉଲ୍ଲାସରେ ତା’ର ଖଣ୍ଡ ବିଖଣ୍ଡିତ ପତ୍ର ଓ ଫଳଲଗା ଡାଳଗୁଡ଼ିକୁ ବାଲିରେ ଘୋଷାରି ଘୋଷାରି ନେଇ ଚାଲିଗଲେ । ବଜାରରେ ସେଦିନ ସତେ କି ଏକ ମହୋତ୍ସବ ହୋଇଗଲା ! ସତେ କି ଗାଁସାରା ସମସ୍ତେ ଏଇ ସୁଦିନଟିକୁ ଅପେକ୍ଷା କରି ରହିଥିଲେ ! ଖାଲି ଗଛଟାକୁ କାଟି ଜାଳିବେ ବୋଲି ନୁହେଁ–ଗଛଟାର ବ୍ୟକ୍ତିତ୍ୱ ପ୍ରତି ସମସ୍ତଙ୍କର ଗୋଟାଏ ତୀବ୍ର ଅସହିଷ୍ଣୁତା ଆସିଯାଇଥିଲା । ଏହି ବିରାଟକାୟ ଗଛଟାକୁ ଆଶ୍ରୟ କରି ଚେକାମାଡ଼ି ବସିଥିଲା ଗୋଟାଏ କ୍ଷୟିଷ୍ଣୁ ଯୁଗର ଅତି ଅଭିମାନୀ ଏକ ଆତ୍ମ-ମର୍ଯ୍ୟାଦା । ଏକ ଅତିମାନବର ନୀଳାଭ ବକ୍ଷଦେଶ ଭଳି ତା’ର ବିସ୍ତାରିତ ସାନ୍ଧ୍ର ପଲ୍ଲବଯୁକ୍ତ ଛନ୍ଦାଛନ୍ଦି ଶାଖାମାନ-ଏକ ବାୟବୀୟ ଶକ୍ତିର ପାରାକାଷ୍ଠା ବହନ କରି ଲମ୍ୱାୟମାନ ତା’ର ସେହି ଶୁଭ୍ର ବର୍ତ୍ତୁଳ ଦୀର୍ଘ ଡାଳମାନ ଏବଂ ଏକ ବର୍ଦ୍ଧିଷ୍ଣୁ ସାମନ୍ତ ପରିବାରର ସୁସ୍ଥ ସବଳ ସତେଜ ଉତ୍ତରାଧିକାରୀମାନଙ୍କ ଭଳି ତା’ର ସେହିସବୁ ଶତାଧିକ ପ୍ରଳମ୍ୱମାନ ଭୂମିସ୍ପର୍ଶୀ ଓହଳଗୁଡ଼ିକ–ତା’ର ମୂଳରେ ବୃକ୍ଷଟିର ଗଣ୍ଡିକୁ ଆଶ୍ରୟ କରି ସେହିସବୁ ଗମ୍ଭୀର ନିଶ୍ଚଳ ହୁଙ୍କାସବୁ–ଆଉ ତା’ର ସେହି ନିରନ୍ଧ୍ର ଘନଶ୍ୟାମ ପଲ୍ଲବିତ ହୃଦ-କନ୍ଦରରେ ଅସଂଖ୍ୟ ପକ୍ଷୀଙ୍କର ଦିବାରାତ୍ରି କଳରବ–ଏବଂ ଏସବୁକୁ ଅତିକ୍ରମ କରି ବରଗଛଟି ଯେଉଁ ଝଙ୍କାଳିଆ; ଭୀତିପ୍ରଦ ସମ୍ଭ୍ରାନ୍ତ ଗମ୍ଭୀର ବ୍ୟକ୍ତିତ୍ୱ–ଯାହା ପ୍ରାଚୀନତାର ସମସ୍ତ ରହସ୍ୟକୁ ନିଶ୍ଚିନ୍ତଭାବେ ଧାରଣ କରି ଏକ ବନସ୍ପତିର ମହିମାରେ ସେଠି ବିରାଜମାନ କରୁଥିଲା–ଦିନବେଳେ ସୁଦ୍ଧା କେହି ତା’ର ଛାଇ ମାଡ଼ିବାକୁ ସାହସ କରୁ ନ ଥିଲେ । ଗ୍ରାମରେ ବର୍ତ୍ତମାନ ସାମ୍ୟବାଦ ଓ ସମାଜବାଦର ପବନ ବହୁଛି ଖରତର । ଏଠି ଏ ଯୁଗରେ କାହାର ଗଉଁ କେହି ସହିବାକୁ ନାରାଜ । ସେ ମଣିଷ ହେଉ ବା ବୃକ୍ଷ ହେଉ । ପରମ୍ପରା ରକ୍ଷା କରିବାରେ ବୃକ୍ଷମାନେ ପୁଣି ଅତି ଜିଦ୍‍ଖୋର୍ ।

 

ସେହି ଗଛଟାର ନିଶ୍ଚୟ ଗୋଟାଏ ଅଭିଜାତ ଗଉଁ ଥିଲା । ଗୋଟାଏ ଏକସିଙ୍ଗିଆ ଅଖାଡ଼ୁଆ ଗଉଁ–ଯାହାକୁ ଆମେ କହିପାରୁ ଗୋଟାଏ ବିସ୍ମୃତପ୍ରାୟ ସାମନ୍ତବାଦୀ ଯୁଗର ଗୋଟାଏ ଅସାଧାରଣ ବିଚିତ୍ର ଆତ୍ମ-ମର୍ଯ୍ୟାଦାବୋଧ, ଯାହା କି ଅନ୍ୟମାନଙ୍କଠାରୁ ନିଜକୁ କିଞ୍ଚିତ୍ ଦୂରତାରେ ଅବସ୍ଥାପନ କରିଥାଏ ଓ ସମସ୍ତଙ୍କ ସାଙ୍ଗରେ ଥାଇ ମଧ୍ୟ ସମସ୍ତଙ୍କଠାରୁ ନିଜର ଶିରକୁ କିଞ୍ଚିତ୍ ଊର୍ଦ୍ଧ୍ୱରେ ଟେକି ରଖିଥାଏ । ଏହା ଛାୟାପ୍ରଦ, ଶରଣଦ, ରକ୍ଷକ ଓ ମହତ୍ତ୍ୱରେ ପରିପୂର୍ଣ୍ଣ–ମାତ୍ର ଏହାର ଛାୟା ଭୋଗ କରିବାକୁ ହେଲେ–ଏହାକୁ ରକ୍ଷା କବଚରୂପେ ଗ୍ରହଣ କରିବାକୁ ହେଲେ ଓ ଏହାର ମହତ୍ତ୍ୱକୁ ବରଣ କରିବାକୁ ହେଲେ ଏହାର ଊର୍ଦ୍ଧ୍ୱାୟମାନ ବିସ୍ତାରିତ ଛତି ପ୍ରାୟ ବ୍ୟକ୍ତିତ୍ୱର ନିମ୍ନଦେଶରେହିଁ ଉପଯାଚକରୂପେ ଦଣ୍ଡାୟମାନ ହେବାକୁ ପଡ଼ିବ ।

 

କିନ୍ତୁ ସେ ଯୁଗ ଆଉ ନାହିଁ । ଏ ଯୁଗରେ କାହାରି ଶିର ଉପରକୁ ଉଠିବାକୁ ଦିଆଯିବ ନାହିଁ । ସେ ମଣିଷ ହେଉ ବା ଗଛ ହେଉ ଅତଏବ କେନାଲ ଡିଭିଜନ୍‍ର ନୂଆ ଅଫିସ ଘର ଓ କର୍ମଚାରୀମାନଙ୍କର କଲୋନୀ ତିଆରି ହେବା ସକାଶେ ସେହି ପ୍ରାଚୀନ ବିରାଟକାୟ ବଟବୃକ୍ଷଟିକୁ ଅବଶେଷରେ ଛିନ୍‍ଛତର କରି କାଟି ଦିଆଗଲା । ଗ୍ରାମବାସୀଗଣ ମହା ଉତ୍ସାହରେ ସେହି ଗଛଟିର ଗଣ୍ଡି ମୁଣ୍ଡ କାଟି ଆଜି ଜାଣ ନିଶ୍ଚିତ ହୋଇଗଲେ । ସେମାନେ ସେ ସବୁକୁ ଚୁଲିରେ ବା ଇଟା ଭାଟିରେ ଜାଳିଦେବେ ।

 

ଗଛଟିର ନାଁ ଥିଲା ‘ସତୀବର’ । ସେ ଅନେକ ଦିନ ତଳର କଥା । ନରବଳୀ, ମେରିଆ ଓ ସତୀଦାହର ଯୁଗ ସେଇଟା । ବରଗଛଟିର ନାମରୁ ମନେହୁଏ–ଯେ ମୋ ଗ୍ରାମକୁ ତତ୍‍କାଳୀନ ବହୁ ସତୀ ଶିରୋମଣି ତା’ରି ମୂଳରେ ଆପଣା ଆପଣାର ସତ୍ୟବାନ ସ୍ୱାମୀମାନଙ୍କର ମୃତ ଦେହକୁ ଆଲିଙ୍ଗନ କରି ସ୍ୱାମୀର ଚିତାଗ୍ନିରେ ନିଜର ପାର୍ଥିବ ଦେହକୁ ଭସ୍ମୀଭୂତ କରି ଏହି ବୃକ୍ଷଟିକୁ ଏପରି ମହିମାନ୍ୱିତ କରି ଯାଇଥିବେ । ମାତ୍ର ନା, ତା’ ଯଦି ହୋଇଥାନ୍ତା–ତେବେ ଗ୍ରାମବାସୀମାନେ ସମସ୍ତେ ଶେଷପର୍ଯ୍ୟନ୍ତ ଏହି ଗଛଟିକୁ ସମ୍ମାନିତ କରି–ତା’ ମୂଳରେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟାଏ ମେଳା ମହୋତ୍ସବର ପାଲା ଆରମ୍ଭ କରି ଦେଇଥାନ୍ତେ । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଗ୍ରାମ ସୀମନ୍ତିନୀଗଣ ସିନ୍ଦୂର, ଅଳତା, କାଚ ଆଉ ଫୁଲମାଳରେ ଅର୍ଚ୍ଚିତ କରୁଥାନ୍ତେ ଏହି ଦ୍ରୁମରାଜଟିକୁ; କିନ୍ତୁ ଗ୍ରାମର ସାଧାରଣ ବ୍ୟକ୍ତିମାନେ କୌଣସି ପ୍ରକାରେ ଏହି ବୃକ୍ଷଟି ନିକଟରେ କୃତଜ୍ଞ ବା କୃତାର୍ଥ ନ ଥିଲେ । ବରଂ ଏହି ଗଛଟି ପ୍ରତି ସମସ୍ତଙ୍କର ଅବଚେତନରେ ଏକ ବିଜାତୀୟ ଈର୍ଷାଭାବ ଥିଲା । ତା’ର ଏକମାତ୍ର କାରଣ ହେଉଛି–ଆମ ବଂଶର ଅର୍ଥାତ୍ ବିଗତ ମହିମା ପାଇକରାୟ ବଂଶର ଏକ ବିଚିତ୍ର ଅସାଧାରଣ କୀର୍ତ୍ତିର ମହିମାକୁ ଧାରଣ କରି ଏହି ଗଛଟି ଆଜିପର୍ଯ୍ୟନ୍ତ ‘ସତୀବର’ ନାମରେ ସ୍ୱନାମଧନ୍ୟ ହୋଇ ରହିଥିଲା । ଜନରବ ଓ ଜନଶ୍ରୁତିରେ ଆଜି ପର୍ଯ୍ୟନ୍ତ ପ୍ରଚଳିତ ରହିଛି ସେହି ଅସାଧାରଣ କାହାଣୀଟି–ମୋର ପ୍ରତିତାମହୀ କମଳକୁମାରୀଙ୍କ ସମ୍ପର୍କରେ ଯେ କି ତାଙ୍କର ସ୍ୱାମୀଙ୍କ ଚିତାରେ ଝାସ ଦେଇ ସତୀତ୍ୱର ଚରମ ପରାକାଷ୍ଠା ଦେଖାଇ ଯାଇଥିଲେ–ଏହି ବରଗଛ ମୂଳେ । ଆଉ ଏହି ବରଗଛ ସେହି ସତୀଶିରୋମଣିଙ୍କ ସୁନାମରେଇ ସ୍ୱନାମଧନ୍ୟ ହୋଇ ରହିଛି ଆଜି ଯାଏଁ । ଅଥଚ ବର୍ତ୍ତମାନ ଆମ ଗ୍ରାମବାସୀମାନେ ଚାହାନ୍ତି–ଯେଉଁ କୀର୍ତ୍ତି ସବୁ ଅସାଧାରଣ ତାକୁ ସେମାନେ ରଖାଇ ଦେବେନାହିଁ–ଯାହାକିଛି ସର୍ବସାଧାରଣ–ତାକୁଇ ସେମାନେ ଆଦର କରି ରଖିବେ । ମାତ୍ର କିଏ ଏମାନଙ୍କୁ ବୁଝାଇଦେବ ଯେ ସର୍ବସାଧାରଣ ଉଚ୍ଚତାରେ ଯେତେ ବୃଦ୍ଧି ଲାଭ କରନ୍ତୁ ପଛେ–ସର୍ବଦା ସେମାନଙ୍କ ଉପରେ ଏକ ଅସାଧାରଣ ଶୃଙ୍ଗ ତା’ର ଉଚ୍ଚତମ ମର୍ଯ୍ୟାଦାରେ ଶିର ଟେକି ରହିଥିବ–ଏବଂ ସେହି ଉଚ୍ଚତମ ମର୍ଯ୍ୟାଦାଟିକୁ ତଳକୁ ନ ଖସାଇ ତା’ରି ଗୌରବକୁ ଶ୍ରେଣୀବଦ୍ଧ ସର୍ବସାଧାରଣଙ୍କର ଗୌରବ ବୋଲି ମନେ କରିବାରେଇ ରହିଛି ସର୍ବସାଧାରଣଙ୍କର ସମୁନ୍ନତିର ଗୋପନ ରହସ୍ୟ । ଅସାଧାରଣଙ୍କୁ ସମ୍ମାନ କରୁ କରୁ ସର୍ବସାଧାରଣ ଯେ କ୍ରମେ ସେହି ଅସାଧାରଣତ୍ୱର ଅଧିକାରୀ ହୁଅନ୍ତି–ଏକଥା ବର୍ତ୍ତମାନ କିଏ ବା ସେମାନଙ୍କୁ ବୁଝାଇ ପାରିବ ? ସେମାନେ ସମସ୍ତେ ବର୍ତ୍ତମାନ ସମତଳରେ ଠିଆହୋଇ ସବୁ ଉଚ୍ଚତାକୁ ସେଇ ସ୍ତରରେ ମିଶାଇ ଲାଗିଛନ୍ତି ।

 

ତେଣୁ ଏକ ସମ୍ପୂର୍ଣ୍ଣ ବିଚିତ୍ର ରାତିରେ ଆପଣାର ଅସାଧାରଣ ସତୀତ୍ୱର ପ୍ରତିଷ୍ଠା କରି ଯାଇଥିଲେ ଏମନ୍ତ ଯେ ମୋର କୁଳୀନ ବଂଶର ପ୍ରାତଃସ୍ମରଣୀୟ । ପ୍ରପିତାମହୀ କମଳକୁମାରୀ–ତାଙ୍କର ସେହି ମହନୀୟ କୀର୍ତ୍ତିର ସ୍ମାରକ ସ୍ୱରୂପ ସେହି ବରଗଛଟାକୁ ମୋର ଆଧୁନିକ ଗ୍ରାମବାସୀମାନେ ଆଦୌ ସହ୍ୟକରି ପାରୁ ନ ଥିଲେ ।

 

ଆଉ ଗୋଟାଏ କଥା–ସତୀଦାହ ପ୍ରଥା ଶୁଣିବାକୁ ବର୍ତ୍ତମାନ ଯେତେ ବୀଭତ୍ସ ଲାଗୁ ପଛେ, ସ୍ୱେଚ୍ଛାରେ ସତୀ ହୋଇଥିବା ଅତୀତର ସେହି ଅସୀମସାହସିନୀ ତେଜସ୍ୱିନୀ ରମଣୀମାନଙ୍କ ପ୍ରତି ମୋର ମନରେ ଏ ଯାବତ୍ ମଧ୍ୟ ଏକ ରହସ୍ୟମୟ ସମ୍ମାନବୋଧ ଜାଗ୍ରତ ରହିଅଛି । ଆତ୍ମହତ୍ୟା ବ୍ୟାପାରଟି ଆଧ୍ୟାତ୍ମିକ ଦୃଷ୍ଟିରୁ ବା ନୈତିକ ଦୃଷ୍ଟିରୁ ପାପ କି ପୁଣ୍ୟ ସେ କଥା ଏଠି ପଡ଼ିନାହିଁ–ମାତ୍ର ମଣିଷର ବ୍ୟକ୍ତିଗତ ଜୀବନ ଉପରେ ସାମାଜିକ ନିୟନ୍ତ୍ରଣର ଉପଯୋଗିତା ବା ଅଯଥା ହସ୍ତକ୍ଷେପ ବା ବଳାତ୍କାରର ଯଥାର୍ଥତାକୁ ମୁଁ ଆଦୌ ସ୍ୱୀକାର କରେନାହିଁ । ମନୁଷ୍ୟର ସମ୍ପୂର୍ଣ୍ଣ ଅଜାଣତରେ ଓ ବିନାନୁମତିରେ ତା’ ଉପରେ ବାହାରୁ ଲଦିଦିଆ ଯାଇଥିବା ଗୋଟାଏ ‘ଜୀବନ’କୁ ମନୁଷ୍ୟ ରଖିବ କି ତ୍ୟାଗ କରିବ–ଏ ବିଷୟରେ ସମ୍ପୂର୍ଣ୍ଣ ଅଧିକାର ବ୍ୟକ୍ତିକୁଇ ଦେଇଦେବା ଉଚିତ । ସମାଜ କ’ଣ ମନୁଷ୍ୟର ସମସ୍ତ ବ୍ୟକ୍ତିଗତ ସମସ୍ୟା ସମାଧାନ କରିଦେଇ ପାରିବ ?–ନା–ମନୁଷ୍ୟର ସମସ୍ତ ସମସ୍ୟା କ’ଣ ନିହାତି ସାମାଜିକ ? କାହାପକ୍ଷରେ ଯଦି ତା’ର ଜୀବନଟି ଅନନ୍ୟୋପାୟଭାବେ ଦୁଃସହ ହୋଇଉଠେ–ତେବେ ସେ ତାକୁ ଶେଷକରି ନ ଦେବ ବା କାହିଁକି ? ଏ ଦୃଷ୍ଟିରୁ ସ୍ୱେଚ୍ଛାରେ ପ୍ରିୟବ୍ୟକ୍ତିର ଚିତାକୁ ଆଲିଙ୍ଗନ କରି ଆତ୍ମବିସର୍ଜନ ଦେଇଥିବା ସତୀମାନଙ୍କ ପ୍ରତି ମୋର ହୃଦୟ ସମ୍ମାନ ଓ ସମ୍ବେଦନାରେ ସର୍ବଦା ଆନତ ହୋଇ ରହିଛି ।

 

ଅବଶ୍ୟ ମୋର ପ୍ରପିତାମହୀ କମଳ କୁମାରୀ ଯେପରି ସତୀ ହୋଇଥିଲେ, ତାହାର ପ୍ରଚଳିତ ‘ସତୀ’ ରୀତି ସଙ୍ଗେ ଆଦୌ ମେଳ ନଥିଲା । କିନ୍ତୁ ସେହି କଥାଟି କହୁ କହୁ ମୁଁ ମୋ ବଂଶର ଏକ କଳଙ୍କର କାହାଣୀ କହି ବସିବି ବୋଧହୁଏ । ଏହି ବରଗଛଟା ଆଜି ଏଠାରୁ ନିଶ୍ଚିହ୍ନ ହେଲାପରେ ମୋ ବଂଶର ସେହି ଗୌରବମୟ କଳଙ୍କ କାହାଣୀଟି କହିବାରେ ମୋରବି ଆଉ କିଛି ସଙ୍କୋଚ କରିବାର କାରଣ ନାହିଁ ।

 

ଲୋକେ ମଧ୍ୟ ଜାଣନ୍ତି–ସେହିଦିନୁ ଜାଣନ୍ତି–ଆମର ପ୍ରାଚୀନ କ୍ଷତ୍ରିୟ ବଂଶର ଅଭିଜାତ ରକ୍ତ ପ୍ରବାହରେ ଆଉ ଗୋଟିଏ ନିମ୍ନ ବଂଶର ଏକ କ୍ଷୀଣ ରକ୍ତର ଧାରା ଗୋପନରେ ମିଶି ଏକହୋଇ ଯାଇଛି । ଏବେ ମଧ୍ୟ ଆମ ବଂଶର କେତେ ଜଣଙ୍କ ସିଂହୋପମ ଚେହେରା ଭିତରେ ଆମ ଗ୍ରାମର ଫଗୁଦାସ ବଂଶର ଶୃଗାଳ ସଦୃଶ ଚେହେରାର କିଞ୍ଚିତ୍ ସାମ୍ୟ ବେଶ୍ ଲକ୍ଷ୍ୟ କରାଯାଇ ପାରେ ଓ ସେ ବଂଶର ଶୃଗାଳ ସଦୃଶ ମୁଖ ମଣ୍ଡଳରେ ଆମ ବଂଶର ସିଂହାସନର କିଞ୍ଚିତ୍ ପ୍ରାକର୍ମ ଲକ୍ଷ୍ୟ କରାଯାଇପାରେ । ଏକଥା ଆମ ଗ୍ରାମବାସୀ ଜାଣନ୍ତି–ମୋର ବଂଶର ସମସ୍ତେ ମଧ୍ୟ ଏ ବିଷୟ ଜାଣନ୍ତି । ମାତ୍ର ଜାଣି ଜାଣି ସେ ସମ୍ୱନ୍ଧେ କେହି ସଚେତନ ହୁଅନ୍ତି ନାହିଁ । ମୁଁ କିନ୍ତୁ ଏସମ୍ୱନ୍ଧେ ପୂରା ସଚେତନ । ମୋ ପକ୍ଷରେ ଏତେକ ଭୁଲିଯିବା ଆଦୌ ସମ୍ଭବ ନୁହେଁ । କାରଣ ମୋର ବଂଶାଭିମାନ ମୋ ବଂଶର ଅନ୍ୟାନ୍ୟମାନଙ୍କଠାରୁ ଖୁବ୍ ଉଗ୍ର । ମୋର ସମସ୍ତ ବୈଜ୍ଞାନିକ ଆଧ୍ୟାତ୍ମିକ ଓ ସାମାଜିକ ମନୋଭାବ ଭିତରେବି ଏହି ବଂଶାଭିମାନ ଓ ରକ୍ତାଭିମାନ ମୋ ଭିତରେ ସଦର୍ପେ ମୁଣ୍ଡଟେକି ରହିଛି । ମୁଁ ଜାଣେ, ଭଲକରି ଜାଣେ, ଯେ ପ୍ରତିଟି ବଂଶନଦୀ ଏକ ସ୍ୱତନ୍ତ୍ର ସତ୍ୟ ବା ମାନବୀୟ ସମ୍ଭାବନାର ଅଭିମାନକୁ ପୁରୁଷାନୁକ୍ରମେ ପ୍ରକାଶ କରି କରି ଚାଲେ, ଅଭିବ୍ୟକ୍ତିର ଚରମ ସୀମା ପର୍ଯ୍ୟନ୍ତ । ତା’ ଭିତରୁ ହୁଏତ ବହୁ ଶାଖାନଦୀ ବାହାରି ଯାଇ ଆଉ ଏକ ସ୍ୱତନ୍ତ୍ର ସତ୍ୟର ଧାରାକୁ ପ୍ରବାହିତ ବା ପ୍ରକାଶିତ କରନ୍ତି – କିମ୍ୱା ବାହାରୁ ବହୁ ଉପନଦୀ ତା’ ସାଙ୍ଗରେ ମିଶି ସେହି ବାଟରେ ବହୁ ସମ୍ଭାବନା ଓ ଗୁଣରାଶିକୁ ତା’ ମଧ୍ୟରୁ ବହିଆଣି ତା’ର ମୂଳ ସ୍ୱାତନ୍ତ୍ର୍ୟକୁ ବିକାଶ କରିବାରେ ସାହାଯ୍ୟ କରିଥାନ୍ତି ।

 

ତେଣୁ ଫଗୁଦାସ ବଂଶର କିଞ୍ଚିତ୍ ରକ୍ତ ମୋର ପ୍ରାଚୀନ ଅଭିଜାତ ବଂଶର ରକ୍ତଧାରା ସଙ୍ଗେ ମିଶି ଯାଇଛି ବୋଲି ମୋର ବଂଶଗୌରବ ଯେପରି କିଛି ହାନି ହୋଇ ଯାଇନାହିଁ–ସେମାନଙ୍କ ବଂଶଗୌରବବି ସେମିତି କିଛି ବଢ଼ିଯାଇ ନାହିଁ । କାରଣ ସେ ବଂଶର ସାମାନ୍ୟତମ ନୀଚତାକୁ ଆମେ ଆମର ମହାନ୍ ଉଚ୍ଚତା ସଙ୍ଗେ ମିଶାଇ ଦେଇଛୁ ।

 

ପୁଣି ମୋ ବଂଶର ସାମାନ୍ୟତମ ଉଚ୍ଚତା ମଧ୍ୟ ସେମାନଙ୍କର ବିପୁଳ ନୀଚତା ଭିତରେ ଆପଣାର ସତ୍ତା ହଜାଇ ଦେଇଛି । ତେଣୁ ପାଇକରା ବଂଶ ଆଜି ଦରିଦ୍ର ହେଲେବି ପାଇକାରାୟ ବଂଶ । ଫଗୁଦାସ ବଂଶ ଆଜି ଧନୀ ହେଲେବି ଫଗୁ ଦାସ ବଂଶ । ପାଇକରାୟ ବଂଶର ପୁରୁଷାନୁକ୍ରମିକ ଚରିତ୍ରମାନଙ୍କରେ ଏପରି ଏକ ଅଭିଜାତ ଦୃଢ଼ତା ଆଜି ପର୍ଯ୍ୟନ୍ତ ପରିଲକ୍ଷିତ ହୋଇ ଆସିଛି–ଯାହା କି ଆମ ଗ୍ରାମର ଆଉ କାହାରି ବଂଶରେ ଦୃଷ୍ଟିଗୋଚର ହୁଏନାହିଁ । ଅବଶ୍ୟ ଏହା ମଧ୍ୟ ସମାନ ସ୍ୱୀକାର୍ଯ୍ୟ ଯେ ପ୍ରତିଟି ବଂଶ ଏକ ବିଶେଷ ଗୁଣର ଅଧିକାରୀ ଓ ତା’ର ବିକାଶରେ ନିୟତ ନିୟୋଜିତ ।

 

ଅଭିଜାତ ଦୃଢ଼ତା–ତାକୁ ପୁଣି ସର୍ବଦା ଏକ ଉଚ୍ଚତମ ଉଚ୍ଚତା ଉପରେ ଦଣ୍ଡାୟମାନ ହୋଇ ସମ୍ଭ୍ରାନ୍ତ ଅଭିମାନର ଆଧାରରେ ଧରି ରଖିବାର ସାମର୍ଥ୍ୟ କେବଳ ନାଗଗୋତ୍ରୀ ପାଇକରା ବଂଶରହିଁ ରହିଛି । ପ୍ରକୃତରେ ଆମ୍ଭେମାନେ ନାଗ ଭଳି ସର୍ବଦା ଫଣା ଉତ୍ତୋଳନ କରିଥାଉଁ । କିନ୍ତୁ କେତେବେଳେ ପୁଣି କାହାପାଖେ ଫଣାଟିକୁ ସ୍ୱେଚ୍ଛାରେ ଅବନତ କରିଦେବାକୁ ହୁଏ–ସେ ପ୍ରକାର ଅଭିଜାତ ବିନୟ କେବଳ ଆମରିମାନଙ୍କର ଅଛି । ମୋର ଧାରଣା – ମୋ ବଂଶର ପୂର୍ବପୁରୁଷମାନେ ତାଙ୍କ ସମୟର ଯାହାକିଛି ଉଚ୍ଚତମ ଓ ମହତ୍ତମ ତାକୁଇ ଆକାଂକ୍ଷା କରି ଆସିଛନ୍ତି–ଏପରିକି ପାପ ଓ କଳଙ୍କକୁ ମଧ୍ୟ ସେହିଭଳି ଗୋଟାଏ ଉଚ୍ଚତା ଉପରେ ଠିଆହୋଇ ଆଲିଙ୍ଗନ କରିଛନ୍ତି । ଆମ ବଂଶରେ ପୁଣ୍ୟ ଯେତିକି ପାପ ମଧ୍ୟ ସେତିକି ଅର୍ଜିତ ହୋଇଛି । କିନ୍ତୁ ପାପର କୁତ୍ସିତ ଅନ୍ଧକାରର ଆବର୍ତ୍ତ ନୁହେଁ–ତା’ର ଏକ ଉଜ୍ଜ୍ୱଳତମ ଦିଗହିଁ ମୋର ସେହିସବୁ ପାପାଚାରୀ ପୂର୍ବପୁରୁଷଙ୍କୁ ଆକର୍ଷଣ କରି ଆସିଛି । ସେହି ଔଜଲ୍ୟ ବା ସେହି ଉଚ୍ଚତା ଆଉ କିଛି ନୁହ–କେବଳ ଏକ ଅଭିଜାତ ସିଂହୋପମ ଅଭିମାନୀ ଦୃଢ଼ତା ଯାହା ଗୋଟାଏ ଅତଳ ଗହ୍ୱରକୁ ମଧ୍ୟ ଓଲଟାଇ ଦେଇ ଏକ ସମୁଚ୍ଚଶିଖରୀରୂପେ ଆକାଶରେ ତୋଳି ଧରେ ।

 

ମୋର ପ୍ରପିତାମହୀ କମଳ କୁମାରୀଙ୍କ କଥା ଭାବିଲେ ଏବେ ମଧ୍ୟ ମୋର ଉଦ୍ୟତ ଅଭିମାନୀ ଫଣା ଆହୁରି ବିସ୍ତୃତ ଓ ଆହୁରି ଉଜ୍ଜ୍ୱଳ ହୋଇଉଠେ ।

 

ମୋର ପ୍ରପିତାମହ ଭ୍ରମରବର ପାଇକରାୟ ମହାପାତ୍ର ଥିଲେ ସେ କାଳର ଜଣେ ଅତ୍ୟୁଦାର ଜମିଦାର । ପ୍ରଜାମାନଙ୍କର ଦୁଃଖସୁଖରେ ସେ ସମଭାଗୀଥିଲେ । ଜମିଦାରୀର ଗଛ, ମାଛ ସବୁ ସେ ପ୍ରଜାମାନଙ୍କ ଲାଗି ଛାଡ଼ି ଦେଇଥିଲେ । ସେ ସ୍କୁଲ ବସାଇଥିଲେ । ପୋଖରୀମାନ ଖୋଳାଇଥିଲେ–ମନ୍ଦିର ତୋଳାଇଥିଲେ ଏବଂ ସାଧୁ ସନ୍ନ୍ୟାସୀ ସେବା, ସଙ୍ଗୀତ ଆସର ଓ ଯାନିଯାତ୍ରାରେ ବହୁ ସମୟ କଟାଉଥିଲେ । ପ୍ରଜାମାନେ ତାଙ୍କର ସ୍ନେହଶୀଳ ବ୍ୟବହାର ଯୋଗୁଁ ଖୁବ୍ କୃତଜ୍ଞ ଥିଲେ, ସୁଖରେବି ଥିଲେ ।

 

ମାତ୍ର ଭ୍ରମରବର ଥିଲେ ଯଥାର୍ଥରେ ଭ୍ରମରବର । ବହୁ ନାରୀ ବିଳାସ ଥିଲା ତାଙ୍କର ମୃଗୟା ଭଳି ଏକ ନିଶା । ମାତ୍ର ନାରୀ-ଶିକାର ସେ କରୁ ନ ଥିଲେ । ତାଙ୍କର ଚେହେରା ଓ ବ୍ୟକ୍ତିତ୍ୱରେ ଏପରି ଏକ ନର୍ମସୁଖର ଆକର୍ଷଣୀୟ ଶକ୍ତି ଥିଲା ଯେ–ତାଙ୍କର ଆଲିଙ୍ଗନର ଅଗ୍ନିଘେର ଭିତରେ ପଡ଼ିବା ବ୍ୟତୀତ ସୁନ୍ଦରୀ ବିଳାସିନୀ ପତଙ୍ଗିନୀମାନଙ୍କର ଆଉ ଗତ୍ୟନ୍ତର ନଥିଲା । ତାଙ୍କର ଶୟନ-କକ୍ଷରେ ଦେଶବିଦେଶରେ ବହୁ ସୁନ୍ଦରୀ ନଟୀଙ୍କର ନଗ୍ନଛବି ଟଙ୍ଗା ହୋଇଥିଲା । ତାଙ୍କର ଶୟନପଲଙ୍କଟି କାଷ୍ଠ-ନିର୍ମିତ ସୁନ୍ଦରୀ ପରୀମାନଙ୍କ କାନ୍ଧରେ ଥୁଆ ହୋଇଥିଲା । ଭ୍ରମରବରଙ୍କର ନାରୀ-ସଙ୍ଗ-ଲିପ୍‍ସା କିନ୍ତୁ ସର୍ବତୋଭାବେ କେବଳ କାମ କେନ୍ଦ୍ରିକ ନଥିଲା । ଏହା ଥିଲା ତାଙ୍କର ସୌନ୍ଦର୍ଯ୍ୟ ବୋଧ ଓ ସୁକୁମାର ଚିତ୍ତବୃତ୍ତିର ଏକ କଳାବିଳାସ ବା ବିଦଗ୍ଧତା ।

 

ମୋର ସତୀ ଶିରୋମଣି ପ୍ରପିତାମହୀ କମଳକୁମାରୀ ମଧ୍ୟ ଏ ସମ୍ୱନ୍ଧେ ବେଶ୍ ଉଦାର ଥିଲେ । ସେ କାଳରେ ଅଭିଜାତ ସ୍ୱାମୀମାନଙ୍କର ବହୁ-ନାରୀ-ବିଳାସ ସତୀ ପତ୍ନୀମାନଙ୍କ ମନରେ କୌଣସି ଈର୍ଷା ବା କାତରତା ସୃଷ୍ଟି କରୁ ନଥିଲା । ବରଂ ସାମନ୍ତ ଘରର କୁଳବଧୂମାନେ ମନେ କରୁଥିଲେ ପୁଷ୍ପବିଳାସ, ମଦ୍ୟବିଳାସ, ମୃଗୟାବିଳାସ, ସଙ୍ଗୀତବିଳାସ ଓ ଭୋଜନବିଳାସ ଭଳି ମହିମାବନ୍ତ ତେଜସ୍ୱୀ ଗୁଣନିଧି ସ୍ୱାମୀମାନଙ୍କର ଅନ୍ୟ ନାରୀ ସହ ନର୍ମ-ସମ୍ପର୍କ ଏକ ଖିଆଲୀ ବିଳାସ ବ୍ୟତୀତ ତଦୁର୍ଦ୍ଧ୍ୱ କିଛି ନୁହେଁ । ତା’ ଉପରେ ବିଶେଷ ଗୁରୁତ୍ୱ ଦେବା ଅନୁଚିତ । କାରଣ ସାମନ୍ତ ସ୍ୱାମୀମାନଙ୍କର ସାମନ୍ତ ପତ୍ନୀମାନଙ୍କ ସଙ୍ଗେ ଯେଉଁ ମର୍ଯ୍ୟାଦାବନ୍ତ ଅଭିଜାତ ଦାମ୍ପତ୍ୟ ପ୍ରେମ, ତା’ସଙ୍ଗେ ଅନ୍ୟ ନାରୀବିଳାସର କିଛି ଅନ୍ତର୍ବିରୋଧ ନଥିଲା । ସେମାନଙ୍କ ଧାରଣା ଥିଲା–ସ୍ୱାମୀଙ୍କର ଅନ୍ୟ ନାରୀ ପ୍ରତି କିଞ୍ଚିତ୍ ଖିଆଲୀ ଦୁର୍ବଳତାକୁ ଈର୍ଷା କରିବାଦ୍ୱାରା ଅଭିଜାତାପତ୍ନୀମାନଙ୍କ ମର୍ଯ୍ୟାଦାବୋଧ ବରଂ କ୍ଷୁଣ୍ଣ ହୁଏ । ଏହା ଠିକ୍ ସ୍ୱାମୀଙ୍କର ଆଦରର ପୋଷା ବିଲେଇ ବା କୁକୁରକୁ ଈର୍ଷା କଲା ଭଳି ହୁଅନ୍ତା ।

 

କମଳକୁମାରୀ ଥିଲେ ଅସାମାନ୍ୟା ସୁନ୍ଦରୀ ଓ ତେଜସ୍ୱିନୀ ରମଣୀ । ତାଙ୍କ ଶରୀରର ସମସ୍ତ ଲାଳିତ୍ୟ ଓ ଲାବଣ୍ୟ ତାଙ୍କ ଆତ୍ମମର୍ଯ୍ୟାଦା-ଦୃପ୍ତ ବ୍ୟକ୍ତିତ୍ୱର ପ୍ରଚଣ୍ଡ ତେଜଦ୍ୱାରା ଥିଲା ସର୍ବଦା ସୁରକ୍ଷିତ । ପ୍ରଜାମାନେ ଓ ପରିବାରର ଦାସଦାସୀଗଣ ଭ୍ରମରବରଙ୍କ ଅପେକ୍ଷା କମଳକୁମାରୀଙ୍କୁର ବେଶି ଭୟ, ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ କରୁଥିଲେ । ଏପରିକି ବହୁ ନାରୀବିଳାସୀ ଭ୍ରମରବର ମଧ୍ୟ ପତ୍ନୀ କମଳକୁମାରୀଙ୍କର ତେଜୋମୟୀ ରମଣୀୟତାର ବଶୀଭୂତ ଭୀରୁ ପ୍ରେମିକଟିଏ ଥିଲେ । କମଳକୁମାରୀ ଥିଲେ ବିଖ୍ୟାତ ଅଜୟଗଡ଼ର ମହାପ୍ରତାପୀ ଚୌହାନ ବଂଶୀୟ କ୍ଷତ୍ରିୟ ପୁଙ୍ଗବ ରାଢ଼ ସିଂହଙ୍କର ଜ୍ୟେଷ୍ଠାକନ୍ୟା । ତାଙ୍କ ପିତାଙ୍କର ଚିତାଗ୍ନିରେ ଝାସ ଦେଇ ତାଙ୍କ ମାଆ ଦେହ ବିସର୍ଜନ କରିଥିବାର ଦୃଶ୍ୟ ସେ ପିଲାଦିନେ ନିଜ ଆଖିରେ ଦେଖିଥିଲେ । ଆଉ ସେହିଦିନୁ ସେହି ଚିତାଗ୍ନିର ଝଲକ ତାଙ୍କ ଆଖି ଭିତରେ ସେ ପର୍ଯ୍ୟନ୍ତବି ଦାଉଦାଉ ଜଳୁଥିଲା । କେବେହେଲେ ସେ ସ୍ୱାମୀଙ୍କର ଏହି ବହୁ-ନାରୀ-ସଙ୍ଗ-ଲୀଳାକୁ ବିରୋଧ କରୁ ନ ଥିଲେ କି ସେ ବ୍ୟାପାରକୁ ଏତେ ଗୁରୁତ୍ୱ ଦେଉ ନ ଥିଲେ । ତିନୋଟି ଧନୁର୍ଦ୍ଧର ପୁତ୍ର ଓ ଏକମାତ୍ର କନ୍ୟାର ମାଆ କମଳକୁମାରୀ ଆପଣା ସୌଭାଗ୍ୟରେ ଆପେ ଥିଲେ ସ୍ୱାଧିକାର ପ୍ରମତ୍ତା ।

 

ଦିନେ କିନ୍ତୁ କମଳକୁମାରୀଙ୍କର ସେହି ତେଜୋଦ୍ଦୀପ୍ତ ବ୍ୟକ୍ତିତ୍ୱର କେତୋଟି ରଶ୍ମି ଉପରେ ଅତି ନଗଣ୍ୟ, ଅତି କ୍ଷୁଦ୍ର ଗୋଟିଏ କୁଗ୍ରହର ଛାୟାପାତ ଘଟିଲା । ହଠାତ ସେ ଦିନେ ଅନୁଭବ କଲେ ସ୍ୱାମୀଙ୍କର ନିବିଡ଼ ଆଲିଙ୍ଗନର ଦୃଢ଼ତାରେ ସାମାନ୍ୟ ଶିଥିଳତା । ତାଙ୍କର ଚୁମ୍ୱନରେ ଅତି ସାମାନ୍ୟ ବିଜାତୀୟ ଏକ ଶୀତଳତାର ସ୍ପର୍ଶ । କମଳକୁମାରୀ ସାମାନ୍ୟ ବିବ୍ରତ ହୋଇ ପଡ଼ିଥିଲେ । କିଏ ଏହାର କାରଣ ହୋଇପାରେ ? ଏପରି ତେଜବତୀ ସୁହାଗିନୀ ସେ କିଏ–ଯାହାର ପ୍ରଣୟ ତାଙ୍କ ସ୍ୱାମୀଙ୍କର ହୃଦୟର ଏତେ ଗହନ ଭିତରକୁ ଭେଦକରି ଯାଇଛି ଏବଂ ସେଠାରୁ ତାଙ୍କର ଏତେବଡ଼ ଅଧିକାରକୁ ଆତ୍ମସାତ କରିବାର ଏତେବଡ଼ ଔଦ୍ଧତ୍ୟପୂର୍ଣ୍ଣ ଷଡ଼ଯନ୍ତ୍ର କରି ବସିଛି ? କମଳକୁମାରୀଙ୍କର ରକ୍ତ-ନିହିତ ଉଜ୍ଜ୍ୱଳ ଅଭିମାନ ଓ ଦୃପ୍ତ ମର୍ଯ୍ୟାଦାବୋଧ ବିଚଳିତ ହୋଇ ଉଠିଥିଲା । ସେ ଆହୁରି ବିବ୍ରତ ଓ କାତର ହୋଇ ଉଠିଲେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଗୋଲାମ କୋଠିଆ ଫଗୁ ଦାସର ସ୍ତ୍ରୀ ବୋଲାଉଥିବା ସେହି ଟେରୀ କୁଟୁଣୀ ନିର୍ଲଜୀ ମାଈକିନାଟା ଏଇ କ୍ଷେତ୍ରରେ ତାଙ୍କର ସପତ୍ନୀର ସ୍ଥାନ ଅଧିକାର କରିଛି । ଉଜ୍ଜ୍ୱଳ ଆଲୋକିତ ଆକାଶର ଏକ ନଗଣ୍ୟ କୋଣରେ ଖଣ୍ଡେ ଶତଚ୍ଛିନ୍ନ ବାରିହୀନ ଭସ୍ମବର୍ଣ୍ଣ କୁତ୍ସିତ ମେଘଭଳି ଫଗୁ ଦାସର ସ୍ତ୍ରୀ ବୋଲାଉଥିବା ସେହି ଟେରୀ କୁଟୁଣୀ ନିର୍ଲଜୀ ମାଈକିନାଟା ତାଙ୍କ ଦାମ୍ପତ୍ୟ ପ୍ରଣୟର ଉଦାର ଆକାଶଟିରେ କଳଙ୍କ ସଦୃଶ୍ୟ ବିଛାରି ହୋଇ ପଡ଼ିଲା କ୍ରମେ କ୍ରମେ । ଅବସ୍ଥା ପୁଣି ଏପରି ହେଲା ଯେ ପ୍ରାୟ ପ୍ରତିଟି ରାତି ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ସେହି ଫଗୁ ଦାସର ସ୍ତ୍ରୀ ସଙ୍ଗେ ଯାପନ କଲେ ଭ୍ରମରବର । ଲୋକେ କହିଲେ–ଫଗୁ ଦାସର ସ୍ତ୍ରୀ ଭ୍ରମରବରଙ୍କୁ ଗୁଣି କରି ବଶ୍ୟ କରି ଦେଇଛି–ଆଉ ଫଗୁ ଦାସ ସେହି ସୁଯୋଗ ପାଇ ପାଇକରା ବଂଶର ଧନ ଭଣ୍ଡାରକୁ ଲୁଣ୍ଠି ଚାଲିଛି । .ଈର୍ଷା ନୁହ–ଅପମାନ, ଦୁଃଖ ନୁହେଁ–ଲଜ୍ଜ୍ୟା, ହିଂସା ନୁହେଁ–ଅଭିମାନରେ କମଳକୁମାରୀଙ୍କର ହୃଦୟ ଫାଟି ପଡ଼ିଲା । କିନ୍ତୁ ବାହାରେ ସେ କିଛିମାତ୍ର ପ୍ରତିକ୍ରିୟା ଦେଖାଇଲେ ନାହିଁ । ବରଂ ତାଙ୍କର ଆକୃତିରେ ଏକ ଅନମନୀୟ ଉପେକ୍ଷାର ଭଙ୍ଗୀ ଫୁଟି ଉଠିଥିଲା । ଦିନ ପରେ ଦିନ ଗଡ଼ିଚାଲିଲା......

 

ଅବଶେଷରେ ଆସିଲା ସେହି ନିଦାରୁଣ ଦିବସଟି । ହୃଦ୍‍ଯନ୍ତ୍ରକ୍ରିୟା ବନ୍ଦ ହୋଇଯିବା ଫଳରେ ଭ୍ରମରବରଙ୍କର ଆକସ୍ମିକ ମୃତ୍ୟୁ ହୋଇଗଲା । କିନ୍ତୁ ଏହି ଦୁର୍ଘଟନାରେ ସମଗ୍ର ପରିବାର ଶୋକବିହ୍ୱଳି ହୋଇ ପଡ଼ିଥିଲେ ମଧ୍ୟ କମଳକୁମାରୀଙ୍କର ଆଖିରୁ ବିନ୍ଦୁଏ ମାତ୍ର ଲୁହ ବହି ନଥିଲା । ସେ ସେହିପରି ଅବିଚଳିତ, ଗମ୍ଭୀର ଓ ଦୃଢ଼ ଭାବରେ ସ୍ୱାମୀଙ୍କର ଶ୍ମଶାନ-ଯାତ୍ରାର ସମସ୍ତ ବିହିତ ଆୟୋଜନରେ ଲାଗି ପଡ଼ିଥିଲେ । ସମସ୍ତ ଆୟୋଜନ ଶେଷ ହେଲାପରେ ସେ ହଠାତ ଘୋଷଣା କଲେ–ସେ ସତୀ ହେବେ । ସ୍ୱାମୀଙ୍କ ଚିତାଗ୍ନିରେ ଝାସ ଦେଇ ଜୀବନ ତ୍ୟାଗ କରିବେ । ସମସ୍ତେ ଏ ଘୋଷଣାରେ ଆଶ୍ଚର୍ଯ୍ୟ ଓ ବିମର୍ଷ ହୋଇ ପଡ଼ିଲେ । କେତେକ ମଧ୍ୟ ବାରଣ କରିବାକୁ ଆଗେଇ ଆସିଲେ । ଫଗୁ ଦାସର ସ୍ତ୍ରୀ ଘଟିତ ବ୍ୟାପାରରେ ଭ୍ରମରବର ସେହି କେତେ ବର୍ଷ ସମସ୍ତଙ୍କର ଶ୍ରଦ୍ଧା ଓ ସହାନୁଭୂତି ହରାଇ ବସିଥିଲେ କି ନା ! କମଳକୁମାରୀଙ୍କ ପ୍ରତି ସମସ୍ତଙ୍କର ହୃଦୟ ସହାନୁଭୂତିରେ ପୂର୍ଣ୍ଣ ହୋଇ ରହିଥିଲା । ମାତ୍ର କମଳକୁମାରୀ କାହାରି କଥାରେ କର୍ଣ୍ଣପାତ କଲେ ନାହିଁ । ମନସ୍ୱିନୀ, ଅଭିମାନିନୀ ଆତ୍ମ ମର୍ଯ୍ୟାଦା-ଦୃପ୍ତା କମଳକୁମାରୀଙ୍କର ଅଭିଜାତ ରକ୍ତରେ ବଂଶଗରିମାର ଏକ ମହିମାମୟ ତପଃଶକ୍ତି ଲୁଚି ରହିଥିଲା । ତାଙ୍କ ମୁଖମଣ୍ଡଳରେ ଆନନ୍ଦ ବା ବେଦନାର କିଛି ପ୍ରତିକ୍ରିୟା ଫୁଟୁ ନଥିଲା । କେବଳ ତାଙ୍କର ଆଖି ଦୁଇଟି ଉଜ୍ଜ୍ୱଳ ଅଗ୍ନି-ଶିଖାଭଳି ଦାଉଦାଉ ଦିଶୁଥିଲେ ।

 

ସେହି ଭାଗ୍ୟବନ୍ତ ବରଗଛ ମୂଳରେଇ ଭ୍ରମରବରଙ୍କର ଚିତାଗ୍ନି ପ୍ରସ୍ତୁତ ହେଲା । ଚନ୍ଦନକାଠ ଓ ଘୃତ ସଂଯୋଗରେ ଦାଉ ଦାଉ ହୋଇ ଚିତାଗ୍ନି ଜଳି ଉଠିଲା । ପୁରୋହିତମାନେ ମନ୍ତ୍ରଧ୍ୱନି କଲେ । ଅହ୍ୟନାରୀମାନଙ୍କର ହୁଳହୁଳି ଓ ସମବେତ ଦେଖଣାହାରୀଙ୍କର ହରିବୋଲ ଶବ୍ଦରେ ଆକାଶ ବତାଶ ମୁଖରିତ ହୋଇ ଉଠିଲା । ଅହ୍ୟଡ଼େଙ୍ଗୁରା ଓ ଶଙ୍ଖମାନ ବାଜିଉଠିଲା । କମଳକୁମାରୀ ଚତୁର୍ଥୀ ରାତିର ସେହି ସୁନାଜରିଦିଆ ଲାଲରଙ୍ଗର ବନାରସୀ ସିଲ୍‍କଶାଢ଼ି ପିନ୍ଧିଲେ-। ସର୍ବ ଅଳଙ୍କାର ମଣ୍ଡିତ ହେଲେ । ପାଦରେ ଅଳତା–ମଥା ଓ ସୀମନ୍ତରେ ସିନ୍ଦୂର ଦାଉ ଦାଉ ହୋଇ ଜଳି ଉଠିଲା । ଗଳାରେ ପୁଷ୍ପମାଳ ଲମ୍ୱାଇ ହାତ ଯୋଡ଼ି ସାତଥର ଚିତାକୁ ପ୍ରଦକ୍ଷିଣ କରିସାରି ଚିତା ଉପରକୁ ଉଠିବାର ଅବ୍ୟବହିତ ପୂର୍ବରୁ ଚତୁର୍ଦ୍ଦିଗ ହାୟ ହାୟ ରବରେ ସକୁରଣ ହୋଇଉଠିଲା । ସବୁଆଡ଼ୁ ପୁଷ୍ପ ଓ ଲିଆ ବୃଷ୍ଟି ହେଉଥିଲା । ମାତ୍ର ଏ କ’ଣ ? ଏ କିଏ ଏପରି ଅଟ୍ଟହାସ କରି ଉଠୁଛି ? କିଏ ? କିଏ ସେ ? କାହାର ଏହି ଧୂର୍ତ୍ତ ଶୃଗାଳ କଣ୍ଠର କୁତ୍ସିତ ଅଟ୍ଟହାସ-? ସମସ୍ତ ଶ୍ମଶାନ ଭୂମି ହଠାତ ନୀରବ ଓ ତ୍ରସ୍ତ ହୋଇ ଉଠିଲା । କିଏ ସେ ଏପରି ଅଟ୍ଟହାସକରି ଲାଗିଛି ? ସମସ୍ତେ ଦେଖିଲେ–ଗୋଟିଏ କ୍ଷୀଣ ଧୂର୍ତ୍ତ ଓ କିଞ୍ଚିତ୍ ଲହକା ଶରୀର ହସି ହସି ଭୂଇଁରେ ଲୋଟି ଯାଉଛି ପାଗଳଟାଏ ଭଳି ? କିଏ ସେ ? ଫଗୁ ଦାସ କି ?

 

କମଳକୁମାରୀ ହଠାତ ସ୍ଥିର ହୋଇ ଠିଆ ହୋଇଗଲେ । ଗତ ଅଠରଘଣ୍ଟା ଧରି ସେ ପାଟି ଖୋଲି ନ ଥିଲେ । ତାଙ୍କର ସେହି ଆକର୍ଣ୍ଣ ବିସ୍ତୃତ ଚକ୍ଷୁ ଦୁଇଟି ସ୍ଥିରଭାବେ ନିବଦ୍ଧ ହୋଇଗଲା ଫଗୁଦାସ ଉପରେ । ସେହି ଆଖି ଭିତରେ ଦାଉ ଦାଉ ନିଆଁ ଜଳୁଥିଲା–ଶ୍ମଶାନର ନିଆଁ । ଆଖିଭିତରୁ ନିଆଁ ହୁଳାମାନ ଛାଟି ସେ ଚଣ୍ଡୀଭଳି ଚିତ୍କାର କରି ଉଠିଲେ–

 

କିରେ ଫଗୁଆ ଆ–ଆ–ଆ !!!

 

ଏ ପାଟି ଓ ଚାହାଣିରେ ଫଗୁ ଦାସ ନିଆଁରେ ପାଣି ପଡ଼ିଲାଭଳି ଥପ୍‍କିନା ରହିଗଲା ଓ ବଶୀଭୂତ ହୋଇଗଲା । କମଳକୁମାରୀ ଚିତ୍କାର କରି ପଚାରିଲେ–

 

କିରେ କାହିଁକି ହସୁଛୁ ?

 

ତାଙ୍କ କଣ୍ଠରୁ ଏକ ଭୀଷଣ ଅଭିମାନୀ-ଦୃଢ଼ତା ବାଟୁଳି ଭଳି ଫଗୁ ଦାସର ମୁଣ୍ଡରେ ବାଜିଗଲା । ସେ ମୂକ ଓ ତରସ୍ତ ହୋଇ କେବଳ ଠିଆହୋଇ ରହିଲା । ସମବେତ ନରନାରୀ ମଧ୍ୟ କମଳକୁମାରୀଙ୍କର ଏ ଚିତ୍କାରରେ ନିସ୍ତବ୍ଧ ଓ ବିମୂଢ଼ଭାବେ ଠିଆ ହୋଇ ରହିଥାନ୍ତି । କମଳକୁମାରୀ କହିଚାଲିଲେ ଉନ୍ମାଦିନୀ ଭଳି–

 

ମୁଁ ଜାଣେରେ–ତୁ କହିଁକି ହସୁଛୁ ? ଆରେ ଛୋଟ୍‍ଲୋକ । ଆ’ ମୁଁ ତୋ ମୁହଁରେ ଛେପ ପକାଏ । ଆରେ ଚୁଚୁନ୍ଦ୍ରା ଶୁଣ–ଦେଖ୍–ମୋର ଇନ୍ଦ୍ର ଭଳି ସ୍ୱାମୀକୁ ଗୁଣି କରି ତୋର ମାଈକିନା ବଶ କରି ରଖିଥିଲା । ତୁ ଛୋଟଲୋକ ତୋର ସେହି ଟେରୀ କୁଟୁଣୀ ମାଈକିନାଟାକୁ ମୋର ଇନ୍ଦ୍ର ପରା ସ୍ୱାମୀର ଶେଯରେ ସବୁ ରାତ୍ରିରେ ଶୁଆଇ ମୋର ଭଣ୍ଡାର ଲୁଣ୍ଠନ କରୁଥିଲୁ ମୂଷାଟାଏ ଭଳି । ଆଉ ଶୁଣ୍‍ରେ ଚୁଚୁନ୍ଦ୍ରା–ଆ’ ତୋ ମୁହଁରେ ମୁଁ ପ୍ରସାବ କରେଁ–ମୋରବି ଦୁର୍ଭାଗ୍ୟ–ମୁଁ, ଯଦିଓ ଜାଣିଥିଲି ତୋର ସେହି ଟେରୀ କୁଟୁଣୀ ଛତରଖାଇ ମାଈକିନାଟା ମୋର ସଉତୁଣୀ ହୋଇ ପାରେନା–ତଥାପି ମୋର ଦୁର୍ଭାଗ୍ୟରେ ଛୋଟଲୋକ୍–ପ୍ରତିଶୋଧ ନେବାଲାଗି ହେଉ ବା ସାମୟିକଭାବେ ମୋର ମୁଣ୍ଡ ଖରାପ ଯୋଗୁଁ ହେଉ–ଗୋଟାଏ ରାତି ମୁଁ ତୋଭଳି କୁକୁରଟାକୁ ବାନ୍ଧିଆଣି ମୋ ଶେଯରେ ଶୁଆଇ ଦେଇଥିଲି । ….ଆରେ କୁକୁର, ସେଇଥିଲାଗି ଯଦି ହସୁଥାଉ–ଯଦି ସେଇଥିଲାଗି ତୁ ମୋର ସତୀତ୍ୱ ଉପରେ ଅଟ୍ଟହାସ କରୁଥାଉ–ତେବେ ଦେଖ–ମୁଁ ମୋର ସେହି ସ୍ୱାମୀର ଚିତାରେ ପଡ଼ି ବର୍ତ୍ତମାନ ମରିବାକୁ ଯାଉଛି । କିନ୍ତୁ ମନେରଖ–ଆଉ ସମସ୍ତେବି ଶୁଣିଥାଅ–ଏଇ କୁକୁରଟା–ଏଇ ଚୁଚୁନ୍ଦ୍ରାଟା ମଲାପରେ ଯଦି ଏହାର ସେହି ଟେରୀ କୁଟୁଣୀ ଚିନ୍ନାଳୀ ଛତରୀ ମାଈକିନିଆଟା ତା’ର ଚିତା ଉପରେ ଶୋଇ ମୋ ଭଳି ଏମିତି ପୋଡ଼ି ମରିବ–ତେବେ ଯାଇ ସେ ଦିନ ସମସ୍ତେ ପାଇକରାୟ ବଂଶର ଡିହ ଉପରେ ଠିଆହୋଇ ମୂତିବ । ନ ହେଲେ ଏଇ କୁକୁରାଟାର ଶବ ପୋଡ଼ିଗଲା ପରେ ତା’ ଉପରେ ସମସ୍ତେ ମୂତି କରି ତା’ର ରଇ ଶୀତଳାଇ ଦେବ-। ବୁଝିଲ ? ଶୁଣିଥାଅ ସମସ୍ତେ । ମୁଁ ଚାଲିଲି–ଆଉ ସମୟ ନାହିଁ ।

 

ଏତିକି କହି କମଳକୁମାରୀ ସ୍ୱାମୀଙ୍କର ପ୍ରଜ୍ୱଳିତ ଶବଟିକୁ ଆଲିଙ୍ଗନ କରି ଅଗ୍ନି ଉତରେ ନିଜେ ଜଳି ଉଠିଲେ ଦାଉ ଦାଉ ହୋଇ ।

ହରିବୋଲ ଓ ହୁଳହୁଳି ଶବ୍ଦରେ ଏଇ ବରଗଛର ମୂଳ ସେଦିନ ଥରି ଉଠିଥିଲା । ସେହିଦିନୁଁ ଏହି ବରଗଛଟି ‘ସତୀବର’ ନାମରେହିଁ ସମ୍ମାନିତ ହୋଇ ଆସିଥିଲା । ପାଇକରା ବଂଶର ସମସ୍ତ ଦୃଢ଼ତା, ମର୍ଯ୍ୟାଦାବୋଧ–ସ୍ପର୍ଦ୍ଧିତମହିମା–ଗାମ୍ଭୀର୍ଯ୍ୟ ଓ ଉଚ୍ଚତାର ସ୍ମୃତିକୁ ବହନ କରି ଏହି ମହୀରୁହଟି ଏଠି ଆଜି ପର୍ଯ୍ୟନ୍ତ ବିରାଜୁ ଥିଲା । ମାତ୍ର ଏ ଯୁଗରେ ଗ୍ରାମବାସୀମାନେ ଆଉ ସେହି ଉଚ୍ଚତାକୁ ସହ୍ୟ କରି ପାରିଲେ ନାହିଁ । ଗୋଟାଏ ଛୁତକରେ ସମସ୍ତେ ଗଛଟାକୁ ହାଣି ଛିନ୍‍ଛତର କରି ଦେଲେ । ପାଇକରା ବଂଶର ଶେଷତମ ଆତ୍ମମର୍ଯ୍ୟାଦାର ପ୍ରତୀକ ମଧ୍ୟ ଆଜି ଭୂଲୁଣ୍ଠିତ ହେଲା-। ହେଉ–ହେଉ–ସେଥିରେ କିଛି କ୍ଷତି ନାହିଁ । ଏଥିରେ ମଧ୍ୟ ଆମ୍ଭେମାନେ ବିଶେଷ ବିଚଳିତ ହେଉନାହୁଁ । କାରଣ ବଂଶାନୁକ୍ରମେ ଆମେ ସେହି ଉଚ୍ଚତମ ଉଚ୍ଚତାଟିକୁ ଅର୍ଜନ କରି ଆସିଛୁ – ତାକୁଇ ଲକ୍ଷ୍ୟ କରି ଆସିଛୁ–ତା’ରି ଉପରେଇ ଠିଆହୋଇ ଆସିଛୁ । ସେହି ଉଚ୍ଚତା ଉପରେ ଠିଆ ହେଲେ ଆପଣାର ଉନ୍ନତ ମସ୍ତକଟି ଭୂଲୁଣ୍ଠିତ ହେଉଥିବାର ଦେଖି ମଧ୍ୟ ହୃଦୟ ବିଚଳିତ ହୁଏ ନାହିଁ-। ମ୍ରିୟମାଣ ହୋଇ ପଡ଼େନାହିଁ ।

 

ଆମ୍ଭେମାନେ ନାଗଗୋତ୍ରୀ । ଆମ୍ଭେ ଫଣା ଟେକୁ, ଫଣା ବିସ୍ତାର କରୁ ଓ ଫଣା ପୁଣି ସଂକୁଚିତ କରି ଏକ ଗମ୍ଭୀର ବିନୟରେ ଆପଣାଠାରେ ଆପେ ଲୀନ ହୋଇ ରହୁ । କିନ୍ତୁ ଅସଲ କଥା–ସେହି ଉଚ୍ଚତମ ଉଚ୍ଚତା–ତାରି ଉପରେ ଠିଆ ହୋଇ ମୁଁ ଆଶା କରୁଛି–କାମନା କରୁଛି–ଗ୍ରାମର ସମସ୍ତଙ୍କର ସେହି ଉଚ୍ଚତମ ଉଚ୍ଚତାଟି ଅର୍ଜନ କରିବା ଯେପରି ଏକମାତ୍ର ଲକ୍ଷ୍ୟ ହେଉ ।

Image

 

Unknown

ଭାର୍ଯ୍ୟା ଓ ଭଗାରି ଜନିତ

 

‘‘ଭଗାରି କେଉଁଠି ? ନା ମା’ ପେଟରେ ।’’ ଏହି ନୀତି ବାକ୍ୟଟିକୁ ଯେଉଁ ବ୍ୟକ୍ତି ସର୍ବସାଧାରଣରେ ଚିରଦିନଲାଗି ଚଳେଇ ଦେଲେ–ତାଙ୍କର ଏହି ପ୍ରବଚନଟିରେ ଏକ ସାର୍ବଜନୀନ ସତ୍ୟ ନିଶ୍ଚୟ ନିହିତ ହୋଇ ରହିଅଛି–ମାତ୍ର ତାହା ଆକାରରେ ସାର୍ବଜନୀନ ହେଲେବି ପ୍ରକାରରେ ନିଶ୍ଚିତଭାବେ ଏକାନ୍ତ ବ୍ୟକ୍ତିଗତ । ଏହି ସମ୍ୱନ୍ଧାନ୍ୱିତ ଓ ପାରିବାରିକ ପୃଥିବୀରେ ଅନ୍ୟକୁ ଭଗାରି ବୋଲି ଭାବିବାବେଳେ ଆମ୍ଭେମାନେ ନିଜ ନିଜ ଅଭିଜ୍ଞତା ଉପରେଇ ନିର୍ଭର କରିଥାଉଁ । ପୁଣି ଏହି ଶତ୍ରୁତା ଭାବ ମଧ୍ୟ ଏକ ଜଟିଳ ମନସ୍ତାତ୍ତ୍ୱିକ ବ୍ୟାପାର । ତୁମର ମୂଲ୍ୟବୋଧ ଓ ତୁମେ କ’ଣ ଅଧିଗତ କରିବାକୁ ଚାହୁଁଛ ତାହା ଉପରେଇ ଏହି ‘ଭଗାରି ଭାବ’ ନିର୍ଭର କରେ ।

 

ଆଉ ଗୋଟିଏ କଥା – ତୁମଠାରୁ ଯଦି କେଉଁ ବିଷୟରେ କିଏ ଅର୍ଦ୍ଧେକ ଭାଗ ଦାବି କରିବାର ଅଧିକାର ପାଇଥାଏ ତେବେ ପ୍ରଥମେ ସେ ତୁମର ଭାଇ ଓ ଦ୍ୱିତୀୟରେ ସେ ତୁମର ଅର୍ଦ୍ଧାଙ୍ଗିନୀ । ସମ୍ପର୍କର ଇତିହାସରେ ଭାଇ ଆଉ ଭାର୍ଯ୍ୟାଙ୍କ ଭଳି ପ୍ରଭାବଶାଳୀ ତୃତୀୟ ଆଉ ନାହାନ୍ତି । ତୁମ ଉପରେ ଦୁହିଁଙ୍କର ସମାନ ଅଧିକାର । କାରଣ ଏ ପୃଥିବୀରେ କେବଳ ଦୁଇଜଣହିଁ ତୁମ ସଙ୍ଗେ ଚଉଦବର୍ଷ ବା ବାରବର୍ଷ ବନବାସ କରିବା ଲାଗି ଅକୁଣ୍ଠିତ ସମ୍ମତି ଦେଇ ପାରିବେ । ବାପ ନୁହନ୍ତି କି ମାଆ ନୁହନ୍ତି । ତେଣୁ ସଚରାଚର ଦେଖାଯାଏ ଉତ୍ତମ ଭାଇ ଆଉ ଉତ୍ତମା ଭାର୍ଯ୍ୟା–ଏହି ଦୁହିଁଙ୍କ ମଧ୍ୟରେ ତୁମଙ୍କୁ ନେଇ ପ୍ରକୃତ ସପତ୍ନୀଭାବ ସୃଷ୍ଟି ହୋଇଥାଏ । ତେଣୁ ଏହି ଦୁଇ ସମ୍ପର୍କ ଭିତରେ ସଙ୍ଗତି ରକ୍ଷା କରି ଚଳିବା ଲାଗି କେତେ ଦୁରୂହ ପ୍ରେମ ସାଧନା କରିବାକୁ ପଡ଼େ ତାହା କେବଳ ଏକାଧାରରେ ଅନୁଭବୀ ଭାଇ ଓ ଅନୁଭବୀ ସ୍ୱାମୀହିଁ ଜାଣନ୍ତି । ଇତିହାସରେ ଏମନ୍ତ ଉଦାହରଣ ଦେଖାଯାଇ ନାହିଁ ଯେଉଁଠି ଜଣେ ଭ୍ରାତୃବିରୋଧୀ ମାଇପିବୋଲା ଉତ୍ତର ପ୍ରେମିକ ସ୍ୱାମୀ ହୋଇପାରିଛି ବା ଜଣେ ଭାଇ ବୋଲକଲା ପତ୍ନୀପୀଡ଼କ ଉତ୍ତମ ଭ୍ରାତା ଓ ଉତ୍ତମ ଭର୍ତ୍ତା । ଏମାନେ ଭାଇ ଲାଗି ଭାର୍ଯ୍ୟାକୁ ବା ଭାର୍ଯ୍ୟାଲାଗି ଭାଇକୁ ଛାଡ଼ିବାର ଦୁର୍ଯୋଗ ସୃଷ୍ଟି କରନ୍ତି ନାହିଁ–ପରିସ୍ଥିତି ଯେତେ ବାଧକ ହେଲେବି । ତେବେ ଏ ସମ୍ୱନ୍ଧେ ମୋଟାମୋଟି ଗୋଟାଏ ଶେଷକଥା କୁହାଯାଇ ପାରେ ଯେ ଦୁହିଁଙ୍କର ଗୁରୁତ୍ୱ ଯେତେ ସମାନ ହେଲେବି ତୁମ ଜୀବନରେ ଭାଇର ପ୍ରଭାବ ଶେଷପର୍ଯ୍ୟନ୍ତ ଜିତିଯାଏ, ଆଉ ଶେଷ ପର୍ଯ୍ୟନ୍ତ ଭାଇର ଏହି ଜିତାପଟକୁ ଯଦି ଭାର୍ଯ୍ୟା ସ୍ୱୀକାର କରିଯାନ୍ତି (ଅବଶ୍ୟ ଏ କ୍ଷେତ୍ରରେ ଭାର୍ଯ୍ୟା ଖୁବ୍ ବୁଦ୍ଧିମତୀ ଆଉ ବ୍ୟକ୍ତିତ୍ୱସମ୍ପନ୍ନା ହୋଇଥିବା ଚାହି) ତେବେ ଭାଇର ବିଜୟ ହେଲେବି ବିଜୟ ପତାକା ଉଡ଼ାଇଥାନ୍ତି ଭାର୍ଯ୍ୟା ।

 

ଅବଶ୍ୟ ଏତେକ ଲେଖିବା ଯେତିକି କଷ୍ଟ ଏହାର ସୁଉଦାହରଣଟିଏ ସୃଷ୍ଟି କରିବା ତା’ଠାରୁ ଲକ୍ଷଲକ୍ଷ ଗୁଣରେ କଷ୍ଟକର ଏବଂ ଏହାକୁ ସାଧିବା ଖାଲି କଷ୍ଟକର ନୁହେଁ ଅସମ୍ଭବ ଅଲୌକିକ ବ୍ୟାପାର ମଧ୍ୟ । ସବୁ ଗୁରୁତର ସାଧନାର ସିଦ୍ଧି କୌଣସି ଅଦୃଶ୍ୟ ଶକ୍ତିର ରହସ୍ୟମୟ କରୁଣାକୁ ଅପେକ୍ଷା କଲାଭଳି ଏହି ସାଧନାର ସିଦ୍ଧି ମଧ୍ୟ ଅଦୃଶ୍ୟ ସୁନିୟତିର କରୁଣା ସାପେକ୍ଷ ।

 

ମୋ ନିଜ ଜୀବନରୁ ଉଦାହରଣଟିଏ ଦେଇ ପାରିବି କି ? ଦେଲେ କ୍ଷତି ନାହିଁ । ବ୍ୟାପାରଟି କୁହାଯାଉ ଓ ଶୁଣିବା ହେଉ ।

 

ଆମେ ଚାରି ଭାଇଙ୍କ ଭିତରୁ ଉପର ଦୁଇଭାଇ କୋଉକାଳୁ ମୃତ । ବାକି ଆମେ ଦୁଇଜଣ । ମୋଠାରୁ ମାତ୍ର ତିନିବର୍ଷ ବଡ଼ ସୁରଭାଇ ଆଉ ମୁଁ ତାଙ୍କର ସାନଭାଇ ବୀର । ସୁରଭାଇ ଆଉ ମୋର ବାଲ୍ୟଜୀବନ ଓ ସ୍କୁଲଜୀବନ ଏକତ୍ର କଟିଛି । ଆମର ବଂଶଧର ପୂର୍ବକାଳର ମଫସଲି ଜମିଦାର ଥିଲେ । ଆମର ବଂଶ ମଧ୍ୟ ଖୁବ୍ ପ୍ରାଚୀନ ଓ ବିସ୍ତାରିତ । କହିବାକୁଗଲେ ବର୍ତ୍ତମାନର ସେନାପତି ସାହିଟାଯାକଇ ଆମରି ବଂଶ । ସେନାପତିମାନେ ପରସ୍ପରଠାରୁ ଭିନ୍ନ ହୋଇ ଏବଂ ଆପଣାର ଅହଂକାରୀ ଔଦ୍ଧତ୍ୟ, ବଦଖର୍ଚ୍ଚ ଓ କାଳସଙ୍ଗେ ତାଳ ଦେଇ ନ ଚାଲି ପାରିବାର ଅସାମର୍ଥ୍ୟ ଯୋଗୁଁ ଏବଂ ଆପଣା ଆପଣା ଭିତରେ କଳି ତକରାଳ, ଦଙ୍ଗାହାଙ୍ଗାମା ଓ ମାଲିମକଦ୍ଦମା ହେତୁ ଛିନ୍‍ଛତର ଓ ଦରିଦ୍ର ହୋଇ ମଲେଣି । ତେବେ ଆମରି ଶାଖାଟି ଏପର୍ଯ୍ୟନ୍ତ ମଧ୍ୟ କେତେକାଂଶରେ ସ୍ୱଚ୍ଛଳ ସୁଶିକ୍ଷିତ ଓ ସୁମାର୍ଜିତ ଅବସ୍ଥାରେ ରହିଛନ୍ତି । ଆମର ମାଆ ଆମ ପିଲାଦିନେ ଜରାୟୁ କ୍ୟାନ୍‍ସରରେ ମରିଗଲେ । ବାପା ଆଉ ଦ୍ୱିତୀୟ ବିବାହ ନ କରି ଆମ ଦୁହିଁଙ୍କୁ ପ୍ରାଣଠାରୁ ଅଧିକ କରି ପାଳିଲେ । ବାପାଙ୍କୁ ବର୍ତ୍ତମାନ ପଞ୍ଚାଅଶୀବର୍ଷ । ସେ ତଥାପି କର୍ମଠ ଓ ସବଳ ଅଛନ୍ତି । ଏବେ ସୁଦ୍ଧା ସେ କଂସାଏ ବହଳିଆ ମୁଗଡ଼ାଲି, କଂସାଏ ଦୁଧ ଖାଇ ପାରୁଛନ୍ତି । ତେବେ ଗତ ଦଶବର୍ଷ ଧରି ସାମାନ୍ୟ ଅଫିମ ମଧ୍ୟ ସେ ଖାଇଆସୁଛନ୍ତି ଏବଂ ଆଜିକାଲି ସେ ଶ୍ରୀରାମକୃଷ୍ଣ ପରମହଂସଙ୍କ ପାଖେ ନିଜକୁ ପୂର୍ଣ୍ଣ ସମର୍ପଣ କରି ଭୁବନେଶ୍ୱର ମିସନ ପାଖେ ରହୁଛନ୍ତି ଓ ମିସନ୍‍ରେଇ ସବୁବେଳେ କଟାଉଛନ୍ତି ।

 

ସୁରଭାଇ ଆଉ ମୁଁ ବାଲ୍ୟକାଳୁ ଏକତ୍ର ରହିବାର କାରଣ ବାପା । ପ୍ରଥମ ଭାଗର ଦୁଇପୁତ୍ରଙ୍କୁ ହରାଇ ମଧ୍ୟ ଯୌବନରେ ବିପତ୍ନୀକ ବାପା ଆମ ଦୁହିଁଙ୍କୁ ପାଖରୁ ଦଣ୍ଡେବି ଛାଡ଼ୁ ନଥିଲେ । ବାପାଙ୍କର ଦୂର ସମ୍ପର୍କୀୟା ଜଣେ ବୟସ୍କା ବିଧବା ଆମକୁ ପାଳିଥିଲେ । ଆମେ ତାଙ୍କୁ ଧାଈମା ଡାକୁଥିଲୁ । ସେ ବି ବର୍ତ୍ତମାନ ଆଉ ବଞ୍ଚି ନାହାନ୍ତି । କେତେବେଳେ ହେଲେବି ବାପା ଆମ ଦୁହିଁଙ୍କ ଭିତରୁ ଜଣକୁ ନେଇ ଗେଲ କରୁ ନଥିଲେ । ଖାଇବା, ଶୋଇବା, ଗେଲହେବା, ଯାତ୍ରାତୀର୍ଥରେ ଯିବା ସବୁବେଳେ ସର୍ବତ୍ର ସେ ତାଙ୍କର ଦୁଇଟି ଆଖିଭଳି ଆମ ଦୁହିଁଙ୍କୁ ଏକାବେଳକେ ପାଖରେ ରଖୁଥିଲେ । ଆମେ ଦୁହେଁ ବାପାଙ୍କ ଦୁଇପାଖେ ଶୋଉ । ଆହୁରି ପିଲାଦିନେ ବାପାଙ୍କ ପେଟ ଉପରେ ପାଳିକରି ବା ଫାଳେଫାଳେ ଅଧିକାର କରି ଶୋଉ । ବାପାଙ୍କ ଛାତିଥିଲା ଗୋଟାଏ ବିଶାଳ କାନ୍ଥଭଳି ଓ ପେଟଟି ଥିଲା ଗୋଟାଏ ବିରାଟ ମସ୍‍ଜିଦର ଗମ୍ୱୁଜ ଭଳି-। ବାପାଥିଲେ ଖୁବ୍ ଉଚ୍ଚମନା ଅଭିଜାତ, ମାତ୍ର ତା’ଠାରୁ ବଳି ଭଦ୍ର ଓ ପ୍ରେମୀବ୍ୟକ୍ତି । ମୋର ଧାରଣା ହେଉଥିଲା ସେ ପ୍ରେମ ଓ ଭଦ୍ରତାରେ ପୃଥିବୀକୁ ଜୟ କରି ପାରିବେ । ମାତ୍ର ସେ କିଛି ଜୟ କରୁ ନ ଥିଲେ । ଏକ ଚମତ୍କାର ପରାଜୟ ସେ ସବୁଠାରେ ସ୍ୱୀକାର କରି ବେଶ୍ ଆନନ୍ଦ ଓ ଶାନ୍ତିରେ ଆମ ଦୁହିଁଙ୍କୁ ଧରି କାଳକାଟୁଥିଲେ ।

 

ବାପାଙ୍କର ବହୁ ସଦ୍‍ଗୁଣର ଅଧିକାରୀ ଥିଲେ ସୁରଭାଇ । ବାପାଙ୍କର ବିଶାଳ ଆକୃତି ଓ ସ୍ୱାସ୍ଥ୍ୟସମ୍ପଦ ମୁଁ ପାଇଥିଲି । ମାତ୍ର ବାପାଙ୍କର ଧୀରତା, ପ୍ରେମ, ଭଦ୍ରତା ଓ ନିରାକାଂକ୍ଷାଦିର ଉତ୍ତରାଧିକାରୀ ଥିଲେ ସୁର ଭାଇ । ସମସ୍ତେ କହନ୍ତି ମୁଁ ଥିଲି ବାପାଙ୍କ ଗୁଣର ଏକବାର ବିପରୀତ । ମୁଁ ଥିଲି କେତେକାଂଶରେ ଉଦ୍ଧତ, କ୍ରୋଧୀ, ଈର୍ଷୁକ; ଜିଦ୍‍ଖୋର୍ ଆଉ ଭୀଷଣ ଉଚ୍ଚାକାଂକ୍ଷୀ । ମୁଁ ଥିଲି ସୁରଭାଇଙ୍କଠାରୁ ଅଧିକ ସତର୍କ, ଅଧିକ ହିସାବୀ, ଆଉ ଅଧିକ ଉଦ୍ୟମୀ । ମୋର କିପରି ପିଲାଦିନୁ ଧାରଣା ଥିଲା ଯେ ଚାରିପଟେ ଶତ୍ରୁ ଘେରି ରହିଛନ୍ତି–ସେମାନଙ୍କୁ ଜୟ କରିବାକୁ ହେବ । ଚାରିପଟେ ବିରାଟ ପାଚେରିମାନ ଠିଆ ହୋଇଛନ୍ତି । ସେଗୁଡ଼ିକୁ ଯେପରି ହେଉ ଅତିକ୍ରମ କରିବାକୁ ପଡ଼ିବ । ପ୍ରତିଟି ବ୍ୟକ୍ତି ଓ ଏପରିକି ପ୍ରତିଟି ବସ୍ତୁ ମଧ୍ୟ ମୋର ମନେ ହେଉଥିଲା ସତେକି ମୋର ଗତିପଥରେ ଜଣେ ପ୍ରତିଦ୍ୱନ୍ଦ୍ୱୀ ବା ଗୋଟିଏ ଅନ୍ତରାୟ । ଥରେ ବାପାଙ୍କର ଆଦରରେ ବଢ଼ାଇଥିବା ଗୋଟାଏ କୃଷ୍ଣଚୂଡ଼ା ଗଛର ଡାହି ମୋ ମୁଣ୍ଡରେ ବାଜିଗଲା । ସଙ୍ଗେ ସଙ୍ଗେ ବାପାଙ୍କର ବିରକ୍ତକୁ ଖାତିରି ନକରି ମୁଁ ଡାହିଟାକୁ ହାଣି ପକାଇଥିଲି । ଥରେ ମୁଁ ଘରୁ ପଦାକୁ ହଠାତ ଦଉଡ଼ି ଯାଉ ଯାଉ ବାପାଙ୍କର ଗୋଟାଏ ପୋଷା କୁକୁର ଗେହ୍ଲାପଣରେ ମୋ ପଛେ ପଛେ ଦୌଡ଼ି ଯାଇ ମୋ ପ୍ୟାଣ୍ଟକୁ କାମୁଡ଼ି ଧରିଲା । ମୁଁ ରାଗରେ ତା’ ମୁହଁକୁ ଏପରି ପ୍ରହାର କରିଥିଲି ଯେ ସେଇଟା ମରୁ ମରୁ ବିଚରା ବଞ୍ଚି ଯାଇଥିଲା । ମୁଁ କ୍ଲାସରେ ଭଲ ପାଠ ପଢ଼ୁଥିଲି । ମାତ୍ର ପରୀକ୍ଷାରେ ସବୁଠାରୁ ଭଲ ଫଳ ପାଇବା ଲାଗି ମୁଁ କେବଳ ମୋର ଭଲପଢ଼ା ଉପରେ ନିର୍ଭର କରୁ ନଥିଲି, ଆହୁରି ବହୁ କୌଶଳ ମଧ୍ୟ ମୋତେ ପ୍ରୟୋଗ କରିବାକୁ ପଡ଼ୁଥିଲା । ମୋର ଧାରଣା ଥିଲା, ମୁଁ କଳେବଳେ କୌଶଳେ ସଭିଙ୍କି ପରାସ୍ତ କରି ନିଜେ ପ୍ରତିଷ୍ଠିତ ହେବି ।

 

ଆଜି ପର୍ଯ୍ୟନ୍ତ ମୋର ଏହି ରୀତି ମତେ ସମାଜରେ ଯଥେଷ୍ଟ ପ୍ରତିଷ୍ଠା ଓ ପ୍ରସାର ଦେଇଛି ।

 

ସୁରଭାଇ କିନ୍ତୁ ମୋର ଏସବୁ ଗୁଣର ବିପରୀତ । ସେ ଜୀବନକୁ ସହଜ ଓ ପ୍ରେମପୂର୍ଣ୍ଣଭାବେ ଗ୍ରହଣ କରୁଥିଲେ । ସେ ଦାୟିତ୍ୱହୀନ ନ ଥିଲେ । ମାତ୍ର ସବୁ ଦାୟିତ୍ୱ ତାଙ୍କର ଥିଲା ସହଜ ଓ ପ୍ରେମ ପ୍ରଣୋଦିତ । ସେ ଆଳସ୍ୟ ପରାୟଣ ବା କର୍ମବିମୁଖ ନଥିଲେ । ମାତ୍ର କିଛି ଗୋଟାଏ ପ୍ରତିଷ୍ଠା କରିବା ବା କ’ଣ କିଛି ଅର୍ଜନ କରିବା ତାଙ୍କ କର୍ମ କର୍ମାଣୀର ଲକ୍ଷ୍ୟ ନଥିଲା । ତାଙ୍କ ପାଖରେ ଚଢ଼େଇ ଧରିବା ଓ ମାଟ୍ରିକ୍ ପରୀକ୍ଷା ଦେବା ଏକାକଥା । ଲୁଡ଼ୁ ଖେଳିବା ଓ ତେଲ ବ୍ୟବସାୟ କରିବା ଏକାକଥା । ତାଙ୍କ ଆଗରେ ବିଡ଼ାଏ ନୋଟ୍ ଯାହା ପେନ୍ଥାଏ ଫୁଲ ତାହା, ଥଳିଏ ରଙ୍ଗବେରଙ୍ଗର ଶାମୁକା ଯାହା ଥଳିଏ ରୁପାମୋହର ବା ମୁକ୍ତା ତାହା । ଶହେଟଙ୍କା କାହାଠୁ ପାଇବା ଯାହା ଶହେଟଙ୍କା କାହାକୁ ଦେଇଦେବା ସେଇଆ ।

 

ସୁରଭାଇ ମୋତେ କେତେ ଭଲ ପାଉଥିଲେ ତାହା ମୁଁ ଜାଣୁ ଥିଲି । ମାତ୍ର ବୁଝିପାରୁ ନଥିଲି, ନିଜ ପାଖରେ ମଧ୍ୟ ସ୍ୱୀକାର କରୁ ନଥିଲି । କାରଣ ମୋର ସେ ଭଲ ପାଇବା ଗହୀରରେ ଚାଷ ନଥିଲା । ବରଂ ବେଳେବେଳେ ତାଙ୍କର ସ୍ନେହର ଆତିଶଯ୍ୟକୁ ମୁଁ ଭୋଗକରୁଥିଲେବି ଓ ସେଥିରୁ ମୁନାଫା ଉଠାଉଥିଲେବି ତାହା ଉପରେ ଭୀଷଣ କ୍ଷିପ୍ତ ହୋଇ ଉଠୁଥିଲି । ଏଇ ଧର ଦଶଟି ରସଗୋଲାକୁ ବାପାଙ୍କ ଆଦେଶାନୁସାରେ ସମାନ ପାଞ୍ଚଟି ଲେଖା ନ ବାଣ୍ଟି ସେ ମୋତେ ସାତଟି ଦେଇ ନିଜେ ତିନୋଟି ଖାଉଥିଲେ । ସମାନ ଦାମ୍‍ରେ ସାର୍ଟ ଓ ପ୍ୟାଣ୍ଟ କପଡ଼ା କିଣିବାକୁ ବାପାଙ୍କଠାରୁ ଟଙ୍କା ନେଇ ଛାତ୍ରଜୀବନରେ ସେ ମତେ ବେଶି ଦାମ୍‍ର ସିଲ୍‍କ କପଡ଼ା କିଣିଦେଇ ନିଜେ ଅଳ୍ପଦାମ୍‍ର ମୋଟା ଖଦଡ଼ କିଣି ପିନ୍ଧୁଥିଲେ । ମୁଁ ତାଙ୍କ ତ୍ୟାଗକୁ ଭୋଗ କରୁଥିଲି । ମାତ୍ର ଆନନ୍ଦରେ ନୁହେଁ । ଏକପ୍ରକାର ଈର୍ଷାମୂଳକ ବିରକ୍ତିରେ । ମୁଁ ତ ଥିଲି ଭୀଷଣ ଜିଦ୍‍ଖୋର୍ । ବାପାଙ୍କ ପାଖେ କାନ୍ଦି ରାଗିଯାଇ ଜିଦ୍ କରି ତାଙ୍କୁ ବିରକ୍ତ କରି ଦେଉଥିଲି । କୌଣସି କଥାରେ ସୁରଭାଇଙ୍କ ସଙ୍ଗେ ବିବାଦ ହେଲେ ବାପା ବିଚାର କରି ଦେଖୁଥିଲେ ମୋରହିଁ ଦୋଷ ବେଶି । ମାତ୍ର ସୁରଭାଇ ମୋଠାରୁ ଦୋଷ ଛଡ଼ାଇନେଇ ନିଜ ଉପରକୁ ଟାଣି ନେଉଥିଲେ । ସୁରଭାଇ ଏତେ ସୁବୋଧଥିଲେ ଯେ ମୋର ସେଇ ବେଳାରେ ତାଙ୍କ ମୁହଁରେ ମୁଖୀ ମାରିବାକୁ ମନ ହେଉଥିଲା ମାତ୍ର ଆଶ୍ଚର୍ଯ୍ୟ କଥା–ପିଲାଦିନୁଁ ଆଜିପର୍ଯ୍ୟନ୍ତ ଯେତେଥର ସୁରଭାଇଙ୍କ ଉପରେ ଭୀଷଣ ଚିଡ଼ିଯାଇ ମୁଁ ତାଙ୍କୁ ମୁଖୀ ମାରିବାକୁ ଉତ୍ତ୍ୟକ୍ତ ହୋଇ ଉଠିଛି ସେତେଥର ଶୋଚନୀୟଭାବେ ବିଫଳ ହୋଇଛି । କାରଣ ତାଙ୍କୁ ଦେଖିଲାମାତ୍ରେଇ ମୋର ସବୁ ତଗଡ଼ାପଣ କୁଆଡ଼େ ଚାଲିଯାଏ । ମୋର ବୁଦ୍ଧି ଲୋପ ପାଇଯାଏ । ମୁଁ ତାଙ୍କ ଆଗରେ ମାଟିରମଣିଷ ଉପନ୍ୟାସର ଛକଡ଼ି ଭଳି ବ୍ୟବହାର କରେ । ମୁଁ ଜାଣେ ମୁଁ ଅହିରାଜ । ଏହି ପାତଳା, ଅସତର୍କ, ନିଶ୍ଚିନ୍ତମନା, ଦୁର୍ବଳ ଲୋକଟାକୁ ମୁଁ ସଙ୍ଗେ ସଙ୍ଗେ ଗିଳିଦେଇ ପାରିବି । ମାତ୍ର ପଟିଆ କେଳାଭଳି ସେ କ’ଣ ଗଣି ଜାଣିଥାଏ ବା ଗଦ ଟିକିଏ ହାତରେ ଧରିଥାଏ କେଜାଣି ମୋର ଉନ୍ନତ ହିଂସ୍ରଫଣା ସଙ୍ଗେ ସଙ୍ଗେ ନରମ ଆଉ ନମ୍ର ହୋଇଯାଏ । ମାତ୍ର ମୁଁ ଭିତରେ ଭିତରେ ତାଙ୍କପ୍ରତି ଈର୍ଷାଦଗ୍‍ଧ ହିଂସାରେ ରୁନ୍ଧିହୋଇ ମରୁଥାଏ ।

 

୧୯୪୨ର ଆନ୍ଦୋଳନ ଭାରତ ଛାଡ଼ । ସେ ହଠାତ କଲେଜରୁ ପାଠପଢ଼ା ଛାଡ଼ି ଦେଇ ଗାନ୍ଧୀ ଦଳରେ ମିଶିଗଲେ । ବିପ୍ଳବ ଭିତରକୁ ଡେଇଁ ପଡ଼ିଲେ । ଲାଠି ମାଡ଼ ଖାଇଲେ–ଜେଲ୍ ଗଲେ । ପାଠପଢ଼ା ଓ ଭବିଷ୍ୟତ୍‍ର ଉନ୍ନତିରେ ଡୋରି ବନ୍ଧାଗଲା । କିନ୍ତୁ ମୁଁ ତାଙ୍କ ଭଳି ଏମିତି ପ୍ରେମଭାବକୁ ଅପରିଣାମଦର୍ଶୀ ନଥିଲି । ମୁଁ ମୋ ଭବିଷ୍ୟତ୍ ସମ୍ୱନ୍ଧେ ଦୃଢ଼ ନିଶ୍ଚିନ୍ତ ଥିଲି । ଜୀବନର ଉନ୍ନତି ଲାଗି ବଦ୍ଧପରିକର ଥିଲି । ମୁଁ ସେତେବେଳେ କୋଉ କଥାରେ ବିଚଳିତ ହେଉ ନଥାଏ । ଜାଲିଆନାବାଗ ବ୍ୟାପାରରେ ନୁହ କି ଦଣ୍ଡଯାତ୍ରା ବ୍ୟାପାରରେ ନୁହେଁ–ଗାନ୍ଧିଜୀଙ୍କ ଅନଶନରେ ନୁହ ମଧ୍ୟ । ସୁରଭାଇ ସ୍ୱାଧୀନତା ସ୍ୱାଧୀନତା ହେଉଥିଲେ । ମୁଁ ଭାବୁଥିଲି ଉନ୍ନତିକାମୀ ବ୍ୟକ୍ତି କେତେ ଅଖଣ୍ଡ ସ୍ୱାଧୀନତା ଚାହେଁ ନାହିଁ । ଅଖଣ୍ଡ ସ୍ୱାଧୀନତା ଏକ ବିପଦ । ଏକ ସାମୂହିକ ଦାୟିତ୍ୱବୋଧ ଓ ଏକ ସାମୂହିକ କର୍ତ୍ତବ୍ୟବୋଧ ଆଣି ଉପରେ ଲଦି ଦିଏ । ଏ ଦୁଇଟି ଉପରେ ଲଦାହେଲେ ବ୍ୟକ୍ତି ଆଉ ନିଜର ଉନ୍ନତି କରିପାରିବ ନାହିଁ । ତେଣୁ ସତର୍କ ବ୍ୟକ୍ତି ଜାଣେ ଉନ୍ନତିକାମୀ ବ୍ୟକ୍ତି ଜାଣେ–ପ୍ରତିଷ୍ଠାକାମୀ ବ୍ୟକ୍ତି ଜାଣେ କେତେ ପରିମାଣରେ ସ୍ୱାଧୀନତା ମଧ୍ୟ ତା’ର ଆବଶ୍ୟକ । ମୁଁ ଚାହୁଁଥିଲି ଆଇ. ସି. ଏସ୍. ହେବି ନତୁବା ବାରିଷ୍ଟର ହେବି । ହୋଇଛି ମଧ୍ୟ ଶେଷରେ ସେଇଆ । ବିଲାତ ଯାଇ ବାରିଷ୍ଟରୀ ପାସ୍ କଲି । ବର୍ତ୍ତମାନ ମୋତେ ବୀର ବାରିଷ୍ଟର ବୋଲି ଓଡ଼ିଶାରେ କିଏ ନ ଜାଣେ । ଓଡ଼ିଶା କ’ଣ ? ସମଗ୍ର ପୂର୍ବ ଭାରତରେବି ମୋର ବେଶ୍ ନାମ ଡାକ ହେଲାଣି । ମୋର ବର୍ତ୍ତମାନ ବହୁ ଅର୍ଥ, ବହୁ ଖ୍ୟାତି, ବହୁ କ୍ଷମତା । ରାଜନୀତିର ବଡ଼ ପଣ୍ଡାମାନେ ମୋ ଦୁଆରେ ଧାରଣା ଦିଅନ୍ତି । ଦେଶର ବଡ଼ ବଡ଼ ବୈଶ୍ୟମାନେ ମୋର ଏକାନ୍ତ ବଶୀଭୂତ ।

 

ଆଚ୍ଛା ଦେଖତ । ସୁରଭାଇର କ’ଣ ହେଲା ? ଛେନାଗୁଡ଼ । ତାଙ୍କଭଳି ଭାବାଳୁ ଲୋକ କିଛି ହୋଇପାରିବେ ? ଗାଁରେ ସାମାନ୍ୟ ସରପଞ୍ଚ ପଦ ମଧ୍ୟ ତାଙ୍କୁ ମିଳିଲା ନାହିଁ । ଆମ ଗାଁର ଆଧୁନିକ ରାଜନୀତି ଟୋକାମାନେ ତାଙ୍କୁ ପାସଙ୍ଗରେ ପକାନ୍ତି ନାହିଁ । ସେ ଯେ ସ୍ୱାଧୀନତା ଆନ୍ଦୋଳନରେ ଲାଠି ମାଡ଼ ଖାଇଥିଲେ, ଜେଲ୍ ଭୋଗିଥିଲେ, ଭବିଷ୍ୟତ୍ ଉନ୍ନତିକୁ ଜଳାଞ୍ଜଳି ଦେଇଥିଲେ ସେକଥାବି ବର୍ତ୍ତମାନ ଆଉ କାହାକୁ ଜଣାନାହିଁ । ରାଜନୀତି କ’ଣ ସୁରଭାଇଙ୍କ ଭଳି ଭାବାଳୁଲୋକଙ୍କ ଦ୍ୱାରା ହୁଏ ?

 

ମୋର ପ୍ରକୃତରେ ସୁରଭାଇଙ୍କ ଉପରେ କିଛି ସ୍ଥୂଳ ଅଭିଯୋଗ ନଥିଲା । ବରଂ ତାଙ୍କ ପ୍ରତି ମୋର ଗୋଟାଏ ବିଚିତ୍ର ଆକର୍ଷଣ ରହିଆସିଛି । କିନ୍ତୁ ତାଙ୍କର ଏହି ଭାବାଳୁ ଭଲମଣିଷ ପଣିଆ ଉପରେ ମୁଁ ଭୀଷଣ କ୍ରୁଦ୍ଧ ଓ ଉତ୍‍କ୍ଷିପ୍ତ ହେଉଥିଲି ।

 

ଏବେ ସୁରଭାଇଙ୍କଠାରୁ ଭିନ୍ନ ହୋଇଯିବା ଓ ପୃଥକ୍ ହୋଇଯିବାର ଘଡ଼ିସନ୍ଧିବେଳା ପହୁଞ୍ଚିଗଲାଣି । ବାପା ତ ବର୍ତ୍ତମାନ ରାମକୃଷ୍ଣ ମିଶନ୍‍ରେ ଓ ତାଙ୍କର ପରକାଳ ବ୍ୟବସ୍ଥାରେ ମନ ଦେଇଛନ୍ତି । ଅବଶ୍ୟ ମଧ୍ୟେ ମଧ୍ୟେ ସେ ଘରକୁ ଆସନ୍ତି । ସୁରଭାଇଙ୍କ ପାଖେ କିଛିଦିନ ରହନ୍ତି । ମୋ ପାଖକୁ ଆସନ୍ତି ଖୁବ୍ କମ୍ । ମାତ୍ର ଦିନେ ଦୁଇଦିନରୁ ବେଶି ରହନ୍ତି ନାହିଁ । ମୋ ସଙ୍ଗେ ବେଶି କଥାବାର୍ତ୍ତା କରନ୍ତି ନାହିଁ । ବରଂ କିଛି ସମୟ ଗେଲ ଟାପରା ଖେଳନ୍ତି ମୋର ଏକମାତ୍ର ପୁଅ ଏକମାତ୍ର ଝିଅ ସାଙ୍ଗରେ । ସେ ମୋର ପ୍ରତିଷ୍ଠା, ମୋର ଐଶ୍ଚର୍ଯ୍ୟ ଓ ମୋର ତେଜକୁ ଉପଭୋଗ କଲାଭଳି ମନେ ହୁଏ ନାହିଁ । ମୋତେ ଟିକିଏ ବିରକ୍ତ ଲାଗେ । ସେ ସହର ଭିତରେ କେଉଁଠିକି ଗଲେ ବା ମଠ ମନ୍ଦିର ଆଡ଼କୁ ବୁଲିବାକୁ ଗଲେ ମୋର ଡ୍ରାଇଭର ବା ଗାଡ଼ି ଲୋଡ଼ନ୍ତି ନାହିଁ । ରିକ୍‍ସାରେ ଯା’ନ୍ତି ନତୁବା ଚାଲି ଚାଲି । ସେ ସତେକି ସୁରଭାଇଙ୍କର ବାପା ମୋର ନୁହଁନ୍ତି ।

 

କିନ୍ତୁ ସୁରଭାଇଙ୍କଠାରୁ ପୃଥକ୍ ହେବାର ଗୁରୁତର ଆବଶ୍ୟକତା ପଡ଼ିଗଲା । ପ୍ରଥମ କଥା–ସୁରଭାଇଙ୍କର ବହୁ ସନ୍ତାନ । ସେଥିରେ ପୁଣି ସେ ମୋଭଳି ହିସାବୀ ଓ କାଳୋଚିତ ନ ଥିଲେ । ଉପାର୍ଜନ ଅତି କମ୍ । ତିନିପୁଅ ଓ ପାଞ୍ଚଝିଅଙ୍କୁ ଜନ୍ମ କରି କୋଉ ହତଭାଗ୍ୟ ଏଥିରେ ସୁଖୀ ହୋଇପାରିବ ? ମୋର ଗୋଟିଏ ପୁଅ–ଗୋଟିଏ ଝିଅ । ତାଙ୍କର ଦୁଇପୁଅକୁ ମୁଁ ମଣିଷ କରିଛି । ଦୁଇଟି ଝିଅକୁ ମୁଁ ବାହା କରି ଦେଇଛି । ଆଉ କ’ଣ ମୁଁ ତାଙ୍କର ଏଡ଼େ ବଡ଼ ସଂସାର ଓ ତା’ର ସମସ୍ୟାମାନଙ୍କୁ ସବୁଦିନେ ମୁଣ୍ଡାଇଥା’ନ୍ତି ? ତାଙ୍କର କିନ୍ତୁ ସେଥିପାଇଁ ତିଳାର୍ଦ୍ଧେ ଚିନ୍ତା ନାହିଁ । ସେ ସବୁ ବ୍ୟବସାୟରେ ଫେଲ୍ ମାଇଲେ । ଧାନକଳ, ବାଉଁଶ ଓ କାଠ ବ୍ୟବସାୟ, ଲୁଗା ବ୍ୟବସାୟ–ସବୁଥିରେ ବିଫଳତା ଖାଲି ଏହି ଭାବାଳୁ ତଥାକଥିତ ଭଲ ମଣିଷପଣିଆ ଯୋଗୁଁ । ଜମିବାଡ଼ି ଆମର ଯଥେଷ୍ଟ ଥିଲା । ମାତ୍ର ସେ ନିଜେ ମୂଲିଆ ରଖି ଯେମିତି ଚାଷ କରି ପାରୁନାହାନ୍ତି–ଭାଗଚାଷୀଙ୍କଠାରୁ ମଧ୍ୟ ସେମିତି ନିଜର ଯଥାଭାଗ ଆଦାୟ କରି ପାରୁନାହାନ୍ତି । ସେ ଏଭଳି ମୂର୍ଖ ଓ ବୁଡ଼ବକ୍ ଭଲ ମଣିଷ ଯେ ବ୍ୟବସାୟର ସାଧୁତା, ଓକିଲାତିରୁ ସତ୍ୟତା ଓ ରାଜନୀତିରୁ ନିଃସ୍ୱାର୍ଥପରତା ଖୋଜନ୍ତି ।

 

ମୁଁ ତାଙ୍କଠାରୁ ବର୍ତ୍ତମାନ ଖୁବ୍ ସୁଖ ଆଉ ତେଜରେ ଅଛି । ସେ ତ ବରଂ ମୋ’ଠାରୁ ବୃଦ୍ଧ ଦିଶିଲେଣି । ସେ ଆଜିଠାରୁ ନଇଁ ପଡ଼ିଲେଣି । ତାଙ୍କର ଚାହାଣି ଖୁବ୍ ଦୁର୍ବଳ ଦିଶିଲାଣି । ମୁଁ ତାଙ୍କ ଉପରେ ପ୍ରଚଣ୍ଡ ବିରକ୍ତ ବର୍ତ୍ତମାନ । ତାଙ୍କ ପାଇଁ ମୁଁ ଗୋଟିଏ ଦୁଃସ୍ଥ ରାଜନୀତିକ ବୃତ୍ତିର ବ୍ୟବସ୍ଥା କରିଥିଲି । କିନ୍ତୁ ସେ ବୁଡ଼ବକ ନିଜଆଡ଼ୁ ମନା କରିଦେଲେ । କହିଲେ–ମୁଁ ରାଜନୀତି କରୁ ନ ଥିଲି–ଦେଶ ସେବା କରୁଥିଲି । ଅହିଂସା ସଂଗ୍ରାମ–ସତ୍ୟାଗ୍ରହ କରୁଥିଲି । ମୋର ସେବା ଆଉ ସଂଗ୍ରାମ ମୂଲ ମତେ ମିଳିଯାଇଛି । ଆମେ ଇଂରେଜମାନଙ୍କୁ ‘‘ଭାରତଛାଡ଼’’ ଡାକ ଦେଇଥିଲୁ । ସେମାନେ ଶେଷରେ ଭାରତରୁ ପେଡ଼ିପୁଟୁଳା ବାନ୍ଧିଗଲେ । ମୁଁ କ’ଣ ଏଡ଼େ ହିନ ଯେ ସ୍ୱାଧୀନ ଭାରତଠାରୁ ସେ ସଂଗ୍ରାମର ମୂଲ ଦାବି କରିବି ? ବୀରମାନେ ଯୁଦ୍ଧଜୟର ମୂଲ୍ୟ ମାଗନ୍ତି ନାହିଁ । ଜୟହିଁ ତା’ର ମୂଲ୍ୟ ।

 

ତାଙ୍କ କଥା ଶୁଣି ମୁଁ ରାଗିଯାଇ କହେ ଆଉ ଦୁଇଟା ଝିଅ ବାହାହେବେ କେମିତି ? ମୂଲ କୋଉଠୁ ମିଳିବ ? ଆଉ ଦୁଇଟା ପୁଅ ମଣିଷ ହେବେ କିପରି ? ମୂଲ ଦରକାର ନା ନାହିଁ ? ସେମାନଙ୍କ ଲାଗି ତ ଆଉ ସ୍ୱାଧୀନ ଭାରତରେ ଆଉ ଥରେ ସତ୍ୟାଗ୍ରହ ଯୁଦ୍ଧ ହେବ ନାହିଁ ?

 

ସୁର ଭାଇ ଆଉ କିଛି ଉତ୍ତର ଦିଅନ୍ତି ନାହିଁ । ଚୁପ୍ ରହନ୍ତି । ମୁହଁରେ ଏକ ତଥାକଥିତ ଭଲମଣିଷ ପଣିଆର ନିଶ୍ଚିନ୍ତ ହସ ଫୁଟି ଉଠେ । ସେ ହସର ଅର୍ଥ ମୁଁ ବୁଝେ ଏହିପରି–ଆରେ ବୀର-। ତୁ ଯେ ଲକ୍ଷ ଲକ୍ଷ ଟଙ୍କା କମାଇଛୁ, ଆଉ କମାଉଛୁ ତାହା କୋଉଥିପାଇଁ ? ତୋରତ ପୁଅଟିଏ ଝିଅଟିଏ ମାତ୍ର । ଭାଇ ଆଉ କାହିଁକି ଥାଏ କହିଲୁ ? ମୋ ପିଲାଙ୍କୁ ପାଳିବା କ’ଣ ତୋ’ର କର୍ତ୍ତବ୍ୟ ନୁହେଁ ?

 

ଏତିକି ଭାବୁ ଭାବୁ ମୁଁ ଚିଡ଼ିଯାଏ । ସୁରଭାଇ ସଙ୍ଗେ ସମସ୍ତ ସମ୍ପର୍କ କାଟି ଦେବାରୁ ବ୍ୟଗ୍ର ବିରକ୍ତ ହୋଇ ଉଠେ । ମାତ୍ର ପୃଥିବୀର ଦୁଇଟି ମେରୁ ବିପରୀତରେ ଥାଇ ପରସ୍ପରକୁ ଟାଣିଲାପରି ମୁଁ ଫେର୍ ତାଙ୍କ ଆଡ଼କୁ ଟାଣି ହୋଇଯାଏ । ଟଙ୍କା ପଠାଏ । ତାଙ୍କର ଖର୍ଚ୍ଚ ମଧ୍ୟ ତୁଲାଏ ।

 

ମୋର ସମୃଦ୍ଧ ସଂସାରର ପୂର୍ଣ୍ଣତାକୁ ସେ ମତେ ଉପଭୋଗ କରାଇ ଦିଅନ୍ତି ନାହିଁ । ମୁଁ ଭଣ୍ଡାରକୁ ଯେତେ ପୂର୍ଣ୍ଣ କଲେବି ସେ ରୋଷେଇ ଘରେ ଖାଲି ହାଣ୍ଡି ଦେଖାଇ ମତେ ଛିଗୁଲାନ୍ତି–ଭଣ୍ଡାର ପୂର୍ଣ୍ଣ କଲେ କ’ଣ ହେବ ? ଚୁଲିରେ ହାଣ୍ଡି ବସିଛି–ଚାଉଳ କାହିଁ ? ମୁଁ ଯେତେବଡ଼ ଯଜ୍ଞକରି ସେଥିରେ କୃତକାମ ହୁଏ ପଛେ ସେ କହନ୍ତି–ଦେଖିଲୁ ସୁର । ଏ ନେଉଳଟି ଏଠି କାହିଁକି ଧୂଳିରେ ଗଡ଼ୁଛି ? କିରେ ନେଉଳ ? କଥା କ’ଣ ? ନେଉଳଟି ତା’ର ଅପରାଧ କାହିଁକି ସୁନା ହୋଇନାହିଁ ତା’ର କାରଣ ସ୍ୱରୂପ ମୋର ଯଜ୍ଞର ଯେଉଁ ଅପୂର୍ଣ୍ଣତା ଦେଖାଏ ସେଥିରେ ମୋର ମୁଣ୍ଡ ବୁଲାଇଯାଏ ।

 

ଶେଷରେ ମୁଁ ସ୍ଥିର କଲି–ତାଙ୍କଠାରୁ ଭିନ୍ନ ହେବି । ସମ୍ପର୍କ କାଟି ଦେବି । ଅବଶ୍ୟ ଏ ସିଦ୍ଧାନ୍ତ ମୁଁ ନେଇ ନାହିଁ । ମୁଁ ଅନୁଭବ କରୁଥିଲି–ଏବଂ ଏଇ ଅନୁଭବକୁ ମୁଁ କସ୍ମିନ୍‍କାଳେ ବାହାରେ ପ୍ରକାଶ ନ କରିଥିଲେବି ମୋର ବୁଦ୍ଧିମତୀ ସୋହାଗିନୀ ଭାର୍ଯ୍ୟା ସୁଷମା ସେତେକ ବୁଝିନେଇ ଏପରି ଏକ ସିଦ୍ଧାନ୍ତ କରିବସିଲେ । ସୁଷମା ଭଳି ଶକ୍ତି ତେଜଶାଳିନୀ ରମଣୀ କ୍ୱଚିତ୍ ଅଛନ୍ତି । ସେ ବଡ଼ଲୋକର ଝିଅ । ତାଙ୍କ ବାପା ସେକାଳର ଆଇ, ସି, ଏସ୍, ଅଫିସର ଥିଲେ । ସେ ଧନ ସମ୍ପତ୍ତି, କ୍ଷମତା ଓ ଅସମ୍ପନ୍ନ ସୁଖ ସମୃଦ୍ଧିର କଦର ବୁଝନ୍ତି, ମୂଲ୍ୟ ବୁଝନ୍ତି । ସୁଷମା ସାଧାରଣଭାବେ ସୁନ୍ଦରୀ ମାତ୍ର ତାଙ୍କର ମୋହିନୀ ଗୁଣ ଅଛି । ପୁରୁଷକୁ ବଶ କରିବା ଗୁଣ ଅଛି । ମୁଁ ନିଜେ ଯେତେ ଦୁର୍ଦ୍ଦାନ୍ତ ବୁଦ୍ଧିମାନ୍ ପୁରୁଷ ହୁଏ ପଛେ–ବୁଦ୍ଧିମତୀ ସୁଷମା ଜାଣନ୍ତି–ଏହି ଆପଣା ଭାଇର ବଶୀଭୂତ ବ୍ୟକ୍ତିଟିକୁ ରମଣୀୟଭାବେ ବଶୀଭୂତ କରିହେବ । ସେ କହନ୍ତି–ଗୁଡ଼ାଏ ଶାଖା ଡାଳପତ୍ର ଲମ୍ୱଇ ଝାମ୍ପୁରା ହୁଅ ନାହିଁ । ଯଥେଷ୍ଟ ଡେଙ୍ଗା ହୁଅ–ଗଗନସ୍ପର୍ଶୀ ଉଚ୍ଚତାର ମହିମା ଅଲଗା । ଗୋଟାଏ ମଧ୍ୟମ ଧରଣର ରେଞ୍ଜ୍ ହୁଅନା । ଗୋଟାଏ ନଭଶ୍ଚୁମ୍ୱୀ ପିକ୍ ହୁଅ । ଗାଉଁଲି ଲୋକେ ଝାମ୍ପୁରା ଗେଡ଼ା ଦିଶନ୍ତି–ଗୋଟାଏ ସାଧାରଣ ରେଞ୍ଜ୍ ଭଳି ହୁଅନ୍ତି । ସେଇଟା ଗାଉଁଲି ଆଭିଜାତ୍ୟ–ମଧ୍ୟଯୁଗୀୟ ପାରିଲାପଣିଆ । ତାହା ଛନ୍ଦାଛନ୍ଦି ନଦାନଦି ଗେଡ଼ାଳିଆ ଦିଶେ ।

 

ସୁଷମା ମୋର ଯଥାର୍ଥ ସହଧର୍ମିଣୀ । ସେ ମୋର ଘରର ଲକ୍ଷ୍ମୀସରସ୍ୱତୀ । ମୁଁ ସୁଷମାଙ୍କୁ ବାହାହେବା ପୂର୍ବରୁ ଆଉଜଣଙ୍କ ପ୍ରେମରେ ପଡ଼ିଥିଲି । ସେ ଝିଅକୁ ବ‌ାହା ହେବି ବୋଲି କଥା ଦେଇଥିଲି । ସେ ଝିଅଟି ସେହି ଆଶା ଆଉ ବିଡ଼ମ୍ୱନାରେ ଯେ ରହିଗଲା ଆଉ ଏ ଯାଏଁ ବାହା ହୋଇ ନାହିଁ–ବୁଢ଼ୀ ହେଇଗଲାଣି । ସୁଷମାର ବାପା ମୋତେ ବିଲାତ ଫଠାଇଥିଲେ । ଆଇନ୍ ବ୍ୟବସାୟ ଲାଗି ମୂଳଧନତକ ମଧ୍ୟ ଯୋଗାଇଥିଲେ । ସୁଷମା ସେ ସମ୍ୱନ୍ଧେ ବେଶ୍ ସଚେତନ । ମୋର ପୂର୍ବ ପ୍ରେମ ଓ ପ୍ରଣୟିନୀ ସମ୍ପର୍କରେ ମଧ୍ୟ ଖୁବ୍ ସଚେତନ । ପ୍ରଣୟିନୀ, ଚତୁରୀ ଓ ସତର୍କ ନ ହେଲେ ଭଲ । ମାତ୍ର ପତ୍ନୀ ସତର୍କ ଓ ଚତୁରୀ ନ ହେଲେ ଦୁଃଖର ସୀମା ରହେ ନାହିଁ । ସୁଷମା ସେହି ଭଦ୍ରମହିଳାଙ୍କ ସଙ୍ଗେ ଏପରି ଚତୁର ସମ୍ପର୍କ ଓ ବ୍ୟବହାର କଲେ–ସତେକି ବିଶେଷ କିଛି ଘଟି ନାହିଁ । ଏହା ଏକ ବିଶେଷ ଧରଣର ଘନିଷ୍ଠ ବନ୍ଧୁତ୍ୱଠାରୁ ବେଶି କିଛି ନୁହେଁ ବା ନଥିଲା । ତାଙ୍କର ଏହି କୌଶଳ କ୍ରିୟାରେ ମୁଁ ମଧ୍ୟ ପ୍ରେମ ଭୁଲିଗଲି– (ମୁଁ ତ ଆଉ ସୁର ଭାଇ ଭଳି ଭାବାଳୁ ନୁହ) ଏବଂ ସେ ଭଦ୍ରମହିଳା ମଧ୍ୟ ତାଙ୍କର ଅବିବାହିତ ରହିବାର କାରଣ ସ୍ୱରୂପ ଆଉ ମତେ ଦାୟୀ ନ କରି ଭାଗ୍ୟ ଓ ଭଗବାନ୍‍ଙ୍କୁ ଦୋଷ ଦେଇ ଲାଗିଲେ ଏବଂ ବେଳେବେଳେ ନିଜର ଅବିମୃଷ୍ୟକାରିତା ଓ ବୋକାମି ଲାଗି ଅନୁତାପ କଲେ ।

 

ସୁଷମା ମତେ ଏହି ପ୍ରକାରେ ସବୁଠାରୁ ଛିଣ୍ଡାଇ ଆଣି ନିଜ ଗଳାର ହାରରେ ପଦକଟିଏ କରି ପିନ୍ଧିଦେଲେଣି । ସେଇ ସୁଷମା ମତେ ପ୍ରବର୍ତ୍ତାଇ ବସିଲେ ଦିନେ–

 

ତୁମେ ସୁରଭାଇଙ୍କଠାରୁ ଶୀଘ୍ର ପୃଥକ୍ ହୁଅ ।

 

ମୁଁ କହିଲି–ଏକାଠି ବା କ’ଣ ଅଛୁ ? ସେ ଅଲଗା ଅଛନ୍ତି–ଆମେବି ଅଛୁ ଅଲଗା । କେବଳ ପୈତୃକ ବିଲବାଡ଼ି ସିନା ଏକାଠି ଅଛି । ତା’ ନ ହେଲେ–

 

ସୁଷମା କହିଲେ–ସେଇ ଜମିବାଡ଼ି ସବୁ ଅନର୍ଥର ମୂଳ । ଜମିରେ ଚେର ଲାଗିଥାଏ–ଜାଣିନ ? ତୁମେ ଜମିରୁ ଭଲା କେଜିଏ ଚାଉଳ ପାଅ ? ସବୁ ତ ସେଇମାନେ ଭୋଗୁଛନ୍ତି । ସେଥିରେବି ସେ ଦଳୁଆ ପରିବାରକୁ ଅଣ୍ଟୁ ନାହିଁ । ସବୁବେଳେ ଆମକୁ ଆଶା । ଜମି ଏକାଠି ଥିବାଯାଏଁ ଏ ନାଟ ଲାଗିଥିବ ।

 

ସତ କହିଲେ ମୁଁ ସୁଷମା କଥାରେ ଟିକିଏ ବିରକ୍ତ ହେଲି । ମୁଁ ସୁରଭାଇ ଉପରେ ରାଗିବି । ତାଙ୍କ ଉପରେ ସବୁ ଦୋଷ ଲଦିଦେବି । ତାଙ୍କୁ ଆଉ କିଛି ସାହାଯ୍ୟ ନ କରିବାକୁ ଧମକାଇବି । ତାଙ୍କର ସେହି ଅସତର୍କ ଭାବାଳୁ ନିଶ୍ଚିନ୍ତ ପରନିର୍ଭର ତଥାକଥିତ ଭଲ ମଣିଷପଣିଆକୁ ଈର୍ଷା କରିବି । ମାତ୍ର ଏ ମାଈକିନା ମତେ ତାଙ୍କଠାରୁ ଭିନ୍ନ କରିଦେବାକୁ କହୁଛି–ବିଚ୍ଛିନ୍ନ କରିଦେବାକୁ କହୁଛି । ତା’ କିପରି ସମ୍ଭବ ହେବ ? ଜମି ଫାଡ଼ିଦେଲେ ଆମେ ଦୁଇଭାଇ ଫାଡ଼ିହୋଇ ଯିବୁନି ? ଏ କ’ଣ ଚାକିରିଆ ବା ବ୍ୟବସାୟୀଙ୍କ କଥା ହୋଇଛି ? ଜମିରୁ ଜନ୍ମ ହୁଅନ୍ତି ଭାଇମାନେ ବ୍ୟବସାୟରୁ ଜନ୍ମନ୍ତି ପୁଅମାନେ–ଚାକିରିରୁ ଜନ୍ମ ହୁଅନ୍ତି ବନ୍ଧୁମାନେ–ଆଉ ଶତ୍ରୁମାନେ ଜନ୍ମ ହୁଅନ୍ତି ରାଜନୀତିରୁ ।

 

ସୁରଭାଇ ମତେ ପିଲାଦିନୁ ତାଙ୍କ ଭାଗରୁ ସବୁବେଳେ ବେଶି ଦେଇଆସିଛନ୍ତି । ବାପା ଆମ ଦୁହିଁଙ୍କୁ ସମାନ ଭଲ ପାଉଥିଲେ । ମାତ୍ର ମୋର କିପରି ସନ୍ଦେହ ହୁଏ–ମୁଁ ମଧ୍ୟ ଜାଣିଛି–ବାପା ପରବର୍ତ୍ତୀ କାଳରେ ବେଳେବେଳେ କାହିଁକି ସୁରଭାଇପାଇଁ କାନ୍ଦନ୍ତି – ମୁଁ ଭାବେ ସୁରଭାଇ କି ଅପରାଧ କରି ବାପାଙ୍କୁ କନ୍ଦାଉଛନ୍ତି । ଦିନେ ବାପାଙ୍କୁ ପଚାରିଦେଲି–ବାପା । ଆମେ କ’ଣ ଦୋଷ କରିଛୁ ଆପଣ କାନ୍ଦୁଛନ୍ତି ? ବାପା କହିଲେ–ବୀର ! ତୁ ପ୍ରକୃତରେ ବୀର ହେବୁ ଏ ପୃଥିବୀରେ । ଜ୍ୟୋତିଷ କହିଛନ୍ତି । ମାତ୍ର ସୁରଟା କୁଆଡ଼େ କିଛି ହେବନାହିଁ । ଖାଲି ସାଧୁପଣିଆରେ ଗରିବ ହୋଇଯିବ । ତା’ର ପରିବାର ବଢ଼ିଯିବେ । ତାକୁ କିଛି ଅଣ୍ଟିବ ନାହିଁ । ସେ ସବୁଥିରେ ହାତଦେବ–ମାତ୍ର କୋଉଥିରେ ଯଶ ପାଇବନାହିଁ । ତା’ରି କଥା ଭାବି କାନ୍ଦୁଥିଲିରେ ବାପ ।

 

କେମିତି କେଜାଣି ବାପାଙ୍କର ସେହି ବୃଦ୍ଧ ବୟସର କାନ୍ଦଣାରେ ମୁଁ ବିଚଳିତ ହୋଇପଡ଼ି ବାପାଙ୍କୁ କହିଥିଲି–ବାପା । ମୁଁ ଯଦି ଗୋଟାଏ ରାଜ୍ୟପାଏ ତେବେ ସୁରଭାଇକି ନିଶ୍ଚୟ ଅଧେ ଦେଇଦେବି । ଆପଣଙ୍କ ଆଗେ ଶପଥ କରି କହୁଛି ।

 

ବାପା ଫେର୍ କାନ୍ଦିଉଠି କହିଲେ–

 

ସେ ହତଭାଗା ସେତକ ମଧ୍ୟ ରଖିପାରିବ ନାହିଁ । ଶତ୍ରୁମାନେ ତା’ଠାରୁ ସେ ରାଜ୍ୟ ଛଡ଼େଇ ନେବେ ।

 

ମୁଁ କହିଲି–ମୁଁ ତାଙ୍କୁ ତା’ସଙ୍ଗେ ଅର୍ଦ୍ଧେକ ସୈନ୍ୟ ସାମନ୍ତବି ଦେବି–ତୁମେ ବୃଥା ଶୋଚନା କରନାହିଁ–କାନ୍ଦନାହିଁ ।

 

ବାପା ମୋ’ ମୁହଁକୁ ଚାହାନ୍ତି । ମାତ୍ର ତାଙ୍କର କାନ୍ଦ ବନ୍ଦ ହୁଏନା । ତାଙ୍କ ଚାହାଣିରୁ ମୁଁ ବୁଝେ–ସେ ମତେ ବିଶ୍ୱାସ କରୁନାହାନ୍ତି । ମୁଁ ଜାଣେ ସେ ସୁରଭାଇକି ବିଶ୍ୱାସ କରିବେ ଯେ ସାଧୁ ଭଳିଆ ହୋଇ ଭିକ ମାଗିବ । ମାତ୍ର ସେ ମୋଭଳି ପୁଅକୁ ବିଶ୍ୱାସ କରିବେ ନାହିଁ । ଯାହାକୁ ଜ୍ୟୋତିଷ କହିଛି–ଏ ପୁତ୍ର ତୁମର କଳେ ବଳେ କୌଶଳେ ଏ ପୃଥ୍ୱୀକି ସାଧିବ । ରଜା ହେବ ।

 

ମୁଁ ଭିତରେ ଭିତରେ ବିରକ୍ତ ଓ କ୍ରୁଦ୍ଧ ହୋଇଉଠେ । ସୁରଭାଇଭଳି ଏକ ଭାବାଳୁ ଅପଦାର୍ଥ ଭଲମଣିଷ ମୋର ଭାଇ ହୋଇ ଜନ୍ମିଲା କାହିଁକି ? ବାପାଙ୍କୁ କନ୍ଦାଇଲା କାହିଁକି ? ବାପାଙ୍କୁ ତାଙ୍କ ଆଡ଼କୁ ଟାଣିଲା କାହିଁକି ? ବାପାଙ୍କର ମୋଭଳି ସାମର୍ଥ୍ୟବନ୍ତ ପୁଅ ପ୍ରତି ଅବିଶ୍ୱାସ କରୁଛନ୍ତି କାହାଯୋଗୁଁ ? ବାପାଙ୍କର ଦୁଇଟି ଆଖି । ମାତ୍ର ବାପା ବର୍ତ୍ତମାନ କେବଳ ତାଙ୍କର ଶକ୍ତିହୀନ ଆଖିଟି ଉପରେଇ ଅଧିକ ସଚେତନ, ଅଧିକ ଆସ୍ଥାଶୀଳ । ବାପା ଭାବୁଛନ୍ତି–ସେଇ ଦୃଷ୍ଟିଶକ୍ତିହୀନ ଆଖିରେ ଯାହା ଦେଖାଯାଉ ନାହିଁ–ତାହାବୋଧେ ବାସ୍ତବରେ ନାହିଁ । ସେ ଆଖିରେ ନ ଦେଖିଲାଯାଏ ତାଙ୍କର ଭଲ ଆଖିଦୃଷ୍ଟି ବିଷୟଟି ବାସ୍ତବ ନୁହ–ସତ୍ୟ ନୁହ । ଏକଥା କାହାଲାଗି ଘଟିଲା ? ସୁରଭାଇ–ସୁରଭାଇ ତା’ର ସେଇ ବଦଳିଆ ଆଖି ଦୁଇଟାକୁ ମୋର ହିଂସାରେ ଫୁଟାଇ ଦେବାକୁ ଏକ ପ୍ରବେଶ ମୁଁ ଅନୁଭବ କଲି । ସତରେ ଏକା–ଏଇ ସୁରଭାଇହିଁ ମୋତେ ମୋର ବାପାଙ୍କର ବିଶ୍ୱାସଭାଜନ କରାଇ ଦେଉନାହିଁ ।

 

କ୍ରମେ ମଧ୍ୟ ମୁଁ ଲକ୍ଷ୍ୟ କଲି–ବାପା ଯହୁଁ ଯହୁଁ ବୃଦ୍ଧ ହେଉଛନ୍ତି କିପରି ଯେମିତି ସବୁ କଥାରେ ସୁର ଭାଇର ପଟ ନେଉଛନ୍ତି । ଅନ୍ୟମାନଙ୍କ ଆଗେ କଥା ପଡ଼ିଲେ କହନ୍ତି–ବୀର ସିନା ଏ ପୃଥ୍ୱୀକି ସାଧିବ ତା’ ବୁଦ୍ଧିବଳେ ତା’ ବାହୁ ବିକ୍ରମରେ–ଚକ୍ରବର୍ତ୍ତୀ ହେବ, ହେଲେ ତେମେମାନେ ଦେଖିବ ସୁର ସାଧୁ ହୋଇ ଦେଶର ମୁଖ ଉଜ୍ଜ୍ୱଳ କରିବ ।

 

ବାପାଙ୍କର ଏଇ କଥାରେ ମୁଁ ଭାରି ମନକଷ୍ଟ କରେ । କିଛିକାଳ ଲାଗି ପିତୃହୀନ ବୋଧକରେ । ସତେକି ବାପା ମତେ ସତକୁସତ କୋଳରୁ ଖସାଇ ନଦେଲେବି ମନେ ମନେ ତଳକୁ ପେଲି ଦେଇଛନ୍ତି । ମାତ୍ର ଅଦ୍ଭୁତ କଥା–ସେଇ ମନକଷ୍ଟ ଭିତରେବି ସୁରଭାଇ ପ୍ରତି ମୋର ଅନ୍ତରର କୋଉ ଅତଳ ବିତଳରେ ଗୋଟାଏ ରହସ୍ୟମୟ ସମ୍ମାନ ଓ ଭକ୍ତି ମଧ୍ୟ ଆସିଯାଏ । ହଁ ସତ କହୁଛି–ଆସିଯାଏ । ମଣିଷ ଯାହାକୁ ଈର୍ଷାକରେ ତାକୁ ଭକ୍ତିକରିବାକୁ ଭିତରେ ଭିତରେ ବାଧ୍ୟ ହୁଏ କି ? ହେଇଥିବ । କିମ୍ୱା ବାପର ଅଧିକ ସହାନୁଭୂତି ଓ ନୈତିକ ସମର୍ଥନ ପାଉଥିବା ଭାଇଟି ପ୍ରତି ଅପରଭାଇର ଈର୍ଷାବୋଧ ହେଉଛି ଅସଲରେ ଏକ ସଂଗୁପ୍ତ ପ୍ରେମଭକ୍ତିର ବିପରୀତ ବାହ୍ୟପ୍ରକାଶ ? ଭାଇର ଭଲପଣିଆକୁ ଅଧିକାର କରିବାଲାଗି କ’ଣ ଅପର ଭାଇଟି ତା’ସଙ୍ଗେ ଈର୍ଷା ଯୁଦ୍ଧ ଲଗାଏ । ହୋଇଥିବ । ତା’ ହେଲେ ସୁରଭାଇ ମୋର ସାମର୍ଥ୍ୟ ପଣକୁ ଈର୍ଷା କରେନା କେମିତି ? କରୁଥିବ ନିଶ୍ଚେ, ତା’ ନ ହେଲେ ଆଜିପର୍ଯ୍ୟନ୍ତ ମୁଁ ଯେତିକି ଯେତିକି ବୁଦ୍ଧିମାନ୍ ହୋଇଚାଲିଛି–ସେ ସେତିକି ସେତିକି ବୁଦ୍ଧିମାନ୍ଦ୍ୟ ଦେଖାଉଛନ୍ତି କିପରି ? ମୋର ଯେତିକି ଯେତିକି ସଫଳତା ହେଉଛି–ସେ ସେତିକି ସେତିକି ତାଙ୍କ ଜୀବନର ବିଫଳତା ପ୍ରଦର୍ଶନୀ କରୁଛନ୍ତି କିପରି-? ଏ କ’ଣ ତାଙ୍କର ମୋପ୍ରତି ତାଙ୍କ ଅଜାଣତରେ ଏକ ଈର୍ଷା-ସଂଯାତ୍ ଷଡ଼ଯନ୍ତ୍ର ନୁହେଁ ? ନ ହୋଇପାରେ ?

 

ବାରମ୍ୱାର ବାପା ସେଇ ଗୋଟିଏ କଥା କହନ୍ତି–ସୁରଭାଇ ତାଙ୍କର ଗୁଣତକ ନେଇଛି । ମୁଁ ଜାଣେ–ସୁରଭାଇ ଧଳାକୁ କଳା ବୋଲି ପ୍ରମାଣ କରିପାରିବ ନାହିଁ । ଏହା ତା’ର ଗୁଣ ନୁହ ଏହା ତା’ର ସ୍ୱଭାବ ମାତ୍ର । ମାତ୍ର ମୋର ସ୍ୱଭାବ କ’ଣ ଧଳାକୁ କଳା ବୋଲି ପ୍ରମାଣ କରିବା ? ଜମା ନୁହ । ମୁଁ ମଧ୍ୟ ପିତୃଗୁଣକୁ ବୁଝିଛି । ମୁଁ ମଧ୍ୟ ସତ୍ୟକୁ ବୁଝିଛି । ମୁଁ ଆଦୌ ପିତୃଗୁଣର ବିରୋଧୀ ନୁହେଁ । ମାତ୍ର ମୁଁ ମୋର ସ୍ୱତନ୍ତ୍ର ଗୁଣ ବିକାଶିଛି । ଏହା ମୋର ସ୍ୱଗୁଣ-ଅର୍ଜିତ ଗୁଣ-ସାଧିତଗୁଣ-ଯାହା ଧଳାକୁ କଳାରେ ପରିଣତ କରିଦେଇ ପାରେ ଓ ତା’ ବଳରେ ସଂସାରରେ ସଫଳତା ଅର୍ଜନ କରିପାରେ । ମଣିଷର ପ୍ରାକ୍ତନ ସଂସ୍କାରଗ୍ରସ୍ତ ସ୍ୱଭାବ ବଡ଼କଥା ନୁହ ଯାହା ଯେ ପିତୃ ପ୍ରସାଦରୁ ଲାଭ କରିଥାଏ । ମଣିଷର ସ୍ୱପାର୍ଜିତ ବିକଶିତ ଗୁଣଇ ବଡ଼କଥା । ପଶୁଭଳି ମଣିଷ କେବଳ ସ୍ୱଭାବୀ ନୁହ ।

 

ବାପାଙ୍କ ଯୋଗୁଁ ତେଣୁ ମୁଁ ସୁରଭାଇଙ୍କୁ ଈର୍ଷା କରେ । ତାଙ୍କୁ ଭୟ ମଧ୍ୟ କରେ । ବାପା କହୁଛନ୍ତି–ସୁରଭାଇ ସାଧୁ, ସୁର ଭାଇ ତାଙ୍କର ସବୁ ଗୁଣ ଆଣିଛନ୍ତି । ଦିନେ ଦେଖିଲି...ବାପା ତାଙ୍କର ବାକ୍‍ସ ଫିଟାଇ ମାଆର ଅଳଙ୍କାରତକ ପ୍ରାୟ ଶହେଭରି–ସବୁ ସୁରଭାଇଙ୍କୁ ଦେଇଦେଲେ-। ମତେ କେବଳ ଦେଲେ ଗୋଟାଏ ସୁନା ତାବିଜ ଲଗା ସୁନାହାର । କହିଲେ– ବୀର-। ତୁ ଏଇଟା ନେ’ ଏ ତାବିଜ ମୁଁ ତୋରିପାଇଁ ଗଢ଼ି ରଖିଥିଲି । ଏହା ରିଷ୍ଟଖଣ୍ଡନକାରୀ । ଏଟାକୁ ଆଉ କାହାକୁ ଦେବୁ ନାହିଁ–ଦେଲେ ଦେବୁ ତୋ’ ପୁଅକୁ । ମୋର ତ ଆଉ ବେଶି ଦିନ ନାହିଁ-। ମୁଁ ଚାଲିଲି ରାମକୃଷ୍ଣ ମିଶନ ।

 

ମୋର ଅଭିମାନ ହେଲା–ମୁଁ କହିଲି–ଏଇଟା ମଧ୍ୟ ସୁର ଭାଇକି ଦେଇ ଦେଉନ କାହିଁକି-?

 

ପୁଅର ଅଭିମାନ ଯେତେ ଗୁପ୍ତହେଲେବି ବାପ ବୁଝି ନିଏ । ବାପା କହିଲେ–ତୁ ସୁରକୁ ଈର୍ଷା କରୁଛୁ କି ? ମୁଁ ଜାଣେ–ସୁରର କିଛି ରିଷ୍ଟ ନାହିଁ ।

 

କାହିଁକି ? ମୁଁ କ୍ରୋଧ ଓ ଈର୍ଷାରେ ଫାଟିପଡ଼ିଲି ।

 

ସେ ଅସତ୍ ପଥରେ ଯିବ ନାହିଁ । ବକ୍ରଗତି କରିବ ନାହିଁ । ଫକିର ହେବ । ଫକିରଙ୍କର ରିଷ୍ଟ ନ ଥାଏ । ତୁ କିନ୍ତୁ ଅମିର ହେବୁ ବୀର ! ତୋତେ ବହୁ ବକ୍ର ପଥର ଗତି କରିବାକୁ ପଡ଼ିବ । ତେଣୁ ତୋ’ ଜୀବନରେ ବହୁ ବିପଦ ବହୁ ରିଷ୍ଟ । କେବଳ ଜ୍ୟୋତିଷ ନୁହ–ଜଣେ ବିଚକ୍ଷଣ ସାଧୁ ମତେ ଏକଥା କହିଅଛନ୍ତି ।

 

ମୁଁ ବାପାଙ୍କ କଥାରେ ଭୀଷଣ ଅଶ୍ୱସ୍ତି ବୋଧ କଲି । ମାତ୍ର ରିଷ୍ଟଖଣ୍ଡନକାରୀ ତାବିଜ ଦିଆ ହାରଟି ବାପାଙ୍କ ହାତରୁ ନେଇ ବେକରେ ଗଳାଇ ବାପାଙ୍କ ପାଦ ଛୁଇଁ ପ୍ରଣାମ କଲି । ସେଇଠୁ ବାପାଙ୍କୁ କୁଣ୍ଢେଇ ଧରି ପିଲାଙ୍କ ପରି ଭେଁ ଭେଁ କାନ୍ଦିଲି । ବାପା ସାନ ପୁଅକୁ ଗେଲ କଲା ପରି କହିଲେ ତୋ’ ଉପରେ ବହୁ ଜଞ୍ଜାଳ ପଡ଼ିବରେ ବାବୁ । ତୋ ବୁଦ୍ଧି ଆଉ ବଳ ଯେମିତି ପ୍ରବଳ ହେବ ଜଞ୍ଜାଳ ମଧ୍ୟ ସେମିତି ପ୍ରବଳ ହେବ । ମାତ୍ର ତୁ ହାରିଯିବୁ ନାହିଁ–ଏକଥା ଧ୍ରୁବ ।...ତା’ପରେ ବାପା ଟିକିଏ କାନ୍ଦି ଉଠିଲେ–କହିଲେ–

 

ହେଲେ ବୀର । ସୁରଠାରୁ ଭିନ୍ନ ହେବୁ ନାହିଁ । ସୁରଠାରୁ ଭିନ୍ନ ହେଲେ ତୋ’ଠାରୁ ଧର୍ମ ଛାଡ଼ିଯିବ । ଧର୍ମ ଛାଡ଼ିଲେ ଶିରୀ ତୁଟିଯିବ । ଶିରୀ ତୁଟିଗଲେ ସସାଗରାଧରା ତୋ’ ହାତରୁ ଖସିଯିବ ଗଡ଼ିଶା ମାଛଟିଏ ଭଳି ।

 

ସୁରଭାଇ ସେଠି ଠିଆ ହୋଇଥିଲେ । ସେ କହିଲେ–ବାପା । ବୀରକୁ ଆପଣ ସେପରି କହନ୍ତୁ ନାହିଁ । ସେ ମୋଠାରୁ ପୃଥକ୍ ହୋଇ ପାରେନା । ସେ ମତେ କୁଆଡ଼ୁ ଛାଡ଼ି ପାରିବ ? ମୁଁ ତାକୁ ଛାଡ଼ିଲେ ତ !

 

ବାପାଙ୍କ ଆଗରେ ବଡ଼ ହୋଇଯାଇଥିବା ଭାଇମାନଙ୍କର ବିବାଦ ତିଷ୍ଠି ପାରେ ନାହିଁ । ଦୁଇଟି ହୃଦୟର ନିମ୍ନଭୂମିକୁ ଅଭାବ ଥାନକୁ ଖାଲ ଗହୀରକୁ ଆକାଶସ୍ପର୍ଶୀ ପିତୃହୃଦୟ ନିସୃତ ବାତ୍ସଲ୍ୟାମୃତର ଝରଣା ଖଳ ଖଳ ହୋଇ ବହିଆସି ପୂର୍ଣ୍ଣ କରିଦିଏ–ସମାନ କରିଦିଏ । ମୁଁ ସୁରଭାଇଙ୍କ ପାଦ ଧରିବାକୁ ଯାଉଥିଲି । ସେ ମୋତେ କୁଣ୍ଢାଇ ଧରିଲେ । ତାଙ୍କ ଆଲିଙ୍ଗନ କୁହୁକ ଭଳି–ଏହା ମୋର ବଳ ଲୋପ କରିଦେଲା–ବୁଦ୍ଧି ଲୋପ କରିଦେଲା । ଏ ବାପା ନା ସୁରଭାଇ । ମୁଁ କେମିତି ତାଙ୍କ ଆଲିଙ୍ଗନ ଭିତରେ ଛୋଟ ହୋଇଗଲି–ଲଜ୍ଜିତ ହୋଇଗଲି । ସେଇଠୁ ସଙ୍ଗେ ସଙ୍ଗେ ତାଙ୍କ ପ୍ରତି ମୋର ଈର୍ଷା ଆଉ ଅସହିଷ୍ଣୁତା ବଢ଼ିଗଲା । ମୁଁ ତାଙ୍କ ଆଲିଙ୍ଗନରୁ ମୁକ୍ତ ହୋଇ ସେ ସ୍ଥାନ ତ୍ୟାଗ କରି ଆସିଲି ଭାରି । ସେ ସ୍ଥାନରୁ ଚାଲିଆସିଲାବେଳେ କିଏ ଯେପରି ମୋ ଭିତରେ ଚିତ୍କାର ଛାଡ଼ୁଥାଏ–ତୁ ସୁରଭାଇଠାରୁ ପୃଥକ୍ ହୋଇପାରିବୁ ନାହିଁ । ତୁ ଇମିତି ଜୀବନଯାକ ସୁରଭାଇ ପ୍ରତି ଈର୍ଷାନ୍ୱିତ ହେଉଥିବୁ–ବିରକ୍ତ ହେଉଥିବୁ–ଏବଂ ସୁରଭାଇର ଖାପଚରେ ପଡ଼ିଥିବୁ । ତୋର ବହୁ ରିଷ୍ଟ–ତୋର ଗତିପଥ ବକ୍ର...ତା’ ସଙ୍ଗେ ସଙ୍ଗେ ମୁଁ ଭାବୁଥିଲି–ସୁରଭାଇ ମଧ୍ୟ ମତେ କେବେ ଛାଡ଼ିବ ନାହିଁ । ସେ ଭଲମଣିଷ–ତା’ର ଗତିପଥ ସରଳ–ତା’ର କିଛି ରିଷ୍ଟ ନାହିଁ...

 

–ଅଥଚ

 

ଆଜି ସୁଷମା ଜିଦ୍ ଧରୁଛି–ସୁରଭାଇଠାରୁ ସମ୍ପର୍କ ଛିନ୍ନ କର । ଜମି ଭାଗ କଲେଇ ତୁମେ ଦୁହେଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପାରିବ ।

 

କାହିଁକି ? କିପରି ?

 

କାହିଁକି ? ସୁଷମା ତା’ର ଜ୍ୱାଳାମୟୀ ଆଖିରୁ ଅଗ୍ନି ଝରାଇ କହିଲା–କାହିଁକି କ’ଣ ? ତୁମେ କ’ଣ ବୁଝିପାରୁନା ଯେ ତୁମର ବଡ଼ଭାଇ କେମିତି ତୁମକୁ ଆଜିପର୍ଯ୍ୟନ୍ତ ଆବୋରି ବସିଛନ୍ତି ? ଭାଇ ପ୍ରତି ତୁମର ମୋହ ମୋଠାରୁବି ଅଧିକ ବୋଲି ମୁଁ ଆଶଙ୍କା କରେ ।

 

ଏ ତୁମର ବୃଥା ଆଶଙ୍କା । ତୁମେ କ’ଣ ବୁଝି ପାରନା ଯେ ମୁଁ ସୁରଭାଇଙ୍କ ଉପରେ କେତେ ବିରକ୍ତ ହୁଏ । ତାଙ୍କର ଚାଲିଚଳନ ବ୍ୟବହାର ଜୀବନଦର୍ଶନ ଉପରେ ମୁଁ କେତେ କ୍ରୁଦ୍ଧହୋଇ ଉଠେ ।

 

ସୁଷମା ମୋର ଅବଚେତନ ପର୍ଯ୍ୟନ୍ତ ତା’ର ସଙ୍କିତ, ସତର୍କ ଓ ସଂଶୟର ଫୋକ୍‍ସ ପକାଇ କହିଲା–ମିଛକଥା । ତୁମର ସବୁ ବିରକ୍ତି, ଘୃଣା ବା କ୍ରୋଧ ମଧ୍ୟ ତୁମର ଭ୍ରାତୃମୋହ । ତୁମେ ଭାଇଙ୍କ ଆଗରେ କେତେ ନିର୍ବଳ ତା’ କ’ଣ ମତେ ଜଣାନାହିଁ ?

 

ମୁଁ କହିଲି–ସୁଷମା । ମୁଁ ତୁମ ଆଗରେ ମଧ୍ୟ ନିର୍ବଳ ବୋଧ କରେ । ଏ କଥା କ’ଣ ତୁମକୁ ଜଣା ନାହିଁ ?

 

ସୁଷମା କହିଲା ଜଣା ଅଛି । ତେଣୁ ତ କହୁଛି–ଦୁଇଟା ଏକ ପ୍ରକାରର ମୋହ ଏକତ୍ର ରହିପାରେନା । ହୁଏତ ମୋ ସଙ୍ଗେ ବା ଭାଇଙ୍କ ସଙ୍ଗେ ତୁମକୁ ଗୋଟାଏ ରଫା କରିବାକୁ ପଡ଼ିବ । ଏବେ କୁହ ତୁମେ ଭାଇଙ୍କ ଜମି ଭାଗ କରି ଆଣିବ କି ନାହିଁ ?

 

ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ କହିଲି–ଏ କଥା ନ ହୋଇ ଯଦି ଅନ୍ୟପ୍ରକାରେ କିଛି ସମାଧାନ ହୋଇପାରନ୍ତା ତେବେ ମୁଁ ସୁଖୀ ହୁଅନ୍ତି ।

 

ସୁଷମା ଏତିକି ଶୁଣୁ ଶୁଣୁ ସେଠୁ ଉଠିଗଲା । ତା’ର ଆଉ ବାକ୍ୟବ୍ୟୟ କରିବାକୁ ଇଚ୍ଛା ନଥିଲା । ସେ ତା’ର ସିଦ୍ଧାନ୍ତରେ ସ୍ଥିର । ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଯେ ବସିଛି ସେ ତା’ର ବାଟ ଖୋଜୁ ମାତ୍ର ଆଉ ବାଟ ନାହିଁ ।

 

ଅଗତ୍ୟା–

 

ସେଇକଥା ମୁଁ ସୁରଭାଇଙ୍କୁ ଜଣାଇଦେଲି । ଖୁବ୍ ସିଦ୍ଧାନ୍ତ ଓ ସ୍ପଷ୍ଟତା ଦେଇ କୋମଳ ଭାଷାରେ ମୁଁ ପତ୍ରଟି ଲେଖିଲି । ସେଥିରେ ମଧ୍ୟ ଜଣାଇଦେଲି ଯେ ସୁଷମା ମଧ୍ୟ ଏଥିପାଇଁ ଜିଦ୍ ଧରୁଛି । ଚିଠିଟିକୁ ଖୁବ୍ ବାଗେଇକରି ନାନାଦି ଆଳ, ଛଳ ଓ ନାନା କାରଣ ଦର୍ଶାଇ ଚିଠିଟି ଲେଖି ପକାଇ ଦେଲି । ସେଥିରେ ଲେଖିଦେଲି–ଶୀଘ୍ର ଉତ୍ତର ଦେବେ ।

 

ଠିକ୍ ସପ୍ତାହକ ପରେ ଉତ୍ତର ପାଇଲି ସୁରଭାଇଙ୍କର । ଚିଠିଟି ଖୁବ୍ କୋମଳ ଥିଲା । ମାତ୍ର ସେଥିରେବି ସେହି ଅଯଥା ଭଲ ମଣିଷପଣିଆର ଏକ ଶାନ୍ତ ସୁସ୍ଥୀ ଦେଖି ମୁଁ ବିବ୍ରତ ବୋଧକଲି । ସେ ଲେଖିଛନ୍ତି–

 

ଆୟୁଷ୍ମାନ ବୀର,

 

ସାନବୋହୂ ଯଦି ଜମି ଭାଗ କରିଦେବାକୁ ବସିଛନ୍ତି–ନିଶ୍ଚୟ ବହୁ ଭାବିଚିନ୍ତି କରିଥିବେ । ସେ ବୁଦ୍ଧିମତୀ । ପ୍ରକୃତରେ ଆଜିକାଲି ସମୟ ଯେମିତି ହେଲାଣି–ତା’ଛଡ଼ା ତୁ ମଧ୍ୟ ଜମିବାଡ଼ିର ଦାୟିତ୍ୱ ମୋ ଉପରେ ପକାଇଦେଇ ଗ୍ରାମସଙ୍ଗେ ସମ୍ପର୍କ ରଖୁନାହୁଁ । ଜମି ଆଳରେ ଅନ୍ତତଃ ତୋତେ ଏଣିକି ଗ୍ରାମକୁ ଆସିବାକୁ ପଡ଼ିବ । ତା’ ଫଳରେ ଗ୍ରାମବାସୀମାନଙ୍କ ସହିତ ଓ ସେମାନଙ୍କର ସୁଖ ଦୁଃଖ ଓ ସମସ୍ୟାଦି ସହିତବି ତୋର ପରିଚୟ ହେବ । ସେଇ ସୂତ୍ରରେ ତୁ ସେମାନଙ୍କର କିଛି ଉପକାର ମଧ୍ୟ କରିପାରୁ । ତେବେ ଜମି ବଣ୍ଟୁଆରା ପରେ ତୁ କାହାଦ୍ୱାରା ଓ କିପରି ଜମି ଚାଷ କରିବୁ ତା’ର ପରିକଳ୍ପନା ଆଗ ସାନବୋହୂଙ୍କ ସଙ୍ଗେ ବିଚାର କରି ମୋତେ ଶୀଘ୍ର ଜଣା । ତୋ ଭାଉଜ ଓ ପିଲାମାନେ ଏଠାରେ ଭଲ ଅଛନ୍ତି । ସବା ସାନଝିଅ ଲୀତା ଖୁବ୍ ଭଲ ପଢ଼ୁଛି । ତା’ ଉପରଟା ସଣ୍ଟୁ ମଧ୍ୟ ଏଥର ବୃତ୍ତି ପାରିପାରେ । ମୁଁ ସେମାନଙ୍କୁ ଆଉ ଏଠି ରଖି ପାରିବି ନାହିଁ । ମୋର ଇଚ୍ଛା–ତୁ ସେମାନଙ୍କୁ ନେଇ ପାଖରେ ରଖ । ତୋ ଘର ତ ଆଉ ଛୋଟପିଲା ନାହାନ୍ତି । ଆୟୁଷ୍ମାନବାବୁ ରାଜେନ୍ଦ୍ର ତ ବନାରସ ଗଲା ଲେଖିଥିଲୁ । ମାଳବିକାର ମେଡ଼ିକାଲରେ ସିଟ୍ ହୋଇଗଲା ପରା ? ଈଶ୍ୱର ସେମାନଙ୍କୁ ସହାୟ ହୁଅନ୍ତୁ । ବର୍ତ୍ତମାନ ପିଲାମାନଙ୍କୁ ଛାଡ଼ି ତୁମେ ଏକୁଟିଆ ରହିବା ଠିକ୍ ନୁହେଁ । ତେଣୁ ସଣ୍ଟୁ ଓ ଲିତାଙ୍କୁ ପଠାଇ ଦେବାକୁ ମନସ୍ଥ କରିଛି । ଏ ସମ୍ୱନ୍ଧେ ତୁରନ୍ତ ଲେଖିବୁ ।

 

ଚିଠି ପଢ଼ି ମୁଁ ନିଆଁ ହୋଇଗଲି । ଏ କି ଅଦ୍ଭୁତ ଲୋକ । ପ୍ରସ୍ତାବଟା କ’ଣ ଏତେ ସହଜ, ଏପରି ଗ୍ରହଣ କରିଯିବା କଥା ? ମୁଁ ଭାବିଥିଲି ପ୍ରତିବାଦ କରିବେ । ପୁଣି ଭାଇବୋହୂକୁ ପ୍ରଶଂସା କରି କେମିତି ଲେଖା ହୋଇଛି ଦେଖ । ଆଚ୍ଛା–ଜମି ଭାଗବଣ୍ଟା ପରେ...ପୁଣି ତାଙ୍କର ଦୁଇ ପିଲାଙ୍କୁ ଏଠିକି ଆଣିବା ପ୍ରସ୍ତାବ କ’ଣ ? ସୁରଭାଇଙ୍କର ବୁଦ୍ଧିବୃତ୍ତି ଅଛି ? ନା–ଏ ସବୁ ଏକ ଗୁପ୍ତ ବୁଦ୍ଧିବୃତ୍ତିର ହିସାବୀ ଚାଲ୍ ?

 

ସୁଷମା କହିଲା–ଅସଲ କଥା ସେଇଆ । ତୁମେ ତାଙ୍କୁ ଯେତେ ଭଲବୋଲି ଭାବ ସେ ତାହା ନୁହନ୍ତି । ସେ ନିଜେ ଖୁବ୍ ସ୍ୱାର୍ଥପର ଓ ଦାୟିତ୍ୱହୀନ । ମାତ୍ର ତୁମ ଉପରେ ଭାର ପକାଇଦେଇ ନିଶ୍ଚିତଭାବେ ସାଧପଣିଆ ଦେଖାଇଦେବା ଲାଗି ତାଙ୍କର ବୁଦ୍ଧି ବିଚିତ୍ରଭାବେ କାର୍ଯ୍ୟ କରେ । ଏଇ କୌଶଳରେ ବାପାଙ୍କ ଆଖିରେ ଆଉ ତୁମ ଆଖିରେ ଧୂଳି ପକାଇ ସରଳ ଭଲ ମଣିଷର ମୁଖା ପିନ୍ଧି ସେ ନିର୍ଦ୍ୱନ୍ଦ୍ୱରେ ଆଜି ପର୍ଯ୍ୟନ୍ତ ବସି ଯାଇଛନ୍ତି । ଗାଁ ଯାକ ସମସ୍ତେ ତାଙ୍କୁ କହନ୍ତି ପୁଣି ଦେବତା ମଣିଷ । ଆଉ ତୁମଙ୍କୁ କ’ଣ କହନ୍ତି ଗାଁବାଲା ଜାଣ ? ତୁମର ଏ ବୁଦ୍ଧିବଳ, ଏ କୋଠା, ଏ ମଟର, ଏ ଖ୍ୟାତି, ଏ ପ୍ରତିଷ୍ଠା ସବୁ କୁଆଡ଼େ ତୁମ ଖରାପ ମଣିଷ ପଣିଆରୁ ଅର୍ଜନ ହୋଇଛି । ଅସଲରେ ତୁମରି ଭାଇହିଁ ଗ୍ରାମରେ ତୁମର ଏଇ ଦୁର୍ନାମ ସୃଷ୍ଟିର ମୂଳରେ । ସେ ପିଲାଦିନେ ତୁମକୁ ରସଗୋଲା ଦାନ କରୁଥିଲେ–ବର୍ତ୍ତମାନ ଦାୟିତ୍ୱ ଦାନ କରୁଛନ୍ତି–ଆଉ ସେଇ ମଉକାରେବି କିଛି ଅପଖ୍ୟାତି । ମୁଁ ମୋ ଜମି ଭାଗ ସବୁ ତାଙ୍କଠାରୁ ନେଇ ଆସିବି ଓ ବିକିଦେବି ନାମମାତ୍ର ମୂଲରେ ସେହି ଭାଗଚାଷୀ ମାନଙ୍କୁ । ଦେଖିବି–ସେ କେମିତି ଭଲଲୋକ ।

 

ମୋତେ ସୁଷମାର ଏ ଅଭିମତ ବଡ଼ ନିଷ୍ଠୁର ଆଉ ଅସହିଷ୍ଣୁ ବୋଧହେଲା । ସୁରଭାଇ ଏତେଦୂର ଚଲାଖ ଚତୁର ଏହା ମୁଁ କଦାପି ମାନିବି ନାହିଁ । ଚତୁର ହୋଇଥିଲେ ସେ ତାଙ୍କର ଜେଲ୍ ଯୋଗ୍ୟତାର ପୁରସ୍କାର ଆଦାୟ କରି ନ ଥାନ୍ତେ ? ଏତେ ପିଲା ଜନ୍ମ କରାଇଥାନ୍ତେ ? ଜମି ଭାଗ କରିବା ବ୍ୟାପାରରେ ଏତେ ସହଜରେ ରାଜିହୋଇଥାନ୍ତେ ? ପୁଣି ବାପା ଥାଉଁ ଥାଉଁ ? ଜମି ପୃଥକ୍ କଲେ ସେଇ ବର୍ତ୍ତମାନ ଅସୁବିଧାରେ ପଡ଼ିବେ ନା ଆଉ କିଏ ? ଚଳିବେ କେମିତି ?

 

ସୁଷମା କହିଲା–ତାଙ୍କର ଆଉ ବର୍ତ୍ତମାନ ଅସୁବିଧା କ’ଣ ? ସବୁ ପିଲାଙ୍କୁ ତ ତାଙ୍କର ଆମେ ମଣିଷ କଲେ । ଶେଷରେ ସବା ସାନ ଦୁଇଟାକୁବି ସେ ଆମ ଉପରେ ଲଦିଦେଇ ନିଶ୍ଚିନ୍ତରେ ସାଧୁ ପୁରୁଷ ହୋଇ ବସିବାକୁ ଭାବିଛନ୍ତି । କମ୍ ଧୂର୍ତ୍ତତା ?

 

ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ସୁଷମାର ତେଜ ଗତ ବାଇଶିବର୍ଷ ଧରି ମୁଁ ବେଶ୍ ସହ୍ୟକରି ଆସିଛି । ନାଁ ଭୁଲ୍ କହିଲି । ସେ ତେଜବତୀ ନାରୀ । ତା’ର ତେଜ ମୁଁ ସ୍ୱାମୀ ହିସାବରେ ବେଶ୍ ଆଜି ପର୍ଯ୍ୟନ୍ତ ଉପଭୋଗ କରିଆସିଛି । ତା’ର ମୋ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି । ଆମେ ଉଭୟଙ୍କର ଅଧିକାରକୁ ଉଭୟେ ସ୍ୱୀକାର କରିଛୁ । ମାତ୍ର ସୁରଭାଇଙ୍କ ଉପରେ ତା’ର ଏଇ କୁତ୍ସିତ ମନ୍ତବ୍ୟ ତାହା ପୁଣି ମୋ ଆଗରେ ଏହା ତା’ର ସୀମାତିକ୍ରମ । ମୁଁ ଖୁବ୍ ଜୋର୍ ଗଳାରେ କହିଲି ସୁଷମା । ଚୁପ୍‍କର କହୁଛି ।

 

ମୋର ଆଖି ଜଳୁଥିଲା । ମୋର କଣ୍ଠ ମେଘ ଗର୍ଜନ ଭଳି ଗମ୍ଭୀର ଥିଲା । ସୁଷମା ପ୍ରଥମେ ଚମକି ପଡ଼ିଲା । ଘାବରେଇଗଲା । ଏଇ ବାଇଶିବର୍ଷ ମଧ୍ୟରେ ମୁଁ ପ୍ରଥମେ ଏଇ ତାକୁ ନାଲିଆଖି ଦେଖାଇଲି । ପୁରୁଷ ବାକ୍ୟ କହିଲି । ସେ ମୋ ମୁହଁକୁ ବଡ଼ ବିଚିତ୍ର ଢଙ୍ଗରେ ଚାହିଁଲା, ଯେପରି ତେଜବତୀ ରମଣୀମାନେ ଚାହାନ୍ତି । ତା’ପରେ ଖୁବ୍ ସ୍ଥିର ଗଳାରେ କହିଲା–ଯେପରି ମନସ୍ୱୀନୀ ରମଣୀମାନେ କହନ୍ତି–

 

ରାଗି ଯାଉଛି କାହିଁକି ? ରାଗିଗଲେ ତୁମେ ମଧ୍ୟ ମୋ ଭଳି ସୀମା ଲଙ୍ଘନ କରିଯିବ–ଜାଣିଛ ?

 

ମୁଁ କହିଲି–ତୁମେ ଯଥା ସ୍ଥାନରେ ଠିଆହୁଅ । ମାତ୍ର ସୁରଭାଇ ଆଉ ମୋ ଭିତରେ ଠିଆ ହେଉଛ କାହିଁକି ? ତୁମେ ଯାହା କିଛି ଭାର୍ଯ୍ୟାସୁଲଭ ସିଦ୍ଧାନ୍ତ ନେଇପାର । ମାତ୍ର ଜାଣ ସୁରଭାଇ ଆଉ ମୋ ଭିତରେ ଏକାତ୍ମବନ୍ଧନକୁ ତୁମେ କଦାପି କାଟି ପାରିବ ନାହିଁ । ସେ ଅନଧିକାର ଚର୍ଚ୍ଚା କରୁଛ କାହିଁକି, ତୁମେ ଜମି ଭାଗ କରିନିଅ–ମାତ୍ର ଭାଇଙ୍କୁ ପୃଥକ୍ କରିବାକୁ ଚେଷ୍ଟା କରୁଛ କାହିଁକି-? ତୁମେ ମନେରଖ ମୁଁ ଯଦି ସୁରଭାଇକୁ ହରାଏ ତେବେ ତୁମେ ମଧ୍ୟ ମୋତେ ହରାଇବ । ସୁରଭାଇ ସଙ୍ଗେ ବନ୍ଧନ କଟିଗଲେ ମୋର ପୃଥିବୀ ସଙ୍ଗେ ମଧ୍ୟ ବନ୍ଧନ କଟିଯାଇ ପାରେ ।

 

ସୁଷମା ଚୁପ୍ ହୋଇଗଲା । ସେ ମୁଖରା ବାକ୍ୟ-ବାଣ ପ୍ରୟୋଗ ନିପୁଣା । ମାତ୍ର ସେଦିନ ସେତିକି କଥାରେ ସେ ଯେମିତି ଗମ୍ଭୀର ଓ ନୀରବ ରହିଲା ସେଥିରେ ମୁଁ ମଧ୍ୟ କିଞ୍ଚିତ୍ ବିବ୍ରତତା ଅନୁଭବ କଲି ।

 

ସୁଷମାକୁ ଅପମାନିତ କରିବା ମୋ ପକ୍ଷରେ ଉଚିତ ନଥିଲା । ସୁଷମାକୁ ଏପରି ମୋ ଆଗରେ ମଳିନ କରିଦେଇ ମୁଁ ମୋର ବ୍ୟକ୍ତିତ୍ୱକୁ ମଧ୍ୟ ମଳିନ କରିଦେଲି ବୋଲି ବୋଧକଲି । ସୁଷମା ସତେକି ମୋର ତେଜ । ମୋର ଶକ୍ତି । କିନ୍ତୁ କ’ଣ ଆଉ କରାଯାଏ । ପତ୍ନୀ ଯେତେ ନିକଟତମ ହେଲେବି ଯେତେ ଅଙ୍ଗାଙ୍ଗୀ ଓ ଆତ୍ମୀୟା ହେଲେବି ମଝିରେ ଥାଏ ଗୋଟାଏ ଅଦୃଶ୍ୟ ସୂକ୍ଷ୍ମ ବ୍ୟବଧାନ । ସେପରି ବ୍ୟବଧାନ ରହିବା ନିତାନ୍ତ ଉଚିତ । ଏହି ମଧ୍ୟବର୍ତ୍ତୀ ଅଦୃଶ୍ୟ ଭିତରେ ଦୁଇପକ୍ଷ ମୁକ୍ତବାୟୁ ସେବନ କରନ୍ତି । ମୁକ୍ତିର ସ୍ୱାଦ ଚାଖନ୍ତି । ଦୁଇପକ୍ଷ ସ୍ୱାଧୀନଭାବେ ଠିଆ ହୋଇ ଦୁଇପକ୍ଷକୁ କଳନ୍ତି–ବୁଝନ୍ତି ଓ ଉପଭୋଗ କରନ୍ତି । ସେହି ଅଦୃଶ୍ୟ ବ୍ୟବଧାନତକ ମଧ୍ୟରେ ଦୁଇପକ୍ଷର ବହୁ ଏକାନ୍ତ ବ୍ୟକ୍ତିଗତ ଓ ଏକାନ୍ତ ଗୋପନୀୟ ଭାବ ଭାବୁସୀର ବିଳାସ ରଙ୍ଗମଞ୍ଚ । ମାତ୍ର ସୁଷମା କ’ଣ ସତକୁ ସତ ସେହି ବ୍ୟବଧାନ ଟିକକ ଉପରେ ଜବର ଦଖଲ କରି ବସିଲା ।

 

ପ୍ରଶ୍ନଟି ବଡ଼ ଜଟିଳ । ମୋର ଆଶଙ୍କା ହେଲା–ସୁଷମାକୁ ହରାଇ ବସିଲେ ମୁଁ ସୁରଭାଇଙ୍କି ମଧ୍ୟ ହରାଇ ପାରେ । କାରଣ ସୀତାଙ୍କୁ ହରାଇ ବସିଲେ–ଲକ୍ଷ୍ମଣ ବା ରହିବେ କିପରି-? ମୁଁ ମହାସଙ୍କଟରେ ପଡ଼ିଗଲି । କିଛି କୁଳକିନାରା ପାଇଲିନାହିଁ । ଏ ବିଷୟରେ ମୋତେ ବା କିଏ ଆଉ ପରାମର୍ଶ ଦେଇପାରିବ ବର୍ତ୍ତମାନ ? ମୁଁ ଜଣିସାରିଛି ଯେ କଳହଟା ଜମି ଲାଗି ବା ଅର୍ଥ ଲାଗି ନୁହେଁ । କଳହର ଅସଲ ମୂଳ ରହିଛି ପ୍ରଣୟୀର ଦାବି ଉପରେ । ଏଥିରେ କିଏ ଜିତିବ-? ସୁର ଭାଇ ନା ସୁଷମା ? ଅବଶ୍ୟ–ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ବିଚାର କଲେ ସୁରଭାଇଙ୍କର ଏସବୁ ବ୍ୟାପାରରେ କିଛି ଯାଏଁ ଆସେ ନାହିଁ । ସୁରଭାଇ ତାଙ୍କ ଭିତରେ ଖୁବ୍ ନିଶ୍ଚିନ୍ତ ଯେ ମୁଁ ତାଙ୍କୁ ଛାଡ଼ି ଦେଲେବି ସେ ମୋତେ କୌଣସି ପ୍ରକାରେ ଛାଡ଼ିବେ ନାହିଁ । ଏହି ବ୍ୟାପାରରେ ସେ ମୋର କ୍ରିୟା ପ୍ରତିକ୍ରିୟାକୁ ଖାତିରି କରନ୍ତି ନାହିଁ । ତାଙ୍କର ମୋତେ ହରାଇବାର ଭୟ ନାହିଁ । ଆଚ୍ଛା–ଯୋଉଠି ହରାଇବାର ଭୟ ନାହିଁ, ସେଠି କ’ଣ ଯାବୁଡ଼ି ଧରିବାର ଆବେଗାତ୍ମକ ନିଷ୍ଠା ବିଦ୍ୟମାନ ଥାଇପାରେ-? କେଜାଣି ? ସୁରଭାଇ ଅଦ୍ଭୁତ–ତାଙ୍କର ଆଚରଣ ମଧ୍ୟ ତହୁଁ ବଳି ଅଦ୍ଭୁତ । ମାତ୍ର ସୁଷମା ମୋତେ ନେଇ ସୁରଭାଇଙ୍କ ପ୍ରତି ତା’ର ଈର୍ଷା ଜଣାଇଦିଏ ଯେ ସୁଷମାର ମୋର ପ୍ରଣୟୀ ପ୍ରତି ସନ୍ଦେହ ଓ ଆଶଙ୍କା ରହିଛି । ତା’ର ସୁରଭାଇଙ୍କ ଭଳି ନିଜ ଉପରେ ବିଶ୍ୱାସ ନାହିଁ ? ସେ କ’ଣ ତାଙ୍କ ଭଳି କରିପାରନ୍ତା ନାହିଁ ଯେ ସ୍ୱାମୀ ତାଙ୍କର ହାତମୁଠା ଶିଥିଳ କଲେବି ତା’ର ହାତମୁଠା ଏତେ କଠିନ ଯେ ସେ ସେଥିରୁ ଖସିଯାଇ ପାରିବେ ନାହିଁ । କିମ୍ୱା ସୁଷମା ଏକଥା ଜାଣେ–ଖୁବ୍ ଭଲଭାବେ ଜାଣେ । ମାତ୍ର ସେ ତ କେବଳ ପ୍ରମିକା ନୁହ–ସେ ମଧ୍ୟ ପତ୍ନୀ–ଗୃହିଣୀ । ସେ ବୋଧେ ଚାହେଁ ସ୍ୱାମୀର ପ୍ରତିଟି ହୃଦୟବୃତ୍ତି ମଧ୍ୟ ପତ୍ନୀର ସ୍ୱାକ୍ଷର ବହନ କରିବାକୁ ବାଧ୍ୟ । ସ୍ୱାମୀ ତାଙ୍କର ପ୍ରତ୍ୟେକ ଅନୁଭୂତି ଓ କର୍ତ୍ତବ୍ୟ କର୍ମରେ ସ୍ୱାଧୀନ ସତ୍ୟ–ମାତ୍ର ଧର୍ମପତ୍ନୀର ସ୍ୱାକ୍ଷର ବିବର୍ଜିତ କୌଣସି ଭାବ ବା କର୍ମ ଦାମ୍ପତ୍ୟ-ପ୍ରଣୟ-ଅନୁମୋଦିତ ହୋଇ ନ ପାରେ । ସୁଷମା ବୋଧେ ଏହା ଚାହେଁ, ସୁଷମା ତେଜସ୍ୱିନୀ ଓ ମନସ୍ୱୀନୀ ନାରୀ । ତାକୁ କୌଣସି ମୁହୂର୍ତ୍ତରେ ଚୁପ୍ କରାଇ ଦେଇ ମୁଁ ନିଜର ସ୍ୱାଧୀନତା ଉପଭୋଗ କରିପାରିବି ନାହିଁ ।

 

ମୁଁ ଆଉ କୌଣସି ଉପାୟ ପାଇଲି ନାହିଁ । ମୋ’ ହୃଦୟର ଆନ୍ଦୋଳନ ଖୁବ୍ ତୀବ୍ର ଓ ଦୁଃସହ ହୋଇ ଉଠିଲା । ବାହାରକୁ ଦେଖିଲେ ସେପରି କିଛି ସ୍ପଷ୍ଟ ସମସ୍ୟା ଅବଶ୍ୟ ନଥିଲା । ମାତ୍ର ଭିତରେ ଭିତରେ ମୁଁ ଶଢ଼ି ଯାଉଥିଲି । ମୋ ହୃଦୟ ଭିତରେ ଭାଇ ଓ ପତ୍ନୀ ସମାନ ଅଂଶ ମାଡ଼ି ବସିଛନ୍ତି । ମୋର ନିଜସ୍ୱ ମଧ୍ୟ ଆଉ କିଛି ଅଂଶ ନାହିଁ । ଏହା କ’ଣ ସତ ? ମୁଁ ବର୍ତ୍ତମାନ ଉଭୟଙ୍କୁ ବର୍ଜନ କରିପାରୁ ନାହିଁ । ଉଭୟଙ୍କୁ ମଧ୍ୟ ଗ୍ରହଣ କରିପାରୁ ନାହିଁ । ଜଣକୁ ରଖି ଆର ଜଣକୁ ଛାଡ଼ି ପାରୁନାହିଁ । ଏ ଗୋଟାଏ ଭାବାବେଗଗତ ସମସ୍ୟା । ସମସ୍ତଙ୍କୁ ଅବଶ୍ୟ ଏଭଳି ଆବେଗାତ୍ମକ ସମସ୍ୟାରେ ପଡ଼ି ଘାଣ୍ଟି ହେବାକୁ ପଡ଼ି ନଥାଇ ପାରେ । ସମସ୍ତେ ମଧ୍ୟ ଏହାର ଗୁରୁତ୍ୱ ବୁଝି ପାରିବେ ନାହିଁ । ମାତ୍ର ସୁଷମା ଭଳି ପତ୍ନୀ ସୁରଭାଇ ଭଳି ଭାଇ ଓ ମୋ ଭଳି ଉଚ୍ଚାଭିଳାଷୀ ଓ ସଂସାର-ବୁଦ୍ଧି-ନିପୁଣ-ଲୋକର ପୁଣି ଏହି ଅନ୍ତର୍ନିହିତ ଗୂଢ଼ ଭାବାବେଗ କ୍ଷୁବ୍‍ଧ ବ୍ୟକ୍ତିତ୍ୱ–ଏହିଭଳି ମାରାତ୍ମକ ପୀଡ଼ା ଭୋଗ କରିବାକୁ ବାଧ୍ୟ । ମୁଁ ସୁଷମାକୁ ଛାଡ଼ି ନ ପାରେ–ସୁରଭାଇକୁ ମଧ୍ୟ ଛାଡ଼ି ନ ପାରେ । ତେବେ ଉପାୟ ?

 

ରାତିରେ କାହା ସଙ୍ଗେ କଥାବାର୍ତ୍ତା ନକରି ଚୁପ୍‍ଚାପ୍ ଶୋଇଗଲି । ସୁଷମା ମଧ୍ୟ ସେଦିନ ମୋ ସଙ୍ଗେ କିଛି କଥାବାର୍ତ୍ତା କରିନାହିଁ । ସେ ମଧ୍ୟ ସେହିଦିନ ଠାରୁ ପ୍ରାୟ ପନ୍ଦରଦିନ ପର୍ଯ୍ୟନ୍ତ ମୋ ସଙ୍ଗେ କେବଳ ସାଧାରଣ ସମ୍ପର୍କ ଓ ବ୍ୟବହାର ରକ୍ଷା କଲା । ମୁଁ ଭୀରୁ ଭଳି ତା’ର ମୁଖ ମଣ୍ଡଳକୁ ଲକ୍ଷ୍ୟ କରୁଥାଏ । ସେଥିରେ କୌଣସି ପ୍ରତିକ୍ରିୟା ଲକ୍ଷଣୀୟ ନଥିଲା । ସେ ସ୍ୱଭାବତଃ ଗମ୍ଭୀରା । ମାତ୍ର ତା’ର ଗାମ୍ଭୀର୍ଯ୍ୟ ଭିତରେ ଗୋଟାଏ ଆକର୍ଷଣୀୟ ମାଧୁର୍ଯ୍ୟ ଲୁଚି ରହିଥାଏ । ମୁଁ ସତ କହୁଛି ତା’ର ଆଖିରେ ମୋର ଆଖି ପଡ଼ିଗଲାମାତ୍ରେ ମୁଁ ଏକ ନାରୀ ସୁଲଭ ଲଜ୍ଜା ଅନୁଭବ କରେ ଅଥଚ ଆପଣମାନେ ଜାଣନ୍ତି–ମୁଁ ମୋର ବ୍ୟବହାରିକ ଜୀବନରେ କେଡ଼େ ନିର୍ଲଜ୍ଜ ନିର୍ଭୀକ କଠିନ ହୃଦୟ ବ୍ୟକ୍ତି । କିନ୍ତୁ ଏଭଳି ବିଡ଼ମ୍ୱନା ମୋ’ରି ଭଳି ଲୋକଙ୍କ ଦୁର୍ଭାଗ୍ୟରେ ଥାଏ । କିଏ ଆଉ କ’ଣ କରିପାରିବ ? ସୁଷମା ତା’ର କର୍ତ୍ତବ୍ୟମାନ ପୂର୍ବବତ୍ କରି ଚାଲିଥାଏ । ତା’ର ଚିରଦିନର ରୀତି ହେଉଛି–ସତେ କି କିଛି ସେମିତି ଗୁରୁତର ଘଟନା ଘଟିନାହିଁ । ସବୁକଥା ସଜାଡ଼ି ଦେଇ ହେବ । ତେବେ ସମୟ ଦରକାର । ପ୍ରଚେଷ୍ଟା ଦରକାର । ମୋର ସନ୍ଦେହ ହୁଏ–ସୁଷମା କ’ଣ ତା’ର ହୃଦୟ ମଧ୍ୟରେ ମୋଭଳି ଏହି ଦ୍ୱନ୍ଦ୍ୱାତ୍ମକ ଯନ୍ତ୍ରଣା ଭୋଗ କରୁନାହିଁ ? କେଜାଣି-? ମୋ ଦୁର୍ଭାଗ୍ୟକୁ ବିଚିତ୍ର ଭାଇ ବିଚିତ୍ର ପତ୍ନୀ ।

 

ପନ୍ଦର ଦିନ ପର୍ଯ୍ୟନ୍ତ ଆମେ ଦୁହେଁ କେହି ଆଉ ଏ ସମ୍ପର୍କରେ କିଛି କଥାବାର୍ତ୍ତା କରିନାହୁଁ । ସୁରଭାଇ ଇତିମଧ୍ୟରେ ନିଜେ ଆଉ ଆସି ନାହାନ୍ତି କି ତାଙ୍କଠାରୁ କୌଣସି ଖବର ମଧ୍ୟ ମୁଁ ପାଇନାହିଁ । ସୁଷମା ମଧ୍ୟ ସେ ସମ୍ୱନ୍ଧେ ଗମ୍ଭୀର ଓ ନିଶ୍ଚଳ । ମୁଁ କିନ୍ତୁ ଇତିମଧ୍ୟରେ ବେଶ୍ ଝଡ଼ି ଗଲିଣି । ମୁଁ ପ୍ରମାଦ ଗଣି ଗଣି ଶଢ଼ି ଗଲିଣି । ମୋର ଦୃଢ଼ ଧାରଣା ହୋଇଯାଇଥିଲା ଯେ ମୁଁ ମୋ ଜୀବନରେ ଦୁଇଟି ମୂଲ୍ୟମାନ ବସ୍ତୁ ହରାଇ ସାରିଲିଣି । ସୁଷମା ଭଳି ପତ୍ନୀ ଏବଂ ସୁରଭାଇ ଭଳି ଭାଇ–ଆଉ ମୁଁ ପାଇବି ନାହିଁ । ମୋର ଅଯୋଗ୍ୟତାରୁ ଦୁହେଁ ମୋ ହାତରୁ ଖସିଗଲେ । କିନ୍ତୁ ସତ କଥା କହିଲେ–ମୁଁ ସୁରଭାଇଙ୍କ ପାଇଁ ବିଶେଷ ବ୍ୟସ୍ତ ନଥିଲି । ମାତ୍ର ସୁଷମା–ମୁଁ ଆଉ ସୁଷମାକୁ ପାଇବି ନାହିଁ ? ଅଯୋଗ୍ୟ ଭାଇ ପାଇପାରେ ସୁଯୋଗ୍ୟ ଭାଇଠାରୁ ତା’ର ଅନୁଗ୍ରହ ତା’ର ପ୍ରାପ୍ୟ–ତା’ର ଅଂଶ । ମାତ୍ର ଅଯୋଗ୍ୟ ସ୍ୱାମୀ କେଉଁଠି ଭଲା ସୁଯୋଗ୍ୟା ପତ୍ନୀର ଅନୁଗ୍ରହ ଲାଭ କଲାଣି ? ସ୍ୱାମୀର ପ୍ରେମ ଅନୁରାଗ ଉପରେ ନିଶ୍ଚିନ୍ତଭାବେ ଯଦି ସନ୍ଦେହ ଆସିଗଲା ତେବେ କେଉଁ ପତ୍ନୀ ସେଭଳି ପୁରୁଷକୁ ଅନ୍ତର ମଧ୍ୟରୁ ଛାଡ଼ପତ୍ର ନ ଦେଇ ରହିବ ? ଓଃ ।। ମୁଁ ଅତି କାତର ଓ ବିମର୍ଷ ହୋଇ ପଡ଼ିଲି । ଓଃ ।। ମୁଁ ସୁଷମାକୁ ହରାଇ କିପରି ବଞ୍ଚିବି ? ସୁଷମା ଯେ ମୋର କେନ୍ଦ୍ରବିନ୍ଦୁ । ମୋର ତେଜ ଓ ଶକ୍ତିର ଉତ୍ସ । ମୁଁ ଅସ୍ଥିର ହୋଇ ପଡ଼ିଲି । ଭାବିଲି–ସୁଷମାର ପାଦ ଧରି ପଡ଼ିଯିବି କହିବି–ସୁଷମା । ମୋତେ କ୍ଷମାକର । ମୋର ଅଯୋଗ୍ୟତାକୁ କ୍ଷମା କର । ମୋର ଅପୂର୍ଣ୍ଣତାକୁ ତୁମର ଐଶ୍ୱର୍ଯ୍ୟ ଦେଇ ପୂର୍ଣ୍ଣକର ଓ ମୋତେ ଗ୍ରହଣ କର ।

 

ଏସବୁ ନିଶ୍ଚିନ୍ତଭାବେ ବାଚାଳତା ଓ ପାଗଳର ଉନ୍ମାଦ ବିକୃତି । ମାତ୍ର ସେ ଯାହାହେଉ–ଏ ପୃଥିବୀରେ ମୋଭଳି ମଣିଷ ଏପରି ହେବାକୁ ବାଧ୍ୟ । ମୁଁ ସୁଯୋଗ ଓ ମୁହୂର୍ତ୍ତ ଖୋଜୁଥିଲି–କେତେବେଳେ ସୁଷମା ପାଖେ ମୁଁ ନିଜକୁ ସମର୍ପଣ କରିବି ।

 

କିନ୍ତୁ ଘଟନା ଘଟିଲା ଅନ୍ୟପ୍ରକାରେ–ଠିକ୍ ମାସକ ଭିତରେ ଦିନେ ଦେଖାଗଲା–ସୁରଭାଇ ତାଙ୍କର ଦୁଇଟି ପିଲା ଓ ଭାଉଜକୁ ଧରି ମୋ ଘରେ ଉପସ୍ଥିତ । ମୁଁ ପ୍ରମାଦ ଗଣିଲି । ଏଥର ସୁଷମା ଏ ଘରେ ନିଆଁ ଲଗାଇ ଦେବ । ମୁଁ ସେହି ଭୟରେ କେବଳ ସେମାନଙ୍କୁ ପ୍ରଣାମ ଓ ପ୍ରାଥମିକ ସମ୍ଭାଷଣ କରି ମୋ ଶୋଇବା ଘରେ ବସି ରହିଲି ଚୁପ୍‍ଚାପ୍ ଏବଂ ମୋର କାମଦାମରେ ଲାଗି ରହିଲି । ସେମାନଙ୍କ ପାଖ ମାଡ଼ିଲି ନାହିଁ । ମାତ୍ର ଆଶ୍ଚର୍ଯ୍ୟକଥା । ସୁଷମାଇ ସେମାନଙ୍କ ସଙ୍ଗେ ଦିନ ରାତି ଲାଗି ରହିଲା । ସୁରଭାଇଙ୍କର ପିଲା ଦୁଇଟି ଉପଯୁକ୍ତ ବିଦ୍ୟାଳୟରେ ନାମ ଲେଖାଇଲେ । ସେମାନଙ୍କ ଲାଗି ସୁଷମା ସ୍ୱତନ୍ତ୍ର ବ୍ୟବସ୍ଥା କରିଦେଲା–ଠିକ୍ ନିଜ ପିଲାଙ୍କ ଭଳି । ସେମାନଙ୍କୁ ନେଇ ସୁଷମା ଆଉ ଏକ ଜୀବନ ଲୀଳା ଆରମ୍ଭ କରିଦେଲା । ସୁଷମା ଜମି ଭାଗ କଲା ନାହିଁ । ସୁରଭାଇ ଓ ଭାଉଜ ଆଠଦିନ ପରେ ଗ୍ରାମକୁ ଚାଲିଗଲେ ତାଙ୍କର ପିଲାଦୁଇଟିକୁ ସୁଷମା ପାଖରେ ଛାଡ଼ି । ମୁଁ ଏ ସମସ୍ତ ବ୍ୟାପାରରେ କିଛି ପାଟି ଫିଟାଉ ନଥାଏ । ସୁରଭାଇଙ୍କର ପିଲା ଦୁଇଟି ସତେକି ସୁଷମାର ନିଜର ପିଲା । ମୁଁ କ୍ରମଶଃ ଲକ୍ଷ୍ୟ କଲି–ସୁଷମା ତା’ର ଅବସର ସମୟତକ ସେହି ପିଲା ଦୁଇଟିଙ୍କ ସଙ୍ଗରେ ଗେଲଗୁଲାରେ କଟାଉଛି । ମୁଁ ବିସ୍ମିତ ହେଲି । ପ୍ରକୃତରେ ନାରୀ ଚରିତ୍ର ବିଚିତ୍ର । ପ୍ରକୃତି ଭଳି ତାକୁ ବୁଝିହୁଏ–ପୁଣି ବୁଝି ହୁଏ ନାହିଁ ।

 

ଦିନେ ରାତିରେ ମୁଁ ପଚାରିଲି ଖୁବ୍ ସାହସରେ–ସୁଷମା ! ତୁମେ ଏ ସିଦ୍ଧାନ୍ତ ପୁଣି ନେଲ କିପରି ? ସୁର ଭାଇଙ୍କ ବ୍ୟାପାରରେ ପୁଣି ତୁମେ ପଶିଲ କାହିଁକି ? ସେଇ ତ ଆମ ଦାମ୍ପତ୍ୟ ଜୀବନରେ ପ୍ରଧାନ ଅନ୍ତରାୟ ହୋଇ ଉଠିଥିଲେ ।

 

ସୁଷମା ଖୁବ୍ ସହଜ ଅଥଚ ଦୃଢ଼ଭାବରେ ଉତ୍ତର ଦେଲା–ତୁମେ ମୋତେ ଭୁଲ୍ ବୁଝିଛ । କୌଣସି ସତ୍ୟ ସମ୍ପର୍କ ଆଉ ଗୋଟିଏ ସତ୍ୟ ସମ୍ପର୍କର ଅନ୍ତରାୟ ହୋଇପାରେ ନାହିଁ । ସବୁ ସତ୍ୟ ସମ୍ପର୍କତକ ଏକାଠି ଯୋଡ଼ି ହୋଇ ସମ୍ପର୍କର ମାଳାଟିଏ ହୋଇଯାନ୍ତି ।

 

ମୁଁ ଖୁବ୍ ଉତ୍‍ଫୁଲ ହୋଇଉଠୁଥିଲି । ସୁଷମା ଭଳି ପ୍ରିୟତମା ପତ୍ନୀ କେତେଜଣଙ୍କ ଭାଗ୍ୟରେ ଅଛି ? ମାତ୍ର ଟିକିଏ ଦୁଷ୍ଟାମି କରି ସୁଷମାକୁ ନିଜ ଆଡ଼କୁ ଆଉଜାଇ ଆଣି ପଚାରିଲି–

 

କିନ୍ତୁ ତୁମେ ପ୍ରଥମେ ସୁରଭାଇ ସଙ୍ଗେ ସମ୍ପର୍କ ଛିନ୍ନ କରିବାକୁ ଜିଦ୍ ଧରୁଥିଲ କାହିଁକି ? କହୁ ନଥିଲ ? ଏକା ପ୍ରକାର ମୋହ ଦୁଇଜଣଙ୍କ ପ୍ରତି ରହି ନପାରେ । ଜଣକଠାରୁ ମୋହ କାଟିବାକୁ ପଡ଼ିବ । ମୁଁ ତ ସୁରଭାଇର ମୋହ କାଟିବାକୁ ପ୍ରସ୍ତୁତ ହୋଇ ଯାଇଥିଲି ।

 

ସୁଷମାର ମୁହଁ ଓ ଆଖିରେ ଅତି ସୁନ୍ଦର ପ୍ରସନ୍ନତା ଦେଖାଗଲା । ମୁଁ ସେହି ପ୍ରସନ୍ନତାକୁ ପିଇ ଯାଉଥିଲି ବହୁ ଦିନର ତୃଷାର୍ତ୍ତ ଭଳି । ସୁଷମା କହିଲା–

 

ତୁମଭଳି ଦୁର୍ବଳ ପୁରୁଷ ପୃଥିବୀରେ ନଥିବେ । ତୁମେ ସୁରଭାଇ ପାଖେ ଦୁର୍ବଳ–ମୋ ପାଖରେବି ତତୋଽଧିକ ଦୁର୍ବଳ । ଜାଣ ? ତୁମେ ଦୁହିଁଙ୍କୁ ହରାଇ ବସିଥାନ୍ତ ? କିନ୍ତୁ ତୁମର ଭାଗ୍ୟ ଭଲ ।

 

ମୁଁ ଉପଭୋଗ କରୁ କରୁ ପଚାରିଲି, କେମିତି ?

 

ତୁମେ ସୁରଭାଇ ଭଳି ଭାଇ ପାଇଛ ଓ ମୋ ଭଳି ସ୍ତ୍ରୀ ପାଇଛ ।

 

ମୁଁ ଅଫୁରନ୍ତ ଆହ୍ଲାଦରେ ସୁଷମାକୁ ଆଲିଙ୍ଗନ କରି ଗେଲ କଲି ଓ ତା’ର ପାଦ ଧରି ହସିହସି ଅବଲୟ କରୁ କରୁ କହିଲି, ଦେବୀ । ଦୁର୍ବଳ ପୁରୁଷମାନେହିଁ ଯଥାର୍ଥରେ ଭାଗ୍ୟବାନ୍ । ସେମାନଙ୍କୁ ସୁରଭାଇ ମିଳନ୍ତି ଓ ସୁଷମା ମିଳନ୍ତି ।

 

ସୁଷମା କହିଲା–ମୋତେ ଛାଡ଼ । ପିଲାମାନଙ୍କର ଖାଇବାବେଳ ହୋଇଗଲାଣି ।

 

ସୁଷମା ମୋର ପତ୍ନୀ ? ନା ଜଗତର କର୍ତ୍ତ୍ରୀ ?

Image

 

ଆକାଶ ପାତାଳ

 

(କେତୋଟି ସର୍ତ୍ତ : ପ୍ରଥମତଃ ଏହାକୁ ଗଦ୍ୟ କବିତା ଛନ୍ଦରେ ପଢ଼ିବାକୁ ହେବ । ଦ୍ୱିତୀୟରେ ଖୁବ୍ ଚାଲାକ ବା ଧୂର୍ତ୍ତମନ୍ନ୍ୟ ହୋଇ ଏହାକୁ ପଢ଼ନ୍ତୁ ନାହିଁ । ଏହାକୁ ପସନ୍ଦ କରିବାପାଇଁ ଖୁବ୍ ଖୋଲା ଓ ବେପରୁଆ ମନ ଦରକାର । ଶେଷରେ ଏହି ଗଳ୍ପଟିରୁ କୌଣସି ପ୍ରାଚ୍ୟ ବା ପାଶ୍ଚାତ୍ୟ ଦାର୍ଶନିକ ରୂପକତା ବାଢ଼ିବାଲାଗି ଦୟାକରି ଚେଷ୍ଟା କରନ୍ତୁ ନାହିଁ ।)

 

ବାବୁଲୀରେ ! ସୁନାପୁଅ ମୋର ! ଶୁଣ୍ ତୁ ମୋ ଧନ ! ସ୍କୁଲରୁ ଏତେଶୀଘ୍ର ଫେରିଲୁ ଯେ ! ଓ ! ଆଜି ହାଫ୍ ଛୁଟି ଥିଲା ? କେଉଁ କ୍ଲାସ ହେଲା ତୋର ? ଟେନ୍ଥ୍ କ୍ଲାସ ପରା ? ଭଲ ଭଲ-। ଭଲ ପଢ଼ୁଛୁ ତ !’’ ହଁ–ହେଡ଼ମାଷ୍ଟରଙ୍କ ସଙ୍ଗେ ଦେଖା ହୋଇଥିଲା–ଏବେ ମାର୍କେଟରେ । କହୁଥିଲେ–ବୁଦ୍ଧି ତୋର ଭଲ । ଭଲ ପଢ଼ୁଛୁ କୁଆଡ଼େ–ଡିବେଟ୍‍ରେ ଭଲ ତର୍କ କରି ମାତ୍ କରୁଅଛୁ-। ବ୍ୟବହାର ଭଲ ବୋଲି ସମସ୍ତେ ସନ୍ତୁଷ୍ଟ । ଭଲ ଭଲ – ଖୁବ୍ ଭଲ । ମନଦେଇ ପଢ଼ୁଥା ସେପରି-। ଖେଳୁଥାବି ମନେଦେଇ । ମନ ଦେଇ ସିନେମାବି ଦେଖ । ମନଦେଇ ସାଙ୍ଗ ସୁଖ ହୁଅ । କିଏ ଯଦି ଖୋଜେ ତୋର କିଛିଟା ସାହାଯ୍ୟ–ପାରୁ ଯଦି ସାହାଯ୍ୟବି କର । କିମ୍ୱା ଯଦି ତୋର ବିଚାରରେ କେଉଁଠିବା କିଛି ଗୋଟେ ଭଲ କାମ କରିବାର ଦରକାର ବୋଲି ମନେ କରୁ–ମନ ଦେଇ ପ୍ରାଣ ଦେଇ କର ସେହି କାର୍ଯ୍ୟ । କିରେ ବାବୁ ! ଖୁବ୍ ହସୁଚୁ ଯେ ! ମୋ କଥା ଶୁଣି ତତେ ସବୁବେଳେ ହସ ଲାଗେ–ନାଁରେ ? ବେଶ୍ ବେଶ୍ ମନଦେଇ ହସ । କିନ୍ତୁ ଦେଖ୍, ମନେଦେଇ ଯଦି ତୁହି କାନ୍ଦି ନ ପାରୁଛୁ–ତେବେ ହସିବାକୁ ମନା ତୋତେ । କିନ୍ତୁ ହସ ହସ–ହଠାତ ଗମ୍ଭୀର ହେଲୁ–ଭାବିଲୁ କି ଗାଳିଦେଲି ତୋତେ ? ମଜା ନୁହେଁ–ବାପକୁ ହସିବା ତୋର ପୂର୍ଣ୍ଣ ଅଧିକାର । ହଉରେ ଯା’ତୁ ବାବୁ ! ଖାଇଲୁଣି ଭଲା ? କ୍ରିକେଟରେ ଏତେ ତୋର ନିଶା ? ହଉ ଯା ଯା ! ଦେଖ୍ ବାବୁ–କାହା ସଙ୍ଗେ ଲଢ଼ାଇ କରନା । କେଉଁ ବିଷୟରେ କାହା ସଙ୍ଗେ ପ୍ରତିଦ୍ୱନ୍ଦ୍ୱୀ ହେବା ଭଲ ନୁହେଁ । ସବୁ ବାଣ୍ଟିବୁଣ୍ଟି ଖାଅ । ସାଙ୍ଗ ହୋଇ ସବୁ କଥା ଜ୍ଞାତ ହୁଅ । ଭୋଗକର ସାଙ୍ଗ ହୋଇ ଏ ପୃଥିବୀ । ପୁଣି ଶୁଣ୍–କାହାକୁ ମଣନା ଛୋଟ– । ମନେରଖ ତୁମପରି ଅଙ୍କର ଜଟିଳ ତତ୍ତ୍ୱ ଯେ ବୁଝି ପାରୁନି–କାହାକୁ ଖିଅର କଲେ ତା’ ପ୍ରତିଭା ହେବ ପ୍ରକାଶିତ । ଜାଣିଥାଅ–ଘୋଡ଼ା ଚଢ଼ା, ଘାଟକଟା ଏକାକଥା । ହଉ-ଯା-ଯା ।

 

ଆରେ ନାଇଁ ଶୁଣ୍ ଶୁଣ୍ । ଭଲ କଥା ମନେ ମୋ ପଡ଼ିଲା । ତୁ କୁଆଡ଼େ–ବୋଉ କହୁଥିଲା–ଇସ୍କୁଲରୁ ଫେରିଲାବେଳେ ବହୁ ଜ୍ୟୋତିଷଙ୍କ ପାଖେ ହାତ ଦେଖାଉଛୁ ? ଦେଖାଉନା ? ଆହା ଆହା–ହସୁଚୁ କାହିଁକି ? ସତ କଥା କହୁ ନାହୁଁ ? ତୁ ତ ଭାରି ସୁନାପିଲା । ମୋହ ବିଚାରରେ ତୋର ଖୁବ୍ ବୁଦ୍ଧିବି ହେଲାଣି । ମୋ ତିନି ପିଲାଙ୍କ ମଧ୍ୟେ ସବୁଠାରୁ ବୁଦ୍ଧିଆ ଟୋକା ତୁ-। ଏତେ କଥା ଆଜିଠାରୁ ତୁ ଜାଣିଲୁଣି ଯେ ମତେ ଆସି ପଚାଶ ହେଲାଣି, ମୁଁ ତ ଜାଣିନାହିଁ ତା’ର ବିନ୍ଦୁବିସର୍ଗବି । ବାବୁଲୀରେ ! କାହିଁକି ତୁ ହାତ ଦେଖାଉଟି ? କହିଲୁ ମୋ ଧନ । ଆଉଥରେ ବୋଉ ତୋର କହୁଥିଲା–ତୁ କୁଆଡ଼େ ଏଡ଼େ ଏଡ଼େ ଆଖି ଲୁହ ଛଳ ଛଳ କରି ବୋଉକୁ ପଚାରୁଥିଲୁ–ଏତେ କଥା ଘଟୁଅଛି ଏତେଲୋକଙ୍କର ? ଆମର କି କିଛି ଘଟିବ ନି ? ଆମର ଜୀବନ ଖାଲି ଏକ ଦୁଇ ତିନି ଅବା ତିନି ଦୁଇ ଏକ ?

 

ବାବୁଲୀରେ । ସତରେ ତୁ ଏକଥା ଭାବୁଛୁ ? ଏଡ଼େଟିକେ ଛାତି ତୋର । ତା’ ଭିତରେ ଏତେଟା ପ୍ରତ୍ୟାଶା ଆଉ ଏତେଟା ହତାଶା ? ହାଇରେ ମୋ ଧନ ! କି ସୁନ୍ଦର ଆଖି ତୋର । କି ନରମ ଛାତି । କି କଅଁଳ ମନ ତୋର । କାହିଁକିରେ ବାବୁ ! ତୋ’ ମନରେ ଏ ସଂଶୟ କୀଟ ପଶିଅଛି କେଉଁବାଟେ ? କାହିଁକି ତୁ ଭାବୁଅଛୁ ଆମର ଭାଗ୍ୟରେ କିଛି ଆଉ ଘଟିବନି ବୋଲି ?

 

ଦେଖ ବାବୁ ! ତୋ’ଠାରୁ ମୁଁ ବୁଦ୍ଧିମାନ୍ ନୁହେଁ । କିନ୍ତୁ ମୁଁ ଜାଣିଛି ଧ୍ରୁବ–ଆମ ଭାଗ୍ୟଠାରୁ ଭାଗ୍ୟ ଜଗତେ ଦୁର୍ଲଭ । ଅସମ୍ଭବ କଥାମାନ ନିଶ୍ଚେ ଘଟିଯିବ ଆମର ଭାଗ୍ୟରେ । ତା’ ପୂର୍ବ ସୂଚନାମାନ ଏବେ ମଧ୍ୟ ପାଉଅଛି ମୁହିଁ । ବାବୁଲୀରେ ! ବିଶ୍ୱାସ କର ବା ନାହିଁ–କେତେ ଅସମ୍ଭବ କଥା ଘଟି ଅଛି ମୋ ଭାଗ୍ୟରେ–ତୋ ବୋଉ ଭାଗ୍ୟରେ ପୁଣି ତୋର ଜନ୍ମପୂର୍ବୁ–ସେକଥା ତୁ ଜାଣିବୁ କେସନେ ? ଆଉଦିନେ ଗପିବି ସେକଥା । କିନ୍ତୁ ଏହି ମୁହୂର୍ତ୍ତରୁ ବିଶ୍ୱାସ ତୁ କର, କିଛି ଗୋଟେ ଅବଶ୍ୟ ଘଟିବ–ଖୁବ୍ ବେଶି ଡେରି ନାହିଁ–କିଛି ଗୋଟେ ଘଟିଯିବ ।

 

କିଏ ଜାଣେ କ’ଣ ହେବ ? ହେବ କିଛି–କିଛି ଗୋଟେ ହେବ । ହୁଏତ ବା ଅକସ୍ମାତ୍–କାହିଁ କେଉଁଆଡ଼ୁ, ଘୋଡ଼ୀଟାଏ ପଶିଆସି ଆମ ଗୁହାଳକୁ, ପଟାପଟ ଚାରିଗୋଟି ଡିମ୍ୱ ପାଡ଼ିଦେବ । ଧଳା ଧଳା–ଅବା ଦୁଧ ଅଳତାର ରଙ୍ଗରେ ବୁଡ଼ାଇ ସମାନ ଚାରୋଟି ଡିମ୍ୱ–ଘୋଡ଼ୀ ଡିମ୍ୱ । ଦେଖି ଏହି ଅଭୂତପୂର୍ବ ବ୍ୟାପର–ସାରା ପରିବାର ମୋର ଆନନ୍ଦରେ ହେବେ ଉତ୍ତେଜିତ । ହସି ହସି ଗଡ଼ିଯିବେ–କେତେକ ଛିଙ୍କିବେ, କାଶିବେ କେତେକ । ତା’ପରେ ପ୍ରକୃତିସ୍ଥ ହୋଇ ଅବସ୍ଥାଟା ବିଚାର କରିବେ । ସାଙ୍ଗେ ସାଙ୍ଗେ ସାହିବାଲା ଜୁଟିଯିବେ । ଏ ବିଚିତ୍ର ନାଟକୀୟ ଦୃଶ୍ୟ ଦେଖି ସର୍ବେ ହେବେ ହତଭମ୍ୱ-ଘୋଡ଼ୀ ଦେଲା ଅଣ୍ଡା ? ବାବାରେ–ବାବାରେ !

 

ତା’ପରେ ସମସ୍ୟା ହେବ–ଅଣ୍ଡା ସବୁ ଫୁଟିବେ କିପରି ? ଘୋଡ଼ୀ ସିନା ଅଣ୍ଡା ଦେବ–ମାତ୍ର ଫୁଟାଇବା କୌଶଳ ସେ ପାଇବ କୋଉଠୁ ? ତା’ ଛଡ଼ା ଏକୋଇଶି ଦିନ କାଳ ଖିଆପିଆ ଛାଡ଼ି–ଖିଆପିଆ କଥାକୁ ବା ମାର ଗୁଲି–ଏକୋଇଶି ଦିନ କାଳ ତନମନ ଏକ ଧ୍ୟାନ କରି, ଚାରୋଟି ଡିମ୍ୱକୁ ଜାକି ପେଟ ତଳେ, ସିଏ ଅବା ବସିବ କିପରି ? ଡେଇଁବନି, କୁଦିବନି, ପରେଡ଼୍ ପଡ଼ିଆରେ ଦଉଡ଼ା ଦଉଡ଼ି ଛାଡ଼ି, ଏକ ଧ୍ୟାନେ ଚାରିଗୋଡ଼ ଜାକି ଦେଇ, ଚାରୋଟି ଡିମ୍ୱ ଉପରେ ବସି ବସି ଉଷୁମ କରିବ ? ବଡ଼୍ଡ଼ା ବେୱାଜିବ୍ ବାତ୍ ଘୋଡ଼ୀଙ୍କ ପକ୍ଷରେ । ସେ ଆଶା ଛାଡ଼ରେ ବାବୁ–ଡିମ୍ୱଉଷୁମା କଥା ଶୁଣି ମାରିବ ସେ ଡିଆଁ । ହିଁ ହିଁ ହିଁ ହସି ହସି ହସି କେଉଁଆଡ଼େ ଆଦୃଚ୍ଛ ହୋଇବ । ଡିମ୍ୱସବୁ ପଡ଼ିଥିବେ ଆମ ଗୁହାଳରେ । ସେଇଠୁ କ’ଣ ହେବ ? କ’ଣ ହେବ ଲୋ ଖୁଡ଼ୀ-? ଆଚ୍ଛା କକା କ’ଣ କରିବା ? ଆରେ ଟଟୁ କ’ଣ ହେବରେ ? କହଦେଖି ନୀନୀ କି ଉପାୟ ହେବ ୟାର ? ବାବୁଲୀ ତୁ କହିବୁ କି ? ସମସ୍ତେ ହେଲଣି ବଡ଼ ଆଉ କ’ଣ ପିଲା ଅଛ ? ନାନା ଗ୍ରନ୍ଥ ପଢ଼ି ଅଛ–କେତେ ଜ୍ଞାନ କେତେ ଯେ ବିଜ୍ଞାନ । ଏଥିକି ଦିଶୁନି ବୁଦ୍ଧି ? ନା, ତୁମର ବିଶ୍ୱାସ ହେଉନି ? ଛାଡ଼ ତୁମ କଥା । ସାହିବାଲା ସର୍ବେ ଶୁଣ । ରାମବାବୁ ଶାମବାବୁ ଯଦୁ ମାମୁଁ ମଧୁ ଭାଇ ଉପାୟ ବତାଅ । ବତ୍‍ଲାଓ ଭାୟା । ଘୋଡ଼ୀର ଡିମ୍ୱ ଚାରୋଟି–କରିବା କ’ଣ ? ଡିମ୍ୱ ପାଡ଼ିଦେଇ ଘୋଡ଼ୀ ଦେଲାଣି ଚମ୍ପଟ । ତାକୁ କ’ଣ ଖାଇ ହେବ ? ଓମ୍ଲେଟ୍ କରି ଅବା ହାଫବଏଲ, ତରକାରୀ କରି–ଆରେ ଛିଛିଛି–ଲୋକେ ହସିବେନି ? ଆରେ ଲୋକଙ୍କୁ ବା ଗୁଲି ମାର–ଗୁଲିମାର ଆମ ରୁଚିକିବି । ଧର ଆମେ କଇଁଚ ଅଣ୍ଡା ଖାଉଛୁ–ଖାଉଛୁବି ମାଛ ଅଣ୍ଡା–କେହି କେହି ନାନାଦି ଜୀବଜନ୍ତୁଙ୍କ ଅଣ୍ଡା ଖାଇ ପାର କରୁଛନ୍ତି–ସେଇ ବିଚାରରେ ଆମେ ଅବା ଖାଇଦେବା ଘୋଡ଼ୀ ଅଣ୍ଡା ଫେଣ୍ଟିଫାଣ୍ଟି କୌଣସି ପ୍ରକାରେ । ନିଆଁରେ ସିଝିଲେ ବାବୁ ଉପଯୁକ୍ତ ମସଲା ଓ ଲବଣ ସଂଯୋଗେ ଯାବତୀୟ ଦ୍ରବ୍ୟ ସ୍ୱାଦୁ–ଅଖାଦ୍ୟ ଭବତି ଖାଦ୍ୟ ବିଚିତ୍ର ନ୍ୟାୟରେ । ଏଇ ଯେମିତି ଯୌବନେ ମର୍କଟି ରମ୍ୟା-ଅବା ଏରଣ୍ଡୋଽପି ଦ୍ରୁମାୟତେ କିମ୍ୱା ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ, ଏ ନୀତିରେ । କିମ୍ୱା କହି ଜାଣିଲେ ଯେପରି କଥାଟି ସୁନ୍ଦର–ରାନ୍ଧି ଜାଣିଲେ ସେପରି ଘୋଡ଼ୀ ଅଣ୍ଡାବି ସୁଆଦ । ମାତ୍ର କଥା କ’ଣ ସେଠି ଅଛି ? ଅଣ୍ଡା କ’ଣ ମିଳୁନାହିଁ ବଜାରରେ ? ଯୋଉ ଅଣ୍ଡା ଟଙ୍କାରେ ଦୁଇଟା ? ଏହାବୋଲି ଘୋଡ଼ୀର ଡିମ୍ୱ ଚାରୋଟି ଖାଇ ଦେବା ? ଆଚ୍ଛା ବେଅକ୍‍ଲୀ ବାତ୍ ! ଘୋଡ଼ା ଗୋଟା ଦାମ୍ କେତେ ଜାଣ ? ଘୋଡ଼ୀ ଡିମ୍ୱ ମୂଲ୍ୟ କାହୁଁ ଜାଣିବଟି କୁକ୍‍ଟାଣ୍ଡ-ଭକ୍ଷୀ ?

 

ଛାଡ଼୍, ଖାଇବାନି । ସେଇଠୁ ? ଉପାୟ ବାହାର କର । ସମସ୍ତେ ତ କଥାର ନବାବ । କଥା ଚାନ୍ଦିଆଙ୍କ ପରି ଗପି ଚାଲିଥିବ କ’ଣ ସବୁ ନ କରିବା । ନ ଖାଇବା, ନ ଫିଙ୍ଗିବା, ନ ଭାଙ୍ଗିବା, ନ ବିକିବା–ଏସବୁରୁ ମିଳିବ କ’ଣ ? ଅସଲ ସମସ୍ୟା ହେଲା–ଘୋଟକୀ-ତ୍ୟଜିତ ଏହି ଚାରି ଘୋଟକାଣ୍ଡ ଆମେ ନେଇ ବର୍ତ୍ତମାନ ଆପାତତଃ କ’ଣ କରିବା ? କିପରି ଉଷୁମା ହେବ ? ଘୋଡ଼ା ଡିମ୍ୱ ! କିଛି ବଗ ଡିମ୍ୱ–ଚିଲ ଡିମ୍ୱ ନୁହେଁ–ଏପରିକି କୁକ୍‍ଟାଣ୍ଡ ନୁହେଁ । ଅସମ୍ଭବ କଥାମାନ ଘଟୁ ବୋଲି ସମସ୍ତଙ୍କ ଆଶା–ମାତ୍ର ଘଟିଗଲେ–କିପରି ସମାଧାନ ହେବ–କେହି ଗୋଟେ ଦେଉନ ଭରସା ! ମଲା ସମସ୍ତେ ଚ୍ଉପ୍ । ଯେତେ ସବୁ ଜମିଥିବେ ଦେଖିବାକୁ ଏହି ଅଲୌକିକ ଦୃଶ୍ୟ–ସମସ୍ତେ ନୀରବ ହେବେ ଏହି ପ୍ରଶ୍ନଟିରେ । ସବୁରି ମୁଣ୍ଡର ବସ୍ତାନିରେ ବନ୍ଧା ହେବ ଡୋରି । ମୋର କକା ଚୁପ୍–ଖୁଡ଼ୀ ଚୁପ୍–ମୋର ପୁଅ ଚୁପ୍–ବୋହୂ ଚୁପ୍–ମୋର ଝିଅ ଚୁପ୍–ଜୋଇଁ ଚୁପ୍–ବାବୁଲୀବି ଚୁପ୍ । ଆଉ ଚୁପ୍–ସାଇବାଲା ଦେଖାଣାହାରିଏ । ଶାମବାବୁ ରାମବାବୁ, ଯଦୁ ମାମୁଁ, ମଧୁ ଭାଇ, ଚୁପ୍‍ଚାପ୍ ଖସି ଯିବେ–ଯେଝା ବାଟ ଯିଏବି ଧରିବେ । ଯାଉ ଯାଉ କହୁଥିବେ–ଚାଲ ପଳାଇବା । ଯାହାର ସମସ୍ୟା ବାବୁ ସିଏ ବୁଝ । ଆଚ୍ଛା କଥା । ଘୋଡ଼ୀଟାଏ ଡିମ୍ୱ ଦେବ ୟାଙ୍କର ଗୁହାଳେ–ସେଥି ଲାଗି ବଥାଇବ ଭଲା କିଆଁ ଆମ ମୁଣ୍ଡ ? ଘୋଡ଼ୀ କଥା ଘୋଡ଼ା ବୁଝୁ, ଗଧ ବୁଝୁ–ବୁଝନ୍ତୁବି ଯିଏ, ଷଣ୍ଢ କି ବଳଦ–ଗଧିଆ, କଟାସ ଅବା ବାଘ ଭାଲୁ ବ୍ୟାସ କି ନାରଦ । ଆମର କି ଯାଏଁ ଆସେ ? ଆଚ୍ଛା ଅଘଟଣ କଥା । କି ଯୁଗ ହେଲା ଏ ! ଘୋଡ଼ୀ ପୁଣି ଡିମ୍ୱ ଦେଲା !! ଓଃ ଘୋର କଳି ! ଯୁଗ ଜାଣ ଶେଷ ହେଲା । ଶେଷ ବେଳା ଆସିଗଲା । ବୁଝିଲ ଯଦୁ ଭାଇନା ? ଜଗୁ ଅଜା ବୁଝିଲଟି ? କିଛି ଭଲା ସଙ୍କୁନ ପାଇଲ ? ଦେଶକୁ ପଡ଼ିଲା ଜାଣ ଘୋର ଘଡ଼ି ସନ୍ଧି । ଅରିଷ୍ଟ ପରେ ଅରିଷ୍ଟ କେତେ ଘଟିଲାଣି । ଶୁଣିନାହଁ ? ବଡ଼ ଦେଉଳରୁ ପରା ଖସିଛି ପଥର ? କୋଉଠୁ ଖସିଛି କେହି ନପାରନ୍ତି ଧରି । କୋଉଠିବା ଖସିଯାଇ ଅଟକିଛି ଦିଶୁନି କାହାକୁ । ଆରେ ମୋର ଗୁଲି ବୈଜ୍ଞାନିକ ! ସ୍ୱୟଂ ପ୍ରଧାନମନ୍ତ୍ରୀ ବରଗିଲେ ଗଣ୍ଡା ଗଣ୍ଡା ଇଞ୍ଜିନିୟର–ଦିଲ୍ଲୀବାଲା, ବମ୍ୱେବାଲା, ବିଲାତବାଲା, ଆମେରିକାବାଲା, ରୁଷିଆ ଦେଶରୁ ମଧ୍ୟ ଆସିଥିଲେ ଗଣ୍ଡାଏ ଦୁଇଟା–ହେଁ ୟଂ ବଡ଼୍ଡ଼ା ବଡ଼୍ଡ଼ା ମୁଣ୍ଡ, ନଉତି ଭଳିଆ । ତୁମ ଆମ ମୁଣ୍ଡ ଭଳି ନୁହ । ଆମର ତ ଚୁଙ୍ଗୁଡ଼ିର ମୁଣ୍ଡ । ଥକ୍‍କି ଗଲେ ବଚାମାନେ । ଦୂରବୀନ୍ ଫୁରବୀନ୍ କିଛି କାମ ଦେଲା ନାହିଁ । ବଡ଼ଦେଉଳରୁ କୁଆଡ଼ୁ ପଥର ଖସି କାହିଁ ଅଟକିଲା । କେହି ଜାଣିପାରିଲେନି । ପରିଶେଷେ ହରିବୋଲ ଦେଇ–ଟି. ଏ, ଫି. ଏ ନେଇ, କାନିକା ଅମାଲୁ ଖାଇ ଚମ୍ପଟ ଦେଲେ । କେଜାଣିରେ ବୁପ୍‍ପା । ଏ ହଟ୍ଟ ଚମଟ୍ଟ ଦେଶ । କେ କହିବ କେତେବେଳେ କ’ଣ ଘଟୁଛି ଅବା କ’ଣ ଘଟିବ । ପଣ୍ଡାମାନେ କହିଲେଣି–ଓଡ଼ିଶାରେ ଫେର୍ କ’ଣ ଗୋଟେ ବିତ୍ପାତ ଘଟିବ । ବଢ଼ି କି ମରୁଡ଼ି–କେ ଜାଣିରେ ବୁପ୍‍ପା ବାତ୍ୟା ଫାତ୍ୟା–କଂଗ୍ରେସ ଜିତିବ ଅବା ପ୍ରଗତି ଜିତିବ । କଳିଯୁଗ ଶେଷ ହେଲା । ନ ହେଲେ କି ଦେଖା ନାହିଁ–ଶୁଣା ନାହିଁ–ଉତ୍କଳର ଭାଣ୍ଡ ଶିରୋମଣି, ମହାପାତ୍ର ସାହୁ ନୀଳମଣି, ତାହାର ଗୁହାଳେ, କାହୁଁ ଆସି ଘୋଡ଼ୀଟାଏ ଅଣ୍ଡା ଦେଇ କାହିଁ ପଳାଇବ ? ଆଚ୍ଛା ! କହ ଦେଖି ରମଜାନ୍ ଚଚ୍ଚା ! ଡିମ୍ୱ ପାଡ଼ି ଘୋଡ଼ୀଟା ବା କେଉଁଆଡ଼େ ଗଲା ? ଆଚ୍ଛା ଆଚମ୍ୱିତ କଥା । ଆଚ୍ଛା ତମ କୋରାନ୍ ସରିଫ୍ ଏ ବିଷୟେ କିଛି କହିଛି କି ? ରମଜାନ ଚଚ୍ଚା ତହୁଁ ଦାଢ଼ିକୁ ସାଉଁଳି, ହସିହସି ବଖାଣିବେ ସବ୍‍ଜାନତା ପରି–ଏସବ ଅଯବ୍ କାଣ୍ଡ । ଯାଦୁ ମାଫିକ ମାଲୁମ୍ ହୋତା ହୈ । ୟେ ସବ ବାଗ୍‍ଦାଦ୍ କା ଖେଲ୍ । ଆରବ, ମିସର, ଇରାନ୍ ମେ ବହୁତ ଭୂଁତ ହୈ । ଏ ସବ୍ ଯାଦୁଗର୍ ଲୋଁଗ୍, ଉସକୋ ପୋଷା ମନାକର ଖେଲ୍ ଦେଖାତେ ହୈ । ଏ ସବ୍ ଯାଦୁକା ଖେଲ୍ ଭାୟା । ଘୋଡ଼ୀ କ୍ୟା ? ପାକିସ୍ଥାନ୍ ମେ ଏସ୍‍ସା ଯାଦୁଗର୍ ଭି ଅବି ଅଛନ୍ତି –ସେ ତୁମ ହାମ୍‍ଠାରୁ ଭି ଅଣ୍ଡା ଲିକାଲି ଦେବେ । ସେଇ ଅଣ୍ଡାରେ ନାନଖତେଇ କରି ନାସ୍ତା ଖାଇଯିବେ ।

 

ସେଇଠୁ ସଭିଏଁ ଯାଇ ପହୁଞ୍ଚିବେ ହୟଗ୍ରୀବ ମହାନ୍ତିଙ୍କ ପାଶେ । ପୁରାତନ ଶିକ୍ଷକ ସେ–ମୋ କକାବି ତାଙ୍କଠାରୁ ଶିଖିଛନ୍ତି ପଣକିଆ, କଡ଼ାଗଣ୍ଡା, ପାହିଅଣା, ଶୋଧୀ ବୋଡ଼ି, ନଳ ଆଦି କେତେ ବିଦ୍ୟା । ସେ ପୁଣି ବୈଷ୍ଣବ ଲୋକ–ଦିନ ରାତି ଜପୁଥାନ୍ତି ହରେକୃଷ୍ଣ ମନ୍ତ୍ର । ତାଙ୍କୁ ସବୁ ପଚାରିବେ–ଆଚମ୍ୱିତ କଥା ଆଜ୍ଞା । ଘୋଡ଼ୀଟାଏ ଡିମ୍ୱ ପାଡ଼ି କୁଆଡ଼େ ଅଦୃଚ୍ଛ ହେଲା ? କି ଛୁତୁକ ଇଏ ମାଷ୍ଟ୍ରେ ? କି ତତ୍ତ୍ୱ ବୁଝୁଛ ? ହୟଗ୍ରୀବ ଦାସେ ହରେରାମକୃଷ୍ଣ ମନ୍ତ୍ର ଶହେ ଏକଥର ଜପି ସାରି କହିବେ ଶେଷରେ–ପରମାଣୁ ବୋମାର ଏ କାଣ୍ଡ । ଇନ୍ଦିରାଙ୍କୁ କିଏ ବୁଝାଇବ ? ଗାନ୍ଧୀତ ନାହାନ୍ତି । ବିନୋବାଙ୍କ କଥା ଅବା କିଏ ଶୁଣୁଅଛି ? ଭାରତ ଅଧ୍ୟାତ୍ମ ଦେଶ–ଅହିଂସା ତା’ ବ୍ରତ । ଏଣେ ପୁଣି ପରମାଣୁ ବୋମା ? ବିଜ୍ଞାନ କହୁଛି–ଏ ବୋମା ଫୁଟିଲେ ନାନା ଅଘଟଣ ହେବ । ପୁରୁଷଙ୍କ ଇନ୍ଦ୍ରି ଲୋପ ପାଇ ନାରୀଙ୍କଠି ଉଭା ହେବ । ......କିଏ ଜାଣେ–କିସ ପୁଣି ଦେଖା ନଯିବ ବଞ୍ଚି ଥିଲେ ଜୀବରେ ?

 

ସମସ୍ତେ ଏମିତି ଯେ ଯୁଆଡ଼େ କଥାବାର୍ତ୍ତା ହେଉଥିବେ । ମାତ୍ର ଅସଲ ସମସ୍ୟାଟିକୁ ଆଡ଼େଇଣ ଯିବେ । କିପରି ବା ଡିମ୍ୱଙ୍କର ସୁବ୍ୟବସ୍ଥା ହେବ ? ଆଚ୍ଛା କଥା । ସଭିଙ୍କ ତୁଣ୍ଡରେ ଖାଲି ସେଇ କଥା ଆଚ୍ଛା କେଲେଙ୍କାରି ।

 

ଆମେ ସବୁ ନିରୁପାୟେ ଠିଆ ହୋଇ ଚାହୁଁଥିବା ଇଆ ମୁହଁ ତା’ ମୁହଁକୁ । ତୁମ ବୋଉ ମୋ ମୁହଁକୁ–ମୁଁ ମଧ୍ୟ ତାହାର ମୁହଁକୁ । କକାଙ୍କ ମୁହଁକୁ ଚାହିଁ ଖୁଡ଼ୀ ଠିଆ ହୋଇଥିବେ । କକାବି ରହିବେ ଚାହିଁ ଭକୁଆଙ୍କପରି ଖୁଡ଼ୀଙ୍କ ମୁହଁକୁ । ବାବୁଲୀରେ । ତୁ ଭଲା ଚାହିଁବୁ ଦେଖି କା’ ମୁହଁକୁ ସେତେବେଳେ କହିଲୁ କହିଲୁ । ଟୁଟୁ ପାଇଁ ଚିନ୍ତା ନାହିଁ । ବାଣୀ ବିହାରରୁ ଆଣିଥିବ ନିଶ୍ଚେ ସିଏ, ତୋଳି ତା’ର ମନଲାଖି ଫୁଲପରି ମୁହଁଟିଏ–ଈଷତ୍ ନାଲି ଈଷତ୍ ଧଳା–ବସୋରା ଗୋଲାପ କରବୀର ଫୁଲଟିଏ ଭଳି–ରଜନୀ ଗନ୍ଧାର ଗ୍ରୀବା–ଦୁଇ ଓଠ ନାଲି ଗୁଲୁଗୁଲୁ–ଜହ୍ନପରି ମୁହଁଟିଏ ଡଉଲୁ ଡାଉଲୁ । ଦୁଇ ଆଖି ପ୍ରଫୁଲ୍ଲିତ ସୁନୀଳ ଗଭୀର–ସତେ ଅବା ରାଧା ତମାଳଫୁଲ । ଫିଜିକ୍‍ସରେ ଫାଷ୍ଟକ୍ଲାସ–ଅଧ୍ୟାପିକା । କିନ୍ତୁ ଖାଲି ଗୀତ ଗାଉଥିବ । ରବୀନ୍ଦ୍ର ସଙ୍ଗୀତ ଅବା ମୀରାବାଇ ବିରହ କୀର୍ତ୍ତନ । ଟୁଟୁ ଆଉ ସିଏ, ଘୋଡ଼ୀ ଡିମ୍ୱ ପାଖେ ଠିଆ ହୋଇ, ନିରୁପାଏ ଚାହୁଁ ଥିବେ ପରସ୍ପର ମୁଖେ । ନୀନୀପାଇଁ ଚିନ୍ତା ନାହିଁ । ସେବି ଆଣିଥିବ ବାଛି ମୁହଁଟିଏ ଚିଲିକା କୂଳରୁ ଅବା ଗୋପାଳ ପୁରରୁ । ଦେବୀ ମେଢ଼େ ଗଣେଶଙ୍କ ଆରପଟେ ମୟୂର ଉପରେ ଯିଏ ବସିଥାନ୍ତି–ଦେଖଛୁ ନା ଧନ ? କାର୍ତ୍ତିକ କାର୍ତ୍ତିକ–ନିଶ ଥିବ ବଙ୍କା ତରୁଆଲ ଭଳି, ଗାଲମୁଛା ଲମ୍ୱା କଲିଥିବ, କାକପକ୍ଷ କେଶ ଥିବ, ହୀପପୀ ଭଳି ଦିଶୁଥିବ–ଆରେ ନା-ନା-ନା ଖାଲି ସେମିତି ଦିଶୁଥିବ–ଅସଲରେ କିନ୍ତୁ ନୌବାହିନୀରେ ସିଏ ହୋଇଥିବ ବଡ଼ ଏକ ଅଫିସର୍ ମେଜର ଫେଜର କିମ୍ୱା କାପ୍‍ଟେନ ଫାପଟେନ । ନୀନୀ ଆଉ ସିଏ ଦୁହେଁଯାକ ଠିଆ ହୋଇ ଘୋଡ଼ୀ ଅଣ୍ଡା ପାଖେ ନିରୁପାୟେ ଚହାଁଚହିଁ ହେଉଥିବେ ପରସ୍ପର ମୁହେଁ । ନୀନୀ କହୁଥିବ ହସିହସି–ଅଜବ ମୋ ବାପାବୋଉ–ନହେଲେ ଘୋଡ଼ୀର ଡିମ୍ୱ !! ହିଁ ହିଁ ହିଁ–କ’ଣ ଯେ କରିବ ! କାପ୍‍ଟେନ୍ ଜୋଇଁ ମୋର ନୌବାହିନୀର–ସିଗାରେଟ ପାଇପ୍‍କୁ ଓଠ କଣେ ଚାପି, ଧୂଆଁ ଛାଡ଼ୁ ଛାଡ଼ୁ କହୁଥିବ–ହସି ହସି ହଲି ହଲି ସାମରିକ କାଇଦାରେ–ଚମତ୍କାର ଶାଶୂ ମୋର–ଶ୍ୱଶୁରବି ଖୁବ୍ ଚମତ୍କାର । ଅଜବ ଶାଶୂ ଶ୍ୱଶୁର ଭଲ ଲାଗେ ମତେ । ତା’ ନହେଲେ ଅଜବ ଓ୍ୟାଇଫ୍ ଗୋଟେ ତୁମ ପରି ପାଇଥାନ୍ତି କାହୁଁ ? ନୀନୀ ହସି ଦେଉଥିବ–ତୁମେବି ଅଜବ ଜ୍ୱାଇଁ ଜୁଟିଅଛ ବାପାଙ୍କ କପାଳେ । ଏତେ କହି ଦୁହେଁ ଯାକ ହସି ହସି ଲୋଟିଯିବେ ପରସ୍ପର ଦେହେ, ଦୁଇ ଢେଉ ପରି ।

 

ବାବୁଲୀରେ ! କହିଲୁ ମୋ ଧନ । ତୁ ଭଲା କାହା ମୁହଁ ଚାହିଁ ସେଠି ହୋଇଥିବୁ ଠିଆ ? ଦୁତ୍‍ତେରୀ ବୋକା ପିଲା । ଏତେ ବଡ଼ ହୋଇଥିବୁ – ସବୁ ବିଦ୍ୟା ଶେଷ କରିଥିବୁ–ବ୍ୟାସ ଠାରୁ ଅରବିନ୍ଦ ଯାଏଁ–ପ୍ଳେଟୋ ସକ୍ରେଟିସ ଠାରୁ କାଣ୍ଟ ହେଗେଲ ଯାଏଁ–ନିତ୍‍ସଠାରୁ ମାର୍କସ ଯାଏଁ । ସାରତ୍ତେ ଯାଏଁ କିମ୍ୱା କାହାଯାଏ–କେଜାଣିରେ ବାବୁ ମତେ କିସ ଜଣାଅଛି–କଳା ନା ବିଜ୍ଞାନ ? ମୁଁ କି ଜାଣିଥିବି କିଛି ? ପ୍ରମୋଦ କହିବ ଆସି ଦିନେ ମୋ ଆଗରେ–ବାବୁଲୀ କରିଛି କ’ଣ ଶୁଣିଲେଣି-? କମ୍ପମାନ କମ୍ପମାନ–ସାରା ବିଶ୍ୱ କମ୍ପମାନ । ଆଇନ ଷ୍ଟାଇନଙ୍କର ସବୁ ତତ୍ତ୍ୱ କାଟିକୁଟି ଥୋଇ ଦେଇଅଛି–ତା’ ଜାଗାରେ ନୂଆ ତତ୍ତ୍ୱ କରିଛି ପ୍ରତିଷ୍ଠା । ତାହାଲାଗି ସାରା ବିଶ୍ୱେ ଭାରତର ଗୌରବ ବଢ଼ିଲା । ଚାରିଆଡ଼େ ଫଟୋ ତା’ର–ସମ୍ୱର୍ଦ୍ଧନା ଦେଶେ ଦେଶେ–ଭାରତ ଗଗନେ ହେଲା ଦ୍ୱିତୀୟ ଭାସ୍କର ଉତ୍କଳର ବରପୁତ୍ର । ବାବୁଲୀରେ ! ଏତେ ବଡ଼ ହୋଇଥିବୁ–ଏତେବଡ଼ ଗୁଣୀଲୋକ, ବୈଜ୍ଞାନିକ ।

 

କିନ୍ତୁ ଏବେ ତୁ କହିଲୁ ଦେଖି କାହା ମୁହଁ ଚାହିଁ ସେଠି ହୋଇଥିବୁ ଠିଆ ? କ’ଣ କହୁଛୁ-? ବାପା ବୋଉ ? ଦୁତ୍‍ତେରୀ । ପିଲାମି ତୋ ଯିବ ନାହିଁ । ସବୁବେଳେ ଖାଲି ବାପା ବୋଉ-? ଭାରତ ଗଗନେ ହୋଇ ଦ୍ୱିତୀୟ ଭାସ୍କର–ଚାହିଁଥିବୁ କେବଳ ତୁ ବାପା ବୋଉ ମୁଖେ ? ଆରେ କେତେ ମୁଖ ତୋର ଆଡ଼େ ଉଦ୍‍ଗ୍ରୀବ ହୋଇ ଚାହିଁଥିବ । କେତେ ମୁଖ ଜ୍ୟୋତି ସମୁଜ୍ଜ୍ୱଳ, କେତେ ମୁଖ ସୁନ୍ଦର ମଧୁର, କେତେ ମୁଖ ଉଦାର ମୁଦାର । ବାପା ବୋଉ ମୁଖ ଧନ ଭୁଲିଯିବୁ–ଭୁଲିଯିବୁ ନିଶ୍ଚେ । ଆରେ ଛି ପାଗଳ–ବାପାର ତୋ ଯୋଉ ମୁହଁ । ଆରେ ଛିଇ ପଚାରିଲୁ ବୋଉକୁ ତୋହର-? ପୁଣି ବୋଉର ତୋ’ ଯୋଉ ମୁହଁ–ରକ୍ଷାକର ପଚାରନା ମତେ !

 

ଶୁଣ୍‍ରେ ବାବୁଲୀ । ଶୁଣ୍ ଶୁଣ୍ ସୁନାଟା ମୋ । କହିଲୁ ତୁ ବର୍ତ୍ତମାନ କ’ଣ କରିବା ? କହ ଦେଖି ତତେ ଯଦି ଜଣାଅଛି–କି ବ୍ୟବସ୍ଥା ହେବ ଏବେ ଘୋଡ଼ୀ–ପରିତ୍ୟକ୍ତ ଏହି ଡିମ୍ୱ ଚାରୋଟିର ?

 

ବାବୁଲୀରେ । ମୋ କଥା ନ ଶୁଣି ଅବା ବେଖାତିର କରି ଏତେ ବଡ଼ ବୈଜ୍ଞାନିକ ହୋଇ ମଧ୍ୟ ତୁ ଯାଇ, ତୋର ବୋଉ ପେଟତଳେ ଠିଆ ହେବୁ । ହସୁଥିବୁ ମୁରୁକି ମୁରୁକି । ସମସ୍ତେ ନୀରବ ହେବେ । ଚୁପ୍‍ଚାପ୍–ଖାଲି ପରସ୍ପର ମୁହଁକୁ ଚାହିଁବେ ଯୋଡ଼ି ଯୋଡ଼ି ହୋଇ । ତା’ପରେ ବାବୁଲୀରେ । ଆଗ ତୁହି କ’ଣଗୋଟେ ଦେଖି ପାରି ହଠାତ ଉଠିବୁ ପାଟିକରି । ସମସ୍ତେ ଚକିତ ହେବେ–କାନ ଡେରି ଆଖିଟେକି ଚାହିଁବେ ସେଆଡ଼େ ।

 

ଦେଖ ବାପା ଦେଖ ଦେଖ–ଆମର ସେ ଯେଉଁ ପେଣ୍ଠୀ, ମୁରୁଗୀଟା, ଛେତପାରା ପରି ଦିଶେ–କ’ଣ କରୁଛି ଦେଖ–ଦେଖ ଦେଖ ।

 

ସତକୁ ସତଟି ଆମେ ଚାହିଁବୁ ସେଆଡ଼େ । ଆମର ସେ ପେଣ୍ଠୀ ହୋଇ, ସେଇ ଯେଉଁ ପାରାଭଳି ମୁରୁଗୀଟା–ଜଗନ୍ନାଥ ମଉସାଙ୍କ ଘରୁ ବୋଉ ତୋର ଆଣିଥିଲା–ପୂରା ଦେଶୀ ଜାତି ନୁହେଁ–ଲେଗ୍‍ହର୍ଣ୍ଣମିଶି–ତା’ର କାମଥିଲା ଖାଲି ଅନ୍ୟ କୁକୁଡ଼ାଙ୍କ ଡିମ୍ୱ ସବୁ ଆଣି ନିଜ ପେଟତଳେ ଜାକି ଚୁପ୍‍ଚାପ୍ ଧ୍ୟାନ କଲା ଭଳି, ଏକଲୟେ ଏକୋଇଶି ଦିନ କାନ କୁଡ଼ୁକି ବସିବା । ସେ ଯେତକ ଅଣ୍ଡା ଦିଏ–ଖୁବ୍ ସାନ, ଖୁବ୍ ସ୍ୱାଦୁ ବୋଲି ଆମେ ଖାଇ ଦେଉ । ଅନ୍ୟ ମୁରୁଗୀଙ୍କ ଡିମ୍ୱ ସେ ବିଚାରୀ ଉଷୁମାଇ ଛୁଆ କାଢ଼େ । ଆମ ଘରେ ଏକଶତ ଲେଗ୍‍ହର୍ଣ୍ଣ ଆଉ ଆର ଆଇ ଆର ମୁରୁଗୀ–ସବୁରି ସେ ପାଳୟିତ୍ରୀ ମାତା । ତା’ ନିଜର ଛୁଆ ନାସ୍ତି । ଅଥଚ ସଭିଙ୍କି ସିଏ ପିଲାଦିନୁଁ ବଢ଼େଇ କୁଢ଼େଇ ମୁରୁଗୀ କରିଛି ।

 

ସେଇ ମୁରୁଗୀଟା ଏଣିକି ତେଣିକି ତରକି ତରକି ଚାହିଁ, କ୍ୱକ୍ କ୍ୱକ୍, କ୍ୱକ୍ ଧ୍ୱନି କରି–ଆଖିରେ ଆଖିଏ ତା’ର ଭରପୂର ବାତ୍ସଲ୍ୟମମତାମୃତ–ତାକୁ ଢାଳି ଢାଳି ଡିମ୍ୱ ଉଷୁମାଇବାର ଯଥେଷ୍ଟ ସ୍ନିଗ୍‍ଧ ଉତ୍ତାପ ପକ୍ଷତଳେ ତା’ର–ତାକୁ ଛାଟି ଛାଟି, ଆଦରିବା ଲାଗି ଆଉ ଆବୋରିବା ଲାଗି ଯାକିଯୁକି ଦେବାଲାଗି ଦୁକୁଦୁକୁ ଛାତି ଆଉ ପେଟତଳେ ତା’ର, ଯେତିକି କୋମଳ ଆହା ସେତିକି ଉଷୁମ ସେତିକିବି ଆଗ୍ରହରେ ନମନ୍ତ ଜୀବନ୍ତ । କେତେ ସ୍ନେହ ସତର୍କତାଆହା ତା’ ଟିକି ମଥାରେ–ଟିକି ଟିକି ସବୁଜ ତା’ ଦୁଇ ନୟନରେ–କ୍ୱକ୍ କ୍ୱକ୍ କ୍ୱକ୍ ତା’ର ଉଚ୍ଚକିତ ଡାକରାରେ ।

 

ସେଇ ମୁରୁଗୀଟି ଅତର୍କିତ ଆସି ଘୋଡ଼ୀ ପରିତ୍ୟକ୍ତ ସେଇ ଅଣ୍ଡା ଚାରୋଟିକୁ ଆଦରି ନେବରେ ବାବୁ–ଆମକୁ ବିସ୍ମିତ କରି ଆଶୁ ସମାଧାନ କରି ଆମର ସମସ୍ୟା, ଅଜବ ଓ ଆଲୋକିତ-। ସମସ୍ତେ ଆନନ୍ଦ ହେବେ, ଖୁବ୍ ଖୁସୀ ହେବେ । ସବୁରି ମୁଣ୍ଡରୁ ଏବେ ବୋଝଗଲା–ଘୋଡ଼ାଡ଼ିମ୍ୱ ଚାରୋଟିର ଦାୟିତ୍ୱବି ଗଲା । ତେଣୁ ତେମେ ସବୁ ଉଲ୍ଲାସରେ ଡେଇଁବ ନାଚିବ । କକା ମୋର ଖୁବ୍ ଖୁସି ହୋଇ ଖୁଡ଼ୀଙ୍କୁ ଡାକିବେ ଗଦ୍‍ଗଦ କଣ୍ଠରେ କହିବେ ‘‘ଶୁଣୁଚ ହଇଓ । ସବୁ ଅଭାବିତ ଆଉ ଆଲୋକିତ କଥା ସମ୍ଭବ ହୋଇବ ଏଠି । ନୀଳମଣି ପୁଅ ସିନା ନୁହ । ଆମର ସେ ପୁଅଠାରୁ ବଳି । ଆହାକି ଭାଗ୍ୟରେ । ବୋହୂବି ମିଳିଛି ଠିକ୍ ତା’ର ଲାଖେ ସୁନା ନାକୀଭାଗ୍ୟବତୀ ବୋହୂ । ଏତେକ କହିଣ କକା, ଟିକେ ନାକ ସୁଁ ସୁଁ କରି କାନ୍ଦିବେ–ତା’ପରେ କହିବେ ଫେର୍–ଆହା-। ଥାଆନ୍ତେ କି ଏ ବେଳରେ ଜ୍ୟେଷ୍ଠଭ୍ରାତା ମୋର । ଖୁଡ଼ୀ ମୋର ଆସି ଠିଆ ହେବେ କକା ପାଖେ–ପାନ ଛେପ କାଢ଼ୁ କାଢ଼ୁ ପାକୁଆ ପାଟିରୁ ହସି ହସି କେତେ ପ୍ରଶଂସିବେ । ସେଇଠୁ କହିବେ ମନେ ମନେ କୃତ୍ୟକୃତ୍ୟ ହୋଇ–‘‘ଭଗବାନ୍ ମୋତେ ବାଞ୍ଝା କରି ଧନ୍ୟ କରିଛନ୍ତି ସିନା । ନ ହେଲେ ଏ ପୁଅବୋହୂ ଏଡ଼େ ଗୁଣବନ୍ତ–ଯାଆ ମୋର ଭୋଗି ପାରିଲାନି ଯାହା, ହୀନି କପାଳିଟା ଅଧାବଅସରୁ ମଲା–ଅଥଚ ମୋ ଭାଗ୍ୟ କେଡ଼େ ଉଜ୍ଜ୍ୱଳ ଦେଖିଲ ! ଅଚାନକ କାହୁଁ ଆସି ଘୋଡ଼ୀଟାଏ ଅଣ୍ଡାଦିଏ ଏଠି, ତାକୁ ପୁଣି ଉଷୁମାଏ ଛାର ମୁରୁଗୀଟା ? ବହୁକଥା ଘଟିବାକୁ ଅଛି । ବହୁ–ଅଭାବିତ କଥା । ଆହୁରି ଆଶ୍ଚର୍ଯ୍ୟ ହେବା । ବଞ୍ଚିଥିଲେ କେତେ କଥା ଆଖିରେ ଦେଖିବା । ଏବେ କିନ୍ତୁ ଏକୋଇଶଦିନ ଯାଏଁ ସବୁର କରିଥା । କିଛି ଗୋଟେ ହେବ । ଖୁବ୍ ଆଲୋକିତ କଥା ଘଟିବ ଅବଶ୍ୟ । ସେଇଠୁ କହିବେ କକା ଆଖିରେ ମସାଲଟେକି–ଘଟିବ ଘଟିବ । ଏଇଠାରୁ ସତ୍ୟଯୁଗ ଆରମ୍ଭ ହୋଇବ । ସବୁ ଗଛ କଳ୍ପଦ୍ରୁମ ହେବେ । ଆକାଶରୁ ପୁଷ୍ପ ବୃଷ୍ଟି ହେବ । ସବୁ ଗାଇ ହେବେ କାମଧେନୁ । ଉବୁଟୁବୁ ହେବ ପୃଥ୍ୱୀ ଘିଅ ଓ ଦୁଧରେ । ସବୁ ଜୁଡ଼ୁବୁଡ଼ ହେବ ଘିଅ ଓ ମହୁରେ । ଦେଖିବ ରଇଥା । ତେମେ ଥୟଧର ଥୟଧର ।’’

 

ମୋର କକା ଖୁଡ଼ୀ ଏହିପରି କଥାବାର୍ତ୍ତା ହେଉଥିବେ । ଆରେ ପିଲାମାନେ । ତୁମ୍ଭେମାନେ ଖୁବ୍ ଫୂର୍ତ୍ତି ହେବ । ଏକୋଇଶ ଦିନ କାଳ ନିଶ୍ଚିନ୍ତରେ ନାନା ଆଶାଧରି ଦିନରାତି ହଇହୁଲ୍ଲା କରି–ଆଜି ନାଚ, କାଲି ଗୀତ, ବଣଭୋଜି ତା’ ପରଦିନ । କିମ୍ୱା ଏଠି ପାର୍ଟି ସେଠି ପାର୍ଟି, ହୁମ୍‍ଦାମ୍ ସମୁଦ୍ର ପହଁରା । ପାମ୍‍ବିଚ ଅବା ଯିବ ଅତ୍ର ତନ୍ତ୍ର ଯନ୍ତ୍ର ମନ ଇଚ୍ଛା ।

 

ନୀନୀ ମୋର କାପ୍‍ଟେନ୍ ଜୋଇଁକି ଡାକି କହୁଥିବ–ଦେଖୁଚ ନା । ଅଜବ ମୋ ବାପା ବୋଉ । ଆଲୋକିତ ଆମଘର । କ’ଣ ଯେ ଘଟିବ ଏଠି କେତେବେଳେ କିଏ କହିପାରେ ? ଲମ୍ୱାକଲି, ଗାଲମୁଛା; ବଙ୍କା ତରୁଆଲ ପରି ନିଶ, କାକପକ୍ଷ କେଶଧାରୀ କାପ୍‍ଟେନ୍ ଜୋଇଁ ମୋର ନୌବିଭାଗର–ତା’ର ଲମ୍ୱା ପାପ୍‍ଇରୁ ଧୂଆଁ ଛାଡ଼ି ଖୁବ୍ ସ୍ମାର୍ଟ ପୂର୍ତ୍ତି ମିଜାଜରେ ନୀନୀ କାନ୍ଧେ ହାତରଖି କହୁଥିବ–ଚମତ୍କାର, ଚମତ୍କାର । ଭାରି ମତେ ଭଲ ଲାଗେ । ସମୁଦ୍ର ସତେ କି । ଆଶା ଓ ଆଶଙ୍କା । ଖୁବ୍ ଢେଉ–ଖୁବ୍ ଧଳା ଫେଣ ବାଜୁ ବାଜୁ । କୂଳ ଅଛି । କୂଳ ନାହିଁ । ବୁଡ଼ିପାର–ଉଠିପାର–ପହଁରିବି ପାର । ଶାଶୂ ମୋର ସତେ କି ଜାହାଜ । ଶ୍ୱଶୁର ମୋ ସଫେନ୍ ସମୁଦ୍ର । ଏଠି ଘୋଡ଼ୀ କ’ଣ ? ମୋର ମଧ୍ୟ ଡିମ୍ୱ ପଡ଼ିବାକୁ ମନ ଡାକୁଅଛି । ଜୋଇଁ କଥା ଶୁଣି, ହସି ହସି ଗଡ଼ିଯିବ ନୀନୀ । ସତେ ତୁମେ ଡିମ୍ୱ ପାଡ଼ ଦେଖି । ତା’ ଉପରେ ବସି ମୁହିଁ ନିଶ୍ଚୟ ତାପିବି ।’’

 

ଏଣେ ବଡ଼ବୋହୂ କହୁଥିବ ଟୁଟୁକୁ ଦେଖେଇ । ‘‘କେଡ଼େ ଚମତ୍କାର ସତେ ବାପାଙ୍କ କପାଳ । ତା’ ନ ହେଲେ ଘୋଡ଼ୀଟେ ପାଡ଼ନ୍ତା ଡିମ୍ୱ ଆମ ଅଗଣାରେ ।’’ ଟୁଟୁ ତାକୁ ଗେଲକରି ଖୁବ୍ ଭଦ୍ରଭାବେ ସ୍ମିତ ହସି କହୁଥିବ–ସତରେ କି ବିଦ୍ରୂପରେ–‘‘ସେ କଥା ନିଶ୍ଚୟ । ସେଥିରେ ସନ୍ଦେହ କ’ଣ ? ମାତ୍ର ବୋଉକୁ ବୁଝି ନ ତୁମେ । ଟିକେ ରାଗିଯାଏ ସିନା । ରାଗିବାଟା କିଛି ନୁହେଁ । ଖାଲି ତା’ର ବ୍ୟକ୍ତିତ୍ୱର କଡ଼ାପାଗ ମଧୁରତା । ସେ ବରଂ ବେଶି ଭାଗ୍ୟବତୀ । ତା’ ନହେଲେ ସେ ବାପାଙ୍କ ହାତ ଧରିଥାନ୍ତା ? କପାଳ ସବୁରି ତେଜା ଆମ ଫାମିଲିର । ତୁମେ କୋଉ ଊଣା ? ତା’ ନହେଲେ ଫିଜିକ୍‍ସକୁ ଭୁଲି ମାତିଥାନ୍ତ ରବୀନ୍ଦ୍ର ସଙ୍ଗୀତେ–ପୁଣି ମୀରା ଭଜନରେ ? ବାପାଙ୍କ ଖିଆଲୀ ନିଶା ଧରିଲାଣି ତୁମ ମୁଣ୍ଡକୁବି । ଶ୍ୱଶୁରକୁ ଚାହିଁ ବୋହୂ ଠିକ୍ ଜୁଟିଅଛି । ହଉ ଦେଖି ଆଜି ରାତେ ଗାଅ କିଛି ରବୀନ୍ଦ୍ର ସଙ୍ଗୀତ–ବାପାଙ୍କର ମୁଣ୍ଡ ଥୟ ପଡ଼ୁ ।’’

 

ବାବୁଲୀରେ ! ତୁ ଭଲା କ’ଣ କରୁଥିବୁ ? କ’ଣ କହୁଥିବୁ ଦେଖି ତୋ ବିଚାରରେ ? କହିଲୁ ମୋ ଧନ ? ଆରେ ଯାଃ ପାଗଳାଟେ । ୟେ କୁଆଡ଼େ ଏଡ଼େ ବଡ଼ ବୈଜ୍ଞାନିକ । ଏତେ ବିଦ୍ୟା ସାଧିଛୁ କୁଆଡ଼େ ? ପ୍ରମୋଦବି ବହୁ ଆଗୁ କହିଥିଲା–ତୋ ଥିଓରୀ ଏ ପର୍ଯ୍ୟନ୍ତ ବୁଝିଛନ୍ତି ମାତ୍ର ପାଞ୍ଚଜଣ ଏତେବଡ଼ ପୃଥ୍ୱୀଟାରେ ? କେଜାଣି କି ତତ୍ତ୍ୱ ବାବୁ ପାଇଛୁ ତୁ, ମତେ କିସ ଜଣା ? ଯଦି କିଛି ତତ୍ତ୍ୱ ଜାଣୁ–ଯଦି ତତେ କିଛି ଭେଦ ମିଳିଅଛି ଏହି ରହସ୍ୟର–ତା’ହେଲେ କହୁନୁ କିଆଁ ? ତାହେଲେ କାହିଁକି ଭଲା ବୋଉ କୋଳେ ମୁହଁଗୁଞ୍ଜି ଖାଲି କୁରୁଳୁଛୁ–ହସି ହସି ଲୋଟେଇ ପଡ଼ୁଛୁ ? ବଡ଼ ବୈଜ୍ଞାନିକମାନେ କେବେ ଏତେ ବଡ଼ ରହସ୍ୟ ଆଗରେ–ବୋଉ କୋଳେ ମୁହଁ ଗୁଞ୍ଜି ଗେହ୍ଲେଇ ହୁଅନ୍ତି ? ମତେ ଥଟ୍ଟା କରୁଛୁ କି ? ତା’ ହେଲେବି କ’ଣ ହେଲା ? କଥାଟା କହୁନୁ । କ’ଣ ଏ ଘଟିଲା ଦେଖି କଲୁ ତା’ର ବ୍ୟାଖ୍ୟା । ମୋର କିନ୍ତୁ ଦୃଢ଼ ଆସ୍ଥା–ଏହିପରି ଅଘଟନ ଘଟନା ପ୍ରବାହ ଘଟୁଥିଲା ଘଟୁଅଛି ଘଟୁଥିବ ବାବୁ । ତୁମେ ଦେଖ–ଆଜିଠାରୁ ଏକୋଇଶ ଦିନ ପରେ ଫେର୍ କିଛି ଗୋଟେ ଘଟିବ ଅବଶ୍ୟ । ବାବୁଲୀରେ । ହସୁଛୁ କାହିଁକି ଏତେ ? ବିଶ୍ୱାସ ତୋ’ ହେଉନାହିଁ ? କାହାକୁ କରୁଛୁ ଭଲା ଅବିଶ୍ୱାସ ? ମତେ କି ଘୋଡ଼ୀକି ? କିମ୍ୱା ତା’ର ଡିମ୍ୱା ଦେବା କଥା କିମ୍ୱା ମୁରୁଗୀର ଘୋଡ଼ା ଡିମ୍ୱ ଉଷୁମାଇବାଟାହିଁ ତୋର ପକ୍ଷେ ଅବିଶ୍ୱାସ୍ୟ ? ତୁ କ’ଣ ଭାବୁଚୁ ସତେ କିଛି ହୋଇ ନାହିଁ ? ଘୋଡ଼ୀଫୋଡ଼ୀ ଡିମ୍ୱ ଫିମ୍ୱ ଦେଇନାହିଁ ? ମୁରୁଗୀବି ଉଷୁମାଉ ନାହିଁ ? ଆଚ୍ଛା କଥା ସ୍ପଷ୍ଟ କହ । ଚାଲାକି କରନା । ତୁ ଭାରି ଚାଲାକି ଟୋକା । କିନ୍ତୁ ଚାଲାକିରେ ଖାଲି ହସି ହୁଏ । ଚାଲାକିରେ ମୂଳତତ୍ତ୍ୱ ମିଳେ ନାହିଁ । ହଅ ମୁଁ ମାନୁଛି–ଭାରି ବଡ଼ ବୈଜ୍ଞାନିକ ହୋଇଛୁ ତୁ ସାରା ପୃଥିବୀରେ । କ’ଣ ହେଲା ସେଠୁ ? ବାବୁଲୀରେ । କ୍ଷମା କର ମତେ । ମିଛୁଟାରେ ତୋତେ ମୁହିଁ ଗାଳି ଦେଉଅଛି । ହସୁଛୁ ତୁ ଠିକ୍ କରୁଅଛୁ । ଯଥାର୍ଥ ତତ୍ତ୍ୱଦର୍ଶୀଣଃ ହସନ୍ତି, ହସନ୍ତି । ଘୋଡ଼ୀଟାଏ ଦେଖିଦେଲେ କେହି ହସିବେନି । ଡିମ୍ୱ ଚାରିଗୋଟି ଅବା କାରେ ହସାଇବ ? ମାତ୍ର ଘୋଡ଼ୀଟାଏ ଗଳଗଳ ଚାରିଗୋଟି ଅଣ୍ଡା ପାଡ଼ି ଦେଲେ ନ ହସି ବା ରହି କେ ପାରିବ ? ପୁଣି ତୋଭଳି ଚାଲାକ ଟୋକା ତତ୍ତ୍ୱଦର୍ଶୀ ବୈଜ୍ଞାନିକ ବଚା । ବୁଝିଲି, ବୁଝିଲି–ଅବିଶ୍ୱାସ କରୁ ନାହୁଁ । କାରଣ ରହସ୍ୟଜନକ କିଛି ଅଘଟନ ବ୍ୟପାରରେ ମତକ୍ଷେପ କରିବାଟା ବୈଜ୍ଞାନିକ ମନୋବୃତ୍ତି ପକ୍ଷେ ବେମାନାନ୍ ବେକାଇଦା । କିନ୍ତୁ ହସିବାରେ ମନା ନାହିଁ । ତତ୍ତ୍ୱଦର୍ଶୀମାନେ ହସିଥାନ୍ତି । ଯଥାର୍ଥ ତତ୍ତ୍ୱଦର୍ଶୀଣଃ ହସନ୍ତି ହସନ୍ତି । ବାବୁଲୀରେ । ତୁ କ’ଣ ଭାବୁଛୁ କି ବାପା ବୋଉ ଏତେ ମଧ୍ୟ ରହିଛନ୍ତି ଶୈଶବାବସ୍ଥାରେ ? କେଜାଣିରେ ହୋଇଥିବ ବାବୁ !! ମଣିଷର ଭାଗ୍ୟେ ଏକା ବାରମ୍ୱାର ଫେରି ଆସେ ଶୈଶବ ଅବସ୍ଥା ।

 

କୋଡ଼ିଏଟି ଦିନ ଯିବ ଏହିପରି ବିତି । ଏକୋଇଶ ଦିବସ ଆସିବ । ପ୍ରଭାତିବ ବିଭାବରୀ–ପୂର୍ବଦିଗ ହୋଇବ ଉଜ୍ଜ୍ୱଳ । କାକପିକ ଡାକଦେବେ–ଘରଚାଳୁ ଅବା ବୃକ୍ଷଡ଼ାଳୁ । ପାଚେରି ଉପରେ ଉଠି ବେକ ଭାଙ୍ଗି ବିସ୍ତାରି ଊର୍ଦ୍ଧ୍ୱକୁ ଚିତ୍କାରିବେ ଗଞ୍ଜାମାନେ । ପେଚାମାନେ ଚୁପ୍ ହେବେ ଲୁଚିବେ କୋଟରେ । ସୁଲୁ ସୁଲୁ ବହିବ ମଳୟ । ପାଇପ୍‍ରେ ପାଣି ଦେବେ । ସମ୍ୱାଦପତ୍ର ବାହକ ଫାଟକ ଡିଆଁଇ ଫିଙ୍ଗି ଦେଇ ଯିବେ ସେଦିନର ଦୈନିକ କାଗଜ । ଆମେ ସବୁ ସକୁଟୁମ୍ୱେ ଯେଝା ଚାହାକପ୍‍ମାନ ହାତେ ଧରି ବାହାରିବା ଧାଡ଼ିହୋଇ କୁକୁଡ଼ା ଶାଳକୁ । ସଭିଙ୍କର ଛାତିରେ ଉଦ୍‍ବେଗ । ସବୁରି ଆଖିରେ ଖୁବ୍ ବେଶି ଆଶା ଆଉ ଆଶଙ୍କାର ଛବି । ପ୍ରଶ୍ୱାସରେ ବିଶ୍ୱାସ ପୂରାଇ ନିଃଶ୍ୱାସରେ ଛାଡ଼ୁଥିବେ ଅବିଶ୍ୱାସ ବଂଶସାରା ପୁଅ ବୋହୂ ଝିଅ ଜୋଇଁ । ମୋ ଉପରେ ଅତି ଆସ୍ଥା ଅତି ଆଶା ଭାବରେ ବିହ୍ୱଳ ସ୍ନେହଶୀଳ ଅତି ବୃଦ୍ଧ କକା ଖୁଡ଼ୀ ମୋର ଚାଲିଥିବେ ଚୁପ୍‍ଚାପ୍ ଗଭୀର ଗମ୍ଭୀର । ଧୀର ଚାଲି–ପାଦ ଚିପିଚିପି ସତର୍କ ଶ୍ୱାସ ପ୍ରଶ୍ୱାସ କୁମ୍ଭକ ରେଚକ । ଅତି ଗେହ୍ଲା ଆଦରର ବଡ଼ ବୋହୂ ମୋର ସବା ଆଗେ ଚାଲିଥିବ ସଞ୍ଚାରିଣୀ ପଲ୍ଲବିନୀ କଳ୍ପଲତାଟିଏ ଭଳି । ଅବା ସାଧବ ବୋହୂଟି ପରି–ସେ ଯେମିତି ଚାଲିଥାଏ ନିରୀହ କୋମଳ ପୂତ ଧୀରପଦକ୍ଷେପେ ଶ୍ୟାମ ଦୂର୍ବାଦଳେ । ଅବା ରବି ଠାକୁରଙ୍କ ‘‘ବଳାକା’’ କାବ୍ୟଗ୍ରନ୍ଥର ଧାଡ଼ିଏ କବିତା ପରି । ତା’ପଛରେ ଚାଲୁଥିବ ଟୁଟୁ–ସୁସଞ୍ଜତ ପ୍ରୀତିଯୁକ୍ତ ଭଦ୍ର ସୌମ୍ୟ ଧୀର ପଦକ୍ଷେପ । ତା’ପଛରେ ଗିରି ନଦୀଟିଏ ଭଳି ଛଳ ଛଳ କଳକଳ ସୁଶୀତଳନୀରା ନୀନୀ ମୋର ଚାଲିଥିବେ । ତା’ପଛରେ ବେପରୋୱାବା ଜୋଇଁ ମୋର ଚାଲିଥିବେ ଢଳି ଢଳି ଅପନ୍ତରା ସମୁଦ୍ର ଭିତରେ ହାତେ ଧରି ଦୁରବିନ୍ କାହାକୁ ଖୋଜିଲା ପରି । ସମସ୍ତଙ୍କ ପଛେ ଆମେ ଦୁହେଁ–ମୁଁ ଆଉ ତୁମ ବୋଉ ! ଆମ ପଛେ ମୋର ମୃତ ବାପା ଆଉ ମୃତା ମାଆଙ୍କର ଯୋଗ୍ୟତମ ପ୍ରତିନିଧି–ଆସ୍ଥା ଓ ଆଶା ସମ୍ୱଳ ବୃଦ୍ଧ ବୃଦ୍ଧା କକା ଖୁଡ଼ୀ ମୋର ।

 

ବାବୁଲୀରେ ! ସମସ୍ତେ ସତର୍କ ହୋଇ ଚାହୁଁଥିବୁ । କେହି କିଛି ଦେଖି ନ ପାରିବୁ । କିଛି ସେମିତି ଦୃଶ୍ୟ ହେଉ ନ ଥିବ କାହାକୁ । ମାତ୍ର ତୁ ଆଗ କ’ଣ ଦେଖି ଚିଲେଇ ଉଠିବୁ । ତୁ ତ ଆମ ମେଲରେ ନଥିବୁ । କେତେବେଳୁ ସେଠି ଯାଇ ଠିଆ ହୋଇଥିବୁ । ତା’ପରେ–ଆଙ୍ଗୁଳି ନିର୍ଦ୍ଦେଶ କରି ଭାଡ଼ିତଳେ ପାଉଁଶ ଗଦା ପାଖରେ ଡିମ୍ୱ ଉଷୁମାଉଥିବା ମୁରୁଗୀକି–ପାଟିକରି କହିବୁ ସଭିଙ୍କି । ଆମେ ସବୁ ଚମକି ଶୁଣିବୁ ତୁ କହୁଛୁ–‘‘ଦେଖ ଦେଖ–ବାପା ଦେଖ–ଦେଖ ବୋଉ ଦେଖ ଦେଖ–ଭାଉଜ ଦେଖ ହେ ! ଆସ ଏଠି ମୋ ପାଖକୁ–ଦେଖିଲଣି ? ହେଇ ସେଠି ମୁରୁଗୀ ଚାରି-ପଟେ ଚାରୋଟି ଘୋଡ଼ାର ଛୁଆ ଖୁପ୍‍ଖାପ୍ ଡେଉଁଛନ୍ତି ଚୁଟିଆ ମୂଷାଙ୍କ ପରି କୁଲୁବୁଲୁ ହୋଇ ! କି ସୁନ୍ଦର କେଡ଼େ ଚମତ୍କାର । ହିପ୍ ହିପ୍ ହୁରେ ବାପା–ବୋଉ ହୁରେ ହୁରେ । ମୁରୁଗୀକି ଦେଖ୍ ଦେଖ୍–ନୀନୀ ନାନୀ ଦେଖ୍‍ଲୋ–ଦେଖା ତୋର କାପ୍‍ଟେନ ବରକୁ । ଟୁଟୁ ଭାଇନା ଦେଖ ଏଠି ବାବାରେ ବାବାରେ । କି ଅଜବ କାଣ୍ଡ ବାବା ! ହୁଲସ୍ତୁଲ ପଡ଼ିଯିବ ଜୀବ ବିଜ୍ଞାନର କ୍ଷେତ୍ରେ । ହେ ଭାଉଜ । ଦେଖନା ସେ ମୁରୁଗୀକୁ ! ଆମକୁ ଦେଖିଣ କେତେ ରାଗି ଯାଉଅଛି । କ୍ୱକ୍ କ୍ୱକ୍ କ୍ୱକ୍ କରି କେତେ ଗାଳି ଦେଉଅଛି । ସଭିଙ୍କି ସନ୍ଦେହ ତା’ର । ଓଃ କେତେ ଗର୍ବ ! କେତେ କ୍ରୋଧ ! ସତେ କି ଘୋଡ଼ ଛୁଆଙ୍କୁ ଜନ୍ମ କରିଅଛି ନିଜର ଗର୍ଭରୁ ! ଚାରୋଟି ଘୋଡ଼ାଛୁଆଙ୍କ ଜନନୀ ସତେ କି ! ଲଜ୍ଜା ନାହିଁ ତତେ ? ସାମାନ୍ୟ କୁକ୍‍କୁଟି !

 

ବାବୁଲୀ ତୋ କଥା ଶୁଣି–ପୁଣି ନିଜ ଆଖି ସମ୍ମୁଖରେ ଏ ବିଚିତ୍ର ଦୃଶ୍ୟ ଦେଖି ପୁଅବୋହୂ ଝିଅ ଜୋଇଁ କକା ଖୁଡ଼ୀ ମୋର ସମସ୍ତେ ତାଟକା । ଭକୁଆ ପରାଏ ସର୍ବେ ଥକ୍କା ହୋଇ ଚାହିଁଥିବେ । ସମସ୍ତଙ୍କ ମୁଣ୍ଡ ନିଶ୍ଚେ ବାତଚକ୍ର ପ୍ରାଏ ଭ୍ରମୁଥିବ । କି ଦେଖିଲା ନେତ୍ର ତାଙ୍କ ଆଜି ! ମୋ ଉପରେ ଅତ୍ୟଧିକ ଆଶା ଆଉ ଆସ୍ଥାଶୀଳ ବୃଦ୍ଧ–କକା ଖୁଡ଼ୀ ମୋର ଆନନ୍ଦରେ ଅଶ୍ରୁ ଗଦ୍‍ଗଦ ହୋଇ ବାରମ୍ୱାର ନମୋଃନମୋଃ କରୁଥିବେ ଉପରକୁ ଚାହିଁ । ଆମେ ଦୁହେଁ କିନ୍ତୁ ଥିବୁ ପୂର୍ଣ୍ଣ ପ୍ରକୃତିସ୍ଥ ମୁଁ ଆଉ ତୋର ବୋଉ । ଆମେ ଜାଣୁ-ଘଟିବାର ଯାହା ଘଟୁଅଛି । ଅତଃପର ଆହୁରି ଘଟିବ । ଅଘଟନ ଘଟନା ହୋଇବ । କେତେକଥା ଘଟିପାରେ–ଘଟିବ ଘଟିବ । ଆଚ୍ଛା କହ ଦେଖି ଉତ୍ତପ୍ତ ସୂର୍ଯ୍ୟ ପିଣ୍ଡରୁ ଗୋଲାପ ଫୁଲଟି ଭଲା କିପରି ଜନ୍ମିଲା ? ମାଙ୍କଡ଼ ଠୁଁ ବ୍ୟାସଦେବ ଅବା ଆଇନ୍‍ଷ୍ଟାଇନ ଜନ୍ମିଲେ କିପରି ? କହିଲା ପଣ୍ଡିତମାନେ ! କହିଲୁରେ ବୈଜ୍ଞାନିକ ! ଜଣାଅଛି ତତେରେ ବାବୁଲୀ ? ଆମେ ଜମା ଆଶ୍ଚର୍ଯ୍ୟ ହେବୁନି । ଏ ଏମିତି କିବା କଥା ? ପାଟିକରି ମୁଁ କହିବି-ଏ ଏମିତି କିବା କଥା ? ଦେଖ ପୁଣି କିସ ଘଟିପାରେ ? ମୋର କଥା ଶୁଣି, ଜୋଇଁ ହାତ ଧରି ନୀନୀ ପଚାରିବ–ହୟେ ! ଶୁଶୁଚ ତ ? ବାପା ଫେର୍‍ କହିଲେଣି–ଆହୁରି ଅଜବ କଥା ପୁଣି ଘଟିବ । ଅଜବ ମୋ ବାପା ବୋଉ !

 

ଅଳ୍ପ ଅଳ୍ପ ଧୂଆଁ ଛାଡ଼ି, ବୋଇତ ଆହୁଲାପରି ହାତରଖି ନୀନୀ କାନ୍ଧେ ହସି ହସି କାକ୍‍ଟେନ ଜୋଇଁ ମୋର ପ୍ରକାଶିବ କେତେ ବଡ଼ ତଥ୍ୟ । ‘‘ଅବଶ୍ୟ ଅବଶ୍ୟ–ଚମତ୍କାର ଅତି ଚମତ୍କାର । ଜମା କିଛି ନ ଘଟିବାରୁ କିଛି ଗୋଟେ ଘଟିଯିବା ଭଲ । ସାମାନ୍ୟ ଘଟଣାଠାରୁ ଦୁର୍ଘଟନା ଶତେଗୁଣ ଭଲ । ପୁଣି ସବୁଠାରୁ ସର୍ବୋତ୍ତମ ଭଲ ହେଲା–ସୌଭାଗ୍ୟକୁ ଅଘଟନ ଯଦି ଘଟେ ! ଚମତ୍କାର ! ଘଟୁ ଘଟୁ, ଅଘଟନ ଫେର୍ ଘଟୁ ।

 

ଏଣେ କିନ୍ତୁ ଚୁଟିଆ ମୂଷା ଦେରିକା କୁଲୁ ବୁଲୁ ଚାରୋଟି ଘୋଡ଼ା ଛୁଆଙ୍କୁ ମୁରୁଗୀର ଚାରିପଟେ ଏଣେତେଣେ ବିକଳରେ କ’ଣ ଖୋଜିବା ଦେଖି ବଡ଼ ବୋହୂ, ବିଚାରୀ ମୋ ବେଦନା ବିହ୍ୱଳ । ରାଧାତମାଳ ଫୁଲ ଅବା ନୀଳକଇଁ ପରି ଆଖି ଦୁଇଟିରୁ ତା’ର ଟପ୍‍ଟାପ୍ କେଇବିନ୍ଦୁ ଲୁହ, ନ ଯିବ ମୋ ଦୃଷ୍ଟିରୁ ଏଡ଼ାଇ । ମୁଁ ଦେଖିବି ବଡ଼ ବୋହୂ ଅସ୍ତବ୍ୟସ୍ତ ହେଉଅଛି । ଏଣିକି ତେଣିକି ଚାହିଁ କ’ଣ ଯେ ଖୋଜୁଛି ! ସେଇଠୁ ମୁଁ ଟୁଟୁକୁ ସଜାଗ କରି ଡାକ ଦେବି–ଆରେ ଟୁଟୁ । ବୋହୂ କିଆଁ କାନ୍ଦୁଛିରେ ? ଶୁଣ ତା’ର କଥା । ତା’ପରେ ଟୁଟୁଯାଇ ବୋହୂ କାନ୍ଧେ ହାତ ରଖି କଥାବାର୍ତ୍ତା ହେବ । କେଉଁ ବିଷାଦର ମେଘ ଢାଙ୍କିଦେଲା ଅକସ୍ମାତ୍ ଏଚନ୍ଦ୍ର ମୁଖକୁ ?

 

ଟୁଟୁକୁ କହିବ ବୋହୂ କଣ୍ଠ ଗଦ୍‍ଗଦ । ଜାଣିଛ ନା ଘୋଡ଼ାମାନେ ସ୍ତନ୍ୟପାୟୀ ? ଏବେ ଘୋଡ଼ାଛୁଆମାନେ ଦୁଧ ଖାଇବେ କିପରି ? ମୁରୁଗୀଟା ଭଲା ଏବେ କରିବ କ’ଣ ? ଡିମ୍ୱ ଫୁଟାଇବା କଥା ଭିନ୍ନେ–ମାତ୍ର ଛୁଆଙ୍କୁ ଆଧାର ଦେବା...ଦେୟ ଦେଖ ଦେଖ–ଛୁଆଗୁଡ଼ା ମୁରୁଗୀଠୁଁ ଦୁଧ ଖାଇବାକୁ ଅଣ୍ଡାଳି ହେଲେଣି । ଆଉଟୁ ପାଉଟୁ ପାଟି ସଭିଙ୍କର–କେଡ଼େ ହତଭାଗ୍ୟ ଛୁଆ–ମରିଯାଆନ୍ତି କି ! ମୁରୁଗୀଟା କୋଉଠୁ ଦବ ବା ଦୁଧ ? ସେ ଖାଲି ଭୂଇଁ କି ଆଞ୍ଚୁଡ଼ି ଖୁଦ କଣାଟିଏ ଅବା ଜିଆନାଡ଼ଟିଏ ପଦାକୁ କାହାର କରି ସେମାନଙ୍କୁ ଡାକୁଅଛି କ୍ୱ କ୍ୱ କରି–ଖାଅ ଖାଅ ବୋଲି । ସେମାନେ କି କୁକୁଡ଼ା ଛୁଆ ଯେ... । ଆହା ମରିଯିବେ ଛୁଆଗୁଡ଼ା–ମଲା ମତେ କିଆଁ ମରଣ ହଉନି-? କ’ଣ ଉପାୟ ? ଆହେ ବାପାଙ୍କୁ ଡାକୁନା ? ଆରେ ଠିଆ ହେଲ କ’ଣ ? ଆଚ୍ଛା ଲୋକ-!!

 

କିଞ୍ଚିତ୍ ବିଦ୍ରୂପ ରଖି କଥା ମଧ୍ୟେ ଖୁବ୍ ଭଦ୍ର ଆଉ ଧୀରଭାବେ ଟୁଟୁ କହୁଥିବ–ଆରେ ଯାଃ ବାପା ବାପା ! କି ଜାଣନ୍ତି ବାପା ? ତାଙ୍କର କର୍ତ୍ତବ୍ୟ ହେଲା ଉତ୍କଟ ସମସ୍ୟା ଆଉ ଅଭାବିତ ଯେତେ କାଣ୍ଡ କାରଖାନା ସବୁ ଆଣି ଘରେ ପୂରାଇବା । ସମାଧାନ ତାଙ୍କୁ ପଚାରନା । ତୁମେ ବରଂ ବୋଉକୁ ପଚାର । ହେୟ ନୀନୀ ! ବୋଉକୁ ଡାକ ତ ! ଆଚ୍ଛା ଏ ସମସ୍ୟା ପୁଣି ଉଠିଲାଣି । ଘୋଡ଼ାଛୁଆ ବଞ୍ଚିବେ କେମିତି ? କୋଉଠୁ ଖାଇବେ ଦୁଧ ? ମୁରୁଗୀଠୁଁ ?

 

ଟୁଟୁ କଥା ବାଜିଯିବ ଜୋଇଁଙ୍କ କାନରେ । ସେ ତେଣୁ ପାଇପ୍‍ରୁ ଧୂଆଁ ଛାଡ଼ି, ଆଶୁ ସମାଧାନ କଲାଭଳି ସମସ୍ୟାର, ଖୁବ୍ ସ୍ମାର୍ଟ ଆଉ ଏକ ଚମତ୍କାର ସାମରିକ କାଇଦାରେ ନୀନୀକୁ କହିବେ–ବୃଥାଟାରେ ବୋଉଙ୍କ ମୁଣ୍ଡରେ ସମସ୍ୟାଟା ପୂରାଅନା ନୀନୀ । ଭାଉଜଙ୍କ କଥା ସବୁ ଶୁଣିଅଛି ମୁହିଁ । ଅସଲ କଥାଟା ହେଲା–ସତ ସତ ଘୋଡ଼ାମାନେ ଯଦି ଏଠି ଡିମ୍ୱରୁ ଫୁଟିଲେ, ତେବେ ଅଣ୍ଡଜ ବୋଲିଣ ତାଙ୍କୁ ନ କହିବା କିମ୍ପା ? ସେମାନେ ଖୁଣ୍ଟିବେ ଦାନା ଅନ୍ୟ ଅଣ୍ଡଜଙ୍କ ପରି-। ସେହି ମାଆ ମୁରୁଗୀଟା ଶିଖାଇବ ତାଙ୍କୁ ସେ କୌଶଳ । ସେ ସବୁ ସେ ନିଶ୍ଚେ ଶିଖିଯିବେ । ଶିଖିବାକୁ ହେବ ତାଙ୍କୁ । ଘବରାଓ ମତ୍ । ଆରେ ଆମେ ପୁଣି ଭୂଇଁରେ ଚାଲିଲା ଲୋକ, ସମୁଦ୍ରରେ ପହଁରୁଛୁ, ଆକାଶରେ ଉଡ଼ୁଅଛୁ । ଆମେ କ’ଣ ମାଛ ନା ଶାଗୁଣା ? ସବୁ ସେମିତି ହୁଏ । ଆବଶ୍ୟକ ତାଡ଼ନାରେ ବୁଦ୍ଧି ବି ଗଜୁରେ ବାବୁ ଅଭ୍ୟାସ ବଦଳେ । ଡୋଣ୍ଟ ଓରି ! ବରଂ ନୀନୀ ! ଭାଉଜଙ୍କୁ ସଲାମ୍ ଜଣାଇ, ଅନୁରୋଧ କରି–ଏବେ ଆଉ ମଗେ ଲେଖାଁ କଫି, ଫେନ ଆଉ ବାଷ୍ପରେ ଉଦ୍‍ବେଳ କିଛି ବ୍ରାଣ୍ଡି ସହ ପଠାନ୍ତୁ ଏଠିକି ଏ ଗଛ ମୂଳକୁ । ଥଣ୍ଡା ଟିକେ ପଡ଼ୁଅଛି–କୁହୁଡ଼ି ଘୋଟିଛି–ଫେବ୍ରୁଆରୀ ସକାଳଟା । ବେଶ୍ ଲାଗୁଅଛି । ଆଉ ସବୁ ବସିବା ଏଇଠି–ଏହି ଗଛମୂଳ ଚଉତରା ପରେ । ଏଠି ବସି ଦେଖିବା କିପରି ମୁରୁଗୀ ମାଆଟା ଅକସ୍ମାତ୍ ପ୍ରାପ୍ତ ତା’ର ଚାରୋଟି ଘୋଡ଼ା ଛୁଆଙ୍କୁ ଦାନା ଖୁଣ୍ଟା ଶିଖାଉଛି । କିଛିଦିନ ଏହିପରି ଗହମଟେ–ଖୁଦକଣାଟିଏ କିମ୍ୱା ପୋକ ଜୋକ ଜିଆନାଡ଼ଟିଏ ତଳୁ ଖୁଣ୍ଟୁ ଖୁଣ୍ଟୁ ପ୍ରକୃତିର ଅଦ୍ଭୁତ ନିୟମେ, ଜନ୍ତୁଙ୍କର କଠିନ ପ୍ରୟାସେ, ଉଦ୍ରଗ ଇଚ୍ଛା ଶକ୍ତିରେ, ଏହି ଘୋଡ଼ା ଛୁଆଙ୍କର ଥଣ୍ଟ ସବୁ ଗଜୁରିବ ପକ୍ଷୀଙ୍କ ଭଳିଆ । ତେବେ ସବୁ ଦେଖିବ ରହିଥା । ତା’ପରେ ଚିଲମାନେ ସେମାନଙ୍କୁ ଝାମ୍ପିବା ଉଦ୍ଦେଶ୍ୟେ ଗୋଡ଼ାଇବେ । ମୁରୁଗୀଟା ପୁଣି ତାଙ୍କୁ ଶିଖାଇବ ଡେଣା ଟେକି ଖଣ୍ଡିଉଡ଼ା ଦେଇ ଦଉଡ଼ିବାର କୌଶଳ ଅଥବା ବୁଦା ସନ୍ଧିରେ ଅବା କୋଉ ଭାଡ଼ିତଳେ ଚୁପ୍‍ଚାପ୍ ଲୁଚି ଛପି ଯିବାର କାଇଦା । ସେଉଠୁ ଦେଖିବ ତେମେ ପ୍ରକୃତିର ଅଦ୍ଭୁତ ନିୟମେ–ଘୋଡ଼ା ଛୁଆଙ୍କର ଥଣ୍ଟ ସାଙ୍ଗେ ଦୁଇକଡ଼େ ଦୁଇ ପକ୍ଷ ମଧ୍ୟ ଗଜୁରୁଛି । ଚମତ୍କାର ଚମତ୍କାର । ମୁସଲମାନୀ ପୁରାଣରେ ଡେଣା ଥିବା ଘୋଡ଼ାଙ୍କର ଛବି ଦେଖିଅଛି । ମାତ୍ର ଥଣ୍ଟ ଥିବା ଘୋଡ଼ା ଏଇଠାରେ ଦେଖାଯିବ । ଚମତ୍କାର ଚମତ୍କାର । ଏଭଳି ଶ୍ୱଶୁର ଘର ପାଇ ଧନ୍ୟ ମୁହିଁ । ଭାରି ଭାଗ୍ୟବାନ୍ । ଏଠି ସବୁ କିଛି ଘଟିପାରେ । ଥ୍ରିଲ୍ ଆଣ୍ଟିଥ୍ରିଲ୍ ଫେର୍ ଥ୍ରିଲ୍ ଫେର୍ ଆଣ୍ଟିଥ୍ରିଲ୍ ।

 

ସେଇଠୁ ତୁ ବାବୁଲୀରେ ବୋଉ ହାତ ଧରି ବୋଉ କୋଳେ ମୁହଁ ଜାକି ଗେଲ ହୋଇ ଗେହ୍ଲା ହୋଇ ପରୋକ୍ଷ ବଚନେ ମୋତେ ଥଟ୍ଟା କରି କହିଦେବୁ–ସେ କଥା ଠିକ୍ ବାପା । ଘୋଡ଼ା ଛୁଆମାନଙ୍କର ସମସ୍ୟା ସମ୍ୱନ୍ଧେ ତାଙ୍କରି ମୁରୁଗୀ ମାଆ ନିଶ୍ଚେ କିଛି ବ୍ୟବସ୍ଥା କରିବ । ଦେଖାଯାଉ ବାପା ! ତୁମର ଭାଗ୍ୟରେ ବହୁ ଅଘଟନା ଘଟିଥାଏ । ଦେଖାଯାଉ ଏହାପରେ ଆଉ କି ଘଟୁଛି !! ତଥା ତୋ’ ସରି ନ ଥିବ–ସତ ସତ ବାବୁଲୀରେ ଘଟିଯିବ ଅକସ୍ମାତ୍ ସେହି ଶେଷ ଅଘଟନ ଦୃଶ୍ୟ । ଆମେ ସବୁ ସେଠି ଠିଆ ହୋଇଥିବୁ । ଭାବୁଥିବୁ କ’ଣ କେଜାଣି ? ଏହି ସମୟରେ ଆମେ ହଠାତ ଦେଖିବା–ଆମ ଆଖି ଆଗେ ଅତି ନାଟକୀୟଭାବେ କାହୁଁ ଏକ ଘୋଡ଼ୀ ଆସି ଆମ ଆଗେ ହୋଇଗଲାଣି ଉଭା । ଭାରି ଚମତ୍କାର ଘୋଡ଼ୀ । ସତେ ଅବା କାରୀଗର ଗଢ଼ିଅଛି ସାଗୁଆନ କାଠେ ଭାରି ଗୋଟେ ଡଉଲ ଡାଉଲ ଘୋଡ଼ୀ–ରଙ୍ଗ ତା’ର କ୍ଷୀର ହୀନ ଚାହା ପରି । ବର୍ତ୍ତୁଳ ସୁଠାମ ଅଙ୍ଗ ଏତେ ଚିକ୍‍କଣ ଯେ ମାଛିଟାଏ ମଧ୍ୟ ବସି ନ ପାରିବ ତହିଁ । କିନ୍ତୁ ଏ କିସରେ ବାବା-? ତା’ ଉପରେ ସବାର ହୋଇଛି କିଏ ? ଦେଖ ଦେଖ ଏ ତ ଆମର ସେ ଆର. ଆଇ. ଆର. ଗଞ୍ଜା ! ଗଞ୍ଜା ତ ନୁହେଁ–ଗଞ୍ଜାରାଜଚକ୍ରବର୍ତ୍ତୀ । ଅର୍ଦ୍ଧଶତ କୁକ୍‍କୁଟୀଙ୍କ ପ୍ରାଣେଶ୍ୱର ଦେହ ଅଧିପତି, ଅପ୍ରତିଦ୍ୱନ୍ଦ୍ୱୀ ସମ୍ରାଟ ଯୁଦ୍ଧେ ଆଉ ପ୍ରେମେ । ଶତ ଐନ୍ଦ୍ରଜାଲିକବରଣେ ସମୁଜ୍ଜ୍ୱଳ ଲୋମଯୁକ୍ତ ପକ୍ଷ । ମୟୂରର କଣ୍ଠ ଅବା ପୁଚ୍ଛ ସୌନ୍ଦର୍ଯ୍ୟର ଝଲକରେ ଯାହା କଣ୍ଠ ପୁଚ୍ଛ ପାଖେ ହାର ମାନି ଶରଣ ପଶିବ । କିନ୍ତୁ କଥା କ’ଣ ? କି ବ୍ୟାପାର ଇଏ ! ଏ ଘୋଡ଼ୀ ସାଙ୍ଗରେ ଅବା କି ସମ୍ପର୍କ ଆମ ଏ ଗଞ୍ଜାର ?

 

ତାହାପରେ ଦେଖାଯିବ–ଚୁଟିଆ ମୂଷାଙ୍କ ପରି ଚାରୋଟି ଘୋଡ଼ା ଛୁଆଙ୍କୁ ସେଠି ଛାଡ଼ି ଦେଇ ମୁରୁଗୀଟା ଆସିବ ଦଉଡ଼ି ସେଇ ଘୋଡ଼ୀ ନିକଟକୁ । ତାହା ପରେ ଘୋଡ଼ାପୃଷ୍ଠୁ ଗଞ୍ଜାଟା ଓହ୍ଲାଇ ଆସି ତାହା ପାଖେ ଠିଆ ହେବ । ମୁରୁଗୀଟା ରାଗିଯାଇ ଗଞ୍ଜାର ଉପରେ–ପଚାରିବ ଯଥେଷ୍ଟ ଦମ୍ଭରେ–‘‘କ୍ୱକ୍ କ୍ୱକ୍ କ୍ୱକ୍ ? ଏଉଟା କିଏମ ? କିଏ ଏ ଛତରଖାଇ ଫୁଲେଇ ବେଙ୍ଗୁଲୀ ? କୁଆଡ଼େ ଥିଲଟି ଶୁଣେ ! ତୁମେ ଭଲା କିପରି ଜାଣିବ–ଚାରୋଟି ଘୋଡ଼ା ଛୁଆଙ୍କୁ ଅଣ୍ଡାରୁ ଫୁଟାଇ କି କଦର୍ଥନା ମୁଁ ଏଠି ଭୋଗିଲିଣି ଭଲା ? ଖାଇବାକୁ ଦେବି କ’ଣ ? ତାଙ୍କର ତ ଦୁଧ ଖିଆ ପାଟି । ମୁଁ ଏଣେ ମରୁଛି–ତୁମେ ତେଣେ ଘୋଡ଼ୀଟାଏ ଚଢ଼ି ବଜାର ବୁଲୁଛ ? ଫୂର୍ତ୍ତି ମାରୁଅଛ ? ମରଣ ହଉନି ମତେ ? କେହି ମତେ କାଟି ଖାଉନାହିଁ ? ଖାଉ ନାହିଁ ରୋଷ୍ଟ କରି ? ଗତ ସାଲେ ନାନୀ କି ମୋ ଯେପରି ଖାଇଲେ କାଟିକୁଟି ଆମରି ଆଗରେ !

 

ତା’ପରେ ଏକଥା ଶୁଣି ଗଞ୍ଜା ଖୁବ୍ ରାଗିଯିବା ଭଳି ହେବ । ମାତ୍ର ସତକୁ ସତ ସିଏ କେବେ ରାଗିବନି ମୁରୁଗୀ ଉପରେ । ସଭିଙ୍କି ରାଗିବ ପଛେ । ମାତ୍ର ନିଇତି କଳହରତା ଅର୍ଦ୍ଧଶତ ମୁରୁଗୀ-ଭାର୍ଯ୍ୟାଙ୍କୁ ଆମର ସେ ଗଞ୍ଜାରାଜଚକ୍ରବର୍ତ୍ତୀ ଚମତ୍କାର ପଟକେଇ ରଖି ପାରେ । ତେଣୁ ଟିକେ ସ୍ୱାମୀପରି ପୁଣି ଟିକେ ନବୀନ ପ୍ରେମିକ ପରି ତା’ର ସେହି ଈର୍ଷାତୁର ସନ୍ତାନ-ଚିନ୍ତା-ଜର୍ଜରା ଭର୍ତ୍ସନାମୁଖରା ଅଭିମାନିନୀ ମୁରୁଗୀକୁ ଚମତ୍କାର ଢଙ୍ଗରେ କହିବ–‘‘ଆହା ! ଆହା ! ଥଣ୍ଟ ବନ୍ଦ କର ସଖୀ ! କଥାଟା ବୁଝୁନ କିଆଁ ? ଶୁଣ ଶୁଣ ସବୁ ମୁଁ ଜାଣିଛି । ତୁମେ ଅଣ୍ଡା ଫୁଟାଇଲାବେଳେ ସବୁ ମୁଁ ଦେଖିଛି । କୁକୁଡ଼ାଙ୍କ ଭାଗ୍ୟ ବୃକ୍ଷେ ଫଳିଛନ୍ତି ଚାରି ଘୋଡ଼ା ଛୁଆ । ଜାଣିନି ଭାବିଛ ? ସବୁ ମୁଁ ଜାଣିଛି । ତେଣୁ ଶୁଣ ତା’ ଉପାୟ । ସେଥିଲାଗି ପରା ମୁହିଁ ଯାଇଥିଲି ପାହାନ୍ତା ପହରୁ ? ଏତିକି କହିଣ ଗଞ୍ଜା ମୁରୁଗୀକୁ ଆଉ ଟିକେ ଗେଲ କରି, ଘୋଡ଼ୀକୁ ନିର୍ଦ୍ଦେଶି ଗଞ୍ଜା କହିବ ସାଲୁକି–ଦେଖୁଛ ଏ କିଏ ? ତୁମ ସଉତୁଣୀରୂପେ ବରିଅଛି ସକାଳୁ ମୁଁ ତାଙ୍କୁ । ଛୁଆଙ୍କ ଖାଇବା ଲାଗି ବ୍ୟବସ୍ଥା ଉଦ୍ଦେଶ୍ୟେ, ଯାଉ ଯାଉ ଦେଖିଲି ମୁଁ ମାଲଗୋଦାମ ପଥରେ ଏ ସୁନ୍ଦରୀ ଶିରୋମଣି ହୋଇଛନ୍ତି ଉଭା । ଯେମିତି ଦେଖିଲି–ସାଙ୍ଗେ ସାଙ୍ଗେ ବିଭା ହେଲି ତାଙ୍କୁ । ତୁମେ ଅଛ ଅର୍ଦ୍ଧଶତ । ଆଜିଠାରୁ ହେଲ ଅର୍ଦ୍ଧଶତ ଏକ । କିଛି କ୍ଷତି ନାହିଁ । ଶହେ ଯାହା ଶତାଧିକ ମଧ୍ୟ ତାହା ଏହି ବ୍ୟାପାରରେ । ବେଶ୍ ଦୁଧିଆଳୀ ଘୋଡ଼ୀ କିନ୍ତୁ । ପନ୍ଦରଲିଟର ଦୁଧ ଦିନକୁ ଦେବ ସେ । ଚାହିଁଲା ମୋ ଆଡ଼େ ! ହେଇଟି ! ଚାରିଟା ଘୋଡ଼ା ଛୁଆର ବାପା ହେବ ଯିଏ–ଘୋଡ଼ୀଟାଏ ଯଦି ସେହୁ ବିଭା ନ ହୋଇବ–ଚଳାଇବ କିପରି ସେ ପିଲାଙ୍କୁ ତାଙ୍କର ? ଦୁଧ କାହୁଁ ପିଇବେ ସେ ? କୁକ୍‍କୁଟୀ ସନ୍ତାନ ପ୍ରାଏ ମଣୁଛ କି ତାଙ୍କୁ ? ନିଅ ତାଙ୍କୁ ଡାକି ନିଅ । ସଙ୍ଖାଳି ନିଅ ଗୋ !

 

ଇସ–ଇସ–ଇସ–

 

ଚମତ୍କାର ଚମତ୍କାର । ମୋ କ୍ୟାପ୍‍ଟେନ୍ ଜୋଇଁ ବ୍ରାଣ୍ଡି ଓ କଫି ମିଶାଇ ପିଉପିଉ ଉଛୁଳି ଉଠିବ । ନୀନୀର କାନ୍ଧରେ ତା’ର ଜାହାଜ ଆହୁଲାପରି ହାତଟିକୁ ଥୋଇ ସମୁଦ୍ର ଲହରୀପରି ହସିଣ ଉଠିବ । ତା’ପରେ କହିବ–ଚମତ୍କାର, ଚମତ୍କାର–ବହୁତ ଯୁକ୍ତି ସଙ୍ଗତ ଗଞ୍ଜା ଆଉ ଘୋଡ଼ୀଙ୍କର ଏ ଶୁଭବିବାହ । କାମନା କରୁଛି ମୁହିଁ ଏହି ମୁହୂର୍ତ୍ତରେ ଦୁହିଁଙ୍କ ଦାମ୍ପତ୍ୟ-ପ୍ରେମ ହେଉ ମଧୁମୟ । ହେଉ ମଧ୍ୟ ସମ୍ପୂର୍ଣ୍ଣ ପାଶବ ଆଉ ସମ୍ପୂର୍ଣ୍ଣ ପାକ୍ଷୀକ । ଜୋଇଁ କଥା ଶୁଣି ନୀନୀ ହୁଳହୁଳି ଦେବ । ବୋହୂ ମଧ୍ୟ ହୁଳହୁଳି ଦେବ । ଆଖି ତା’ର ଉଜଳି ଉଠିବ । ଟୁଟୁକୁ ଡାକି କହିବ–ଦେଖୁଛନା–କି ବିଚିତ୍ର କାଣ୍ଡ ! ଇସ–କି ମଧୁର ଅଘଟନ । କି ସୁନ୍ଦର ଅଭୂତପୂର୍ବତା ! ଏ ମଧୁଲଗନେ ଆଜି ଗାଇବାକୁ ଇଚ୍ଛା ହୁଏ ମୋର । ଇସ ବାପାଙ୍କର କି ସୁନ୍ଦର ଭାଗ୍ୟ !

 

ଟୁଟୁ ତାହାପରେ ବଡ଼ବୋହୂ ଚିବୁକକୁ ଧରି ଖୁବ୍ ଭଦ୍ର ଖୁବ୍ ନମ୍ର ପ୍ରୀତିଯୁକ୍ତ କୋମଳ ବିଦ୍ରୂପେ ହସି ହସି କହୁଥିବ–ଖାଲି ବାପା ନୁହ–ବୋଉରବି ବୋଉରବି । ପରିଶେଷେ ତୁମରବି ଅଜବ କପାଳ ଆସି ଏହା ସଙ୍ଗେ ମିଶିଲାଣି । ଚିଅର୍ ଅପ୍–ଚିଅର୍ ଅପ୍–ମାର ତାଳି ମାର ତାଳି ସର୍ବେ–ଗୀତ ଗାଅ ନାଚ ଅବା ଯାହା ଇଚ୍ଛା କର । ଅତଃପର ଆଉ ବାଧା କ’ଣ ? ସବୁ କିଛି କରାଯାଇ ପାରେ ।

 

ମୋ ଉପରେ ଚିରଆସ୍ଥା ଆଉ ଆଶାଶୀଳ ମୋର ବୃଦ୍ଧ କକା, ନିଃସନ୍ତାନା ସ୍ନେହାତୁରା ମୋର ବୃଦ୍ଧା ଖୁଡ଼ୀ କୁହାକୋହି ହେଉଥିବେ ଆପଣା ମଧ୍ୟରେ । ଦେଖିଲ ଦେଖିଲ–ଦେଖୁଛ ତା’ ଭାଗ୍ୟ ? ଆମେ ଯଦି ବଞ୍ଚିଥିବା ଆଉ କେତେ ଆଲୋକିତ କଥା ଘଟିବ ଏ ଘରେ । ଦେଖିବାର ଭାଗ୍ୟ ଯଦି ଥାଏ– ! ଆହା ! ମୋର ଦେବତୁଲ୍ୟ ଭାଇନା ଥାନ୍ତେ କି ! .....ଆହା ମୋର ରତ୍ନଗର୍ଭା ହତଭାଗୀ ଯାଆ ଥାଆନ୍ତେ କି ?

 

ବାବୁଲୀରେ ! ମୁଁ ତୋର ବୋଉକୁ ଡାକି ଚୁମା ଦେବି ତୁମ ସମସ୍ତଙ୍କ ଆଗେ । ତୁମ ସମସ୍ତିଙ୍କି କୋଳେ ଜାକିଧରି, କହିବି ମୁଁ–ଏତିକିରେ ଆଶ୍ଚର୍ଯ୍ୟ ହୁଅନା ! ସବୁ ଖୁସୀ ସାରିଦିଅ ନାହିଁ-। ଇଏ ତ ଆରମ୍ଭ ମାତ୍ର–ଆଉ କିଛି ଘଟିପାରେ । ଆଉକିଛି–ଆହୁରି ଆଶ୍ଚର୍ଯ୍ୟ ।

 

ବାବୁଲୀରେ ! ଏ ବେଳାରେ ତୁ ଭଲା କ’ଣ କହିବୁ ? ସତ କହ କ’ଣ ତୁ କହିବୁ ? କହ ମୋ ବାପାଟା ପରା...ହଁ ମୁଁ ଜାଣେରେ ! ତୁ ତ ପୁଣି ହୋଇଥିବୁ ଭାରି ଜ୍ଞାନୀ, ବିରାଟ ବିଜ୍ଞାନୀ ! କେତେ ନାମ କରିଥିବୁ ଦେଶ-ବିଦେଶରେ ତୁ କୁଆଡ଼େ...... । କିନ୍ତୁ ମୁଁ ତୋ କଥା ଜାଣେ । କାଲଠାର କାଲ ମାଆ ଜାଣେ ତ ନିଶ୍ଚୟ–କାଲ ବାପକୁବି ଜଣା ଥାଏ କିଛି କିଛି । କହିବି ତୁ କ’ଣ କରିବୁ ? ସମଗ୍ର ଘଟନା ପରେ କିଇ ମତ ପ୍ରକାଶିବୁ ? କହିବି ? କହିବି ? ତୁ ପଛେ ହସୁଥା ସେମିତି । ତୁ କ’ଣ–କହିବୁନା–ଏଡ଼େ ବଡ଼ ବୈଜ୍ଞାନିକ ହୋଇ ମଧ୍ୟ ସେତେବେଳେ ବୋଉର ଅଣ୍ଟାକୁ ତୋର ହାତରେ ଗୁଡ଼ାଇ ଧରି ମତେ ଚାହିଁ ହସୁଥିବୁ ମୁରୁକି ମୁରୁକି । ତୋର ସ୍ନେହମିଶା ସେହି ଆଖିର ଚାହାଣି ଦେଖି, ମତେ ଲାଗୁଥିବ ସତେକି ମୋ ବାପା ସ୍ୱୟଂ ଚାହିଁଛନ୍ତି ମତେ । କଉତୁକ ପ୍ରୀତିଭରେ ବାତ୍ସଲ୍ୟ ମମତା-ସ୍ନିଗ୍‍ଧ ସକରୁଣ ଅନ୍ଧ ପ୍ରଣୟରେ । କୌତୁକ ଉଜ୍ଜ୍ୱଳ ଦୃଷ୍ଟି ଜ୍ଞାନ ବିଜ୍ଞାନର–କୌତୁକ ମଧୁରଦୃଷ୍ଟି ଭାବ ଓ ଭକ୍ତିର–କୌତୁକ ବିଷାଦ ଦୃଷ୍ଟି କ୍ଷମା ଓ ଶାନ୍ତିର । ସେଇଠୁ ତୁ ତୋ ବୋଉର ପିଠିକୁ ଥାପୁଡ଼ି, କେଉଁ ଏକ ପରମପିତାର ଅନନ୍ତ କୌତୁକରସ ପରିପୂର୍ଣ୍ଣ ଚାହାଣିକୁ ଢାଳି ମୋ ଉପରେ, ବିମୂଢ଼ କରିଣ ମତେ–ତୋ ବୋଉକୁ କହୁଥିବୁ ମୋ ଆଡ଼କୁ ଅଙ୍ଗୁଳି ଦେଖାଇ–

 

ବୋଉ ଲୋ ଶୁଣୁଛୁ ବାପା କେଡ଼େ ମଜାଲୋକ ! ଭାରି କୌତୁକିୟା । ବାପାଙ୍କ ସାଙ୍ଗରେ ଥିଲେ ସବୁବେଳେ ପିଲା ପିଲା ଲାଗେ । ଖାଲି ଖେଳିବାକୁ ମନ ଡାକେ । ମନ ହୁଏ କଉତୁକ ଛଡ଼ା ଏ ବିଶ୍ୱରେ ଆଉ କିଛି ନାହିଁ । ଜ୍ଞାନ ଓ ବିଜ୍ଞାନ ସବୁ ବାଜେ କଥା । ବାପାଙ୍କୁ ଦେଖିଲେ ଖାଲି ହସ ମାଡ଼େ ମତେ ! ଏଭଳି ଜୋକର ମୁହଁ ଦେଖି ନାହିଁ ପ୍ରାଚ୍ୟେ ବା ପାଶ୍ଚାତ୍ୟେ । ଚମତ୍କାର ଚମତ୍କାର ବାପା !

 

ସେଇଠୁ ତୋ’ କ୍ଷଣକୋପା ମାନିନୀ ଜନନୀ, ତୋ’ କଥାରୁ କ’ଣ ସେ ବୁଝିବ କେଜାଣି–ଅପମାନିତଙ୍କ ପରି ତୋତେ ଟିକେ ଠେଲି ଦେଇ କୋଳୁ–କିଞ୍ଚିତ୍–ଉଗ୍ରଗଳାରେ ତିଆରିବ ତୋତେ–

 

ଭାରି ଜଣେ ହେଲୁଣିତ ? ବାପାଙ୍କୁ ତୁ କ’ଣ ଭାବିଛୁ କି ?

 

ଏହି ସମୟରେ ଶୂନ୍ୟରୁ ଶୁଭିବ ଏକ ଲମ୍ୱାହସ ଅଟ୍ଟହାସ ପରି–ହାଃ ହାଃ ହାଃ । କିନ୍ତୁ ଅଟ୍ଟହାସ ନୁହେଁ ତାହା ! ରଙ୍ଗମଞ୍ଚ ତଳୁ ବିବର୍ଜିତ ଦର୍ଶନଗାଲେରୀ ମଧ୍ୟୁ କେହି ଜଣେ ନିଃସଙ୍ଗ ଦର୍ଶନ ଆନନ୍ଦରେ ମତୁଆଲା ହୋଇ ଏପରି ହସି ଉଠିବ । ଶୂନ୍ୟୁ ହେବ କରତାଳୀ–ଖୁବ୍ କରତାଳୀ...... ।

 

ବାବୁଲୀରେ ! ଏ ମହାନ୍ ଅସୀମଦୃଶ୍ୟସଙ୍କୁଳ ବିଶ୍ୱରଙ୍ଗମଞ୍ଚେ ନାନାଦି ଘଟନ ଆଉ ଅଘଟନ ଭରା ଏ ଅସୀମ ପ୍ରହସନେ–ମୋ ଭାଗ୍ୟର ଏବଂବିଧ ଏକ ଦୃଶ୍ୟ ପଟେ, କା ମୁଁ ନାଚୁଆ ଥିବି ଏକା ମୁଁ ଦର୍ଶକ । ମୋ ଚିତ୍ତଗହନେ, ସମ୍ପୂର୍ଣ୍ଣ ଏକାନ୍ତଭାବେ ବୋଧଗମ୍ୟ ମୋର ଏହି ପ୍ରହସନ ଗୋଟି । ଏ ନାଟକ ଏକାନ୍ତ ମୋହର । ଅସଂଖ୍ୟ ଅନ୍ୟମନସ୍କ ଅବିଶ୍ୱାସୀ ବିରକ୍ତ ଦର୍ଶକ ଗୋଳମାଳ କରୁଥିବେ ବାହାରକୁ ଆସି । ଭିତରେ ମୁଁ ମାତ୍ର ଏକା ଥିବି, ଏକମାତ୍ର ରସବୋଦ୍‍ଧା । ପୁଣି ଏହି ନାଟକର ସ୍ୱୟଂ ମୁହିଁ ନିର୍ଦେଶକ ଆଉବି ସ୍ମାରକ–ନଟନଟୀ ନାନୀ ସୂତ୍ରଧର–ନାୟକ ନାୟିକା ଅବା ବ୍ରଜ ଶିଶୁଗଣ । ସବୁରି ଭିତରେ ପଶି ମୁହିଁ ଜାଣ ଝାଡ଼ୁଥିବି ବଚନିକା ସବୁ ଭୂମିକାରେ । କାରଣ–ମୁହିଁ କିନା ମୂଳରସ ଏହି ନାଟକର–ନାଟକଟି କୌତୁକ ସର୍ବସ୍ୱ ।

 

ବାବୁଲୀରେ ! ତୁମ୍ଭେମାନେ ରଙ୍ଗମଞ୍ଚେ ଥିବ । ଏହିପରି ଫାର୍ସ ଚାଲିଥିବ । ମୁଁ ତ ବସି ଦେଖୁଥିବି ମୋ ସମାଜ–

 

ଖୁବ୍ ଖୁବ୍ ହସୁଥିବି । ଖୁବ୍ ଖୁସୀ ହେଉଥିବି । ହସୁ ହସୁ କାନ୍ଦୁଥିବି–କାନ୍ଦୁ କାନ୍ଦୁ ପୁଣି ହସୁଥିବି । ହସୁଥିବି–କାନ୍ଦୁଥିବି–ପ୍ରାର୍ଥନାବି କରୁଥିବି–

 

ହେ କୌତୁକ-ସର୍ବସ୍ୱ-ପ୍ରଭୁ ! ବିରଚକ ଅନନ୍ତ ଫାର୍ସର ! ପରାତ୍ପର ପରମ ଜୋକର । ହେ ଗଭୀର ଅସଙ୍ଗତ ! ହେ ରାସକ ! ହେ ଅସଂଖ୍ୟ ବିଳାସକ, ଦୁର୍ମଳିକ ଅନନ୍ତ ଭାଣିକ ! ତୁମର ଏ ଉଦାର ବିଧାନେ ଏ ରସ-ପ୍ରପଞ୍ଚେ, ସାରା ପୃଥିବୀର ଭାଗ୍ୟେ, ଏହିଭଳି ଯାବତୀୟ ଅଘଟନ ବୋଧଗମ୍ୟ ହେଉ ପ୍ରଭୁ ସବୁରି ଚିତ୍ତରେ । ସବୁ ଚିତ୍ତ ବୁଝିପାରୁ–ଏ ପୃଥିବୀ ଯେତିକି ସାର୍ଥକ ବୋଲି ଆପାତତଃ ମନେହୁଏ–ଅସଲରେ କିନ୍ତୁ, ତା’ର ସବୁ ଅର୍ଥ ଏହିଭଳି ଅର୍ଥହୀନ ଘଟଣାରାଜୀରେ । କାରଣ ସାରା ବ୍ରହ୍ମାଣ୍ଡଟା ବ୍ରହ୍ମର ଅଣ୍ଡାରୁ ଜାତ ବୋଲି କିଏ ଭଲା ନ ଜାଣିଛି ?

Image

 

Unknown

ଗତଥର–ମୁଁ ମଲାପରେ

 

ପ୍ରଥମେ ଆସି ପହୁଞ୍ଚିଲେ ଯମଦୂତମାନେ । ହଁ–ପ୍ରଥମେ ସେହିମାନେ ଆସି ପହୁଞ୍ଚିଲେ, ଠିକ୍ ମୋର ହେକ୍‍କା ଉଠିବା ପରେ ପରେ–ମାନେ ଶେଷ ନିଃଶ୍ୱାସ ଛାଡ଼ିବା ପରେ ପରେ । ମୁଁ ତ ସେତେବେଳକୁ କ୍ରମଶଃ ଗୋଟାଏ ବିକଟ ଅନ୍ଧକାର ଆଡ଼କୁ ମୁହାଁଇ ଯାଉଥିଲି । ପ୍ରାୟ ଅଚେତଭଳି ମୁଁ ସେଇ ଅନ୍ଧାର ଭିତରେ ଲୀନ ହୋଇଯାଉଥିଲି । ମୋତେ ଗୋଟାଏ ଅସହାୟ ଆତଙ୍କ ଗ୍ରାସି ଯାଇଥିଲା । ମାତ୍ର ସେଇମାନେଇ ମୋତେ ପ୍ରଥମେ ସଚେତ କରାଇଲେ–ସେଇ ଯମଦୂତମାନେ । ସେମାନେ ଥିଲେ ସଂଖ୍ୟାରେ ମାତ୍ର ତିନିଜଣ । ଆମେ ପୁରାଣାଦିରେ ସେମାନଙ୍କ ଆକୃତି ସମ୍ୱନ୍ଧରେ ଯାହା ପଢ଼ିଛୁ ବା ଛବିରେ ଦେଖିଛୁ–ଅନେକଟା ପ୍ରକୃତରେ ସେମିତି ଚେହେରା । ପ୍ରତ୍ୟେକ ଯମଦୂତଙ୍କ ମୁଣ୍ଡରେ ଦୁଇଟା କରି ଶିଙ୍ଗ–ଆଖି ଦୁଇଟି ପେଚା ଆଖିପରି ଗୋଲଗାଲ–ଦାନ୍ତ ଟିକିଏ ବଡ଼ବଡ଼ ଓ ଦେହର ରଙ୍ଗ କଳା–ପୋଷାକ ମଧ୍ୟ କୃଷ୍ଣବର୍ଣ୍ଣର । ପ୍ରତ୍ୟେକଙ୍କ ହାତରେ ଥିଲା ଗୋଟିଏ ଲେଖା ଫାଶ ଓ ଠେଙ୍ଗୁଣିଟିଏ–ଯେମିତି ଆମର ପୋଲିସ କନେଷ୍ଟବଲମାନେ ଧରିଥାନ୍ତି । ସେମାନଙ୍କ ସ୍ପର୍ଶରେ ମୋର ଚେତା ଫେରି ଆସିବା ପରେ ମୁଁ ସେମାନଙ୍କୁ ଚାହିଁ ଦେଖିଲି । ଠିକ୍ ଶାସ୍ତ୍ରବର୍ଣ୍ଣିତ ଆକୃତିର ସେହି ଯମଦୂତମାନେ । ମାତ୍ର ଆଶ୍ଚର୍ଯ୍ୟ କଥା–ସେମାନଙ୍କର ଏହି ବିକୃତ ଚେହେରା ସତ୍ତ୍ୱେବି ମତେ ଭୟ ଲାଗି ନଥିଲା । ବରଂ ମୃତ୍ୟୁକାଳୀନ ସେହି ଭୟଙ୍କର ନିର୍ଜନ ନିସ୍ତବ୍ଧ ଘୋର ଅନ୍ଧକାର ଭିତରେ ସେମାନଙ୍କୁ ଦେଖି ମୁଁ ଟିକିଏ ଆଶ୍ୱସ୍ତ ହେଲି । ଯମଦୂତ ହେଲେବି ଓ ଏମାନଙ୍କର ଏହି ବିକୃତ ଚେହେରା ସତ୍ତ୍ୱେବି ସେମାନେ ଖୁବ୍ ଭଦ୍ରଲୋକ ବୋଲି ମୋର ମନେ ହେଲା । ମୁଁ ଯାହା ଆଗରୁ ଭାବିଥିଲି ଯେ ଯମଦୂତମାନେ ଖୁବ୍ ନୃଶଂସ ହୋଇଥିବେ ଓ ଅଭଦ୍ର ହୋଇଥିବେ–ଯଥାର୍ଥରେ କିନ୍ତୁ ସେମାନେ ତାହା ନ ଥିଲେ । ସେମାନେ ଥିଲେ ବରଂ ଖୁବ୍ ବିନୀତ, ଭଦ୍ର ଓ କର୍ତ୍ତବ୍ୟପରାୟଣ । ସେମାନେ ସାମାନ୍ୟ ମଦ୍ୟପାନ କରିଥିଲେ ବୋଲି ମୋର ଧାରଣା ହେଲା । ସେମାନଙ୍କ ପାଟିରୁ ନିର୍ଗତ ହେଉଥିବା ବାସ୍ନାରୁ ମୁଁ ଜାଣିଲି–ସେମାନେ କିଛି ଗୋଟାଏ ନିର୍ଦ୍ଦୋଷ କୋମଳ ସୁରାପାନ କରିଛନ୍ତି । ତଦ୍ଦ୍ୱାରା ସେମାନଙ୍କର ମିଜାଜ ବେଶ୍ ସ୍ନିଗ୍‍ଧ ଓ ପ୍ରୀତିକର ହୋଇଥିଲା ।

 

ସେମାନେ ମତେ ଦେଖିବାମାତ୍ରେ ଅଭିବାଦନ କଲେ ଓ ସାମାନ୍ୟ ବେକ ନୁଆଇଁ ଗୋଟାଏ ପରୱାନା ଦେଖାଇଲେ । ମୁଁ ଦେଖିଲି–ସେଥିରେ ମତେ ଗୋଟିଏ ଅଜଣା ଜାଗାକୁ ଯିବାଲାଗି ଆଦେଶ ଦିଆଯାଇଛି । ମୋତେ ସେହି ସ୍ଥିତାବସ୍ଥା ଖୁବ୍ ଖରାପ ଲାଗୁଥିଲା । ତେଣୁ ମୁଁ ସେମାନଙ୍କ ସଙ୍ଗେ ଯିବାଲାଗି ସ୍ୱଚ୍ଛନ୍ଦଭାବେ ସମ୍ମତି ଜଣାଇବାରୁ ସେମାନେ ତାଙ୍କର ଉଦ୍ୟତ ଫାଶଗୁଡ଼ିକୁ କାନ୍ଧରେ ଓହଳିଥିବା ଥଳିରେ ପୁରାଇ ଦେଲେ । ମୁଁ ସେମାନଙ୍କ ସାଙ୍ଗେ କିଛିବାଟ ଚାଲିଲି । ସେମାନେ ମୋତେ ଯେଉଁ ବାଟରେ ନେଲେ, ତାହା ପୁରାଣବର୍ଣ୍ଣିତ ବାଟ ସଙ୍ଗେ ଠିକ୍ ମିଳିଯାଉଥିଲେବି ବଞ୍ଚିଥିବାବେଳେ ସେ ବାଟ ଯେତେ ଦୁଃସହ ହେବ ବୋଲି ମୁଁ ଆଶଙ୍କା କରୁଥିଲି–ପ୍ରକୃତରେ ତାହା ଏତେ କଷ୍ଟକର ନଥିଲା । ଅହେତୁକୀ ଧୂଆଁ ଧୂଳି, କିଞ୍ଚିତ୍ ଦୁର୍ଗନ୍ଧ ଓ କର୍ଦ୍ଦମକୁ ମୁଁ ଖାତିରି କରୁ ନ ଥିଲି । ସେ ବାଟ ମଧ୍ୟ ବେଶିଦୂର ଯାଏଁ ଲମ୍ୱି ନଥିଲା । ଆମେ ଖୁବ୍ ଶୀଘ୍ର ସେ ରାସ୍ତା ଛାଡ଼ି ଚମତ୍କାର ବାୟବୀୟ ବା ଇଥରୀୟ ରାସ୍ତା ଧରିଲୁ । ଯମଦୂତମାନେ ଖୁବ୍ ବିନୀତ, ଭଦ୍ର ଓ ନୀରବ ବନ୍ଧୁଭଳି ମୋ ସଙ୍ଗେ ସଙ୍ଗେ ଚାଲିଥାନ୍ତି । ମୋତେ ଟିକିଏ ଶୋଷ ହେବାରୁ ମୁଁ ସେମାନଙ୍କୁ ପଚାରିଲି–ଟିକିଏ ପାଣି ମୋତେ ଦେଇପାରିବେ ? ସେମାନଙ୍କ ମଧ୍ୟରୁ ଜଣେ ଖୁବ୍ ଭାବାପନ୍ନ କଣ୍ଠରେ କହିଲେ–ଏଠି ଆମ୍ଭେମାନେ ପାଣି ପିଉନାହୁଁ । ମର୍ତ୍ତ୍ୟ ଜଗତର ଅନୁଗ୍ର ସୁରାଭଳି କିଛି ପାନୀୟ ଆମ୍ଭପାଖେ ଅଛି । ପିଇବେ କି ? ମୁଁ ଅତି ଆଗ୍ରହରେ ଓ ଆନନ୍ଦରେ ସେତକ ପାନକଲି । ଫଳରେ ମୁଁ ବେଶ୍ ଫୂର୍ତ୍ତି ଅନୁଭବ କଲି ଓ ମୋର ପରିବେଶ ମତେ ବେଶ୍ ପ୍ରୀତିପ୍ରଦ ମନେହେଲା ଏବଂ ଏକ ଦୁଃସାହସିକ ଅଭିଯାନ ଲାଗି ମୋ ଭିତରେ ଏକ ପ୍ରେରଣା ଜାତ ହେଲା । ତା’ ଛଡ଼ା ମୋ ପକ୍ଷରେ ଆଶ୍ୱାସନାର ବିଷୟ ହେଲା–ସଙ୍ଗୀ ଯମଦୂତମାନେ ଥିଲେ ଖୁବ୍ ସଞ୍ଜତବାକ୍, ଭଦ୍ର ଓ ସହାନୁଭୂତିଶୀଳ; ବନ୍ଧୁଭଳି ସେମାନେ ମୋ ସହିତ ବ୍ୟବହାର କରୁଥିଲେ । ପ୍ରଥମ କରି ସେମାନଙ୍କ ଆଡ଼ୁ ସେମାନେ ମୋତେ କୌଣସି ପ୍ରଶ୍ନ କରୁ ନ ଥିଲେ କିମ୍ୱା କିଛି ବାକ୍ୟାଳାପ ଆରମ୍ଭ କରୁ ନ ଥିଲେ । ମୋ ବିଷୟରେ ବା ମୋର ଅତୀତ ମର୍ତ୍ତ୍ୟ ଜୀବନ ସମ୍ୱନ୍ଧେ ସେମାନେ କିଛି ଅନଧିକାର କୌତୁହଳ ମଧ୍ୟ ପ୍ରକାଶ କରୁ ନ ଥିଲେ । କିନ୍ତୁ ମୁଁ ଯାହା ସେମାନଙ୍କୁ ପ୍ରଶ୍ନ କରୁଥିଲି, ସେମାନେ ଖୁବ୍ ଆନ୍ତରିକଭାବେ ଓ ଶାଳୀନତା ରକ୍ଷାକରି ସେ ସବୁର ଉତ୍ତର ଦେଉଥିଲେ ।

 

ଉଦାହରଣସ୍ୱରୂପ, ମୁଁ ପଚାରିଥିଲି–ଆପଣମାନଙ୍କର ଏ ରାଜ୍ୟରେ ସ୍ତ୍ରୀ ଲୋକମାନଙ୍କ ସ୍ୱଭାବ-ଚରିତ୍ର କିପରି ? କଳାନିପୁଣାସୁନ୍ଦରୀ, ରସବତୀ, ଚାତୁର୍ଯ୍ୟମୟୀ ନାରୀ ଏ ରାଜ୍ୟରେ ଅଛନ୍ତି କି ? ଯମଦୂତମାନଙ୍କ ମଧ୍ୟରୁ ଜଣେ ମତେ ଖଣ୍ଡିଏ ସିଗାରେଟ ଭଳି ଜିନିଷ ଦେଲେ ଓ ମୁଁ ତାହା ପାଟିରେ ପୁରାଇବାମାତ୍ରେ ଛାଆଁକୁ ଛାଆଁ ତା’ର ଅଗ୍ରଭାଗଟି ଜଳିଉଠିଲା । ମୁଁ ଆରାମ୍‍ରେ ସେହି ଧୂମପାନ କଲି ଏବଂ ସ୍ତ୍ରୀଲୋକ ସମ୍ପର୍କୀୟ ପ୍ରଶ୍ନଟିର ଉତ୍ତରଲାଗି ଅପେକ୍ଷା କରି ବାଟ ଚାଲିଲି । ସେମାନଙ୍କ ମଧ୍ୟରୁ ଜଣେ କହିଲେ–ଆମର ଏଠି ସବୁ ପ୍ରକାର ସ୍ତ୍ରୀଲୋକ ଅଛନ୍ତି । ସୁନ୍ଦରୀ, ଅସୁନ୍ଦରୀ, କଳିହୁଡ଼ୀ, ରସବତୀ, ପ୍ରଗଳ୍‍ଭା, ମିତଭାଷିଣୀ ଆଦି । କିନ୍ତୁ ଆପଣମାନଙ୍କ ମର୍ତ୍ତ୍ୟରେ ଯେମିତି ସତୀ ସାବିତ୍ରୀ ପତିବ୍ରତା ରମଣୀ ଅଛନ୍ତି ଓ ସ୍ୱାମୀଙ୍କୁ ଦେବତା ଭାବିବାଭଳି ଆଦର୍ଶ ରହିଛି, ଆମର ଏଠି ସେମିତି ନାହିଁ । ଯୌନବ୍ୟାପାରରେ ସମସ୍ତେ ଏଠି ସ୍ୱାଧୀନ, ଏବଂ ଜଣେ ଜଣକୁ ଦେବତା ବା ଦେବୀ ଭାବିବାର ବଦଭ୍ୟାସ ଏଠି ନାହିଁ ।

 

ପଚାରିଲି–ତାହେଲେ ତ ଏଠା ସମାଜରେ ବହୁ ବିଶୃଙ୍ଖଳା ଓ ବ୍ୟଭିଚାର ଦେଖାଯାଉଥିବ ? ସେମାନେ ଏକ ସ୍ୱରରେ କହିଲେ–ନା,–ତା’ ମଧ୍ୟ ଦେଖାଯାଏ ନାହିଁ । କାରଣ ସମସ୍ତେ ଏଠାରେ ସେ ବ୍ୟାପାରରେ ସ୍ୱାଧୀନ ହେଲେବି କେହି କାହାକୁ କୌଣସି ପ୍ରକାରେ ବାଧ୍ୟ କରନ୍ତି ନାହିଁ । ବାଧ୍ୟବାଧକତାରେ କ’ଣ ପ୍ରକୃତ ସୁଖ ମିଳେ ? ଆମର ଏଠି ସମସ୍ତେ ସୁଖ ଚାହାନ୍ତି ନା !

 

ମୁଁ ପଚାରିଲି–ମୁଁ ଶୁଣିଛି ଏଠି କୁଆଡ଼େ ଅସତୀ ନାରୀମାନଙ୍କୁ ତେଲ କଡ଼େଇରେ ପକାଇ ଭଜାଯାଏ ଓ ଅସତ୍ ପୁରୁଷମାନଙ୍କ ତଣ୍ଟିରେ ଗୋଟିଏ ଉତ୍ତପ୍ତ ଲୌହ ଶାବଳ ଭର୍ତ୍ତି କରାଯାଏ !

 

ଜଣେ ଯମଦୂତ କହିଲେ–ସେସବୁ ନରକପୁରୀରେ ଘଟିଥାଏ । ଯମଲୋକରେ ସେସବୁ ନାହିଁ । କାରଣ ଏଠି ପାପ ନାହିଁ କି ପୁଣ୍ୟ ନାହିଁ । ପୁରସ୍କାର ନାହିଁ କି ଦଣ୍ଡ ମଧ୍ୟ ନାହିଁ । ଏଠି ସମସ୍ତେ ନିଜ ନିଜ ବିଚାର-ବୁଦ୍ଧିକୁ ଅନୁସରଣ କରି ଚାଲନ୍ତି । ସେସବୁ ବ୍ୟବସ୍ଥାପତ୍ର ଏଠାରେ ମର୍ତ୍ତଲୋକଙ୍କ କର୍ମାକର୍ମର ବିଚାରକରି ଦିଆଯାଏ ଓ ତାହା ନରକପୁରୀରେ କାର୍ଯ୍ୟକାରୀ ହୁଏ ।

 

ଏହାପରେ ମୁଁ ସେମାନଙ୍କୁ ଆଉ କେତେକଥା ପଚାରିଥାନ୍ତି ଯଥା–ଏଠି ବାଇଗଣପଲେଇ ଆମ୍ୱ ମିଳେ କି ନା–ଭଲ ମିଠା ଲିଚୁ ଫଳ ମିଳେ କି ନା–ବା ଏଠି କେଉଁ ଧରଣର କବିତା ପଢ଼ିବାକୁ ଆଗ୍ରହ ବେଶି–କବିତା ଏଠି ଦୁର୍ବୋଧ୍ୟ ନା ସୁବୋଧ୍ୟ–ମାତ୍ର ସେସବୁ ପରେ ପଚାରିବି ଭାବି–ମୁଁ ଆଗ ପଚାରି ଦେଲି–

 

ମୋତେ ଆପଣମାନେ କୁଆଡ଼ିକି ନେଉଛନ୍ତି ? ନରକପୁରୀକୁ ନା ଆଉ କୁଆଡ଼େ ?

 

ସେମାନେ ସମସ୍ୱରରେ କହିଲେ–ନାଇଁ ଆଜ୍ଞା ! ଆମକୁ ସେ କଥା ଜ୍ଞାତବ୍ୟ ନାହିଁ । ଆମେ ଆପଣଙ୍କୁ ବର୍ତ୍ତମାନ ଯମରାଜାଙ୍କ ପାଖକୁ ନେଉଛୁ । ସେଠାରେ ଚିତ୍ରଗୁପ୍ତ ଅଛନ୍ତି । ସେ ଆପଣଙ୍କ ମର୍ତ୍ତ୍ୟଜୀବନର ଦୈନନ୍ଦିନ ହିସାବ ରଖିଛନ୍ତି । ତାହା ଦେଖି ସେ ଆପରଙ୍କୁ ସ୍ୱର୍ଗ ବା ନରକ ବା ଉଭୟଲୋକରେ କେତେଦିନ ରହିବାକୁ ହେବ ତାହା ସ୍ଥିର କରି ଆଦେଶ ଦେବେ । ଏ ଯମଲୋକରେ କିନ୍ତୁ ସେସବୁର କିଛି ଭୟ ନାହିଁ...ଆପଣ କିଛି ଖାଇବେ କି ? ନିଶ୍ଚୟ ଆପଣଙ୍କୁ ଭୋକ ହେବଣି ।

 

ସତକୁସତ ମୋତେ ଭୋଗ ହେଉଥିଲା । ମୋର ଶାଳୀନ ମୌନତା ଦେଖି ଥଳିରୁ ବାହାରକରି ସେମାନେ ମୋତେ ଗୋଟିଏ ପୁଡ଼ିଆ ଦେଲେ । ତା’ ଭିତରେ ଆମର ଛେନା ପୋଡ଼ପିଠାଭଳି ଗୋଟିଏ ସୁସ୍ୱାଦୁ ପିଷ୍ଟକ ଥିଲା । ମୁଁ ତାହା ଆନନ୍ଦରେ ଖାଇଲି । ତା’ପରେ ସେମାନେ ଗୋଟିଏ ବୋତଲ ଫିଟାଇ ମତେ ସୁସ୍ୱାଦୁ ପାନୀୟ କିଛି ଦେଲେ । ତାହା ପାନ କରିସାରିବା ପରେ ମତେ ଖୁବ୍ ଫୂର୍ତ୍ତି ଓ ସତେଜ ବୋଧ ହେଲା । ନିକଟରେ ଅଶ୍ୱତ୍‍ଥ ଗଛଭଳି ଗୋଟିଏ ଛାୟା-ବୃକ୍ଷ ଦେଖାଯାଉଥିଲା । ମୁଁ ଭାବିଲି–ଏହା ମୂଳେ କିଛି ସମୟ ବସି ଟିକିଏ ଆରାମ କଲେ ଭଲ ହୁଅନ୍ତା ! ମାତ୍ର ମୁଁ ସେ ପ୍ରସ୍ତାବ ଦିଅନ୍ତେ, ଜଣେ ଯମଦୂତ ଖୁବ୍ ବିନୟ ଦେଖାଇ କହିଲେ–ଆଜ୍ଞା ! ଆମ୍ଭେମାନେ ବଡ଼ ଦୁଃଖିତ । ଆପଣଙ୍କୁ ଟିକିଏ ଆରାମ ବା ସୁଖ ଦେଇପାରିଲେ ଆମ୍ଭେମାନେ ଖୁବ୍ ସୁଖୀ ହୋଇ ପାରନ୍ତୁ । ମାତ୍ର ଗୋଟିଏ ମୁହୂର୍ତ୍ତ ସମୟ ମଧ୍ୟ ବାଟରେ ଖର୍ଚ୍ଚ କରିବାର ଅଧିକାର ଆମର ନାଇଁ । ଯମଦେବଙ୍କର ହେଲେ ଟିକିଏ ଦୟାମାୟା ଅଛି, ମାତ୍ର ଚିତ୍ରଗୁପ୍ତ ସମୟାଦି ବ୍ୟାପାରରେ ଖୁବ୍ କଡ଼ାନଜର । ବରଂ ଆପଣ ଆମ ଭିତରୁ ଜଣଙ୍କ କାନ୍ଧରେ ବସନ୍ତୁ ।

 

ଜଣେ ତଳେ ବସିପଡ଼ି କାନ୍ଧ ଦେଖାଇ ଦେଲେ । ମାତ୍ର ମୁଁ ଏହି ବିବେକୀ, ଭଦ୍ର, ସହାନୁଭୂତିଶୀଳ, କର୍ତ୍ତବ୍ୟପରାୟଣ ବନ୍ଧୁସଦୃଶ ଯମଦୂତମାନଙ୍କ କାନ୍ଧରେ ବସିବାକୁ ଇଚ୍ଛା କଲି ନାହିଁ । ମୁଁ କହିଲି–ଧନ୍ୟବାଦ ବନ୍ଧୁଗଣ ! କିଛି ଚିନ୍ତା ନାହିଁ, ଚାଲନ୍ତୁ । ଆପଣମାନଙ୍କର ସଙ୍ଗସୁଖ ମୋର ସମସ୍ତ କ୍ଳାନ୍ତି ଦୂର କରିଦେଲାଣି । ଆଉ ଭଲା କେତେବାଟ ଅଛି ଯମରାଜାଙ୍କର ରାଜଧାନୀ-!

 

ଖୁବ୍ କମ୍ ବାଟ ଆଜ୍ଞା । ଏଇ ଯେ ରକ୍ତବର୍ଣ୍ଣର ଆଲୋକ ଦୂର ଦିଗ୍‍ବଳୟରେ ଦେଖାଯାଉଛି–ତାହାହିଁ ଯମପୁରର ସଙ୍କେତାଲୋକ ।

 

ପୁନଶ୍ଚ ଆମ୍ଭେମାନେ ଉତ୍ସାହର ସହିତ ଚାଲିଲୁ । କିଛିବାଟ ଯାଇଛୁ କି ନାହିଁ–ହଠାତ ମହାକୋଳାହଳ ଆମର ପଶ୍ଚାତ୍‍ଭାଗରୁ ଶୁଣି ଆମେ ପଛକୁ ଫେରି ଚାହିଁଲୁ । ଏମାନେ ସବୁ କିଏ-? ଶତାଧିକ ବ୍ୟକ୍ତି–ଗୈରିକବସନ ପରିହିତ ଝାଞ୍ଜ, ମୃଦଙ୍ଗ ବାଡ଼ାଇ ଓ ଉଚ୍ଚକିତ କୋଳାହଳ କରି, ଅତି ଉନ୍ମତ୍ତ ହୋଇ, ବାନା ବୈରଖ ଉଡ଼ାଇ, ଆମ ଆଡ଼କୁ ମାଡ଼ି ଆସୁଛନ୍ତି । ସେମାନଙ୍କର ବିକଟ ହରିବୋଲ ନାଦରେ ଗଗନ ପବନ କମ୍ପିତ ହେଉଅଛି । ସେମାନେ ପ୍ରଚୁର ଭାଙ୍ଗ ବା ଗଂଜିକା ସେବନ କଲାଭଳି ଜଣା ପଡ଼ୁଥିଲେ । ସେମାନଙ୍କର ଉଦ୍ଦଣ୍ଡ ନୃତ୍ୟ, ଗର୍ବିତ ପଦକ୍ଷେପ ଓ ଅଶ୍ଳୀଳ ଚିତ୍କାରରେ ହରିଧ୍ୱନି ଶୁଣି ମୁଁ ବଡ଼ ଆଶ୍ୱସ୍ତି ଅନୁଭବ କଲି । ସେମାନଙ୍କର ଏହି ବିକଟ ହରିଶବ୍ଦ ଶୁଣି ମୋର ମନେ ପଡ଼ିଗଲା–ମର୍ତ୍ତ୍ୟଭୂମିରେ ମଡ଼ାଟିଏ କୋକେଇରେ ବାନ୍ଧି, ପ୍ରଚୁର ଦେଶୀମଦ ପାନ କରି ଉନ୍ମତ୍ତ, ଉଦ୍ଦଣ୍ଡ, ଅଭଦ୍ର, ଅଶ୍ଳୀଳ, ବିହୃଦ ଓ ସ୍ଥୂଳବୁଦ୍ଧି ମାଲଭାଇମାନେ ତାଳବେତାଳ କରି ଯେମିତି ତୁମୁଳ ସ୍ୱରରେ ‘‘ରାମନାମ ସତ୍ୟ ହେୟ’’–’’ହରି ନାମ ସତ୍ୟ ହେୟ’’ ବୋଲି ଅଶ୍ରାବ୍ୟ ରଡ଼ି ଛାଡ଼ି ରାତ୍ରିର ଶାନ୍ତ ଅନ୍ଧକାରକୁ ବିଦୀର୍ଣ୍ଣ କରି ଚାଲିଥାନ୍ତି ଓ ଜ୍ୟୋତ୍ସ୍ନାରାତ୍ରିର ମଧୁର ସ୍ନିଗ୍‍ଧତାକୁ ବିମତ୍‍ଥିତ କରି ଚାଲିଥାନ୍ତି । ମତେ ରାମ, କୃଷ୍ଣ ଓ ହରି ଶବ୍ଦ ଖୁବ୍ ମଧୁର ଲାଗେ ଶୁଣିବାକୁ । ମାତ୍ର ମହୁ ମିଠା ବୋଲି କେହି ଯଦି ବୀଭତ୍ସଭାବେ ଟକମକ ହୋଇ ଫୁଟୁଥିବା ମହୁକୁ ଆପଣଙ୍କ ପାଟିରେ ବା କାନରେ ଜବରଦସ୍ତ ଢାଳିଦିଏ–ଆପଣଙ୍କୁ ତାହା କିପରି ଲାଗିବ ? ମୁଁ ଚିରଦିନ ନୀରବ ଶବଯାତ୍ରାକୁ ପସନ୍ଦ କରିଥାଏଁ ଏବଂ ପ୍ରତ୍ୟେକର କଥାବାର୍ତ୍ତା ସଙ୍ଗୀତ ଭଳି ଓ ଚାଲିଚଳନ ନୃତ୍ୟଭଳି ହେଉ ବୋଲି କାମନା କରିଥାଏଁ । ତେଣୁ ଏହି ବିକଟ ଅଶ୍ଳୀଳ ଚିତ୍କାର-ରତ ଶତାଧିକ ବ୍ୟକ୍ତି କାହିଁକି ଆମ ପଛେ ପଛେ ଆସୁଛନ୍ତି ଜାଣି ନପାରି, ମୋର ବନ୍ଧୁ ସଦୃଶ ଯମଦୂତମାନଙ୍କୁ ପଚାରିଲି–କଥା କ’ଣ ବନ୍ଧୁଗଣ ? ଏହି ପାଣ୍ଡବମାନେ କିଏ ?

 

ମାତ୍ର ତିନିଜଣଯାକ ଯମଦୂତ ସ୍ତମ୍ଭିତ ହୋଇ ଠିଆ ହୋଇଗଲେ । ଜଣେ ଖୁବ୍ ଗମ୍ଭୀର ଓ ଶୋଚନାଗ୍ରସ୍ତ କଣ୍ଠରେ କହିଲେ–ଏମାନେ ହେଉଛନ୍ତି ବିଷ୍ଣୁଦୂତଗଣ । ଯମଲୋକ ଉପରେ ମଝିରେ ମଝିରେ ଏମାନଙ୍କର ଯେଉଁ ଉପଦ୍ରବ ହୁଏ ତାହା ଅକଥନୀୟ । ଏମାନେ ଏତେ ବଳପୂର୍ବା ଯେ ଚନ୍ଦ୍ର ସୂର୍ଯ୍ୟ ମଧ୍ୟ ଏମାନଙ୍କୁ କିଞ୍ଚିତ୍ ମାତ୍ର । ଏମାନେ ବିଷ୍ଣୁଙ୍କ ଦୂତ ହୋଇଥିବାରୁ ସର୍ବଦା ଅବିବେକୀ, ବଳପୂର୍ବା, ପ୍ରମତ୍ତା, ଅଭଦ୍ର, ଆଉ ଅଶ୍ଳୀଳ ।

 

ମୁଁ ବିରକ୍ତିର ସହିତ ପଚାରିଲି–ଏମାନେ ବର୍ତ୍ତମାନ କାହିଁକି ଆମର ପିଚ୍ଛା ଧରିଛନ୍ତି ? ଆମେ କି ଦୋଷ କରିଛୁ କି ?

 

ଆପଣଙ୍କ ସକାଶେ ନିଶ୍ଚୟ । ବୋଧହୁଏ ଆପଣ ମର୍ତ୍ତ୍ୟପୁରରେ ଖୁବ୍ ହରିଭକ୍ତିପରାୟଣ ଥିଲେ । ଆପଣଙ୍କର ମର୍ତ୍ତ୍ୟଲୀଳା ସାଙ୍ଗ ହେଲାପରେ ଏମାନେ ଆପଣଙ୍କୁ ଧରି ଆସିବା କଥା । କେଜାଣି ଘଟନା କ’ଣ ହୋଇଥିବ ! ମାତ୍ର ଆମେ ଯମରାଜାଙ୍କ ଆଦେଶରେ ଆସିଛୁ । ଆମର ବା ଦୋଷ କ’ଣ ? ବିଷ୍ଣୁ ହେଉଛନ୍ତି ଦେବାଧିରାଜ ସ୍ୱୟଂ ଭଗବାନ୍ । ଆମର ଯମରାଜ ତାଙ୍କ ଅଧୀନସ୍ଥ ଜଣେ ଶକ୍ତିଶାଳୀ ଦେବତା ମାତ୍ର । ଆମ୍ଭେମାନେ ପୁଣି ହେଲୁ ତାଙ୍କର ସାମାନ୍ୟ ବୃତ୍ତିଧାରୀ ଭୃତ୍ୟ । ପ୍ରଭୁଙ୍କ ଆଦେଶପାଳନ ଆମର ଶିରୋଧାର୍ଯ୍ୟ ।

 

ମୁଁ ପଚାରିଲି–ସେମାନେ କ’ଣ ବିଷ୍ଣୁଙ୍କ ଆଦେଶ ବା କିଛି ସନ୍ତକ ସମ୍ୱଳିତ ପରୱାନା ନେଇ ଏଠାକୁ ଆସୁଛନ୍ତି ?

 

ସେ କଥା କିଏ ଜାଣେ ଆଜ୍ଞା ? ବିଷ୍ଣୁ ଭଗବାନ୍‍ଙ୍କର କିଛି ଠିକ୍ ଠିକଣା ଅଛି–ନା କେବେ ଥାଏ ? ତାଙ୍କ ଶାସନ ବ୍ୟବସ୍ଥାରେବି କ’ଣ କିଛି ଶୃଙ୍ଖଳା ଥାଏ କୋଉଦିନ ? ବିଷ୍ଣୁଦେବ ସ୍ୱୟଂ ହୁଏତ କେଉଁ କ୍ଷୀର ସମୁଦ୍ରରେ ନିଘୋଡ଼ ଯୋଗନିଦ୍ରାରେ ଅଚେତନ ତ କେତେବେଳେ ପୃଥିବୀରେ ଅବତାର ହୋଇ ଧର୍ମପାଳନ ଓ ଅଧର୍ମ ବିନାଶରେ ରତ ହେବେଣି । ବିଷ୍ଣୁଲୋକ ବା ଗୋଲକରେ ସେ ରହନ୍ତି କେତେକ୍ଷଣ ଯେ ସବୁକଥା ସେଠି ଠିକ୍ ଠିକ୍ ଚାଲିବ ? ଆମର ଯମରାଜା କିନ୍ତୁ ଗୋଟିଏ ମୁହୂର୍ତ୍ତବି ତାଙ୍କ ସିଂହାସନରୁ ଉଠନ୍ତି ନାହିଁ । ବିଷ୍ଣୁ ଯଦି ନିଜ ପୁରୀରେ ନ ରହିଲେ ତେବେ ତାଙ୍କ ଶାସନ ବ୍ୟବସ୍ଥା ଯାହା ଯେମିତି ଚାଲୁଥିବ ତା’ ଆପଣ ଅନୁମାନ କରନ୍ତୁ । ପ୍ରଚୁର ଅମୃତ, ପ୍ରଚୁର କ୍ଷମତା, ପ୍ରଚୁର ପ୍ରଭୁତ୍ୱ, ପ୍ରଚୁର ଭକ୍ତ ଓ ଉପାସକ, ପ୍ରଚୁର ଅବସର, ପ୍ରଚୁର ଲୋକ, ପ୍ରଚୁର ସ୍ୱାଧୀନତା ଓ ପ୍ରଚୁର ଯଥେଚ୍ଛାଚାର–ଏଇହେଲା ଅବସ୍ଥା ମୋଟାମୋଟି ବିଷ୍ଣୁଲୋକର । ଦେଖନ୍ତୁ ଆପଣ ମଲେଣି କେତେବେଳୁ–ଆଉ ଏମାନେ–ଏଇ ବିଷ୍ଣୁଦୂତମାନେ ଭଲା କେଉଁଠି ଥିଲେ ଏତେବେଳଯାଏଁ ?

 

କୋଉଠି ଥିଲେ ? ମୁଁ ସଂତ୍ରସ୍ତ ହୋଇ ପଚାରି ଦେଲି ।

 

କୋଉଠି କ’ଣ ଥିଲେ ? ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଅର୍ପିତ ପ୍ରଚୁର ଭୋଗରାଗ ଖାଇ, ଅମୃତ ଓ ସୋମରସାଦି ଆକଣ୍ଠ ପାନ କରି–ଗଞ୍ଜକା ଓ ଭାଙ୍ଗ ଇତ୍ୟାଦି ମନଇଚ୍ଛା ସେବନ କରି ଉନ୍ମତ୍ତ ହୋଇ ସଂକୀର୍ତ୍ତନ କରୁ କରୁ ମୂର୍ଛାହୋଇ ଶୋଇ ପଡ଼ିଥିବେ ଆଉ କ’ଣ ? ନାରଦଙ୍କ ଭଳି କେହି ଜଣେ ତାଙ୍କୁ ନଉଠାଇଲେ, ନଚେତାଇଲେ କ’ଣ ସେମାନେ ଉଠନ୍ତି ? ସେମାନଙ୍କ ଭିତରେ ଏଇ ନାରଦ ମହର୍ଷିଟି ବେଶ୍ ଭଦ୍ରଲୋକ । ଅତନ୍ଦ୍ର ଆଉ ବିବେକୀ ବ୍ୟକ୍ତି । ଘଟନାମାନଙ୍କୁ ବୁଝନ୍ତି । ସେଗୁଡ଼ିକର ଯୋଗାଯୋଗ ରକ୍ଷା କରନ୍ତି । ଫଳାଫଳ ନିର୍ଣ୍ଣୟ କରନ୍ତି । ତିନିପୁରଯାକ ଘୂରୁଥାନ୍ତି । ତାଙ୍କ ଯୋଗୁଁ ଜାଣ ବିଷ୍ଣୁଦେବଙ୍କର କିଛି ମର୍ଯ୍ୟାଦା ରକ୍ଷା ହେଉଛି । ନହେଲେ, ଏଇସବୁ ବିଷ୍ଣୁଭୃତ୍ୟ ଆଉ ଭକ୍ତଗଣ, ମହାବିଷ୍ଣୁଙ୍କ ମହିମା ମଳିନ କରିବାରେ ଗୋଟାଏ ଗୋଟାଏ ଜନ୍ତୁ । ସେମାନଙ୍କୁ ଲଗା ଅଛି ନା ପଘା ଅଛି ? ଦେଖନ୍ତୁ ଆଜ୍ଞା ! ଆମ୍ଭମାନଙ୍କୁ ଟିକିଏ ଚଞ୍ଚଳ ପାଦ ଚାଲିବାକୁ ହେବ ।

 

କାହିଁକି ? ମୁଁ ପଚାରିଲି ।

 

କାରଣ, ସେମାନେ ଆମକୁ ପାଇଲେ ଆପଣଙ୍କୁ ଆମଠାରୁ ଛଡ଼ାଇ ନେବାକୁ ହାମଲା ଆରମ୍ଭ କରିଦେବେ । ଦେଖନ୍ତୁ ଆଜ୍ଞା ! ଗୋଟେ କଥା ବିଚାର କରନ୍ତୁ–ଆପଣଙ୍କଭଳି ଜଣେ ଭଦ୍ରଲୋକଙ୍କ ଆତ୍ମାକୁ ସେପୁରରୁ ଏପୁରକୁ ଆଣିବାଲାଗି ଯମରାଜ ଆମଭଳି ମାତ୍ର ତିନିଜଣଙ୍କୁ ପଠାଇଥିବାସ୍ଥଳେ–ତେଣେ ଦେଖନ୍ତୁ–ପ୍ରାୟ ଶତାଧିକ ବିଷ୍ଣୁଦୂତ ସେ ଉଦ୍ଦେଶ୍ୟରେ ଆସିବା ଦରକାର ବା କ’ଣ ? କିନ୍ତୁ ସେମାନେ ଏହିପରି ସଂଖ୍ୟାରେ ବହୁତ କ୍ଷମତାରେ ବହୁତ । ଅପଚୟ ଓ ଅପବ୍ୟବହାରରେବି ବହୁତ । କୌଣସି ନିୟମ ଶୃଙ୍ଖଳା ବା ସଂଯମର ଧାର ଧାରନ୍ତି ସେମାନେ-? ଯମଲୋକର ନିୟମ ଶୃଙ୍ଖଳା କିନ୍ତୁ ଖୁବ୍ କଡ଼ାକଡ଼ି । ସବୁ ଏଠି ସଂଯତ, ପରିମିତ, ବିଚାର ସମ୍ମତ, ଯୁକ୍ତି ସମ୍ମତ ଓ ସମୟ ସମ୍ମତ । ଆଜ୍ଞା–କ୍ଷମା କରିବେ–ଟିକିଏ ଚଞ୍ଚଳ ଚଞ୍ଚଳ ପାଦ ପକାନ୍ତୁ-

 

ମୁଁ ପ୍ରକୃତରେ ଖୁବ୍ ଚଞ୍ଚଳ ହୋଇ ଉଠିଲି । କାରଣ ମୋ ପଛର ସେହି ବିକଟ କୋଳାହଳ ଖୁବ୍ ନିକଟତର ହୋଇ ଆସୁଥିଲା ଏବଂ କହିବା ବାହୁଲ୍ୟ–ସେମାନଙ୍କ ପ୍ରତି ମୋର ଅନ୍ତର ଘୃଣାରେ ପୂରି ଉଠୁଥିଲା; କିନ୍ତୁ ଆମେ ଯେତେ ଚଞ୍ଚଳ ପାଦ ପକାଇଲେବି କୋଳାହଳମୁଖର ଶତସଂଖ୍ୟକ ବିଷ୍ଣୁଦୂତ ଉନ୍ମତ୍ତ ପଦକ୍ଷେପରେ ଆମକୁ ଯଥାଶୀଘ୍ର ଘେରାଉ କରିଦେଲେ ଏବଂ ସାମାନ୍ୟ ମାତ୍ର ସୌଜନ୍ୟ ବା ସଂଯମ ନ ଦେଖାଇ ତିନିଜଣ ଭଦ୍ର ଯମଦୂତଙ୍କୁ ଧକ୍‍କା ମାରି ତଳେ ପକାଇ ଦେଲେ ଏବଂ ବହକାଲିଆ ପଣରେ ମୋତେ ଭିଡ଼ି ନେଇ ଗୋଟାଏ ବିରାଟ ରୁଦ୍ରାକ୍ଷମାଳ ପରି ରୁକ୍ଷମାଳ ମୋ ବେକରେ ପକାଇ ମୋତେ କିଛି ନ କହି, ମୋର ଅଭିମତ ପ୍ରତି ଭ୍ରୂକ୍ଷେପ ନ କରି, ଗୋଟିଏ ପୁଷ୍ପାଚ୍ଛାଦିତ ବିମାନ ଭିତରକୁ ଶୂନ୍ୟେ ଶୂନ୍ୟେ ଟେକିନେଲେ । ସେମାନଙ୍କ ଘୋଷଡ଼ା ଘୋଷଡ଼ିରେ ମୁଁ ବିବ୍ରତ ହୋଇଗଲି । ସେମାନଙ୍କ ହରିବୋଲ ଶବ୍ଦରେ ମୋର କର୍ଣ୍ଣପଟ୍ଟହ ଫାଟିଯିବା ଭଳି ବୋଧ ହେଲା । ମୁଁ ତାଙ୍କ ଭିତରୁ ଜଣେ ମୁଖିଆଙ୍କୁ ପାଖକୁ ଡାକିଲି–ପଚାରିଲି–ମୋତେ ଆପଣମାନେ କୁଆଡ଼େ ନେଉଛନ୍ତି ?

 

ସେ ମୋ କାନ ପାଖକୁ ପାଟି ଆଣି ଗୋଟାଏ ତୁମୁଳ ବିକଟ ଆବାଜରେ ହରିଧ୍ୱନି କରି କହିଲେ–ଯମଦେବଙ୍କ ଦରବାରକୁ ! ଏତିକି କହିଦେଇ ସେ ମୋ ଉତ୍ତରକୁ ଅପେକ୍ଷା ନ କରି ପାଗଳା ବିଲୁଆ ଭଳି ହରିବୋଲ ହରିବୋଲ ବୋଲି ଚିତ୍କାର କରି କରି ନୃତ୍ୟ ଆରମ୍ଭ କରିଦେଲେ-। ମୁଁ ତାଙ୍କୁ ଜବରସ୍ତି ମୋ ପାଖକୁ ଟାଣି ଆଣି କହିଲି ଦେଖନ୍ତୁ– ! ମୁଁ ମଧ୍ୟ ସେଇଠିକି ଯାଉଥିଲି ମୋର ତିନିଜଣ ବନ୍ଧୁଙ୍କ ସାଙ୍ଗରେ । ଆପଣମାନେ ସେମାନଙ୍କୁ ଏପରି ଧକ୍‍କା ମାରି ତଳେ ପକାଇ ମୋତେ ଏ ଧତଡ଼ା ଶକଟରେ ବସାଇ ନେଉଛନ୍ତି କାହିଁକି ? ମୁଁ ତ ସେମାନଙ୍କ ସଙ୍ଗେ ବଡ଼ ସ୍ୱଚ୍ଛନ୍ଦରେ ଯାଉଥିଲି ।

 

ଆଉଜଣେ ମୁଖିଆ ବିଷ୍ଣୁଦୂତ ଖୁବ୍ ଗର୍ବର ସହିତ ଉଚ୍ଚପାଟିରେ କହିଲେ–ଆପଣ ଜଣେ ବିଷ୍ଣୁଭକ୍ତ । ଆପଣଙ୍କୁ ଯମଦୂତମାନେ ଚମ ଦଉଡ଼ିରେ ବାନ୍ଧିକରି ନେବେ ? ଆମେ ପୁଣି ଏ କଥା ସହିବୁ ?

 

ପ୍ରତିବାଦ ସ୍ୱରରେ ମୁଁ କହିଲି–ସେମାନେ ମୋତେ ଆଦୌ ବାନ୍ଧି ନାହାନ୍ତି । ବରଂ ଆପଣମାନେ ଗୋଟାଏ କର୍କଶ ବସ୍ତୁର ମାଳା ମୋ ବେକରେ ପକାଇ ମତେ ବିରକ୍ତ କରୁଛନ୍ତି ।

 

ମୁଖପାତ୍ର ଆହୁରି ଜୋର୍‍ରେ ଚିତ୍କାର କରି କହିଲେ ଆପଣ ପୁଣି ଚାଲି ଚାଲି ଯିବେ ? ବିଷ୍ଣୁଭକ୍ତମାନଙ୍କର ମହାନ୍ ଆତ୍ମା ଦିବ୍ୟ ରଥରେ ବସି ଯିବା କଥା ।

 

ମୁଁ କହିଲି–ଦେଖନ୍ତୁ : ଆପଣ ଏଇ ଯେଉଁ ଜୀର୍ଣ୍ଣ ଅସ୍ୱାଚ୍ଛନ୍ଦ୍ୟଜନକ ରଥଟି ଆଣିଛନ୍ତି–ଏଥିରେ ଯେତେ ଫୁଲ ବିଛାଇଲେ ମଧ୍ୟ ମୁଁ ଅଣନିଃଶ୍ୱାସୀ ହୋଇପଡ଼ୁଛି । ଇହଲୀଳା ସାଙ୍ଗ ହେଲା ପରେ ମୋପରି ଜଣେ ଭଦ୍ରମଣିଷ ପକ୍ଷରେ ମାତ୍ର ତିନିଜଣ ଭଦ୍ର ବନ୍ଧୁ ସଦୃଶ ଦୂତଙ୍କ ସଙ୍ଗେ ପରଲୋକରେ ଚାଲି ଚାଲି ଯିବାଠାରୁ ଆରାମଦାୟକ ବ୍ୟବସ୍ଥା ଆଉ କିଛି ହୋଇ ନ ପାରେ । ଏଠାରେ ବାୟୁ ଖୁବ୍ ହାଲୁକା । ବାୟୁ ଚାପ ଖୁବ୍ ଲଘୁ । ପଦକ୍ଷେପମାନ ଉଡ଼ିଲା ଭଳି ଲାଗୁଛି । ଗୋଟିଏ ପଦକ୍ଷେପରେ ଗୋଟାଏ ଗୋଟାଏ ଯୋଜନ ଯାଇ ହେଉଛି । ତା’ ଛଡ଼ା ମୋର ସେହି ଓଜନିଆ ସ୍ଥୂଳ ଦେହଟି ମଧ୍ୟ ଆଉ ନାହିଁ । ଏପରି ସ୍ଥଳେ ଏଠି ଏମିତି ଗୋଟେ ଅଖଞ୍ଜଆ ବିମାନ ବା ରଥ ସାଙ୍ଗେ ଶତାଧିକ ଦୂତମାନଙ୍କର ଆବଶ୍ୟକତା ବା କ’ଣ ? ତା’ ଛଡ଼ା ଏତେ କୋଳାହଳ ମଧ୍ୟ କାହିଁକି ?

 

ମୁଖପାତ୍ରଙ୍କୁ କହିବାକୁ ନ ଦେଇ ଆଉଜଣେ ବିଷ୍ଣୁଦୂତ ବଡ଼ ବହକାଲିଆ ପଣରେ କହିଲେ–ଦିବ୍ୟରଥ ଦଦରା ହେଲେବି ଏହା କେବେ ମରାମତି ହୁଏ ନାହିଁ । କାରଣ ଏହା କେବେ ଭାଙ୍ଗିବ ନାହିଁ ବା ଅଚଳ ହୋଇ ବାଟରେ ଅଟକି ଯିବ ନାହିଁ । ଏହା ସନାତନ ନିୟମରେ ପରିଚାଳିତ । ସେ ସମ୍ୱନ୍ଧେ ଆପଣ ନିଶ୍ଚିନ୍ତ ଥାନ୍ତୁ । ଆଉ କୋଳାହଳ ହେଉଛି ବୋଲି ଆପଣ କାହାକୁ କହୁଛନ୍ତି ? ବିଷ୍ଣୁ ଭକ୍ତମାନେ ସର୍ବଦା ହରିନାମ ଶୁଣିବାକୁ ଭଲପାନ୍ତି । ସେଥିପାଇଁ ଅହରହଃ ଆମ୍ଭମାନଙ୍କୁ ହରିନାମ କରିବାକୁ ପଡ଼େ । ଆପଣ ଜଣେ ବିଷ୍ଣୁଭକ୍ତ ହୋଇ କିପରି ଏ କଥା କହୁଛନ୍ତି ? ଏହା ବଡ଼ ଲଜ୍ଜାର କଥା । କାହିଁ ପୃଥିବୀରୁ ଏତେ ବିଷ୍ଣୁଭକ୍ତଙ୍କୁ ଆମେ ନେବା ଆଣିବା କରିଛୁ–କେହିତ ଏମିତି ଆପଣଙ୍କ ପରି ପ୍ରତିବାଦ ବା ନିନ୍ଦାବାଦ କରନ୍ତି ନାହିଁ । ଛି-ଛି-ଛି ।

 

ମୁଁ କହିଲି–ଦେଖନ୍ତୁ ମହାଶୟଗଣ ! ମର୍ତ୍ତ୍ୟପୁରରେ ମୁଁ କାହାର ଭକ୍ତ ହୋଇଥିଲା ପରି ମୋର ମନେ ହେଉନାହିଁ; ବିଷ୍ଣୁଙ୍କର ତ ନିଶ୍ଚୟ ନୁହେଁ, ବ୍ରହ୍ମାଙ୍କର ନୁହ, ମହେଶ୍ୱରଙ୍କରବି ନୁହେଁ । ଆଶ୍ଚର୍ଯ୍ୟର କଥା, ଆପଣମାନେ କିପରି ଗୋଟାଏ ଭୁଲ୍ ଖବର ନେଇ ପୁଣି ଏତେ ବିଳମ୍ୱରେ ମୋ ପାଖରେ ଆସି ଅଧା ବାଟରେ ମତେ ଏତେ ହଲାପଟା କରୁଛନ୍ତି ! ମୋତେ ଛାଡ଼ନ୍ତୁ, ମୁଁ ମୋର ତିନିଜଣ ବନ୍ଧୁ ଯମଦୂତଙ୍କ ସଙ୍ଗେ ଚାଲି ଚାଲି ଯମରାଜାଙ୍କ ପାଖକୁ ଯିବି । ମୋତେ ଏ କୋଳାହଳ ଏ ବାଡ଼ାବାଡ଼ି ଭଲ ଲାଗୁନି ।

 

ଆଉ ଜଣେ ବିଷ୍ଣୁଦୂତ ପୂର୍ବରୁ ଦୁଇଜଣଙ୍କୁ ପଛକୁ ପେଲିଦେଇ ମୋ ପାଖକୁ ଆସି କହିଲେ–ବିଳମ୍ୱ କ’ଣ ହେଲା ମହାଶୟ ! ଆମେ ଶହେ ବିଷ୍ଣୁଭକ୍ତ ଆସିବୁ । ସମସ୍ତଙ୍କୁ ଡକାଡ଼କି କରି ଏକଜୁଟ କରିବା କ’ଣ କମ୍ କଷ୍ଟ ? ପୁଣି ରୁଦ୍ରାକ୍ଷ ମାଳା ଖୋଜା ହେବ–ଫୁଲମାନ ତୋଳା ହେବ, ବିମାନ ଖୋଜାଖୋଜି କରି ଆଣି ସଜେଇବାକୁ ପଡ଼ିବ–କିଛି ସମୟ ସଂକୀର୍ତ୍ତନ ହେବ, ଗୋଟାଏ ବିରାଟ ମହୋତ୍ସବ ହେବ, ଗୋଟାଏ ଶୋଭାଯାତ୍ରା ବାହାରିବ; ତା’ପରେ ଯାଇ ଆମ୍ଭେମାନେ ବିଷ୍ଣୁଭକ୍ତଙ୍କର ମହାନ୍ ଆତ୍ମାକୁ ଆଣିବାକୁ ଯିବୁ । ଆମେ ତ ଆଉ ଯମଦୂତ ନୋହୁଁ ଯେ ଶେଷ ନିଃଶ୍ୱାସ ଛାଡ଼ିଛି କି ନାହିଁ–ଦି’ ତିନିଜଣ ଧାଇଁଯାଇ ଚମ ଦଉଡ଼ିଟେ ମହାତ୍ମା ଗଳାରେ ପକାଇ ଘୋଷାଡ଼ି ଆଣିବୁ ? ହେଁ–ହେଁ–ହେଁ । (ସେ ହସିଲେ) ଏ ହେଲା ବିଷ୍ଣୁଲୋକର କଥା । ଆପଣଙ୍କ ଭଳି ଭକ୍ତ ମହାତ୍ମା ଆସିବେ–ତା’ର ଗୋଟାଏ ପୁଣି ସାତ୍ତ୍ୱିକ ରୀତି ନାହିଁ !

 

ମୁଁ ଦେଖିଲି–ଏହି ଉଗ୍ର ସତ୍ତ୍ୱଗୁଣୀ ମୂଢ଼ମାନଙ୍କୁ କିଛି ବୁଝାଇବା ବୃଥା । ଏମାନେ ଏତେ ଉଦ୍ଧତ, ଉନ୍ମତ୍ତ ଆଉ ବହକାଲିଆ ଯେ କଥା କହିବାରେବି ଶାଳୀନତା ରଖିପାରୁନାହାନ୍ତି । ଏମାନଙ୍କ ପ୍ରଶଂସା ମଧ୍ୟ ନିନ୍ଦାଠାରୁ ବଳେ । ଏମାନଙ୍କ ଆଉଁଶା ମଧ୍ୟ ମାଡ଼ ମାରିବା ଭଳି ଲାଗୁଛି । କାରଣ ଯୋଉ ବିଷ୍ଣୁଦୂତଟି ମୋ କପାଳରେ ଚନ୍ଦନ ମାରିଲା, ସେ ଏତେ ଜୋର୍‍ରେ ମୋ ମୁଣ୍ଡଟାକୁ ଧରି ବୁଲାଇ ଦେଲା ଯେ ମୋ ମୁଣ୍ଡ ଝାଇଁ ମାରିଗଲା । ତା’ପରେ ମୋ’ କପାଳରେ ତା’ ଟିପ ଘଷିଦେଲା ଯେମିତିକି କିଏ ଆଞ୍ଚୁଡ଼ି ଦେଲା ! ତେଣୁ ମୁଁ ନୀରବରେ ରଥ ସଦୃଶ ଶଗଡ଼ଟିରେ ବସି ରହିଲି । ସେମାନେ ମତେ ବୋହିନେଲେ । ବିମାନଟି କେଁ କେଁ ଆବାଜ କରୁଥାଏ ଏବଂ ଏପରିଭାବେ ଦୋହଲୁଥାଏ ଯେ ମୋତେ ଥରେ ଦି’ଥର ବାନ୍ତି ତଲବ ଦେଲା । ସେମାନେ ପ୍ରଚୁର ଭାଙ୍ଗ ଜାତୀୟ ନିଶା ଖାଇଥିବାରୁ ଓ ତତ୍ପରେ ଗୁଡ଼ାଏ ମିଠା ଅମୃତ ପିଇଥିବାରୁ ମତିଛନ୍ନ ହୋଇ ଚିତ୍କାର ଛାଡ଼ୁଥାନ୍ତି ଓ ଦୋହଲୁଥାନ୍ତି । ମୋର ମନେହେଲା ସେମାନେ କିଛି ଜାଣିପାରୁନାହାନ୍ତି । ଏଇ ଅବସରରେ ମୁଁ ମୋ ଖଞ୍ଜରେ ବିମାନରୁ ଡେଇଁ ପଡ଼ି ସେ ମେଳରେ କିଛିବାଟ ଯାଇ ବାଟରେ ଠାଏ ଛପି ଗଲି । କହିବା ବାହୁଲ୍ୟ–ସେ ଉନ୍ମତ୍ତମାନେ କିଛି ଜାଣି ପାରିଲେନି । ବିମାନ ସମେତ ବିଷ୍ଣୁଦୂତମାନେ କିଛି ଯୋଜନ ଆଗକୁ ଚାଲିଯିବା ପରେ, ମୁଁ ପଛକୁ ଫେରି ମୋର ବନ୍ଧୁ ଯମଦୂତଙ୍କ ପାଖେ ପହୁଞ୍ଚିଲି । ସେମାନେ ଧୀରେ ଧୀରେ ତଳକୁ ମୁହଁ ପୋତି ଆସୁଥିଲେ । ବିଷ୍ଣୁଦୂତଙ୍କ ଆଘାତରେ ଜଣଙ୍କର ଗୋଡ଼ ଟିକିଏ ଜଖମ ହୋଇଥିବାରୁ ସେ ଛୋଟେଇ ଛୋଟେଇ ଆସୁଥିଲେ । ଆମ୍ଭେମାନେ ଏକତ୍ର ହେବା ପରେ ଛୋଟାଉଥିବା ଯମଦୂତ କହିଲେ–ଆପଣ କାହିଁକି ଆଜ୍ଞା ଆମପାଇଁ ପୁଣି ଏତେ କଷ୍ଟ ସହ୍ୟ କଲେ ? ବିଷ୍ଣୁଦୂତଙ୍କ ହାତରେ ଏହିପରି ଅନୁଭୋଗ ଆମପାଇଁ ନୂଆ ନୁହେଁ ।

 

ମୁଁ କହିଲି–ସେହି ଅସଭ୍ୟ, ଅମାର୍ଜିତ ବିଷ୍ଣୁଦୂତଙ୍କ ସଙ୍ଗେ ମୁଁ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପାରି ନ ଥାନ୍ତି ।

 

ଛୋଟାଉଥିବା ଯମଦୂତ କହିଲେ–ସେକଥା ସତ । କିନ୍ତୁ ଆପଣ ଯେହେତୁ ବିଷ୍ଣୁଭକ୍ତ, ଆମ୍ଭମାନଙ୍କ ସଙ୍ଗେ ଯିବାଟା ଆପଣଙ୍କ ପକ୍ଷେ ଆଦୌ ସଙ୍ଗତ ହେବନାହିଁ । ଆମ୍ଭମାନଙ୍କୁ ମଧ୍ୟ ଆପଣଙ୍କର ସାନ୍ନିଧ୍ୟ ଟିକିଏ ମାଡ଼ି ମାଡ଼ି ପଡ଼ୁଛି । ଯେତେବେଳେ ଆପଣଙ୍କୁ ବିଷ୍ଣୁଭକ୍ତ ବୋଲି ଜାଣି ନ ଥିଲୁ, ସେତେବେଳେ ହୁଏତ କଥାଥିଲା ନିଆରା ।

 

ମୁଁ କହିଲି–ଦେଖନ୍ତୁ ମୁଁ ସତ କହୁଛି । ମୁଁ କାହାର ଭକ୍ତ ନଥିଲି–ନାହିଁ ଏବଂ ହେବିନାହିଁ । ମୁଁ ନିଜକୁ ଜଣେ ଭଦ୍ରଲୋକ ମନେକରେ ଓ ମୋ’ଠାରୁ ଆହୁରି ଭଦ୍ରଲୋକଙ୍କ ସଙ୍ଗେ ମିଶି ଆହୁରି ଭଦ୍ର ହେବାକୁ ଚାହେଁ । ମର୍ତ୍ତ୍ୟରେ ବଞ୍ଚିଥିବାବେଳେ ମୁଁ ଶ୍ରୀରାମଚନ୍ଦ୍ର, ଶ୍ରୀକୃଷ୍ଣ ଓ ଶ୍ରୀ ବୁଦ୍ଧଦେବଙ୍କ ଜୀବନୀ ଓ ଲୀଳାଚରିତମାନ ପଢ଼ି ଖୁବ୍ ମୁଗ୍ଧ ହେଉଥିଲି । ବାରମ୍ୱାର ସେହିସବୁ ପୁରାଣ ଭାଗବତ ଆଦି ପଢ଼ିବାକୁ ମତେ ଖୁବ୍ ଖୁସି ଲାଗୁଥିଲା । ମୋର ମନେ ହେଉଥିଲା–ରାମ, କୃଷ୍ଣ ଓ ବୁଦ୍ଧଙ୍କ ଭଳି ଭଦ୍ର ଓ ଶାଳୀନ ମଣିଷ ଏ ଜଗତରେ ଦୁର୍ଲଭ । ବହୁଲୋକ ଯଦି ସେହିପରି ଭଦ୍ର ହୋଇପାରନ୍ତେ ଏ ପୃଥିବୀ କେଡ଼େ ଚମତ୍କାର ନ ହୁଅନ୍ତା ! ମାତ୍ର ଏତିକି ଲାଗି ମୋତେ ଜଣେ ବିଷ୍ଣୁଭକ୍ତ ବୋଲି ଧରି ନେଇ ଏହି ଅସଭ୍ୟ, ଅମାର୍ଜିତ, ବଳପୂର୍ବା କୋଳାହଳମୁଖର ସ୍ଥୂଳବୁଦ୍ଧି ବିଷ୍ଣୁଦୂତମାନେ ପରଲୋକରେ ମଧ୍ୟ ମୋ ପିଛା ଧରିବା ଓ ମତେ ଏପରି ହଇରାଣ କରିବା ଅତ୍ୟନ୍ତ ଗର୍ହିତ ଓ ଦୁଃସହ ବ୍ୟାପର ! ବନ୍ଧୁଗଣ ! ମୁଁ ଆପଣମାନଙ୍କ ଭଳି ଭଦ୍ର, ସଞ୍ଜତ ଓ ବିବେକୀ ଦୂତମାନଙ୍କ ସଙ୍ଗେ ଯମଦେବଙ୍କ ନିକଟକୁ ଯିବି ଓ ସେ ମୋର କର୍ମାକର୍ମ ବିଚାର କରି ମୋ ପକ୍ଷରେ ଯାହା ରାୟ ଦେବେ– ମୁଁ ତାହା ଆନନ୍ଦରେ ମାନିନେବି ।

 

ସେମାନେ ମୋର ବକ୍ତବ୍ୟକୁ ବେଶ୍ ପ୍ରଶଂସାମାନ ଚିତ୍ତରେ ଶୁଣି ମୋ ସାଙ୍ଗରେ ଚାଲିଥାନ୍ତି । କୌଣସି ମନ୍ତବ୍ୟ ଦେଉନଥାନ୍ତି ।

 

ଆମ୍ଭେମାନେ ଯଥା ସମୟରେ ଯମରାଜଙ୍କ ଦରବାରରେ ପହୁଞ୍ଚିଲୁ । ଅବଶ୍ୟ ବାଟରେ ଗୋଟିଏ ନଦୀ ଭଳି ଜିନିଷକୁ ମତେ ପାରି ହେବାକୁ ପଡ଼ିଲା । ଯମଦୂତମାନେ ମୋତେ ପଚାରିଲେ–ଏହା ହେଉଛି ତପ୍ତ ବୈତରଣୀ । ଆପଣ ଜୀବଦ୍ଦଶାରେ କୌଣସି ବ୍ରାହ୍ମଣକୁ ଗୋ-ଦାନ କରିଥିଲେ କି ? ଯଦି କରିଥାନ୍ତି–ତେବେ କାମଧେନୁ ଗୋଟିଏ ବାଛୁରୀ ରୂପରେ ଆପଣଙ୍କୁ ଏଥିରେ ସନ୍ତରଣ କରିବାକୁ ସାହାଯ୍ୟ କରିବେ । ଆପଣ ତା’ର ଲାଞ୍ଜଧରି ପାରି ହୋଇଯିବେ ।

 

ମୁଁ ମନାକଲି କହିଲି–ଗରମ ଜଳର ନଦୀ ହେଉ ବା ଶୀତଳ ଜଳର ନଦୀ ହେଉ ପହଁରିବା ଲାଗି ମୁଁ ଗୋଟାଏ ବାଛୁରୀ ଲାଞ୍ଜର ସାହାଯ୍ୟ ନେଇପାରିବି ନାହିଁ । ମୁଁ ଭଲ ପହଁରା ଜାଣେ । ଏ ନଦୀ ଏପରି କିଛି ଦୁଷ୍‍ପାରଣୀୟା ବୋଲି ମନେ ହେଉନାହିଁ ।...ମୁଁ ଆମ ବାଉରି ସାହିର ଜଣେ ଯୁବକକୁ ଗାଈଟିଏ ଦେଇଥିଲି । ସେ ରାମ ଲୀଳାରେ ଭଲ ହନୁମାନ ଅଭିନୟ କରିଥିଲା । ଦୁଧଖାଇ ତା’ର ବଳ ବୃଦ୍ଧି ପାଇଲେ ସେ ହନୁମାନ ଅଭିନୟ ଆହୁରି ଭଲ କରିପାରିବ–ଏଇଥିଲା ମୋର ଅଭିଳାଷ । ତା’ଛଡ଼ା–ଆମ ଗାଁର ସପନୀ ମାଷ୍ଟ୍ରଙ୍କୁ ମଧ୍ୟ ଦୁହାଁଳ ଗାଈଟିଏ ଦେଇଥିଲି । ସେ ଥିଲେ ପ୍ରାଚୀନ କାବ୍ୟ କବିତାର ଜଣେ ଉତ୍କୃଷ୍ଟ ବ୍ୟାଖ୍ୟାକାର । ତାଙ୍କର କଣ୍ଠ ମଧ୍ୟ ଖୁବ୍ ସୁନ୍ଦର ଥିଲା । ତାଙ୍କର ଏକମାତ୍ର ପୁତ୍ର ମଟର ଡ୍ରାଇଭର ଥିଲା ଓ ଗୋଟିଏ ଦୁର୍ଘଟନାରେ ପଡ଼ି ଗୋଡ଼ଟିଏ ହରାଇଥିଲା । ତା’ର ଦୁଇଟି ସନ୍ତାନକୁ କ୍ଷୀର ଖୁଆଇବା ଲାଗି ସମ୍ୱଳ ନଥିଲା । ସେ ମାଗି ନ ଥିଲେ, ମାତ୍ର ମୁଁ ତାଙ୍କୁ ଗାଈଟିଏ ଦେଇଥିଲି । ଆଉ ଗୋଟିଏ ଜର୍ସୀ ଗାଈ ମୁଁ ଦେଇଥିଲି ଆମ ଗାଁର ପହଲା ମାଆକୁ । ଚାଷୀଘରର ବିଧବାଟିଏ–ଗୋଟିଏ ବୋଲି ପୁଅ ପହଲା । ସେ ଖୁବ୍ ଚମତ୍କାର ପାଠ ପଢ଼ୁଥିଲା । ଗଣିତରେ ସେ ଅଦ୍ଭୁତ ପ୍ରତିଭା ଦେଖାଉଥିଲା ପିଲାଦିନୁଁ । ସେ ଦୁଧ ଖାଇବ ବୋଲି ମୁଁ ଗାଈଟି ତାକୁ ଦେଇଥିଲି । ସତକୁସତ ପହଲା ଏବେ ଜଣେ ବଡ଼ ବୈଜ୍ଞାନିକ ହୋଇଛି । କହିବା ବାହୁଲ୍ୟ–ଏମାନେ କେହି ବ୍ରାହ୍ମଣ ନଥିଲେ ।

 

ଯମଦୂତମାନେ ନୀରବ ରହିଲେ । ମୁଁ କହିଲି–ଏ ପାଣିରୁ ଏମିତି ବାମ୍ଫ ବାହାରୁଛି କାହିଁକି ?

 

ତାହା ତପ୍ତ ବୈତରଣୀ ନଦୀ । ଖୁବ୍ ଗରମପାଣିର ସ୍ରୋତ । ପାପୀମାନଙ୍କର ନିଃଶ୍ୱାସରେ ସେଥିରୁ ବାମ୍ଫ ବାହାରୁଛି । ମାତ୍ର ଧାର୍ମିକମାନଙ୍କ ଲାଗି ତାହା ଖୁବ୍ ଶୀତଳ ବୋଧହୁଏ-। ଆପଣ ନିଜର ଭାଗ୍ୟାନୁଯାୟୀ ଏଥିରେ ସନ୍ତରଣ କରନ୍ତୁ । କର୍ମଫଳ ଅବଶ୍ୟ ଭୋଗ କରିବେ-

 

ମୁଁ ନଦୀ ଭିତରେ ସାହସର ସହିତ ଝାମ୍ଫଦେଲି । ସନ୍ତରଣ ବ୍ୟାପାରରେ ମୁଁ ଥିଲି ଓସ୍ତାଦ । ମାତ୍ର ମୋତେ ବେଶି ସନ୍ତରଣ କରିବାକୁ ପଡ଼ିଲା ନାହିଁ । ପାଣି ମଧ୍ୟ ମୋ ଦେହକୁ ବେଶ୍ ଆରାମ ଲାଗିଲା । ଅବଶ୍ୟ ତା’ ଭିତରେ ସାମାନ୍ୟ ଗନ୍ଧକର ବାସ୍ନା ବାହାରୁଥିଲା । ମୁଁ ଅକ୍ଳେଶରେ ଆରପଟକୁ ଚାଲିଗଲି; ବରଂ ଗରମ ପାଣିରେ ଗାଧୋଇବା ଫଳରେ ମୁଁ ଟିକିଏ ସତେଜ ହୋଇ ଉଠିଲି ।

 

ଯମଦେବତା ତାଙ୍କର ବିରାଟ ସିଂହାସନ ଉପରେ ବସିଥିଲେ । ତାଙ୍କର ଚାରିପଟେ ବହୁ ବିଶିଷ୍ଟ ଭୂତପ୍ରେତ, ଗନ୍ଧର୍ବ, କିନ୍ନର, ଯକ୍ଷ ଓ ସାନ ସାନ ଦେବ ଦେବୀମାନେ ଉପବେଶନ କରିଥିଲେ । ସବୁଆଡ଼ ଥିଲା ନୀରବ ନିସ୍ତବ୍ଧ, ଗମ୍ଭୀର ଓ ଭଦ୍ରପରିବେଶ । ଯମଦେବ ଯେତେ କୁତ୍ସିତ ହୋଇଥିବେ ବୋଲି ମୁଁ ଭାବିଥିଲି, ପ୍ରକୃତରେ ତାହା ନୁହ । କାଳିଆ ମଣିଷ–ଅରଣା ମହିଁଷୀ–କିମ୍ୱା ମୁଣ୍ଡ ଉପରେ ଦୁଇଟା ଶିଙ୍ଗ ଅଥବା ରକ୍ତବର୍ଣ୍ଣର ଚକ୍ଷୁଦ୍ୱୟ–ଏସବୁ ପ୍ରତି ଆମ ମନରେ ଗୋଟାଏ ବିରକ୍ତିକର ପାର୍ଥିବ କୁସଂସ୍କାର ରହିଛି । କହିବା ବାହୁଲ୍ୟ ଯମଦେବ ମୋ ଆଖିକୁ ଖୁବ୍ ସୁନ୍ଦର, ମହିମାବନ୍ତ ଓ ଜଣେ ସୁଯୁକ୍ତିଚାଳିତ ଗଭୀର ପ୍ରକୃତିର ଦେବତା ଭଳି ଦିଶିଲେ । ତାଙ୍କର ମୁଣ୍ଡରେ ଗୋଟିଏ କୃଷ୍ଣ ସୁବର୍ଣ୍ଣର ମୁକୁଟ ଝଲସୁଥିଲା । ମୁଁ କୃଷ୍ଣ ରଙ୍ଗର ସୁବର୍ଣ୍ଣ ମର୍ତ୍ତ୍ୟ ଲୋକରେ ଶୁଣିଥିଲି । ଦେଖି ନ ଥିଲି । ଏଇଠି ଦେଖି ଖୁବ୍ ଖୁସି ହେଲି । ଆଗରୁ ଧାରଣ ଥିଲା–ଯମଦେବଙ୍କ ଦରବାରର ବାୟୁମଣ୍ଡଳ ମୂର୍ଦାର ପୋଡ଼ା ଗନ୍ଧରେ ଅସହ୍ୟ ହୋଇଥିବ । ମାତ୍ର ନାଃ–ଦରବାରର ବାୟୁ ମଣ୍ଡଳ ଖୁବ୍ ସ୍ମିଗ୍‍ଧ, ଶୀତଳ ଓ ସୁବାସିତ ଥିଲା । ଯମଦେବଙ୍କ ପାର୍ଶ୍ୱରେ ଗୋଟିଏ ଅପେକ୍ଷାକୃତ କ୍ଷୁଦ୍ର ସିଂହାସନରେ ଚିତ୍ରଗୁପ୍ତ ମହାଶୟ ବସିଥିଲେ । ସେ ଆଖିରେ ଖୁବ୍ ବେଶି ପାବାରର ଚଷମା ଲଗାଇଥିଲେ । ତାଙ୍କ ମସ୍ତକଟିର ସବୁତକ କେଶ ଶୁଭ୍ର ଦିଶୁଥିଲା ଏବଂ ସେ କୁଆଡ଼ିକି ନ ଚାହିଁ ଏକାଗ୍ର ଚିତ୍ତରେ ଗୋଟାଏ ବିରାଟ ନଥିରୁ କ’ଣ କିଛି ଉଣ୍ଡାଳୁଥିଲେ । ତାଙ୍କ ପାଖ ଟେବୁଲ ଉପରେ ପାହାଡ଼ ପ୍ରମାଣ ନଥିପତ୍ର ବେଶ୍ ଶୃଙ୍ଖଳିତଭାବେ ଥୁଆ ହୋଇଥିଲା ଓ କେତେଜଣ ଉପଦେବତା ତାଙ୍କୁ ନଥିପତ୍ର ଯୋଗାଇ ଦେବାରେ ସାହାଯ୍ୟ କରୁଥିଲେ । ସବୁ କିନ୍ତୁ ଚାଲିଥିଲା ଖୁବ୍ ନୀରବରେ । ଯଦିଓ ପୃଷ୍ଠଭୂମିକାରେ ଗୋଟିଏ ସୁନ୍ଦର କୋମଳ ବିଷାଦ ମଧୁର ଯନ୍ତ୍ରସଙ୍ଗୀତର ମୂର୍ଛନା ଧୀରେ ଧୀରେ ବାଜୁଥିଲା ଓ ତାହାହିଁ କାଳାତୀତ, ମହାକାଳ ଓ କାଳ–ଏହି ତିନୋଟିକୁ ସଂଯୁକ୍ତ ସଂଲଗ୍ନ ଓ ସଚେତନ କରି ରଖିଥିଲା । ମୁଁ ଯମରାଜାଙ୍କୁ ଅଭିବାଦନ କରିସାରି ନୀରବରେ ଅପେକ୍ଷାକରି ରହିଲି । ତା’ପରେ ମୋ’ଲାଗି ଉଦ୍ଦିଷ୍ଟ ଗୋଟିଏ ସୁନ୍ଦର ସ୍ୱାଚ୍ଛନ୍ଦ୍ୟକର ଆସନ ମୋତେ ଦେଖାଇ ଦିଆଗଲା । ମୁଁ ତା’ ଉପରେ ବସି ଯମଦେବତାଙ୍କୁ ଧନ୍ୟବାଦ ଜଣାନ୍ତେ ସେ ମୋ ଆଡ଼କୁ ବଡ଼ ପ୍ରୀତିପୂର୍ଣ୍ଣ ଦୃଷ୍ଟିରେ ଚାହିଁ ମୁଣ୍ଡ ହଲାଇଲେ । ମୋତେ ଗୋଟିଏ ଗ୍ଲାସରେ ରଙ୍ଗୀନ ସରବତ ମଧ୍ୟ ପିଇବାକୁ ଦିଆଗଲା । ତାହାଥିଲା ଏକାଧାରରେ ତୃଷା, ତୃଷ୍ଣା, କ୍ଷୁଧା ନାଶକ ଓ ଫୂର୍ତ୍ତିଦାୟକ, ତେଜଦାୟକ ଏବଂ ସଙ୍ଗତିପୂର୍ଣ୍ଣ ମନୋଭାବ ସୃଷ୍ଟି କରିବାରେ ଏକ ଅତୁଳନୀୟ ସୁସ୍ୱାଦୁ ପାନୀୟ । ମୁଁ ଦେଖିଲି–ପ୍ରତ୍ୟେକ ବ୍ୟକ୍ତି ଚିତ୍ରଗୁପ୍ତଙ୍କଠାରୁ ଗୋଟିଏ ରାୟ ଶୁଣିବାମାତ୍ରେ କେତେକ ଯମଦୂତ ତାଙ୍କୁ ନିଃଶବ୍ଦରେ ଅଥଚ ଖୁବ୍ ଶାଳୀନତା ସହକାରେ କୁଆଡ଼େ ଧରି ନେଉଛନ୍ତି-। ମାତ୍ର ଚିତ୍ରଗୁପ୍ତ ରାୟଦେବା ପୂର୍ବରୁ ମଧ୍ୟେ ମଧ୍ୟେ ସ୍ୱର୍ଗ ଓ ନରକ ପକ୍ଷୀୟ କେତେକ ଓକିଲ ଭଳିଆ ଆତ୍ମା କିଛି ଯୁକ୍ତିତର୍କ ମଧ୍ୟ କରୁଛନ୍ତି । ମାତ୍ର ତଦ୍ଦ୍ୱାରା ଦରବାରର ନୀରବତା ବ୍ୟାହତ ହେଉ ନଥିଲା । ବରଂ ଯୁକ୍ତତର୍କଗୁଡ଼ିକ ଖୁବ୍ ଧୀର ଓ ଶାଳୀନ ।

 

ମୋର ନାମ ଚିତ୍ରଗୁପ୍ତ ମହାଶୟ ଡାକିବାପରେ ମୁଁ ଉଠି ଠିଆ ହେଲି । ‘‘ବସନ୍ତୁ’’ ବୋଲି କହି ସାମାନ୍ୟ ସ୍ମିତହାସ୍ୟ କଲାପରେ ସେ ଗୋଟିଏ କାଗଜରୁ ମୋ ସମ୍ୱନ୍ଧେ ସଂକ୍ଷିପ୍ତ ବିବରଣୀଟିଏ ପଢ଼ିଲେ । ସେ ଏତେ ଧୀର, ଗଭୀର, ଶ୍ରଦ୍ଧାଶୀଳ ଓ ଆନ୍ତରିକତା ସହିତ ବିବରଣୀଟିଏ ପଢ଼ିଲେ ଯେ ମୋତେ ତାହା ଗୋଟିଏ ଗମ୍ଭୀର ଭାଷା ଓ ଭାବପୂର୍ଣ୍ଣ ଚତୁର୍ଦ୍ଦଶପଦୀ କବିତା ଶୁଣିଲାଭଳି ବୋଧହେଲା । ବିବରଣୀଟି ହେଲା–ଅବଶ୍ୟ ମୁଁ ତାଙ୍କ ଭାଷା ବା ଶୈଳୀରେ ତାହା ଦେଇ ପାରିବି ନାହିଁ ।

 

ପ୍ରଥମେ ମୋର ନାମ ଅମୁକ ଶ୍ରୀ ମହାପାତ୍ର । ମର୍ତ୍ତ୍ୟଲୋକରେ ଜୀବିତ ବାସ୍ତରିବର୍ଷ ଏକମାସ ବାର ଦିନ ଏକ ଓଳି ଦୁଇ ବିଲିତା । ମୃତ୍ୟୁକାଳୀନ ରୋଗ–ସନ୍ନିପାତାଦି । କର୍ମାକର୍ମ ଫଳ–ପାପ ଅଣଚାଶ ଦଶମିକ ପାଞ୍ଚଭାଗ ଓ ପୁଣ୍ୟ ପଚାଶ ଦଶମିକ ପାଞ୍ଚଭାଗ । ପାପ ବିବରଣୀ–ମତ୍ସ୍ୟ ଓ ପ୍ରାଣୀମାନଙ୍କର ମାଂସ ଭକ୍ଷଣରେ ଲୋଲୁପତା–ସାମାନ୍ୟ ସାମାନ୍ୟ ମିଥ୍ୟାକଥନ–ଜନୈକ ଶିକ୍ଷକଙ୍କ ଦୁଇଗାଲରେ ଚଟକଣି ମାରିବା–ନଦୀ ଜଳରେ ମୂତ୍ରତ୍ୟାଗ–ଜଣେ ରେଲବାଇ କର୍ମଚାରୀଙ୍କୁ ଲାଞ୍ଚଦେଇ ଗାଡ଼ିରେ ସିଟ୍ ପାଇବା–ଜଣେ ବାବାଜିଙ୍କୁ ଜବରଦସ୍ତି ଟେକିନେଇ ବିଲରେ ହଳ ବୁଲାଇବା–ଧର୍ମଚର୍ଚ୍ଚାରତ ଭକ୍ତ ଓ ଜ୍ଞାନୀମାନଙ୍କ ସଭାକୁ ଯାଇ ଭଗବାନ୍ ନାହାନ୍ତି ବୋଲି ବହୁବାର ବକ୍ତୃତା କରିବା–ବିବାହ ପୂର୍ବରୁ ଓ ବିବାହ ପରେ ମଧ୍ୟ ବହୁ ବିବାହିତା ରମଣୀଙ୍କ ସାଙ୍ଗେ ରଙ୍ଗରସ କରିବା ଓ ଜଣଜଣଙ୍କୁ ଚୁମ୍ୱନାଦି ପ୍ରଦାନ କରିବା–ଦାନ୍ତରେ ଆପଣା ନଖ କାମୁଡ଼ିବା–ଚଟିମାଡ଼ି ରୋଷେଇଶାଳରେ ପ୍ରବେଶ କରିବା–ଚଉକିରେ ବସି ଟେବୁଲ ଉପରେ ମହାପ୍ରସାଦ ଥୋଇ ଖାଇବା–ନିଜ ମାତାପିତା ଓ ସ୍ତ୍ରୀ, ପୁତ୍ର କନ୍ୟାଙ୍କ ଆଗରେ ସାମାନ୍ୟ ସାମାନ୍ୟ ମିଥ୍ୟା କହିବା–କ୍ଲବରେ ମଦ୍ୟପାନ କରି ବାସ୍ନା ଜରଦାଦିଆ ପାନଖାଇ ଓ ଦେହରେ ସୁବାସିତ ଅତର ଲଗାଇ ଘରକୁ ଫେରିଆସି ଧର୍ମପତ୍ନୀଙ୍କ ଆଗରେ ଉକ୍ତ ପାପକୁ ଲୁଚାଇ ରଖିବା–ଗୋଳାଚନ୍ଦନକୁ ପାଦରେ ବୋଳିବା–ଜନୈକ ବନ୍ଧୁଙ୍କୁ ରାଗିଯାଇ ବିଧାମାରିବା–କୋର୍ଟରେ ମିଥ୍ୟା ସାକ୍ଷ୍ୟ ଦେଇ ଜଣେ ଆସାମୀକୁ ଖଲାସ କରିବାରେ ସାହାଯ୍ୟ କରିବା–ପିତ୍ତଳ ଦୁର୍ଗାମୂର୍ତ୍ତିକୁ ବ୍ରାସୋ ନାମକ ଦୂଷିତ ରାସାୟନିକ ପଦାର୍ଥରେ ମାଜି ପରିଷ୍କାର କରିବା–ଜୀଅନ୍ତା କଙ୍କଡ଼ାମାନଙ୍କୁ ଗରମ ପାଣିରେ ପକାଇ ଛଟପଟ କରିବା–ଭିକ୍ଷୁମାନଙ୍କୁ ଭିକ୍ଷା ନ ଦେଇ ମାଡ଼ ଚଢ଼ାଇବା–ଇତ୍ୟାଦି ଇତ୍ୟାଦି ତାଲିକାଟି ଥିଲା ଖୁବ୍ ଲମ୍ୱା ।

 

ଏବଂବିଧ କେତୋଟି ପାପ ବିବରଣୀ ପରେ ସେ ମୋର ଏକ ଦୀର୍ଘ ପୁଣ୍ୟ ବିବରଣୀ ମଧ୍ୟ ଗୋଟି ଗୋଟି ବର୍ଣ୍ଣନା କଲେ । ସେ ସବୁର ବର୍ଣ୍ଣନା ଦେବା ସମୟ ଓ ସ୍ଥାନସାପେକ୍ଷ । କେତୋଟି ମୁଖ୍ୟ ପୁଣ୍ୟର କଥା କହେଁ–ଅନ୍ଧ ଲୋକଟିକୁ ବାଟ ବତାଇ ଦେବା–ଗୋଟିଏ ନିରାଶ୍ରୟ ବୁଢ଼ୀକୁ ସାହାଯ୍ୟ କରିବା–ବହୁବାର କ୍ଷୁଧାର୍ତ୍ତ ଓ ତୃଷାର୍ତ୍ତ ବ୍ୟକ୍ତିଙ୍କୁ ଖାଦ୍ୟ ଓ ଜଳଦାନ–ଭାଇ, ପୁତୁରାଦି ପରିଜନମାନଙ୍କୁ ଜୀବନରେ ତିଷ୍ଠିବା ଲାଗି ସାହାଯ୍ୟ ସହାନୁଭୂତି–ନିଜକୁ ବିପଦାପନ୍ନ କରି ବହୁ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ସତ୍ୟକଥା କହିଦେବା ଓ ଅନ୍ୟକୁ ସାହାଯ୍ୟ କରିବା–ଦିନକୁ ଦୁଇଥର ଗାଧୋଇବା ଓ ଆସନାଦି କରିବା–ଅଳ୍ପ ସମୟ ଧ୍ୟାନ କରିବା–ବହୁ ସାମାଜିକ ଅନୁଷ୍ଠାନକୁ ସାଧ୍ୟମତେ ଅର୍ଥଦାନ କରିବା–ଗୋଟିଏ ଏଣ୍ଡୁଅକୁ ବାନ୍ଧି ପିଲାମାନେ କଦର୍ଥନା ଦେଉଥିଲାବେଳେ ପିଲାମାନଙ୍କୁ ବୁଝାଇ ଏଣ୍ଡୁଅଟିକୁ ମୁକ୍ତିଦେବା–ଲାଞ୍ଚ ନେବାର ସୁବିଧାଜନକ ଚାକିରିରେ ଥାଇ ମଧ୍ୟ ଉତ୍କୋଚ ଗ୍ରହଣ ନ କରିବା–ରାସ୍ତାରେ କଣ୍ଟା ପଡ଼ିଥିବାର ଦେଖିଲେ ଉଠାଇ ନେବା–ଗୁଣୀଲୋକମାନଙ୍କ ଗୁଣ ସ୍ୱୀକାର କରିବା ଓ ସେମାନଙ୍କୁ ସାଧ୍ୟମତେ ସାହାଯ୍ୟ କରିବା–ଏବଂ ସର୍ବୋପରି ରାମାୟଣ, ମହାଭାରତ, ଗୀତା, ଭାଗବତ, ଧର୍ମପଦାଦି ଧର୍ମଗ୍ରନ୍ଥଗୁଡ଼ିକୁ ପବିତ୍ର ମନରେ ନିଷ୍ଠାପରଭାବେ ବାରମ୍ୱାର ପଢ଼ିବା ଓ ଭକ୍ତିଭାବରେ ଗଦ୍‍ଗଦ ହୋଇ ହା ରାମ, ହା କୃଷ୍ଣ, ହା ବୁଦ୍ଧ ବୋଲି ବହୁବାର କ୍ରନ୍ଦନ କରିବା ।

 

ମୋ ଜୀବନର ପାପ ପୁଣ୍ୟର ବିବରଣୀ ଚିତ୍ରଗୁପ୍ତଙ୍କ ମୁଖରୁ ଶୁଣିଲାବେଳେ ମୋତେ ଖୁବ୍ ଉଲ୍ଲସିତ ଲାଗୁଥାଏ । ଏ ଜଗତରେ ଯେ ଜଣେ କେହି ପ୍ରତ୍ୟେକ ବ୍ୟକ୍ତିର ସମସ୍ତ କର୍ମାକର୍ମକୁ ଯଥାଯଥଭାବେ ଲିପିବଦ୍ଧ କରି ରଖିଛି ଓ ରଖୁଛି–ଏ ବ୍ୟାପାରଟି ମତେ ଖୁବ୍ ଆଶା ଓ ଆନନ୍ଦପ୍ରଦ ବୋଧ ହେଲା । ଆମ ଜୀବନର ଛୋଟ ଛୋଟ ଅତି ନଗଣ୍ୟ ଘଟନାଗୁଡ଼ିକ ଯେ ଏତେବଡ଼ ଗୋଟାଏ ନଥିପତ୍ରର ଇତିହାସ ଭିତରେ ସ୍ଥାନ ପାଇ ପାରିଛି–ଏହା ବଡ଼ ରୋମାଞ୍ଚକର ବ୍ୟାପାର ନିଶ୍ଚୟ । ମୋର ଅବଚେତନ ଭିତରେ ବ୍ୟକ୍ତିପ୍ରତି ଯେଉଁ ନଗଣ୍ୟ ବୋଧଟି ଲୁଚି ରହିଥିଲା ଏତଦ୍ଦ୍ୱାରା ତାହା କଟିଗଲା । ଗୋଟିଏ ଅନନ୍ତ ନଥିବିଡ଼ାରେ ଯେ ପ୍ରଶାନ୍ତ ମହାସାଗର ସନ୍ତରଣ ଘଟନା ସଙ୍ଗେ ଆମ ଟୁବି ଗାଡ଼ିଆଟିକୁ ପହଁରି ଯିବାର ଘଟନାଟିକୁ ସମାନ ଏକାଗ୍ରତା ସହକାରେ ଟିପା ଯାଇଛି । ଏହା ସତ୍‍ସଦୃଶ କିଞ୍ଚିତ୍ ନଗଣ୍ୟ ବୋଧ ଭାବାପନ୍ନ ବ୍ୟକ୍ତି ପକ୍ଷରେ ଗୋଟିଏ ବଡ଼ ଆଶା ଆନନ୍ଦର ଖବର ନିଶ୍ଚୟ ।

 

କିନ୍ତୁ ଚିତ୍ରଗୁପ୍ତ ମହାଶୟ ଘଟନାଗୁଡ଼ିକୁ ଯେପରି ପାପପୁଣ୍ୟ ଦିଗରୁ ବିଚାର କରିଛନ୍ତି ସେଥିରେ ମୋର ମନ ଆଦୌ ମାନିଲା ନାହିଁ । ଘଟନାଗୁଡ଼ିକ ସାଧାରଣତଃ ଘଟିଥାଏ ବିଭିନ୍ନ କାରଣରୁ । ସବୁ ଘଟନା ଲାଗି ବ୍ୟକ୍ତିକୁ କ’ଣ ସମ୍ପୂର୍ଣ୍ଣଭାବେ ଦାୟୀ କରାଯାଇ ପାରେ ? ତା’ଛଡ଼ା ଯେଉଁ ବ୍ୟକ୍ତି ଯେଉଁ ଘଟନା ସଙ୍ଗେ ସଂପୃକ୍ତ–ସେ ବ୍ୟକ୍ତିର ଯୁକ୍ତି, ପ୍ରବୃତ୍ତି ଓ ପରିସ୍ଥିତିକୁ ଚାହିଁ ଘଟନାଟିର ବିଚାର ହେବା ଉଚିତ । ଏଇ ଧରାଯାଉ–ଗୋଟିଏ ମୂର୍ଖ, ଦାୟିତ୍ୱହୀନ ଅଧ୍ୟାପକର ଏକ ବିଶେଷ ଧରଣର ହୀନ କାର୍ଯ୍ୟରେ ଉତ୍ତ୍ୟକ୍ତ ହୋଇ ତା’ ଗାଲରେ ଦୁଇଟି ଚଟକଣି ମାରିବା ଘଟନାଟି ପାପ ଓ ଶ୍ରୀକୃଷ୍ଣଙ୍କ ଜୀବନର ମହାନ୍ ଲୀଳାକୁ ପଢ଼ି କାନ୍ଦିବା ଘଟନାକୁ ପୁଣ୍ୟ ବୋଲି କୁହାଯିବ କୋଉ ଯୁକ୍ତିରେ ? ସେହିପରି ସୁନ୍ଦରୀ, କାବ୍ୟାନୁରକ୍ତା, ରସବତୀ ଶ୍ରୀମତୀ ଛୋଟରାୟଙ୍କ ଗଣ୍ଡଦେଶରେ କେଉଁ ଏକ ଉଲ୍ଲାସକର ମୁହୂର୍ତ୍ତରେ ଚୁମ୍ୱନ ଦେଇଦେବା ଘଟନାକୁ ପାପ ଓ ଗୋଟିଏ ଏଣ୍ଡୁଅକୁ ନିଷ୍ଠୁରଭାବେ ରକ୍ତାକ୍ତ କରି ଆନନ୍ଦ ଉପଭୋଗ କରୁଥିବା ଚଗଲା ପିଲାଙ୍କ ହାତରୁ ଏଣ୍ଡୁଅଟିକୁ ମୁକ୍ତି ଦେଇଦେବା ବ୍ୟାପାରଟିକୁ ପୁଣ୍ୟ ବୋଲି ଅବା କାହିଁକି କୁହାଯିବ ? ତା’ଛଡ଼ା ଘଟନାମାନଙ୍କର ପ୍ରତିକ୍ରିୟା ମଧ୍ୟ ବିଚିତ୍ରଭାବେ ସ୍ୱତନ୍ତ୍ର ଓ ବ୍ୟକ୍ତିଗତ । ଏଇ ଧରନ୍ତୁ–ଶ୍ରୀମତୀ ମହାନ୍ତିଙ୍କୁ ଗୋଟିଏ ବିଶେଷ ମୁହୂର୍ତ୍ତରେ ସାମାନ୍ୟ ଆଲିଙ୍ଗନ କରି ଦେଇଥିବା ହେତୁ ମୁଁ ଆଦୌ ପରଦାରାଗମନଜନିତ ପାପବୋଧରେ ଅନୁତପ୍ତ ହୋଇ ନାହିଁ । ବରଂ ସରସତାପୂର୍ଣ୍ଣ ସେ ଘଟନାର କେତୋଟି ମାସ ମୁଁ ଖୁବ୍ ଆନନ୍ଦରେ ଅତିବାହିତ କରିଛି ଓ ଧର୍ମଗ୍ରନ୍ଥଗୁଡ଼ିକ ପଢ଼ିବାକୁ ବେଶି ଆଗ୍ରହୀ ହୋଇ ଉଠିଛି । ମାତ୍ର ସେହି ମୂର୍ଖ ଦାୟିତ୍ୱହୀନ ହୀନକର୍ମା ଶିକ୍ଷକଟିର ଗାଲରେ ଚଟକଣା ମାରି ପରେ ମୁଁ ବହୁତ ଦୁଃଖିତ ହୋଇଛି ଓ ତାଙ୍କର ଶୁଭକାମନା କରିଛି ମନେମନେ । କ୍ଷମା ମାଗିନେଇ ଖଣ୍ଡିଏ ପତ୍ର ମଧ୍ୟ ଲେଖିଥିଲି ଏବଂ ତା’ପରେ ମୁଁ ଲକ୍ଷ୍ୟ କରିଛି–ଶିକ୍ଷକଙ୍କ ପ୍ରକୃତିରେ ବହୁ ସୁପରିବର୍ତ୍ତନ ଆସିଛି ମଧ୍ୟ । ଏଥିରେ ଉତ୍ସାହିତ ହୋଇ ମୁଁ ଆମ କଲେଜର ଆଉ ଚାରିଜଣ ଦୁର୍ବୃତ୍ତ ଶିକ୍ଷକଙ୍କୁ ମଧ୍ୟ ମାଡ଼ ଦେବି ବୋଲି ସ୍ଥିର କରିଥିଲି । ମାତ୍ର ସେ ସୁଯୋଗ ପାଇ ନ ଥିଲି । ସେ ଶିକ୍ଷକମାନେ କିଛି ପାଠ ପଢ଼ାଉ ନ ଥିଲେ–ପରୀକ୍ଷା ଖାତା ଭଲଭାବରେ ଦେଖୁ ନ ଥିଲେ । ବିଭିନ୍ନ ଧନ୍ଦାରେ ଲାଗିଥିଲେ ଏବଂ ପରୀକ୍ଷାରେ କପି ଯୋଗାଇ ପିଲାଙ୍କଠାରୁ ଟଙ୍କା ନେଉଥିଲେ । ଜଣେ ପୁଣି ନିଜ ଛାତ୍ରୀ ପ୍ରତି ଲାବରେଟୋରୀରେ ଅସଦ୍‍ବ୍ୟବହାର କରିଥିଲେ ।

 

ଆଉ ଗୋଟିଏ କଥା ଧରାଯାଉ–ମଧ୍ୟେ ମଧ୍ୟେ ସାମାନ୍ୟ ମଦ୍ୟପାନ କରି ସ୍ତ୍ରୀଙ୍କ ଆଗେ ଲୁଚାଇବା କଥାଟି ପଛରେ ମୋର ମନୋଭାବ ଥିଲା, ମୋ ସ୍ତ୍ରୀ ମଦ୍ୟର ସାମାନ୍ୟତମ ଗନ୍ଧ ମଧ୍ୟ ସହ୍ୟ କରିପାରୁ ନ ଥିଲେ । ତାଙ୍କର ବାନ୍ତି ହୋଇଯାଏ । ଏପରିକି ବିଅର୍‍ଭଳି ମଦ୍ୟର ନାମ ଶୁଣୁଶୁଣୁ ସେ ମୂର୍ଛିତା ହୋଇପଡ଼ନ୍ତି । ଅଥଚ ସାପ ଜଗତରେ ଧଣ୍ଡ ବା ମାଟି ବିରାଡ଼ି ଯାହା, ମଦ୍ୟ-ଜଗତରେ ବିଅର୍‍ର ସ୍ଥାନ ତା’ଠାରୁ ତଳେ । ଏ ସ୍ଥଳରେ ବାରମ୍ୱାର ମୁଁ ତାଙ୍କୁ ସତ୍ୟଟି ଦେଖାଇ ଓ ଶୁଣାଇ କି ପ୍ରକାର ମହତ କାମଯିଏ କରିଥାନ୍ତି–ମୁଁ ଏବେବି ବୁଝିପାରୁ ନାହିଁ । ସେହିପରି କଚେରିରେ ମିଥ୍ୟାସାକ୍ଷ୍ୟ ପ୍ରଦାନ ବୃତ୍ତାନ୍ତଟି । ଚିତ୍ରଗୁପ୍ତ ମହୋଦୟ କେବଳ ପ୍ରତ୍ୟେକ ବ୍ୟକ୍ତିର ଜୀବନରୁ ଘଟନାଗୁଡ଼ିକ ବିଚ୍ଛିନ୍ନ କରି ଦେଖି ଟିପି ନେଉଛନ୍ତି–ପୃଥିବୀରେ ମନୁଷ୍ୟମାନଙ୍କ ଜୀବନଧାରା କିପରି ପରସ୍ପର ସଙ୍ଗେ ଓତପ୍ରୋତଭାବେ ଓ ଅତି ବିରକ୍ତିକରଭାବେ ଛନ୍ଦାଛନ୍ଦି ଓ ଗୋଳାଗୋଳି ହୋଇ ଗଣ୍ଡଗୋଳିଆ ଦୁର୍ବୋଧ୍ୟ ଘଟନାଗୁଡ଼ିକର ପରମ୍ପରା ସୃଷ୍ଟି କରେ–ତାହା ତାଙ୍କ ଭଳି ସତର୍କ ବୁଦ୍ଧିମାନ୍ ଦେବତା ମଧ୍ୟ ବୁଝି ପାରିନାହାନ୍ତି । ଅତି ଜଟିଳ ସାମାଜିକ ଘଟନାବଳିରେ ବ୍ୟକ୍ତି କି ପ୍ରକାର ଆଚରଣ କରିବ–ତାହା ବ୍ୟକ୍ତି ନିଜେ ସ୍ଥିର କରିବ । କାରଣ ସେପରି ନ କଲେ ସେ କିମ୍ୱା ଅନ୍ୟ ଧାର୍ମିକ ବ୍ୟକ୍ତିଟି ନିଶ୍ଚୟ ବିପଦରେ ପଡ଼ିଯିବ । ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଯେଉଁପ୍ରକାର ବ୍ୟବହାର କରିଛନ୍ତି ତାକୁ ପାପପୁଣ୍ୟର ବିଚାରରେ ତଉଲି ବସିଲେ ଚଳିବ କି ? ମର୍ତ୍ତ୍ୟଭୂମିରେ ପ୍ରକୃତ ସତ୍ୟଟିକୁ ଆବିଷ୍କାର କରିବା ଲାଗି ଅଥବା ରକ୍ଷା କରିବା ଲାଗି ବହୁ ମିଥ୍ୟାପଥରେ ଯିବାକୁ ପଡ଼େ ଓ ମିଥ୍ୟାର ସୁବର୍ଣ୍ଣ ଆବରଣମାନ ତିଆରି କରି ସତ୍ୟକୁ ଲୁଚାଇ ରଖିବାକୁ ପଡ଼େ । କାରଣ ସତ୍ୟଟି ଏହି ପରଲୋକରେ ଯେଡ଼େ ନିରାପଦରେ ରହିପାରୁଛି ଆମର ମର୍ତ୍ତ୍ୟ ଜଗତରେ ସେପରି ନିରାପଦରେ ରହିପାରନ୍ତା ନାହିଁ । ବାତବିକ୍ଷୁବ୍ଧ ଅଗ୍ନିଶିଖା ଭଳି ଆମର ସେଠି ସତ୍ୟ ସର୍ବଦା ଦୋଳାୟମାନ ହେଉଥାନ୍ତି ଓ ଲିଭିଯିବା ଉପରେ ଥାନ୍ତି । ତେଣୁ ଆମେ ସେଠି ସତ୍ୟକୁ ଅତି ସଂଗୋପନରେ ଖୁବ୍ ଘୋଡ଼େଇପୋଡ଼େଇ ଅଗ୍ନିଭଳି ସଂରକ୍ଷିତ କରିଥାଉ । ସେ ଯେ କି ପ୍ରକାର କଷ୍ଟସାଧ୍ୟ ବ୍ୟାପାର ତାହା ଏହି ପରଲୋକର ଦେବ ଅଧିଦେବମାନେ ଅବା କାହୁଁ ବୁଝିବେ !

 

ଆଉ ଗୋଟିଏ କଥା–ପରଦାରାଭିଗମନ ଭଳି କଥାଟି ଆପାତତଃ ଯେତେ ଭୟଙ୍କର ଓ ପାପଜନକ ବୋଲି ମନେହୁଏ ବାସ୍ତବରେ କଥାଟି ସେମିତି ନୁହେଁ । ସେ ଘଟନାମାନଙ୍କ ଲାଗି କୌଣସି ସାର୍ବଜନୀନ ଆଇନ ମଧ୍ୟ ଖାଟିବ ନାହିଁ । ଯେମିତିକି ଆମ ଗାଁର ଧାର୍ମିକପ୍ରବର ସତ୍ୟନିଷ୍ଠ ଦୁରିଆ ଅଜା ନିଜର ସନ୍ତାନ ଉତ୍ପାଦନ କ୍ଷମତା ନ ଥିବାର ଜାଣି ଖୁବ୍ ସ୍ୱଚ୍ଛନ୍ଦ ସମ୍ମତିରେ ନିଜ ସ୍ତ୍ରୀ ଅପି ଆଈକୁ ଜଣେ ବଳିଷ୍ଠ ପୌରୁଷବନ୍ତ କାପାଳିକ ବାବାଜିଙ୍କ ନିକଟକୁ କେତୋଟି ରାତ୍ରି ପଠାଇଥିଲେ ଏବଂ ଶେଷରେ ସେମାନଙ୍କର ହୃଷ୍ଟପୁଷ୍ଟ ପୁଅଟିଏ ମଧ୍ୟ ହୋଇଥିଲା ଏବଂ କହିବା ବାହୁଲ୍ୟ–ସ୍ୱାମୀ ସ୍ତ୍ରୀ ପୁତ୍ରଟିକୁ ଅତି ସ୍ନେହରେ ପାଳନ କରିଥିଲେ ଓ ଶେଷ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ପ୍ରେମ ଖୁବ୍ ଗଭୀର ଓ ମଧୁର ଥିଲା । ଏ ସବୁ ବ୍ୟାପାରକୁ ପାପପୁଣ୍ୟ ଦୃଷ୍ଟିରୁ ବିଚାର କରିବାର ପ୍ରବଣତା ଏହି ପରଲୋକବାସୀଙ୍କର କାହିଁକି ହୁଏ କେଜାଣି ? ସେହିପରି ଅନ୍ଧ ଲୋକଟିକୁ ପଥ ପ୍ରଦର୍ଶନ କରିବା ବା ନିରାଶ୍ରୟ ବୁଢ଼ୀଟିକୁ ସାହାଯ୍ୟ କରିବା ବ୍ୟାପାରମାନ ମଧ୍ୟ ଆମର ଅତି ସ୍ୱାଭାବିକ ମାନବୀୟ ବା ସାମାଜିକ ଗୁଣ । ଏହା ଆମର ଦୟାଭାବରୁ ବା ସହାନୁଭୂତି ଭାବରୁ ଆସେ । ପରଲୋକରେ ଏସବୁ ଅନୁଭୂତି ନଥିବା ହେତୁ ବୋଧେ ଏମାନେ ଏକଥାଗୁଡ଼ିକ ଉପରେ ଏତେ ଜୋର୍ ଦେଇଛନ୍ତି । ନିଜ ଭାଇକୁ ସ୍ନେହ କରିବା ଏମିତି କି ପୁଣ୍ୟ ଯେ ! ଯମଦେବ ଓ ଚିତ୍ରଗୁପ୍ତ ଆଦିଙ୍କର ଭାଇଭଉଣୀ ନାହାନ୍ତି ନା କ’ଣ ? ସେମିତି କେତେ କଥା ଅଛି–ଯାହା ଉପରେ କିଛି ଯୁକ୍ତି ଖାଟିବ ନାହିଁ, ଭିକ୍ଷୁକକୁ ଭିକ୍ଷା ଦେବା ଉଚିତ କି ନୁହେଁ–ଏହା ଆମ ମର୍ତ୍ତ୍ୟଲୋକର ବହୁ ବିପରୀତମୁଖୀ ମତାଦର୍ଶଗୁଡ଼ିକ ଉପରେ ନିର୍ଭର କରେ । ଅନେକ କ୍ଷେତ୍ରରେ ଦେଖାଯାଏ–ଭିକ୍ଷା ଦେଇଥିବା ବ୍ୟକ୍ତି ଓ ଭିକ୍ଷାକାରୀଙ୍କୁ ଭିକ୍ଷା ନଦେଇ ଭର୍ତ୍ସନା କରୁଥିବା ବ୍ୟକ୍ତି ଉଭୟେ ସମାଜରୁ ଭିକ୍ଷାବୃତ୍ତି ଭଳି ଜଘନ୍ୟ ଓ କରୁଣ ବ୍ୟାପାରଟିକୁ ଲୋପ କରିବାକୁ ଚାହାନ୍ତି । ସେମିତି ନରହତ୍ୟା, ଭ୍ରୂଣହତ୍ୟା, ପ୍ରାଣୀହତ୍ୟା ଆଦି ବ୍ୟାପାରମାନ ଆମ ମର୍ତ୍ତ୍ୟଲୋକରେ ବହୁ ବହୁ ବିରୋଧୀଭାଷୀ ମତାଦର୍ଶଗୁଡ଼ିକ ଉପରେ ପ୍ରତିଷ୍ଠିତ ଆମେ ସେଠି ଗାନ୍ଧୀ ଓ ଲେନିନ୍ ଉଭୟଙ୍କୁ ସମାନ ଭଲ ମଣିଷ ବୋଲି କହିଥାଉ । ଅନ୍ୟ ସ୍ତ୍ରୀ ବା ପୁରୁଷକୁ ଆଲିଙ୍ଗନ, ଚୁମ୍ୱନ କରି ଓ ସେମାନଙ୍କ ସହ ରଙ୍ଗ-ରସ କରି ମଧ୍ୟ ଆମେ ଆମର ଦାମ୍ପତ୍ୟଜୀବନକୁ ଖୁବ୍ ଗଭୀର ଓ ମଧୁର କରି ରଖିପାରୁ । ଆମର ସେଠି ପବିତ୍ରତାର ସଂଜ୍ଞା ମଧ୍ୟ ଅଲଗା । ତା’ର ସଂରକ୍ଷଣର ଉପାୟ ମଧ୍ୟ ଅଲଗା । ମର୍ତ୍ତ୍ୟର ଗଙ୍ଗା ଓ ସ୍ୱର୍ଗ ଗଙ୍ଗା ମଧ୍ୟରେ ବହୁତ ପ୍ରଭେଦ । ମର୍ତ୍ତ୍ୟରେ ଆମ ଗଙ୍ଗା ମାତାଙ୍କୁ ନିଜର ପବିତ୍ରତା ରକ୍ଷା କରିବାକୁ କି ସାଧ୍ୟସାଧନା କରିବାକୁ ପଡ଼େ ସେକଥା ଏଠାକାର ସ୍ୱର୍ଗ ଗଙ୍ଗାଦେବୀ ଅବା କିପରି ବୁଝିବେ ? ସ୍ୱର୍ଗରେ ଆମର ବେନାରସ, କଲିକତା, କଟକ ଭଳି ସହର ଅଛି କି ? ସହର ଥିଲେବି କାରଖାନା ଅଛି କି ? ନର୍ଦ୍ଦମା ଅଛି କି ? ପରଲୋକର ଅଧିବାସୀମାନେ ଝାଡ଼ା ଫେରନ୍ତି କି ? ଛାଡ଼ନ୍ତୁ–ଏସବୁ କଥା ମଧ୍ୟ ସେମାନଙ୍କୁ ବୁଝାଇ ହେବନାହିଁ । କାରଣ ମୁଁ ଯାହା ବୁଝିଲି–ପରଲୋକରେ ସବୁ କୁଆଡ଼େ ସ୍ୱୟଂସିଦ୍ଧ–କିଛି ସେଠି ଯୁକ୍ତିସିଦ୍ଧ ନୁହେଁ–କି ସାଧନାସିଦ୍ଧ ନୁହେଁ ।

 

ତେବେ ଯମଲୋକର ଅବସ୍ଥା ଏତେଦୂର ଖରାପ ନୁହେଁ । ଏଠାଲୋକେ ଅନ୍ତତଃ ମର୍ତ୍ତ୍ୟର ଯୁକ୍ତିତର୍କ ବୁଝିପାରନ୍ତି । ମୁଁ କୃତାଞ୍ଜଳି ହୋଇ ଚିତ୍ରଗୁପ୍ତଙ୍କ ଉଦ୍ଦେଶ୍ୟରେ କହିଲି–

 

ମହାନୁଭବ ! ମୁଁ ସବୁକଥା ଶୁଣିଲି । ଆପଣ ସବୁ ଘଟନା ଠିକ୍ ଭାବେ ଲିପିବଦ୍ଧ କରିଛନ୍ତି । ମାତ୍ର ଘଟନାଗୁଡ଼ିକର ମର୍ମ ଆପଣଙ୍କର ଗୋଚରୀଭୂତ ହେଲାଭଳି ମୋର ମନେ ହେଉନାହିଁ । ତେବେ ସେଥିଲାଗି ମୁଁ ଆପଣଙ୍କୁ ଦୋଷ ଦେବି ନାହିଁ । ମୁଁ ଜାଣେ–ଆମେ ସମସ୍ତେ ଗୋଟାଏ ବିରାଟ ଦୁର୍ବୋଧ୍ୟ ବ୍ୟବସ୍ଥାର ଅଧୀନ । ମୁଁ ସେଇ ବ୍ୟବସ୍ଥାର ଅଧୀନ ହୋଇ ମର୍ତ୍ତ୍ୟରେ କ୍ରିୟାକର୍ମ କଲି ଓ ଆପଣ ମଧ୍ୟ ସେହି ବ୍ୟବସ୍ଥାର ଅଧୀନ ହୋଇ ତା’ର ବିଚାର କରୁଛନ୍ତି । ହେଉ, ଆପଣ ମୋ ଲାଗି ଯେ ବ୍ୟବସ୍ଥା କରିବେ–ମୁଁ ତାହା ଲାଗି ପ୍ରସ୍ତୁତ । କର୍ମଫଳରେ ମୋର ଅଧିକାର ନାହିଁ ବୋଲି ଶାସ୍ତ୍ର କହିଥିଲେ ମଧ୍ୟ, ମୁଁ ତାହା ବହନ କରିବାକୁ ପଶ୍ଚାଦ୍‍ପଦ ନୁହେଁ ।

 

ଏଥର ସ୍ୱୟଂ ଯମଦେବ ଖୁବ୍ ଗଭୀର କଣ୍ଠରେ କହିଲେ–ମହାପାତ୍ର ବାବୁ ! ଆମ୍ଭେମାନେ ନାଚାର । ଆପଣଙ୍କୁ ଦେଖିଲେ ମନେ ହେଉଛି–ଆପଣ ଆଉ ଯାହା ହୁଅନ୍ତୁ ନ ହୁଅନ୍ତୁ–ଅନ୍ତତଃ ଜଣେ ଭଦ୍ରଲୋକ ଏବଂ ଆପଣଙ୍କ ବ୍ୟବହାର ଓ ଭାବଭଙ୍ଗୀରୁ ମନେ ହେଉଛି ଆପଣଙ୍କର କାଣ୍ଡଜ୍ଞାନ ମଧ୍ୟ ବେଶ୍ ସଙ୍ଗତ । ମର୍ତ୍ତ୍ୟଭୂମିରୁ ଆମର ଏଠାକୁ ବହୁ ଜ୍ଞାନୀ, ଗୁଣୀ, ମାନୀ, ଭକ୍ତ, କର୍ମୀ, ଦାନୀ ଓ ଯଶସ୍ୱୀ ଆତ୍ମା ଆସନ୍ତି–ମାତ୍ର ଆମେ ଏଠି ଯାହା ଲକ୍ଷ୍ୟକରୁ–ସେମାନଙ୍କ ମଧ୍ୟରୁ ଅନେକ ଆଦୌ ଭଦ୍ରଲୋକ ନୁହନ୍ତି ଓ ବହୁଭାଗ ବ୍ୟକ୍ତି କାଣ୍ଡଜ୍ଞାନବିବର୍ଜିତ ଏବଂ ସେମାନଙ୍କ ଯୋଗୁଁ ଆମେ ବହୁତ ହଇରାଣ ହେଉ । ମୁଁ ଆପଣଙ୍କ ଉପରେ କିନ୍ତୁ ପ୍ରକୃତରେ ସନ୍ତୁଷ୍ଟ-। ଦୟାକରି ମୋଠାରୁ ଅମରତ୍ୱ ବ୍ୟତୀତ କିଛି ବର ମାଗନ୍ତୁ । କାରଣ ମୋ ହାତରେ ସେ କ୍ଷମତା ନାହିଁ । ମୁଁ ଆପଣଙ୍କୁ ବରଟିଏ ଦେବି ।

 

ମୁଁ ହାତଯୋଡ଼ି ଧନ୍ୟବାଦ ଜଣାଇଲି ଏବଂ ବିନୀତଭାବେ କହିଲି–

 

ମହାଭାଗ ! ଆପଣ ମୋ ପ୍ରତି ଯେ ଦୟା ଓ ବିଚାର ଦେଖାଇଲେ ସେଥିଲାଗି ମୁଁ ଅତ୍ୟନ୍ତ କୃତଜ୍ଞ । ଅମରତ୍ୱ ଆପଣଙ୍କ ହାତରେ ଥାଉ ବା ନ ଥାଉ–ମୁଁ ସେଥିଲାଗି କାଙ୍ଗାଳ ନୁହେଁ । ମର୍ତ୍ତ୍ୟଭୂମିରେ ଶହେ ଦେଢ଼ଶହ ବର୍ଷ ସୁସ୍ଥଭାବେ ବଞ୍ଚିରହି ପାରିଲେ ବହୁତ କାମ ହୋଇ ପାରନ୍ତା । ନାନାଦି କାରଣରୁ ତାହା ସମ୍ଭବ ହୋଇ ପାରୁନାହିଁ । କିନ୍ତୁ ଆମର ମହାଯୋଗୀବୃନ୍ଦ ଓ ବୈଜ୍ଞାନିକମାନେ ସେ ଦିଗରେ ବହୁତ ଚେଷ୍ଟା ଚଳାଇ କେତେକାଂଶରେ ଅଗ୍ରଗତି କଲେଣି । ସେ ସମ୍ୱନ୍ଧେ ମୁଁ ଆପଣଙ୍କୁ ବିଚଳିତ କରିବା ଉଚିତ ମନେ କରୁନାହିଁ; କିନ୍ତୁ ଯଦି ଆପଣ ସ୍ୱତଃପ୍ରବୃତ୍ତ ହୋଇ ମତେ ଗୋଟିଏ ବର ଦେବାକୁ ଚାହାନ୍ତି–ତେବେ ମୁଁ ତାହା ନିଶ୍ଚୟ ମାଗିନେବି । ମାତ୍ର ତା’ ପୂର୍ବରୁ ମୋର ଏହି ପାପପୁଣ୍ୟର ବିଚାର ଉପରେ ଶେଷ ରାୟଟି ଦେଇ ଦିଅନ୍ତୁ–ମୁଁ ପ୍ରଥମେ ନରକକୁ ଯିବି ନା ସ୍ୱର୍ଗକୁ ଯିବି ?

 

ଯମଦେବ ବେଶ୍ ପ୍ରୀତିଯୁକ୍ତ କଣ୍ଠରେ କହିଲେ–

 

ଦେଖନ୍ତୁ ମହାପାତ୍ର ସାହେବ ! ଆପଣଙ୍କର ପାପ ଓ ପୁଣ୍ୟ ପ୍ରାୟ ସମାନ ହୋଇଥିବାରୁ ଆପଣ ନରକରେ ପାଞ୍ଚହଜାର ବର୍ଷ ଓ ସ୍ୱର୍ଗରେ ପାଞ୍ଚହଜାର ବର୍ଷ–ଏହିପରି ଗାଏ ମୋଟ ଦଶହଜାର ବର୍ଷ ଏ ପୁରରେ ଅତିବାହିତ କରିସାରି ମଙ୍ଗଳଗ୍ରହରେ ପୁନର୍ଜନ୍ମ ଲାଭ କରିବେ । ଆପଣଙ୍କ ଲାଗି ଏହି ବିଧାନ ଅଛି ।

 

ମୁଁ କହିଲି–ମହାଭାଗ ! ମୋ ପକ୍ଷରେ ସ୍ୱର୍ଗ ଓ ନରକ ଏକ ପ୍ରକାର ସମାନ ଅଭିଜ୍ଞତା । ପାଞ୍ଚହଜାର ବର୍ଷ ନରକରେ ରହିବା ଯେପରି କଷ୍ଟସାଧ୍ୟ ବ୍ୟାପାର–ତହୁଁବଳି ଦୁଃସହ ଜୀବନ ଭୋଗ କରିବାକୁ ହେବ ପାଞ୍ଚହଜାର ବର୍ଷ ସ୍ୱର୍ଗପୁରୀରେ । ମୁଁ ଯାହାଜାଣେ–ନରକରେ ଘୋର ଦୁଃଖ ଭୋଗ କରିବାକୁ ହେବ ଓ ସ୍ୱର୍ଗରେ ଘୋର ସୁଖ ଭୋଗ କରିବାକୁ ହେବ । ମାତ୍ର ମର୍ତ୍ତ୍ୟଲୋକରେ ଏ ଦୁଇଟାରୁ ଗୋଟାଏବି ନାହିଁ । ଆମ୍ଭେମାନେ ଏକ ସମଶୀତୋଷ୍ଣ ଗ୍ରହର ଅଧିବାସୀ । ସେଠି ଘୋର ଦୁଃଖ ଓ ଘୋର ସୁଖ ଅବିମିଶ୍ରଭାବେ ଭୋଗ କରିବାକୁ ପଡ଼େ ନାହିଁ । ମୋ ପକ୍ଷରେ ନରକର ଦୁଃଖ ଭୋଗ ଯଦି ଫୁଟନ୍ତା ତେଲ ପୋଖରୀରେ ପାଞ୍ଚହଜାର ବର୍ଷ ସ୍ନାନ କଲାଭଳି ହେବ–ସେମିତି ସ୍ୱର୍ଗର ସୁଖଭୋଗ ବିଗଳିତ ତୁଷାର ଜଳରେ ପାଞ୍ଚହଜାର ବର୍ଷ ସ୍ନାନ କଲାଭଳି ହେବ । ମୋଟ ଉପରେ ମୋ ଲାଗି ସ୍ୱର୍ଗ ଓ ନରକ ହେବ ଦଶହଜାର ବର୍ଷଧରି ଏକ ଦୁଃସହ ନିରାନନ୍ଦକର ରୋମାଞ୍ଚହୀନ ଜୀବନ । ତେଣୁ ଆଗ ନରକକୁ ଯାଏଁ ବା ଆଗ ସ୍ୱର୍ଗକୁ ଯାଏଁ, ମାତ୍ର ପ୍ରଭୁ ! ମୋର ପୁନର୍ଜନ୍ମ ଲାଗି ଆପଣ ମଙ୍ଗଳଗ୍ରହଟି କାହିଁକି ବାଛିଲେ ମୁଁ ବୁଝିପାରୁ ନାହିଁ । ମୋତେ ପୁନଶ୍ଚ ପୃଥିବୀକୁ ଫେରାଇ ଦେଇ ପାରିବେ ନାହିଁ ? ଯଦି ମୋତେ ବର ଦେବାକୁ ଇଚ୍ଛା କରନ୍ତି–ତେବେ ମୋତେ ପୁନର୍ବାର ପୃଥିବୀକୁ ଫେରାଇଦିଅନ୍ତୁ ।

 

ଯମରାଜ ଟିକିଏ ଚିତ୍ରଗୁପ୍ତଙ୍କ ମୁହଁକୁ ଚାହିଁ ସ୍ମିତହାସ୍ୟ କଲେ ଏବଂ ମୋ ଉଦ୍ଦେଶ୍ୟରେ କହିଲେ–

 

ତଥାସ୍ତୁ ! ମୁଁ ଆପଣଙ୍କୁ ପୁନଶ୍ଚ ପୃଥିବୀକୁ ଫେରାଇ ଦେବି । ମାତ୍ର ଆପଣଙ୍କ ସୁଯୁକ୍ତିଦ୍ୱାରା ମୁଁ ପୁନଶ୍ଚ ପ୍ରୀତ ହୋଇଅଛି । ଏବେ ଦ୍ୱିତୀୟ ବରଟି ପ୍ରାର୍ଥନା କରନ୍ତୁ । ମୁଁ ଆପଣଙ୍କୁ ଆଉଥରେ ବର ଦେବି ।

 

ଯମରାଜ ଯେ ଏତେ ଭଦ୍ର ଓ ଯୁକ୍ତିର କଦର ବୁଝି ଏତେଦୂର ପ୍ରୀତ ହୋଇପାରନ୍ତି ଓ ତୀକ୍ଷ୍ଣ ମାନବୀୟ ମନୀଷା ଓ ପ୍ରଗାଢ଼ ମାନବୀୟ ଅନୁରକ୍ତି ଦେଖି ଏତେ ମୁଗ୍ଧ ହୋଇ ପାରନ୍ତି ତାହା ମୁଁ ମର୍ତ୍ତ୍ୟରେ ନଚିକେତା ଓ ସାବିତ୍ରୀଙ୍କ ଉପାଖ୍ୟାନରୁ ପଢ଼ି ଜାଣିଥିଲି । ଏବେ ମୋର ମଧ୍ୟ ସେହି ପରମ ସୌଭାଗ୍ୟ ଉପସ୍ଥିତ ହେଲା–ତେଣୁ ମୁଁ ବିନୀତ କଣ୍ଠରେ କହିଲି–ଧର୍ମରାଜ ! ମୁଁ ପୃଥିବୀକୁ ଫେରିଯାଇ ଆପଣଙ୍କର ଏହି ମହତ୍ତ୍ୱ ସମ୍ପର୍କରେ ଗୋଟିଏ ବିରାଟ କାବ୍ୟଲେଖି ପାର୍ଥିବମାନଙ୍କୁ ଅବଶ୍ୟ ଶୁଣାଇବି । ଆପଣଙ୍କର ହୃଦୟବତ୍ତା ଅତୁଳନୀୟ । ମୋର ଗୋଟିଏ ପ୍ରଶ୍ନ ହେଉଛି–ମୁଁ ଯଦି ବର୍ତ୍ତମାନ ଏକ ବିଶେଷ ଦାନକାର୍ଯ୍ୟ ସମ୍ପାଦନ କରେ ତେବେ ମୁଁ ସଙ୍ଗେ ସଙ୍ଗେ ପୁରସ୍କୃତ ହେବି ତ ?

 

ନିଶ୍ଚୟ ! ଯମଦେବ ଦୃଢ଼ କଣ୍ଠରେ କହିଲେ ।

 

ତା’ହେଲେ ମୋର ପୁଣ୍ୟକର୍ମର ଫଳସ୍ୱରୂପ ମୁଁ ଯେଉଁ ପାଞ୍ଚ ହଜାର ବର୍ଷ ସ୍ୱର୍ଗରେ ରହିବାର ଅଧିକାର ପାଇଛି ତାହା ମର୍ତ୍ତ୍ୟଭୂମିର । ସ୍ୱର୍ଗସୁଖ କାଙ୍ଗାଳମାନଙ୍କ ମଧ୍ୟରେ ଖୁବ୍ ଶୀଘ୍ର ସମାନଭାବେ ବାଣ୍ଟିଦେବାକୁ ମୋତେ ଅନୁମତି ମିଳୁ ।

 

ଯମଦେବ ପୁନଶ୍ଚ ଚିତ୍ରଗୁପ୍ତଙ୍କ ଆଡ଼କୁ ଚାହିଁଲେ ଓ କିଞ୍ଚିତ୍ ସ୍ମିତହାସ୍ୟ କରି କହିଲେ–ତଥାସ୍ତୁ । ବର୍ତ୍ତମାନ ଏହି ପୁଣ୍ୟକାର୍ଯ୍ୟ ଲାଗି ମୁଁ ଆପଣଙ୍କୁ ତୃତୀୟ ବରଟି ଦେବାକୁ ଚାହେଁ–ଶୀଘ୍ର ମାଗନ୍ତୁ ।

 

ବର୍ତ୍ତମାନ ମୁଁ ସର୍ବଶେଷ ବିଜୟୀ କାର୍ଡ଼ଟି ପକାଇଲି । କହିଲି ମହାଭାଗ ! ମୁଁ ଯଦି ପାଞ୍ଚହଜାର ବର୍ଷଯାଏଁ ଏଠି ନରକରେ କଟାଏ ତେବେ ମୋର କ୍ଷୁଦ୍ର ଗ୍ରହଟିର ସ୍ୱର୍ଗସୁଖ କାଙ୍ଗାଳମାନଙ୍କୁ ସ୍ୱର୍ଗସୁଖ ବାଣ୍ଟିବାରେ ବହୁତ ଡେରି ହୋଇଯିବ ନାହିଁକି ? ତେଣୁ ମତେ ସଙ୍ଗେ ସଙ୍ଗେ ପୁନଶ୍ଚ ପୃଥିବୀକୁ ପଠାଇ ଦିଆଯାଉ ।

 

ଯମରାଜ ଗୋଟିଏ ମୁହୂର୍ତ୍ତ ଅକ୍‍କା ହୋଇଗଲେ । ଏହି ଅବସରରେ ଚିତ୍ରଗୁପ୍ତ ମହାଶୟ କ’ଣ କହିବେ ବୋଲି ଉଠି ଠିଆ ହେଉଥିଲେ, ମାତ୍ର ଯମରାଜ ସଙ୍ଗେ ସଙ୍ଗେ ପଚାରିଲେ–

 

ହେ ବିଦଗ୍ଧ ପାର୍ଥିବ ! ପୃଥିବୀକୁ ଫେରିଯାଇ ତୁମେ କେଉଁ କେଉଁ ସ୍ୱର୍ଗ-ସୁଖ କାଙ୍ଗାଳମାନଙ୍କୁ ସ୍ୱର୍ଗସୁଖ ବିତରଣ କରିବ–ତାହା ସଂକ୍ଷେପରେ ବର୍ଣ୍ଣନା କର । ଆମ୍ଭର ଶ୍ରବଣ କରିବାକୁ ଇଚ୍ଛା ହେଉ ଅଛି ।

 

ମୁଁ ମଧ୍ୟ ସଙ୍ଗେ ସଙ୍ଗେ କହିଲି–ହେ ଭଦ୍ରବୁଦ୍ଧି ଦେବୋତ୍ତମ ! ଆସନ୍ତା ଜନ୍ମରେ ମୁଁ ଯେଉଁମାନଙ୍କୁ ସ୍ୱର୍ଗ-ସୁଖ ଦେବି ବୋଲି ମନସ୍ଥ କରିଛି ତାହା ଶ୍ରବଣ କରିବା ହୁଅନ୍ତୁ । ଶିଷ୍ୟମାନଙ୍କଠାରୁ ନିତ୍ୟ ପ୍ରଣାମ ଓ ଅବନତି ଆଶାୟୀ ଶିକ୍ଷକ ଅଧ୍ୟାପକମାନଙ୍କୁ–ସନ୍ତାନମାନଙ୍କଠାରୁ ନିତ୍ୟ ଆନୁଗତ୍ୟାଭିଳାଷୀ ପିତାମାତାମାନଙ୍କୁ–ନିତ୍ୟ ଯୌନସଙ୍ଗମ ଆକାଂକ୍ଷା କରୁଥିବା କାମୀ ପୁରୁଷ ଓ ନାରୀମାନଙ୍କୁ–ଜନତାଠାରୁ ନିତ୍ୟ ସମର୍ଥନ ଦାବି କରୁଥିବା ରାଜନୀତିକ ନେତାମାନଙ୍କୁ–ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଆପଣାର ଭଣ୍ଡାର ଭିତରେ ପଶିଯାଉ ବୋଲି ନିତ୍ୟ ଲୋଭଜର୍ଜରିତ ବ୍ୟବସାୟୀମାନଙ୍କୁ–ପାଠକ ଓ ଦର୍ଶକମାନଙ୍କଠାରୁ ନିତ୍ୟ ବାହାବା ଧ୍ୱନି ଶୁଣିବାକୁ ଚାହୁଁଥିବା କବି, ଲେଖକ ଓ ଅଭିନେତାବୃନ୍ଦଙ୍କୁ–ଏ ପୃଥିବୀ କେବଳ ଆପଣା ଔରସଜାତ ସନ୍ତାନସନ୍ତତିଙ୍କ ଦ୍ୱାରା ପୂର୍ଣ୍ଣ ହେଉ ବୋଲି କାମନା କରୁଥିବା ଦମ୍ପତିମାନଙ୍କ–ପୃଥିବୀରେ ରୋଗୀ ଓ କଳହରତ ଲୋକଙ୍କ ସଂଖ୍ୟା ବଢ଼ୁ ବୋଲି ଚାହୁଁଥିବା ଡାକ୍ତର ଏବଂ ଓକିଲମାନଙ୍କୁ–ଭଗବାନ୍ ମୋ ପାଇଁ, ମୋ ଭଳି ଓ ମୋଦ୍ୱାରା ଚାଳିତ ହେଉନ୍ତୁ ବୋଲି ଚାହୁଁଥିବା ଭକ୍ତମାନଙ୍କୁ ମୁଁ ମୋ ଅର୍ଜିତ ସ୍ୱର୍ଗସୁଖ ସମାନଭାବେ ବିତରଣ କରିଦେବି । ଏତଦ୍‍ବ୍ୟତୀତ, ପୃଥିବୀର ପଥ-ବିପଥରେ ଲକ୍ଷ୍ୟହୀନଭାବେ ଦିନରାତି ଘୂରି ବୁଲୁଥିବା କେତେକ ଅନାଥ ନିରାଶ୍ରୟ ଶ୍ୱା ମାନଙ୍କୁ ଓ ଏଘର ମାଉସୀ ସେଘର ପିଉସୀରୂପେ ଏଘରୁ ସେଘରୁ ମାଡ଼ଗାଳି ସହି ମିଆଁଉ ମିଆଁଉ କରୁଥିବା ବିଡ଼ାଳୀମାନଙ୍କୁ ମଧ୍ୟ ମୁଁ ସେଥିରୁ କିଛି ଅଂଶ ଦେବି । ମହାଭାଗ ! ପୃଥିବୀର ଏହିମାନଙ୍କୁ ମୁଁ ଯଦି କିଛିଦିନ ପାଇଁ କିଛି ସ୍ୱର୍ଗସୁଖ ଦେଇପାରେ–ତେବେ ଆମ ପୃଥିବୀଟି ଏଇ ବିଶ୍ୱବ୍ରହ୍ମାଣ୍ଡ ମଧ୍ୟରେ ସର୍ବଶ୍ରେଷ୍ଠ ବାସୋପଯୋଗୀ ଗ୍ରହରୂପେ ଗଣ୍ୟ ହୋଇପାରିବ । ଏମାନେ ଆମ ଗ୍ରହରେ ନିତ୍ୟ ନରକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଏବଂ ଏମାନଙ୍କର ଉତ୍ତପ୍ତ ନିଃଶ୍ୱାସରେ ପୃଥିବୀ ମଧ୍ୟ ନିତ୍ୟ ସନ୍ତପ୍ତ ହେଉଅଛି ।

 

ମୋର ବକ୍ତବ୍ୟ ଶେଷ ହୁଅନ୍ତେ ଯମରାଜ କିଛି ସମୟ ଗମ୍ଭୀର ହୋଇ ବସିରହିଲେ ଏବଂ ପରିଶେଷରେ ଖୁବ୍ ଉଦାର ଗଭୀର ସ୍ୱରରେ କହିଲେ–ତଥାସ୍ତୁ–ତଥାସ୍ତୁ–ତଥାସ୍ତୁ । ତା’ପରେ ଦଣ୍ଡାୟମାନ ହୋଇ ମୋ ଉଦ୍ଦେଶ୍ୟରେ କହିଲେ–

 

–ହେ ପାର୍ଥିବୋତ୍ତମ ! ମୁଁ ଆପଣଙ୍କୁ ସେହି ବର ପ୍ରୀତ ମନରେ ପ୍ରଦାନ କରୁଅଛି । ଆପଣ ଏହିକ୍ଷଣି ପୃଥିବୀରେ ଜନ୍ମଗ୍ରହଣ କରନ୍ତୁ ଏବଂ ମନୋମତ ମାନବ ଓ ପ୍ରାଣୀମାନଙ୍କୁ ସ୍ୱର୍ଗସୁଖ ବିତରଣ କରିବାରେ ଲାଗି ପଡ଼ନ୍ତୁ । କିନ୍ତୁ ମୋର ଆଶଙ୍କା ହୁଏ–ସେମାନେ ଆପଣଙ୍କ ଅର୍ପିତ ସ୍ୱର୍ଗସୁଖକୁ କିପରିଭାବେ ଉପଭୋଗ କରିବେ, ତାହା ବର୍ତ୍ତମାନ ସୁଦ୍ଧା ମୋର ଗୋଚରୀଭୂତ ହେଉନାହିଁ । ସେ ଦାୟିତ୍ୱଟି ଅବଶ୍ୟ ସମ୍ପୂର୍ଣ୍ଣଭାବେ ଆପଣଙ୍କର...। କାରଣ ଆପଣହିଁ ସ୍ୱେଚ୍ଛାରେ ଏହା ବରଣ କରିଛନ୍ତି ।

 

ସୁଧୀବୃନ୍ଦ !

 

ତା’ପରର ଘଟନା ସବିଶେଷ ବର୍ଣ୍ଣନା କରିବାର କ୍ଷେତ୍ର ଏହା ନୁହେଁ । ଅନ୍ୟତ୍ର ମୁଁ ତାହା ବାରାନ୍ତରେ ପ୍ରକାଶ କରିବାକୁ ଚେଷ୍ଟା କରିବି । ଯମଦେବଙ୍କଠାରୁ ବର ପାଇ ମୁଁ ଏ ପୃଥିବୀରେ ପୁନର୍ବାର ଭୂମିଷ୍ଠ ହୋଇ ଆଜି ପର୍ଯ୍ୟନ୍ତ ମୋର ପ୍ରତିଶ୍ରୁତି ଅନୁସାରେ ଯେଉଁମାନଙ୍କୁ ସ୍ୱର୍ଗସୁଖ ଦେବାଲାଗି ପ୍ରୟାସ କରି ଆସିଛି–ସେଥିରେ ମୋର ଯେଉଁସବୁ ଅଭିଜ୍ଞତା ହୋଇଛି ତାହା ପୁନର୍ବାର ଆପଣମାନଙ୍କୁ ନିଶ୍ଚୟ ଶୁଣାଇବି–ସେଥିଲାଗି ମୁଁ ଓ ଆପଣମାନେ ଦୀର୍ଘଜୀବନ ଲାଭ କରିବାକୁ ପ୍ରାର୍ଥନା କରି ଏଥରକଲାଗି ବିଦାୟ ନେଉଛି ।

Image

 

ପୁରୁଷାୟିତ

 

କାହିଁକି ଆଉ ଆସୁଛ ମୋ ପାଖକୁ ଏତେଥର ମୋ ଧନମାଳୀ ? ଦିନେ ଦିନେ ଶେଷରାତିର ସପନରେ – ଦିନେ ଦିନେ ଦୁଇପ୍ରହରର ଅଧାଚିଆଁ ଅଧା ନିଦରେ ମୋର ଆଗରେ ଆସି କାହିଁକି ଠିଆ ହୋଇ ଯାଉଛ ମୋର ପ୍ରାଣେଶ୍ୱର ? ତୁମର କ’ଣ ଏ ପୃଥିବୀ ଉପରୁ ମୋହ ତୁଟି ନାହିଁ ? ତୁମର କ’ଣ ମୋ ଉପରୁବି ମୋହ ତୁଟି ନାହିଁ ? ସତକୁସତ ତୁମେ ମୋ ପାଖକୁ ଆସୁଛ ମୋର ସୁଷୁପ୍ତି ବା ତନ୍ଦ୍ରାବସ୍ଥାର ସୁଯୋଗ ନେଇ–ନା–ମୋର କେଉଁ କେଉଁ ଆଚ୍ଛନ୍ନ ଅବସ୍ଥାରେ ମୋର ଆତ୍ମା-ପୁରୁଷ ମୋ ଦେହରୁ ଉଡ଼ି ଚାଲିଯାଉଛି ତୁମପାଖକୁ–ସେଇ ଅଶରୀରୀ-ଲୋକରେ ତୁମକୁ ଭେଟୁଛି ମୁଁ–ନା ତୁମେ ତୁମର ସୂକ୍ଷ୍ମ ରୂପରେ ପହଁରି ଆସୁଛ ଏହି ମହାଶୂନ୍ୟକୁ ପାରିହୋଇ ଏହି ମର୍ତ୍ତ୍ୟମଣ୍ଡଳକୁ ମୋ ପାଖକୁ ? ଯାହା ହେଲେବି ଆଉ ଏମିତି ଭେଟାଭେଟିରେ ଦୁଇ ପକ୍ଷର ଲାଭ ବା କ’ଣ ? ଆଉ କ’ଣ ଆମେ ମିଳିତ ହୋଇ ପାରିବା ? ଏ ଜଗତରେ ମିଳନର ଏକମାତ୍ର ମାଧ୍ୟମ ଦେହ । ଏ ଦେହ ପଞ୍ଚଭୂତରେ ମିଶିଗଲେ ଆଉ କ’ଣ ଥାଏ ? ମିଳନ ମାନେ ତ ଦୁଇଟି ଦେହରଇ ମିଳନ । ଦେହ ମିଳିଲେ ପ୍ରାଣ ମନ ମିଳିବ, ପ୍ରାଣ ମନ ମିଳିଲେ ଆତ୍ମା ଆତ୍ମା ମିଳିବେ । ଦେହ ଗଲେ ସବୁ ଗଲା । ଗଲା ମାନେ ଗଲା । ଏଇ ଜୀବନରେ ଯେତିକି ଯାହା ହୋଇଗଲା ଗଲା–ଆଉ ସେସବୁ ଫେରି ଆସିବ ନାହିଁ । ଫେରିଆସିବାଲାଗି ଆଉ ବାହୁନିବସିବାବି ବୋକାମି ।

 

ତୁମର ଶବକୁ ସେଦିନ ଚନ୍ଦନ ଚର୍ଚ୍ଚିତ କରି–ନାନା ଫୁଲର ମାଳାରେ ଶୋଭିତ କରି କୋକେଇରେ ବୋହିନେଲେ । ମଶାଣିରେ କାଠଲଦି ନିଆଁ ଲଗାଇଦେଲେ । ତୁମେ ହୁତୁ ହୁତୁ ହୋଇ ଜଳି ଉଠିଲ । ତୁମ ଦେହରୁ ପ୍ରାଣ ଛାଡ଼ିବା ବେଳଠାରୁ ମୁଁ ନିର୍ବେଦ ହୋଇଯାଇଥାଏ । ମୋର ଆଖିରୁ ଲୁହ ବୋହୁ ନ ଥାଏ । ତିନିଦିନ କାଳ ତୁମେ ଅଚେତ ହୋଇ ପଡ଼ିରହିଥିଲ । ଘନ ଘନ ନିଃଶ୍ୱାସ ଛାଡ଼ୁଥିଲ । ମୁଁ ତୁମ ପାଖରେ ତିନି ଦିନ ତିନି ରାତି ନଖାଇ ନପିଇ ନଶୋଇ ସେମିତି ବସି ରହିଥିଲି । ଚିତ୍ରାର୍ପିତ ପ୍ରାୟ ବସି ରହିଥିଲି । ତୁମକୁ ଆଉଁଶୁଥିଲି । ତୁମ ମୁହଁକୁ ଚାହିଁ ରହିଥିଲି । ଡାକ୍ତରମାନେ ଆସୁଥିଲେ । ଚିକିତ୍ସା ଚାଲିଥିଲା । ବନ୍ଧୁବାନ୍ଧବମାନେ ଆସିଥିଲେ । ସହରର ବିଶିଷ୍ଟ ବ୍ୟକ୍ତିମାନେ ଆତଯାତ ହେଉଥିଲେ । ମୋ ପ୍ରତି ସମବେଦନା ଜଣାଇ ଯାଉଥିଲେ । ଆଶା ଦେଇ ଯାଉଥିଲେ । ମାତ୍ର ମୁଁ କାହା କଥା ଶୁଣୁ ନ ଥିଲି । କାହା ଆଡ଼କୁ ଚାହୁଁ ନ ଥିଲି । ମୁଁ କେବଳ ତୁମର ସେହି ଜ୍ଞାନହୀନ ଶରୀରଟିକୁ ଆଉ ତୁମର ସେହି ମୁଖମଣ୍ଡଳଟିକୁ ଚାହିଁ ରହିଥିଲି । ତୁମ ଦେହକୁ ଆଉଁଶୁଥିଲି । ଭାରି ମମତାରେ ଆଉଁଶୁଥିଲି ମୋ ଧନ । ମୁଁ ନିର୍ଘାତ ଜାଣିଥିଲି ତୁମେ ଚାଲିଯିବ । ଆଉ ରହିବ ନାହିଁ । କେବଳ ମୁଁ ରହିବି । ତୁମର ପୁଅ ବୋହୂ ଝିଅ ଜୋଇଁମାନେ ତୁମକୁ ଘେରି ରହିଥିଲେ । ସେମାନେ ମୋତେ ସହାନୁଭୂତି ଦେଖାଉଥିଲେ । ତାଙ୍କ ବାପାଙ୍କ ଶେଷ ଶଯ୍ୟା ପାଖରେ ବିମର୍ଷ ହୋଇ ବସିଥିବା ମାଆକୁ ସେମାନେ ସାହସ ଦେଉଥିଲେ । କିଛି କିଛି ସମ୍ମାନବି ଜଣାଉଥିଲେ । ତାଙ୍କ ବାପାଙ୍କର କିଛି ହୋଇଗଲେ ସେମାନେ ସେମାନଙ୍କର ଗର୍ଭଧାରିଣୀ ଜନନୀକୁ ଖୁବ୍ ଯତ୍ନରେ ସସମ୍ମାନେ ରକ୍ଷାକରିବେ ବୋଲି ମଧ୍ୟ ନାନା ଇଙ୍ଗିତ ଆଉ ପରୋକ୍ଷବଚନରେ ମୋତେ ଆଶ୍ୱାସନା ଦେବାକୁ ଚେଷ୍ଟା କରୁଥିଲେ । ମାତ୍ର ମୁଁ କାହା କଥା ଶୁଣୁ ନ ଥିଲି । କାହା କଥାକୁ ଖାତିର ମଧ୍ୟ କରୁ ନଥିଲି । ମୁଁ ଖାଲି ଭାବୁଥିଲି–ଏ ଦୃଶ୍ୟ ଯେତେଶୀଘ୍ର ଶେଷ ହୋଇଯିବ ହେଉ । ଶେଷ ପରଦାଟି ପଡ଼ିଯାଉ । ମୋ ବିଷୟରେ କାହାରି ଚିନ୍ତା କରିବା ଦରକାର ନାହିଁ–ମୋ ଦାୟିତ୍ୱ କେହି ମୁଣ୍ଡାଇବା ଲାଗି ତତ୍ପର ହେବା ଆବଶ୍ୟକ ନାହିଁ । ମୁଁ ମନେ ମନେ ପିଲାମାନଙ୍କୁ କହୁଥାଏ–ତୁମେମାନେ ତୁମ ବାପାଙ୍କ ଶ୍ମଶାନକୃତ୍ୟ ଲାଗି ପ୍ରସ୍ତୁତ ହୁଅ । ତୁମ୍ଭେମାନେ ତୁମ ବାପାଙ୍କର । ତୁମ୍ଭେମାନେ ବଞ୍ଚିଥିବାଯାଏଁ ତୁମ ବାପାଙ୍କରଇ ଗୁଣ ଗାଇ ଚାଲିବ । ତୁମ୍ଭେମାନେ ତୁମ ବାପାଙ୍କର ବଂଶ ରକ୍ଷା କରିଚାଲିବ । ବାପାଙ୍କର ମହିମାର ଉତ୍ତରାଧିକାରୀ ତୁମ୍ଭେମାନେ । ତୁମ୍ଭେମାନେ ତୁମ ବାପାଙ୍କର ତପସ୍ୟାର ଫଳ । ମୋ କଥା ଛାଡ଼ିଦିଅ । ତୁମ ଧାରଣାରେ ବାପାଙ୍କ ଯୋଗୁଁ ମୁଁ । ବାପା ଚାଲିଗଲେ ମୁଁ ଚାଲିଯିବି । ବାପା ନ ଥିଲେ ମୁଁ ନାହିଁ । ମୁଁ ଏକଥା ଜାଣେ । ମୁଁ ବି ଜାଣେ ବାପାଙ୍କ ମୃତ୍ୟୁ ପରେ ତୁମ୍ଭେମାନେ ମତେ ପଚାରିବ ନାହିଁ । ମୁଁ ତୁମ୍ଭମାନଙ୍କ ଘରେ ପୋଷା ବିଲେଇଟିଏ ଭଳି ରହିବି । ତୁମ୍ଭମାନଙ୍କ ପାଖେ ଘଷି ହେଉଥିବି । ତୁମ୍ଭେମାନେ ସେତିକିରେ ମୋତେ ଆଦର ଯତ୍ନ କରିବ । ବାସ୍ ସେତିକି । କିନ୍ତୁ ଜାଣିଥାଅରେ ବୋପାର ପୁଅ ଝିଅମାନେ । ମୁଁ ତୁମର ବାପ ମଲାପରେ ତୁମମାନଙ୍କର ପୋଷାବିଲେଇ ହୋଇ ରହିବି ନାହିଁ । ରହିବି ନାହିଁ–କହି ଦେଉଛି ରହିବି ନାହିଁ । କ’ଣ କରିବି ମୁଁ ଜାଣେ । ସେକଥା ଆଗରୁ ଜାଣି ଲାଭ ନାହିଁ । ସେଇଥିପାଇଁ ତ ମୁଁ ଏମିତି ତୁମର ମୁମୂର୍ଷୁ ବାପାଙ୍କର ଶେଷଶଯ୍ୟା ପାଖେ ନ ଖାଇ ନ ପିଇ ନ ଶୋଇ ଦିନ ରାତି ବସି ରହିଛି ।

 

ତିନି ଦିନ ତିନି ରାତି ବିତିଗଲା । ତା’ପରେ ତୁମର ପିଣ୍ଡରୁ ପ୍ରାଣ ଛାଡ଼ିଗଲା । ତୁମର ଆତ୍ମାପୁରୁଷ ଉଡ଼ିଗଲେ । ସେତେବେଳେ ସମସ୍ତେ କାନ୍ଦି କାଟି ଗଡ଼ିଲେ । ମାତ୍ର ମୁଁ କାନ୍ଦିଲି ନାହିଁ । ସେମାନେ କାନ୍ଦି କାନ୍ଦି କ୍ଳାନ୍ତ ହୋଇଗଲେ । ତା’ପରେ ସେମାନେ ମୋତେ ବୁଝାଇବେ ବୋଲି ଆସିଲେ । ମାତ୍ର ମୁଁ ତ କାନ୍ଦୁ ନ ଥିଲି । ମୁଁ ଶ୍ମଶାନଯାତ୍ରାର ଯୋଗାଡ଼ କରୁଥିଲି । ସେମାନେ ତୁମର ଶବକୁ ବୋହିନେଲେ । ମୁଁ ସଙ୍ଗେ ସଙ୍ଗେ ମଶାଣିକୁ ଗଲି । ତୁମର ପୁଅ ଜୋଇଁମାନେ ମତେ ମନା କରୁଥିଲେ । ମୁଁ ସେମାନଙ୍କୁ ତେଢ଼ିଦେଲି– ‘‘ଆରେ ଯା’ମ ମୁଁ ତୁମମାନଙ୍କ ଆଜ୍ଞାରେ ଅଛି ନା କ’ଣ ?’’ ମଶାଣିରେ ତୁମକୁ ସେମାନେ ପୋଡ଼ିଲେ । ଚନ୍ଦନକାଠ ଓ ଘିଅ ଲାଗି ତୁମେ ଯେତେବେଳେ ହୁତୁ ହୁତୁ ହୋଇ ଜଳିଲ–ଆହା କେଡ଼େ ସୁନ୍ଦର ଦିଶିଲା ସେ ତୁମ ଚିତାର ଅଗ୍ନିଶିଖା । ତୁମେ ଜଳୁଥିଲ । ନଈକୂଳର ମଶାଣି ସେଇ ଆଲୁଅରେ ନାଚୁଥିଲା । ନିସ୍ତବ୍ଧ ମଶାଣିରେ କେବଳ ତୁମର ଚିତାର ନିଆଁହିଁ ଯାହା ଶବ୍ଦ କରୁଥିଲା । ଅନ୍ୟମାନେ ଚୁପ୍‍ଚାପ୍ ଠିଆ ହୋଇଥିଲେ । ମୁଁ ତା’ ଆଗରୁ, ମଣିଷର ଦେହ ଏମିତି ନିର୍ବିଘ୍ନରେ ଆନନ୍ଦରେ ଜଳିବା କେବେ ଦେଖି ନଥିଲି । ମତେ ଭାରି ଉଲ୍ଲାସ ଲାଗିଲା । ମୁଁ ଭାବିଲି–ଏଇ ବୋଧେ ସେହି ମୁକ୍ତିର ମୁହୂର୍ତ୍ତ–ଚରମ ଆନନ୍ଦ ଆଉ ଚରମ ସିଦ୍ଧାନ୍ତର ମୁହୂର୍ତ୍ତ । ଏହି ମୁହୂର୍ତ୍ତରେ ମୁଁ ତୁମର ଚିତାର ନିଆଁ ଭିତରେ ଶୋଇଯିବି । ଆଉ ଜଳିବି–ତୁମର ଦେହ ସଙ୍ଗେ ମିଶିମାଶି ଜଳିବି । ଏ ଏମିତି କିଛି ବିଶେଷ କଷ୍ଟକର କଥା ନୁହେଁ । ନିଆଁ ଭିତରକୁ ଡେଇଁପଡ଼ିଲେଇ ଗଲା । ତେରିକି ନିଆଁ ପାଲଟିଯିବ ଏ ଦେହ । ସମସ୍ତଙ୍କୁ ମୁଁ ଏହି ମୁହୂର୍ତ୍ତଟାରେ ବିଦାୟ ଦେଇପାରେ । ବିଦାୟ ଦେବାଟାଇ ପରମସୁଖ । ତୁମେ ବିଦାୟ ନେଇ ଚାଲିଗଲ । ତୁମ ଦେହ ନିଆଁ ହୋଇ ଜଳୁଛି । ତୁମେ ଡେଇଁପଡ଼ିଲ, ମୁଁ ଡେଇଁପାରେନା ? ତୁମେ ପହଁରିଗଲ–ମୁଁ ପହଁରିଯାଇ ପାରେନା ? ଏ ଏମିତି କି ବା କଥା ? ମୋଠାରୁ ତୁମେ ମାତ୍ର ଛ’ଫୁଟ ଦୂରରେ ଜଳୁଛ-। ବେଶି ଦୂରରେ ନୁହେଁ । ଏଇ ଛଅଫୁଟ ଡେଇଁ ଗଲେ ତେଣିକି ମୁକ୍ତି–ତେଣିକି ଆନନ୍ଦ–ତେଣିକି ନିଆଁ ହୋଇ ଜଳିବା । ଯେଉଁମାନେ ଏପର୍ଯ୍ୟନ୍ତ ଜଳି ନାହାନ୍ତି ସେମାନଙ୍କ ଆଗରେ ଜଳିବା–ଜଳି ଜଳି ଯିବା । ଚଡ଼ ଚଡ଼ ହୋଇ ବହୁ ଶାଖାରେ ଜଳିଯିବା । ମୋର ସିଦ୍ଧାନ୍ତ ଘନେଇ ଆସିଲା–କେନ୍ଦ୍ରୀଭୂତ ହୋଇ ଆସିଲା–ପତଙ୍ଗ ଭଳି ମୁଁ ନିଆଁ ଆଡ଼କୁ ଝୁଙ୍କି ହୋଇଗଲି–ଟାଣି ହୋଇଗଲି–ଡେଇଁ ପଡ଼ିଲି ।

 

ମୋର ବନଜୋଇଁର କୋଳରେ ମୋର ଚେତା ଫେରିଲା–ଘରକୁ ଫେରିଆସିବାର ବହୁତ ପରେ । ତା’ପରେ ମୁଁ କାନ୍ଦିଲି–ଅଝୋର କାନ୍ଦିଲି । ଛାଟିପିଟି ହୋଇ କାନ୍ଦିଲି ନାହିଁ । ବିଛଣାରେ ଶୋଇ ଶୋଇ ଅନବରତ ନୀରବରେ କାନ୍ଦିଲି । ତା’ପରେ ସେ କାନ୍ଦ ଆପଣାଛାଏଁ ବନ୍ଦ ହୋଇଗଲା । ମତେ ଯିଏ କନ୍ଦାଉଥିଲା ସେଇ ପୁଣି ମୋ କାନ୍ଦ ବନ୍ଦ କରିଦେଲା । ମୁଁ ଝାଡ଼ିଝୁଡ଼ିହୋଇ ଉଠିଲି । ଚାରିଆଡ଼କୁ ଚାହିଁଲି । ମୁଁ ଦେଖିଲି ଚାରିଆଡ଼େ ଏକ ବନ୍ଧନହୀନ ବାଧାହୀନ ଅଗଳହୀନ ବିସ୍ତାର । ସୁନ୍ଦର ଆକାଶ–ସୁନ୍ଦର ତା’ର ନୀଳିମା–ସୁନ୍ଦର ତା’ର ଖରା । ଏ ଧରଣୀ ଆହୁରି ସୁନ୍ଦର–ବାଧାବନ୍ଧ ହୀନ ପଥ–ଏଠି ମୁକ୍ତିର ଉଲ୍ଲାସରେ ସୁଲୁ ସୁଲୁ ହୋଇ ଗଛ ଲତା ପତ୍ର ଫୁଲକୁ ଛୁଇଁ ଛୁଇଁ ବହିଯାଉଛି ବାୟୁ–ଏଠି କେହି କାହା ପାଖରେ ବନ୍ଧା ନୁହ–ସମସ୍ତେ ଏଠି ମୁକ୍ତ–ଏଠି ସମସ୍ତଙ୍କର ମନଇଚ୍ଛା ଗତି । ଯେଉଁମାନେ ଆସୁଛନ୍ତି ସେମାନେ ସ୍ୱାଧୀନ–ଯେଉଁମାନେ ଯାଉଛନ୍ତି ସେମାନେବି ସ୍ୱାଧୀନ । ଡାଳଉପରେ ଘଡ଼ିଏ ବସିଯାଇଥିବା ଚଢ଼େଇଟି ମଧ୍ୟ ସ୍ୱାଧୀନଭାବେ ବସିଛି–ଡାଳଉପରୁ ଉଡ଼ିଗଲା ଚଢ଼େଇଟି ମଧ୍ୟ ଉଡ଼ିଯାଉଛି ସ୍ୱାଧୀନଭାବେ ।

 

ମୋତେ ଭାରି ଉଚ୍ଚାଟ ଲାଗିଲା ଦିନକୁ ଦିନ । ମୁଁ ଖୁବ୍ ହାଲୁକା ବୋଧ କଲି–ମୁକ୍ତ ବୋଧ କଲି । ମୋର ସତେ କି ନୂଆ ଜନ୍ମ ହେଲା ? ଏମିତି ହାଲୁକା ଆନନ୍ଦ ମୁଁ ମୋ ଜୀବନଯାକ ପାଇ ନ ଥିଲି । ମୁଁ ବର୍ତ୍ତମାନ ବୈଧବ୍ୟ ବ୍ରତ ଗ୍ରହଣ କରିଛି । ଧଡ଼ିହୀନ ଧଳାଶାଢ଼ି ପିନ୍ଧୁଛି । ମୋର ଅଳଙ୍କାରତକ ଦୁଇ ବୋହୂ ଆଉ ଦୁଇ ଝିଅଙ୍କୁ ସମାନଭାବେ ବାଣ୍ଟିଦେଇଛି । ସେମାନେ ମନା କରୁଥିଲେ । ମୁଁ କହିଲି–ଆରେ ଯା’ରେ । ଏ ବି ମହା ବନ୍ଧନ । ଅଳଙ୍କାର ସ୍ତ୍ରୀ ଲୋକଙ୍କୁ ବାନ୍ଧି ରଖେ-। ତୁମେମାନେ ନେଇଯାଅ । ବର୍ତ୍ତମାନ ମୋର ବେକରେ ସରୁ ତୁଳସୀ ମାଳିଟିଏ । ଦୁଇ ମଣିବନ୍ଧରେ ଚୁଡ଼ି ବଦଳରେ ପିନ୍ଧିଛି ସାନ ସାନ ରୁଦ୍ରାକ୍ଷ ମାଳି ଦି’ କେରା । ମୋତେ ଆଉ ବର୍ତ୍ତମାନ ମୋ କପାଳରେ ବା ସୀମନ୍ତରେ ସିନ୍ଦୂର ଜଗି ରଖିବାକୁ ପଡ଼ୁନାହିଁ । ମୁଁ ଆମିଷ ଖାଉ ନାହିଁ । ମୁଣ୍ଡରେ ତିଳକ ବିନ୍ଦୁଟିଏ ଲଗାଉଛି । ମାତ୍ର କେଡ଼େ ଆନନ୍ଦରେ ମୁଁ ଅଛି ବର୍ତ୍ତମାନ ? କେଡ଼େ ସ୍ୱାଧୀନ ମୁଁ ? ମୁଁ ତ ବର୍ତ୍ତମାନ ଆକାଶର ଚଢ଼େଇ–ନଈର ମାଛ–ଆକାଶର ପବନ ।

 

ମୁଁ ଏଣିକି ଯେତେଦିନ ବଞ୍ଚିବି, ମୋ ନିଜପାଇଁ ବଞ୍ଚିବି । ସ୍ୱାମୀପାଇଁ ନୁହେଁ–କି ତାଙ୍କ ଔରସରୁ ଜାତ ପୁଅ ଝିଅଙ୍କ ପାଇଁ ନୁହେଁ । ମତେ ଆଉ କାହା ଘର ଜଗି ବସିବାକୁ ପଡ଼ୁନାହିଁ–ମୋରବି ଆଉ ନିଜର ବୋଲି କିଛି ଘର ନାହିଁ–କି ମୁଁ ବି ଆଉ କାହାର ଘର ନୁହ । ମୁଁ ବର୍ତ୍ତମାନ ମନଇଚ୍ଛା ଏଣେତେଣେ ବୁଲୁଛି । ଆଜି ବଡ଼ପୁଅ ପାଖେ ତ କାଲି ସାନପୁଅ ପାଖେ–ଆଜି ସାନ ଝିଅ ପାଖେ ତ କାଲି ବଡ଼ଝିଅ ପାଖେ । ବେଳେ ବେଳେ ବନ୍ଧୁବାନ୍ଧବଙ୍କ ପାଖରେବି ରହି ଯାଉଛି । ହେଇ ତ କାଲି ଆସିଲି କଲିକତାରୁ । ବଡ଼ଜୋଇଁ ପାଖେ ଥିଲି ମାସେ କାଳ । ଭାରି ଆନନ୍ଦରେ ଥିଲି । ମନଇଚ୍ଛା ଶୋଉଥିଲି–ପଢ଼ୁଥିଲି–ବୁଲୁଥିଲି । ଆଜି ବେଲୁଡ଼ ତ କାଲି ଦକ୍ଷିଣେଶ୍ୱର । ଆଜି ଯାଦୁଘର ତ କାଲି ଚିଡ଼ିଆଖାନା । କିଛି କୁଆଡ଼େ ନ ଗଲେବି ରାସ୍ତାଏ ରାସ୍ତାଏ ଫୁଟପାଥରେ ବୁଲେ । ମଣିଷଙ୍କ ଦେହରେ ଧକ୍‍କା ଖାଏ । ପୁଣି ଚାଲିଯାଏ । ନାତି ନାତୁଣୀମାନେ ମୋ ପାଖ ଛାଡ଼ୁ ନ ଥିଲେ । ମୋତେ ତାଙ୍କର ପୋଷା ବିଲେଇ କରିବେ ବୋଲି ବସିଥିଲେ । ମାତ୍ର ମୁଁ କି କାହାର ପୋଷା ହୋଇ ରହିବି ଆଉ ? ମୁଁ ତ ଚାରିଦଉଡ଼ି କଟା ବର୍ତ୍ତମାନ । ନାତି ନାତୁଣୀମାନେ ସବୁଦିନେ ‌ମୋତେ ସେଇ ଗୋଟିଏ କଥା ପଚାରୁଥିଲେ ‘‘ଆଈ ! ଅଜା କୁଆଡ଼େ ଗଲେ ?’’ ମୁଁ ଖୁବ୍ ସହଜରେ ସେମାନଙ୍କୁ ଉତ୍ତର ଦେଇଥିଲି–‘‘ତୁମ ଅଜା ସ୍ୱର୍ଗକୁ ଗଲେରେ ବାଇଆ ବାଇଆଣିମାନେ !’’ ସେମାନେ ପୁଣି ପଚାରନ୍ତି–‘‘ତୁମେ କେମିତି ଏକା ରହିଗଲ ? କାହିଁକି ଗଲ ନାହିଁ ? କୋଉଦିନ ଯିବ ?’’ ଏ ପ୍ରଶ୍ନରେ ମୁଁ ଟିକିଏ ବିରକ୍ତ ହୋଇ କହେ–‘‘ଆରେ ଭୂତ ଭୂତୁଣୀମାନେ । ମୁଁ କ’ଣ ତୁମ ଅଜାର ଛାଇ ନା କ’ଣ ? ସେ ଗଲେ–ତେଣୁ ମୁଁ ନିଶ୍ଚୟ ଯିବି । ତୁମ ଅଜା ଜଣେ ତ ମୁଁ ବି ଜଣେ ।

 

ସେମାନେ କ’ଣ ଭୁଲ୍ ଭାବିଥିଲେ କି ମୋ ଧନ ! ନା–ସେମାନେ କେବେ ମୋତେ ସ୍ୱତନ୍ତ୍ରଭାବେ ଦେଖି ନାହାନ୍ତି । ସ୍ୱାଧୀନଭାବେ ଦେଖି ନାହାନ୍ତି । ସେମାନେ ସବୁବେଳେ ମୋର କପାଳର ସିନ୍ଦୂରରେ ମୋର ମଣିବନ୍ଧର ଚୁଡ଼ିକାଚରେ ଆଉ ମୋର ଧଡ଼ି ଥିବା ରଙ୍ଗୀନ ଶାଢ଼ି ଭିତରେ ତାଙ୍କର ଅଜାର ମୋହରକୁ ଦେଖିଛନ୍ତି । ସେମାନଙ୍କର ଧାରଣାରେ–ଏକ ଥିଲା ଅଜା–ତା’ର ଥିଲା ଭାରି ମହିମା–ତା’ର ଏତେ ବଡ଼ ଘର ଥିଲା–ଏତେ ପୁଅ ଝିଅ ଥିଲେ–ଏତେ ବାଗ ବଗିଚା ଥିଲା–ସେହି ମହିମାବନ୍ତ ଅଜାର ଗୋଟିଏ ସ୍ତ୍ରୀଲୋକ ଥିଲା–ସେଇ ହେଉଛି ଆଈ । ଖାଲି ସେଇମାନେ ନୁହନ୍ତି–ତୁମ ପୁଅଝିଅମାନଙ୍କରବି ଧାରଣା ସେଇଆ । ତାଙ୍କର ଥିଲା ବାପା–ଆଉ ସେଇ ବାପାଙ୍କ ଲାଗି ଥିଲା ଏକ ମାଆ । ମାଆ ଗୋଟେ ବାପାର ଛାଇ ଭଳିଆ । ବାପା ମୁଣ୍ଡରେ ଜଳ ଢାଳିଲେ ମାଆ ବଳେ ଓଦା ହେବ । ତୁମେ ବଞ୍ଚିଥିବାବେଳେ ଧନ ଏ କଥା ମୁଁ ଜାଣିଥିଲେବି ସହି ଯାଉଥିଲି । ଅଇନେ ଭାବୁଛି–ଆଉ ଏଇନେ କାହାଲାଗି ମୁଁ ନୁହ । ମୁଁ ଏଣିକି କେବଳ ମୋ ଲାଗି ।

 

ଧନମାଳୀ । କାଲି ମୋର ଶୋଇବାରେ ବହୁତ ଡେରି ହୋଇଗଲା । ରାତିଯାକ ନିଦ ହେଲା ନାହିଁ । ଏମିତି ମଧ୍ୟ ଆଜିକାଲି ମଧ୍ୟେ ମଧ୍ୟେ ଜମା ନିଦ ହୁଏ ନାହିଁ । ନା-ନା ତୁମ କଥା ଭାବି ଭାବି ନୁହ । ଏମିତି ଏମିତି ନିଦ ହୁଏ ନାହିଁ । ଏତେ ହାଲୁକା ଲାଗେ ଯେ ନିଦ ହୁଏ ନାହିଁ । କିମ୍ୱା ନିଦ ନ ହେବାର ବହୁତ ଏଣୁତେଣୁ କାରଣ ଥାଇପାରେ । କାଲି ବଡ଼ପୁଅ ଘରେ ନଥିଲା । ତା’ର ପିଲାମାନେ ଆଉ ବୋହୂ ଯେ ଯୁଆଡ଼େ ଶୋଇପଡ଼ିଲେ । କିଛି ବେଳ ଏଣୁତେଣୁ ପଢ଼ିଲି । ତା’ପରେ ଭାରି ଛାଟିପିଟି ଲାଗିଲା । ଭାରି ଏକୁଟିଆ ଲାଗିଲାବି । ସେତେବେଳକୁ ସାରା ସହରଟା ଶୋଇ ପଡ଼ିଲାଣି । କାଁ ଭାଁ ଗୋଟାଏ ଗୋଟାଏ ରେକ୍‍ସା କି ମଟର ଯିବାର ଶବ୍ଦ ଶୁଭୁଥାଏ । ମାତ୍ର ସେତିକି ଶବ୍ଦ ମଧ୍ୟ ବରଂ ବଢ଼ାଇ ଦେଉଥାଏ ସହରୀ ରାତିର ସେହି ନିସ୍ତବ୍ଧତାକୁ । ଘର ଭିତରୁ ଶୋଇ ପଡ଼ିଥିବା ପିଲାମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ମୋ କାନରେ ବାଜୁଥାଏ । ସାରା ସହରର ନିଦ୍ରାଗ୍ରସ୍ତ ନିଃଶ୍ୱାସ ପ୍ରଶ୍ୱାସର ଶବ୍ଦ ମଧ୍ୟ ମୁଁ ଶୁଣିପାରୁଥାଏ । ଘର ଭିତରୁ ବାହାର ବାରଣ୍ଡାକୁ ଆସିଲି-। ଚାରିଆଡ଼କୁ ଚାହିଁଲି । ଅନ୍ଧାର ପକ୍ଷ । ରାସ୍ତାର ଆଲୁଅ ଖୁଣ୍ଟିଗୁଡ଼ିକ ସେମିତି ଜଳୁଥାନ୍ତି । ମନେ ହେଲା–ସେମାନେବି ଶୋଇ ପଡ଼ିଛନ୍ତି । ଶୋଇ ରହିଥିବା ମାଛମାନଙ୍କ ଭଳି ସେମାନଙ୍କ ଆଖିମାନ କେବଳ ମେଲା ରହିଛି । ଅଳ୍ପ ଅଳ୍ପ କୁହୁଡ଼ିଆ ଦିଶୁଥାଏ ଚାରିଆଡ଼ । ଅଧ ରାତିରୁ ବଳି ଗଲାଣି । ଲମ୍ୱା ରାସ୍ତା ଲମ୍ୱିଯାଇଛି ଖୁବ୍ ଦୂରକୁ । ରାସ୍ତାର ଦୁଇ କଡ଼େ ନିଦ୍ରାବିଭୋର ଘରଗୁଡ଼ିକ । ମୁଁ ବାରଣ୍ଡାରୁ ବଗିଚା ଭିତରକୁ ଆସିଲି । ଗଛମାନେ ମଧ୍ୟ ଶୋଇଯାଇଛନ୍ତି । ମୁଁ ଗୋଟିଏ ଦେଉଳିଆ ଥୁଜା ଗଛମୂଳେ ଆସି ଠିଆ ହେଲି । ଭାବିଲି–ଗଛମାନଙ୍କୁ ଉଠାଇବି । ଏହି ସମୟରେ ରାସ୍ତା ଉପରେ କେହି ଚାଲି ଚାଲି ଆସୁଥିବାର ଶବ୍ଦ ମୋ କାନରେ ବାଜିଲା । ଭାବିଲି–ଏହି ସମୟରେ ଯେ କେହି ମୋ ପାଖକୁ ଆସି ମୋତେ ଡାକିବ ମୁଁ ତା’ ସାଙ୍ଗେ ମନକୁ ମନ ଚାଲିଯିବି । ମୁଁ ତ ବର୍ତ୍ତମାନ ସ୍ୱାଧୀନ ଲୋକ । ମୋର ବର୍ତ୍ତମାନ ଲଗା ଅଛି ନା ପଘା ଅଛି ? ସତକୁ ସତ ଶବ୍ଦଟା ଆହୁରି ନିକଟତର ହୋଇ ଆସିଲା–ସ୍ପଷ୍ଟ ହୋଇଆସିଲା । ମୁଁ ହଠାତ ଭାବିଲି–ତା’ହେଲେ ମୋର ତା’ସାଙ୍ଗେ ଚାଲିଯିବାର ସମୟବି ପାଖେଇ ଆସିଲା । ଏମିତି ଭାବିବାମାତ୍ରେ ମୋର ଛାତି ଧଡ଼ପଡ଼ ହେଲା । ମୁଁ ରାସ୍ତାକୁ ଚାହିଁ ଦେଖେ ତ–ସେହି କୁହୁଡ଼ିଆ ଆଲୁଅରେ ତୁମେ ଆସୁଛ–ଯେମିତି ଆଗେ ରାତିରେ ଆସିଥାଅ–ରାସ୍ତାରେ ଚାଲିଚାଲି–ଆଗକୁ ସିଧା ମୁହଁ କରି–ଏଣିକି ତେଣିକି ନ ଚାହିଁ–ସ୍ଥିର ଚଞ୍ଚଳ ପଦକ୍ଷେପରେ–କେବଳ ମୋରି ଉଦ୍ଦେଶ୍ୟରେ–ମୋତେ ଭେଟିବା ଲାଗି–ମୋତେ କୋଳରେ ଜାବୁଡ଼ି ଧରିବା ଲାଗି–ମୋତେ ଟିକିଏ ଭୟ ଲାଗିଲା । ନା ନା ଭୂତପ୍ରେତ, ଚୋର ଡକାୟତ, ବାଘସାପ, ରୁଚି ଅରୁଚି, ମାନ ମର୍ଯ୍ୟାଦା କୋଉଥିକି ମୋର ଆଉ ଭୟ ନଥିଲା । ତୁମେ ବଞ୍ଚିଥିବାବେଳେ ମୋର ଏ ସବୁ ଭୟ ଥିଲା । ତୁମ ମଲା ପରେ ଆଉ ସେ ସବୁ ଭୟ ମୋର ନାହିଁ-। ଭୟ ଲାଗିଲା ଏହି କାରଣରୁ ଯେ ତୁମେ ଯଦି ସତକୁସତ ଆସି ପୁଣି ମୋ ସଙ୍ଗେ ମିଳିତ ହେବ–ପୁଣି ମୋତେ ଆବୋରି ବସିବ–ପୁଣି ମୋ ଉପରେ ଅଜାଡ଼ି ହୋଇ ପଡ଼ିବ–ତେବେ ପୁଣି ମୁଁ ମତେ ଅକସ୍ମାତ୍ ମିଳିଥିବା ଏହି ସ୍ୱାଧୀନତା ଏଇ ମୁକ୍ତିକୁ ହରାଇ ବସିବି । ମୋର ପୁଣି ସେଇସବୁ ପୁରୁଣା ଭୟ ଫେରି ଆସିବ–ବାଘ ସାପ, ଭୂତପ୍ରେତ, ରୁଚି ଅରୁଚି ଆଉ ମାନ ମର୍ଯ୍ୟାଦାର ଭୟ । ମୁଁ ଛାଟିପିଟି ହୋଇ ଘର ଭିତରକୁ ପଳାଇ ଆସିଲି । ଘର କବାଟ କିଳି ଦେଲି । କବାଟ ପାଖେ କାନ ଡେରି ଠିଆ ହେଲି । ତୁମେ ଫାଟକ ଡେଇଁ ଘର ଭିତରକୁ ଆସୁଛ କି-? ମାତ୍ର ନାଃ–ତୁମେ ଭାରି ଭଲ–ତୁମ ଭଳି ପ୍ରେମିକ ପୁରୁଷ ମୁଁ ଆଉ ଦ୍ୱିତୀୟ ଦେଖିନାହିଁ । ତୁମ ପାଦ ଶବ୍ଦ ଧୀରେ ଧୀରେ ରାତିର ରାସ୍ତା ଉପରେ ମିଳେଇଗଲା । ଗୋଟାଏ ରାତିର ଚଢ଼େଇ ବିଗିଚା ଭିତରୁ ବୋବେଇ ଉଠିଲା । ପେଚାଟାଏ ବୋଧେ । କୁନ୍ଥେଇ କୁନ୍ଥେଇ ବୋବେଇ ଉଠିଲା । ତା’ପରେ ଚୁପ୍ ହୋଇଗଲା । ମୁଁ ମୋର ବିଛଣାରେ ଶୋଇପଡ଼ି ଆଖି ବୁଜି ଦେଲି ।

 

ଓଃ । ଜୀବଧନ ! ତୁମ ସଙ୍ଗେ ମୋ ଜୀବନର ତିରିଶବର୍ଷ କଟିଛି । ଆଃ । ସେତେବେଳେ ସିନା ଜାଣିପାରୁ ନ ଥିଲି ଭଲରୂପେ–ବର୍ତ୍ତମାନ କିନ୍ତୁ ସବୁକଥା ସୁନ୍ଦର ବୁଝିପାରୁଛି । ତିରିଶବର୍ଷର ଇତିହାସ ଆମ ଜୀବନରେ କିଛି କମ୍ ନୁହେଁ । କେତେ ସୁଖ ଦୁଃଖର ଘଟନା ଆମେ ଦୁହେଁଯାକ ଅଙ୍ଗେ ନିଭେଇଛେ । କେତେ କର୍ତ୍ତବ୍ୟ ସାଙ୍ଗ ହୋଇ ତୁଲାଇ ଦେଇଛେ । କେତେ ସମସ୍ୟାର ସମାଧାନ କରିଛେ ଦୁଇଜଣ ଏକାଠି ହୋଇ । ଅଭାବବେଳେ ଦୁଃଖବେଳେ କେତେ ସନ୍ତର୍ପଣରେ କାଳ କାଟିଛେ–ପୁଣି ଯେତେବେଳେ ଅଭାବ ଚାଲିଯାଇଛି–କେତେ ଆହ୍ଲାଦ ଆନନ୍ଦରେ କଟିଯାଇଛି ଆମର ସେହି ଭୋଗଭାଗର ସୁନେଲି ଦିନ ଆଉ ରୁପେଲି ରାତିଗୁଡ଼ିକ । ଆଜି ମୁଁ ଗର୍ବର ସହିତ କହିବି–ମୋ ଭଳି ସୁଖୀ ନାରୀ ଜଗତରେ ବିରଳ । ଆଜି ମୁଁ ଦମ୍ଭର ସହିତ ଘୋଷଣା କରିବି–ତୁମ ଭଳି ପ୍ରେମିକ ପୁରୁଷ ସଙ୍ଗେ ସଂସାର କରି ମୋ ଜୀବନ ଯେମିତି ଧନ୍ୟ ହୋଇଛି–ଖୁବ୍ କମ୍ ସ୍ତ୍ରୀଲୋକଙ୍କ ଭାଗ୍ୟରେ ତାହା ଘଟିଥିବ । ପ୍ରତିଦିନ କାର୍ଯ୍ୟକ୍ଷେତ୍ରକୁ ଗଲାବେଳେ ବା କେଉଁଆଡ଼େ ବାହାରକୁ ଗଲାବେଳେ ତୁମେ ମୋଠାରୁ କ୍ଷଣିକ ବିଦାୟ ଲାଗି ଚୁମା ଦେଇ ଅନୁମତି ନେଉଥିଲ । ଆଉ ସେମିତି ତୁମେ କୁଆଡ଼ୁ ଘରକୁ ଫେରିଲାବେଳେ ମୁଁ ତୁମକୁ ଚୁମ୍ୱନ ଦେଇ ଘର ଭିତରକୁ ପାଛୋଟି ଆଣୁଥିଲି । ଆଜି ପର୍ଯ୍ୟନ୍ତବି ତୁମେ ମୋତେ ଫୁଲ ଉପହାର ଦେଉଥିଲ । ତୁମର ସବୁ ସଦ୍‍ଗୁଣ ଭିତରେ ତୁମର ସୁରୁଚି ଆଉ ମର୍ଯ୍ୟାଦାବୋଧ ଖୁବ୍ ଉନ୍ନତ ଥିଲା-। ପ୍ରେମିକ ହିସାବରେ ତୁମେ ଏତେ ମର୍ଯ୍ୟାଦାବନ୍ତ ଥିଲ ଯେ ମୁଁ ତୁମ ତୁଣ୍ଡରୁ ଦିନେ ହେଲେବି କଟୁକଥା ଶୁଣି ନାହିଁ । ଅଶ୍ଳୀଳ ଇଙ୍ଗିତଟିଏ ଦେଖିନାହିଁ । ତୁମେ ଖୁବ୍ ଅଳ୍ପ କଥା କୁହ । ମାତ୍ର ଖୁବ୍ ମଧୁର କରି କୁହ । ମୁଁ ବରଂ ଥିଲି ତୁମ ପ୍ରକୃତିର ଠିକ୍ ଓଲଟା । ତୁମେ ଥିଲ ଖୁବ୍ ଭାବପ୍ରବଣ–ମାତ୍ର ସୁସ୍ଥିର ଆଉ ସୁସ୍ଥିତ ଥିଲା ତୁମର ବୁଦ୍ଧି । ଆଉ ଶୋଭନ ଥିଲା ତୁମର ପ୍ରକାଶଭଙ୍ଗୀ । ମାତ୍ର ମୁଁ ହେଉଛି ଖୁବ୍ ଆବେଗ ପ୍ରବଣା । ମୋର ପ୍ରକୃତି ଖୁବ୍ ତରଳ । ବହମାନତା ମୋର ପ୍ରକୃତିର ବଡ଼ ଦୋଷ । ମାତ୍ର ଧୀର ଓ ଦୃଢ଼ ବନ୍ଧରୂପେ ତୁମେ ମୋତେ ଦୁଇଆଡ଼ୁ ଧରି ରଖିଥିଲ । ତୁମେ ମୋର ପ୍ରକୃତି ଜାଣିଥିଲ ବୁଝିଥିଲ । ଏଭଳି ସ୍ୱାମୀ କେତେଜଣଙ୍କ ଭାଗ୍ୟରେ ମିଳେ ?

 

ତୁମ ସଙ୍ଗେ ମୁଁ ବହୁ ସ୍ଥାନ ବୁଲିଛି । ବହୁ ଐତିହାସିକ ସ୍ଥାନ–ବହୁ ପ୍ରାକୃତିକ ଦୃଶ୍ୟ–ବହୁ ପୌରାଣିକ ତୀର୍ଥ ଜାଗା ତୁମେ ମତେ ବୁଲାଇଛ । ପ୍ରଚୁର ଧର୍ମ କର୍ମ କରିଛି–ଦାନ ପୁଣ୍ୟବି କରିଛି ପ୍ରଚୁର ତୁମ ସଙ୍ଗେ । ସବୁ ତୁମେ ମତେ ଦେଇଛ ଧନ । ମୁଁ ଜୀବନଯାକ କୃତଜ୍ଞ ରହିବି ତୁମ ପାଖରେ । ତୁମ ପ୍ରତି କୃତଜ୍ଞତା ଜଣାଇବା ଭାରି ବଡ଼ କଥା ନୁହେଁ । ତୁମେ ମତେ ଯାହା ଦେଇଛ–ତାହା ଆଉ କେହି ଦେଇ ପାରିବେନି–ଭଗବାନ୍ ମଧ୍ୟ ନୁହନ୍ତି । ମୋତେ ଯଥେଷ୍ଟ ଧନଧାନ୍ୟ ଦେଇଛ–ପୁଅ ଝିଅ ନାତି ନାତୁଣୀ ଘର ଗାଡ଼ି ମାନ ସମ୍ମାନ ସବୁ ତୁମେ ମୋତେ ଦେଇଛ । ଆଉ ଦେଇଛ ଯଥେଷ୍ଟ ପ୍ରେମ । ଜୀବନଯାକ ମୋ ମୁହଁ ଛଡ଼ା ଆଉ କୋଉ ସ୍ତ୍ରୀଲୋକର ମୁହଁକୁ ତୁମେ ଚାହିଁ ନାହଁ । ଏଇଟା ପୁରୁଷଙ୍କ ପକ୍ଷରେ ସହଜ ନୁହ–ମାତ୍ର ତୁମ ପକ୍ଷରେ ଏହା କାମିଜି ପିନ୍ଧିବା ଭଳି ସହଜ ବ୍ୟାପାର ଥିଲା । ହଁ-ହଁ ମୁଁ ଜାଣେ–ସ୍ୱାମୀ ଆଉ କୋଉ ସ୍ତ୍ରୀଲୋକର ମୁହଁକୁ ଚାହେଁ କି ନାହିଁ, ତା’ର ସ୍ତ୍ରୀ ଯଦି ତାହା ଜାଣି ନ ପାରେ ତେବେ ସେ କ’ଣ ତା’ର ସ୍ତ୍ରୀ ? ବରଂ ସେ ତା’ର ରକ୍ଷିତାଟିଏ ମାତ୍ର । ସୁନା ମୋର ! ତୁମେ ପ୍ରକୃତରେ ଥିଲ ମୋର ସୁନାର ସ୍ୱାମୀଟିଏ । ତୁମର ପ୍ରେମିକତାକୁ କଳିପାରିବି ମୋର ଏମିତି କ୍ଷମତା ନାହିଁ । ତା’ ନ ହୋଇଥିଲେ ତିରିଶବର୍ଷର ଏପରି ସୁନ୍ଦର ପ୍ରେମମୟ ଦାମ୍ପତ୍ୟ ସୁଖ ଦେଇ ତୁମେ ମତେ ଏଠି ଏକୁଟିଆ ଛାଡ଼ି ଆର ପାରିକି ଚାଲି ଯାଇଥାନ୍ତ ? ଆମ ଜୀବନରେ ମୁଁ ବରଂ ତୁମକୁ ଛାଡ଼ି ଏକୁଟିଆ ଏଣେତେଣେ ବହୁତ ବୁଲିଛି–ମାତ୍ର ତୁମେ ମୋତେ ନ ନେଇ କୁଆଡ଼ିକି ଦିନେବି ଏକୁଟିଆ ଯାଇନାହଁ । ଆଜି କେମିତି ଏକୁଟିଆ ଚାଲିଗଲ ମତେ ନ ନେଇ ? ଜାଣେ ଜାଣେ–ସୁପୁରୁଷ ପ୍ରେମିକର ଏହିଭଳି ରୀତି । ମତେ ଏମିତି ମୁକ୍ତ ସ୍ୱାଧୀନ କରି ଛାଡ଼ିଦେଇ ଯିବା ତୁମର ସିଦ୍ଧାନ୍ତ ହେଲା ଉତ୍ତମ ସିଦ୍ଧାନ୍ତ । ସଧବା ରହି ମଥା ଓ ସୀମନ୍ତରେ ସିନ୍ଦୂର ଆଉ ପାଦରେ ଅଳତା ଲଗାଇ ସ୍ୱାମୀ ଆଗରେ ଅହ୍ୟ ଡେଙ୍ଗୁରା ପିଟି ପିଟି ଆରପାରିକି ଏକୁଟିଆ ଚାଲିଯିବା ଅବଶ୍ୟ ସବୁ ପ୍ରେମବତୀ ସତୀ ପତ୍ନୀମାନଙ୍କର କାମ୍ୟ । ମୁଁ ବି ଯେ ଦିନେ ସେକଥା କଳ୍ପନା କରୁ ନ ଥିଲି ତା’ ନୁହେଁ । ସେପରି ଚାଲିଯାଇଥିଲେ ଗୋଟେ ପ୍ରକାର ଭଲ ହୋଇଥାନ୍ତା ଅବଶ୍ୟ । ମାତ୍ର ବର୍ତ୍ତମାନ ବିଧବା ହୋଇ ମୁଁ ଭାବୁଛି–ଏଇ ବୈଧବ୍ୟ ସତେ କେଡ଼େ ସୁଖକର । କେଡ଼େ ଗୌରବାବହ । ପ୍ରେମର ସାଧନା ଆଉ ପ୍ରେମର ଆସ୍ୱାଦନ ଏହି ବୈଧବ୍ୟରେ । ଏହା ଶୁଭ୍ର–ନିରାଲମ୍ୱ–ଅନିବନ୍ଧନ–ନିରପେକ୍ଷ, ନିଃସଙ୍ଗ ଆଉ ମୁକ୍ତ ପ୍ରେମାନୁଭବର ଉପଯୁକ୍ତ ଅବସ୍ଥା । ଭାଗ୍ୟବତୀ ନାରୀମାନେଇ ବିଧବା ହୁଅନ୍ତି ମୋ ଭଳି । ଅହ୍ୟ ଡେଙ୍କୁରା ବଜାଇ ସିନ୍ଦୂର ଅଳତା ନାଇ ଯେଉଁ ସ୍ତ୍ରୀମାନେ ସ୍ୱାମୀ ଆଗରେ ଆରପାରିକି ଚାଲିଯାନ୍ତି ସେମାନଙ୍କର ଏ ସୌଭାଗ୍ୟ କାହୁଁ ଆସିବ ?

 

ଆଗୋ ମୋର ସ୍ମୃତିସ୍ୱର୍ଗର ଦେବତା । ସବୁ ପ୍ରଣୟର ଆଉ ଗୋଟାଏ ଦିଗ ମଧ୍ୟ ଅଛି । ଭାରି ସଂକୀର୍ଣ୍ଣ ସେ ଦିଗଟି । ଆୟତନରେ ଖୁବ୍ ଛୋଟ । କିନ୍ତୁ ତାହା ବାସ୍ତବ ତାହା ପ୍ରଭାବଶାଳୀ । ତା’ ହେଉଛି ଆମକୁ ଯେ ଖୁବ୍ ଭଲପାଏ, ତା’ପ୍ରତି ଏକ ଗୋପନୀୟ ବିରକ୍ତି ଆମ ମନର ଅନ୍ଦରମହଲରେ କୋଉଠି ଲୁଚି ରହିଥାଏ । ସେ ବିରକ୍ତି ବଢ଼ିଗଲେ ବିଦ୍ୱେଷରେ ପରିଣତ ହୁଏ । ଅବସ୍ଥା ହୁଏ ସାଂଘାତିକ । ମାତ୍ର ସେହି ସଂକୀର୍ଣ୍ଣ ସୀମା ଭିତରେ ରହିଲେବି ସେତିକି ବିରକ୍ତି ମଧ୍ୟ କିଛି କମ୍‍ ପୀଡ଼ା ଦିଏନାହିଁ । ପ୍ରତ୍ୟେକ ସଚ୍ଚା ପ୍ରେମିକ ତା’ ପ୍ରେମିକା ଉପରେ ସମ୍ପୂର୍ଣ୍ଣଭାବେ ଅଜାଡ଼ି ହୋଇପଡ଼େ । ତା’ ପ୍ରଣୟର ସବୁ ଭାରତକ ଲଦିଦିଏ ତା’ର ପ୍ରେମିକାର ମୁଣ୍ଡ ଉପରେ । ସବୁ ଭାର ଅଜାଡ଼ି ନ ଦେଲେ ତା’ର ପ୍ରେମିକତ୍ୱ ପୂର୍ଣ୍ଣ ହୁଏ ନାହିଁ । ଅଥଚ ତା’ରି ଭିତରୁ କିଞ୍ଚିତ୍ ବିରକ୍ତି ଛୋଟ କଣ୍ଟାଟିଏ ଭଳି ପ୍ରେମିକାର ଅନ୍ତର ଭିତରେ ଫୋଡ଼ି ହୋଇ ଯାଉଥାଏ ଆଜୀବନ । ତାକୁ କଷ୍ଟ ହେଉଥାଏ–ମାତ୍ର ସେଇ କଷ୍ଟପାଇଁ ସେ ପ୍ରେମିକଟିକୁ ବା ତା’ର ପ୍ରେମକୁ ଠେଲିଦେଇ ପାରେ ନାହିଁ ତା’ ନିଜ ଉପରୁ ।

 

ହଁ–ହଁ–ତୁମଠାରୁ ମଧ୍ୟ ମୁଁ ଯେମିତି ଗୋଟାଏ ପୀଡ଼ା ଆଜୀବନ ପାଇ ଆସିଥିଲି । ତୁମେ କ’ଣ ପ୍ରେମିକତାରେ ମୋ ପକ୍ଷେ କମ୍ ଗୁରୁଭାର ଥିଲ ? ମୁଁ କ’ଣ ତୁମକୁ ତୁମ ତୁଳନାରେ ପ୍ରେମ କରି ପାରୁଥିଲି ନା ପାରିଛି ? ହଁ–ବର୍ତ୍ତମାନ ମୁଁ ବିଧବା–ମୁଁ ଚାପମୁକ୍ତ । ବର୍ତ୍ତମାନ ମୁଁ ଭାବୁଛି–ମୁଁ ବି ପାରିବି । ମୁଁ ବି ପ୍ରେମ କରିପାରିବି । କାରଣ ବର୍ତ୍ତମାନ ମୁଁ ମୁକ୍ତ, ସ୍ୱାଧୀନ । ତୁମେ ବଞ୍ଚିଥିଲାବେଳେ ମୁଁ ଥିଲି ତୁମର ପ୍ରେମାଧିନା । ଅଧୀନ ବ୍ୟକ୍ତିର କର୍ତ୍ତୃପଣ କୋଉଠୁ ଆସିବ ? ଆଜି ଭାବୁଛି–ତିରିଶବର୍ଷକାଳ ମୁଁ କେବଳ ତୁମରି ପ୍ରେମକୁ ଭୋଗ କରିଆସିଛି । ତୁମକୁ ପ୍ରେମ ଦେଇ ନାହିଁ । ଆଜି କିନ୍ତୁ ଦେବି ଦେବି । ମୋର ମୁକ୍ତ ପ୍ରାଣର ସମସ୍ତ ପ୍ରେମ ଅଜାଡ଼ିଦେବାର ବେଳ ମୋର ବର୍ତ୍ତମାନ ଆସିଗଲା । ଆଉ ସେହି ଉଜ୍ଜ୍ୱଳ ସୁଯୋଗ ତୁମେଇ ମତେ ଦେଇଯାଇଛ ପ୍ରିୟତମ । ତୁମେଇ ମୋ ଆଗରେ ଏକୁଟିଆ ଆରପାରିକି ଚାଲିଯାଇ ତୁମେଇ ମୋ ହାତରେ ସେ ସୁଯୋଗ ଧରାଇ ଦେଇଯାଇଛ ।

 

ସାଧାରଣ ପରିବାରର ଝିଅଟିଏ ଥିଲି ମୁଁ । ମୋ ବାପାର ଏକମାତ୍ର ଝିଅ । ଆଉ ମୋ ତଳକୁ ସାନ ଭାଇଟିଏ । ପିଲାଦିନୁଁ ଥିଲି ମା’ଛେଉଣ୍ଡ । ବାପା ଆଉଥରେ ବିବାହ ନ କରି ଆମ ଦୁହିଁଙ୍କୁ ଦୁଇ ଆଖିପରି ଅତି ଅଲିଅଳରେ ବଢ଼ାଇଥିଲେ । ମୁଁ ଗ୍ରାମସ୍କୁଲରେ ମାଟ୍ରିକ ପାଶ୍ କରି କଲେଜରେ ଦୁଇଟି ବର୍ଷ ପଢ଼ିଥିଲି । ମାତ୍ର ସେ କିଛି ନୁହେଁ–ତୁମ ହାତ ଧରିବା ପରଠାରୁ ଜାଣ ମୁଁ ପ୍ରକୃତରେ ବିଦୁଷୀଟିଏ ହେଲି । ତୁମେ ଥିଲ ଖୁବ୍ ଜ୍ଞାନୀ । ସେଇ ଆଲୋକରେ ମୁଁ ଶାସ୍ତ୍ର ପଢ଼ିଥିଲି । ବହୁ ପୁରାଣ, ଧର୍ମ, ଦର୍ଶନ, ଇତିହାସ, ଗଳ୍ପ, ଉପନ୍ୟାସ ଆଉ ନାଟକ । କେତେ କ’ଣ ? ତୁମେ ଏପରି କରିତ୍‍କର୍ମା ଥିଲ ଯେ ମୋତେ ତୁମର ଉପଯୋଗୀ କରି ଗଢ଼ିନେବାରେ ବିଶେଷ ଆୟାସ ହୋଇ ନଥିଲା । ମାନୁଛି–ମୁଁ ମଧ୍ୟ ଖୁବ୍ ଗ୍ରହଣଶୀଳା ଥିଲି ।

 

ତା’ର କାରଣ ମୁଁ ଥିଲି ଖୁବ୍ ଅଭିମାନୀ, ଜିଦ୍‍ଖୋର୍ ଆଉ ପ୍ରାୟଶଃ ଏକବାଗିଆ । ଅବଶ୍ୟ ଏସବୁ ଭିତରେବି ମୋର ମଧୁରତା କମ୍ ନଥିଲା । ଅସଲ ହେଲା ମୋର ପ୍ରକୃତି ସାଙ୍ଗକୁବି ପିଲାଦିନୁଁ ବାପାଙ୍କର ଗେହ୍ଲାପଣିଆର ସଂଯୋଗ । ଦେଖିବାକୁ ତ ମୁଁ ବେଶ୍ ସୁନ୍ଦରୀ ଥିଲି-। ବର୍ତ୍ତମାନବି ମୋର ବିଗତ ଯୌବନ ତା’ ସାଙ୍ଗରେ ମୋର ସ୍ୱାଭାବିକ ରୂପ ସୌନ୍ଦର୍ଯ୍ୟକୁ ନେଇଯାଇ ପାରିନାହିଁ । ଏହି ସୌନ୍ଦର୍ଯ୍ୟ ସାଙ୍ଗକୁ ପୁଣି ଥିଲା ମୋର ପ୍ରକୃତିରେ ଚଞ୍ଚଳତା, କିଞ୍ଚିତ୍ ଉଗ୍ରତାବି । ସବୁଠାରୁ ଖରାପ ଗୁଣ ହେଲା ମୋର ଅସ୍ଥିରତା ଆଉ ଆବେଗପ୍ରବଣତା । ସବୁବେଳେ ମୁଁ ଚାହୁଁ ଥିଲି ମୋତେ ନେଇ କିଛି ଗୋଟାଏ ଘଟୁ–କିଛି ଗୋଟାଏ ନାଟକୀୟତା ବା କିଛି ଗୋଟାଏ ବିକମ୍ପନ ସୃଷ୍ଟିକାରୀ ଘଟନାରେ ଜଡ଼ିତ ହୋଇଯିବାରେ ମୋତେ ମିଳୁଥିଲା ଖୁବ୍ ଆନନ୍ଦ । ଆମ ଗାଁରେ ମୋ ସାଙ୍ଗର ଆଉ ଗୋଟିଏ ଝିଅ ଥିଲା । ତା’ ନାଁ ମାଳବିକା । ସେ ଥିଲା ଧନୀର ଦୁଲାଳୀ-। ଖୁବ୍ ନରମ ହୃଦୟ–ଭାରି ଶାନ୍ତଶିଷ୍ଟ– । ଆମ ଭିତରେ ବନ୍ଧୁତା ଥିଲା–ଆମେ ଗାଁ ସ୍କୁଲରୁ କଲେଜଯାଏଁ ଏକାଠି ପାଠ ପଢ଼ୁଥିଲୁ । ସହରରେ ହଷ୍ଟେଲରେ ଏକା ରୁମ୍‍ରେ ରହୁଥିଲୁ । ସେ କିନ୍ତୁ ଭଲ ପଢ଼ୁ ନଥିଲା । ସେ କବିତା ଜମା ବୁଝିପାରେନା । ଅଥଚ କବିତା ପଢ଼ିବାରେ ଝୁଙ୍କ ମୋର ଖୁବ୍ ବେଶି । ତା’ଛଡ଼ା ମୁଁ ଥିଲି ତା’ଠାରୁ ବହୁ ବିଷୟରେ ସୁନିପୁଣା ଆଉ ବୁଦ୍ଧିମତୀ । ମୁଁ ଖେଳରେ ବହୁ କପ୍ ଆଉ ସିଲ୍ଡ଼ ପାଇଛି । ମାତ୍ର ମାଳବିକାର ଦେହରେ ମାଛିଟିଏ ବସିଗଲେବି ସେ ଝାଉଁଳିପଡ଼େ । ଅଥଚ ଆମ ଗ୍ରାମରେ ସମସ୍ତେ ମାଳବିକାର ପ୍ରଶଂସା କରୁଥିଲେ । ଆଉ ମୋର ଯାବତୀୟ ନିନ୍ଦାବାଦରେ ଆମ ଗ୍ରାମ ଥିଲା ନିତ୍ୟ ମୁଖରିତ ।

 

ମୋର ସବୁ କଥା କାଲି ପରି ମନେ ଅଛି ମୋ ଧନ । ମୋର ଆଉ ମାଳବିକାର ଏକାବେଳକେ ବିବାହ ପ୍ରସ୍ତାବମାନ ପଡ଼ିଥିଲା । ସେ କାଳର ଜଣେ ବଡ଼ଲୋକର ପୁଅ–ନୂଆ ହୋଇ ବଡ଼ ଅଫିସର ହୋଇଥାଏ । ସେ ଆସିଲା ମତେ ଦେଖିବାକୁ । (ବର୍ତ୍ତମାନ ସେ ବଞ୍ଚିଛି । ମାତ୍ର ଆହା ! ତୁମେ ଆଉ ନାହଁ ।) ଆମ ଘରେ ବାପା ତାକୁ ବହୁ ଖୁଆଇ ପିଆଇ ସନମାନ କଲେ-। ମାଳବିକା ସେଦିନ ମୋ ସାଙ୍ଗରେ ଥିଲା । ମତେ ଭଲ ଶାଢ଼ି ପିନ୍ଧାଇ ବେଶ କରିଦେଇ ସେ ନେଇଯାଇଥିଲା ତାଙ୍କ ଆଗକୁ । ସେ ମତେ ଭଲକରି ଦେଖିଲା–ଏଣୁତେଣୁ ଦି’ପଦ କଥା ଭାଷା ମଧ୍ୟ ହେଲା । ମାତ୍ର ଗଲାବେଳେ ହଁ କି ନାଁ କିଛି କହିଗଲା ନାହିଁ । ଶେଷରେ ଶୁଣିଲି–ସେ ମାଳବିକାକୁ ପସନ୍ଦ କରିଛି । ଆଉ ଶେଷରେ ସେ ସେଇ ମାଳବିକାକୁଇ ବାହା ହେଲା । ସେମାନେବି ବର୍ତ୍ତମାନ ବୁଢ଼ାବୁଢ଼ୀ ହେଲେଣି । ପିଲାଝିଲା ନାତି ନାତୁଣୀର ଏତେ ବଡ଼ ସଂସାର ତାଙ୍କରବି । ମାତ୍ର ମୁଁ ଜାଣେ–ଧ୍ରୁବ ଜାଣେ ଯେ ମାଳବିକା ମୋଠାରୁ ସୁଖୀ ନୁହେଁ । ମୁଁ ଜାଣେ ଗୋ-। ମୁଁ ଜାଣେ । ସ୍ତ୍ରୀଲୋକ ହୋଇ ପୁଣି ତୁମର ହୃଦୟେଶ୍ୱରୀ ହୋଇ ତିରିଶବର୍ଷ କାଳ ତୁମର ପ୍ରେମ ଭୋଗ କରି ମୁଁ ପୁଣି ଜାଣିପାରିବି ନାହିଁ କୋଉ ସ୍ତ୍ରୀ କୋଉ ପରିମାଣରେ କୋଉ ପ୍ରକାରର ସୁଖ ଭୋଗ କରୁଛି ? ଯେ ଅମୃତ ଖାଇଛି–ସେ କ’ଣ ଜାଣିପାରିବ ନାହିଁ–ଅନ୍ୟମାନେ ଅମୃତ ଖାଉଛନ୍ତି ନା ଅମୃତ ଭଳି ଦିଶୁଥିବା ବା ବାସୁଥିବା ଆଉ କ’ଣ ଖାଉଛନ୍ତି ?

 

ବହୁତ ଲୋକ ମୋତେ ଦେଖିବାକୁ ଆସିଛନ୍ତି । ମାତ୍ର ସମସ୍ତେ ମୁହଁ ମୋଡ଼ିଦେଇ ଯାଇଛନ୍ତି । ମୁଁ କାହାର ପସନ୍ଦକୁ ଆସିପାରି ନଥିଲି । କେଜାଣି ? କାହିଁକି ?

 

କିନ୍ତୁ–କିନ୍ତୁ–ଆଗୋ ମୋର ଅନ୍ଧାରୀମନଗହନର ଉଦୀୟମାନ ସୂର୍ଯ୍ୟ ! କେଉଁ ମାହେନ୍ଦ୍ର ମୁହୂର୍ତ୍ତରେ ତୁମର ସେଇ ଅରୁଣ ନୟନର ସୁନେଲିକିରଣ ସମ୍ପାତରେ ମୁଁ ତୁମ ଆଗରେ ରକ୍ତକମଳଟିଏ ଭଳି ଫୁଟିଉଠିଲି କେଜାଣି, ତୁମେଇ ମତେ ପସନ୍ଦ କଲ ତୁମ ଜୀବନର ସାଥୀରୂପେ । କ’ଣ ଏମିତି ତୁମେ ମୋଠାରେ ଦେଖିଲ କେଜାଣି ? ତୁମ ଭଳି ରୂପବନ୍ତ, ଗୁଣବନ୍ତ, ଜ୍ୟୋତିବନ୍ତ ସୁପୁରୁଷ ପ୍ରେମିକଲାଗି ମୁଁ ଯେ କୋଉପ୍ରକାରେ ଯୋଗ୍ୟ ନୁହେଁ, ତାହା ମୁଁ ସେହି ପିତୃ ଅଲିଅଳୀ ଅଭିମାନୀ ଝିଅବୟସରେବି ଠିକ୍ ବୁଝିପାରୁଥିଲି । ମୋ ନିଜରବି ଏତେ ସାହସ ନଥିଲା–କି ଏତେ ଉଚ୍ଚାଶା ନଥିଲା ତୁମକୁ ପାଇବି ବୋଲି ଜୀବନରେ । ତୁମଭଳି ଏତେବଡ଼ ପୁରୁଷର ଅଙ୍କମଣ୍ଡନ କରିବି ତିରିଶବର୍ଷକାଳ–ଏଭଳି ଆକାଂକ୍ଷା କରିବାର ଯୋଗ୍ୟତା ମଧ୍ୟ ମୋର ନଥିଲା । ତା’ଛଡ଼ା–ମୋ ପ୍ରକୃତିର ଆଉ ମୋ ଚରିତ୍ରର ଆଉ ସେଇ ଯେଉଁ ଗୋପନୀୟ ଦିଗଟି–ତାକୁ ନେଇ ଯେ ମୁଁ ତୁମଭଳି ସତ୍‍ପୁରୁଷ ସାଙ୍ଗେ ଏତେଦିନ ଚଳିପାରିବି ଏ ଭରସା ମଧ୍ୟ ମୋର ନଥିଲା ।

 

ବିବାହ ପରେ ତୁମେ ମୋତେ କେତେକଥା କହିଛ । ଆମ ଗ୍ରାମର ଶତ୍ରୁପକ୍ଷୀୟ କେତେ ବ୍ୟକ୍ତି ମୋର ନାନା ଅବିଗୁଣ ତୁମ ଆଗେ ବଖାଣିଛନ୍ତି । କେହି କେହି ମୋ ଚରିତ୍ରର ସେହି ଗୋପନୀୟ ଦିଗଟି ମଧ୍ୟ ତୁମ ଆଗରେ ଖୋଲି ଧରିଛନ୍ତି । ମାତ୍ର ସବୁ କଥାରେ ତୁମେ ହସି ଦେଇଛ । ସତରେବି ମୋର ଚରିତ୍ର କେବେ ଅକଳଙ୍କ ନଥିଲା କି ବିବାହ ପରେ ମଧ୍ୟ ରହି ନାହିଁ । ପୁରୁଷ ପ୍ରତି ମୋର ଆକର୍ଷଣ ମୋର ହେତୁ ପାଇବା ଦିନୁଁ ରହି ଆସିଛି । ଯେ କୌଣସି ପୁରୁଷକୁ ମୁଁ ପୁରୁଷ ବୋଲି ଭାବେ ନାହିଁ । ଯେଉଁ ପୁରୁଷ ନାରୀକୁ ସ୍ୱୀକାର କରେ–ତା’ର ନାରୀତ୍ୱକୁ ମର୍ଯ୍ୟାଦା ଦିଏ–ଯେଉଁ ପୁରୁଷ ନାରୀର ସ୍ତୁତି କରେ, ନାରୀର ଉପାସନା କରେ ମୁଁ ଭାବେ ସେଇ ଠିକ୍ ପୁରୁଷ । ସେପରି ପୁରୁଷ ମୋ ଜୀବନରେ କେତେ ଆସିଛନ୍ତି । (ତୁମେ କିନ୍ତୁ ପୁରୁଷ ମଧ୍ୟରେ ସମ୍ରାଟ ମୋ ଧନ ।) ସେଭଳି ପ୍ରଥମ ପୁରୁଷଟି ସଙ୍ଗେ ମୋର ମିଳନ ହୋଇଥିଲା ପିଲାଦିନେ । ମୁଁ ଗ୍ରାମ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲି । ସେହି ସ୍କୁଲର ଜଣେ ଶିକ୍ଷକ ଶ୍ୟାମବନ୍ଧୁ ସାମନ୍ତରାୟ । ସେ ଥିଲେ ସେତେବେଳେ ମୋଠାରୁ ଯଥେଷ୍ଟ ବୟସ୍କ । ତିନୋଟି ସନ୍ତାନର ପିତା । ସେ ମୋତେ ଟୁଉସନ କରୁଥିଲେ । ଖୁବ୍ ଭଦ୍ର ଆଉ ତେଜସ୍ୱୀ ଶିକ୍ଷକ । ସେ ମତେ ଦୁଇବର୍ଷ ପାଠ ପଢ଼ାଇଥିଲେ । ଦିନେ ଆମ ଘରେ କେହି ନଥିଲାବେଳେ ସେ ଆସିଲେ । ମୁଁ ତାଙ୍କୁ ଯଥାବିଧି ଚର୍ଚ୍ଚା କରିଥିଲି । ହଠାତ ସେ ମତେ ଆଲିଙ୍ଗନ କଲେ । ମୋତେ ଚୁମା ଦେଲେ । ପୁରୁଷଠାରୁ ପ୍ରଥମ ଆଶ୍ଳେଷ ଆଉ ଚୁମ୍ୱନ ମୁଁ ତାଙ୍କରିଠାରୁ ପାଇଥିଲି । ମୋତେ ଖୁବ୍ ଭଲ ଲାଗିଥିଲା । ଏତିକି କଥା କରିବା ଲାଗି ସେ କିଛି ହୀନ କୌଶଳ ବା ଉପାୟ ଅବଲମ୍ୱନ କରି ନ ଥିଲେ । ତାଙ୍କର ବ୍ୟବହାର ଖୁବ୍ ସ୍ପଷ୍ଟ ଆଉ ମଧୁର ଥିଲା । ତାଙ୍କର ଆଲିଙ୍ଗନ ଆଉ ଚୁମ୍ୱନ ମଧ୍ୟରେ ଖୁବ୍ ଉତ୍ତାପ, ଆଉ ପ୍ରତ୍ୟୟ ମଧ୍ୟ ଥିଲା । ମୋର କେମିତି ଏକ ଭାବାଳୁ ଢଙ୍ଗ ଦେଖା ଦେଲା । ମୁଁ ଭାବିଲି–ମୁଁ ତାଙ୍କୁ ବାହା ହୋଇପଡ଼ିବି । ମୁଁ ତାଙ୍କୁ ଦିନେ ଗୋପନରେ ସେହି ମର୍ମରେ ଗୋଟିଏ ପତ୍ର ଲେଖିଲି । ଏବଂ ସେଥିରେ ଜଣାଇ ଦେଲି ଯେ–ମୁଁ ତାଙ୍କୁ ମୋର ନାରୀ ଜୀବନର ସବୁ କିଛି ଦେବାକୁ ପ୍ରସ୍ତୁତ ଓ ବ୍ୟଗ୍ର ହୋଇପଡ଼ିଛି । ସେ ମୋତେ ଗ୍ରହଣ କରନ୍ତୁ । କିନ୍ତୁ ଶ୍ୟାମ ମାଷ୍ଟ୍ରେ ମୋ ପାଖକୁ ଗୋଟିଏ ପତ୍ର ଲେଖି ଖୁବ୍ ଭଦ୍ର ଆଉ ଯୁକ୍ତିଯୁକ୍ତଭାବେ ଜଣାଇଲେ–ଏପରି ଭାବାଳୁତା ଭଲ ନୁହେଁ । ତାଙ୍କର ଏଥିରେ କିଛି ଆପତ୍ତି ନାହିଁ । ସେ ବରଂ ମୋତେ ପାଇଲେ ଖୁସୀ ହେବେ । କିନ୍ତୁ ମୋର ଜୀବନ ନଷ୍ଟ ହୋଇଯିବ । ଶ୍ୟାମ ମାଷ୍ଟ୍ରେ ସେହିଦିନୁ ମୋଠାରୁ ଦୂରେଇଗଲେ । ସେ ଲେଖିଥିଲେ–ମୁଁ ଆଉ ଅଧିକ ଅଗ୍ରସର ହେବିନାହିଁ । ମୋର ଉପଯୁକ୍ତ ସ୍ଥାନ ଓ ପାତ୍ରରେ ବିବାହ ହେଉ ବୋଲି ସେ ଖୁବ୍ ଆନ୍ତରିକଭାବେ କାମନା କରିଥିଲେ । ଏଇଠାରୁଇ ପ୍ରଥମ କରି ମୁଁ ପୁରୁଷର ସରଳ ଭୋଗ ଓ ସରଳ ତ୍ୟାଗ ଗୁଣର ପରିଚୟ ପାଇଲି । ମୁଁ ବିବାହ ପରେ ଶ୍ୟାମ ମାଷ୍ଟ୍ରଙ୍କୁ ଭୁଲିଗଲି । ମାତ୍ର ଭୁଲିପାରି ନ ଥିଲି ମୋର ଚରିତ୍ରର ଏହି ଜ୍ୱାଳାମୟ କାଳିମାଟିକୁ । ତୁମକୁ ବିବାହ କଲା ପରେ ତିରିଶବର୍ଷ ମଧ୍ୟରେ କେତେଥର ତୁମଙ୍କୁ ମୁଁ ଏକଥାଟି କହିଦେବି ବୋଲି ଭାବିଛି–ମାତ୍ର ମୋର ସାହସ ହୋଇନାହିଁ । ମତେ ଭୟ ଲାଗିଛି । ମତେ ଲାଗୁଥିଲା–ସବୁ ତୁମେ ଜାଣିଛ ଏବଂ କିଛିକୁ ତୁମେ ଖାତିର କରନାହିଁ । ତୁମେ ଥିଲ ଧନ ମୋର ଅନ୍ଧାରୀ ଜୀବନରେ ସୂର୍ଯ୍ୟ ପରି । ତୁମର ତେଜ ଆଉ ଆଲୋକରେ ତୁମେ ନିଜେ ଉଦ୍ଭାସୁଥିଲ–ଆଉ ମୋର ଜୀବନ ଓ ବ୍ୟକ୍ତିତ୍ୱକୁ ମଧ୍ୟ ଉଦ୍ଭାସିତ କରି ଦେଉଥିଲ । ତା’ ଭିତରେ ମୋର ସମସ୍ତ ଛାୟା ହାଲୋଳମୟ ହୋଇ ଉଠୁଥିଲା । ସେଥିଯୋଗୁଁ ମୁଁ ନିରାପଦ ଥିଲି । ମାତ୍ର ମୋର ଭୟ ଥିଲା ଦୁଃସହ । ମୁଁ ତୁମଙ୍କୁ ଭୟ କରୁଥିଲି । ତୁମେ ସ୍ୱଭାବତଃ ଏତେ ଗମ୍ଭୀର ନ ଥିଲ । ତୁମ ମୁହଁଟି ସର୍ବଦା ପ୍ରାୟ ହସ ହସ ଥିଲା । ମାତ୍ର ତୁମର ମୁହଁ ମତେ ଲାଗୁଥିଲା ଖୁବ୍ ଗଭୀର । ତୁମର ହସ ଆଉ ତୁମର ଚାହାଣି ମତେ ଏତେ ଗଭୀର ଲାଗେ ଯେ ମୋର ମୁଣ୍ଡ ବୁଲାଇଦିଏ । ତୁମ ପାଖେ ଆଖିବୁଜି ଯାକିଯୁକି ହୋଇଯାଏ । ତୁମେ ମଧ୍ୟ ମୋତେ ଜାକି ଧରିଥାଅ ।

 

ତୁମେ ଥିଲ ଯେତିକି ଉଦାର ସେତିକି ବୁଦ୍ଧିମାନ୍ । ଉଦାର ଆଉ ବୁଦ୍ଧିମାନ୍ ପୁରୁଷର ହାତ ଧରିଲେ ନିରାପତ୍ତା ମିଳେ–ସୁଖ ମିଳେ । ମାତ୍ର ଭାରି ମାଡ଼ି ମାଡ଼ି ପଡ଼େ । ମତେ ତୁମେ ଜୀବନଯାକ ମାଡ଼ିପଡ଼ୁଥିଲ । ଏବଂ ସେଇଥିଲାଗି ବୋଧେ ମୋ ଚରିତ୍ରର ସେହି ଅସହନୀୟ ଦିଗଟି ଖୋଲି ଯାଉଥିଲା ମୋର ଅନାୟତରେ । ତୁମକୁ ମଧ୍ୟ ତାହା ଜଣାଥିଲା । ଅନ୍ୟ ପୁରୁଷର ସାମାନ୍ୟ ପ୍ରଶଂସାରେ ମୁଁ ତରଳିଯାଏ । ପୁରୁଷ ସଂସର୍ଗ ଲାଗି ଏକ ପ୍ରବଣତା ମୋର ଜନ୍ମଗତ ଦୁର୍ଗୁଣ । ତୁମର କେତେକ ବନ୍ଧୁ ମୋ ପ୍ରତି କେତେ ଆସକ୍ତ ଥିଲେ–ଆଉ ମୁଁ ମଧ୍ୟ ସେମାନଙ୍କ ପ୍ରତି କିପରି ବ୍ୟବହାର କରିଥିଲି–କିଭଳି ସମ୍ପର୍କ ରଖିଥିଲି–ତା’ ମଧ୍ୟ ତୁମକୁ ବେଶ୍ ଜଣାଥିଲା । ତୁମର ଅତି ଅନ୍ତରଙ୍ଗ ଯୁବକବନ୍ଧୁ ଶୁଭେନ୍ଦୁ ରାୟ ଆଉ ମତେ ନେଇ ସହରଯାକ କେତେ କୁତ୍ସା ନ ହୋଇଛି-। କୁତ୍ସା କ’ଣ ମିଛରେ ହୋଇଥାଏ । ତୁମେ ଶୁଭେନ୍ଦୁକୁ କେତେ ଭଲ ପାଉଥିଲ । ନିଜର ଆତ୍ମା ଭଳି-। ତୁମଭଳି ବନ୍ଧୁବତ୍ସଳ ଏ ସଂସାରରେ କେତେଜଣ ଥିବେ କେଜାଣି ? ଖୁବ୍ ଗୁଣୀ ଆଉ ଗଣ୍ୟମାଣ୍ୟ ଲୋକେ ତୁମର ବନ୍ଧୁ ଥିଲେ । ତୁମ ଘର ସେମାନଙ୍କର ଯିବା ଆସିବାରେ ଆଳାପ ଆଲୋଚନାରେ, ହସଖୁସୀରେ, ଖାନାପିନାରେ ଉଠୁଥିଲା ପଡ଼ୁଥିଲା । ମୁଁ ସେମାନଙ୍କୁ ଚର୍ଚ୍ଚା କରୁଥିଲି । ସେମାନେ ସମସ୍ତେ ମୋର ଅନୁରକ୍ତ ଥିଲେ । ମୋର ଅନୁଗ୍ରହ ପାଇବାକୁ ସେମାନେ ସମସ୍ତେ ବେଶ୍ ଲାଳାୟିତ ଥିଲେ । ମୁଁ ମଧ୍ୟ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ପସନ୍ଦ କରୁଥିଲି । କବି ଦୁର୍ଗାମାଧବଙ୍କର ରସପୂର୍ଣ୍ଣ କଥା ଶୁଣି ତାଙ୍କୁ ଭଲ ନ ପାଇ ରହିପାରିବ ଯିଏ ସେ କ’ଣ ସ୍ତ୍ରୀଲୋକ ? ଦାର୍ଶନିକ ଡାଃ ଚିଦାନନ୍ଦଙ୍କର ରସତତ୍ତ୍ୱମୟ ବକ୍ତୃତାରେ ମୁଗ୍ଧ ନ ହୋଇ କିଏ ଭଲା ରହିପାରିବ ? ମେଜର ମହାନ୍ତି–ଯେ କି ଖୁବ୍ କମ୍ ଆସନ୍ତି–ମାତ୍ର କି ଅଦ୍ଭୁତ ପୁରୁଷ ସେ ? ସେନା ବାହିନୀର ଯୋଦ୍ଧା ବୀର । ମାତ୍ର ନିରାମିଷ ଭୋଜନ କରନ୍ତି–ଗୀତା ଭାଗବତ ପଢ଼ନ୍ତି–ଆଉ ସେହି କଥା ଶୁଣିବାକୁ ଓ କହିବାକୁ ସର୍ବଦା ବ୍ୟାକୁଳ । ସେ ପୁରୁଷକୁ ମନେ ମନେ ସ୍ତୁତି ନ କରି କୋଉ ସ୍ତ୍ରୀଲୋକ ଭଲା ରହି ପାରିବ ? ଉଦ୍ଭିଦ ବିଜ୍ଞାନୀ ଡଃ. ବିଶ୍ୱମ୍ୱର–ସେ ଯୋଗୀ କି ବିଜ୍ଞାନୀ ? ଉଦ୍ଭିଦ ମାତ୍ରେଇ ତାଙ୍କୁ ଆକର୍ଷଣ କରେ । ସେ ମଣିଷ ଆଉ ଉଦ୍ଭିଦ ଭିତରେ କିଛି ପାର୍ଥକ୍ୟ ଦେଖନ୍ତି ନାହିଁ-। ସେ ଯେପରି ଡାଳଟିକୁ ଧରନ୍ତି ବା ଫୁଲଟିକୁ ଧରନ୍ତି–ତାଙ୍କର ସେହି ଧରିବାର ଭଙ୍ଗୀ ବା ତାଙ୍କର ସେହି ଗଛ ଲତା ଫୁଲ ଆଦି ପ୍ରତି ପ୍ରୀତି ଆଉ ସମ୍ବେଦନାମୟ ମନୋଭାବରୁ ପରିଚୟ ପାଇଲା ଦିନୁଁ ମୋ ମନରେ ତାଙ୍କ ପ୍ରତି କି ବିଭୋରତା ନ ଆସିଛି ?

 

ଏ ସମସ୍ତଙ୍କ ଭିତରେ ଶୁଭେନ୍ଦୁ ସଙ୍ଗେ କିନ୍ତୁ ତୁମର ସମ୍ପର୍କ ଥିଲା ରହସ୍ୟମୟ । ଶୁଭେନ୍ଦୁ ଥିଲା ଯୁବକ । ବୟସରେ ତୁମଠାରୁ ବହୁତ ସାନ । ମାତ୍ର ସେ ଥିଲା ସାମ୍ୟବାଦି ରାଜନୀତିଦଳର ଜଣେ ବିଶିଷ୍ଟ ନେତା । ତା’ର ଚେହେରା ଥିଲା ଖୁବ୍ ସୁନ୍ଦର । ମାତ୍ର ସେ ତା’ ଚେହେରାର ଆଦୌ ଯତ୍ନ ନେଉ ନଥିଲା । ସଭାସମିତି, ଧର୍ମଘଟ, ଶୋଭାଯାତ୍ରା ଆଦିର ଆୟୋଜନ ଓ ସଙ୍ଗଠନରେ ତା’ର ସମୟ କଟୁଥିଲା । ତା’ର ଏ ସଂସାରରେ ମା’ଟିଏ ବ୍ୟତୀତ ଆଉ କେହି ନ ଥିଲେ । ସେ ଯଦି ଶାସକଗୋଷ୍ଠୀରେ ମିଶିଥାନ୍ତା କୋଉଦୁନୁଁ ମନ୍ତ୍ରୀ ଫନ୍ତ୍ରୀ ହୋଇସାରିଥାନ୍ତା । ମାତ୍ର ସେ ଲକ୍ଷ୍ମୀଛଡ଼ାର ପଥ ଭିନ୍ନେ । ସେ ସମଗ୍ର ମଣିଷ ଜାତିର ଦୁଃଖ ଦୈନ୍ୟ କଥା ଭାବୁଥିଲା । ସେ ସ୍ୱପ୍ନ ଦେଖୁଥିଲା–ଏ ଦୁନିଆ ଦିନେ ସମାନଭାବେ ସୁଖୀ ହେବ–ଅନ୍ତତଃ ମଣିଷର ଅର୍ଥନୈତିକ ସମସ୍ୟା ଦୂର ହୋଇଯାଉ ଆଗ । ତା’ପରେ ଯାଇ ତା’ର ବ୍ୟକ୍ତିଗତ ଆତ୍ମାର ସମସ୍ୟା କଥା ବୁଝାଯିବ । ତା’ର କଥା ଶୁଣି ମୁଁ ମୁଗ୍ଧହୋଇ ଭାବେ–ଶୁଭେନ୍ଦୁ କବି ନା କର୍ମୀ ? କିନ୍ତୁ ମୋଠାରୁ ଓ ତୁମଠାରୁ ବୟସରେ କମ୍ ଏହି ସ୍ୱପ୍ନବାଦୀ ଯୁବକଟିକୁ ଆମେ ଦୁହେଁ ଅତି ଭଲ ପାଉଥିଲେ । ତୁମେ ତ ତାକୁ ଆତ୍ମାଭଳି ଭଲପାଉଥିଲ । ସେ ପ୍ରାୟ ଆମ ଘରେଇ ରହୁଥିଲା । କାରଣ ତା’ର ନିର୍ଦ୍ଦିଷ୍ଟ ଘର ବୋଲି କିଛି ନଥିଲା । ତୁମେ ତା’ର ସମସ୍ତ ଖର୍ଚ୍ଚ ତୁଲାଉଥିଲ ।

 

ସେହି ଶୁଭେନ୍ଦୁକୁ ମୁଁ ଭଲ ପାଉ ପାଉ ତା’ ପ୍ରେମରେ ପଡ଼ିଗଲି । ଶୁଭେନ୍ଦୁ ଭଳି ଯୁବକକୁ ଥରେ ଭଲପାଇବା ଆରମ୍ଭ କଲେ ତା’ର ପ୍ରେମରେ ନ ପଡ଼ି ରହିପାରିବ ଯେ ସେ କ’ଣ ସ୍ତ୍ରୀଲୋକ ? ଶୁଭେନ୍ଦୁ ପ୍ରତି ତୁମର ସ୍ନେହ ଥିଲା କିଛି ମାତ୍ରାରେ ବାତ୍ସଲ୍ୟପରାୟଣ । ମୁଁ ମଧ୍ୟ ପ୍ରଥମେ ତାକୁ ସ୍ନେହ କରୁଥିଲି ଆପଣାର ସାନଭାଇ ଭଳି । ମାତ୍ର ସେହି ମତେ ପ୍ରଥମକରି ଦିନେ ଆଲିଙ୍ଗନ କରୁ କରୁ ଚୁମା ଦେଇଦେଲା । ମୁଁ ତା’ର ସେହି ପ୍ରଥମ ଚୁମ୍ୱନରେ ଉଚ୍ଚାଟିତ ହୋଇଗଲି-। ତା’ପରେ ଦିନପରେ ଦିନ, ମାସପରେ ମାସ, ବର୍ଷପରେ ବର୍ଷ, ସେ ଆମ ଘର ଚିରଦିନ ଲାଗି ଛାଡ଼ିବା ପର୍ଯ୍ୟନ୍ତ–ଆମେ ଦୁହେଁ ପରସ୍ପରକୁ ନିବିଡ଼ଭାବେ ଆଲିଙ୍ଗନ କରି ଓ ଚୁମା ଦିଆ ଦେଇ ହୋଇ ଆହ୍ଲାଦ ଭୋଗୁଥିଲୁ । ମୁଁ ତାକୁ ଏତେ ନିବିଡ଼ଭାବେ ଆଲିଙ୍ଗନ କରେ ଯେ ତୁମକୁ ମଧ୍ୟ ସେପରି ଦିନେ ଆଲିଙ୍ଗନ କରି ନଥିବି । ଧନମାଳୀ । ତୁମେ କ’ଣ ମୋର ଆଲିଙ୍ଗନକୁ କେବେ ଅପେକ୍ଷା କରିଛ ? ଖାତିର କରିଛ ? ତୁମେ କ’ଣ ମୋର ପ୍ରେମପାଇଁ ମଧ୍ୟ କେବେ ଅପେକ୍ଷା କରିଛ ? ତୁମେ ଥିଲ ମହାଦାନୀ । କାହାର ପ୍ରତିଦାନକୁ ଅପେକ୍ଷା କରିବା ଭଳି ହୀନତା ତୁମର କେବେ ନଥିଲା । ତୁମେ ଥିଲ ପ୍ରେମଜଗତର ସମ୍ରାଟ । ଶୁଭେନ୍ଦୁ ଥିଲା ସେହି ସାମ୍ରାଜ୍ୟର କରଦ ରାଜାଟିଏ ମାତ୍ର ।

 

ତୁମର ଆତ୍ମାହୀନ ମୃତ ଦେହଟିକୁ ମୁଁ ଯେତେବେଳେ ଫୁଲ ଚନ୍ଦନ ଆଉ କର୍ପୂରରେ ନିରାଜନା କରୁଥିଲି–ସେତେବେଳେ ମୋର ଆଖିରୁ ସିନା ଲୁହ ବହୁ ନଥିଲା–ମାତ୍ର ମୋର ଅନ୍ତରର ଅତି ନିଗୂଢ଼ ପ୍ରଦେଶରେ ଏକ ମହିମାମୟ ପ୍ରେମ ଭକ୍ତିର ଭାବ ମହା କାରୁଣ୍ୟର ରୂପଧରି ମୋ ଭିତରକୁ ମନ୍ଥି ଦେଉଥିଲା । ତୁମର ସେହି ପ୍ରାଣହୀନ ମୃତ ମୁଖମଣ୍ଡଳରୁ ତେଜ ଲିଭି ଯାଇଥିଲା ସତ ମାତ୍ର କି ନିର୍ବିକାର, ପରମ ପ୍ରେମମୟ ଅଶେଷ କ୍ଷମା କରୁଣାର ଶ୍ୟାମଳ ଦ୍ୟୁତି ସେ ମୁହଁରେ ଉକୁଟି ଉଠୁ ନଥିଲା ? ତୁମର ସେହି ସୁନ୍ଦର ବିସ୍ତୃତ ଆଖି ଦୁଇଟି ଅର୍ଦ୍ଧନିମୀଳିତ ଦିଶୁଥିଲା । ସତେକି ତଥାଗତ ପରମ ପୁରୁଷ ବୁଦ୍ଧ ଶେଷ ଶଯ୍ୟାରେ ଶାୟିତ । କିମ୍ୱା ଅନନ୍ତ ଆକାଶର ଅନ୍ତ ନୀଳିମା ଉଦାର ପ୍ରେମ ମହିମାର ମୂର୍ତ୍ତିମନ୍ତ ବିଗ୍ରହ ଭଗବାନ୍ ଶ୍ରୀକୃଷ୍ଣଙ୍କର ଶେଷ ଶୟନର ରୂପ । ସେ ଭଳି ମୁହଁକୁ ଦେଖି କିଏ ଧୈର୍ଯ୍ୟ ଧରିପାରେ ମୋ ଧନ ? ସେହିଭଳି ନିର୍ବିକାର ଅଥଚ ପ୍ରେମମୟ କ୍ଷମା ଓ କରୁଣାପୂର୍ଣ୍ଣ ମୁହଁଟି ଯେତେବେଳେ ଜୀବନର ତେଜରେ ଉଦୀୟମାନ ଦିଶୁଥିଲା, ସେତେବେଳେ ମୁଁ ସେ ମୁହଁକୁ ଦେଖି ଡରି ଯାଉଥିଲି । ମୁଁ ମୋର ସ୍ୱାଧୀନତା ହରେଇ ଦେଇଥିଲି । ତିରିଶବର୍ଷ କାଳ ମୁଁ ତୁମର ସେ ମୁହଁର ତେଜ ସହି ଆସିଛି–ତୁମ ପ୍ରେମ କରୁଣାର ଚାପ ସହି ଆସିଛି । ଆଉ କୋଉ ସ୍ତ୍ରୀଲୋକ ମୋ ଭଳି ତା’ର ଅଭିଜ୍ଞତା ଖୋଲିକରି ଏମିତି କହୁତ ଦେଖି ! ତାହେଲେ ମୁଁ ଜାଣିବି ଏ ଜଗତରେ ତୁମେ ଏକା ନୁହେଁ, କି ମୁଁ ମଧ୍ୟ ଏକା ନୁହେଁ–ଆମ ଭଳି ଆହୁରି ମଧ୍ୟ ଅଛନ୍ତି । ତୁମେ ମତେ ଦାମ୍ପତ୍ୟ ଜୀବନରେ କମ୍ ସ୍ୱାଧୀନତା ହେଇଥିଲ ? ମାତ୍ର ଆଜି ମୁଁ ବୁଝୁଛି ଏଭଳି ଉଦାର ପ୍ରେମପ୍ରସୂତ ସ୍ୱାଧୀନତା ଯାହାକୁ ଦିଆ ଯାଇଥାଏ–ସେ ବିଚାରୀ କି ପ୍ରକାରେ ନିଦାରୁଣଭାବେ ଅଧୀନସ୍ଥର ପୀଡ଼ାରେ ସନ୍ତୁଳି ହୋଇ ମରୁଥାଏ ?

 

ସମସ୍ତେ ଜାଣନ୍ତି ତୁମେ କେଡ଼େ କୋମଳ ଆଉ ସ୍ନିଗ୍‍ଧ ସ୍ୱଭାବର ପୁରୁଷ ଥିଲ । ମାତ୍ର ତାଠାରୁ ଅଧିକ ଥିଲ ତୁମେ ରୁଚିବନ୍ତ ଆଉ ମର୍ଯ୍ୟାଦାବନ୍ତ ପୁରୁଷ । ରୁଚି ଆଉ ମର୍ଯ୍ୟାଦାରେ ସାମାନ୍ୟ ଆଞ୍ଚ ଆସିଲେ, ସାମାନ୍ୟ ପ୍ରତିବନ୍ଧକ ଆସିଲେ–ତୁମେ କେତେ ଉତ୍‍କ୍ଷିପ୍ତ ହୋଇଯାଅ, ତାହା ମୁଁ କେତେଥର ଦେଖିଛି । ତୁମେ ମୋର ରୁଚି ଆଉ ମର୍ଯ୍ୟାଦାବୋଧକୁ ତୁମ ଉଚ୍ଚତାକୁ ଉଠାଇ ନେବାପାଇଁ ବହୁ ପରିଶ୍ରମ କରିଛ–ମୁଁ ମାନୁଛି । ମାତ୍ର ମୁଁ କ’ଣ ସେ ଉଚ୍ଚତାକୁ ଏଥିରେବି ଉଠିପାରିଥାନ୍ତି ? ସେଥିଲାଗି କେତେବେଳେ ତୁମେ ଟିକିଏ ଦୁଃଖିତବି ହୋଇଥିବ ମୋ ପ୍ରତି । ତୁମେ ମତେ ବହୁବାର କହିଛ–ଜଗତରେ କୌଣସି କାର୍ଯ୍ୟକୁ ପାପ ବା ପୁଣ୍ୟ ବୋଲି କହିହେବ ନାହିଁ । ମାତ୍ର ରୁଚି ଓ ମର୍ଯ୍ୟାଦା ରକ୍ଷାକରି ନ ପାରିଲେ ମଣିଷ ହୀନ ହୋଇଯାଏ । ହୀନତାଠାରୁ ଦୁଃଖଦାୟକ ଆଉ କିଛି ନାହିଁ ।

 

ଧନମାଳୀ ! ତୁମର ରୁଚି ଆଉ ମର୍ଯ୍ୟାଦାବୋଧ କ’ଣ–ତାହା ମୁଁ ଜାଣେ । ଆଉ ସେଥିଲାଗି ମନେ ମନେ ସେତେବେଳେ ହସୁଥିଲି । ମାତ୍ର ତୁମ ମହିମାକୁ ଖର୍ବକରି ହସୁ ନଥିଲି । ବରଂ ତୁମ ପ୍ରତି କିଞ୍ଚିତ୍ ଈର୍ଷା ଭାବରେ ହସି ଆଶ୍ୱସ୍ତ ହେଉଥିଲି । ତୁମେ ରୁଚି ଆଉ ମର୍ଯ୍ୟାଦାବୋଧର କିଛି ସାର୍ବଜନୀନ ସଂଜ୍ଞା ଦେଇପାରୁ ନଥିଲ । ମୁଁ ବୁଝୁଥିଲି–ଯାହା ତୁମର ପସନ୍ଦଯୋଗ୍ୟ ତାହାହିଁ ବୋଧେ ତୁମର ରୁଚି ଆଉ ମର୍ଯ୍ୟାଦାବୋଧର ମାନଦଣ୍ଡ । ଶୁଭେନ୍ଦୁ ରାୟକୁ ତୁମେ ଖୁବ୍ ପସନ୍ଦ କର । ତେଣୁ ସେ ତୁମ ପତ୍ନୀ ସଙ୍ଗେ ଗୋପନରେ ପ୍ରଣୟ କଲେ ତା’ର କିଛି ପାପ ନାହିଁ କି ତୁମ ସ୍ତ୍ରୀର କିଛି ପାପ ନାହିଁ–ଏବଂ ତୁମର ମଧ୍ୟ ଶୋଚନୀୟ କିଛି ନାହିଁ । ସତରେ କ’ଣ ତୁମେ ଏମିତି ଭାବି ମୋର ସବୁ କାର୍ଯ୍ୟକୁ ସହ୍ୟ କରୁଥିଲ ? କ୍ଷମା କରୁଥିଲ ?

 

ଆଗୋ ମୋର ସ୍ମୃତିର ସଙ୍ଖାଳି । ମୁଁ ତିରିଶବର୍ଷକାଳ ତୁମର ସେବା ପୂଜରେ କିଛି ତ୍ରୁଟି କରି ନାହିଁ । ମୋର ପରପୁରୁଷ ସଂସର୍ଗ-ପ୍ରବଣତା ଥିଲା ବୋଲି ଯେ ମୁଁ ତୁମର ଗୃହ ସଂସାରର ପରିଚାଳନାରେ କେବେ ଅବହେଳା କରୁଥିଲି ତା’ ଆଦୌ ନୁହେଁ । ଖୁବ୍ ସୁନ୍ଦର ଆଉ ସୂଚାରୁରୂପେ ମୁଁ ତୁମର ସଂସାର ଚଳାଇ ଆଣିଛି । ଆଜି ତୁମର ଦୁଇପୁଅ ସମାଜରେ ସୁପ୍ରତିଷ୍ଠିତ । ଦୁଇ ଝିଅ ଉଚ୍ଚଶିକ୍ଷିତା, ଆଉ ସୁଯୋଗ୍ୟ ବରପାତ୍ରଙ୍କ ହାତରେ ପଡ଼ିଛନ୍ତି । ସେମାନେ ସମସ୍ତେ ତୁମ ଗୁଣର ପୂଜାରୀ । ସେମାନେ ସମସ୍ତେ ତୁମକୁଇ ବଡ଼ରୂପେ ଭାବିଥାନ୍ତି । ମତେ ସେମାନେ କେବେ ଅବହେଳା ଦେଖାଇ ନାହାନ୍ତି । ବର୍ତ୍ତମାନ ମଧ୍ୟ ଦେଖାଉନାହାନ୍ତି । ମାତ୍ର ମୁଁ ଜାଣେ ତୁମ ପିଲାମାନଙ୍କ ଚିତ୍ତରେ ମୋ ଲାଗି ଖୁବ୍ ବେଶି ସମ୍ମାନଜନକ ସ୍ଥାନ ନାହିଁ । ମୁଁ ଏଥିପାଇଁ ଦୁଃଖିତ ନୁହେଁ ଲଜ୍ଜିତବି ନୁହେଁ । କାରଣ ମୁଁ ତ ତୁମକୁ ଦେବତାଠାରୁ ବଡ଼ ମନେକରେ ! ତୁମ ତୁଳନାରେ ମତେ ମନେକରେ ଖୁବ୍ ଅକିଞ୍ଚିତା । ମାତ୍ର ଦେବତାଠାରୁ ବଡ଼ ଗୋଟିଏ ପୁରୁଷ ସାଙ୍ଗେ ତିରିଶବର୍ଷକାଳ କଟାଇବାର ଯେଉଁ ସାଧନା ତାହା ମୋ ଛଡ଼ା ଏ ସଂସାରରେ ଖୁବ୍ କମ୍ ସ୍ତ୍ରୀଲୋକ କରିଥିବେ । ଆଜି କିନ୍ତୁ ମୁଁ ମୁକ୍ତ–ମୁଁ ସ୍ୱାଧୀନ । ଆଜି ମୋର ପୂଜନୀୟ ଦେବତା ସ୍ୱର୍ଗରେ । ମୁଁ ଏକା ଏ ମର୍ତ୍ତ୍ୟ ଭୂମିରେ ରହିଛି । ମୁଁ ତ ମର୍ତ୍ତ୍ୟର ଜୀବ । ଦେବତା ମତେ ବରଣ କରିଥିଲେ ବୋଲି ମୁଁ କ’ଣ ଦେବୀ ହୋଇଯିବି ?

 

ଏହି ମର୍ତ୍ତ୍ୟର କେତେ ଆକର୍ଷଣ ବର୍ତ୍ତମାନ ମୋ ପାଖେ । ଏବେ ମୁଁ ବୁଝୁଛି–ଏକୁଟିଆ ନହେଲେ, ନିଃସଙ୍ଗ ନହେଲେ, ମୁକ୍ତ ଆଉ ସ୍ୱାଧୀନ ନହେଲେ–ଏବଂ ବିଶେଷରେ ତୁମଭଳି କୌଣସି ଏକ ଦେବତାର ଜୀବନ୍ତ ସ୍ମୃତିକୁ ନିଜ ହୃଦୟରେ ପୂଜା ଅର୍ଘ୍ୟଦେଇ ଅତି ଗୋପନର-ସନ୍ତର୍ପଣରେ ସାଇତି ନ ରଖିଥିଲେ, କେହି ଏହି ମର୍ତ୍ତ୍ୟର ମଧୁରତାକୁ ପୂର୍ଣ୍ଣଭାବେ ପୂର୍ଣ୍ଣପ୍ରାଣରେ ଭୋଗିପାରିବ ନାହିଁ ମୋଭଳି ।

 

ମୁଁ ଆଜି ତୁମ ପ୍ରସାଦରୁ ସେତେକ ଭୋଗୁଛି । ସୀମନ୍ତରେ ସିନ୍ଦୂର ଆଉ ପାଦରେ ଅଳତା ଲଗାଇ ଅହିଅ ଡେଙ୍କୁରା ପିଟି ପିଟି ତୁମ ଆଗରେ ମୁଁ ଯଦି ଶ୍ମଶାନକୁ ଯାଇଥାନ୍ତି–ତେବେ ମୁଁ ଏଥିରୁ ବଞ୍ଚିତ ହୋଇ ନଥାନ୍ତି କି ?

 

ମୋର ବୟସ ବର୍ତ୍ତମାନ ପଚାଶରୁ ଅଧିକ ହେଲାଣି । ମାତ୍ର ମୁଁ ତାହା ଭୁଲିଯାଇଛି । ମୋ ଭିତରେ ବର୍ତ୍ତମାନ ଆଦ୍ୟ ଯୌବନର ଆବେଶ ଆଉ ପ୍ରବେଶ । ମୋର ସୁପ୍ତ ବାସନାଲୋକ ଆଜି ସବୁଆଡ଼ୁ ଜାଗ୍ରତ । ମୋର ସମସ୍ତ ଇନ୍ଦ୍ରିୟ ଆଜି ପରମ ମୁକ୍ତିର ପରଶରେ ଉନ୍ମୁଖ ଆଉ ସତେଜ । ମୁଁ ଆଜି ମୁକ୍ତ ପ୍ରାଣରେ ପାପ ବା ପୁଣ୍ୟ ଯାହାକିଛି କରିପାରିବି । ଆଜି ମୁଁ ମୋର ମନୋମତ ଶତ ଶତ ପୁରୁଷଙ୍କୁ ଆଲିଙ୍ଗନ କରିବାକୁ ଚାହେଁ, ଚୁମ୍ୱନ ଦେବାକୁ ଚାହେଁ । ମୋର ସୁପ୍ତ ବାସନାଲୋକରୁ ପୁରୁଷକୁ ଭୋଗ କରିବାର ପ୍ରଚଣ୍ଡ ଆକାଂକ୍ଷାମାନ ଉପରକୁ ଉଠି ଆସୁଛନ୍ତି । ପୁରୁଷର ସ୍ମୃତି–ନା-ନା-ଦେବତାର ସ୍ମୃତି–ନା-ନା-ପ୍ରେମିକ ପୁରୁଷର ସ୍ମୃତି ଏକ ପ୍ରଚଣ୍ଡ ତୀବ୍ରତାରେ ମୋ ଅନ୍ତରରେ ପ୍ରଜ୍ୱଳିତ ହୋଇ ଉଠୁଛି । ମାତ୍ର କୋଉ ଦେବତା ବା ପୁରୁଷ ବା ପ୍ରେମିକର ଚାପ ତଳେ ମୁଁ ଆଉ ନାହିଁ । ତୁମ ମୃତ୍ୟୁର କିଛିଦିନ ପରେ ଯେତେବେଳେ ମୁଁ ପ୍ରକୃତିସ୍ଥ ହୋଇ ଏ ପୃଥିବୀକୁ ଚାହିଁଲି–ଇସ କି ସୁନ୍ଦର କି ଅଭୂତପୂର୍ବଭାବେ ପୌରୁଷ-ପୂର୍ଣ୍ଣ ଦିଶିଲା ମତେ ଏ ପୃଥିବୀଟା !! ଏ ପୃଥିବୀ କାହିଁକି ଏତେ ସୁନ୍ଦର ଦିଶିଲା ଜାଣ ? ଏ ପୃଥିବୀକୁ ଏମିତି ସୁନ୍ଦର କରିଛି ପୁରୁଷ । ଗୋଟିଏ ପୁରୁଷ କୋଟି କୋଟି ପୁରୁଷ ରୂପରେ ଏ ପୃଥିବୀକୁ ଏପରି ଆକର୍ଷଣୀୟ କରି ଗଢ଼ିଛନ୍ତି । କୋଟି କୋଟି ପୁରୁଷଙ୍କ ଆତଯାତରେ ଏ ପୃଥିବୀ ଏଡ଼େ ଚମତ୍କାର, ଏଡ଼େ ଚେତନାମୟ, ଏଡ଼େ ପ୍ରେମମୟ ।

 

ମୁଁ ଆଉ କାହାର ପ୍ରେମିକା ହେବାକୁ ଚାହେଁ ନାହିଁ । ସେ ପର୍ବ ମୋର ତୁମ ସଙ୍ଗେ ଇତି ହୋଇଯାଇଛି ମୋ ଧନ । ଏଣିକି ମୁଁ ନିଜେ ପ୍ରେମ କରିବାକୁ ଚାହେଁ । ତୁମ ସଙ୍ଗେ ମୋର ସମ୍ପର୍କର ମଧ୍ୟ ଇତିଶ୍ରୀ ହୋଇଯାଇଛି । ତୁମେ ଚାଲିଯାଇଛ–ଚିରଦିନ ଲାଗି–ଜନ୍ମଜନ୍ମାନ୍ତରଲାଗି ଆଉ ମୋର ତୁମସାଙ୍ଗେ ସମ୍ପର୍କ ନ ରହୁ । ଆଉ ମଧ୍ୟ ଏଣିକି ତୁମ ସଙ୍ଗେ ମୋର ସମ୍ପର୍କର କିଛି ସଙ୍ଗତି ରହିବ ନାହିଁ । ତୁମେ ଆଉ ଏ ସମୟରେ ମଝିରେ ଆସି ମୋ ଆଗରେ ଛାଇଭଳି ଠିଆ ହୁଅନାହିଁ । ତୁମେ ମୋତେ ଯାହା ଦେବାର ଦେଇଦେଇଛ–ତୁମେ ମତେ ପୁରୁଷକୁ ଚିହ୍ନାଇ ଦେଇଛ–ତୁମେ ମତେ ପୌରୁଷକୁ ଦେଖାଇଦେଇଛ–ମୋ ଭିତରେ ବର୍ତ୍ତମାନ ସେହି ପୌରୁଷଇ ଜାଗିଉଠିଛି । ଏଣିକି ମୁଁ ସେହି ପୌରୁଷକୁ ସ୍ୱାଧୀନଭାବେ ବିତରଣ କରିବି ।

 

ମୁଁ ଆଉ ଏ ବୟସରେ ଅପେକ୍ଷା କରିବି ନାହିଁ–କିଏ ମୋତେ ବରଣ କରୁ ବୋଲି । ଏବେ ମୁଁ ନିଜେ ତାକୁ ବରଣ କରିବି । ଏ ପୃଥିବୀ ମୋର ସ୍ୱୟମ୍ୱର ସଭା । ମୋ ହାତରେ ରହିଛି ସ୍ୱୟମ୍ବରାର ବରଣମାଳା । ମୁଁ ମୋର ମନୋମତ ପୁରୁଷକୁ ଖୋଜିବି । ଅସଂଖ୍ୟ ଅସଂଖ୍ୟ ପୁରୁଷ ମୋର ଏହି ସ୍ୱୟମ୍ୱରା ସଭାରେ ଆପଣା ଆପଣାର ରୂପ, ବିକ୍ରମ, ଯଶ, ଗୁଣ ଆଉ କୀର୍ତ୍ତିର ଆଲୋକ ବିକିରଣ କରି ମୋଦ୍ୱାରା ରମିତ ହେବାକୁ ଅପେକ୍ଷା କରି ବସିଛନ୍ତି । ସେମାନେ ସମସ୍ତେ ଦେବତା ରୂପୀ । ଉଦାରତା, କରୁଣା, କ୍ଷମା ବା ପ୍ରେମ ମୁଁ କେଉଁ ପୁରୁଷଠାରୁ ଆଶା କରେ ନାହିଁ । ମୁଁ ଯାହା ଗଳାରେ ବରଣମାଳା ଦେବି–ତାକୁ ମୁଁ ଆଲିଙ୍ଗନ କରିବି–ଚୁମା ଦେବି । ତାକୁ ମୁଁ ପୁରୁଷାୟିତରେ ରମଣ କରିବି । ମୁଁ ତାକୁ ଧାରଣ କରିବି ନାହିଁ–ସେ ବରଂ ମୋଦ୍ୱାରା ଧୃତ ହେବ–ନିପୀଡ଼ିତ ହେବ–ପ୍ରଣୟର ତୀବ୍ର ନିଷ୍ପେଷଣରେ ମୁଁ ତାକୁ ରମଣ କରିବି ।

 

ଏଣିକି ପ୍ରତି ମୁହୂର୍ତ୍ତରେ ମୋର ବରଣମାଳା ଗୋଟିଏ ପୁରୁଷର ଗଳା ମଣ୍ଡନ କରିବ । ପୁରୁଷ-ପୁରୁଷ-ଆଃ–ସତେକି ପୁରୁଷମାନେ ଏ ପୃଥିବୀର ବରମାଲ୍ୟ । ଏ ପୃଥିବୀ ନିତ୍ୟ ରମିତା କୋଟି କୋଟି ପୁରୁଷଦ୍ୱାରା ଆଜି ମୁଁ ପୃଥିବୀର ହୋଇ ସେମାନଙ୍କ ଉପରେ ଆରୋହଣ କରି ସେମାନଙ୍କୁ ରମଣ କରି ସୁଖୀ କରାଇବି । ମୋ ଆଖିରେ ସବୁ ପୁରୁଷ ରୁଜୁ–ସବୁ ପୁରୁଷ ନୀଳବର୍ଣ୍ଣ–ସବୁ ପୁରୁଷ ପ୍ରମୁକ୍ତ–ସବୁ ପୁରୁଷ ଶକ୍ତିମାନ–ସବୁ ପୁରୁଷ ଗୁଣାତୀତ ଗୁଣର ଅଧିକାରୀ । ସବୁ ପୁରୁଷ ଲିଙ୍ଗରୂପୀ–ବଜ୍ରରୂପୀ ।

 

ମୋ ଆଖି ଆଗରେ ଏ ପୃଥିବୀ ଦିଶୁଛି ବହୁ ସନ୍ତାନ ପ୍ରସବକାରିଣୀ ରକ୍ତଶ୍ୱେତ କୃଷ୍ଣବର୍ଣ୍ଣା ନିତ୍ୟ-ରମଣ-ସମୁଚ୍ଛୁକା ଗୋଟାଏ ଛାଗୀ ଭଳି । ଏବଂ ସେହି ଛାଗୀଠାରୁ ପ୍ରସବିତା ରତିଲାଳସୀ ଛାଗଟିଏ ନିତ୍ୟ ସେହି ମାତୃ ଛାଗୀର ଜନନ କ୍ଷେତ୍ରରେ କାମ ମୋହିତ ହୋଇ ରମଣ କରି ଚାଲିଅଛି । ଆଉ ଗୋଟାଏ ଆନମନା ଛାଗ ସେହିପରି ରମଣ କରିସାରି ସେହି ଛାଗୀକୁ ତ୍ୟାଗ କରି କେଉଁଆଡ଼େ ଅଦୃଶ୍ୟ ହୋଇଯାଉଛି । ମତେ ଲାଗୁଛି ଏହି ନିର୍ବିକାର ଆନମନା ଛାଗଟିହିଁ ଅସଲ ପୁରୁଷ ଯେ କି ରମଣ କରିସାରି ପୁଣି କୁଆଡ଼େ ଅଦୃଶ୍ୟ ହୋଇଯାଉଛି ।

 

କେଉଁଆଡ଼େ ଅଦୃଶ୍ୟ ହୋଇଯାଉଛି ସେହି ଆନମନା ଭୋଗବିମୁଖ ଛାଗଟି ? ସେହି ନିର୍ମୋହ ଛାଗଟିହିଁ ଅସଲ ପୁରୁଷ । ମୁଁ ବର୍ତ୍ତମାନ ସେହି ଛାଗରୂପୀ ପୁରୁଷଟିକୁ ବରଣ କରିବାକୁ ଯାଉଛି । ସେହି ପୁରୁଷ କେଉଁଠାରେ ଅଛି ? ସେହି ଭୋଗବିମୁଖ ପରିତ୍ୟାଗୀ ପୁରୁଷଟି କେଉଁଆଡ଼େ ଅଦୃଶ୍ୟ ହୋଇ ରହିଛି ? ମୁଁ ତାକୁଇ ପ୍ରେମ କରିବି । ମୁଁ......ଉପରେ ଆରୋହଣ କରିବି । ମୁଁ ତାକୁଇ ପୁରୁଷାୟିତରେ ରମଣ କରି ତୃପ୍ତ ହେବି ।

 

ମୋ ଆଗରେ ଆଉ କେହି ଠିଆ ହୁଅ ନାହିଁ । କେହି ଆଉ ମୋ ପଛରୁ ମତେ ଟାଣ ନାହିଁ । ମୋର ବର୍ତ୍ତମାନ ସବୁ ପ୍ରକାର ସ୍ମୃତି ଲୋପ ପାଇଲାଣି । ମୁଁ ନିଜେ ଅଖିଳ ସ୍ମୃତିକୁ ମୂର୍ତ୍ତିମତୀ ରୂପ । ସେହି ଆନମନା ରତିବିରାଗୀ ମୈଥୁନ-ବିରକ୍ତ ଛାଗରୂପୀ ପୁରୁଷଟି ଲୁଚି ରହିଛି ଏବଂ ମୋରି ଭିତରେ ? ତା’ହେଲେ–ସେତିକି ମୁଁ ବୁଝିପାରିଲେ–ମୋର ଆଉ ଚିନ୍ତା କ’ଣ ? ମୁଁ ଦମ୍ଭର ସହିତ ଘୋଷଣା କରିଦେବି–ହ ଛାଗୀମାନେ । ତୁମ୍ଭେମାନେ ସେଇ ଯୋଉ ପରିତ୍ୟାଗୀ ଆନମନା ଛାଗଟିକୁ ରମଣ ଲାଗି ଖୋଜୁଅଛ–ସେ ହେଉଛି ମୁଁ । ମୁଁ ସେହି ଛାଗ । ମୁହିଁ ସେହି ପୁରୁଷ । ଆସ ଆସ–ମତେଇ ସମସ୍ତେ ଭଜନା କର । ମୁଁ ତୁମ୍ଭମାନଙ୍କ ଉପରେ ଆରୂଢ଼ ହୋଇ ତୁମମାନଙ୍କୁ ରମଣ କରି ତୃପ୍ତି ଦେବି ଓ ତୃପ୍ତ ହେବି ।

 

ମୋ ଅନୁଭବର ଏହି ଚରମ ମୁହୂର୍ତ୍ତରେ ସକଳ ସ୍ମୃତି ଲିଭିଯାଉ–ସକଳ ରୂପ ଲୁପ୍ତ ହୋଇଯାଉ । ସକଳ ଗୁଣ ଲୀନ ହୋଇଯାଉ ।

Image